Unknown

 

 

 

 

 

 

 

 

 

ପ୍ରଫେସର ନବୀନ କୁମାର ସାହୁ

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା

 

ମୁଖଶାଳା

 

ପ୍ରଫେସର ନବୀନ କୁମାର ସାହୁ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ବାଙ୍‍ମୟ ଉଚ୍ଚାରଣ । ସେ ଏକାଧାରରେ ଜଣେ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍, ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ-। ନିଷ୍ଠାପର ଗବେଷଣା ମାଧ୍ୟମରେ ଲୁପ୍ତପ୍ରାୟ ଐତିହାସିକ ତଥ୍ୟ ସମୂହକୁ ଲୋକଲୋଚନକୁ ଆଣି ସେ ଓଡ଼ିଶା ଇତିହାସର ଅନେକ କୁଜ୍‌ଝଟିକାଗ୍ରସ୍ତ ଦିଗନ୍ତକୁ ଆଲୋକିତ କରିଛନ୍ତି । ଇତିହାସରୁ ଖିଅ ଆଣି ସେ ରଚନା କରିଥିବା କତିପୟ କ୍ଷୁଦ୍ରଗଳ୍ପ ଓଡ଼ିଆ ସାହିତ୍ୟର ଅମୂଲ୍ୟ ବିଭବ । ବିବିଧ ବିଷୟବସ୍ତୁ ଆଧାରିତ ତାଙ୍କ ପ୍ରବନ୍ଧଗୁଡ଼ିକ ଅମିତ ପ୍ରକାର ପରିଚାୟକ ମଧ୍ୟ ।

 

ଓଡ଼ିଶାର ଧର୍ମଧାରା ସମ୍ପର୍କରେ ଡକ୍ଟର ସାହୁଙ୍କ ରଚନା ମୌଳିକ ଓ ଅଭିନବ । ମହାଯାନ ବୌଦ୍ଧଧର୍ମର ଜନ୍ମଭୂମି ଓଡ଼ିଶା ବୋଲି ସେ ତାଙ୍କ ବହୁଚର୍ଚ୍ଚିତ ଗ୍ରନ୍ଥ Buddhism in Orissa ରେ ପ୍ରମାଣ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ‘ଓଡ଼ିଶାରେ ବୌଦ୍ଧଧର୍ମ ପୁସ୍ତକଟି ପୂର୍ବୋକ୍ତ ଚର୍ଚ୍ଚିତ ଗ୍ରନ୍ଥର ଏକ ସଂକ୍ଷିପ୍ତ ସାରସଂଗ୍ରହ । ‘ଓଡ଼ିଆ ଜାତିର ଇତିହାସ’ ତାଙ୍କର ଅନ୍ୟ ଏକ ଅନବଦ୍ୟ କୃତି । ସେହିପରି ଦୁଇଖଣ୍ଡରେ ପ୍ରକାଶିତ ‘A History of Orissa’, ‘Kharvela’ ଓ Surendra sai’ ଆଦି ଗ୍ରନ୍ଥ ମାଧ୍ୟମରେ ସେ ଓଡ଼ିଶାର ଇତିହାସକୁ ପରିବ୍ୟାପ୍ତ କରିଛନ୍ତି ଏବଂ ଓଡ଼ିଆ ଅସ୍ମିତାକୁ କରିଛନ୍ତି ସମୁଜ୍ଜଳ ।

 

କୃତବିଦ୍ୟ କବି ଓ କୋବିଦମାନଙ୍କର କୃତି ଓ କୃତୀତ୍ଵକୁ ଭିତ୍ତିକରି କ୍ଷୁଦ୍ର ଜୀବନୀଗ୍ରନ୍ଥ ମନୋଗ୍ରାଫ୍ ପ୍ରକାଶ କରିବା ଓଡ଼ିଶା ସାହିତ୍ୟ ଏକାଡେମୀର ନିୟମିତ କାର୍ଯ୍ୟାବଳୀର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଏହି କ୍ରମରେ ପ୍ରବୀଣ ପ୍ରଫେସର ନବୀନ କୁମାର ସାହୁଙ୍କ ସମ୍ପର୍କିତ ଜୀବନୀଗ୍ରନ୍ଥ ପ୍ରକାଶ କରି ଓଡ଼ିଶା ସାହିତ୍ୟ ଏକାଡେମୀ ପରିବାର ନିଜକୁ ଗୌରବାନ୍ୱିତ ମନେକରୁଛି ।

 

ଡକ୍ଟର ସୁରେନ୍ଦ୍ର କୁମାର ମହାରଣା ସମକାଳର ଜଣେ ସୁଲେଖକ ତଥା ଗବେଷକ ଭାବରେ ସୁନାମଧନ୍ୟ । ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ନ୍ୟସ୍ତ ସାରସ୍ୱତ ଦାୟିତ୍ୱ ନିର୍ବାହପୂର୍ବକ ସେ ଗ୍ରନ୍ଥ ରଚନା କାର୍ଯ୍ୟ ସୀମିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିଥିବାରୁ ଏକାଡେମୀ ପରିବାର ପକ୍ଷରୁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଉଛି ।

 

ଆଶା ଏହି ପୁସ୍ତକଟି ସବୁବର୍ଗର ପାଠକା/ପାଠିକାମାନଙ୍କର ଶ୍ରଦ୍ଧାଭାଜନ ହେବ।

 

ଅଗଷ୍ଟ ପନ୍ଦର, ୨୦୧୪

ଭୁବନେଶ୍ୱର

ଓଡ଼ିଶା ସାହିତ୍ୟ ଏକାଡେମୀ

ପରିବାର

 

***

 

ମୁଖବନ୍ଧ

 

ତତ୍‌କାଳୀନ ସମ୍ବଲପୁର (ଅଧୁନା ବରଗଡ଼) ଜିଲାର ଏକ ଅଖ୍ୟାତ ପଲ୍ଲୀ ବରପାଲୀରେ ଜନ୍ମଲାଭକରି ବିଖ୍ୟାତ ହୋଇପାରିଥିଲେ ପ୍ରଫେସର ଡକ୍ଟର ନବୀନକୁମାର ସାହୁ । ଆର୍ଥିକ ଦୁଃସ୍ଥିତିକୁ ଖାତିର ନକରି ଦୃଢ଼ ମନୋବଳ ଓ ଅଧ୍ୟବସାୟ ବଳରେ ସେ ଏଲାହାବାଦ ବିଶ୍ଵବିଦ୍ୟାଳୟରୁ ଇତିହାସରେ ଏମ୍. ଏ ପାଶ୍ୱକରି ଓଡ଼ିଶା ଫେରିଥିଲେ ଓ ପ୍ରଶାସନିକ ବୃଦ୍ଧିକୁ ଉପେକ୍ଷାକରି ଅଧ୍ୟାପନାଭଳି ମହତ୍ ବୃଦ୍ଧିକୁ ଆଦରି ନେଇଥିଲେ । ସେବାନିବୃତ୍ତିପରେ ଜୀବନାଦସାନ ପର୍ଯ୍ୟନ୍ତ ସେ ଥିଲେ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ।

 

ଓଡ଼ିଶା ଇତିହାସର ସଂରଚନାରେ ସେ ଥିଲେ ଜଣେ ଯଶସ୍ୱୀ ଗବେଷକ । ପଶ୍ଚିମ ଓଡ଼ିଶାର ଇତିହାସର ପୁନର୍ଗଠନରେ ତାଙ୍କର ଭୂମିକା ଅବିସ୍ମରଣୀୟ । ଜଣେ ଶିକ୍ଷାବିତ୍, ଐତିହାସିକ, ପ୍ରତ୍ନତତ୍ତ୍ୱବେତ୍ତା, ଗବେଷକ, ସଙ୍ଗଠକ ଭାବରେ ତାଙ୍କର ଖ୍ୟାତି ଥିଲା ସୁଦୂରପ୍ରସାରୀ-। କେବଳ ସେତିକି ନୁହେଁ, ତାଙ୍କ ରଚିତ ଅସଂଖ୍ୟ ପ୍ରବନ୍ଧ ଓ କେତୋଟି ଐତିହାସିକ ଗଳ୍ପରେ ମଧ୍ୟ ଓଡ଼ିଆ ସାହିତ୍ୟ ରଦ୍ଧିମନ୍ତ । ମାତ୍ର ୬୨-୬୩ ବର୍ଷର ଜୀବନ ଜିଇଁଥିବା ଏହି ଯୁଗଜନ୍ମା ପୁରୁଷଙ୍କଠାରୁ ଦେଶ ବହୁତକିଛି ଆଶା କରୁଥିବାବେଳେ ସେ ଆରପାରିକୁ ଚାଲିଗଲେ, ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଗବେଷଣା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟିକରି ।

 

ଏହିପରି ଜଣେ କୃତବିଦ୍ୟ ନିରଳସ ସାଧକଙ୍କ ଜୀବନୀ ଓ କୃତିସମ୍ବଳିତ ଏକ ମନୋଗ୍ରାଫ୍ ରଚନା କରିବାର ଦାୟିତ୍ୱ ମୋ ଉପରେ ନ୍ୟସ୍ତ କରିଥିବାରୁ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀର କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞ । କାରଣ ପ୍ରଫେସର ଡକ୍ଟର ସାହୁ ଥିଲେ ମୋର ଗୁରୁ, ଗବେଷଣା କ୍ଷେତ୍ରରେ ମୋର ତତ୍ତ୍ୱାବଧାରକ । ଆମେ ଉଭୟ ଭୁବନେଶ୍ୱରରେ ପାଖାପାଖି ରହୁଥିଲୁ । ତାଙ୍କ ପରିବାର ସହିତ ମୋର ଭଲ ସମ୍ପର୍କ ଥିଲା । ଏହି ସୂତ୍ରରେ ତାଙ୍କ ଜୀବନକଥା, ଜୀବନାଦର୍ଶ, କୃତି ଓ କୃତିତ୍ୱ ସମ୍ୱନ୍ଧରେ କିଛି ଜାଣିବାର ସୁଯୋଗ ମୋତେ ମିଳିଥିଲା ।

 

ଏହି ମନୋଗ୍ରାଫଟିର ପ୍ରସ୍ତୁତିପଥରେ ମୋର ମୁଖ୍ୟ ସହାୟକ ହୋଇଛି ଡକ୍ଟର ଯଜ୍ଞକୁମାର ସାହୁ ଓ ଡକ୍ଟର ଦେବାନନ୍ଦ ଚୋପଦାରଙ୍କ ମିଳିତ ସମ୍ପାଦନାରେ ରାଉରକେଲାରୁ ପ୍ରକାଶିତ ‘ଐତିହାସିକ ନବୀନକୁମାର’ (୧୯୯୬) ପୁସ୍ତକ । ଏତଦ୍‌ବ୍ୟତୀତ ଏ କାର୍ଯ୍ୟରେ ଅତି ଉପାଦେୟ ତଥ୍ୟମାନ ଯୋଗାଇଦେଇ ମୋତେ ଚିରଋଣୀ କରିଛନ୍ତି ଡକ୍ଟର ପବିତ୍ରମୋହନ ନାୟକ, ଡକ୍ଟର ଶ୍ରୀଚରଣ ମହାନ୍ତି, ଡକ୍ଟର ଦେବେନ୍ଦ୍ରକୁମାର ଦାଶ, ଡକ୍ଟର ଦେବାନନ୍ଦ ଚୋପଦାର, ଡକ୍ଟର ଫଣୀନ୍ଦ୍ରଭୂଷଣ ନନ୍ଦ, ଡକ୍ଟର ବିବେକାନନ୍ଦ ଦାସ, ଶ୍ରୀ ଶଶାଙ୍କ ଶେଖର ପଣ୍ଡା, ଡକ୍ଟର ମଣୀନ୍ଦ୍ରକୁମାର ମେହେର ଓ ଶ୍ରୀ ଗଣେଶରାମ ନାହାକ । ଡକ୍ଟର ମେହେର ମୋତେ ଅନୁଗୃହୀତ କରିଛନ୍ତି ତାଙ୍କ ସୌଜନ୍ୟରୁ ପ୍ରାପ୍ତ ଡକ୍ଟର ସାହୁଙ୍କ ସ୍ଵହସ୍ତ ଲିଖିତ ଏକ ପତ୍ରର ନକଲ ପାଇଁ, ଯେଉଁଟି ଡକ୍ଟର ସାହୁ । ଏଲାହାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଥିବାବେଳେ ମହାତ୍ମାଗାନ୍ଧିଙ୍କ ହତ୍ୟାଘଟଣାରେ ବ୍ୟଥିତ ହୋଇ ଲେଖିଥଲେ କବିପୁତ୍ର ଭଗବାନ ମେହେରଙ୍କୁ । ସେଇଟି ପ୍ରସ୍ତୁତ ପୁସ୍ତକର ପରିଶିଷ୍ଟ- ୨ ରେ ସ୍ଥାନପ୍ରାପ୍ତ ।

 

ମୁଁ କୃତଜ୍ଞତା ଜଣାଉଛି ସେମାନଙ୍କୁ, ଯେଉଁମାନଙ୍କ ରଚନାର ସହାୟତାଦ୍ଵାରା ପ୍ରସ୍ତୁତ । ପୁସ୍ତକର କଳେବରଗଢ଼ା ସମ୍ଭବ ହୋଇଛି । ସେମାନଙ୍କ ନିକଟରେ ମୁଁ କୃତଜ୍ଞ ରହିବି, ଯେଉଁମାନେ ଏଥିରେ ଥିବା ତୃଟି ଦର୍ଶାଇ ପରବର୍ତ୍ତୀକାଳରେ ତାହାର ମାର୍ଜନା ପାଇଁ ମୋତେ ସୁଯୋଗ ଦେବେ ।

 

ପ୍ରସ୍ତୁତ କୃତିର କେତେକ ସ୍ଥଳରେ କିଛି ତଥ୍ୟର ପୁନରାବୃତ୍ତି ଦୃଷ୍ଟିକୁ ଆସିବ । ଅବଶ୍ୟ ଏପରି ଘଟିଛି ଇଚ୍ଛାକୃତ ଭାବରେ ନୁହେଁ, ପ୍ରସଙ୍ଗର ଅନୁରୋଧରେ କେବଳ ।

 

ଡକ୍ଟର ନବୀନକୁମାର ସାହୁଙ୍କୁ ଚିହ୍ନି ଚିହ୍ନାଇବାରେ ମୋର ଏଇ ସାମାନ୍ୟ ପ୍ରୟାସ କେତେଦୂର ସଫଳ, ତାହା ପାଠକମାନେହିଁ କହିବେ । ଜୟ ଜଗନ୍ନାଥ ।

 

 

ସୁରେନ୍ଦ୍ର କୁମାର ମହାରଣା

ଏନ୍-୫/୩୭୪, ଆଇଆରସି ଭିଲେଜ

ଭୁବନେଶ୍ୱର-୭୫୧୦୧୫

 

***

 

ବିଷୟସୂଚୀ

 

୧.

ଜୀବନପଥେ ନବୀନକୁମାର

୨.

ଶିକ୍ଷାବିତ୍‌ ନବୀନକୁମାର

୩.

ଐତିହାସିକ ନବୀନକୁମାର

୪.

ସାହିତ୍ୟିକ ନବୀନକୁମାର

୫.

ସଙ୍ଗଠକ ନବୀନକୁମାର

୬.

ପରିଶିଷ୍ଟାବଳୀ

 

 

ପରିଶିଷ୍ଟ- ୧

 

ନବୀନକୁମାରଙ୍କ ସଂକ୍ଷିପ୍ତ ଜୀବନାଲେଖ୍ୟ

ପରିଶିଷ୍ଟ- ୨

 

ନବୀନକୁମାରଙ୍କ ହସ୍ତଲିପି

ପରିଶିଷ୍ଟ-୩

 

ନବୀନକୁମାରଙ୍କ ପ୍ରଥମ ଗବେଷଣାମୂଳକ ପ୍ରବନ୍ଧ

ପରିଶିଷ୍ଟ- ୪

 

ନବୀନକୁମାରଙ୍କ ଐତିହାସିକ ଗଳ୍ପରୁ ଗୋଟିଏ

ପରିଶିଷ୍ଟ- ୫

 

ନବୀନକୁମାରଙ୍କ ରଚନାବଳୀ

 

 

ଜୀବନପଥେ ନବୀନକୁମାର

 

ସ୍ଵାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଗବେଷଣା କ୍ଷେତ୍ରରେ ସ୍ଵର୍ଗତ ଡକ୍ଟର ନବୀନକୁମାର ସାହୁ ଜଣେ ଅବିସ୍ମରଣୀୟ ପ୍ରତିଭା । ସମଗ୍ର ଓଡ଼ିଶା ପ୍ରଦେଶରେ ଲୁକ୍କାୟିତ ଐତିହାସିକ ଓ ପ୍ରତ୍ନତାତ୍ତ୍ଵିକ ଉପାଦାନର ଅନୁସନ୍ଧାନ ଓ ଅନୁଶୀଳନପୂର୍ବକ ଉତ୍କଳୀୟ ସଂସ୍କୃତିର ମହାନତା ପ୍ରତିପାଦନ କରିବା ଥିଲା ତାଙ୍କର ପ୍ରଧାନ ଲକ୍ଷ୍ୟ । ଓଡ଼ିଆ ଓ ଇଂରାଜୀରେ ଇତିହାସ ଓ ପ୍ରତ୍ନତତ୍ତ୍ଵସମ୍ବନ୍ଧୀୟ କେତେକ ଉପାଦେୟ ପୁସ୍ତକର ସେ ସୁଯୋଗ୍ୟ ସ୍ରଷ୍ଟା-। ଏତଦ୍‌ବ୍ୟତୀତ ଓଡ଼ିଶାର ଧର୍ମ ଓ ସାହିତ୍ୟ-ସମ୍ପର୍କିତ ବହୁ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ମଧ୍ୟ ତାଙ୍କର ରହିଛି । ତାଙ୍କ ଜୀବନୀ ଅନୁଧ୍ୟାନ କଲେ ଜଣାଯାଏ ଯେ ବାଲ୍ୟକାଳରୁ ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହୋଇ ମଧ୍ୟ ସେ ସଂଗ୍ରାମ ଓ ସାଧନାବଳରେ ଆଗେଇ ଯାଇଥିଲେ ଏବଂ ଶିକ୍ଷାକ୍ଷେତ୍ରରେ ସର୍ବୋଚ୍ଚ ଡିଗ୍ରୀ ହାସଲ କରିବା ସହିତ ସର୍ବୋଚ୍ଚ ପଦବୀର ଅଧିକାରୀ ହୋଇପାରିଥିଲେ ।

 

ଜନ୍ମ ଓ ଜନ୍ମସ୍ଥାନ

ନବୀନକୁମାର ଅବିଭକ୍ତ ସମ୍ବଲପୁର (ଅଧୁନା ବରଗଡ଼) ଜିଲ୍ଲାର ବରପାଲୀ ଗ୍ରାମରେ ଏକ ମଧୁବୈଶ୍ୟ (ଗୁଡ଼ିଆ) ପରିବାରରେ ଜନ୍ମଗ୍ରହଣ କରିଥିଲେ ୧୯୨୨ ଜୁଲାଇ ୨୮ ତାରିଖରେ । ତିଥି ଅନୁସାରେ ତାହା ଥିଲା ୧୩୨୯ ସାଲ ଶ୍ରାବଣ ଶୁକ୍ଳ ଚତୁର୍ଥୀ, ଶୁକ୍ରବାର । ବରପାଲୀ ଏକ କ୍ଷୁଦ୍ର ଗ୍ରାମ ଆକାରରେ ମୁଣ୍ଡ ଟେକିଥିଲା ସପ୍ତଦଶ ଶତାବ୍ଦୀର ଶେଷଭାଗରେ । ସେତେବେଳେ ଏହା ଥିଲା ଏକ ଆଦିବାସୀ-ଅଧ୍ୟୁଷିତ କ୍ଷୁଦ୍ର ପଲ୍ଲୀ । ଏହାର ସ୍ଥାପୟିତା ଥିଲେ ସମ୍ବଲପୁରର ଚୌହାଣବଂଶୀ ବିକ୍ରମ ସିଂହ । ସେ ନିଜ ପିତା ମହାପ୍ରତାପୀ ବଳିୟାର ଦେବଙ୍କ ନିର୍ଦ୍ଦେଶରେ ଏହି ଗ୍ରାମ ପ୍ରତିଷ୍ଠା କରିଥଲେ । ପ୍ରଜାମାନଙ୍କ ତୁଷ୍ଟିସାଧନ ନିମନ୍ତେ ବିକ୍ରମ ସିଂହ ଏଠାରେ ସମଲେଶ୍ଵରୀ ମନ୍ଦିର ନିର୍ମାଣ କଲେ । ଏହି ମନ୍ଦିରର ଦେବୀମୂର୍ତ୍ତି ଆକୃତିରେ ଅବିକଳ ସମ୍ବଲପୁରର ସମଲେଶ୍ଵରୀ ଦେବୀମୂର୍ତ୍ତି ସଦୃଶ । ବିକ୍ରମ ସିଂହଙ୍କ ପୁତ୍ର ହୃଦୟ ସିଂହ ଏହି ସମଲେଶ୍ୱରୀ ମନ୍ଦିର ନିକଟରେ ଜଗନ୍ନାଥ ମନ୍ଦିର ନିର୍ମାଣ କଲେ । ଏ ମନ୍ଦିରଦ୍ୱୟ ଏ ଅଞ୍ଚଳରେ ସର୍ବବୃହତ୍‌ ଓ ସର୍ବପ୍ରାଚୀନ । ଧର୍ମପ୍ରାଣ ବ୍ୟକ୍ତିମାନଙ୍କ ଉଦ୍ୟମରେ ବରପାଲୀରେ ଅନ୍ୟାନ୍ୟ ଦେବାଳୟ ନିର୍ମିତ ହେଲା; ପୁଷ୍କରିଣୀମାନ ଖନନ କରାଗଲା । ଏହି ଗ୍ରାମର ଚାରିପଟେ ଜଙ୍ଗଲ ଘେରିରହିଥଲା । ଏହାର ପ୍ରାକୃତିକ ଦୃଶ୍ୟ ଅତୀବ ମନୋହର ଥିଲା । ଆଧ୍ୟାତ୍ମିକ ପରିମଣ୍ଡଳ ଓ ପ୍ରାକୃତିକ ପରିବେଶ ମଧ୍ୟରେ ଏ ଗ୍ରାମର ଅଧିବାସୀମାନେ ସୁଖରେ କାଳାତିପାତ କରୁଥିଲେ । ସମୟକ୍ରମେ ବିଭିନ୍ନ ଅଞ୍ଚଳରୁ ଲୋକେ ଆସି ଏଠାରେ ବସବାସ କଲେ । ଫଳରେ ବରପାଲୀ ଏକ ବିରାଟ ଗ୍ରାମରେ ପରିଣତ ହେଲା ।

 

ବାଲ୍ୟଜୀବନ ଓ ବାଲ୍ୟଶିକ୍ଷା :

ନବୀନକୁମାର ପିତା ସୁରୁ ସାହୁ ଓ ମାତା ସେବତୀ ଦେଈଙ୍କର ତୃତୀୟ ସନ୍ତାନ । ପୂର୍ବରୁ ତାଙ୍କର ଗୋଟିଏ ଭଉଣୀ ଓ ଗୋଟିଏ ଭାଇ ଥିଲେ । ସୁରୁ ସାହୁଙ୍କ ବଡ଼ଭାଇ ଘାସିରାମ ସାହୁ ନିସନ୍ତାନ ଥିଲେ । ତେଣୁ ତାଙ୍କ ଅନୁରୋଧକ୍ରମେ ନବୀନକୁମାରଙ୍କୁ ତାଙ୍କ ହାତକୁ ଟେକିଦିଆଗଲା ପୋଷ୍ୟପୁତ୍ର ଭାବରେ । ଘାସିରାମ ସାହୁ ଓ ସୁରୁ ସାହୁ ଦୁଇଭାଇଙ୍କର ପରିବାର ଏକାନ୍ନବର୍ତ୍ତୀ ନ ଥିଲେହେଁ ସେମାନଙ୍କ ମଧ୍ୟରେ ଖୁବ୍‌ ଭଲ ବୁଝାମଣା ଥିଲା ଏବଂ ସେମାନେ ଏକ-ପରିବାରଭଳି ଚଲୁଥିଲେ । ନବୀନକୁମାର ଦୁଇ ପିତା ଓ ଦୁଇ ମାତାଙ୍କର ସ୍ନେହଶ୍ରଦ୍ଧା ଲାଭକଲେ । ସୁରୁ ସାହୁଙ୍କର ଆଉ ତିନୋଟି ପୁଅ ଓ ଦୁଇଟି ଝିଅ ଜନ୍ମଗ୍ରହଣ କରିଥିଲେ । ଏହିପରି ନବୀନକୁମାରଙ୍କର ଚାରିଭାଇ ଓ ତିନିଭଉଣୀ ଥିଲେ ।

 

ନବୀନକୁମାରଙ୍କର ଦୁଇ ପିତାଙ୍କର ଭୂ-ସମ୍ପତ୍ତି ନଥିଲା । ନିଜ ଘରେ ଥିବା ଏକ ଛୋଟ ଗୁଡ଼ିଆ-ଦୋକାନ ଉପରେ ତାଙ୍କର ଦୁଇ ପରିବାର ନିର୍ଭର କରୁଥିଲେ । ଏହି ବ୍ୟବସାୟ ବିଶେଷ ଲାଭପ୍ରଦ ନଥିଲେ ମଧ୍ୟ ପରିବାର ଦୁଇଟି କୌଣସିମତେ ଚଳିଯାଉଥିଲେ । ନବୀନକୁମାର ଚାରିବର୍ଷ ବୟସରେ ବସନ୍ତ ରୋଗରେ ପୀଡ଼ିତ ହେଲେ । ତାଙ୍କ ବଡ଼ଭାଇ ବୀରବର ମଧ୍ୟ ତାଙ୍କ ସହିତ ବସନ୍ତ ରୋଗାକ୍ରାନ୍ତ ହେଲେ । ଦୁଇଜଣଙ୍କର ରୋଗ ଭୀଷଣ ଭାବରେ ବଢ଼ିବାକୁ ଲାଗିଲା ଓ ସେ ଦୁହେଁ ବହୁ କଷ୍ଟ ଭୋଗ କଲେ । ସେତେବେଳେ ବସନ୍ତ ରୋଗ ପାଇଁ କୌଣସିପ୍ରକାର ଚିକିତ୍ସା ବ୍ୟବସ୍ଥା ନଥିଲା । ଲୋକେ ଏହାକୁ ଠାକୁରାଣୀ କହି ଠାକୁରାଣୀଙ୍କୁ ପଣାପାଣି ଦେଇ ପୂଜା କରୁଥିଲେ ।

 

ନବୀନକୁମାର ପିତାମାତାଙ୍କ ସହିତ ଏକ ଛୋଟ ଚାଳଘରେ ରହୁଥିଲେ । ତାଙ୍କ ଘର ସମଲେଶ୍ଵରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରର ନିକଟରେ ଥିଲା । ତାଙ୍କ ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା ଚାଟଶାଳୀରୁ । ସମଲେଶ୍ଵରୀ ମନ୍ଦିରର ପରିସରରେ ଚାଟଶାଳୀଟି ଥିଲା । ପିଲାମାନେ ଜଣେ ଅବୈତନିକ ଗୁରୁଙ୍କ ପାଖରେ ବିଦ୍ୟାଶିକ୍ଷା କରୁଥିଲେ । ଗୁରୁଙ୍କ ପାଇଁ ପିଲାମାନେ ରବିବାର ଦିନ କିଛି କିଛି ଚାଉଳ ଦେଉଥିଲେ । ପ୍ରତିବର୍ଷ ଚାଟଶାଳୀରେ ସରସ୍ଵତୀପୂଜା ଓ ଗଣେଶପୂଜା ଅନୁଷ୍ଠିତ ହେଉଥିଲା । ଧନୀ ଅଭିଭାବକମାନେ ଗୁରୁଙ୍କୁ ନୂତନ ବସ୍ତ୍ର ଓ ଅର୍ଥ ପ୍ରଦାନ କରୁଥିଲେ ।

 

ସେତେବେଳେ ବରପାଲୀରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ନବୀନକୁମାରଙ୍କ ଗୃହ ସମ୍ମୁଖରେ ଥିଲା । ତାହା ଏପର୍ଯ୍ୟନ୍ତ ସେଠାରେ ରହିଅଛି । ଚାଟଶାଳୀ ପାଠପରେ ସେ ସେହି ବିଦ୍ୟାଳୟରେ ନାମ ଲେଖାଇଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିଲେ ମଧୁସୂଦନ ମିଶ୍ର । ତାଙ୍କୁ ସମସ୍ତେ ମଧୁମାଷ୍ଟ୍ରେ ବୋଲି ଡାକୁଥିଲେ । ନାମ ଲେଖାଇଲାବେଳେ ନବୀନଙ୍କ ବୟସ ଥିଲା ଆଠ-। ଶୀଘ୍ର ସରକାରୀ ଚିକିରି ମିଳିଯିବ ବୋଲି ମଧୁମାଷ୍ଟ୍ରେ ନବୀନଙ୍କ ବୟସ ଦୁଇବର୍ଷ ଏକମାସ ବଢ଼ାଇ ଖାତାରେ ତାଙ୍କ ଜନ୍ମତାରିଖ ରଖିଲେ ୨୨ ଅଗଷ୍ଟ ୧୯୨୦, ଯଦିଓ ତାଙ୍କ ପ୍ରକୃତ ଜନ୍ମ ତାରିଖ ଥିଲା ୨୮ ଜୁଲାଇ ୧୯୨୨ । ମାଇନର ପାସ୍‌ କରିବାପରେ ଶୀଘ୍ର ଚାକିରି ପାଇବା ଉଦ୍ଦେଶ୍ୟରେ ଏପରି କରାଯାଇଥିବାରୁ ତାଙ୍କ ପିତାମାତା ନୀରବ ରହିଲେ । ଏହାଫଳରେ ତାଙ୍କର ସୁବିଧା ପରିବର୍ତ୍ତେ ଅସୁବିଧା ହେଲା । ମେଧାବୀ ଛାତ୍ର ଥିଲେହେଁ ଅଧିକ ବୟସ ହେତୁ ସେ ୩ୟ, ୫ମ ଓ ୭ମ ଶ୍ରେଣୀରେ ବୃତ୍ତି ପାଇବାରୁ ବଞ୍ଚିତ ହେଲେ ।

 

ପ୍ରାଥମିକ ବିଦ୍ୟାଳୟରୁ ୩ୟ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ବରପାଲୀ ମଧ୍ୟ-ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇଲେ । ସେଇଠି ଖୁବ୍‌ ଭଲ ଶିକ୍ଷକ ଥିଲେ । ଏଣୁ ଭଲ ପାଠପଢ଼ା ହେଉଥିଲା । ନବୀନକୁମାର ଯେପରି ମେଧାବୀ ଥିଲେ ସେହିପରି ଗୁରୁଭକ୍ତ ଥିଲେ । ସେ ଗୁରୁମାନଙ୍କର ପ୍ରିୟପାତ୍ର ଥିଲେ ଏବଂ ୧୯୩୬ ଖ୍ରୀଷ୍ଟାବ୍ଦରେ କୃତିତ୍ୱର ସହିତ ମାଇନର ପାସ୍ କଲେ ।

 

ସେତେବେଳେ ବରପାଲୀରେ ଉଚ୍ଚ-ଇଂରାଜୀ ବିଦ୍ୟାଳୟ ନ ଥିଲା । ତଥାପି ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ନଥିଲେ । ତାଙ୍କ ପାଳିକା ମାତା ସତ୍ୟଭାମା ଥିଲେ ବଲାଙ୍ଗୀରର ଝିଅ । ସେଠାରେ ତାଙ୍କର ଶିକ୍ଷା ବ୍ୟବସ୍ଥା କରାଗଲା । ଭଣଜାର ସମସ୍ତ ଶିକ୍ଷାଖର୍ଚ୍ଚ ମାମୁ ବହନ କଲେ । ନବୀନ ନାମ ଲେଖାଇଲେ ବଲାଙ୍ଗୀରର ପୃଥ୍ୱୀରାଜ ହାଇସ୍କୁଲରେ । ମାମୁଘରେ ରହି ସେ ସେହି ସ୍କୁଲରେ ଚାରିବର୍ଷ ଅଧ୍ୟୟନ କଲେ ଓ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେଲେ ୧୯୪୦ ଖ୍ରୀଷ୍ଟାବ୍ଦରେ । ସେହି ବର୍ଷ ସେ ମାଟ୍ରିକ୍‌ ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଇଲେ ଏବଂ ପୃଥ୍ଵୀରାଜ ହାଇସ୍କୁଲର ପଚିଶ ବର୍ଷର ରେକର୍ଡ଼ ଭଙ୍ଗକରି ସର୍ବୋଚ୍ଚ ନମ୍ବର ରଖିଥିବାରୁ ପାଟଣା ମହାରାଜାପ୍ରଦତ୍ତ ସ୍ଵର୍ଣ୍ଣପଦକ ଲାଭକଲେ ।

 

ସେହି ସମୟର ବିବାହପ୍ରଥା ଥିଲା ଭିନ୍ନ । ସେତେବେଳେ ପିଲା ବୟସରେ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା ଏବଂ କନ୍ୟା ପ୍ରାପ୍ତବୟସ୍କା ହେବାପରେ ଶାଶୁଘରକୁ ଆସୁଥିଲା । ନବୀନଙ୍କ କ୍ଷେତ୍ରରେ ମଧ୍ୟ ସେହିପରି ହୋଇଥିଲା । ସେ ବାଲ୍ୟବିବାହ କରିଥିଲେ । ସୋନପୁର ନିବାସୀ ବଜରଙ୍ଗ ସାହୁଙ୍କ କନ୍ୟା ସରସ୍ଵତୀ ଦେବୀ ହୋଇଥିଲେ ତାଙ୍କର ପତ୍ନୀ । ୧୯୩୯ ଖ୍ରୀଷ୍ଟାବ୍ଦରେ ସେ ଦଶମ ଶ୍ରେଣୀର ଛାତ୍ର ଥିଲାବେଳେ ତାଙ୍କ ପତ୍ନୀ ଶ୍ୱଶୁରାଳୟ ଆସିଥିଲେ । ସେହି ସମୟରୁ ତାଙ୍କୁ ପରିବାରର ବୋଝ ମୁଣ୍ଡେଇବାକୁ ପଡ଼ିଥିଲା ।

 

ଜୀବନ-ସଂଗ୍ରାମ ଓ ଉଚ୍ଚଶିକ୍ଷା

ପରିବାରର ଆର୍ଥିକ ଅବସ୍ଥା ଦୃଷ୍ଟିରୁ ଏହାପରେ ନବୀନଙ୍କର ଚାକିରି କରିବା କଥା । କିନ୍ତୁ ସେ କାହାକୁ କିଛି ନ ଜଣାଇ କଟକ ସିଟି ଟ୍ରେନିଂ ସ୍କୁଲରେ ନାମ ଲେଖାଇଲେ ଓ ଦୁଇବର୍ଷର ଟ୍ରେନିଂ ପରେ ଘରକୁ ଫେରିଲେ । ସେ ମେଧାବୀ ଛାତ୍ର ଥିବାରୁ ମାସିକ ବୃତ୍ତି ପାଉଥିଲେ । ଏଣୁ ଟ୍ରେନିଂ ନେବା ସମୟରେ ତାଙ୍କୁ ବିଶେଷ ଆର୍ଥିକ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ ।

 

ବର୍ତ୍ତମାନ ସେ ଶିକ୍ଷକ ହେବାପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ହୋଇଗଲେ । ଭାଗ୍ୟବଶତଃ ତାଙ୍କୁ ବରଗଡ଼ ଜର୍ଜ ହାଇସ୍କୁଲରେ ସହକାରୀ ଶିକ୍ଷକ ଚାକିରି ମିଳିଗଲା । ସେ ୧୯୪୩ ଖ୍ରୀଷ୍ଟାବ୍ଦରେ ଚାକିରିରେ ଯୋଗଦେଲେ । ତାଙ୍କ ତଳ ତିନିଭାଇ ସେତେବେଳେ ବିଦ୍ୟାଳୟ ଛାତ୍ର । ବଡ଼ଭାଇ ବୀରବର ସାନଭାଇମାନଙ୍କ ଶିକ୍ଷାପ୍ରତି ବିଶେଷ ଆଗ୍ରହ ପ୍ରକାଶ କଲେ ନାହିଁ । ଏଣୁ ନବୀନବାବୁ ନେଲେ ସେମାନଙ୍କ ଶିକ୍ଷା-ଦାୟିତ୍ୱ । ସାନ ତିନିଭାଇ ଉତ୍ତମ ଛାତ୍ର ଥିଲେ ଏବଂ ପ୍ରତ୍ୟେକେ ପରବର୍ତ୍ତୀକାଳରେ ଜୀବନ କ୍ଷେତ୍ରରେ ବିଶେଷ ଉନ୍ନତି କରିଥିଲେ ।

 

ବରପାଲୀରେ ସେତେବେଳେ ହାଇସ୍କୁଲ ନଥିଲା । ହାଇସ୍କୁଲଟିଏ ପ୍ରତିଷ୍ଠା ପାଇଁ ଅନ୍ୟମାନଙ୍କ ସହିତ ମିଶି ସେ ଚେଷ୍ଟା ଚଳାଇଲେ । ଫଳସ୍ଵରୂପ ପ୍ରତିଷ୍ଠିତ ହେଲା ହାଇସ୍କୁଲ । ନିଜେ ନବୀନବାବୁ ବରଗଡ଼ ହାଇସ୍କୁଲରୁ ଆସି ବରପାଲୀ ପ୍ରସ୍ତାବିତ ହାଇସ୍କୁଲର ସହକାରୀ ଶିକ୍ଷକରୂପେ ଯୋଗଦେଲେ । ସେ ଜଣେ ଉତ୍ତମ ଶିକ୍ଷକ ଥିଲେ । ତାଙ୍କ ଶିକ୍ଷାଦାନରେ ଛାତ୍ର ଓ ଅଭିଭାବକମାନେ ସନ୍ତୁଷ୍ଟ ଥିଲେ । ଏହି ସମୟରେ ସେ ଘରୋଇ ଭାବରେ ଆଇଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଏବଂ ଉଚ୍ଚଶିକ୍ଷା ଆଶାରେ ଅନୁକୂଳ ପରିସ୍ଥିତିର ଅପେକ୍ଷାରେ ରହିଲେ ।

 

ଶିକ୍ଷକତା କରିବା ସମୟରେ ଭାଇମାନଙ୍କର ପାଠପଢ଼ା ଓ ପରିବାର-ପୋଷଣସମ୍ବନ୍ଧୀୟ ବ୍ୟୟ ବ୍ୟତୀତ କିଛି ଅର୍ଥ ସେ ସଞ୍ଚୟ କରିପାରିଥିଲେ । ଶିକ୍ଷକତା ଛାଡ଼ି ସେଥିରେ ସେ ଉଚ୍ଚଶିକ୍ଷା ପାଇଁ ଆଗେଇଗଲେ । ସେତେବେଳେ ରେଭେନ୍ସା କଲେଜର ଇତିହାସ ବିଭାଗର ମୁଖ୍ୟ ଥିଲେ ସ୍ଵନାମଧନ୍ୟ ପ୍ରଫେସର ଘନଶ୍ୟାମ ଦାଶ । ସେ ମଧ୍ୟ ବରପାଲୀର ସନ୍ତାନ । ସେ ଛାତ୍ରବତ୍ସଳ ଥିଲେ ଓ ନିଜ ଅଞ୍ଚଳର ମେଧାବୀ ଛାତ୍ରମାନଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ । ତାଙ୍କ ପାଖରେ ପହଞ୍ଚି ନବୀନବାବୁ ରେଭେନ୍ସା କଲେଜର ବିଏ ଶ୍ରେଣୀରେ ଅଧ୍ୟୟନ କରିବାର ଇଚ୍ଛାପ୍ରକାଶ କଲେ-। ଘନଶ୍ୟାମବାବୁଙ୍କ ଅଭିଭାବକତ୍ୱରେ ରେଭେନ୍ସା କଲେଜରେ ତାଙ୍କର ନାମ ଲେଖାଗଲା ୧୯୪୫ ଖ୍ରୀଷ୍ଟାବ୍ଦରେ । ଦୁଇବର୍ଷର ପାଠ୍ୟକ୍ରମ ଶେଷକରି ସେ ଶେଷ ପରୀକ୍ଷାରେ ବସିଲେ । ଫଳ ବାହାରିଲା । ଇତିହାସ ଅନର୍ସରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଡିଷ୍ଟିଂକ୍ସନ ସହ ବିଏ ପାସ୍ କଲେ । ଏହି ସଫଳତାରେ ସେ ବିଶେଷ ଖୁସି ନଥିଲେ; କାରଣ ଶିକ୍ଷାକ୍ଷେତ୍ରରେ ଏହା ତାଙ୍କ ଶେଷ ଲକ୍ଷ୍ୟ ନଥିଲା । ଇତିହାସରେ ଏମ୍‌ଏ ପାସ୍ କରିବାର ନିଶା ତାଙ୍କୁ ଘାରୁଥିଲା ।

 

ସେତେବେଳେ ଓଡ଼ିଶାରେ ଇତିହାସରେ ଏମ୍‌ଏ ଶ୍ରେଣୀ ନଥିଲା । ପ୍ରଫେସର ଘନଶ୍ୟାମ ଦାଶଙ୍କ ପ୍ରେରଣା ଲାଭକରି ସେ ଏଲ୍‌ହାବାଦରେ ଇତିହାସରେ ଏମ୍‌ଏ କରିବାପାଇଁ ସ୍ଥିରକଲେ । ସଂଗ୍ରାମୀ ମନୋଭାବ ତାଙ୍କୁ ଆଗେଇନେଲା । ସେ ଏଲ୍‌ହାବାଦ ବିଶ୍ଵବିଦ୍ୟାଳୟରେ ଏମ୍‌ଏ ଶ୍ରେଣୀର ଛାତ୍ର ହେଲେ ୧୯୪୭ ଖ୍ରୀଷ୍ଟାବ୍ଦରେ । ସେଠାରେ ସେ ସର୍ବଦା ଚିନ୍ତିତ ରହୁଥିଲେ । ଘରେ ପିତା, ମାତା, ଭାଇ, ଭଉଣୀ ଓ ପତ୍ନୀ । ସେମାନେ ସମସ୍ତେ ଥିଲେ ତାଙ୍କ ଉପରେ ନିର୍ଭରଶୀଳ । ତଥାପି ସେ ଭାଙ୍ଗିପଡ଼ିନଥଲେ। ଦୃଢ଼ ମନୋବଳ ତାଙ୍କୁ ଆଗେଇନେଲା; ସେ ଏମ୍‌ଏ ପାଠ୍ୟକ୍ରମ ସମାପ୍ତ କଲେ, ଶେଷ ପରୀକ୍ଷାରେ ବସିଲେ । ସେହି ସମୟରେ ତାଙ୍କୁ ହେଲା ପାରା-ଟାଇଫଏଡ଼ । ରୋଗାକ୍ରାନ୍ତ ହେତୁ ସେ ଗୋଟିଏ ଦିନ ପରୀକ୍ଷାରେ ବସିପାରିଲେ ନାହିଁ । ତଥାପି ସେ ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ତାଙ୍କୁ ମିଳିଲା ଦ୍ୱିତୀୟ ଶ୍ରେଣୀ । ଏହା ୧୯୪୯ ଖ୍ରୀଷ୍ଟାବ୍ଦର ଘଟଣା ।

 

ସାଧନା ଓ ସିଦ୍ଧି

୧୯୪୯ ଖ୍ରୀଷ୍ଟାବ୍ଦରେ ସେ ଯୋଗଦେଲେ କଟକ ଖ୍ରୀଷ୍ଟ କଲେଜରେ ଇତିହାସ ଅଧ୍ୟାପକ ଭାବରେ । ଏହି ସମୟରେ ଓଡ଼ିଶା ସରକାରଙ୍କଦ୍ଵାରା ସେ ଅନୁଗୁଳରେ ଡେପୁଟୀ କଲେକ୍ଟର ଭାବରେ ନିଯୁକ୍ତି ପାଇଲେ; କିନ୍ତୁ ଏହା ସେ ଗ୍ରହଣ ନକରି ଅଧ୍ୟାପକ ଜୀବନକୁ ଆପଣାଇନେଲେ । ତାଙ୍କର ଇଚ୍ଛା ଥିଲା ସରକାରୀ କଲେଜରେ ଅଧ୍ୟାପକ ହେବା । ଏଣୁ ସେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ସାକ୍ଷାତ କରି ସରକାରୀ କଲେଜରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ଅନୁରୋଧ କରିଥିଲେ । ଡକ୍ଟର ମହତାବ ତାଙ୍କ ଦରଖାସ୍ତକୁ କାର୍ଯ୍ୟକାରୀ କରିବାକୁ ଡିପିଆଇଙ୍କ ନିକଟକୁ ପଠାଇଦେଲେ । ଏକବର୍ଷପରେ ଅର୍ଥାତ୍‌ ୧୯୫୦ ଖ୍ରୀଷ୍ଟାବ୍ଦରେ ସେ ସରକାରୀ କଲେଜରେ ଇତିହାସ ଅଧ୍ୟାପକରୂପେ ନିଯୁକ୍ତି ପାଇଲେ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ । ଦଶହରା ପୂଜାଛୁଟିର ଅବ୍ୟବହିତ ପୂର୍ବରୁ ସେ ସେଠାରେ ଯୋଗଦେଲେ ।

 

ଏହାପରେ ଆରମ୍ଭ ହେଲା ତାଙ୍କର ଗବେଷକ ଜୀବନ । ‘ଓଡ଼ିଶାରେ ବୌଦ୍ଧଧର୍ମ’ ସମ୍ବନ୍ଧରେ ସେ ଗବେଷଣା କରିବାକୁ ସ୍ଥିର କଲେ । ସେ ନିଜ ତତ୍ତ୍ୱାବଧାରକ ବା ଗାଇଡ଼୍‌ରୂପେ ବାଛିଲେ କଲିକତା ବିଶ୍ଵବିଦ୍ୟାଳୟର ସୁପ୍ରସିଦ୍ଧ ପାଲି ବିଭାଗର ପ୍ରଫେସର ନଳୀନାକ୍ଷ ଦତ୍ତଙ୍କୁ । ଜୋର୍‌ସୋରରେ ଗବେଷଣା କାର୍ଯ୍ୟ ଚାଲିଲା । ୧୯୫୫ ଖ୍ରୀଷ୍ଟାବ୍ଦରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ଲାଭକଲେ । ତାଙ୍କ ଗବେଷଣାକାଳୀନ ତତ୍ପରତା ଓ ଆନ୍ତରିକ ନିଷ୍ଠା ସମ୍ବନ୍ଧରେ ତାଙ୍କ ଅନୁଜ ଡକ୍ଟର ଯଜ୍ଞକୁମାର ସାହୁ ନିଜ ଅନୁଭୂତିରୁ କହନ୍ତି- ‘‘ମୁଁ ବାରିପଦାରେ ଆଇଏ ପଢ଼ୁଥିବା ସମୟରେ ଦାଦା ଗବେଷଣା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବାର ଦେଖିଛି ଏବଂ ତାଙ୍କ ସହିତ ଅନେକ ସ୍ଥାନ ପରିଭ୍ରମଣରେ ଯାଇଛି । ପ୍ରଥମଥର ପାଇଁ ମୁଁ ତାଙ୍କ ସହିତ ଖିଚିଙ୍ଗ୍‌ ଯାଇଥିଲି ୧୯୫୧ ଖ୍ରୀଷ୍ଟାବ୍ଦରେ । ସେହି ସମୟରେ ତାଙ୍କ ପଢ଼ାଘର ଏକ ଛୋଟ ବୌଦ୍ଧବିହାରରେ ପରିଣତ ହୋଇଥିଲା । ଧ୍ୟାନୀବୁଦ୍ଧଙ୍କର ଏକ ବିରାଟ ଫଟୋ ସଜ୍ଜିତ ଥିଲା ଏବଂ କାନ୍ଥରେ ବଡ଼ ବଡ଼ ଅକ୍ଷରରେ ଝୁଲୁଥିଲା- ବୁଦ୍ଧଂ ଶରଣଂ ଗଚ୍ଛାମି, ଧମ୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି । ଘରେ ଆମର ବୈଶାଖ ପୂର୍ଣ୍ଣମୀ ଦିନ ବୁଦ୍ଧଙ୍କର ଆରାଧନା ହେଉଥଲା ଏବଂ ସେଦିନ ଦାଦା ଉପବାସ ରହୁଥିଲେ । ଅବଶ୍ୟ ୩/୪ ବର୍ଷପରେ ଏହି ପ୍ରଥା ବନ୍ଦ ହୋଇଗଲା । ବାରିପଦା କଲେଜରେ ଥିବା ସମୟରେ ସେ ଉତ୍କଳ ବିଶ୍ଵବିଦ୍ୟାଳୟର ପିଏଚ୍‌ଡି ଡିଗ୍ରୀ ପାଇଁ ସନ୍ଦର୍ଭ ଲେଖିସାରିଥିଲେ ଏବଂ ୧୯୫୫ ମସିହାରେ ସେ ଏହି ଡିଗ୍ରୀ ଲାଭ କରିଥଲେ ।’’ (ଐତିହାସିକ ନବୀନକୁମାର, ପୃ ୧୦)

 

ନବୀନବାବୁ ବାରିପଦାରେ ଅବସ୍ଥାପିତ ଥିବା ସମୟକୁ କଟକ ରେଭେନ୍ସା କଲେଜରେ ଇତିହାସରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହୋଇଯାଇଥାଏ । ଡକ୍ଟର ମନ୍ମଥନାଥ ଦାସ ଓ ପ୍ରଫେସର ପ୍ରଭାତ ମୁଖାର୍ଜୀ ସେଠାରେ ଅଧ୍ୟାପନା କରୁଥିଲେ । ଆଉ ଜଣେ ଭଲ ଅଧ୍ୟାପକଙ୍କୁ ସେଠାକୁ ଆଣିବାକୁ ପ୍ରଫେସର ଘନଶ୍ୟାମ ଦାଶ ଚାହୁଥା’ନ୍ତି । ତାଙ୍କର ମନମୁତାବକ ଅଧ୍ୟାପକ ଜଣେ ମିଳୁନଥିଲେ। ଏହି ସମୟରେ ତାଙ୍କର ମନେପଡ଼ିଗଲେ ଅଧ୍ୟାପକ ନବୀନକୁମାର ସାହୁ । ତାଙ୍କଭଳି ଜଣେ ଯୋଗ୍ୟ ଅଧ୍ୟାପକଙ୍କୁ ରେଭେନ୍ସା କଲେଜକୁ ଆଣିବାପାଇଁ ସେ ଚେଷ୍ଟାକଲେ । ଫଳରେ ତାଙ୍କର ରେଭେନ୍ସା କଲେଜକୁ ବଦଳି ହେଲା । ସେଠାରେ ସେ ଛାତ୍ରଛାତ୍ରୀଙ୍କୁ ପ୍ରାଚୀନ ଭାରତ ଓ ଓଡ଼ିଶା ଇତିହାସ ବିଷୟରେ ଶିକ୍ଷାପ୍ରଦାନ କଲେ । ରେଭେନ୍ସା କଲେଜରେ ଯୋଗଦାନପରେ ୧୯୫୮ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଲା ତାଙ୍କ ଗବେଷଣା ଗ୍ରନ୍ଥ Buddhism in Orissa । ଏହାର ପ୍ରକାଶକ ଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ । ଏହିଠାରେ ଅଧ୍ୟାପକ ଥିବା ସମୟରେ ମଧ୍ୟ ସେ ଏହି କଲେଜର ପ୍ରଶାସନିକ ବରସାର୍‌ ପଦବୀରେ ସୂଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିଲେ ।

 

ରେଭେନ୍ସା କଲେଜରେ ଅଧ୍ୟାପନା କରିବା ସମୟରେ ୧୯୬୦ ଖ୍ରୀଷ୍ଟାବ୍ଦ ବେଳକୁ ଓଡ଼ିଶା ସରକାର ଜଣେ ଯୋଗ୍ୟ ଷ୍ଟେଟ୍‌ ଏଡ଼ିଟର ବା ରାଜ୍ୟ ସମ୍ପାଦକ ସନ୍ଧାନରେ ଥିଲେ । ରାଜ୍ୟ ସମ୍ପାଦକଙ୍କ କାର୍ଯ୍ୟ ଥିଲା ଜିଲା ଗେଜେଟିୟର ସମ୍ପାଦନା । ସରକାରଙ୍କ ଦୃଷ୍ଟିକୁ ଆସିଲେ ଡକ୍ଟର ନବୀନକୁମାର ସାହୁ । ତାଙ୍କୁ ଗେଜେଟିୟର ସମ୍ପାଦନା କାର୍ଯ୍ୟପାଇଁ ଅଣାଗଲା । ୧୯୬୦ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ରେଭେନ୍ସା କଲେଜ ଛାଡ଼ି ସେ ଭୁବନେଶ୍ୱରକୁ ଆସିଲେ ରାଜ୍ୟ ସମ୍ପାଦକ ଭାବରେ ଏବଂ କୋରାପୁଟ, ମୟୂରଭଞ୍ଜ, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ଆଦି ଜିଲାଗୁଡ଼ିକର ଗେଜେଟିୟର ସମ୍ପାଦନା ଓ ପ୍ରକାଶନ କଲେ । ଏହି କାର୍ଯ୍ୟରେ ସେ ରହିଲେ ୧୯୬୭ ଖ୍ରୀଷ୍ଟାବ୍ଦ ଡିସେମ୍ବର ପର୍ଯ୍ୟନ୍ତ ।

 

ଗେଜେଟିୟର କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ଡକ୍ଟର ସାହୁ ଶୁଣିବାକୁ ପାଇଲେ ଯେ ତାଙ୍କ ବନ୍ଧୁ ଓ ରେଭେନ୍ସା କଲେଜରେ ସହକର୍ମୀ ଥିବା ପ୍ରଫେସର ମନ୍ମଥନାଥ ଦାସ ଡିଲିଟ୍‌ ଡିଗ୍ରୀପାଇଁ ସନ୍ଦର୍ଭ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଡକ୍ଟର ସାହୁ ନିଜେ ଡିଲିଟ୍‌ ଡିଗ୍ରୀପାଇଁ ଇଚ୍ଛା ବଳାଇଲେ । ଆରମ୍ଭ ହେଲା ଗବେଷଣା କାର୍ଯ୍ୟ । ସନ୍ଦର୍ଭଟି ଥିଲା Role of Orissa in the History and Culture of India (ଭାରତର ଇତିହାସ ଓ ସଂସ୍କୃତିରେ ଓଡ଼ିଶାର ଭୂମିକା)-। ଅଳ୍ପଦିନ ମଧ୍ୟରେ ଉପାଦାନମାନ ସଂଗ୍ରହ କରି ସେ ସନ୍ଦର୍ଭଟି ସମାପ୍ତ କଲେ ଏବଂ ୧୯୬୪ ଖ୍ରୀଷ୍ଟାବ୍ଦରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପ୍ରଫେସର ଦାସଙ୍କ ପୂର୍ବରୁ ଡିଲିଟ୍‌ ଡିଗ୍ରୀ ଲାଭକଲେ ।

 

ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠିତ ହେଲା ୧୯୬୭ ଜାନୁଆରୀ ୧ ତାରିଖରେ । ତା’ର ଠିକ୍‌ ବର୍ଷକ ପରେ ଅର୍ଥାତ୍‌ ୧୯୬୮ ଜାନୁଆରୀ ୧ ତାରିଖରେ ଡକ୍ଟର ସାହୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ (Registrar) ଭାବରେ ଯୋଗ ଦେଲେ । ଏହି ସଦ୍ୟଜାତ ଅନୁଷ୍ଠାନଟିକୁ ଗଢ଼ିତୋଳିବାରେ ତାଙ୍କ ଭୂମିକା ଅତି ପ୍ରଶଂସନୀୟ ଥିଲା । ତାଙ୍କ ଉଦ୍ୟମରେ ବିଶ୍ଵବିଦ୍ୟାଳୟରେ ଗୋଟିଏ ପରେ ଗୋଟିଏ ବିଷୟରେ ସ୍ନାତକୋତ୍ତର ଶ୍ରେଣୀମାନ ଖୋଲିଲା । ଅନୁବନ୍ଧିତ କଲେଜମାନଙ୍କର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଲା ଏବଂ ସେସବୁରେ ବିଭିନ୍ନ ବିଷୟରେ ଅନର୍ସ ଶ୍ରେଣୀମାନ ମଧ୍ୟ ମଞ୍ଜୁରୀ ପାଇଲା । ତାହା ଥିଲା ବିଦ୍ୟୋତ୍ସାହୀ ଡକ୍ଟର ସାହୁଙ୍କର ଉଦାର ଶିକ୍ଷାନୀତିର ଫଳ ।

 

୧୯୬୯ ଖ୍ରୀଷ୍ଟାବ୍ଦରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଇତିହାସ, ଇଂରାଜୀ, ଗଣିତ, ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ ଓ ଜୀବବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରବର୍ତ୍ତନ ହେଲା । ସେହିବର୍ଷ ନଭେମ୍ବର ମାସରେ ସେ ଯୋଗଦେଲେ ଇତିହାସ ବିଭାଗରେ ପ୍ରଫେସରରୂପେ । ଏହି ସମୟରେ ଗଙ୍ଗାଧର ମେହେର କଲେଜରେ ମଧ୍ୟ ତାଙ୍କୁ ଇତିହାସ ପ୍ରଫେସର ପଦବୀ ମିଳିଥିଲା; କିନ୍ତୁ ସେ ତାହା ପ୍ରତ୍ୟାଖ୍ୟାନ କରି ବିଶ୍ଵବିଦ୍ୟାଳୟ ପ୍ରଫେସର ପଦବୀରେ ରହିବାକୁ ଅଧିକ ଶ୍ରେୟ ମନେକଲେ । ୧୯୬୯ ନଭେମ୍ବର ୧୧ ତାରିଖରୁ ୧୯୭୯ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଦଶବର୍ଷ ସେ ଇତିହାସ ବିଭାଗର ପ୍ରଫେସର ପଦବୀ ମଣ୍ଡନ କରିଥିଲେ ।

 

ଇତିହାସ ପ୍ରଫେସର ଥିବା ଦଶବର୍ଷ ମଧ୍ୟରେ ସେ ଓଡ଼ିଶା ଓ ଓଡ଼ିଶା ବାହାରେ ଜଣେ ବିଶିଷ୍ଟ ଐତିହାସିକର ପ୍ରସିଦ୍ଧି ଲାଭ କରିଥିଲେ । ଏହି ପ୍ରସିଦ୍ଧି ତାଙ୍କୁ ୧୯୬୯ ନଭେମ୍ବର ୧୯ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦରେ ଅଧିଷ୍ଠିତ କରିଥିଲା । କୁଳପତି ଭାବରେ ସେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେହେଁ ଏବଂ ଅନେକ ବ୍ୟକ୍ତି ତାଙ୍କଦ୍ଵାରା ଉପକୃତ ହୋଇଥିଲେହେଁ ତାଙ୍କ ବିରୋଧରେ ଅସନ୍ତୋଷ ଦାନା ବାନ୍ଧିଥିଲା । ଏହାର କାରଣ ତାଙ୍କର ସୁଖ୍ୟାତି ଓ କେତେଜଣଙ୍କର ଅସୂୟାଭାବ । ଶେଷରେ ସରକାରୀ ନିଷ୍ପତ୍ତି ନିଆଗଲା ଯେ ତାଙ୍କୁ କୁଳପତି ପଦରୁ ନିଆଯାଇ ଭୁବନେଶ୍ୱରରେ ଏକ ସମ୍ମାନଜନକ ପଦବୀରେ ଅଧିଷ୍ଠିତ କରାଯିବ । ସେହି ଅନୁସାରେ ଡକ୍ଟର ସାହୁ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପଦରୁ ଅବ୍ୟାହତି ନେଲେ ୧୯୮୧ ମେ ୧୨ ତାରିଖରେ ।

 

ଡକ୍ଟର ସାହୁ ସମ୍ବଲପୁରରୁ ଆସିଲେ ଭୁବନେଶ୍ୱର । ତାଙ୍କୁ ମିଳିଲା ସଂସ୍କୃତି ବିଭାଗରେ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ଵ-ଉପଦେଷ୍ଟା ପଦବୀ । ସେ ସରକାରୀ ଗୃହ ଓ ଅନ୍ୟାନ୍ୟ ସୁବିଧା ପାଇଲେ । ଜୀବନାବସାନ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଲେ । ଏହି ପଦବୀଟି କେବଳ ତାଙ୍କ ସମ୍ମାନାର୍ଥେ ସୃଷ୍ଟି କରାଯାଇଥିଲା ଏବଂ ତାଙ୍କ ଅନ୍ତେ ଉଚ୍ଛେଦ ହେଲା । ଏହି ପଦବୀରେ ଥିବାବେଳେ ତତ୍କାଳୀନ ବିଦ୍ୟୋତ୍ସାହୀ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ସେ ଇଂରାଜୀରେ ରଚନା କଲେ ‘ଖାରବେଳ’ ଗ୍ରନ୍ଥ ଓ ‘ବୀର ସୁରେନ୍ଦ୍ର ସାଏ’ ଗ୍ରନ୍ଥ । ଏଇ ଦୁଇଗ୍ରନ୍ଥରେ ସେ ପୂର୍ବର ବହୁ ଭ୍ରାନ୍ତ ମତର ଖଣ୍ଡନ କରି ନୂତନ ତଥ୍ୟ ପ୍ରଦାନ କଲେ ଖାରବେଳ ଓ ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ । ଦୁଇଟିଯାକ ପୁସ୍ତକର ପ୍ରକାଶକ ଥିଲେ ଓଡ଼ିଶା ସରକାର ।

 

୧୯୮୫ ଏପ୍ରିଲ ମାସରେ ଡକ୍ଟର ସାହୁ ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ । ଏଇ ଲେଖକ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଇଥିଲା । ସେ ନିଃସନ୍ତାନ ଥିଲେ; ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଓ ଜଣେ ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ କେବଳ ଥିଲେ । ଏଇ ଲେଖକ ସେତେବେଳେ ତାଙ୍କ ତତ୍ତ୍ଵାବଧାନରେ ଇତିହାସରେ ପିଏଚ୍‌ଡି ଡିଗ୍ରୀ ପାଇଁ କାର୍ଯ୍ୟ କରୁଥଲା ଏବଂ ପାଖାପାଖି ରହୁଥିବାରୁ ପ୍ରାୟ ଦୁଇବେଳା ତାଙ୍କ ଘରକୁ ଯାଇ ତାଙ୍କ ଭଲମନ୍ଦ କଥା ବୁଝୁଥିଲା । କ୍ୟାପିଟାଲ ହସ୍‌ପିଟାଲରେ ତାଙ୍କୁ ସ୍ଵତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଭିତରେ ରଖାଗଲା । ଯାହା ମନେପଡ଼େ, ତାଙ୍କ ଚିକିତ୍ସା ସମୟରେ ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ଦୁଇଥର ତାଙ୍କୁ ଡାକ୍ତରଖାନାରେ ଭେଟିଥିଲେ ।

 

ଅନ୍ତିମ ଯାତ୍ରା

ଆରୋଗ୍ୟ ଲାଭକରି ସେ ସରକାରୀ ବାସଗୃହକୁ ଫେରିଲେ । ସେତେବେଳେ ‘ବୀର ସୁରେନ୍ଦ୍ର ସାଏ’ ଗ୍ରନ୍ଥ ପ୍ରେସ୍‌ରେ ଥାଏ । ଗ୍ରନ୍ଥଟି ଠିକ୍‌ ସମୟରେ ପ୍ରକାଶ ପାଇଲା । ୧୯୮୫ ଅଗଷ୍ଟ ୩୦ ତାରିଖରେ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏହି ଗ୍ରନ୍ଥଟି ମଧ୍ୟ ଲୋକାର୍ପିତ ହେଲା ତତ୍‌କାଳୀନ ରାଜ୍ୟପାଳ ଡକ୍ଟର ବିଶ୍ଵମ୍ଭରନାଥ ପାଣ୍ଡେଙ୍କଦ୍ଵାରା । ନିଜେ ରାଜ୍ୟପାଳ ଥିଲେ ଜଣେ ବିଶିଷ୍ଟ ଇତିହାସବେତ୍ତା । ପୁସ୍ତକଟି ଦେଖିବାପରେ ରାଜ୍ୟପାଳ ଏତେଦୂର ଭାବବିହ୍ୱଳ ହୋଇପଡ଼ିଲେ ଯେ ସେହିଠାରେହିଁ ସେ ଡକ୍ଟର ସାହୁଙ୍କ ପାଇଁ ଏକ ପୁରସ୍କାର ଘୋଷଣା କଲେ । ସେହିସଭାରେ ଡକ୍ଟର ସାହୁ ସଂକ୍ଷିପ୍ତ ଅଥଚ ହୃଦୟସ୍ପର୍ଶୀ ଭାଷଣଟିଏ ପ୍ରଦାନ କରିଥିଲେ ।

 

୧୯୮୫ ସେପ୍ଟେମ୍ବର ୧ ତାରିଖରେ ତକ୍ଟର ସାହୁ ସସ୍ତ୍ରୀକ କର୍ମଭୂମି ଭୁବନେଶ୍ଵର ବାହାରିଲେ । ଦୁର୍ଯୋଗବଶତଃ ତାଙ୍କ ଗାଡ଼ି ବାଟରେ ଖରାପ ହେଲା ନିଜ ଗ୍ରାମ ବରପାଲୀରୁ ମାତ୍ର ଦଶ କିଲୋମିଟର ଦୂରରେ । ସେଠାରେ ଜନୈକ ଛାତ୍ରଗୃହରେ ସେ ରାତ୍ରିଯାପନର ବ୍ୟବସ୍ଥା କଲେ-। ରାତ୍ରିଭୋଜନ ପରେ ସେ ନିଦ୍ରାଗଲେ । କିନ୍ତୁ କିଏ ଜାଣିଥିଲା ଏହି ନିଦ୍ରା ତାଙ୍କର ମହାନିଦ୍ରା ହେବ ବୋଲି । ଶୋଇବାର କିଛି ସମୟ ମଧ୍ୟରେ ସେ ହୃଦ୍‌ଘାତରେ ଆକ୍ରାନ୍ତ ହେଲେ । ଏହା ଥିଲା ଦ୍ୱିତୀୟ ଓ ଶେଷ ହୃଦ୍‌ଘାତ । ସେହିଠାରେହିଁ ତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

 

ବରଗଡ଼ସ୍ଥ ତାଙ୍କ ସାନଭାଇ ଗୋବିନ୍ଦବାବୁଙ୍କ ଘରବାଟେ ତାଙ୍କୁ ବୁର୍ଲା ମେଡ଼ିକାଲ କଲେଜକୁ ନିଆଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ସେପ୍ଟମ୍ବର ୨ ତାରିଖରେ ତାଙ୍କ ମରଶରୀରକୁ ଜ୍ୟୋତିବିହାରସ୍ଥ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଅଣାଗଲା । ସେଠାରେ ଶେଷ ସମ୍ମାନ ଦିଆଯିବାପରେ ତାଙ୍କ ଜନ୍ମସ୍ଥାନ ‌ବରପାଲୀ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଗଲା । ଏହିପରି ଜୀବନ-ସଂଗ୍ରାମରେ ଜୟଯୁକ୍ତ ହୋଇଥବା ଉତ୍କଳଜନନୀର ଜଣେ ପ୍ରିୟ ବରପୁତ୍ରର ଅତୁଳନୀୟ କର୍ମମୟ ଜୀବନର ଅବସାନ ଘଟିଲା ଅକାଳରେ, ମାତ୍ର ୬୩ ବର୍ଷ ବୟସରେ ।

 

ଡକ୍ଟର ସାହୁଙ୍କ ଅନ୍ତେ ତାଙ୍କ ପତ୍ନୀଙ୍କ ଦୁର୍ଦ୍ଦଶା

ହୃଦ୍‌ଘାତଜନିତ ମୃତ୍ୟୁକୁ ସାଧାରଣତଃ ସୁଖମୃତ୍ୟୁ ବୋଲି କୁହାଯାଏ । କାରଣ ଏଥିରେ ରୋଗରେ ବା କଷ୍ଟରେ ଘାଣ୍ଟିହେବାକୁ ପଡ଼େନାହିଁ; ହଠାତ୍‌ ପ୍ରାଣବାୟୁ ଉଡ଼ିଯାଏ । ଡକ୍ଟର ସାହୁଙ୍କର ମାତ୍ର ୬୩ ବର୍ଷରେ ସିନା ସୁଖମୃତ୍ୟୁ ହେଲା, ହେଲେ ତାଙ୍କ ଅନ୍ତେ ତାଙ୍କ ପ୍ରାଣପ୍ରିୟା ପତ୍ନୀ ସରସ୍ଵତୀ ଦେବୀ ବହୁ ଅସୁବିଧା ଭିତରେ ଦୁଃଖରେ ଘାଣ୍ଟିହେଲେ । ଶେଷରେ ପରିସ୍ଥିତି ତାଙ୍କୁ ବାଧ୍ୟ କଲା ଘର ଛାଡ଼ିବାକୁ । ସେ ଘର ଛାଡ଼ିଲେ, ଆଶ୍ରୟ ନେଲେ ତାଙ୍କ ସ୍ଵାମୀ କୁଳପତି ଥିବାବେଳେ ତାଙ୍କ ପାଖରେ ଅର୍ଡ଼ର୍‌ଲି ପିଅନ ଥିବା ତାଙ୍କର ଅତି ପ୍ରିୟପାତ୍ର ଓ ଏକାନ୍ତ ଅନୁଗତ ମନବୋଧ ଭୋଇଙ୍କ ଗୃହରେ । ସେଠାରେ ମାତ୍ର ୧୬ ଦିନ ଆଶ୍ରୟ ନେବାପରେ ଦୁର୍ଦ୍ଦଶା-ଜର୍ଜରିତା ଶ୍ରୀମତୀ ସାହୁ ମନବୋଧଙ୍କ ସମସ୍ତ ସେବା ଓ ଯତ୍ନସତ୍ତ୍ଵେ ଚିରଦିନ ପାଇଁ ଆଖି ବୁଜିଦେଲେ । ଶ୍ରୀମତୀ ସାହୁ କିପରି ଚକ୍ରାନ୍ତର ଶିକାର ହୋଇ ଓ ସକଳ ସମ୍ପତ୍ତିବାଡ଼ି ହରାଇ ଶେଷରେ ନିଃସ୍ଵ ହୋଇଗଲେ ଓ ଅସହାୟ ଅବସ୍ଥାରେ ପ୍ରାଣ ହରାଇଲେ, ସେ ବିଷୟରେ ଡକ୍ଟର ସାହୁଙ୍କ ଅନୁଜ ଡକ୍ଟର ଯଜ୍ଞକୁମାର ସାହୁ ଚୁମ୍ବକରେ ସୂଚାଇଦେଇଛନ୍ତି ଅଗ୍ରଜ ‘ଡକ୍ଟର ନବୀନକୁମାରଙ୍କର ସଂଗ୍ରାମ ଓ ସାଧନା’ ବର୍ଣ୍ଣନାକାଳରେ । ଏହି ହୃଦୟବିଦାରକ କାହାଣୀ-ବର୍ଣ୍ଣିତ ଅନୁଚ୍ଛେଦ ଦୁଇଟି ଏଠାରେ ଅବିକଳ ଉଦ୍ଧାର କରାଗଲା -

 

‘ଡକ୍ଟର ସାହୁଙ୍କ ମୃତ୍ୟୁପରେ ମିସେସ୍‌ ସାହୁଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଲା । ସେ ଅତ୍ୟନ୍ତ ସରଳ ଥିଲେ ଏବଂ ସେହି ସୁଯୋଗରେ ତାଙ୍କୁ ଶୋଷଣ କରିବାପାଇଁ ଅନେକ ଲାଳାୟିତ ଥିଲେ । ଯେଉଁ ବିନୋଦକୁ ଡକ୍ଟର ସାହୁ ଅଙ୍ଗୁଳି ନିର୍ଦ୍ଦେଶକରି ପୋଷ୍ୟପୁତ୍ର ପାଇଁ ମନାକରିଥଲେ, ତା’ପାଇଁ ପୁଣି ନାହିଁନଥିବା ଉଦ୍ୟମ ହେଲା । ମିସେସ୍‌ ସାହୁ ତାଙ୍କର ଏକମାତ୍ର ଭଉଣୀକୁ ଅତ୍ୟନ୍ତ ସ୍ନେହ କରୁଥିଲେ । ସେହି ଭଉଣୀର ଝିଅ ସହିତ ବିନୋଦର ବିବାହପାଇଁ ଏକ ଛଳନାତ୍ମକ ପ୍ରସ୍ତାବ ଅଣାଗଲା । ଏହାର ଏକମାତ୍ର ସର୍ତ୍ତଥିଲା ଯେ ମିସେସ୍‌ ସାହୁ ବିନୋଦକୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିବେ । ବସ୍ତୁତଃ ଏହାଠୁଁବଳି ବଡ଼ ପ୍ରଲୋଭନ ମିସେସ୍‌ ସାହୁଙ୍କ ପାଇଁ ଆଉ କିଛି ନଥିଲା । ଅନେକ ପ୍ରତିଶ୍ରୁତିରେ ପ୍ରତାରିତା ହୋଇ ମିସେସ୍‌ ସାହୁ ବିନୋଦକୁ ପୋଷ୍ୟପୁତ୍ର କରିନେଲେ । ଏହା ସହିତ ବିନୋଦକୁ ଏଟର୍ଣ୍ଣି ପାୱାର ମଧ୍ୟ ଦିଆଗଲା । ଏ ଦୁଇକାମ ଅତି ଗୋପନରେ ଓ ସତର୍କତାର ସହିତ କରାଗଲା । ଆମ୍ଭେମାନେ ଏହାର ଆଭାସ ମଧ୍ୟ ପାଇପାରିଲୁ ନାହିଁ । ଏହାପରେ ଡକ୍ଟର ସାହୁଙ୍କର ସବୁ ଜିନିଷ ବିକ୍ରୀ କରିଦିଆଗଲା । ବରଗଡ଼ରେ ଆମେ ନେଇଥିବା ଜମି ମଧ୍ୟ ବାଦ ପଡ଼ିଲା ନାହିଁ । ମିସେସ୍‌ ସାହୁଙ୍କ ଭଉଣୀର ଝିଅ ସହିତ ବିନୋଦର ବିବାହ ପ୍ରସ୍ତାବ ବାତିଲ୍ କରିଦିଆଗଲା । ବିନୋଦର ବିବାହ ହେଲା କଟକର ଏକ ଧନୀ ପରିବାରରେ । ଏହାପରେ ମିସେସ୍‌ ସାହୁଙ୍କୁ ଅନେକ ଦୁଃଖ ଓ ନିର୍ଯ୍ୟାତନା ଭୋଗକରିବାକୁ ପଡ଼ିଲା । ଶେଷରେ ସେ ବୁର୍ଲା ନିକଟସ୍ଥ କଣ୍ଟାପାଲି ଗ୍ରାମରେ ଜଣେ ପ୍ରିୟ ଲୋକର ବାସଭବନରେ ସମସ୍ତଙ୍କ ଅଜ୍ଞାତରେ ଅସୁସ୍ଥ ଶରୀରରେ‌ ୧୬ ଦିନ ଆଶ୍ରୟ ନେଇ ୧୯୯୩ ଡିସେମ୍ବର ୯ ତାରିଖ ରାତିରେ ଶେଷ ନିଶ୍ଵାସ ତ୍ୟାଗକଲେ । ଏହି ପ୍ରିୟଲୋକ ମନବୋଧ ବିଶ୍ଵବିଦ୍ୟାଳୟରେ ବହୁଦିନ ପର୍ଯ୍ୟନ୍ତ ଡକ୍ଟର ସାହୁଙ୍କର ବିଶ୍ଵସ୍ତ ଅର୍ଡ଼ର୍‌ଲି ଭାବରେ କାମ କରୁଥଲା । ଡକ୍ଟର ସାହୁ ନିଜର ଛାତ୍ରମାନଙ୍କୁ ନିଜର ସନ୍ତାନରୂପେ ଦେଖୁଥିଲେ ଏବଂ ମିସେସ୍‌ ସାହୁ ଘରର ଭୃତ୍ୟମାନଙ୍କୁ ସନ୍ତାନର ସ୍ନେହ ଦେଉଥିଲେ ।

 

‘‘ଡକ୍ଟର ସାହୁଙ୍କର ମୃତ୍ୟୁ ଜଣେ ପ୍ରିୟ ଛାତ୍ରଙ୍କ ଘରେ ଏବଂ ମିସେସ୍‌ ସାହୁଙ୍କର ମୃତ୍ୟୁ ଜଣେ ପ୍ରିୟ ଭୃତ୍ୟର ଘରେ ହୋଇଥିଲା । ବାସ୍ତବରେ ଏହା ଥିଲା ବିଧାତାର ବିଚିତ୍ର ସଂଯୋଜନ ।’’ (ଐତିହାସିକ ନବୀନକୁମାର, ପୃ୫୩-୫୪)*

 

*ଡକ୍ଟର ନବୀନକୁମାର ସାହୁଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିବା ଏହି ଅଧ୍ୟାୟଟି ତାଙ୍କ ଅନୁଜ ପ୍ରଖ୍ୟାତ ଐତିହାସିକ ଡକ୍ଟର ଯଜ୍ଞକୁମାର ସାହୁଙ୍କଦ୍ଵାରା ରଚିତ ଏବଂ ରାଉରକେଲାର ପ୍ରଗତି ଉତ୍କଳ ସଂଘଦ୍ଵାରା ୧୯୯୬ରେ ପ୍ରକାଶିତ ‘ଐତିହାସିକ ନବୀନକୁମାର’ ସ୍ମାରକୀ ଗ୍ରନ୍ଥରେ ସ୍ଥାନିତ ‘ଡକ୍ଟର ନବୀନକୁମାର ସାହୁଙ୍କ ସଂଗ୍ରାମ ଓ ସାଧନା’ ପ୍ରବନ୍ଧ ଉପରେ ବହୁଭାବରେ ନିର୍ଭରଶୀଳ ।

 

ଡକ୍ଟର ସାହୁଙ୍କ ଅକାଳ ମୃତ୍ୟୁପରେ ଶ୍ରୀମତୀ ସାହୁଙ୍କର ଅନ୍ତିମ ପରିସ୍ଥିତି ଓ ନିଃସ୍ଵ ଭାବରେ ମୃତ୍ୟୁବରଣ ବାସ୍ତବିକ୍ ହୃଦୟବିଦାରକ । କେତେ ବିଚିତ୍ର ସତେ ପ୍ରଭୁଙ୍କ ଲୀଳା ।

 

ସ୍ମୃତିଚାରଣରେ ତାଙ୍କ ଜୀବନାଦର୍ଶର ପ୍ରତିଫଳନ

ଡକ୍ଟର ନବୀନକୁମାର ସାହୁ ନିସନ୍ତାନ ଥିଲେ । ଭୁବନେଶ୍ୱରର ଇଉନିଟ୍‌-୮ରେ ସେ ସରକାରୀ ବାସଭବନରେ ରହୁଥିଲେ । ତାଙ୍କ ସହିତ ରହୁଥିଲେ ତାଙ୍କ ପତ୍ନୀ ଓ ବୃଦ୍ଧା ମାତା । କିଛିଦିନପରେ ତାଙ୍କ ମାତାଙ୍କର ମୃତ୍ୟୁ ଘଟିଲା । ଏଡ଼େବଡ଼ ବାସଭବନରେ ସେ ଓ ତାଙ୍କ ପତ୍ନୀ । ପାଖରେ ଜଣେ ସରକାରୀ ଚତୁର୍ଥଶ୍ରେଣୀ କର୍ମଚାରୀ । ସେ ଅତି ଉତ୍ତମ ସ୍ଵଭାବର ପିଲା । ସଉଦାପତ୍ରଠାରୁ ରୋଷେଇବାସ ପର୍ଯ୍ୟନ୍ତ ଯାବତୀୟ କାର୍ଯ୍ୟ ସେ କରୁଥିଲା । ଡକ୍ଟର ସାହୁଙ୍କ ସହିତ ମୋର (ଏଇ ଲେଖକର) ବ୍ୟକ୍ତିଗତ ସମ୍ପର୍କ ନିବିଡ଼ ଥିଲା। ସେ ମୋତେ ପୁତ୍ରବତ୍‌ ସ୍ନେହ କରୁଥିଲେ-। ସଂଯୋଗବଶତଃ ସେ ଥିଲେ ମୋ ଗବେଷଣାର ଦିଗ୍‌ଦର୍ଶକ । ମୋର ଗବେଷଣାକାଳରେ ସନ୍ଧ୍ୟାରେ କିଛି ସମୟ ବିଦ୍ୟୁତ୍‌ କାଟ ହେଉଥଲା । ତାଙ୍କ ନିର୍ଦ୍ଦେଶରେ ମୁଁ ପ୍ରାୟ ସେହି ସମୟରେ ତାଙ୍କ ପାଖରେ ଉପସ୍ଥିତ ରହୁଥିଲି । ମାଡାମ୍‌ ସାହୁ ମଧ୍ୟ ଆମ ସହିତ ଯୋଗଦେଉଥିଲେ । ବିଭିନ୍ନ ଆଲୋଚନାରେ ସନ୍ଧ୍ୟା ଆସର ବେଶ୍‌ ଉପଭୋଗ୍ୟ ହେଉଥିଲା । ଇତିହାସ-ସମ୍ୱନ୍ଧୀୟ ମୋର ଯାବତୀୟ ସଂଶୟ ମୋଚନ ପାଇଁ ସେ ଅନର୍ଗଳ କହିଯାଉଥଲେ ଓ ସମ୍ପୃକ୍ତ କାଳର ଇତିହାସକୁ ମୋ ଆଗରେ ଥୋଇଦେଉଥିଲେ ଚମତ୍କାର ଭାବରେ । ତାଙ୍କ ପରିବେଷଣ-ପଟୁତା ମୋତେ ମୁଗ୍‌ଧ କରୁଥିଲା ଏବଂ ବିଦ୍‌ବତ୍ତା ମୋତେ ଚକିତ କରୁଥିଲା । ବାସ୍ତବରେ ସେ ଥିଲେ ଏକ ଚଳନ୍ତି ଇତିହାସ । ଏତେବଡ଼ ବିଦ୍ଵାନଙ୍କ ସାନ୍ନିଧ୍ୟ ଲାଭକରିପାରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଥିଲି । ଆମେ ପାଖାପାଖି ରହୁଥିଲୁ । ଟିକିଏ କିଛି ଅସୁବିଧା ହେଲେ ସେ ମୋତେ ଡକାଇପଠାଉଥିଲେ । ମୃତ୍ୟୁର ତିନିମାସ ପୂର୍ବରୁ ଦିନେ ସକାଳେ ତାଙ୍କ ଘରେ ପହଞ୍ଚିବାପାଇଁ ଖବର ପାଇଲି । ପହଞ୍ଚିଲି । ସାର୍‌ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିବା କହିଲେ । ତାଙ୍କୁ ନେଇ ମୁଁ କ୍ୟାପିଟାଲ ହସ୍‌ପିଟାଲରେ ଆଡ଼୍‌ମିସନ କରାଇଲି । ଏ-ବିଷୟକ ସାମାନ୍ୟ ସୂଚନା ପୂର୍ବରୁ ପ୍ରଦତ୍ତ । ସେ ଯାହାହେଉ, ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଲେ; କିନ୍ତୁ ମୋର ଦୁର୍ଭାଗ୍ୟ, ଅନ୍ତିମ ଶଯ୍ୟାରେ ତାଙ୍କ ଦର୍ଶନଲାଭକରିବାର ସୁଯୋଗ ମୋତେ ମିଳିଲା ନାହିଁ ।

 

ସାର୍‌ଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏକ ସ୍ମରଣିକା ପ୍ରକାଶ କରିବାକୁ ଭାରି ଇଚ୍ଛା ଥିଲା । କାରଣ ଯେଉଁମାନେ ଏକାର୍ଯ୍ୟ କରିବା କଥା ସେମାନେ କଲେ ନାହିଁ । ମୋତେ ଏ କାର୍ଯ୍ୟରେ ବିଶେଷ ସହଯୋଗ ମିଳିଲା ନାହିଁ । ବ୍ୟକ୍ତିଗତ ଉଦ୍ୟମରେ ଏପରି କାର୍ଯ୍ୟଟିଏ କରିବା ମଧ୍ୟ ସମ୍ଭବ ନଥିଲା । ବାଧ୍ୟହୋଇ ଏ କାର୍ଯ୍ୟଟି ପାଇଁ ସରକାରୀ ସହାୟତା ଲୋଡ଼ିଲି; ଭେଟିଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ବିଦ୍ଵାନ୍ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ । ଡକ୍ଟର ସାହୁଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ସ୍ମରଣିକାଟିଏ ପ୍ରକାଶ କରିବାର ଦାୟିତ୍ୱ ସରକାର ବହନ କରନ୍ତୁ ବୋଲି ବିନୀତ ପ୍ରାର୍ଥନା କଲି । ପୂର୍ବରୁ ମୋର କେତେଖଣ୍ଡ ପୁସ୍ତକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅର୍ପଣକରି ତାଙ୍କ ସହିତ ପରିଚିତ ହେବାର ସୁଯୋଗ ପାଇଥିଲି । ଡକ୍ଟର ସାହୁ ଥିଲେ ତାଙ୍କର ବନ୍ଧୁ । ସେ ମୋ କଥାରେ ସମ୍ମତ ହେଲେ, କିନ୍ତୁ ଡକ୍ଟର ସାହୁଙ୍କ ଶ୍ରାଦ୍ଧୋତ୍ସବ ପ୍ରାୟ ଦୁଇମାସ ଥିବାରୁ ଶୀଘ୍ର ପ୍ରକାଶନର ଦାୟିତ୍ୱ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଦିଆଯିବାର ନିଷ୍ପତ୍ତି ନିଆଗଲା ଏବଂ ଏଥିପାଇଁ ସାହିତ୍ୟ ଏକାଡେମୀକୁ ମୋ ଉପସ୍ଥିତିରେ ଚିଠି ଲେଖିବାକୁ ନିର୍ଦ୍ଦେଶ ଦିଆଗଲା । ମୁଁ ଏକାଡେମୀର ସମ୍ପାଦକଙ୍କୁ ଭେଟି ଏ ବିଷୟରେ ଆଲୋଚନା କଲି ଓ ଯେଉଁମାନଙ୍କଠାରୁ ଲେଖା ମଗାଯିବ ସେମାନଙ୍କର ଏକ ତାଲିକା ମଧ୍ୟ ତାଙ୍କୁ ଦେଲି; ପରେ ଓଡ଼ିଶା ସରକାରଙ୍କ ଲୋକସମ୍ପର୍କ ବିଭାଗରେ ଫଟୋଗ୍ରାଫର୍‌ରୂପେ ଅବସ୍ଥାପିତ ଡକ୍ଟର ସାହୁଙ୍କ ପୁତୁରାଙ୍କଠାରୁ ଡକ୍ଟର ସାହୁଙ୍କର କେତେଖଣ୍ଡ ଫଟୋଗ୍ରାଫ୍‌ ସଂଗ୍ରହକରି ମଧ୍ୟ ଯୋଗାଇଦେଲି । କିନ୍ତୁ ସମସ୍ତ ଚେଷ୍ଟାସତ୍ତ୍ୱେ ଲେଖା ମିଳିବାରେ ବିଳମ୍ବ ଘଟିଲା; ସ୍ମରଣିକାଟି ୨ ସେପ୍ଟେମ୍ବର ୧୯୮୬ରେ ପ୍ରକାଶ ନ ହୋଇପାରି ହେଲା ଚାରିବର୍ଷ ପରେ, ୨ ସେପ୍ସେମ୍ବର ୧୯୯୦ରେ । ସେତେବେଳକୁ ଏକାଡେମୀର ପରବର୍ତ୍ତୀ ସମ୍ପାଦକ ଯୋଗଦେଇସାରିଥିଲେ । ନୂଆ ସମ୍ପାଦକ ମୋର ଜଣାଶୁଣା ଥିଲେ । ତାଙ୍କ ସହିତ ଆଲୋଚନାପରେ ସ୍ମରଣିକାଟି ସମ୍ପାଦକଙ୍କ କାର୍ଯ୍ୟାଳୟ କକ୍ଷରେ ଉନ୍ମୋଚିତ ହେବାକୁ ସ୍ଥିର ହେଲା-। ଉନ୍ମୋଚନ ଅବସରରେ ଏହି ସ୍ମରଣିକାର ପ୍ରକାଶନ ପଛରେ ଥିବା ମୋ ଉଦ୍ୟମ ବିଷୟରେ ସୂଚନା ଦେବାକୁ ସମ୍ପାଦକ ମୋତେ ଅନୁରୋଧ କଲେ । ମୁଁ ମୋ ବକ୍ତବ୍ୟ ବାଢ଼ିଲି । ସେଦିନ ମୋ ଆତ୍ମତୃପ୍ତିର ସୀମା ନ ଥିଲା ।

 

ସ୍ମରଣିକାର ନାମ ରଖାଯାଇଥିଲା ‘ଡକ୍ଟର ନବୀନକୁମାର ସାହୁ ସ୍ମରଣିକା’ । ସେଥିରେ ନବୀନକୁମାରପ୍ରେମୀ ବହୁ ବିଶିଷ୍ଟ ଆଲୋଚକ ଅତି ସ୍ପଷ୍ଟ ଶବ୍ଦରେ ତାଙ୍କ ସହିତ ଥିବା ସେମାନଙ୍କ ସମ୍ପୃକ୍ତି ଓ ତାଙ୍କ ଉଦାର ମାନବିକତାର ସ୍ମୃତିଚାରଣ କରିଥିଲେ, ତାଙ୍କ କୃତି ଓ କୀର୍ତ୍ତିର ଜୟଗାନ କରିଥଲେ । ସେମାନଙ୍କର ବକ୍ତବ୍ୟ ତାଙ୍କ ଜୀବନୀ ଓ ଜୀବନାଦର୍ଶକୁ ବିଭିନ୍ନ ଦିଗରୁ ଓ ବହୁଭାବରେ ଆଲୋକିତ କରୁଥିବାରୁ ପ୍ରାସଙ୍ଗିକତା ଦୃଷ୍ଟିରୁ ପ୍ରସ୍ତୁତ ଅଧ୍ୟାୟରେ ସେସବୁରୁ କିଛି କିଛି ସଂକ୍ଷେପରେ ଉଦ୍ଧାର କରାଯାଇପାରେ ।

 

ଏକାଧାରରେ ଐତିହାସିକ, ଗବେଷକ, ପ୍ରତ୍ନତତ୍ତ୍ୱବିତ୍‌ ଓ ସାହିତ୍ୟିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଡକ୍ଟର ସାହୁଙ୍କ ସ୍ମୃତିଚାରଣ କରି କହନ୍ତି - ‘‘ତାଙ୍କ ଲେଖାଗୁଡ଼ିକରେ ବହୁତ କିଛି ଉପାଦେୟ ଜ୍ଞାତବ୍ୟ ବିଷୟ ରହିଛି । ଓଡ଼ିଶାର ତଥା ପଶ୍ଚିମ-ଓଡ଼ିଶା (ଦକ୍ଷିଣ କୋଶଳ)ର ବହୁ ଅଜ୍ଞାତ ବିଷୟ ଉଦ୍ଧାର କରି ସେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାକୁ ଚେଷ୍ଟିତ ଥିଲେ । ଡକ୍ଟର ସାହୁ ଜଣେ ପୋଖତ ଐତିହାସିକ । ତାଙ୍କର ବିଚାର ବୁଦ୍ଧି ଓ ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ଉଚ୍ଚରୁ ଉଚ୍ଚତର କରିଥିଲା । ସେ ଓଡ଼ିଶାର ଇତିହାସକୁ ସମୃଦ୍ଧ କରିବାକୁ ଯଥେଷ୍ଟ ଉଦ୍ୟମ କରିଥିଲେ । ସମ୍ବଲପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଅସୁରଗଡ଼ର ପ୍ରତ୍ନତାତ୍ତ୍ଵିକ ଖୋଦନ କାର୍ଯ୍ୟରେ ଲିପ୍ତହୋଇ ସେ କେତେକ ମୁଲ୍ୟବାନ ତଥ୍ୟ ଆବିଷ୍କାର କରିଛନ୍ତି । ତାଙ୍କ ଉଦ୍ୟମରେ ଜ୍ୟୋତିବିହାରରେ ବିଶ୍ଵବିଦ୍ୟାଳୟ ଜ୍ୟୋତି ଯଥେଷ୍ଟ ପରିମାଣରେ ସମୃଦ୍ଧ ହୋଇଥିଲା । ଡକ୍ଟର ସାହୁଙ୍କ ‘ବୌଦ୍ଧଧର୍ମର ଇତିହାସ’ ତାଙ୍କୁ ଅବିନଶ୍ଵର କରିପାରିଛି ।’’ (ପୃ ୧-୨)

 

ଓଡ଼ିଶାର ଅନ୍ୟତମ କୃତୀ ସନ୍ତାନ ସ୍ଵନାମଧନ୍ୟ ପ୍ରଫେସର ଡକ୍ଟର ଶ୍ରୀରାମଚନ୍ଦ୍ର ଦାଶ ତାଙ୍କ ଶ୍ରଦ୍ଧାଞ୍ଜଳିର ଉପସଂହାରରେ କହନ୍ତି- ‘‘ଓଡ଼ିଶା ଇତିହାସ ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ସେ ଯେଉଁ ଅମୂଲ୍ୟ ଅବଦାନ ଦେଇଯାଇଛନ୍ତି ତାହା ଚିରଦିନ ଭାସ୍ଵର ହୋଇ ରହିବ ।’’ (ପୃ ୬)

 

ତାଙ୍କ ସାନଭାଇ ବିଶିଷ୍ଟ ଐତିହାସିକ ଡକ୍ଟର ଯଜ୍ଞକୁମାର ସାହୁ ନିଜ ଅଭିଜ୍ଞତାରୁ ତାଙ୍କ ଜୀବନସାଧନା ଓ ସାଧନାମୟ ଜୀବନର ଆଲୋଚନା କରି ତାଙ୍କ ବ୍ୟକ୍ତିଗତ ସ୍ଵଭାବ ବିଷୟରେ କହନ୍ତି ଏହିପରି- ‘‘ଏତେ ଜ୍ଞାନ ଥିଲେ ମଧ୍ୟ ଏବଂ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ଥାଇ ମଧ୍ୟ ଡକ୍ଟର ସାହୁ ଅତ୍ୟନ୍ତ ନମ୍ର, ଶାନ୍ତ ଓ ସ୍ନେହୀ ଥିଲେ । ସେ ସବୁଶ୍ରେଣୀର ଲୋକଙ୍କ ସହିତ ମିଶୁଥିଲେ ଏବଂ ସେମାନଙ୍କର ହୃଦୟ ସହଜରେ ଜୟ କରିନେଉଥିଲେ । ସେ କେବେ କ୍ରୋଧାନ୍ଵିତ ହେବା କଥା ମୁଁ ଜାଣିନାହିଁ ।’’ (ପୃ ୨୫)

 

ତାଙ୍କର ସହପାଠୀ ଓ ସହକର୍ମୀ ସୁଖ୍ୟାତ ଇଂରାଜୀ ଅଧ୍ୟାପକ ଶ୍ରୀ ଦୁର୍ଗାଚରଣ କୁଅଁର ତାଙ୍କ ବିୟୋଗରେ ଗଭୀର ବ୍ୟଥାର ସହିତ ସ୍ମୃତିଚାରଣ କରିଛନ୍ତି; ତାଙ୍କ ମାନବିକ ସୁଲକ୍ଷଣ ଓ ପ୍ରଗାଢ଼ ଅଧ୍ୟୟନଲିପ୍‌ସା ସମ୍ପର୍କରେ ଦୀର୍ଘ ବର୍ଣ୍ଣନା ଦେଇଛନ୍ତି । ସେଥିରୁ ମାତ୍ର କେତୋଟି ଧାଡ଼ି- ‘‘ନବୀନବାବୁ ରେଭେନ୍ସା କଲେଜ ଓ ଏଲାହାବାଦ ବିଶ୍ଵବିଦ୍ୟାଳୟରେ ମୋର ସତୀର୍ଥ ଓ ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ । ତାଙ୍କ ଭଳି ସରଳ, ନିରହଙ୍କାରୀ, ସ୍ଵଳ୍ପଭାଷୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ମୁଁ ଖୁବ୍‌ କମ୍‌ ଦେଖୁଛି । ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ଉଭୟେ କିଛିଦିନ ପାଇଁ ସହକର୍ମୀ ଥିଲୁ । କଟକ କ୍ରାଏଷ୍ଟ କଲେଜରେ ଦୁଇବର୍ଷ ଇତିହାସ ଅଧ୍ୟାପକଭାବେ କାର୍ଯ୍ୟ କରିବାପରେ ସେ ବାରିପଦା କଲେଜରେ ଯୋଗଦେଇଥିଲେ । ଏହିଠାରେହିଁ ଆରମ୍ଭ ହୋଇଥିଲା ତାଙ୍କର ଓଡ଼ିଶାରେ ବୌଦ୍ଧଧର୍ମ ଉପରେ ଗବେଷଣା । ଓଡ଼ିଶାର ଅନ୍ୟତମ ଲବ୍‌ଧପ୍ରତିଷ୍ଠ ଗବେଷକ ଡକ୍ଟର ନଟବର ସାମନ୍ତରାୟ ଓ ନବୀନବାବୁ ଦୁଇଟି ପାଖାପାଖି ଭଡ଼ାଘରେ ରହୁଥାନ୍ତି । ନବୀନବାବୁଙ୍କ ପଢ଼ାଘରଟି ଏକ ଛୋଟକାଟିଆ ବୌଦ୍ଧବିହାରରେ ପରିଣତ ହୋଇଯାଇଥିଲା । ସାମ୍ନାରେ ଧ୍ୟାନୀବୁଦ୍ଧଙ୍କର ଏକ ବୃହତ୍‌କାୟ ଫଟୋ । ବୁଦ୍ଧଂ ଶରଣଂ ଗଚ୍ଛାମି, ଧମ୍ମଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି- ବଡ଼ ବଡ଼ ହରଫରେ ଲେଖାଯାଇ କାନ୍ଧରେ ଝୁଲୁଥାଏ । ଗବେଷଣାସମ୍ପର୍କୀୟ ବହୁ ଗ୍ରନ୍ଥ ଓ ପତ୍ରପତ୍ରିକାରେ ପଢ଼ାଘରଟି ପୂର୍ଣ୍ଣ । ବନ୍ଧୁଚର୍ଚ୍ଚା, ବୃଦ୍ଧ ପିତାମାତାଙ୍କ ଖବର, ଦୁଇ ସାନଭାଇ ଯଜ୍ଞ ଓ କୃଷ୍ଣଙ୍କର କଲେଜପଢ଼ା ଦାୟିତ୍ୱ ଓ ସାଂସାରିକ ଅନ୍ୟାନ୍ୟ ଜଞ୍ଜାଳ ଭିତରେ ସ୍ଥିତଧୀ ନବୀନବାବୁ ଅବିଚଳିତ ଭାବରେ ନିଜର ଗବେଷଣା କାର୍ଯ୍ୟ ଚଳାଇଥାନ୍ତି । ମଝିରେ ମଝିରେ ତାଙ୍କର ରିସର୍ଚ୍ଚ ଗାଇଡ଼୍‌ଙ୍କ ସହିତ ପରାମର୍ଶ ଓ ନେସନାଲ ଲାଇବ୍ରେରୀରେ ପଢ଼ାପଢ଼ି ପାଇଁ କଲିକତା ମଧ୍ୟ ଯାଆନ୍ତି । ବାରିପଦାର ବହୁ ମୂଲ୍ୟବାନ ପୁସ୍ତକସମ୍ବଳିତ ପ୍ରାଚୀନ ଜୁବୁଲି ଲାଇବ୍ରେରୀ ତଥା ସ୍ଵର୍ଗତ ପରମାନନ୍ଦ ଆଚାର୍ଯ୍ୟଙ୍କ ବ୍ୟକ୍ତିଗତ ଲାଇବ୍ରେରୀ ନବୀନବାବୁଙ୍କ ଗବେଷଣା ପାଇଁ ମଧ୍ୟ ବିଶେଷ ସହାୟକ ହୋଇଥିଲା ।’’ (ପୃ ୨୭) ସେ ପୁଣି କହନ୍ତି- ‘‘ଡକ୍ଟର ସାହୁ ମୋର ସହପାଠୀ, ସହକର୍ମୀ ଓ ଜଣେ ପରମ ବନ୍ଧୁ ଥିଲେ । ତାଙ୍କର ଆକସ୍ମିକ ତିରୋଧାନ ମୋ ପକ୍ଷରେ ଏକ ଦାରୁଣ ବ୍ୟକ୍ତିଗତ ଆଘାତ । ଦୁଇଦିନପରେ ଖବର ପାଇଲି ହୃଦ୍‌ଯନ୍ତ୍ରକ୍ରିୟା ବନ୍ଦ ହୋଇଯାଇ ନବୀନବାବୁ ଇହଧାମ ତ୍ୟାଗ କରିଅଛନ୍ତି । ଏଇତ ମଣିଷ ଜୀବନ !’’ (ପୃ ୨୯)

 

ଓଡ଼ିଶାର ଧର୍ମ ଓ ସଂସ୍କୃତିର ଜଣେ ପ୍ରଖ୍ୟାତ ଗବେଷକ ଓ ସଂସ୍କୃତିବିତ୍‌ ଡକ୍ଟର ଭଗବାନ ପଣ୍ଡା ଡକ୍ଟର ସାହୁଙ୍କୁ ନିଜ ସ୍ମୃତିଚାରଣ କାଳରେ ମନେପକାଇ ଲେଖନ୍ତି- ‘‘ଭାରତର ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍‌, ଶିକ୍ଷାବିତ୍‌ ଓ ଇତିହାସକାରମାନଙ୍କ ମଧ୍ୟରେ ସ୍ଵର୍ଗତ ଡକ୍ଟର ନବୀନକୁମାର ସାହୁ (୧୯୨୨-୮୫) ଥିଲେ ଅନ୍ୟତମ । ଜଣେ ଉଦାର, ଛାତ୍ରବତ୍ସଳ ଓ ଇତିହାସର ପ୍ରବୀଣ ଅଧ୍ୟାପକରୂପେ ସେ ଓଡ଼ିଶା ତଥା ଭାରତର ବିଦ୍ଵାନ୍‌ମଣ୍ଡଳୀରେ ସୁପରିଚିତ । ନିଜର ନିଷ୍ଠା, ଅଧ୍ୟବସାୟ, ପାଣ୍ଡିତ୍ୟ ଓ କର୍ମଦକ୍ଷତାବଳରେ ସେ ଶିକ୍ଷା ଓ ସଂସ୍କୃତିର ସର୍ବୋଚ୍ଚ ପଦରେ ଅଧିଷ୍ଠିତ ହୋଇପାରିଥିଲେ । ଅସାଧାରଣ ଜ୍ଞାନ ଓ ସ୍ମୃତିଶକ୍ତିର ଅଧିକାରୀ ହୋଇଥିଲେ ମଧ୍ୟ ସେ ଜ୍ଞାନ ଆହରଣ ପାଇଁ ବାଳସୁଲଭ ଅଜ୍ଞତା ପ୍ରକାଶ କରୁଥିଲେ । ‘‘ନମ୍ରନ୍ତି ଗୁଣିନୋ ଜନାଃ’’-ଏହି ବାଣୀର ସେ ଥଲେ ମୂର୍ତ୍ତିମାନ୍‌ ପ୍ରତୀକ । ଡକ୍ଟର ସାହୁଙ୍କ ସହିତ ସମସାମୟିକ ଇତିହାସକାର ଓ ଗବେଷକମାନଙ୍କର ମତଭେଦ ଥିଲେ ମଧ୍ୟ ସମସ୍ତେ ତାଙ୍କୁ ଅକୁଣ୍ଠିତ ଚିତ୍ତରେ ସମ୍ମାନ ଓ ଆଦର ପ୍ରଦର୍ଶନ କରୁଥିଲେ । ଓଡ଼ିଶା, ଓଡ଼ିଆଜାତି, ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ପ୍ରସଙ୍ଗ ଆଲୋଚନା କ୍ଷେତ୍ରରେ ଡକ୍ଟର ସାହୁ ଯେପରି ପୁଲକିତ, ରୋମାଞ୍ଚିତ ଓ ଶତଜିହ୍ୱ ହୋଇଉଠୁଥିଲେ, ତାହାର ଦୃଷ୍ଟାନ୍ତ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ଡକ୍ଟର ସାହୁ ତାଙ୍କର ସହାଧ୍ୟାୟୀ, ବନ୍ଧୁ, ଛାତ୍ର, ସହକର୍ମୀ ଓ ତାଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଛନ୍ତି ।

 

‘‘ଡକ୍ତର ନବୀନକୁମାର ସାହୁ ବହୁ ଗବେଷଣାତ୍ମକ ପ୍ରବନ୍ଧ, ନିବନ୍ଧ ଓ ଗ୍ରନ୍ଥର ରଚୟିତା ଭାବରେ ସୁବିଖ୍ୟାତ । ଇତିହାସ, ଧର୍ମ, ନୃତତ୍ତ୍ୱ ଓ ପ୍ରତ୍ନତତ୍ତ୍ଵ ଥିଲା ତାଙ୍କ ଗବେଷଣାତ୍ମକ ପ୍ରତିଭା ପ୍ରଦର୍ଶନର ମୁଖ୍ୟ ବିଷୟ । ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ଏହି ବିଷୟଗୁଡ଼ିକ ସମ୍ବନ୍ଧରେ ବହୁ ଗବେଷଣାତ୍ମକ ପ୍ରବନ୍ଧ ଓଡ଼ିଶା ଓ ଭାରତର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ କରିଯାଇଛନ୍ତି । ଅଭିଲେଖ ଓ ତାମ୍ରଶାସନ, ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଓ ଭୂଖୋଦନ କାର୍ଯ୍ୟରେ ତାଙ୍କ ଜୀବନର ବହୁ ସମୟ ଅତିବାହିତ ହୋଇଥିଲା । ଜଣେ ବାଗ୍ମୀ ସୁବକ୍ତାରୂପେ କେବଳ ନୁହେଁ, ଜଣେ ଉଚ୍ଚକୋଟୀର ପ୍ରତିଭାଶାଳୀ ଇତିହାସକାରଭାବେ ଡକ୍ଟର ସାହୁ ସୁନାମ ଅର୍ଜନ କରିଥିଲେ ।’’ (ପୃ୩୦)

 

ସ୍ମୃତି ସାଉଁଟିବାକାଳରେ ଡକ୍ଟର ପଣ୍ଡା ଉପସଂହାରରେ ପୁଣି କହନ୍ତି- ‘‘ତାଙ୍କ ତିରୋଧାନରେ ଓଡ଼ିଶା ଇତିହାସର ଏକ ଅପୂରଣୀୟ କ୍ଷତି ଘଟିଲା । କିନ୍ତୁ ଡକ୍ଟର ସାହୁ ଆଜି ମରଶରୀର ତ୍ୟାଗକରି ଅମରଧାମର ଯାତ୍ରୀ ହୋଇଥିଲେ ମଧ୍ୟ ତାଙ୍କର ଅମ୍ଳାନ ପ୍ରତିଭା ଚିର-ଅମର ହୋଇ ରହିବ, ଏଥିରେ ସନ୍ଦେହ ନାହିଁ । ‘କୀର୍ତ୍ତିରକ୍ଷରମାଳିନୀ ସ୍ଥିରାଭବତି ଭୂତଳେ’-ଏହି ବାଣୀ ଥିଲା ଡକ୍ଟର ସାହୁଙ୍କର ଜୀବନାଦର୍ଶ । ତାଙ୍କରି ସେହି ଜୀବନାଦର୍ଶ, କର୍ତ୍ତବ୍ୟନିଷ୍ଠା, କର୍ମପ୍ରବଣତା, ନମ୍ରତା, ଜାତୀୟତା ଓ ଉଦାରତା ଆଗାମୀ ଯୁଗର ଗବେଷକ ଇତିହାସକାରମାନଙ୍କୁ ଜାଗ୍ରତ, ଉଦ୍‌ବୋଧିତ ଓ ପ୍ରଚୋଦିତ କରୁ, ଏହା ହିଁ ଶ୍ରୀଜଗନ୍ନାଥଙ୍କଠାରେ ପ୍ରାର୍ଥନା ।’’ (ପୃ ୩୨)

 

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସ୍ଥାପିତ ହେବା ପରେ ପରେ ବିଭିନ୍ନ ବିଭାଗରେ ଯୋଗଦେଇଥିବା ଐତିହାସିକମାନଙ୍କ ମଧ୍ୟରେ ସୁଶୀଲଚନ୍ଦ୍ର ଦେ ଥିଲେ ଅନ୍ୟତମ । ବନ୍ଧୁ ଭାବରେ ସେ ଡକ୍ଟର ସାହୁଙ୍କୁ ଅତି ନିକଟରୁ ଦେଖୁଥିଲେ, ତାଙ୍କ ଜ୍ଞାନ-ଗରିମା ପରଖୁଥିଲେ । ସ୍ମୃତିଅର୍ଘ୍ୟ ବାଢ଼ିବା କାଳରେ ସେ ଡକ୍ଟର ସାହୁଙ୍କ ଅଧ୍ୟୟନ, ଅଧ୍ୟବସାୟ ଓ ଗବେଷଣାର ଉଚ୍ଚ ପ୍ରଶଂସା କରିଛନ୍ତି । ତାଙ୍କ ଭାଷାରେ- ‘‘୰ ସାହୁଙ୍କର ଅଧ୍ୟାପନା ବା ଅଫିସ ପରିଚାଳନା ସମ୍ପର୍କରେ ମୋର ବିଶେଷ ଧାରଣା ନାହିଁ । ଐତିହାସିକ ଓ ଗବେଷକରୂପେ ତାଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ ଥିଲା । ବହୁବର୍ଷ ଧରି ଐତିହାସିକ ଗବେଷଣା କରି ସେ ଏହି କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଦେଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ଗବେଷଣା ତାଙ୍କର ପ୍ରକୃତିଗତ ହୋଇଯାଇଥିଲା । ସେ ତାଙ୍କର ଶାରୀରିକ ଅସୁସ୍ଥତାପ୍ରତି ଭ୍ରୂକ୍ଷେପ ନକରି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଗବେଷଣାରେ ରତ ଥିଲେ । ତାଙ୍କର ଗବେଷଣାପ୍ରତି ଉତ୍ସର୍ଗୀକୃତ ଜୀବନ ଯୁବ ଗବେଷକଙ୍କ ପାଇଁ ଏକ ଆଦର୍ଶ ଓ ଅନୁପ୍ରେରଣାର ଉତ୍ସ ହୋଇ ରହିବ । ମୁଁ ଏକ ବନ୍ଧୁ ଭାବରେ ତାଙ୍କର ସ୍ଵର୍ଗତ ଆତ୍ମାର ଶାନ୍ତି ନିମନ୍ତେ ଈଶ୍ଵରଙ୍କଠାରେ ପ୍ରାର୍ଥନା କରୁଛି ।’’ (ପୃ ୩୬)

 

ଡକ୍ଟର ପବିତ୍ରମୋହନ ନାୟକ । ସେ ଡକ୍ଟର ସାହୁଙ୍କର ଘନିଷ୍ଠ ସାନ୍ନିଧ୍ୟ ଲାଭ କରିଥିଲେ-। ଡକ୍ଟର ସାହୁ ପ୍ରଥମେ ଥିଲେ ତାଙ୍କ ଗବେଷଣାର ଗାଇଡ଼ । କିନ୍ତୁ ଡକ୍ଟର ସାହୁଙ୍କ ଭାଷାରେ ପବିତ୍ରବାବୁ ଥିଲେ ତାଙ୍କର Friend, Philosopher and Guide । ପବିତ୍ରବାବୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍‌ର ଜଣେ ପ୍ରଭାବଶାଳୀ ସଦସ୍ୟ ଥିଲେ । ସ୍ମୃତିଚାରଣକାଳରେ ସେ ଡକ୍ଟର ସାହୁଙ୍କର ମହାନୁଭବତା, ନମ୍ରତା, ସହନଶୀଳତା ଓ ସରଳତାର ଚିତ୍ର ପ୍ରଦାନ କରିଛନ୍ତି-। ତାଙ୍କ ଭାଷାରେ- ‘‘ଥରେ ସିଣ୍ଡିକେଟ୍ ବୈଠକରେ କଥା ପଡ଼ିଲା । ସାମ୍ୱାଦିକ ସୁନୀଲ ମିଶ୍ର ଅତି ଅଶ୍ଳୀଳ ଭାଷାରେ ‘ଜନରାଜ୍ୟ’ରେ ଡକ୍ଟର ସାହୁଙ୍କ ବିରୋଧରେ ଏକ ଆକ୍ଷେପମୂଳକ ଲେଖା ପ୍ରକାଶ କରିଛନ୍ତି । ମାନହାନି ମୋକଦ୍ଦମା ପାଇଁ ସିଣ୍ତିକେଟ୍ ପରାମର୍ଶ ଦେଲା । ଘମାଘୋଟ ଆଲୋଚନା ଚାଲିଲା । ଶେଷରେ ଡକ୍ଟର ସାହୁ ହସି ହସି କହିଲେ, ‘ସୁନୀଲବାବୁ ମୋତେ କ୍ଷମା ମାଗିସାରିଛନ୍ତି । ଏକଥା ଆଉ ନବଢ଼ୁ ।’ ଏଇଠି ସବୁ ତମ୍ବୁତୋଫାନର ଅବସାନ ହେଲା । ସୁନୀଲବାବୁ ପ୍ରକୃତରେ କ୍ଷମା ମାଗିଲେ କି ନାହିଁ ଜଣା ନାହିଁ । କିନ୍ତୁ ଡକ୍ତର ସାହୁ ତାଙ୍କୁ ନିର୍ବିବାଦରେ କ୍ଷମା କରିଦେଲେ ।

 

‘‘ଧରଣୀଭଳି ସବୁ ସହିନେଉନଥିଲେ ସେ । ଛାତ୍ରଙ୍କ ଚଢ଼ାଉ, କର୍ମଚାରୀଙ୍କ ସଂଡୁଆସୀ ଆକ୍ରମଣ, ସବୁ ସେ ହସି ହସି ହଜମ କରିଦେଉଥିଲେ । ପିଲାଦିନରୁ ଅଭାବ ଅନଟନ ଭିତରେ ଛାତି ତାଙ୍କ ଟାଣ ହୋଇଯାଇଥିଲା ସିନା, କିନ୍ତୁ ହୃଦୟ ଥିଲା ଫୁଲଭଳି କୋମଳ । ପଣ୍ଡିତ ହୋଇ ବି ସାଧାରଣ ଲୋକଭଳି ସେ ସରଳ, ନିଷ୍କପଟ ଥିଲେ । ଜଣେ କୁଳପତି । ବିଶ୍ଵବିଦ୍ୟାଳୟର ସର୍ବମୟ କର୍ତ୍ତା । କିନ୍ତୁ ମନରେ ତିଳେ ହେଲେ ଗର୍ବ ନାହିଁ, ଅହଂକାର ନାହିଁ, କଥାରେ ହାମବଡ଼ା ନାହିଁ, କାମରେ ଆଦବ କାଇଦା ନାହିଁ । ଧପ୍‌ପାବାଜି କରି, ଠକି ଭଣ୍ଡି କ୍ଷମତାକୁ ଜାବୁଡ଼ି ଧରିବାର ହୀନ ପ୍ରୟାସ ନାହିଁ । ଅନ୍ଧାର ଭିତରେ ବାଟ ଅଣ୍ଡାଳି ଅଣ୍ଡାଳି, ନିଜ ସରଳତାକୁ ସର୍ବସ୍ଵ କରି ସଫଳତାର ଶିଖରକୁ ଉଠିଥିଲେ ସେ । ଜଣେ ସ୍ଵାଧୀନଚେତା ନିଜସ୍ଵ ଚିନ୍ତାଧାରାସମ୍ପନ୍ନ ଐତିହାସିକ ଭାବରେ ଦେଶବିଦେଶରେ ଯେ ବେଶ୍‌ ଜଣାଶୁଣା, ସେ ପୁଣି ନିଜ ନିତ୍ୟପରିଚିତ ମାଟିରେ ଅପରିଚିତ ରହିଗଲେ ।’’ (ପୃ ୩୮-୩୯)

 

ଜାତି ଓ ସଂସ୍କୃତିର ମହାନତା ବହନ କରୁଥିବା ପ୍ରାଚୀନ କୀର୍ତ୍ତିରାଜିର ଉଦ୍ଧାର ଓ ସଂରକ୍ଷଣରେ ଡକ୍ତର ସାହୁ ଜୀବନକୁ ବାଜି ଲଗାଇଦେଉଥିଲେ । ସୋନପୁରର ଖମ୍ବେଶ୍ଵରୀ ମନ୍ଦିର ସମ୍ମୁଖରେ ପୂଜାପାଉଥିବା ଏବଂ ଖରାବର୍ଷା ଦାଉରେ ସମୟକ୍ରମେ ଲୋପ ପାଇବାକୁ ଯାଉଥିବା ଏକ ଶିଳାଲେଖର ଉଦ୍ଧାରରେ ତାଙ୍କ ନିର୍ଭୀକତା ସମ୍ବନ୍ଧରେ ଏକ ରୋଚକ ବିବରଣୀ ମଧ୍ୟ ପବିତ୍ରବାବୁଙ୍କ ସ୍ମୃତିଲିପିରେ ସ୍ଥାନିତ । ସେ ବିଷୟ ପରେ ଆଲୋଚିତ ।

 

ଓଡ଼ିଶାର ଆଉ ଜଣେ ସୁସାହିତ୍ୟିକ, ମହିମାଧର୍ମ ଓ ଆଦିବାସୀ ସଂସ୍କୃତିର ବିଶିଷ୍ଟ ଗବେଷକ ଶ୍ରୀ ଭାଗୀରଥି ନେପାକ ଡକ୍ଟର ସାହୁଙ୍କୁ ନିକଟରୁ ଦେଖଥିଲେ, ତାଙ୍କ ସହିତ ମିଶିଥିଲେ-। ତେଣୁ ସେ ତାଙ୍କୁ ଯେପରି ଜାଣିଥିଲେ ସେହିପରି ବର୍ଣ୍ଣିଛନ୍ତି ନିଜର ‘ଇତିହାସ ପୁରୁଷ ଡକ୍ଟର ନବୀନକୁମାର ସାହୁ’ ପ୍ରବନ୍ଧରେ । ତାଙ୍କ ପ୍ରବନ୍ଧରୁ କେତୋଟି ଉଦ୍ଧୃତି

ମାତ୍ର ଏଠାରେ-

 

‘‘ଡକ୍ଟର ସାହୁ ଇତିହାସ କ୍ଷେତ୍ରରେ ଜଣେ ଦିଗ୍‌ଦ୍ରଷ୍ଟା ଥିଲେ । ଭାରତର ଯେଉଁ କେତେଜଣ ମୁଷ୍ଟିମେୟ ଐତିହାସିକ ନୂତନ ତଥ୍ୟ ଦେଇ ଇତିହାସ ଅନୁରାଗୀ ପାଠକମାନଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ନବୀନକୁମାର ସାହୁ ଅନ୍ୟତମ ।’’ (ପୃ ୪୧)

 

‘‘ଓଡ଼ିଶାର ‘ପଶ୍ଚିମ ଓଡ଼ିଶା’କୁ ଡକ୍ଟର ନବୀନକୁମାର ସାହୁ ନୂଆକରି ଆବିଷ୍କାର କରିଥିଲେ-। ଓଡ଼ିଶାର ସ୍ଥାନେ ସ୍ଥାନେ ପ୍ରାପ୍ତ ବିଭିନ୍ନ ତାମ୍ରଶାସନ, ଅଭିଲେଖ, ମୋହର, ପ୍ରତ୍ନତତ୍ତ୍ଵ ସମେତ ସରକାରୀ କାଗଜପତ୍ର, ବିଭିନ୍ନ ଐତିହାସିକମାନଙ୍କର ଅଭିମତ ଏବଂ ପ୍ରାଚୀନ ଶାସ୍ତ୍ରପୁରାଣ କାବ୍ୟ ମହାକାବ୍ୟରୁ ଉଦ୍ଧୃତିମାନ ଆଣି ସେ ନିଜ ମତ ସପକ୍ଷରେ ଛିଡ଼ା କରାଇଥିଲେ । ସେ ଥିଲେ ଜଣେ ପ୍ରସିଦ୍ଧ ଅଭିଲେଖବିତ୍‌ ବା ପ୍ରତ୍ନତତ୍ତ୍ୱବିତ୍‌ । ଅନେକ ଭୁଲ୍‌ ପାଠୋଦ୍ଧାରକୁ ସେ ସଂଶୋଧନ କରିଥିଲେ ।’’ (ପୃ ୪୧-୪୨)

 

‘‘ଅଧ୍ୟୟନରତ ଇତିହାସ-ଛାତ୍ର ଓ ଗବେଷକମାନେ ଐତିହାସିକ ଡକ୍ଟର ନବୀନକୁମାର ସାହୁଙ୍କ ନାମ ଓ କାର୍ଯ୍ୟ ସଙ୍ଗରେ କେବଳ ଆଜି ନୁହେଁ ପରବର୍ତ୍ତୀ ବହୁଯୁଗ ପାଇଁ ଯେ ସମ୍ପୃକ୍ତ ହୋଇରହିବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।’’ (ପୁ ୪୨)

 

ଡକ୍ଟର ସାହୁଙ୍କୁ ଭଲପାଉଥିବା ଏବଂ ତାଙ୍କ ସହିତ ସୁସମ୍ପର୍କ ରଖିଥିବା ଶଶିଭୂଷଣ ରଥ ତାଙ୍କୁ କିପରି ଜାଣିଥିଲେ ତାହା ସ୍ପଷ୍ଟ ହୋଇଯାଏ ଯେତେବେଳେ ସେ ତାଙ୍କ ଉଦ୍ଦେଶ୍ୟରେ ସ୍ମୃତିସୁମନ ବାଢ଼ି ପ୍ରକାଶ କରନ୍ତି- ‘‘ଡକ୍ଟର ସାହୁ ଥିଲେ ଶତକଡ଼ାରେ ଶହେ ଐତିହାସିକ । ତାଙ୍କର ନାଁ ମୁଁ ପ୍ରଥମେ ଶୁଣିଥିଲି ବାଲ୍ୟକାଳରେ ଯେତେବେଳେ ଇତିହାସ କ’ଣ ସେ ବିଷୟରେ ମୋର ଧାରଣା ହିଁ ନ ଥିଲା । ପରବର୍ତ୍ତୀ ସମୟରେ ଅସୁରଗଡ଼, ମନମୁଣ୍ଡା ଆଦି ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ଖନନ ଚାଲିଥିବା ସମୟରେ ମୋର ତାଙ୍କସହ ସାକ୍ଷାତ ହୁଏ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଇତିହାସ ବିଭାଗରେ । ସେ ଥା’ନ୍ତି ପ୍ରଫେସର ଓ ମୁଖ୍ୟ । ସେ ସମୟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଗଠନ, ଅଧ୍ୟାପନା ଓ ପରିଚାଳନାରେ ସେ ଅଙ୍ଗାଙ୍ଗୀ ଭାବରେ ସମ୍ପୃକ୍ତ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ସମ୍ବଲପୁର ବିଶ୍ଵବିଦ୍ୟାଳୟର ମ୍ୟୁଜିଅମ୍‌, ଭାରତୀୟ ସଂସ୍କୃତି ସ୍ନାତକୋତ୍ତର ବିଭାଗ ଏବେ ବି ଦେଖିଲେ ମନେହୁଏ ଯେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ଅଦ୍‌ଭୂତ ସମନ୍ୱୟ କରିପାରିଥିଲେ ଡକ୍ଟର ସାହୁ- ବିନୟୀ, ଏକାନ୍ତ ଗବେଷକ ! ଜଣେ ଆଦର୍ଶ ଗବେଷକଭାବେ ସେ ବିଦିତ ଏବଂ ତାଙ୍କର ଅନେକ ଛାତ୍ର ଗବେଷଣାର ପାରମ୍ପରିକ ସୂତ୍ରକୁ ଆଗେଇନେଉଛନ୍ତି ।’’ (ପୁ ୪୬)

 

ସୁଧାଂଶୁବାଳା ପଣ୍ଡା ଓଡ଼ିଆ କଥାସାହିତ୍ୟରେ ଏକ ପରିଚିତ ନାମ । ଦୈବକ୍ରମେ ଦିନେ ତାଙ୍କର ଅପରିଚିତ ଡକ୍ଟର ସାହୁଙ୍କ ସହିତ ସାକ୍ଷାତ ହୋଇଯାଏ । ତାଙ୍କ ସହ ମାତ୍ର ଅଳ୍ପକିଛି ସମୟର ଆଳାପ ଆଲୋଚନାକୁ ଶ୍ରୀମତୀ ପଣ୍ଡା ଭୁଲିପାରନ୍ତି ନାହି । ତାଙ୍କ ବିୟୋଗପରେ ସେ ତାଙ୍କୁ କିପରି ମନେପକାନ୍ତି ଶୁଣନ୍ତୁ- ‘‘ସେଇଦିନୁ ତାଙ୍କପ୍ରତି ମୋର ଗୋଟେ ସ୍ଵତନ୍ତ୍ର ଶ୍ରଦ୍ଧା ଥିଲା, ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ । ଯେତେବେଳେ ଯୋଉଠି ତାଙ୍କ ଲେଖା ବାହାରେ ମୁଁ ପଢ଼େ । ପଢ଼ିଥିଲି ‘ସପ୍ତର୍ଷି’ରୁ ସେଇ ସମ୍ପାଦକୀୟ ତାଙ୍କର, ଯାହାକି ଏଯାଏଁ ସେହିପରି ସମ୍ପାଦକୀୟଟିଏ ମୋ ଆଖିରେ ପଡ଼ିନାହିଁ । ସମ୍ପାଦକୀୟ ଭିତରେ ଗୁରୁ-ଶିଷ୍ୟଙ୍କ ଅବିଚ୍ଛେଦ୍ୟ ସମ୍ପର୍କଗୁଡ଼ିକୁ, ଗୁରୁ ଗୌତମ ଓ ଶିଷ୍ୟ ସତ୍ୟକାମର ଚରିତ୍ର ନେଇ ଏମିତି ସୁନ୍ଦର ଉଦାହରଣ ଦେଇ ସଂକ୍ଷିପ୍ତରେ କାହାଣୀଟି ଶେଷ କରିଛନ୍ତି ଯେ, ତାହା ମୋପାଇଁ ଏକ ଅମୂଲ୍ୟ ସମ୍ପଦପରି ମନେହୋଇଥିଲା ।

 

‘‘ଆଜି ସେ ନାହାନ୍ତି । ମାତ୍ର ତାଙ୍କ ଲେଖା ଅଛି । ସେଥିଲାଗି କଥାରେ ଅଛି, ଲେଖକର ମୃତ୍ୟୁ ହୁଏ ସିନା, ଲେଖାର ମୃତ୍ୟୁ ହୁଏ ନାହିଁ । ଲେଖା କାଳଜୟୀ । ତେଣୁ ଲେଖାର ଯିଏ ସୃଜନଶୀଳ ବ୍ୟକ୍ତି ସେ ସେଇ ଲେଖା ମାଧ୍ୟମରେ ହିଁ ଜୀଇରହେ କାଳକାଳକୁ.... ।’’

 

‘‘ଡକ୍ଟର ନବୀନ ସାହୁ ଏ ଧରାରେ ଅବତୀର୍ଣ୍ଣ ହୋଇଥିଲେ ଜଣେ ସାଧକରୂପେ । ଅପୁତ୍ରକର ଅପବାଦ ଏ ସଂସାରର ତୁଚ୍ଛ ମଣିଷମାନଙ୍କ ପାଇଁ ସିନା, ତାଙ୍କର ତ ଶତ ପ୍ରତିଶତ ପ୍ରବନ୍ଧ ପ୍ରକୃତ ପୁତ୍ରରୂପେ ଏ ଧରାରେ ଜାଜ୍ୱଲ୍ୟମାନ । ପିତାର ପରିଚୟ ରୂପେ ସେସବୁ ଦାୟାଦ ।’’ (ପୃ ୫୪)

 

ଡକ୍ଟର ସାହୁ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ଵ-ଉପଦେଷ୍ଟା ଭାବରେ ନିଯୁକ୍ତି ପାଇବାପରେ ଶ୍ରୀ ଗନ୍ଧର୍ବସେନ ରଣାଙ୍କୁ ତାଙ୍କର ବ୍ୟକ୍ତିଗତ ସହାୟକରୂପେ ମୁତୟନ କରାଗଲା । ‘ବୀର ସୁରେନ୍ଦ୍ର ସାଏ’ ଇଂରାଜୀ ପୁସ୍ତକ ଲେଖିବା ଅବସରରେ ଡକ୍ଟର ସାହୁଙ୍କ ସହିତ ସେ ଯାଇଥିଲେ ମଧ୍ୟପ୍ରଦେଶର ଆସୀରଗଡ଼ ଦୁର୍ଗ ପରିଦର୍ଶନରେ । ସେଠାରେ ଚୌହାଣ ବୀର ସୁରେନ୍ଦ୍ର ସାଏ ବନ୍ଦୀ ଥିଲେ ଜୀବନାବସାନ ପର୍ଯ୍ୟନ୍ତ । ସେ ବନ୍ଦୀଜୀବନ କଟାଇଥିବା ଗୃହକୁ ଡକ୍ଟର ସାହୁ ଖୋଜୁଥିବାବେଳେ ଏକ ବିରାଟ ଚିତାବାଘର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥଲେ ତାଙ୍କ ସମେତ ଅନ୍ୟମାନେ । ଶ୍ରୀ ରଣା ଏ ସମ୍ପର୍କରେ ଲେଖିଥିବା ପ୍ରବନ୍ଧରୁ ଜଣାଯାଏ ଯେ ଡକ୍ଟର ସାହୁ ଇତିହାସ-ସମ୍ବନ୍ଧୀୟ ଗବେଷଣାକାଳରେ ମୂଳସୂତ୍ରକୁ ଖୋଜନ୍ତି, ଖୋଜିବା ପଥ ଯେତେ ବିପଦସଙ୍କୁଳ ହେଉପଛେ ।

 

ଓଡ଼ିଶାର ଆଉ ଜଣେ ଐତିହାସିକ ଓ ଗବେଷକ ସଦାନନ୍ଦ ଅଗ୍ରୱାଲ ନିଜ ଦୃଷ୍ଟିରେ ଡକ୍ଟର ସାହୁଙ୍କୁ ଆକଳନ କରିଛନ୍ତି; ତାଙ୍କ ସ୍ଵଭାବ, ସୁଗୁଣ ଓ ଇତିହାସପ୍ରୀତିର ପ୍ରଶଂସା ମଧ୍ୟ କରିଛନ୍ତି । ଯଥା- ଡକ୍ଟର ସାହୁ ଥିଲେ ଅପ୍ରତିଦ୍ୱନ୍ଦ୍ୱୀ ଐତିହାସିକ; ରେଡ଼ି ରେଫରେନ୍‌ସ । ଜୀବନର ଅନ୍ତିମକାଳ ପର୍ଯ୍ୟନ୍ତ ତାଙ୍କର ଅଧ୍ୟୟନ ଅନବରତ ଲାଗିରହିଥିଲା । ମୋର ସେମିତି କୌଣସି ଶିକ୍ଷାଗତ ଯୋଗ୍ୟତା ନଥିଲା ଯେ, ମୁଁ ଇତିହାସ ଲେଖିବାକୁ ସାହସ କରନ୍ତି । ସେ ହିଁ ମୋତେ ପ୍ରେରଣା, ଦିଗ୍‌ଦର୍ଶନ ତଥା ଆତ୍ମବଳ ଦେଲେ ସୋନପୁର ଇତିହାସ ଲେଖିବା ପାଇଁ । ଓଡ଼ିଶାରେ ସାଧାରଣ ଗବେଷକଙ୍କୁମଧ୍ୟ ଚିଠିଟିଏ ଦେଲେ ଉତ୍ତର ମିଳେ ନାହିଁ । ମାତ୍ର ମୋର ଯେତେବେଳେ ଯାହା ସନ୍ଦେହ ଚିଠି ମାଧ୍ୟମରେ ଜଣାଇଦେଲେ ସୁଦ୍ଧା ବରାବର ଉତ୍ତର ମିଳୁଥିଲା । ଏଇଥିରୁ ହିଁ ତାଙ୍କର ଇତିହାସପ୍ରତି ରହିଥିବା ଗଭୀର ଅନୁରକ୍ତି ପ୍ରକଟିତ ହୋଇଥାଏ ।’’ (ପୃ ୬୬)

 

‘‘ଡକ୍ଟର ସାହୁ ଥିଲେ ଅତ୍ୟନ୍ତ ନିରଭିମାନୀ । ତାଙ୍କର ସରଳ ତଥା ଅମାୟିକ ବ୍ୟବହାର ସମସ୍ତଙ୍କୁ ମୁଗ୍‌ଧ କରିଥିଲା । ଏଭଳି ଜଣେ ବିଦ୍ଵାନଙ୍କ ଘନିଷ୍ଠ ସମ୍ପର୍କରେ ଆସିବା ପରମ ସୌଭାଗ୍ୟର ବିଷୟ । ଡକ୍ଟର ସାହୁଙ୍କ ଜୀବନାଦର୍ଶ ମଧ୍ୟ ଠିକ୍‌ ଏହିଭଳି ଥିଲା । ତାଙ୍କର ଐତିହାସିକ କୃତି ତଥା ବିଦ୍‌ବତ୍ତା ସମ୍ବନ୍ଧରେ ଆଲୋଚନା କରିବାର ସାମର୍ଥ୍ୟ ମୋର ନାହିଁ । ତେବେ ମୁକ୍ତ କଣ୍ଠରେ ଏହା ସ୍ଵୀକାର୍ଯ୍ୟ ଯେ, ଓଡ଼ିଶାର ପୁନର୍ଗଠନ ଦିଗରେ ତାଙ୍କର ଦାନ ଅତୁଳନୀୟ ।’’ (ପୃ ୬୬)

 

ଏହି ସ୍ମରଣିକା ବ୍ୟତୀତ ଅନ୍ୟାନ୍ୟ ପତ୍ରପତ୍ରିକାରେ ତାଙ୍କର କିଛି ଶ୍ରଦ୍ଧାଭାଜନ ବନ୍ଧୁ, ଛାତ୍ର, ଗବେଷକ ମଧ୍ୟ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅବସରରେ ତାଙ୍କ ଜୀବନର କେତେକ ମହନୀୟ ଦିଗ ବା ଜୀବନାଦର୍ଶ ଉନ୍ଜୋଚନ କରିଛନ୍ତି ସଂକ୍ଷେପରେ । ଏହିପରି ଜଣେ ହେଲେ ଡକ୍ଟର ପ୍ରବୋଧକୁମାର ମିଶ୍ର । ସେ ତାଙ୍କର ଛାତ୍ର, ସହକାରୀ ଓ ସହକର୍ମୀଥିଲେ । ସେ ତାଙ୍କ ଜୀବନର କେତୋଟି ବିଶେଷ ଦିଗ ଆଲୋକିତ କରନ୍ତି ଏହିପରି କହି- ‘‘ଓଡ଼ିଶା ଇତିହାସ ଅଧ୍ୟାପନା ଓ ଗବେଷଣା ଦିଗରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଇତିହାସ, ସାହିତ୍ୟ, ଭାଷା ଓ ଧର୍ମଧାରା ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ତେଣୁ ଗବେଷକମାନେ ତାଙ୍କ ଚିନ୍ତାଧାରା ଓ ପ୍ରେରଣାଦ୍ୱାରା ବିଶେଷ ଉପକୃତ ହୋଇଥିଲେ ।

 

‘‘ଡକ୍ଟର ସାହୁଙ୍କ ପାଖରେ କେତେକ ଅସାଧାରଣ ସଦ୍‌ଗୁଣ ଓ ମୂଲ୍ୟବୋଧ ଥିବା ତାଙ୍କ ଛାତ୍ର ଓ ସହଯୋଗୀମାନେ ଉପଲବ୍‌ଧି କରିଥିଲେ । ସେ ଅତ୍ୟନ୍ତ ନିରଳସ ଓ ଅମାୟିକ ତଥା ସ୍ନେହୀ ବ୍ୟକ୍ତି ଥିଲେ । ସେ ଜଣେ ଅଜାତଶତ୍ରୁ ଥିଲେ । ପଶ୍ଚିମ ଓଡ଼ିଶାର ବୌଦ୍ଧିକ ଓ ସାଂସ୍କୃତିକ ଉନ୍ନତି ପାଇଁ ସେ ସଙ୍କଳ୍ପବଦ୍ଧ ଥିଲେ । ବରପାଲି କଲେଜ ସ୍ଥାପନ ନିମିତ୍ତ ତାଙ୍କର ତ୍ୟାଗ ଅବିସ୍ମରଣୀୟ । ସେ ଈଶ୍ୱରବିଶ୍ୱାସୀ ନଥିଲେ । କିନ୍ତୁ ମାନବିକ କଲ୍ୟାଣ ପାଇଁ ସଦା ତତ୍ପର ଓ ଆଗ୍ରହୀ ଥିଲେ । କୌଣସି କାରଣରୁ କ୍ରୋଧାନ୍ୱିତ ହେବା କେହି କେବେ ତାଙ୍କୁ ଦେଖିନାହିଁ । ଯେକୌଣସି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ସେ ସ୍ଥିତପ୍ରଜ୍ଞ ହୋଇରହିପାରୁଥିଲେ । ସେ କେବେହେଁ କାହାକୁ ନିରାଶ କରିବା ଜଣା ନଥିଲା । ତାଙ୍କର ବ୍ୟକ୍ତିଗତ ଲାଇବ୍ରେରୀ ସମସ୍ତଙ୍କ ପାଇଁ ଅବାରିତ ଖୋଲା ଥିଲା । ଅନେକେ ଏହାର ଅବାଞ୍ଛିତ ସୁଯୋଗ ନେଇଥିବା ଜଣାଯାଏ । ସବୁକାର୍ଯ୍ୟରେ ସମର୍ଥନ ଓ ସହଯୋଗ କରିବା ତାଙ୍କର ସ୍ୱଭାବ ଥିଲା । ଇତିହାସ ଓ ସଂସ୍କୃତି ପରିପ୍ରେକ୍ଷୀରେ ନାନାପ୍ରକାର ତଥ୍ୟମୂଳକ ଆଲୋଚନା ତାଙ୍କୁ ଆନନ୍ଦିତ କରୁଥିଲା । କଥା ପ୍ରସଙ୍ଗରେ ସମୟେ ସମୟରେ ଟିକିଏ ଅତିରଞ୍ଜନ କରି ସେ ଶ୍ରୋତାମାନଙ୍କୁ ମୁଗ୍‌ଧ କରିପାରୁଥିଲେ । ସଂଗ୍ରହାଳୟ ପାଇଁ ତାମ୍ରଲେଖ, ଅଭିଲେଖ, ପ୍ରାଚୀନ ସ୍ଥାପତ୍ୟ, ତାଳପତ୍ର ପୋଥି, ସୁରେନ୍ଦ୍ର ସାଏଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଆଦି ସଂଗ୍ରହ ପାଇଁ ସେ ଅସାଧାରଣ ଧୈର୍ଯ୍ୟ ଓ ନିଷ୍ଠା ପ୍ରଦର୍ଶନ କରିଥିବା ଜଣାଯାଏ । ସମ୍ୱଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ନାମରେ ସଂଗ୍ରହାଳୟକୁ ନାମିତ କରିବା ଉଚିତ ପଦକ୍ଷେପ ଥିଲା ।’’ (ସହକାର, ଅଗଷ୍ଟ-୨୦୦୬,ପୃ ୪୩)

 

ଡକ୍ଟର ସାହୁଙ୍କ ଅବର୍ତ୍ତମାନରେ ତାଙ୍କପ୍ରତି ଯେଉଁମାନେ ଶ୍ରଦ୍ଧାଞ୍ଜଳି ଅର୍ପିଲେ ସେମାନେ ସମସ୍ତେ ତାଙ୍କର ଗୁଣମୁଗ୍‌ଧ ଓ ମମତାବଦ୍ଧ । ଏହିପରି ତାଙ୍କର ଅଗଣିତ ଶ୍ରଦ୍ଧାଳୁ ଅଛନ୍ତି, ଅସୁମାରି ପ୍ରଶଂସକ ଅଛନ୍ତି; ସମସ୍ତେ ତାଙ୍କର ଗୁଣକୀର୍ତ୍ତନରେ ଶତମୁଖ ।

 

ଏହିପରି ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ, ଗବେଷକ ଓ ପ୍ରତ୍ନତତ୍ତ୍ୱବିତ୍‌ଙ୍କର ଏକ ସ୍ମାରକୀ ଗ୍ରନ୍ଥ (Commemoration Volume) ପ୍ରକାଶନ ପାଇଁ ଏ ଲେଖକ ଚେଷ୍ଟା କରିଥିଲା । ଏ ବିଷୟରେ ଡକ୍ଟର ଯଜ୍ଞକୁମାର ସାହୁ ଓ ଡକ୍ଟର ପବିତ୍ରମୋହନ ନାୟକଙ୍କ ପରାମର୍ଶ ଓ ସହଯୋଗ ଲୋଡ଼ିଥିଲା । ଶେଷରେ ସ୍ଥିର ହେଲା ଯେ ଭୁବନେଶ୍ୱରରେ ଉଚ୍ଚ ପଦବୀରେ ଅବସ୍ଥାପିତ ଡକ୍ଟର ସାହୁଙ୍କର ଜଣେ ପୁରାତନ ଛାତ୍ରଙ୍କ ଠିକଣାରେ ଓ ଦାୟିତ୍ୱରେ ଡକ୍ଟର ସାହୁଙ୍କୁ ଜାଣିଥିବା ଦେଶବିଦେଶର ବିଦ୍ୱାନ ଓ ଗବେଷକଙ୍କୁ ଅନୁରୋଧ କରାଯିବ ତାଙ୍କ ସହିତ ସେମାନଙ୍କ ସମ୍ପୃକ୍ତି ବିଷୟରେ କିମ୍ୱା ଓଡ଼ିଶାର ଇତିହାସ, ଧର୍ମ ଓ ସଂସ୍କୃତି ବିଷୟରେ ଉପାଦେୟ ଲେଖାମାନ ପଠାଇବାକୁ । ସେ ଭଦ୍ରଲୋକଙ୍କୁ ଅନୁରୋଧ-ପତ୍ରରୁ କିଛି ଓ ବହୁ ବିଦ୍ୱାନଙ୍କର ଠିକଣା ମଧ୍ୟ ଯୋଗାଇ ଦିଆଗଲା; କିନ୍ତୁ ସମ୍ପୃକ୍ତ ଗୁରୁଭକ୍ତ ଶିଷ୍ୟ ବ୍ୟସ୍ତତାବଶତଃ ଅବା ଅବହେଳାବଶତଃ ସେହି କାର୍ଯ୍ୟ ତୁଲାଇପାରିଲେ ନାହିଁ । ଏପରି ଅପ୍ରତ୍ୟାଶିତ ପରିଣତି ଉଦ୍ୟୋକ୍ତାମାନଙ୍କର ମନୋବଳ ଭାଙ୍ଗିଦେଲା ଏବଂ ଏହି ମହତ୍‌ ପରିକଳ୍ପନାକୁ ଦିବାସ୍ୱପ୍ନ ଭଳି ଭୁଲିଯିବାକୁ ପଡ଼ିଲା ।

 

ସୁଖର କଥା, ଡକ୍ଟର ସାହୁଙ୍କର ଦୀର୍ଘ ସମ୍ପୃକ୍ତି ଥିବା ରାଉରକେଲାର ପ୍ରଗତି ଉତ୍କଳ ସଂଘ ୧୯୯୫ରେ ଡକ୍ଟର ଯଜ୍ଞକୁମାର ସାହୁ ଓ ଡକ୍ଟର ଦେବାନନ୍ଦ ଚୋପଦାରଙ୍କ ସୌଜନ୍ୟ-ସମ୍ପାଦକତ୍ୱରେ ତାହାର ବାର୍ଷିକ ସ୍ମାରକୀ ସଙ୍କଳନ ‘ଉତ୍କଳଗୌରବ’ ପ୍ରକାଶ କରିଥିଲେ ଡକ୍ଟର ସାହୁଙ୍କ ଜୀବନଚରିତକୁ ନେଇ ଏବଂ ତା ପରବର୍ଷ, ଅର୍ଥାତ୍‌ ୧୯୯୬ରେ ପ୍ରକାଶ କରିଥିଲେ ଏହାର ଏକ ପରିବର୍ଦ୍ଧିତ ସଙ୍କଳନ ‘ଐତିହାସିକ ନବୀନକୁମାର’ ଶୀର୍ଷକ ସ୍ମାରକୀ ଗ୍ରନ୍ଥଟିଏ । ଏଥିରେ ତାଙ୍କ ଜୀବନୀ, କୃତି ଓ କୃତିତ୍ୱସମ୍ୱଳିତ କେତେକ ମୂଲ୍ୟବାନ ଆଲୋଚନା ସ୍ଥାନିତ ।

 

ତାଙ୍କର ପ୍ରିୟ ଛାତ୍ର ଓ ପରେ ସହକର୍ମୀ ପ୍ରଫେସର ପ୍ରବୋଧକୁମାର ମିଶ୍ରଙ୍କ ସମ୍ପାଦନାରେ ଡକ୍ଟର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶ ପାଇଛି Culture, Tribal History and Freedom Movement (NK Sahu Commemoration Volume) ୧୯୮୯ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ଆଗମକଳା ପ୍ରକାଶନ ସଂସ୍ଥାଦ୍ୱାରା । ଏହି ସଙ୍କଳନରେ ଏହାର ନାମକରଣ ପ୍ରତିପାଦକ କେତୋଟି ପ୍ରବନ୍ଧ ବ୍ୟତୀତ ଡକ୍ଟର ସାହୁଙ୍କ ସମ୍ପର୍କରେ କୌଣସି ଆଲୋଚନା ଦୃଷ୍ଟିକୁ ଆସେନାହିଁ ।

 

ଜଙ୍ଗଲଘେରା ଓ ଆଦିବାସୀ-ଅଧ୍ୟୁଷିତ ଏକ ଅନୁନ୍ନତ ପଲ୍ଲୀରେ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଭୂମିଷ୍ଠ ହୋଇଥିବା ଡକ୍ଟର ସାହୁ ନିଜର ଅଧ୍ୟବସାୟ ଓ ବଳବତୀ ନିଷ୍ଠାବଳରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜ୍ଞାନାଲୋକର ବିକିରଣ ଘଟାଇପାରିଲେ ଏବଂ ଜନ୍ମଭୂମିର ଟେକ ରଖିପାରିଲେ । ତାଙ୍କଭଳି ଜଣେ ଯୋଗ୍ୟ ସନ୍ତାନପାଇଁ ଉତ୍କଳମାତା ଆଜି ଧନ୍ୟା ।

 

ଶିକ୍ଷାବିତ୍‌ ନବୀନକୁମାର

 

ନବୀନକୁମାରଙ୍କ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ଯାହାହେଉ, ସେ ନିଜ ଗ୍ରାମ ବରପାଲୀ ମଧ୍ୟ-ଇଂରାଜୀ ବିଦ୍ୟାଳୟରୁ କୃତିତ୍ୱ ସହିତ ସପ୍ତମ ଶ୍ରେଣୀ ପରୀକ୍ଷାରେ ପାଶ୍‌ କଲେ ୧୯୩୬ ଖ୍ରୀଷ୍ଟାବ୍ଦରେ । ଆର୍ଥିକ ଅନଟନ ଦୃଷ୍ଟିରୁ ସେ ଏହାପରେ ଚାକିରି କରିବା କଥା; କିନ୍ତୁ ଉଚ୍ଚାଭିଳାଷ ତାଙ୍କୁ ବିଦ୍ୟାଧ୍ୟୟନ ପଥରୁ ବିଚ୍ୟୁତ କରିପାରିଲା ନାହିଁ । ସେ ଅଧିକ ଶିକ୍ଷାଲାଭ ପାଇଁ ଇଚ୍ଛା କଲେ । ସେତେବେଳେ ବରପାଲୀରେ ହାଇସ୍କୁଲ ନଥିଲା । ସେ ଗଲେ ବଲାଙ୍ଗୀର । ସେଠାରେ ମାମୁଘରେ ରହି ପୃଥ୍ୱୀରାଜ ହାଇସ୍କୁଲରେ ଚାରିବର୍ଷ ପଢ଼ିଲେ, ୧୯୪୦ ଖ୍ରୀଷ୍ଟାବ୍ଦରେ ମାଟ୍ରିକ୍‌ ପରୀକ୍ଷାରେ କୃତିତ୍ୱର ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ।

 

ଶିକ୍ଷାପ୍ରତି ବଳିଷ୍ଠ ଆକର୍ଷଣ

ସେତେବେଳେ ମାଟ୍ରିକ୍‌ ପାସ୍ କରିବା କମ୍‌ କଥା ନ ଥିଲା; ମାଟ୍ରିକୁଲେଟ୍‌ଙ୍କ ପାଇଁ ଭଲ ଚାକିରି ପାଇବା ମଧ୍ୟ କଷ୍ଟ ନଥିଲା । ସମସ୍ତେ ଆଶା କରିଥିଲେ, ସେ କୌଣସି ଚାକିରିରେ ଯୋଗଦେଇ ପରିବାର ଚଳାଇବାର ଦାୟିତ୍ୱ ଗ୍ରହଣ କରିବେ; କିନ୍ତୁ ଅନ୍ୟ କୌଣସି ଚାକିରି ନକରି ଶିକ୍ଷକତା ଭଳି ପବିତ୍ର ବୃତ୍ତିକୁ ଆଦରିନେବାର ଉଦ୍ଦେଶ୍ୟ ମନରେ ରଖି ସେ କଟକ ଚାଲିଆସିଲେ । ସରକାରୀ ବୃତ୍ତିକୁ ସମ୍ୱଳକରି ସେଠାରେ ସିଟି ଟ୍ରେନିଂ ନେଲେ । ଦୁଇବର୍ଷପରେ ତାଲିମପ୍ରାପ୍ତ ଶିକ୍ଷକ ହେବାର ଯୋଗ୍ୟତା ହାସଲ କରି ଗ୍ରାମକୁ ଫେରିଲେ; ୧୯୪୩ ଖ୍ରୀଷ୍ଟାବ୍ଦରେ ବରଗଡ଼ ଜର୍ଜ ହାଇସ୍କୁଲରେ ତାଲିମପ୍ରାପ୍ତ ସହକାରୀ ଶିକ୍ଷକ ଭାବରେ ଯୋଗଦେଲେ । ତାପରେ ନିଜଗ୍ରାମ ବରପାଲୀରେ ପ୍ରତିଷ୍ଠିତ ନୂତନ ହାଇସ୍କୁଲରେ ଶିକ୍ଷକରୂପେ ଯୋଗଦେଲେ । ଗ୍ରାମବାସୀଙ୍କ ପାଇଁ ନବୀନକୁମାର ହୋଇଗଲେ ‘ନବୀନ ମାଷ୍ଟ୍ରେ’ ।

 

ବରପାଲୀ ହାଇସ୍କୁଲରେ ସେ ମାତ୍ର ଗୋଟିଏ ବର୍ଷ ଶିକ୍ଷକତା କରିଥିଲେ । ସେହି ସମୟରେ ସେ ଘରୋଇ ଭାବରେ ଆଇଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ଉଚ୍ଚଶିକ୍ଷା ଲାଭ ପାଇଁ ତାଙ୍କର ପ୍ରବଳ ଆଗ୍ରହ ଥିଲା । ତେଣୁ ସେ ଚାକିରିକାଳରେ ସଞ୍ଚିତ ଅଳ୍ପକିଛି ଅର୍ଥରେ ବିଏ ପଢ଼ିବା ଉଦ୍ଦେଶ୍ୟରେ କଟକ ଗଲେ । ସେତେବେଳେ ବରପାଲୀ ଗ୍ରାମର ଅନ୍ୟତମ ଯୋଗ୍ୟ ସନ୍ତାନ ଘନଶ୍ୟାମ ଦାଶ ରେଭେନ୍ସା କଲେଜରେ ଇତିହାସ ବିଭାଗର ମୁଖ୍ୟ ଥିଲେ । ସେ ତାଙ୍କୁ ଭେଟି ବିଏ ପଢ଼ିବାର ଅଭିଳାଷ ଜଣାଇଲେ । ବିଦ୍ୟୋତ୍ସାହୀ ପ୍ରଫେସର ଦାଶଙ୍କ ସାହାଯ୍ୟ ପାଇ ସେ ଇତିହାସ ଅନର୍ସ ସହ ବିଏ ଶ୍ରେଣୀରେ ନାମ ଲେଖାଇଲେ । ଡିଷ୍ଟିଙ୍କ୍ସନ ସହ ଇତିହାସ ଅନର୍ସରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ୧୯୪୭ ଖ୍ରୀଷ୍ଟାବ୍ଦରେ ବିଏ ପାସ୍ କଲେ ।

 

ଏତିକିରେ ସେ ସନ୍ତୁଷ୍ଟ ହୋଇପାରିଲେ ନାହିଁ । ଲକ୍ଷ୍ୟ ଥିଲା ଇତିହାସରେ ଏମ୍‌ଏ ଡିଗ୍ରୀ । ସେତେବେଳେ ଓଡ଼ିଶାରେ ଇତିହାସରେ ଏମ୍‌ଏ ଶ୍ରେଣୀ ଖୋଲିନଥିଲା । ଉତ୍କଟ ଅର୍ଥାଭାବ ଭିତରେ ବି ଦୃଢ଼ ମନୋବଳ ନେଇ ସେ ଏଲାହାବାଦ ଗଲେ ଏବଂ ଏଲାହାବାଦ ବିଶ୍ୱବିଦ୍ୟାଳୟରୁ ଏମ୍‌ଏ ଡିଗ୍ରୀ ହାସଲ କଲେ ।

 

ଓଡ଼ିଶା ଫେରିବାପରେ ତାଙ୍କୁ ସରକାର ଅନୁଗୁଳରେ ଡେପୁଟୀ କଲେକ୍ଟର ପଦରେ ନିଯୁକ୍ତି ଦେଲେ; କିନ୍ତୁ ବହୁପୂର୍ବରୁ ଜଣେ ଶିକ୍ଷାବିତ୍‌ ହେବାର ସ୍ୱପ୍ନ ଦେଖିଥିବା ନବୀନକୁମାର ଡେପୁଟୀ କଲେକ୍ଟର ପଦବୀକୁ ପ୍ରତ୍ୟାଖ୍ୟାନ କରି ଅଧ୍ୟାପକଟିଏ ହେବାକୁ ଅଧିକ ଶ୍ରେୟ ମନେକଲେ । ତେଣୁ ସେ କଟକ ଖ୍ରୀଷ୍ଟ କଲେଜରେ ଇତିହାସ ଅଧ୍ୟାପକ ଭାବରେ ଯୋଗଦେଲେ । ବର୍ଷକପରେ ଖ୍ରୀଷ୍ଟ କଲେଜ ତ୍ୟାଗକରି ସେ ସରକାରୀ ଅଧ୍ୟାପକ ଭାବରେ ଯୋଗଦେଲେ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ । ତାପରେ ପ୍ରଫେସର ଘନଶ୍ୟାମ ଦାଶଙ୍କ ସୁପାରିଶକ୍ରମେ ତାଙ୍କୁ ରେଭେନ୍ସା କଲେଜକୁ ଅଣାଗଲା । ସେତେବେଳେ ସେଠାରେ ଇତିହାସରେ ଏମ୍‌ଏ ଶ୍ରେଣୀ ଖୋଲିସାରିଥାଏ । ସେ ଯୋଗଦେବାମାତ୍ରେ ତାଙ୍କୁ ଏମ୍‌ଏ ଶ୍ରେଣୀରେ ପଢ଼ାଇବାକୁ ସୁଯୋଗ ଦିଆଗଲା । ସେ ପଢ଼ାଇଲେ ପ୍ରାଚୀନ ଭାରତ ଇତିହାସ ଓ ଓଡ଼ିଶା ଇତିହାସ । ସେ ନିଜର ବିଦ୍‌ବତ୍ତାବଳରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ପ୍ରିୟଭାଜନ ହୋଇପାରିଲେ । ସେତେବେଳେ ରାଜ୍ୟ ସରକାର ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶା-ଇତିହାସ ଅଧ୍ୟୟନ ଓ ଅଧ୍ୟାପନା ଉପରେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା ଇତିହାସ ଅଧ୍ୟୟନ କରି ଅଧ୍ୟାପନା କ୍ଷେତ୍ରରେ ଯୋଗଦେବାପାଇଁ ବହୁ ଆଗ୍ରହୀ ଛାତ୍ର ଆଗେଇଆସିଲେ ଏବଂ ଓଡ଼ିଶାଇତିହାସ ଉପରେ ଗବେଷଣା କରିବାକୁ ବହୁ ଅଧ୍ୟାପକ ତାଙ୍କପାଖରେ ଭିଡ଼ ଜମାଇଲେ । ଏତେ କମ୍‌ ବର୍ଷର ଅଭିଜ୍ଞତା ଥାଇ ବି ସେ ସର୍ବମାନ୍ୟ ଶିକ୍ଷାବିତ୍‌ର ମର୍ଯ୍ୟାଦା ଲାଭ କରିପାରିଲେ ।

 

ଇତିମଧ୍ୟରେ ସେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ହାସଲ କରିସାରିଥିଲେ । ତାଙ୍କ ସନ୍ଦର୍ଭଟି ନାମ ଥିଲା Buddhism in Orissa (ଓଡ଼ିଶାରେ ବୌଦ୍ଧଧର୍ମ) । ତାଙ୍କର ଗାଇଡ଼୍‌ ବା ତତ୍ତ୍ୱାବଧାରକ ଥିଲେ କଲିକତା ବିଶ୍ୱବିଦ୍ୟାଳୟର ସ୍ୱନାମଧନ୍ୟ ପାଲି ପ୍ରଫେସର ନଳୀନାକ୍ଷ ଦତ୍ତ । ପିଏଚଡି ଡିଗ୍ରୀ ପାଇଁ ମନୋନୀତ ଏହି ଗବେଷଣାସନ୍ଦର୍ଭଟି ଅତି ଉଚ୍ଚକୋଟୀର ଥିଲା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ୧୯୫୮ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା ।

 

୧୯୬୦ ଖ୍ରୀଷ୍ଟାବ୍ଦରୁ ୧୯୬୭ ଖ୍ରୀଷ୍ଟାବ୍ଦ ଶେଷ ପର୍ଯ୍ୟନ୍ତ ସେ ଓଡ଼ିଶାର ଗେଜେଟିୟର ସଙ୍କଳନରେ ରାଜ୍ୟ ସମ୍ପାଦକ ଭାବରେ କାର୍ଯ୍ୟରତ ଥିଲେ । ସେଠାରେ ସେ ଗେଜେଟିୟର ସଙ୍କଳନରେ ବ୍ୟସ୍ତ ରହି ମଧ୍ୟ ଡିଲିଟ୍‌ ଡିଗ୍ରୀ ଲାଭ କରିଥିଲେ । ତାଙ୍କ ସନ୍ଦର୍ଭର ଶୀର୍ଷକ ଥିଲା Role of Orissa in the History and Culture of India (ଭାରତୀୟ ଇତିହାସ ଓ ସଂସ୍କୃତିରେ ଓଡ଼ିଶାର ଭୂମିକା) ।

 

ଶିକ୍ଷାନୁଷ୍ଠାନ ସହ ପୁନଃ ସମ୍ପୃକ୍ତି

ତା’ପରେ ତାଙ୍କର ସ୍ଥାନାନ୍ତର ହେଲା ୧୯୬୭ ଖ୍ରୀଷ୍ଟାବ୍ଦରେ ନୂତନ ଭାବରେ ସ୍ଥାପିତ ସମ୍ୱଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ (Registrar)ରୂପେ । ସେ ନିଜର ନୂତନ ଦାୟିତ୍ୱ ଗ୍ରହଣ କଲେ ୧୯୬୮ ଜାନୁୟାରୀ ୧ ତାରିଖରେ । ଏହି ସଦ୍ୟଜାତ ଅନୁଷ୍ଠାନର ଦ୍ରୁତ ବିକାଶ ହୋଇପାରିଲା ତାଙ୍କ ପ୍ରଗାଢ଼ ଉଦ୍ୟମ ଫଳରେ । ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ, କାର୍ଯ୍ୟାଳୟ ନିର୍ମାଣ ଓ ସ୍ନାତକୋତ୍ତର ବିଭାଗଗୁଡ଼ିକର ପ୍ରତିଷ୍ଠାରେ ସେ ମନୋନିବେଶ କରି ସଫଳ ହେଲେ । ଦିନକୁ ଦିନ ବିଶ୍ୱବିଦ୍ୟାଳୟର କର୍ତ୍ତୃତ୍ୱାଧୀନ କଲେଜଗୁଡ଼ିକର ସଂଖ୍ୟା ବଢ଼ିବାକୁ ଲାଗିଲା । ବିଭିନ୍ନ କଲେଜରେ ଭିନ୍ନ ଭିନ୍ନ ବିଷୟରେ ଅନର୍ସ ପାଠ୍ୟକ୍ରମ ପ୍ରବର୍ତ୍ତିତ ହେଲା । ବରଗଡ଼ର ପଞ୍ଚାୟତ କଲେଜକୁ ଗୋଟିଏ ବର୍ଷରେ ନଅଟି ବିଷୟରେ ଅନର୍ସ ପାଠ୍ୟକ୍ରମର ସୁବିଧା ମିଳିଲା । ପ୍ରତ୍ୟେକ ଅନୁବନ୍ଧିତ କଲେଜ ସହିତ ତାଙ୍କର ସମ୍ପର୍କ ଖୁବ୍‌ ଭଲ ଥିଲା । କଲେଜମାନଙ୍କର ସାଂସ୍କୃତିକ ଉତ୍ସବରେ ତାଙ୍କୁ ଅତିଥିଭାବରେ ନିମନ୍ତ୍ରଣ କରାଯାଉଥିଲା । ସମସ୍ତପ୍ରକାର ପ୍ରଶାସନିକ ଦାୟିତ୍ୱରେ ବ୍ୟସ୍ତରହି ମଧ୍ୟ ସେ ସେମାନଙ୍କ କାର୍ଯକ୍ରମରେ ଯୋଗଦେବାକୁ ଭୁଲୁନଥିଲେ ଏବଂ ସମାଜରେ ଶିକ୍ଷାର ଆବଶ୍ୟକତା ବିଷୟରେ ଭାଷଣ ଦେଇ ଶିକ୍ଷାପ୍ରତି ସମସ୍ତଙ୍କୁ ଆକୃଷ୍ଟ କରୁଥିଲେ, ଶିକ୍ଷାର ବିକାଶ କରିବାପାଇଁ ଉପଦେଶ ଦେଉଥିଲେ । ଶିକ୍ଷାକ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ଆଗେଇନେବା ଦିଗରେ ସେ ଯତ୍‌ପରୋନାସ୍ତି ଚେଷ୍ଟା କରୁଥିଲେ ।

 

ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗ ଖୋଲିବା କାର୍ଯ୍ୟରେ ସେ ଲାଗିପଡ଼ିଲେ । ପ୍ରଥମେ ସେଠାରେ ରାଜନୀତିବିଜ୍ଞାନ ଓ ଓଡ଼ିଆରେ ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଚଳନ କରାଗଲା । ପରେ ପରେ ସେଠାରେ ଇତିହାସ, ଇଂରାଜୀ, ଗଣିତ, ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ ଓ ଜୀବବିଜ୍ଞାନରେ ମଧ୍ୟ ଏମ୍‌ଏ ଶ୍ରେଣୀ ଖୋଲିଲା । ଡକ୍ଟର ସାହୁ କୁଳସଚିବ ପଦରୁ ଅବ୍ୟାହତି ନେଇ ଇତିହାସ ବିଭାଗର ପ୍ରଫେସର ପଦରେ ଯୋଗଦେଲେ । ସେତେବେଳେ ଓଡ଼ିଶାର ଜଣେ ଲବ୍‌ଧପ୍ରତିଷ୍ଠ ଐତିହାସିକ ତଥା ଶିକ୍ଷାବିତ୍ ଭାବରେ ସୁଖ୍ୟାତ ଥିବାରୁ ପ୍ରଫେସର ପଦବୀ ପାଇଁ ସେ ଯୋଗ୍ୟତମ ବିବେଚିତ ହୋଇଥିଲେ । ଇତିହାସ ବିଭାଗ ସହିତ ଭାରତୀୟ ସଂସ୍କୃତି ନାମକ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିଲା । ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ହୋଇଥିବାରୁ ସେ ସମ୍ୱଲପୁର ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ଓ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ସ୍ତରକୁ ଉନ୍ନୀତ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ, ଯାହାଫଳରେ ଦେଶବିଦେଶରେ ଏହାର ଏକ ସ୍ୱତନ୍ତ୍ର ପରିଚିତି ଖୁବ୍‌ ଶୀଘ୍ର ସୃଷ୍ଟି ହୋଇପାରିଥିଲା ।

 

ଇତିହାସ ବିଭାଗର ପ୍ରଫେସର ଭାବରେ ଡକ୍ଟର ସାହୁ ଦୀର୍ଘ ଦଶବର୍ଷ (୧୯୬୯-୭୯) କାର୍ଯ୍ୟନିର୍ବାହ କରିଥିଲେ । ତାଙ୍କ ସମୟରେ ଇତିହାସ ବିଭାଗ ବିକାଶ ପଥରେ ଆଗେଇଚାଲିଲା । ମାତ୍ର ଅଳ୍ପକାଳ ମଧ୍ୟରେ ସେ ଏହାର କାର୍ଯ୍ୟ-ପରିସରକୁ ବିସ୍ତାରିତ କଲେ । ‘‘ବିଭାଗରେ ନିୟମିତ ଅଧ୍ୟାପନା ଚାଲୁଥିଲା । ପ୍ରତି ସପ୍ତାହରେ ସେମିନାର ଆହୂତ ହେଉଥିଲା ଏବଂ ପ୍ରତ୍ୟେକ ସେମିନାର ଅଧିବେଶନରେ ଡକ୍ଟର ସାହୁ ଉପସ୍ଥିତ ରହୁଥିଲେ । ସଂଗ୍ରହାଳୟ (ମିଉଜିୟମ), ଅଭିଲେଖାଗାର (ଆର୍‌କାଇଭ୍‌ସ), ପୋଥିବିଭାଗ ଏବଂ ସେମିନାର ଲାଇବ୍ରେରୀ ଇତିହାସ ବିଭାଗ ପରିବାରର ଅନ୍ତର୍ଭୁକ୍ତ ଥିଲା । ଐତିହାସିକ ବସ୍ତୁ ଓ ପ୍ରାଚୀନ ପୋଥି ସଂଗ୍ରହ କରିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଥିଲା । ବଣଭୋଜି, ବାର୍ଷିକ ଉତ୍ସବ, ଅଭିନନ୍ଦନ ଓ ବିଦାୟ ଉତ୍ସବ ଆଦି ପ୍ରତିବର୍ଷ ପାଳିତ ହେଉଥିଲା । ଇତିହାସ ବିଭାଗ ଅଧ୍ୟୟନ ଓ ଗବେଷଣାରେ ଯେପରି ନିୟୋଜିତ ରହୁଥିଲା, ସାଂସ୍କୃତିକ ଉତ୍ସବରେ ସେପରି ମୁଖରିତ ହୋଇଉଠୁଥିଲା । ଡକ୍ଟର ସାହୁ ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନଙ୍କୁ ନିଜର ସନ୍ତାନସନ୍ତତି ଭଳି ଭଲପାଉଥିଲେ ଏବଂ ଇତିହାସ ବିଭାଗକୁ ଏକ ପାରିବାରିକ ପରିବେଶରେ ସଜ୍ଜିତ କରି ରଖିଥିଲେ ।’’ (ଐତିହାସିକ ନବୀନକୁମାର, ପୃ ୨୨) । ଅଳ୍ପଦିନ ଭିତରେ ଏହି ବିଭାଗ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା ଲାଭକଲା ।

 

ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ସଂଗ୍ରହାଳୟ (Museum)ଟିଏ ସ୍ଥାପିତ ହେଲା ଡକ୍ଟର ସାହୁଙ୍କ ଆନ୍ତରିକ ପ୍ରଚେଷ୍ଟା ଯୋଗୁଁ । ନିଜେ ବୁଲିବୁଲି ଓ ସମସ୍ତ ବାଧାବିଘ୍ନକୁ ଉପେକ୍ଷାକରି ସେ ମ୍ୟୁଜିଅମ ପାଇଁ ବହୁ ଦୁର୍ଲଭ ବସ୍ତୁ ସଂଗ୍ରହ କଲେ । ମ୍ୟୁଜିଅମଟି ଖୁବ୍‌ ଶୀଘ୍ର ସ୍ୱୟଂସମ୍ପୂର୍ଣ୍ଣ ହୋଇଉଠିଲା । ଏ ସମ୍ୱନ୍ଧରେ ଅନ୍ୟତ୍ର ବିଶଦ ଆଲୋଚନା ପ୍ରଦତ୍ତ । ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍‌ ଭାବରେ ତାଙ୍କ ସୁନାମ ଦେଶବିଦେଶରେ ବ୍ୟାପିଯାଇଥିଲା । ୧୯୭୫ ଖ୍ରୀଷ୍ଟାବ୍ଦରେ ରୁଷିଆ ସରକାରଙ୍କଦ୍ୱାରା ମନୋନୀତ ହୋଇ ସେ ରୁଷିଆର କେତେକ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ । ଭାରତର ବହୁ ବିଶ୍ୱବିଦ୍ୟାଳୟ ସହିତ ସେ ସମ୍ପୃକ୍ତ ଥିଲେ । ୧୯୭୮ ଖ୍ରୀଷ୍ଟାବ୍ଦରେ ତାଙ୍କ ଉଦ୍ୟମରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଜ୍ୟୋତିବିହାର ପରିସରରେ ଓଡ଼ିଶା ଇତିହାସ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯାହାର ସଭାପତି ଥିଲେ ସେ ନିଜେ । ତାଙ୍କ ସଭାପତି-ଅଭିଭାଷଣ ବହୁ ଶିକ୍ଷଣୀୟ ଥିଲା ଏବଂ ଉପସ୍ଥିତ ଐତିହାସିକ ଓ ଗବେଷକମାନଙ୍କୁ ଆମୋଦିତ କରିଥିଲା । ସେମାନେ ଜଣେ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ୍‌ଙ୍କର ପରିଚୟ ପାଇଥିଲେ ଏହି ପାଣ୍ଡିତ୍ୟପୂର୍ଣ୍ଣ ତଥା ନୂତନ ତଥ୍ୟଭରା ଅଭିଭାଷଣରୁ ।

 

ସେତେବେଳେ ଅନେକ ଗବେଷକ ତାଙ୍କଦ୍ୱାରା ଉତ୍ସାହିତ ହୋଇ ମୌଳିକ ଗବେଷଣାରେ ଲାଗିପଡ଼ିଲେ ଏବଂ ତାଙ୍କ ତତ୍ତ୍ୱାବଧାନରେ ଗବେଷଣାସନ୍ଦର୍ଭ ପ୍ରସ୍ତୁତ କରି ଉଚ୍ଚତ୍ତର ଡିଗ୍ରୀ ଲାଭକଲେ । କେବଳ ଇତିହାସରେ ନୁହେଁ, ପ୍ରତ୍ନତତ୍ତ୍ୱ, ସାହିତ୍ୟ, ରାଜନୀତିବିଜ୍ଞାନ, ଆଇନ, ଚିତ୍ରକଳା ଇତ୍ୟାଦି ବହୁବିଧ ବିଷୟକ ଗବେଷଣାର ସେ ଥିଲେ ସୁଯୋଗ୍ୟ ମାର୍ଗଦର୍ଶକ । ବିଭିନ୍ନ ବିଷୟରେ ତାଙ୍କ ଜ୍ଞାନର ଭୂୟୋବ୍ୟାପ୍ତି ପ୍ରତି ଆକୃଷ୍ଟ ହୋଇ ତାଙ୍କ ତତ୍ତ୍ୱାବଧାନରେ ଇତିହାସ ଅଧ୍ୟାପକ ଶରତଚନ୍ଦ୍ର ବେହେରା, ଅଧ୍ୟାପକ ଯଜ୍ଞକୁମାର ସାହୁ, ଅଧ୍ୟାପକ ଚିତ୍ତରଞ୍ଜନ ମିଶ୍ର, ଅଧ୍ୟାପକ ସାଧୁଚରଣ ପଣ୍ଡା, ଅଧ୍ୟାପକ ଅଖିଳ ପଣ୍ଡା, ଓଡ଼ିଶା ସଚିବାଳୟ ସେବାନିଯୁକ୍ତ ସୁରେନ୍ଦ୍ରକୁମାର ମହାରଣା ପ୍ରମୁଖ ଗବେଷକ ଡକ୍ଟରେଟ ଡିଗ୍ରୀ ଲାଭ କରିଥିଲେ । ହିନ୍ଦୀ-ସାହିତ୍ୟରେ ଅଧ୍ୟାପକ ଅର୍ଜୁନ ଶତପଥୀ, ରାଜନୀତିବିଜ୍ଞାନରେ ଏସ୍‌କେ ଚକ୍ରବର୍ତ୍ତୀ, ଆଇନରେ ଶ୍ରଦ୍ଧାକର ସୂପକାର, ପଟ୍ଟଚିତ୍ରରେ ଜଗନ୍ନାଥପ୍ରସାଦ ଦାସ ପ୍ରମୁଖ ବହୁ ଯୋଗ୍ୟ ଗବେଷକ ତାଙ୍କ ମାର୍ଗଦର୍ଶନରେ ମଧ୍ୟ ପିଏଚଡ଼ି ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ଜଣେ ବିଦ୍ୟୋତ୍ସାହୀ ଶିକ୍ଷାବିତ୍‌ ହୋଇଥିବାରୁ ସେ ଅନ୍ୟକୁ ଅନୁପ୍ରେରିତ କରୁଥିଲେ ଓଡ଼ିଶାର ଧର୍ମ, ସଂସ୍କୃତି, ଇତିହାସ ଓ ସାହିତ୍ୟର ବିଭିନ୍ନ ବିଭାବର ଅନୁଶୀଳନ, ଅନୁଧ୍ୟାନ କରି ଏବଂ ସେ ସମ୍ୱନ୍ଧରେ କିଛି ନୂତନ ତଥ୍ୟ ଆବିଷ୍କାର କରି ଲୋକଲୋଚନକୁ ଆଣିବାପାଇଁ ।

 

ଓଡ଼ିଶାର ଜଣେ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ଓ ସମାଜସେବୀ ଲକ୍ଷ୍ମୀନାରାୟଣ ସାହୁଙ୍କୁ ସେ ଉତ୍ସାହିତ କରିଥିଲେ ଓଡ଼ିଶାରେ ଜୈନଧର୍ମ ବିଷୟରେ ଗବେଷଣାକରି ଉଚ୍ଚତ୍ତର ଡିଗ୍ରୀ ଲାଭ କରିବାକୁ । ଏହି ଅଯାଚିତ ପ୍ରେରଣା ତାଙ୍କୁ (ଲକ୍ଷ୍ମୀନାରାୟଣ ସାହୁଙ୍କୁ) ଅଭିଭୂତ କରିଥିଲା । ତେଣୁ ସେ ନିଜର ଗବେଷଣାଲବ୍‌ଧ ଜ୍ଞାନର ବିନିଯୋଗରେ ପ୍ରସ୍ତୁତ କରିଥିବା ଗବେଷଣାପୁସ୍ତକରେ ଡକ୍ଟର ସାହୁଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାଙ୍କ ଭାଷାରେ- ‘‘...କିନ୍ତୁ ଜୈନଧର୍ମ ସମ୍ୱନ୍ଧରେ ବିଶେଷ ଜ୍ଞାନଲାଭକରି ନ ଥାଏଁ । ବୌଦ୍ଧଧର୍ମପ୍ରତି ଆକୃଷ୍ଟ ହେଲି ଏବଂ ବୌଦ୍ଧଧର୍ମର କଥା ଆଲୋଚନାକରି ୩/୪ ବର୍ଷ ଧରି ଅନେକଗୁଡ଼ିଏ ପ୍ରବନ୍ଧ ଓଡ଼ିଆ ମାସିକ ପତ୍ର ‘ଉତ୍କଳସାହିତ୍ୟ’ରେ ପ୍ରକାଶ କଲି । ତାପରେ ମହାବୀରଙ୍କ ଚିନ୍ତା ହେଲା । ଓଡ଼ିଶାର ଖାରବେଳ ପ୍ରସିଦ୍ଧ ଜୈନରାଜା ଥିଲେ । କଳିଙ୍ଗରେ ଜୈନଧର୍ମ ଅତି ପ୍ରବଳ ଥିଲା । କାହିଁକି କିପରି ତାହା ଲୋପ ପାଇଲା ଏହି କଥା ଭାବୁଥାଏଁ । ଏହି ସମୟରେ ନବୀନକୁମାର ସାହୁଙ୍କ ସଙ୍ଗରେ ଦେଖାହେଲା । ମୁଁ ତାଙ୍କୁ ଜୈନଧର୍ମ ବିଷୟରେ କିଛି କହି ନାହିଁ, ହଠାତ୍‌ ସେ ଆପଣା ମନକୁ କହିଲେ ଆପଣ ଜୈନଧର୍ମ ସମ୍ୱନ୍ଧରେ ଗୋଟିଏ ଲେଖା ଲେଖୁ ନାହାନ୍ତି ଡକ୍ଟରେଟ୍‌ ପାଇଁ ? ୪/୪ଟା ଏମ୍‌ଏ ତ ହେଲେ, ଏଥର ଗୋଟିଏ ଡକ୍ଟରେଟ କରନ୍ତୁ ।

 

‘‘ତାଙ୍କରି ଉଦ୍ଦୀପନାରେ ମୁଁ ଏ Thesis ଲେଖିଛି । ଏହା ଲେଖିବାରେ ସେ ମୋତେ ପ୍ରତି ଛତ୍ରରେ ହାତଧରି ଚଳାଇଛନ୍ତି, କହିଲେ ଅତ୍ୟୁକ୍ତି ହେବନାହିଁ । ମୁଁ ପୁରୁଷକାର ଏବଂ ଦୈବ ଉଭୟରେ ବିଶ୍ୱାସ ରଖେଁ । ସୁତରାଂ ଏହା ଦୈବର ଇଙ୍ଗିତ ଭାବି ମୋର ନିଜର ପୁରୁଷକାରରେ ମୁଁ କାର୍ଯ୍ୟ କରିବାକୁ ଆରମ୍ଭ କଲି । ତା’ର ଫଳ ଏଇ Thesis ଯାହା ପିଏଚଡ଼ି ପାଇଁ ଲେଖିଥିଲି ।

 

‘‘ଏହି ଲେଖାରେ ମୁଁ ଅନେକଙ୍କଠାରୁ ସାହାଯ୍ୟ ପାଇଛି । କିନ୍ତୁ ସମସ୍ତଙ୍କର ନାମୋଲ୍ଲେଖ କରିବା ଏଠାରେ ପ୍ରୟୋଜନ ନାହିଁ । ତେବେ ମୋର ଗୁରୁ ଡକ୍ଟର ନବୀନକୁମାର ସାହୁ ମୋଠାରୁ ବୟସରେ ଢେର ତରୁଣ ହେଲେ ମଧ୍ୟ ବିଚାର ବୁଦ୍ଧି ଓ ଜ୍ଞାନରେ ମୋଠାରୁ ଏହି କ୍ଷେତ୍ରରେ ଅନେକ ବେଶୀ । ମୁଁ ତାଙ୍କର ସାହାଯ୍ୟ ଭୁଲିପାରିବି ନାହିଁ ।’’ (ଓଡ଼ିଶାରେ ଜୈନଧର୍ମ, ପ୍ରାକ୍‌କଥନ, ପୃ ୨)

 

ପତ୍ରିକା ସମ୍ପାଦନା

ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ କୁଳସଚିବ ପଦରେ ୧୯୬୮ରେ ଯୋଗଦେବାପରେ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ସେ ଏକ ଗବେଷଣାମୂଳକ ପତ୍ରିକା ପ୍ରକାଶନ ନିମନ୍ତେ ଚିନ୍ତାକଲେ । ସେହିବର୍ଷ ତାଙ୍କ ସମ୍ପାଦକତ୍ୱରେ ପ୍ରକାଶ ପାଇଲା Sambalpur University Journal of Humanities ର ପ୍ରଥମ ଭାଗ । ପରେ ବିଜ୍ଞାନବିଷୟକ ଜ୍ଞାନର ପ୍ରସାର ନିମନ୍ତେ ଏହି ପତ୍ରିକାଟି କଳା ଓ ବିଜ୍ଞାନ ଉଭୟ ବିଷୟର ପତ୍ରିକା ଭାବରେ ଦୁଇଭାଗରେ ପ୍ରକାଶ ପାଇଲା । ଏହାର ପ୍ରକାଶନ ଅବ୍ୟାହତ ଥିଲା ୧୯୭୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । ୧୯୭୨ ଜାନୁଆରୀ ପହିଲାଠାରୁ ବିଶ୍ୱବିଦ୍ୟାଳୟର ମୁଖପତ୍ର ‘ସପ୍ତର୍ଷି’ର ଅଭ୍ୟୁଦୟ ହେଲା । ଏହାକୁ ଏକ ଉନ୍ନତମାନର ସାହିତ୍ୟପତ୍ରିକାର ମର୍ଯ୍ୟାଦା ଦେବାକୁ ସେ ଚେଷ୍ଟାକଲେ । ଏହାର ପ୍ରକାଶନ ସହିତ ତାଙ୍କର ନିବିଡ଼ ସମ୍ପୃକ୍ତି ଥିଲା ଓ ସେ ମଧ୍ୟ ଏହାର ଅନ୍ୟତମ ସମ୍ପାଦକ ଥିଲେ । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଫଳରେ ଏହା ଏକ ଉଚ୍ଚକୋଟୀର ପତ୍ରିକା ଭାବରେ ଗଣ୍ୟ ହେଲା । ଫଳରେ Sambalpur University Journal ପ୍ରତି ସେ ଅଧିକ ଦୃଷ୍ଟି ଦେଇପାରିଲେ ନାହିଁ ଓ ଏହି କାରଣରୁ ଏହାର ପ୍ରକାଶନ 3ବନ୍ଦ ହୋଇଗଲା ।

 

ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ମଧ୍ୟ ଏକ ସାମୟିକ ଗବେଷଣାପତ୍ରିକା ପ୍ରକାଶ ପାଇଲା । ଏହାର ନାମ ରଖାଗଲା New Aspects of History of Orissa ଓ ଡକ୍ଟର ସାହୁ ନିଜେ ଏହାର ସମ୍ପାଦନା ଦାୟିତ୍ୱରେ ରହିଲେ । ଅତୀତର ତମସାଚ୍ଛନ୍ନ ଅତଳ ଗହ୍ୱରରୁ ସଂଗୃହୀତ ଐତିହାସିକ ତଥ୍ୟରାଜିରେ ଏହି ପତ୍ରିକାର କଳେବର ସମୃଦ୍ଧ ହେଉଥିଲା, ଯାହାଫଳରେ ଏହାର ଚାହିଦା ଖୁବ୍‌ ଶୀଘ୍ର ବଢ଼ିବାକୁ ଲାଗିଲା ।

 

ଭାରତୀୟ ସଂସ୍କୃତି ବିଭାଗର ପରିକଳ୍ପନା

Department of Indian Culture (ଭାରତୀୟ ସଂସ୍କୃତି ବିଭାଗ) ନାମରେ ଏକ ବିଭାଗ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇ ପ୍ରଥମେ ତାହାକୁ ଇତିହାସ ବିଭାଗ ସହିତ ରଖାଯାଇଥିଲା । ପରେ ତାହାକୁ ଏକ ସ୍ୱତନ୍ତ୍ର ବିଭାଗ ଭାବରେ ଉଭା କରାଇବାକୁ ସେ ସ୍ୱପ୍ନ ଦେଖିଥିଲେ । ‘‘ଅଭିଲେଖ, ପ୍ରାଚୀନ ମୁଦ୍ରା, କଳା-ସ୍ଥାପତ୍ୟ, ଧର୍ମ-ଦର୍ଶନ ପ୍ରଭୃତି ବିଭିନ୍ନ ସାଂସ୍କୃତିକ ବିଷୟର ସନ୍ନିବେଶରେ ଏଥିପାଇଁ ଏକ ପୂର୍ଣ୍ଣାଙ୍ଗ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଥିଲା ଏବଂ ୟୁଜିସିର ଅନୁମୋଦନକ୍ରମେ ଏହି ବିଭାଗ ୧୯୭୮ରୁ ଯଥାରୀତି ଉଦ୍‌ଘାଟିତ ହେଲା । ଏକ ସ୍ୱତନ୍ତ୍ର ବିଭାଗ ହେଲେ ମଧ୍ୟ ଏହା ଅୟମାରମ୍ଭରେ ଇତିହାସ ବିଭାଗ ସହିତ ସମ୍ମିଳିତ ହୋଇ ରହିଥିଲା ଏବଂ ଡକ୍ଟର ସାହୁ ଉଭୟ ବିଭାଗର ମୁଖ୍ୟ ଥିଲେ । ପାଲି, ସଂସ୍କୃତ ପ୍ରଭୃତି ପଢ଼ାଇବାପାଇଁ ପ୍ରବୀଣ ଅଧ୍ୟାପକମାନଙ୍କୁ ସାମୟିକଭାବେ ନିୟୋଜିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ଅଧୀନ କଲେଜମାନଙ୍କରେ +୨ ଓ ବିଏ ସ୍ତରରେ ଭାରତୀୟ ସଂସ୍କୃତି ନାମରେ ଏକ ସ୍ୱତନ୍ତ୍ର ବିଷୟ ଆରମ୍ଭ କରିବାପାଇଁ ଉଦ୍ୟମ ହେଲା ଏବଂ ଏଥିପାଇଁ ପାଠ୍ୟକ୍ରମ ମଧ୍ୟ ପ୍ରସ୍ତୁତ ହୋଇସାରିଥିଲା । ଡକ୍ଟର ସାହୁ ନିଶ୍ଚିତ ଥିଲେ ଯେ ଅଳ୍ପକାଳ ମଧ୍ୟରେ ଏହି ବିଭାଗ ଇତିହାସ ବିଭାଗରୁ ସ୍ୱତନ୍ତ୍ର ହୋଇ ଠିଆ ହେବ ଏବଂ ନାଟ୍ୟଶାସ୍ତ୍ର, ସଙ୍ଗୀତଶାସ୍ତ୍ର ପ୍ରଭୃତି ଅନେକ ନୂତନ ବିଷୟ ଏହାର ପାଠ୍ୟକ୍ରମରେ ସନ୍ନିବେଶିତ ହୋଇ ଭାରତର ଏକ ଆଦର୍ଶ ବିଶ୍ୱବିଦ୍ୟାଳୟ ବିଭାଗରୂପେ ପ୍ରତିଷ୍ଠିତ ହେବ । x x x ଭାରତୀୟ ସଂସ୍କୃତି ବିଭାଗର ପ୍ରତିଷ୍ଠା ଓ ପରିବୃଦ୍ଧି ପାଇଁ ଡକ୍ଟର ସାହୁଙ୍କୁ ରୀତିମତ ସଂଗ୍ରାମ କରିବାକୁ ପଡ଼ିଥିଲା । ଏହି ବିଭାଗକୁ ସେ ଜୀବନର ସାଧନା ବୋଲି ମନେକରୁଥିଲେ । ଏହି ପାଠ୍ୟକ୍ରମରେ ପରୀକ୍ଷାଦେଇ ଛାତ୍ରଛାତ୍ରୀଗଣ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିସାରିଥିଲେ ।’’ (ପ୍ରଫେସର ନବୀନକୁମାର ସାହୁ, ପୃ ୩୫-୩୬) କିନ୍ତୁ ଡକ୍ଟର ସାହୁ ବିଶ୍ୱବିଦ୍ୟାଳୟରୁ ବିଦାୟ ନେଲାପରେ ଏହି ବିଭାଗର ସତ୍ତା ଲୋପ ପାଇଗଲା, ତାଙ୍କ ସ୍ୱପ୍ନ ଧୂଳିସାତ୍‌ ହୋଇଗଲା ।

 

ପାଠ୍ୟପୁସ୍ତକ ପ୍ରଣୟନ

ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ଓ ଐତିହାସିକର ପ୍ରସିଦ୍ଧି ଦୃଷ୍ଟିରୁ କଟକର ‘ନାଳନ୍ଦା’ ପୁସ୍ତକ ପ୍ରକାଶନ ସଂସ୍ଥା ତରଫରୁ ତାଙ୍କୁ ପାଠ୍ୟପୁସ୍ତକ ରଚନା ପାଇଁ ଅନୁରୋଧ କରାଗଲା । ଫଳରେ ତାଙ୍କଦ୍ୱାରା ‘ପୃଥିବୀ ଇତିହାସ’ ଲେଖାଗଲା । ଏହି କାର୍ଯ୍ୟରେ ଡକ୍ଟର ଯଜ୍ଞକୁମାର ସାହୁ ଓ ଡକ୍ଟର ପ୍ରବୋଧକୁମାର ମିଶ୍ର ତାଙ୍କ ସହିତ ଯୋଗଦେଲେ । ପାଠ୍ୟପୁସ୍ତକଟି +୨ ଶ୍ରେଣୀ ନିମନ୍ତେ ଉଦ୍ଦିଷ୍ଟ ଥିଲା । ପରେ ପରେ ତିନିଜଣଙ୍କଦ୍ୱାରା ଇଂରାଜୀରେ ରଚିତ ହେଲା A History of Orissa । ଏହାକୁ ମଧ୍ୟ ନାଳନ୍ଦା ପ୍ରକାଶନ ସଂସ୍ଥା ପ୍ରକାଶ କଲା ୧୯୭୮ରେ । ପ୍ରାଚୀନକାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଓଡ଼ିଶାର ତଥ୍ୟମୂଳକ ଇତିହାସ ଭାବରେ ଏହା ଥିଲା ପ୍ରଥମ ପ୍ରକାଶିତ ଇତିହାସବିଷୟକ ପାଠ୍ୟପୁସ୍ତକ । ଏହା ଏବେ ବି କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ବେଶ୍ ଆଦୃତ । ଏହାପୂର୍ବରୁ ୧୯୭୫ରେ ସେ ‘ଇଂଲଣ୍ଡ ଇତିହାସ’ ନାମକ ଏକ ପାଠ୍ୟପୁସ୍ତକ ମଧ୍ୟ ରଚନା କରିଥିଲେ । ସେ ବିଦ୍ୟାଳୟର ଛାତ୍ରମାନଙ୍କପାଇଁ ମଧ୍ୟ ପାଠ୍ୟପୁସ୍ତକ ପ୍ରଣୟନ କରିଥିଲେ । ଯାହା ମନେପଡ଼େ, ଏଇ ଲେଖକ ବିଦ୍ୟାଳୟ ସ୍ତରରେ କୌଣସି ଏକ ଶ୍ରେଣୀରେ ତାଙ୍କ ଲିଖିତ ଇତିହାସ ପୁସ୍ତକ ଅଧ୍ୟୟନ କରୁଥିଲା । ଏହିସବୁ ପାଠ୍ୟପୁସ୍ତକ ବ୍ୟତୀତ ଇତିହାସ ଓ ସଂସ୍କୃତିବିଷୟକ ଆଉ କେତୋଟି ଗ୍ରନ୍ଥର ମଧ୍ୟ ସେ ସୁଯୋଗ୍ୟ ପ୍ରଣେତା ।

 

ଜଣେ ଉତ୍ତମ ଶିକ୍ଷାବିତ୍‌ର ସମସ୍ତ ଗୁଣରେ ସେ ଭୂଷିତ ଥିଲେ ଏବଂ ଜଣେ ସର୍ବମାନ୍ୟ ଶିକ୍ଷାବିତ୍‌ର ଗୌରବ ଲାଭ କରିଥିଲେ । ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଗଭୀର ଅଧ୍ୟବସାୟବଳରେ ବିଶ୍ୱବିଦ୍ୟାଳୟର କୁଳପତିପଦ ମଣ୍ଡନକରି, ଅର୍ଥାତ୍‌ ଶିକ୍ଷାକ୍ଷେତ୍ରରେ ସର୍ବୋଚ୍ଚ ପଦରେ ଅଧିଷ୍ଠିତହୋଇ ସେ ଏକ ଦୃଷ୍ଟାନ୍ତ ରଖିଯାଇଛନ୍ତି । ନିଜର ବିଦ୍‌ବତ୍ତା ଓ ଅଧ୍ୟୟନରତ ଦକ୍ଷତା ପାଇଁ ସେ ଜଣେ ଛାତ୍ରପ୍ରିୟ ଶିକ୍ଷକ ହୋଇପାରିଥିଲେ, ଶିକ୍ଷାର ପ୍ରସାର ନିମନ୍ତେ ବିଦ୍ୟାଳୟ ସ୍ଥାପନଠାରୁ ଆରମ୍ଭକରି ନୂତନ ପ୍ରତିଷ୍ଠିତ ଏକ ବିଶ୍ୱବିଦ୍ୟାଳୟର କର୍ଣ୍ଣଧାର ଥିଲେ ଏବଂ ନିଜର କର୍ମକୁଶଳତାଦ୍ୱାରା ସେହି ନୂତନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଉତ୍କର୍ଷର ଶୀର୍ଷରେ ପହଞ୍ଚାଇପାରିଥିଲେ । ଜଣେ ଶିକ୍ଷାବିତ୍‌ ପକ୍ଷରେ ଏହାଠାରୁ ଅଧିକ କ’ଣ ସମ୍ଭବ ହୋଇପାରେ ? ଏ ଦୃଷ୍ଟିରୁ ଡକ୍ଟର ସାହୁ ବାସ୍ତବରେ ଥିଲେ ସର୍ବଗୁଣସମ୍ପନ୍ନ ଜଣେ ଶିକ୍ଷାପ୍ରେମୀ, ଛାତ୍ରପ୍ରେମୀ ଓ ସର୍ବୋପରି ସର୍ବମାନ୍ୟ ଶିକ୍ଷାବିତ୍‌ ।

 

***

 

Unknown

ଐତିହାସିକ ନବୀନକୁମାର

 

ଡକ୍ଟର ନବୀନକୁମାର ସାହୁ ଜଣେ ବିଶିଷ୍ଟ ଶିକ୍ଷାବିତ୍‌, ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍‌, ସାହିତ୍ୟିକ ଓ ସଙ୍ଗଠକ ଭାବରେ ପରିଚିତ ଥିଲେହେଁ ଓଡ଼ିଶା ଇତିହାସର ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ସେ ଯେଉଁ ଅଲିଭା ପଦଚିହ୍ନ ରଖିଯାଇଛନ୍ତି, ସେଥିପାଇଁ ତାଙ୍କର ଅନ୍ୟାନ୍ୟ ପରିଚୟ ଅପେକ୍ଷା ଐତିହାସିକର ପରିଚୟଟି ଅଧିକ ଉଦ୍ଦୀପ୍ତ । ଇତିହାସପ୍ରତି ଗଭୀର ଅନୁରକ୍ତି ତାଙ୍କୁ ତତ୍କାଳୀନ ସମ୍ବଲପୁର ଜିଲାର ଏକ ଅଖ୍ୟାତ ପଲ୍ଲୀ ବରପାଲୀରୁ କଟକ ସହରକୁ ଟାଣିଆଣିଥିଲା । ରେଭେନ୍ସା କଲେଜରେ ଇତିହାସ ଅନର୍ସ ସହିତ ବିଏ ପଢ଼ିବାକୁ । ଘୋର ଆର୍ଥିକ ଦୁଃସ୍ଥିତିକୁ ଖାତିର ନକରି ଦୃଢ଼ ମନୋବଳ ନେଇ ସେ ରେଭେନ୍ସାରୁ ଇତିହାସରେ ବିଏ ଓ ଏଲାହାବାଦ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍‌ଏ ଡିଗ୍ରୀ ଲାଭକଲେ ।

 

ଇତିହାସ ଅଧ୍ୟାପନା

ଏଲାହାବାଦରୁ ଫେରି ସେ ଓଡ଼ିଶାରେ କୌଣସି ଏକ କଲେଜରେ ଅଧ୍ୟାପକ ହେବାକୁ ଇଚ୍ଛା ପୋଷଣ କରିଥିଲେ । ଯୋଗକୁ କଟକର ଖ୍ରୀଷ୍ଟ କଲେଜରେ ତାଙ୍କୁ ଇତିହାସ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଗଲା । ସେ ସେଠାରେ ଯୋଗଦେଲେ । ଏହି ସମୟରେ ଓଡ଼ିଶା ସରକାର ତାଙ୍କୁ ଅନୁଗୁଳରେ ଡେପୁଟୀ କଲେକ୍ଟର ଭାବରେ ନିଯୁକ୍ତ କଲେ; କିନ୍ତୁ ସେ ଶିକ୍ଷାଦାନ ଭଳି ମହତ୍‌ କାର୍ଯ୍ୟକୁ ଆପଣେଇନେଲେ । ତା’ପରେ ସେ ଅବସ୍ଥାପିତ ହେଲେ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ । ତାହା ଏକ ସରକାରୀ କଲେଜ ହୋଇଥିବାରୁ ସେଠାରେ ସେ ଅବିଳମ୍ବେ ଯୋଗଦେଲେ ।

 

ତାଙ୍କ ପାଣ୍ଡିତ୍ୟ ଏବଂ ଇତିହାସ ପଠନ ଓ ପାଠନରେ ଦକ୍ଷତା ବିଷୟରେ ପ୍ରଫେସର ଘନଶ୍ୟାମ ଦାଶ ଭଲଭାବରେ ଜାଣିଥିଲେ । ତେଣୁ ସେ ଚେଷ୍ଟାକରି ତାଙ୍କୁ ରେଭେନ୍ସା ମହାବିଦ୍ୟାଳୟକୁ ଅଧ୍ୟାପକ ଭାବରେ ବଦଳି କରିଆଣିଲେ । ସେତେବେଳେ ରେଭେନ୍ସା ମହାବିଦ୍ୟାଳୟରେ ଇତିହାସରେ ସ୍ନାତକୋତ୍ତର (ଏମ୍‌ଏ) ପାଠ୍ୟକ୍ରମ ଆରମ୍ଭ ହୋଇସାରିଥିଲା । ଦୁଇ ପ୍ରଖ୍ୟାତ ଐତିହାସିକ ଡକ୍ଟର ମନ୍ମଥନାଥ ଦାସ ଓ ପ୍ରଫେସର୍‌ ପ୍ରଭାତ ମୁଖାର୍ଜୀ ସ୍ନାତକୋତ୍ତର ଶ୍ରେଣୀରେ ଶିକ୍ଷାଦାନ କରୁଥିଲେ; କିନ୍ତୁ ପ୍ରାଚୀନ ଭାରତ ଓ ପ୍ରାଚୀନ ଓଡ଼ିଶାବିଷୟକ ଶିକ୍ଷାଦାନ ପାଇଁ କେହି ଯୋଗ୍ୟ ଅଧ୍ୟାପକ ମିଳୁନଥିଲେ । ସେହି ଉଦ୍ଦେଶ୍ୟରେ ତାଙ୍କୁ ସେଠାକୁ ଅଣାଯାଇଥିଲା-। ସ୍ନାତକୋତ୍ତର ଶ୍ରେଣୀରେ ଏହି ବିଷୟ ପଢ଼ାଇବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଗଲା । ଅଳ୍ପଦିନ ମଧ୍ୟରେ ସେ ଜଣେ ଯୋଗ୍ୟ ଓ ପ୍ରତିଭାବାନ୍ ଅଧ୍ୟାପକ ଭାବରେ ଛାତ୍ର ଓ ସହକର୍ମୀମାନଙ୍କର ପ୍ରିୟପାତ୍ର ହୋଇପାରିଲେ ।

 

ରେଭେନ୍ସା କଲେଜରେ ୧୯୫୪ ଖ୍ରୀଷ୍ଟାବ୍ଦରୁ ୧୯୬୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଅଧ୍ୟାପନା କରିବାପରେ State Gazetteerର Editor ଭାବରେ ସେ ଭୁବନେଶ୍ୱରରେ ଅବସ୍ଥାପିତ ହେଲେ । ସେଠାରେ ସେ ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନ ବୁଲି ତଥ୍ୟମାନ ସଂଗ୍ରହ କରିଥିଲେ ଗେଜେଟିୟର ସମ୍ପାଦନା ନିମନ୍ତେ । ଏହିସବୁ ତଥ୍ୟଗୁଡ଼ିକ ମଧ୍ୟରେ ଅନେକ ଐତିହାସିକ ତଥ୍ୟ ରହିଥିଲା, ଯାହା ତାଙ୍କୁ ପରବର୍ତ୍ତୀ କାଳରେ ଇତିହାସ କ୍ଷେତ୍ରରେ ଗବେଷଣା ନିମନ୍ତେ ପ୍ରରଣା ଯୋଗାଇଥିଲା । ତା’ପରେ ତାଙ୍କୁ ଅବସ୍ଥାପିତ କରାଗଲା ନୂତନ ପ୍ରତିଷ୍ଠିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଭାବରେ । ସେହି ପଦରେ ସେ ଯୋଗଦେଲେ ୧୯୬୮ ଜାନୁଆରୀ ୧ ତାରିଖରେ । କୁଳସଚିବ ଭାବରେ ମାତ୍ର ଏକବର୍ଷ ଏଗାର ମାସ କାର୍ଯ୍ୟ ତୁଲାଇବା ପରେ ସେହି ବିଶ୍ୱବିଦ୍ୟାଳୟରେ ଉପାଧ୍ୟୁତ୍ତର ଇତିହାସ ବିଭାଗ ପ୍ରତିଷ୍ଠା କରାଗଲା ଏବଂ ସେ ଇତିହାସ ବିଭାଗର ପ୍ରଥମ ପ୍ରଫେସର ଭାବରେ ନିଯୁକ୍ତି ପାଇଲେ । ରେଭେନ୍ସା କଲେଜ ଛାଡ଼ିବାର ପ୍ରାୟ ଆଠବର୍ଷ (୧୯୬୦-୧୯୬୮) ପରେ ସେ ପୁନଶ୍ଚ ଫେରିଲେ ଅଧ୍ୟାପନା କ୍ଷେତ୍ରକୁ ।

 

ନବପ୍ରତିଷ୍ଠିତ ଇତିହାସ ବିଭାଗରେ ପ୍ରଫେସର ଭାବରେ ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଲା । ପ୍ରଥମେ ବିଭାଗ ପାଇଁ ନୂତନ ପାଠ୍ୟଖସଡ଼ା ପ୍ରସ୍ତୁତ ହେଲା । ତଦନୁଯାୟୀ ଅଧ୍ୟାପନା ଆରମ୍ଭ ହେଲା । ଅଧ୍ୟାପନା କ୍ଷେତ୍ରରେ ଯେପରି ସାମାନ୍ୟ ତ୍ରୁଟିବିଚ୍ୟୁତି ନଘଟେ ସେଥିପ୍ରତି ସେ ସଦା ସଚେତନ ଥିଲେ । ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ଇତିହାସ ସମ୍ବନ୍ଧରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଇତିହାସ, ଧର୍ମ, ସଂସ୍କୃତି, ସାହିତ୍ୟ ଇତ୍ୟାଦିରେ ଅନର୍ଗଳ ସାରଗର୍ଭକ ଆଲୋଚନାକରି ଓ ଭାଷଣ ପ୍ରଦାନକରି ସେ ବି ବିଦାର୍ଥୀ ଓ ଶ୍ରୋତମଣ୍ଡଳୀକୁ ମନ୍ତ୍ରମୁଗ୍‌ଧ କରିପାରୁଥିଲେ । ସେ ଭାରତୀୟ ସଂସ୍କୃତି ବିଭାଗ (Department of Indian Calture) ନାମରେ ଏକ ସ୍ୱତନ୍ତ୍ର ବିଭାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା କରିବାକୁ ଚେଷ୍ଟାକରି ସଫଳ ହୋଇଥିଲେ; ଏ-ସମ୍ପର୍କୀୟ ଏକ ପୂର୍ଣ୍ଣାଙ୍ଗ ପାଠ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରିଥିଲେ । ଏହି ପାଠ୍ୟକ୍ରମରେ ପରୀକ୍ଷାଦେଇ ଛାତ୍ରଛାତ୍ରୀ ସ୍ନାତକୋତ୍ତର ଡିଗ୍ରୀ ଲାଭକରିସାରିଥିଲେହେଁ ଆବଶ୍ୟକ ଯତ୍ନ ଓ ସଦ୍ଦିଚ୍ଛା ଅଭାବରୁ ଏ ବିଭାଗଟି ସମୟକ୍ରମେ ଲୋପପାଇଗଲା । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଜଣେ ବିଶିଷ୍ଟ ଐତିହାସିକ ଓ ପ୍ରଫେସର ଭାବରେ ବହୁସୁନାମର ଅଧିକାରୀ ଥିଲେ ।

 

ଐତିହାସିକ ଗବେଷଣା

ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ କାର୍ଯ୍ୟରତ ଥିଲାବେଳେ ସେ ଇତିହାସରେ ଗବେଷଣା କରିବାକୁ ମନ ବଳାଇଲେ । ବିଷୟ ବାଛିଲେ- Buddhisam in Orissa (ଓଡ଼ିଶାରେ ବୌଦ୍ଧଧର୍ମ) । ତାଙ୍କର ଗାଇଡ଼୍‌ ବା ତତ୍ତ୍ୱାବଧାରକ ଥିଲେ କଲିକତା ବିଶ୍ୱବିଦ୍ୟାଳୟର ସୁପରିଚିତ ପାଲି ପ୍ରଫେସର ନଳୀନାକ୍ଷ ଦତ୍ତ । ଗବେଷଣା କାର୍ଯ୍ୟରେ ସେ ଓଡ଼ିଶାର ବିଭିନ୍ନ ସ୍ଥାନ ପରିଭ୍ରମଣ କଲେ, ବିଭିନ୍ନ ଗ୍ରନ୍ଥାଗାରର ସାହାଯ୍ୟ ମଧ୍ୟ ନେଲେ । ଓଡ଼ିଶା ବାହାରର କେତେକ ଗ୍ରନ୍ଥଗାର ମଧ୍ୟ ତାଙ୍କ ଗବେଷଣାକାର୍ଯ୍ୟରେ ସହାୟକ ହୋଇଥିଲା । ଦୀର୍ଘ ପାଞ୍ଚ-ଛଅ ବର୍ଷର ଅଧ୍ୟବସାୟ ତାଙ୍କୁ ସଫଳତା ଦେଲା ୧୯୫୪ ଖ୍ରୀଷ୍ଟାବ୍ଦରେ, ଯେତେବେଳେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ନିଜର ଗବେଷଣାପ୍ରସୂତ ମହାନିବନ୍ଧ Buddhism in Orissa ପାଇଁ ପିଏଚଡ଼ି ଡିଗ୍ରୀ ଲାଭକଲେ । ଏହି ଗ୍ରନ୍ଥଟି ୧୯୫୮ ଖ୍ରୀଷ୍ଟାବ୍ଦରେ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶ ପାଇଲା । ଏହା ଥିଲା ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ପୁସ୍ତକଗୁଡ଼ିକ ମଧ୍ୟରେ ଏକ ମର୍ଯ୍ୟାଦାବନ୍ତ ପ୍ରକାଶନ ଏବଂ ଦେଶବିଦେଶରେ ବହୁଳଭାବେ ଆଦୃତ ଏକ ବିଶିଷ୍ଟ ଗ୍ରନ୍ଥ । ଏହା ଓଡ଼ିଶାରେ ବୌଦ୍ଧଧର୍ମ ବିକାଶସମ୍ବନ୍ଧୀୟ ଏକ ପ୍ରାମାଣିକ ଐତିହାସିକ ଦଲିଲ୍‌ରୂପେ ଆଜିପର୍ଯ୍ୟନ୍ତ ଗୃହୀତ ହୋଇଆସୁଅଛି ।

 

ଗବେଷଣାପ୍ରତି ଆଗ୍ରହ ଓ ଜଣେ ଗବେଷକର ସମସ୍ତ ସୁଗୁଣ ତାଙ୍କୁ ଐତିହାସିକ ଗବେଷଣାକ୍ଷେତ୍ରରେ ଏକ ଆଦର୍ଶ ସ୍ଥାନର ଅଧିକାରୀ କରିଥିଲା । ଓଡ଼ିଶା ଗେଜେଟିୟର ସମ୍ପାଦନା କାଳରେ ସେ Utkal University History of Orissa, Vol.I ର ରଚନାରେ ମନୋନିବେଶ କରିଥିଲେ । ଏହି ସମୟରେ ସେ ଶୁଣିବାକୁ ପାଇଲେ ଯେ ତାଙ୍କର ବନ୍ଧୁ ଡକ୍ଟର ମନ୍ମଥନାଥ ଦାସ ଗବେଷଣା କ୍ଷେତ୍ରରେ ସର୍ବୋଚ୍ଚ ଡିଲିଟ୍‌ ଡିଗ୍ରୀ ଲାଗି ସନ୍ଦର୍ଭ ପ୍ରସ୍ତୁତ କରୁଛନ୍ତି । ତାଙ୍କର ମଧ୍ୟ ଇଚ୍ଛାହେଲା ଡିଲିଟ୍‌ ଡିଗ୍ରୀ ଲାଭ ଉଦ୍ଦେଶ୍ୟରେ କାମ ଆରମ୍ଭ କରିବାପାଇଁ; ଏ କାମରେ ସେ ଲାଗିପଡ଼ଲେ । ଓଡ଼ିଶା ଇତିହାସର ପ୍ରଥମ ଭାଗ ପାଇଁ ସଂଗ୍ରହ କରିଥିବା ତଥ୍ୟରାଜିକୁ ଭିନ୍ନରୂପରେ ସଜାଇ ଓ ସେଥିରେ ଆବଶ୍ୟକତା ମୁତାବକ ନୂତନ ତଥ୍ୟମାନ ସଂଯୋଗକରି ପ୍ରସ୍ତୁତ କଲେ ସନ୍ଦର୍ଭ Role of Orissa in the History and Culture of india । ଏଇଟି ନୂତନ ତଥ୍ୟରାଜିରେ ପୂର୍ଣ୍ଣ ଥିଲା ଏବଂ ପ୍ରାଚୀନ ଓଡ଼ିଶାର ଇତିହାସ ଓ ସଂସ୍କୃତିର ଏକ ନୂତନ ଦିଗ ଉନ୍ମୋଚନ କରିଥିଲା । ଏଇଟି ବିଦ୍ୱାନ୍ ପରୀକ୍ଷକଗଣଙ୍କଦ୍ୱାରା ଉଚ୍ଚପ୍ରଶଂସିତ ହୋଇଥିଲା ଓ ୧୯୬୪ ଖ୍ରୀଷ୍ଟାବ୍ଦରେ ତାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ଡିଲିଟ୍‌ ଡିଗ୍ରୀରେ ଭୂଷିତ କରାଇଥିଲା । ଦୁଃଖର କଥା, ଏଇ ସନ୍ଦର୍ଭଟି ପ୍ରକାଶିତ ହୋଇନଥିବାରୁ ସମୟକ୍ରମେ ଲୁପ୍ତ ହୋଇଗଲା ।

 

ଗବେଷଣା ତାଙ୍କ ଜୀବନର କେବଳ ଏକ ଲକ୍ଷ୍ୟ ନଥିଲା, ତାହା ଥିଲା ତାଙ୍କ ଜୀବନଶୈଳୀ । ତେଣୁ ସେ ନିଜେ କେବଳ ଗବେଷଣା କରୁନଥିଲେ, ଅନ୍ୟକୁ ଗବେଷଣା କରିବାକୁ ଅନୁପ୍ରେରିତ କରୁଥିଲେ । ତାଙ୍କଦ୍ୱାରା ଉତ୍ସାହିତ ହୋଇ କେତେଜଣ ଅନୁସନ୍ଧିତ୍ସୁ ତରୁଣ ଓ ବୟସ୍କ ବ୍ୟକ୍ତି ତାଙ୍କ ତତ୍ତ୍ୱାବଧାନରେ ଗବେଷଣାକରି ଉଚ୍ଚତ୍ତର ଡିଗ୍ରୀପ୍ରାପ୍ତ ହୋଇଥିଲେ । ସେମାନଙ୍କ ଗବେଷଣାର ଭୂମି ପୁଣି ବିବିଧ । କେବଳ ଇତିହାସରେ ନୁହେଁ, ପତ୍ନତତ୍ତ୍ୱ, ଆଇନବିଦ୍ୟା, ରାଜନୀତିବିଜ୍ଞାନ, ସାହିତ୍ୟ, ଚିତ୍ରକଳା ଇତ୍ୟାଦି ବିଷୟରେ ମଧ୍ୟ ସେମାନେ ତାଙ୍କ ମାର୍ଗଦର୍ଶନରେ ସନ୍ଦର୍ଭମାନ ପ୍ରସ୍ତୁତକରି ଡକ୍ଟରେଟ୍‌ ଲାଭ କରିଥିଲେ । ପୂର୍ବରୁ ଏ ବିଷୟରେ ଆଲୋଚନା କରାଯାଇଥିଲେ ବି ପ୍ରସଙ୍ଗ ଅନୁରୋଧରେ ଏଠାରେ ତାହାର ସଂକ୍ଷିପ୍ତ ସୂଚନା ଦିଆଯାଇପାରେ । ଆଇନବିଦ୍ୟାରେ ଶ୍ରଦ୍ଧାକର ସୂପକାର, ପ୍ରତ୍ନତତ୍ତ୍ୱରେ ଅର୍ଜୁନ ଯୋଷୀ, ଇତିହାସରେ ଶରତଚନ୍ଦ୍ର ବେହେରା, ଯଜ୍ଞକୁମାର ସାହୁ, ଚିତ୍ତରଞ୍ଜନ ମିଶ୍ର, ସାଧୁଚରଣ ପଣ୍ଡା ଅଖିଳ କୁମାର ପଣ୍ଡା ଓ ସୁରେନ୍ଦ୍ରକୁମାର ମହାରଣା, ରାଜନୀତିବିଜ୍ଞାନରେ ଏସ୍‌କେ ଚକ୍ରବର୍ତ୍ତୀ, ହିନ୍ଦିସାହିତ୍ୟରେ ଅର୍ଜୁନ ଶତପଥୀ, ଚିତ୍ରକଳାରେ ଜଗନ୍ନାଥପ୍ରସାଦ ଦାସ ପ୍ରମୁଖ ଗବେଷକଗଣ ତାଙ୍କ ସହାୟତାରେ ପିଏଚ୍‌ଡ଼ି ଡିଗ୍ରୀ (ଡକ୍ଟରେଟ୍‌) ପାଇବାର ସୌଭାଗ୍ୟ ଲାଭକରିଥିଲେ । ପବିତ୍ରମୋହନ ନାୟକ, ଚନ୍ଦ୍ରଭାନୁ ପଟେଲ, ବୁଦ୍ଧଦେବ ପଣ୍ଡା, ଉଦ୍ଧବଚରଣ ନାୟକ ପ୍ରମୁଖ ଆଉ କେତେଜଣ ଗବେଷକ ତାଙ୍କ ମାର୍ଗଦର୍ଶନରେ ଗବେଷଣା କରିବା ନିମନ୍ତେ ବିଶ୍ୱବିଦ୍ୟାଳୟରୁ ସ୍ୱୀକୃତିପ୍ରାପ୍ତ ହୋଇଥିଲେହେଁ ଏବଂ ଗବେଷଣା କାର୍ଯ୍ୟ ଆରମ୍ଭକରି ବହୁଦୂର ଆଗେଇଯାଇଥିଲେହେଁ ତାଙ୍କର ଅକାଳ ବିୟୋଗ ଯୋଗୁଁ ସେମାନଙ୍କୁ ଶେଷ ମୁହୂର୍ତ୍ତରେ ମାର୍ଗଦର୍ଶକ ବଦଳାଇବାକୁ ପଡ଼ିଥିଲା ।

 

ଐତିହାସିକ ଅଭିଭାଷଣ

ସେ କେବଳ ଇତିହାସରେ ଗବେଷଣାକରି ନିଜେ ସର୍ବୋଚ୍ଚ ଡିଗ୍ରୀ ପାଇନାହାନ୍ତି ବା ନିଜ ମାର୍ଗଦର୍ଶନରେ ଅନ୍ୟମାନଙ୍କୁ ଉଚ୍ଚତ୍ତର ଡିଗ୍ରୀ ପାଇବାରେ ସହାୟତାକରି ନିଜକୁ ଜଣେ ଉଚ୍ଚମାନର ଐତିହାସିକ ଭାବରେ ପ୍ରତିଷ୍ଠା ଦେଇନାହାନ୍ତି, ଇତିହାସ-ଗବେଷଣାଲବ୍‌ଧ ନିଜର ଜ୍ଞାନକୁ ଅଭିଭାଷଣ ମାଧ୍ୟମରେ ବିତରଣ କରି ଜଣେ ବିଶିଷ୍ଟ ଐତିହାସିକ ଓ ଗବେଷକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଆରେ ହେଉ ବା ଇଂରାଜୀରେ, ତାଙ୍କ କହିବାଭଙ୍ଗୀର ଥିଲା ଏକ ସ୍ୱତନ୍ତ୍ର ଆବେଦନ, ତଥ୍ୟ ପରିବେଷଣ କାଳରେ ଚମତ୍କାରିତା ସୃଷ୍ଟିକରି ଶ୍ରୋତାମାନଙ୍କୁ ମୁଗ୍‌ଧଚକିତ କରିପାରିବାର ନିଆରାପଣ । ନିଜ ଅନୁଭୂତିରୁ ଏଇ ଲେଖକ ଏକ ମନୋରମ ଭାଷଣସନ୍ଧ୍ୟାର ବର୍ଣ୍ଣନା ଏଠାରେ ଅବତାରଣା କରୁଛି-

 

କୁଳପତି ପଦରୁ ଅବ୍ୟାହତି ନେବାପରେ ଡକ୍ଟର ସାହୁଙ୍କୁ ଓଡ଼ିଶା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ଉପଦେଷ୍ଟା ଭାବରେ ନିଯୁକ୍ତ କରିଥିଲେ ତତ୍‌କାଳୀନ ସଂସ୍କୃତିପ୍ରେମୀ ବିଦ୍ୱାନ୍ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ । ଡକ୍ଟର ସାହୁଙ୍କ ଭଳି ଜଣେ ସୁବିଖ୍ୟାତ ଐତିହାସିକଙ୍କ ପରାମର୍ଶ ରାଜ୍ୟ ହିତରେ ଲଗାଇବାକୁ ସେ ଏପରି ପଦକ୍ଷେପ ନେଇଥିଲେ । ପୂର୍ବ-ଭାରତୀୟ ଦ୍ୱୀପପୁଞ୍ଜ ସହିତ ପ୍ରାଚୀନ କଳିଙ୍ଗର ସାଂସ୍କୃତିକ ସମ୍ପର୍କ ବିଷୟରେ ଐତିହାସିକ-ତଥ୍ୟସମ୍ବଳିତ ଏକ ପ୍ରାମାଣିକ ଗ୍ରନ୍ଥ ରଚନା କରିବାପାଇଁ ଡକ୍ଟର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଡକ୍ଟର ସାହୁ ଏ-ବିଷୟକ ଗବେଷଣାରେ ଲାଗିପଡ଼ିଲେ । ଗବେଷଣାକାର୍ଯ୍ୟ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଦିନେ ଡକ୍ଟର ସାହୁଙ୍କଠାରୁ ଶୁଣିବାକୁ ଚାହିଲେ ଜାଭା ଓ ପ୍ରାଚୀନ କଳିଙ୍ଗ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କ ବିଷୟରେ । ସମୟ ସ୍ଥିର ହେଲା-୧୯୮୫ ଅଗଷ୍ଟ ୧୭ ତାରିଖ ସନ୍ଧ୍ୟା ଛଅଟା; ସ୍ଥାନ-ଭୁବନେଶ୍ୱରର ସୂଚନା ଭବନ (ବର୍ତ୍ତମାନର ଜୟଦେବ ଭବନ) । ଶ୍ରୋତାମାନଙ୍କ ଭିଡ଼ ଜମିଲା । ବହୁ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଆରମ୍ଭ ହେବାର ସମୟ ପହଞ୍ଚିଲା; କିନ୍ତୁ ମୁଖ୍ୟମନ୍ତ୍ରୀ ଆସିପାରିଲେ ନାହିଁ । ଜରୁରୀ କାର୍ଯ୍ୟରେ ବ୍ୟସ୍ତରହି ସେ ସଭାକାର୍ଯ୍ୟ ଆଗେଇ ନେବାକୁ ବାର୍ତ୍ତା ପଠାଇଲେ । ସଭାକାର୍ଯ୍ୟ ଆରମ୍ଭ ହେଲା ଐତିହାସିକ ଡକ୍ଟର ଭବାନୀଚରଣ ରାୟଙ୍କ ସଭାପତିତ୍ୱରେ । ଏଇ ଲେଖକ ସେତେବେଳେ ଡକ୍ଟର ସାହୁଙ୍କ ତତ୍ତ୍ୱାବଧାନରେ ଗବେଷଣାରତ ଥିଲା ଓ ସେହି ସଭାରେ ଉପସ୍ଥିତ ଥିଲା । ଡକ୍ଟର ସାହୁ ଦୀର୍ଘ ଦେଢ଼ଘଣ୍ଟାକାଳ କଳିଙ୍ଗ ଓ ଜାଭାର ସାଂସ୍କୃତିକ ବନ୍ଧନ ବିଷୟରେ ଇଂରାଜୀରେ ଅଭିଭାଷଣ ପ୍ରଦାନ କଲେ, ଯାହା ବିଦ୍ୱାନ୍ ଶ୍ରୋତୃମଣ୍ଡଳୀକୁ ମନ୍ତ୍ରମୁଗ୍‌ଧ କରିରଖିଥିଲା ଆରମ୍ଭରୁ ଶେଷପର୍ଯ୍ୟନ୍ତ । ଅଭିଭାଷଣଟି ଥିଲା ତଥ୍ୟବହୁଳ ଓ ଐତିହାସିକପ୍ରମାଣ-ଆଧାରିତ । ଯେଉଁମାନେ ସେଠାରେ ଉପସ୍ଥିତ ଥିଲେ ସେମାନେ ସମସ୍ତେ ଡକ୍ଟର ସାହୁଙ୍କୁ ଜଣେ ବିଶିଷ୍ଟ ଐତିହାସିକ ଓ ଗବେଷକ ଭାବରେ ଚିହ୍ନିଲେ, ଜାଣିଲେ ଏବଂ ଭାଷଣ ମାଧ୍ୟମରେ ତାଙ୍କ ଅବିରତ ତଥ୍ୟ-ଉପସ୍ଥାପନ ରୀତିକୁ ପ୍ରଶଂସା କଲେ ।

 

ଏହା ଗୋଟିଏ ଉଦାହରଣ ମାତ୍ର । ଅଭିଭାଷଣ ମାଧ୍ୟମରେ ଅନେକତ୍ର ସେ ଇତିହାସ-ଅଧୀତ ଜ୍ଞାନର ବିତରଣ କରିପାରିଥିଲେ ଓ ନିଜପାଇଁ ଇତିହାସବେତ୍ତାର ସ୍ୱତନ୍ତ୍ର ପରିଚୟଟିଏ ସୃଷ୍ଟି କରିପାରିଥିଲେ ।

 

ଐତିହାସିକ ରଚନା

ଡକ୍ଟର ସାହୁ ଇତିହାସ-ଆଧାରିତ ଅନେକ ଇଂରାଜୀ ଓ ଓଡ଼ିଆ ଗ୍ରନ୍ଥ ଏବଂ ପ୍ରବନ୍ଧ ରଚନା କରିଥିଲେ । ତାଙ୍କ ଐତିହାସିକ ଗ୍ରନ୍ଥର ସଂଖ୍ୟା ନଅ । ଏତଦ୍‌ବ୍ୟତୀତ ବିଭିନ୍ନ କାରଣରୁ ପ୍ରକାଶିତ ହୋଇପାରିନଥିବା ତାଙ୍କର କେତୋଟି ସମ୍ପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ କୃତି ମଧ୍ୟ ରହିଛି, ଯାହା ସଂଖ୍ୟାରେ ପାଞ୍ଚ । ବିଭିନ୍ନ ସମୟରେ ଓ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ତାଙ୍କର ଅନେକ ଇଂରାଜୀ ଓ ଓଡ଼ିଆ ଐତିହାସିକ ପ୍ରବନ୍ଧ ରହିଛି ଯେଉଁଗୁଡ଼ିକ ଏପର୍ଯ୍ୟନ୍ତ ପୁସ୍ତକ ଆକାରରେ ସଙ୍କଳିତ ହୋଇପାରିନାହିଁ । ତାଙ୍କ ପ୍ରକାଶିତ ଗ୍ରନ୍ଥଗୁଡ଼ିକର ସଂକ୍ଷିପ୍ତ ସୂଚନା ପ୍ରକାଶନର କାଳାନୁକ୍ରମରେ ନିମ୍ନରେ ପ୍ରଦତ୍ତ, ଯାହା ତାଙ୍କ ଇତିହାସ-ସମ୍ପର୍କିତ ଧୀ’ ଓ ଧିଷଣାର ସମ୍ୟକ୍‌ ପରିଚୟ ।

 

ଯୁଗେଯୁଗେ ଭାରତୀୟ ନୌବାଣିଜ୍ୟ

ବାରିପଦାରେ ଅଧ୍ୟାପକ ଭାବରେ ୧୯୫୦ ଖ୍ରୀଷ୍ଟାବ୍ଦରୁ ୧୯୫୪ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲାବେଳେ ଏଇଟି ରଚିତ ହୋଇଥିଲା ତାଙ୍କଦ୍ୱାରା । ଏହା ମୂଳତଃ ଏକ ଦୀର୍ଘ ପ୍ରବନ୍ଧ ଆକାରରେ ଲିଖିତ ହୋଇଥିଲା ଭାରତରେ ନୌବାଣିଜ୍ୟର କାଳାନୁକ୍ରମିକ ବିବରଣୀରେ ସଜ୍ଜିତ ହୋଇ । ପ୍ରବନ୍ଧଟି ପାଇଁ ସେ ଭାରତ ସରକାରଙ୍କଦ୍ୱାରା ପୁରସ୍କୃତ ହୋଇଥିଲେ । ପରେ ଏହା ଏକ ପୁସ୍ତିକା ଆକାରରେ ଆତ୍ମପ୍ରକାଶ କରିଥିଲା ୧୯୫୫ ଖ୍ରୀଷ୍ଟାବ୍ଦରେ ।

 

Buddhism in Orissa

ଡକ୍ଟର ସାହୁ Buddhism in Orissa ସନ୍ଦର୍ଭ ପାଇଁ ୧୯୫୫ ଖ୍ରୀଷ୍ଟାବ୍ଦରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ଡିଗ୍ରୀ ଲାଭକରିଥିଲେ, ଯାହା ୧୯୫୯ ଖ୍ରୀଷ୍ଟାବ୍ଦରେ ଉତ୍କଳବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇଥିଲା । ଏହି ପୁସ୍ତକ ସମ୍ପର୍କରେ ନିଜର ମତ ରଖି ପାଶ୍ଚାତ୍ୟ ବିଦ୍ୱାନ୍ WYEvanswentz ଯଥାର୍ଥରେ କହିଛନ୍ତି-‘‘Being a genuine contribution to the advancement of learning Buddhism in Orissa will be found to be the scholars the world over a necessary source book." (Opinion, P.I) ଡକ୍ଟର ସାହୁ ପ୍ରମାଣ କରିବାକୁ ସମର୍ଥ ହୋଇଛନ୍ତି ଯେ ଏଇ ପବିତ୍ର ଓଡ଼ିଶା ମାଟି ଥିଲା ମହାଯାନ ବୌଦ୍ଧଧର୍ମର ଜନ୍ମଭୂମି । ତାଙ୍କ ମତରେ ‘ପ୍ରଜ୍ଞାପାରମିତା’ ସାହିତ୍ୟରେ ମହାଯାନ ଶାଖାର ପୂର୍ଣ୍ଣ ପ୍ରକାଶ ଦେଖିବାକୁ ମିଳୁଥିବାରୁ ଏହି ଗ୍ରନ୍ଥର ରଚନାକାଳ ଓ ରଚନା ସ୍ଥାନହିଁ ଏହି ଶାଖାର ଜନ୍ମକାଳ ଓ ଜନ୍ମସ୍ଥାନ । ତିବ୍ବତୀୟ ଐତିହାସିକ ଲାମା ତାରନାଥ ପ୍ରକାଶ କରନ୍ତି ଯେ ‘ଅଷ୍ଟସହସ୍ରିକା ପ୍ରଜ୍ଞାପାରମିତା’ ଗ୍ରନ୍ଥ ହେଉଛି ପାରମିତା ସାହିତ୍ୟର ପ୍ରଥମ ଗ୍ରନ୍ଥ, ଯାହା ରଚିତ ହୋଇଥିଲା ଓଡ଼ିଶାରେ । ତାଙ୍କର ଏହି ଉକ୍ତିକୁ ସମର୍ଥନ ଜଣାଏ ‘ପାଗ୍‌-ସାମ-ଜୋନ-ଜାଙ୍‌’ ଗ୍ରନ୍ଥ । ମାତ୍ର ତାରନାଥଙ୍କ ବିବରଣୀ ଓ ‘ପାଗ୍‌-ସାମ୍‌-ଜୋନ୍‌-ଜାଙ୍‌’ ନିର୍ଣ୍ଣୟ କରିଥିବା ‘ଅଷ୍ଟସହସ୍ରିକା ପ୍ରଜ୍ଞାପାରମିତା’ ର ରଚନା ସମୟ ଐତିହାସିକ-ଭିତ୍ତିବିବର୍ଜିତ ହୋଇଥିବାରୁ ଗ୍ରହଣଯୋଗ୍ୟ ନୁହେଁ । ଏହା ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀ ବା ଖ୍ରୀଷ୍ଟପର ୧ମ ଶତାବ୍ଦୀରେ ରଚିତ ବୋଲି ଡକ୍ଟର ସାହୁ ଯୁକ୍ତିବାଢ଼ିଛନ୍ତି, ଯାହା ଏକାନ୍ତ ସଙ୍ଗତ ଓ ସତ୍ୟର ନିକଟବର୍ତ୍ତୀ ବୋଲି ମନେହୁଏ । ତତ୍‌କାଳୀନ ଓଡ଼ିଶାରୁହିଁ ମହାଯାନ ବୌଦ୍ଧଧର୍ମ ଦେଶବିଦେଶକୁ ପ୍ରସାରିତ ହୋଇଥିଲା । ତାଙ୍କର ଏହିସବୁ ତଥ୍ୟକୁ ଭାରତର ବିଶିଷ୍ଟ ପାଲି ପ୍ରଫେସର ତଥା ବୌଦ୍ଧଶାସ୍ତ୍ରବିତ୍‌ ଡକ୍ଟର ନଳିନାକ୍ଷ ଦତ୍ତ ସମର୍ଥନ ଜଣାଇ ଲେଖିଛନ୍ତି- ‘‘... Mahayana Buddhism had its origin and its early propagation in Daksinapatha which included Kalinga as also Tosali the ancient capital of Orissa.’’ (Foreword, P. VI)

 

ଖ୍ରୀଷ୍ଟୀୟ ୭ମ ଶତାବ୍ଦୀବେଳକୁ ପବିତ୍ର ବୌଦ୍ଧଧର୍ମରେ ତନ୍ତ୍ର, ମନ୍ତ୍ର ଆଦିର ଅନୁପ୍ରବେଶ ଫଳରେ ତାନ୍ତ୍ରିକ ବୌଦ୍ଧଧର୍ମର ଉଦ୍ଭବ ହୋଇଛି । ବୌଦ୍ଧତନ୍ତ୍ରଶାସ୍ତ୍ରମାନଙ୍କରେ ସ୍ପଷ୍ଟଭାବେ ପ୍ରତିପାଦିତ ହୋଇଛି ଯେ ବୌଦ୍ଧଧର୍ମର ଆଦିଭୂମି ଉଡ଼୍‌ଡ଼ୀୟାନ । ଉଡ଼୍‌ଡ଼ୀୟାନ ପୀଠର ଅବସ୍ଥିତି ସମ୍ବନ୍ଧରେ ଗବେଷକମାନଙ୍କ ମଧ୍ୟରେ ବାଦାନୁବାଦ ରହିଛି । ଏଲ୍‌ଏ ୱାଡେଲ ଏହାର ଅବସ୍ଥିତି ନିର୍ଣ୍ଣୟ କରିଛନ୍ତି ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ କାବୁଲ୍‌ର ସ୍ୱାଟ୍‌ ଉପତ୍ୟକାରେ । ପ୍ରଫେସର ସିଲଭାଇନ୍‌ ଲେଭି ଓ ଡକ୍ଟର ପ୍ରବୋଧଚନ୍ଦ୍ର ବାଗ୍‌ଚି ୱାଡେଲଙ୍କ ମତର ସମର୍ଥକ । ଉଡ୍‌ଡୀୟାନ ଯେ ଓଡ଼ିଶା ତାହା ଦୃଢ଼ ଯୁକ୍ତିର ସହିତ ଡକ୍ଟର ସାହୁ ପ୍ରମାଣ କରିଛନ୍ତି । ଏହା ସପକ୍ଷରେ ସେ କହନ୍ତି ଯେ ଓଡ଼ିଶାରେ ତନ୍ତ୍ରଯାନୀମାନଙ୍କଦ୍ୱାରା ଆରାଧିତ ଅନେକ ତାନ୍ତ୍ରିକ ଦେବଦେବୀଙ୍କ ପ୍ରତିମା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆବିଷ୍କୃତ ହୋଇଛି । ଉଡ୍‌ଡୀୟାନ ପୀଠରେ ଆରାଧ୍ୟ କୁରୁକୁଲା ଓ ବଜ୍ରବାରାହୀ କେବଳ ଓଡ଼ିଶାରେହିଁ ଦେଖିବାକୁ ମିଳନ୍ତି, ଭାରତ ବା ଭାରତ ବାହାରର ଅନ୍ୟ କୌଣସି ଦେଶରେ ନୁହେଁ । ତେଣୁ ଓଡ଼ିଶାହିଁ ବୌଦ୍ଧଶାସ୍ତ୍ରବର୍ଣ୍ଣିତ ଅନ୍ୟତମ ମୁଖ୍ୟ ତାନ୍ତ୍ରିକପୀଠ ଉଡ୍‌ଡୀୟାନ। ତାଙ୍କ ଭାଷାରେ- ‘‘It may be said that the goddess Kurukulla and Vajravarahi who are described in the Tantric literature as the presiding deity of Uddiyana, are found only in Orissa and nowhere else in India, what to speak of the Swat Valley, and hence, in the light of it Orissa may be Identified with great amount of certainty with Uddiyana." (pp. 153-54) ଡକ୍ଟର ସାହୁଙ୍କର ଏହି ମତ ପରବର୍ତ୍ତିକାଳୀନ କୌଣସି ଗବେଷକଙ୍କଦ୍ୱାରା ଖଣ୍ଡିତ ହୋଇନାହିଁ ।

 

ବଜ୍ରଯାନ, ସହଜଯାନ ଓ କାଳଚକ୍ରଯାନ ତାନ୍ତ୍ରିକ ବୌଦ୍ଧଧର୍ମର ତିନୋଟି ଶାଖା । ପ୍ରତ୍ୟେକ ଶାଖାର ଉଦ୍ଭବ ଓ ବିକାଶ ଯେ ତତ୍‌କାଳୀନ ଓଡ଼ିଶାରେ ହୋଇଥିଲା, ଏହା ମଧ୍ୟ ତାଙ୍କଦ୍ୱାରା ଏହି ପୁସ୍ତକରେ ଆଲୋଚିତ । ବୌଦ୍ଧଧର୍ମାଲବମ୍ବୀମାନଙ୍କଦ୍ୱାରା ଦ୍ୱିତୀୟ ବୁଦ୍ଧ ଭାବରେ ଗୃହୀତ ପଦ୍ମସମ୍ଭବ ବଜ୍ରଯାନର ପ୍ରବର୍ତ୍ତକ ଇନ୍ଦ୍ରଭୂତିଙ୍କ ପୁତ୍ର । ସେ ନିଜ ଶାଳକ ଶାନ୍ତରକ୍ଷିତଙ୍କ ସହିତ ତିବ୍ବତ ଯାଇ ସେଠାରେ ସ୍ୱପ୍ରବର୍ତ୍ତିତ ଲାମାଧର୍ମର ପ୍ରତିଷ୍ଠା କରିଥିଲେ । ଏ ସମ୍ବନ୍ଧରେ ଡକ୍ଟର ସାହୁଙ୍କ ଗବେଷଣାତ୍ମକ ତୀକ୍ଷ୍ଣ ଅନୁଧ୍ୟାନ ହେଉଛି ‘‘He (Padmasmbhava) visited Tibet in the company of the famous Buddhist Philosopher Santaraksita, who happend to be his brother-in-law, and stayed there in cir. 750-95 AD during which period he established a great monastery at Bsam Yas, after the model of Odantapuri Vihara in Magadha. This first Tibetan monastery actively diffused Tantrayana among the followers of Bon-pa religion and evolved systematic Indo-Tibetan mysticism, generally Known as Lamaism.’’ (p. 167)

 

ତାନ୍ତ୍ରିକ ବୌଦ୍ଧଧର୍ମର ସାହିତ୍ୟ ଚର୍ଯ୍ୟାଗୀତି ଓ ଦୋହାର ଭାଷାକୁ ନେଇ ଓଡ଼ିଶା, ବଙ୍ଗଳା, ଆସାମ, ମିଥିଳା ଆଦି ରାଜ୍ୟର ବିଦ୍ୱାନ୍‌ମାନଙ୍କ ମଧ୍ୟରେ ମତଭେଦ ଥିଲା । ସେମାନେ ଚର୍ଯ୍ୟାସାହିତ୍ୟରେ ବ୍ୟବହୃତ କିଛି ଶବ୍ଦକୁ ବିଚାରକୁ ନେଇ ଚର୍ଯ୍ୟାସାହିତ୍ୟ ସେମାନଙ୍କ ଭାଷାରେ ରଚିତ ବୋଲି ଯୁକ୍ତି କରୁଥିଲେ । ଆଞ୍ଚଳିକ-ପ୍ରୀତିଜଡ଼ିତ ଏ ବିବାଦର ଅବସାନ ସହଜରେ ହୋଇପାରୁନଥିଲା । ଚର୍ଯ୍ୟାଗୀତି-ଭାଷାର ଆଲୋଚନାକାଳରେ ଡକ୍ଟର ସାହୁ କିନ୍ତୁ କୌଣସି ଆଞ୍ଚଳିକ ମନୋଭାବ ପୋଷଣକାରୀଙ୍କୁ ସମର୍ଥନ କରିନାହାନ୍ତି । ସେ ଜଣେ ଗବେଷକର ନିର୍ଭୀକ ତଥା ନିରପେକ୍ଷ ମନୋଭାବ ନେଇ ଏବଂ ଆଞ୍ଚଳିକ ଭାବପ୍ରବଣତାଠାରୁ ଦୂରେଇ ରହି ଚର୍ଯ୍ୟାଗୀତିର ଭାଷାକୁ ପୂର୍ବଭାରତୀୟ ଅଞ୍ଚଳରେ ସଂପ୍ରତି ପ୍ରଚଳିତ ଓଡ଼ିଆ, ବଙ୍ଗଳା, ମୈଥିଳୀ, ଅହମିଆ ଇତ୍ୟାଦି ଭାଷାର ଜନନୀ ବୋଲି କହିଛନ୍ତି । ତାଙ୍କ ଭାଷାରେ- ‘‘... this was the parent stock from which modern Oriya, Bengali and Assamese developed in later times.’’ (p. 157) ଏକ ବହୁବିବାଦୀୟ ସମସ୍ୟାର ଏହିପରି ସରଳ ସମାଧାନର ସୂତ୍ର ବାହାରକରି ସେ ନିଜ ପାଣ୍ଡିତ୍ୟ ତଥା ଦୂରଦର୍ଶିତାର ପରିଚୟ ଦେଇଛନ୍ତି ।

 

ପ୍ରାଚୀନ ବୌଦ୍ଧଧର୍ମ ପାଲି ଭାଷା ମାଧ୍ୟମରେ ବର୍ମା, ସିଂହଳ ପ୍ରଭୃତି ପଡ଼ୋଶୀ ଦେଶକୁ ପ୍ରସାରିତ ହୋଇଥିଲା ବୋଲି ଡକ୍ଟର ସାହୁ ମତ ପ୍ରକାଶ କରିଛନ୍ତି । ସେ ପାଲିକୁ ତତ୍କାଳୀନ କଳିଙ୍ଗର ଭାଷା ଭାବରେ ପ୍ରତିପାଦନ କରିଛନ୍ତି । ଏହିପରି ପ୍ରାଚୀନ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାରରେ କଳିଙ୍ଗର ଉଲ୍ଲେଖ୍ୟ ଭୂମିକା ଥିଲାବୋଲି ସେ ଦର୍ଶାଇଛନ୍ତି । ତାଙ୍କ ଭାଷାରେ-‘‘The most plausible view, therefore, is that Pali was the language of the territory of the anicent Kalinga, which then comprised a large portion of the Eastern coast. Early Buddhism spread over Burma, Ceylon and Siam through the medium of Pali and Kalinga appears to have had a great share in the missionary activities in her neighbouring territories beyond the sea." (pp. 37-38)

 

ଏଗାରଟି ଅଧ୍ୟାୟରେ ଏହି ଗ୍ରନ୍ଥଟି ସମାପ୍ତ । ଅଧ୍ୟାୟଗୁଡ଼ିକରେ ପର୍ଯ୍ୟାୟକ୍ରମେ ପ୍ରାଚୀନ ଭାରତୀୟ ସାହିତ୍ୟରେ ଉତ୍କଳ ଓ କଳିଙ୍ଗସମ୍ପର୍କୀୟ ସୂଚନା, ଅଶୋକଙ୍କ ସମୟରେ କଳିଙ୍ଗରେ ବୌଦ୍ଧଧର୍ମର ସ୍ଥିତି, ପ୍ରାଚୀନ କଳିଙ୍ଗରେ ବୌଦ୍ଧକଳା, କଳିଙ୍ଗରେ ହୀନଯାନ ବୌଦ୍ଧଧର୍ମ, ମହାଯାନର ଉତ୍ପତ୍ତି, ଓଡ଼ିଶାରେ ମହାଯାନ ବୌଦ୍ଧଧର୍ମ, ତାନ୍ତ୍ରିକ ବୌଦ୍ଧଧର୍ମର ବିକାଶ, ଓଡ଼ିଶାରେ ତାନ୍ତ୍ରିକ ବୌଦ୍ଧଧର୍ମ ଏବଂ ଓଡ଼ିଶାରେ ମହାଯାନୀ ମୂର୍ତ୍ତିକଳା ଓ ତାନ୍ତ୍ରିକ ମୂର୍ତ୍ତିକଳାର ବର୍ଣ୍ଣନା ସ୍ଥାନ ପାଇଛି । ଶେଷ ଅଧ୍ୟାୟରେ ଓଡ଼ିଶାରେ ପରିଦୃଷ୍ଟ ମହାଯାନୀ ଓ ତନ୍ତ୍ରଯାନୀ ଦେବଦେବୀଙ୍କ ଉପରେ ସେ ଜଣେ ନିଷ୍ଠାପର ଗବେଷକର ମନୋଭାବ ନେଇ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି-। ତାଙ୍କ ସମୟରେ ଓଡ଼ିଶାରେ ଗମନାଗମନର ବିଶେଷ ସୁବିଧା ନଥିବାସତ୍ତ୍ୱେ ସେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଧ୍ୱଂସାବଶେଷ ମଧ୍ୟରୁ ବୌଦ୍ଧଦେବଦେବୀଙ୍କୁ ଖୋଜିଛନ୍ତି ଏବଂ ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ସେଗୁଡ଼ିକୁ ଚିହ୍ନାଇଛନ୍ତି ସେ-ବିଷୟକ ବିଶଦ ବର୍ଣ୍ଣନା ପ୍ରଦାନ କରି । ସେ-ସବୁ ମଧ୍ୟରେ ଅଛନ୍ତି ବିଭିନ୍ନ ଆସନାଧୀନ ବୁଦ୍ଧଦେବଙ୍କ ମୂର୍ତ୍ତି ଓ ପଞ୍ଚଧ୍ୟାନୀ ବୁଦ୍ଧଙ୍କ ମୂର୍ତ୍ତି ସମେତ ଅବଲୋକିତେଶ୍ୱର, ପଦ୍ମପାଣି, ବଜ୍ରପାଣି, ମଞ୍ଜୁଶ୍ରୀ, ମୈତ୍ରେୟ, ହେରୁକ, ତ୍ରୈଲୋକ୍ୟବିଜୟ, କୃଷ୍ଣଯମାରି, ଜମ୍ବଳ, ପଞ୍ଚିକ, ବୈଶ୍ରବଣ, ସମ୍ବର ଇତ୍ୟାଦି ଦେବବିଗ୍ରହ ଓ ପ୍ରଜ୍ଞାପାରମିତା, ପାଣ୍ଡରା, ତାରା, ମାରୀଚୀ, ଅପରାଜିତା, କୁରୁକୁଲ୍ଲା, ଭ୍ରୂକୁଟି, ବଜ୍ରବାରାହୀ, ବସୁଧାରା, ହାରିତୀ, ଚୁଣ୍ଡା ଇତ୍ୟାଦି ଦେବୀବିଗ୍ରହ । ବୌଦ୍ଧଦେବଦେବୀଙ୍କର ୮୦ଟି ଫଟୋଚିତ୍ର ସଂଗ୍ରହ କରି ସେ ଏହି ଅଧ୍ୟାୟରେ ପତ୍ରସ୍ଥ କରିଛନ୍ତି । ଫଳରେ ଗ୍ରନ୍ଥଟି ତଥ୍ୟବହୁଳ ହେବା ସଙ୍ଗେସଙ୍ଗେ ଓଡ଼ିଶାରେ ବୌଦ୍ଧମୂର୍ତ୍ତିକଳାର ସ୍ପଷ୍ଟଚିତ୍ର ବହନକରି ଗବେଷକ ଓ ସାଧାରଣ ପାଠକଙ୍କ ପାଇଁ ଅତି ଉପାଦେୟ ହୋଇଛି । ମୌଳିକ ଉପାଦାନ ଓ ଅକାଟ୍ୟ ଯୁକ୍ତି ଆଧାରରେ ରଚିତ ଓଡ଼ିଶାରେ ବୌଦ୍ଧଧର୍ମ-ବିଷୟକ ଏହି ଗ୍ରନ୍ଥଟି ଦେଶବିଦେଶରେ ଉଚ୍ଚପ୍ରଶଂସିତ ହୋଇଛି ।

 

ଏହି ଅନନ୍ୟ ଗ୍ରନ୍ଥ ସମ୍ବନ୍ଧରେ ଓଡ଼ିଶାର ଜଣେ ବିଖ୍ୟାତ ବିଦ୍ୱାନ ଗବେଷକ ଡକ୍ଟର ଭଗବାନ ପଣ୍ଡାଙ୍କ ମନ୍ତବ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ । ତାଙ୍କ ଭାଷାରେ- ‘‘ବୌଦ୍ଧ ଓଡ଼ିଶାର ଆବିଷ୍କର୍ତ୍ତାରୂପେ ଉକ୍ଟର ନବୀନକୁମାର ସାହୁ କେବଳ ଓଡ଼ିଶା ଅଥବା ଭାରତ ନୁହେଁ, ସମଗ୍ର ପୃଥିବୀରେ ସୁପରିଚିତ । ତାଙ୍କ ଲିଖିତ Buddhism in Orissa ଗ୍ରନ୍ଥ ଭାରତର ଐତିହ୍ୟ ଓ ସଂସ୍କୃତି ପ୍ରତି ଏକ ମହାନ୍‌ ଅବଦାନ । ଏହି ଗ୍ରନ୍ଥ କେବଳ ଇତିହାସ ଓ ପ୍ରତ୍ନତତ୍ତ୍ୱର ନୁହେଁ, ମାନବିକ ସଂସ୍କୃତିର ଏକ ଉତ୍କୃଷ୍ଟ ଉପାଦେୟ ଗ୍ରନ୍ଥ ।’’ (ଡକ୍ଟର ନବୀନକୁମାର ସାହୁ ସ୍ମରଣିକା, ପୃ ୩୦)

 

ଓଡ଼ିଶାରେ ବୌଦ୍ଧଧର୍ମ

ଏହି ପୁସ୍ତକଟି Buddhism in Orissaର ସଂକ୍ଷିପ୍ତ ସାରସଂଗ୍ରହ । ମାତ୍ର ୪୧ ପୃଷ୍ଠାର କଳେବରଧରି ଏଇଟି ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ୧୯୬୦ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ-। ଏକଦା ଡକ୍ଟର ସାହୁଙ୍କ ସହିତ ଆଳାପ-ଆଲୋଚନାକାଳରେ ସେ ଏହି ସମ୍ବନ୍ଧରେ କହିଥିଲେ ଯେ ଓଡ଼ିଶା ସାହିତ୍ୟ ଏକାଡେମୀର ଅନୁରୋଧକ୍ରମେ ଘରେ ବସି ଏହାକୁ ସେ ଜଣେ କାହାକୁ ମୁହଁରୁ ଡାକି ଦେଇଥିଲେ ଏବଂ ପରେ ଏଇଟି ପ୍ରକାଶିତ ରୂପ ଲାଭ କରିଥିଲା ।

 

ଏ ଗ୍ରନ୍ଥରେ ସେ ଓଡ଼ିଶାକୁ ଆଦି ବୌଦ୍ଧଧର୍ମର ଲାଳନଭୂମି ବୋଲି ମତଦେଇ ଓଡ଼ିଶାର ଦୁଇ ବଣିକ ଭ୍ରାତା ତପ୍‌ପସୁ ଓ ଭଲ୍ଲିକ ବୁଦ୍ଧଦେବଙ୍କ ପ୍ରଥମ ଶିଷ୍ୟ ବୋଲି ପ୍ରକାଶ କରିଛନ୍ତି । ତାଙ୍କ ଭାଷାରେ- ‘‘ଶାକ୍ୟସିଂହ ସେତେବବେଳେ ‘ବୋଧି’ ଲାଭକରି ସାତ ସପ୍ତାହଯାଏଁ ସେହି ନିର୍ଜନ ଅରଣ୍ୟରେ ନଖାଇ ନପିଇ ପଡ଼ିରହିଥିଲେ । ବୋଧିଲାଭ ପରେ ସେ ପ୍ରଥମ ଖାଦ୍ୟ ଗ୍ରହଣ କଲେ ସେହି ବଣିକ ଭାଇଦୁହିଁଙ୍କ ହାତରୁ । ତପ୍‌ପସୁ ଓ ଭଲ୍ଲିକ ବୁଦ୍ଧଙ୍କ ଆବିଷ୍କୃତ ଆର୍ଯ୍ୟସତ୍ୟର ପ୍ରଥମ ପରିଚୟ ଲାଭକଲେ ଓ ‘ବୁଦ୍ଧ’ ଓ ‘ଧର୍ମ’ରେ ଶରଣ ନେଇ ବୌଦ୍ଧସଂଘର ଭିତ୍ତିଦାନ କଲେ । ସେମାନେ ତାହାର ସ୍ମାରକସ୍ୱରୂପ ବୁଦ୍ଧଙ୍କର କେଶ ଓ ନଖ ନେଇ ନିଜ ଦେଶରେ ‘କେଶସ୍ତୂପ’ ଓ ‘ନଖସ୍ତୂପ’ ନିର୍ମାଣ କଲେ ଏବଂ ପୃଥିବୀରେ ସର୍ବପ୍ରଥମେ ବୌଦ୍ଧଧର୍ମର ଦୀପଶିଖା ଜାଳିଲେ ।’’ (ପୃ ୨)

 

କଳିଙ୍ଗ ଯୁଦ୍ଧପରେ କଳିଙ୍ଗରେ ବୌଦ୍ଧଧର୍ମର ପ୍ଲାବନ କ୍ଷିପ୍ରତର ହେଲା । ଏହି ମାଟିରେ ଅଶୋକ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ‘ଚଣ୍ଡାଶୋକ‘ରୁ ‘ଧର୍ମାଶୋକ’ରେ ପରିବର୍ତ୍ତିତ ହୋଇଥିଲେ-। ଏହାପରେ ‘‘ଏହି ଧର୍ମ ମଝ୍‌ଝିମ ଦେଶର ସୀମା ଅତିକ୍ରମକରି ହିମାଳୟଠାରୁ କୁମାରିକାଯାଏଁ ସମଗ୍ର ଭାରତରେ ପ୍ରସାରିତ ହେଲା । କେବଳ ସେତିକି ନୁହେଁ, ଏହା ଭାରତର ସୀମାରେଖା ଲଂଘନକରି ପଶ୍ଚିମରେ ଗ୍ରୀସ୍‌ ଦେଶଠାରୁ ବ୍ରହ୍ମଦେଶ ପର୍ଯ୍ୟନ୍ତ ଓ ଦକ୍ଷିଣରେ ସିଂହଳଯାଏଁ, ଅର୍ଥାତ୍ ସେକାଳରେ ଜଣାଥିବା ପୃଥିବୀର ସର୍ବତ୍ର ଅତିଶୀଘ୍ର ବ୍ୟାପିଗଲା ।’’ (ପୃ ୬)

 

ଏହି ଗ୍ରନ୍ଥରେ ସେ ମହାଯାନ ବୌଦ୍ଧଧର୍ମର ଆଦିଭୂମି ଓଡ଼ିଶା ବୋଲି ପ୍ରମାଣ କରିଛନ୍ତି । ସେ ପୁଣି କହିଛନ୍ତି ଯେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରୁ ୭ମ ଶତାବ୍ଦୀଯାଏଁ କେବଳ ଭାରତ ନୁହେଁ ସମଗ୍ର ଏସିଆର ଇତିହାସରେ ବୌଦ୍ଧଧର୍ମର ଗୌରବମୟ ଯୁଗ । ବସ୍ତୁତଃ ଏହା ହେଉଛି ମହାଯାନର ସୁବର୍ଣ୍ଣଯୁଗ । ଏହି ସୁବର୍ଣ୍ଣଯୁଗରେ ବୌଦ୍ଧସଂସ୍କୃତିର ଯେଉଁ ପୀଠମାନ ଗଢ଼ିଉଠିଥିଲା ଓ ସେହି ପୀଠମାନଙ୍କୁ ଯେଉଁ ବୌଦ୍ଧଦାର୍ଶନିକଗଣ ନିଜ ନିଜର ସାଧନାପୀଠରୂପେ ବାଛିନେଇଥିଲେ, ସେମାନଙ୍କ ସମ୍ବନ୍ଧରେ ସେ ଆଲୋକପାତ କରିଛନ୍ତି । ସେହି ଯୁଗରେ ଓଡ଼ିଶା ପରିଭ୍ରମଣରେ ଆସିଥିବା ଚୀନଦେଶର ପରିବ୍ରାଜକ ଫାହିୟାନ୍, ହୁଏନ୍‌ସାଂ ଓ ଇତସିଂଙ୍କ ବିବରଣୀରେ ଓଡ଼ିଶାରେ ସେହି ସମୟରେ ବୌଦ୍ଧଧର୍ମର ସ୍ଥିତି ଓ ପ୍ରଗତି ସମ୍ବନ୍ଧରେ ସାମାନ୍ୟ ସୂଚନା ରହିଛି । ତାପରେ ଖ୍ରୀଷ୍ଟୀୟ ୭ମ ଶତାବ୍ଦୀରେ ଓଡ଼ିଶାରେ ତନ୍ତ୍ରଯାନ ବା ତାନ୍ତ୍ରିକ ବୌଦ୍ଧଧର୍ମର ଉତ୍ପତ୍ତି ଓ ବିସ୍ତୃତି ଘଟିଛି-। ଏହି ପ୍ରସଙ୍ଗରେ ବଜ୍ରଯାନର ପ୍ରବର୍ତ୍ତକ ସମ୍ବଲର ରାଜା ଇନ୍ଦ୍ରଭୂତି ଓ ସହଜଯାନର ପ୍ରବର୍ତ୍ତିକା ଇନ୍ଦ୍ରଭୂତିଙ୍କ ଭଉଣୀ ଲକ୍ଷ୍ମୀଙ୍କରାଙ୍କ ସମ୍ବନ୍ଧରେ ବିବରଣୀ ଦିଆଯାଇଛି । ଉପସଂହାରରେ ସେ ମତ ଦିଅନ୍ତି ଯେ ଇନ୍ଦ୍ରଭୂତିଙ୍କ ରଚନା ‘ଜ୍ଞାନସିଦ୍ଧି’ରେ ଜଗନ୍ନାଥ ବଜ୍ରସତ୍ତ୍ୱ ଭାବରେ ଗୃହୀତ ହୋଇଛନ୍ତି ଏବଂ କାଳକ୍ରମେ ବଜ୍ରଯାନ ଜଗନ୍ନାଥଯାନରେ ପରିଣତ ହୋଇଛି । ତାଙ୍କ ଭାଷାରେ-‘‘ବଜ୍ରଯାନର ବଜ୍ରସତ୍ତ୍ୱଙ୍କଠାରେ ବେଦାନ୍ତ ପରଂବ୍ରହ୍ମଙ୍କ ପରି ଅଚିନ୍ତନୀୟ ବିରାଟ ତତ୍ତ୍ୱ ଫୁଟିଅଛି । ସେ ହେଉଛନ୍ତି ଅନନ୍ତ ବଶ୍ୱବ୍ରହ୍ମାଣ୍ଡର ଆଦିକାରକ ବା ସମସ୍ତ ବୁଦ୍ଧ ତାଙ୍କଠାରୁହିଁ ଉତ୍ପନ୍ନ । ସିଦ୍ଧି ଇନ୍ଦ୍ରଭୂତି ତାଙ୍କୁ ଆଦିବୁଦ୍ଧ ଓ ଜଗନ୍ନାଥରୂପେ ପ୍ରକାଶ କରିଅଛନ୍ତି । ‘ଜ୍ଞାନସିଦ୍ଧି’ ଗ୍ରନ୍ଥର ମଙ୍ଗଳାଚରଣରେ ସେ ତାଙ୍କୁ ଗଗନସମ ବ୍ୟାପ୍ତ, ସର୍ବ ବୁଦ୍ଧମୟ, ସର୍ବ ଜୀନବରଙ୍କଦ୍ୱାରା ପୂଜିତ ଜଗନ୍ନାଥ ବୋଲି ସ୍ତୁତି କରିଅଛନ୍ତି-। ଉକ୍ତ ଗ୍ରନ୍ଥର ଅନ୍ୟତ୍ର ମଧ୍ୟ ଯେ ବଜ୍ରସତ୍ତ୍ୱ ସେହିଁ ଜଗନ୍ନାଥ ଓ ଆଦିବୁଦ୍ଧ ବୋଲି ସେ ଏକାଧିକବାର ବ୍ୟକ୍ତ କରିଅଛନ୍ତି । ବଜ୍ରଯାନର ସମସ୍ତ ସିଦ୍ଧି ଇନ୍ଦ୍ରଭୂତିଙ୍କ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ଜଗନ୍ନାଥଙ୍କୁ ପରମଉପାସ୍ୟ ଦେବତାରୂପେ ଗ୍ରହଣ କରିଥିବା ଜଣାଯାଏ । ସିଦ୍ଧ ବିରୂପା ଜଗନ୍ନାଥଙ୍କ ପରମ ଭକ୍ତ ଥିବା ଲାମା ତାରନାଥ ଲେଖିଅଛନ୍ତି ।’’ (ପୃ ୪୦)

 

ଏହି କ୍ଷୁଦ୍ର ଗ୍ରନ୍ଥର ଉପସଂହାରରରେ ସେ ମତ ରଖନ୍ତି - ‘‘ଉତ୍କଳୀୟ ବୈଷ୍ଣବଧର୍ମର ଗଠନକାଳରେ ଓ ତତ୍‌ପୂର୍ବରେ ଓଡ଼ିଶାର ଧର୍ମଜୀବନରେ ବଜ୍ରଯାନର ପ୍ରଭାବ ଓତଃପ୍ରୋତ ଭାବେ ଦେଖାଯାଏ । ତେଣୁ ସେହି ଧର୍ମର ଭାବଧାରାଦ୍ୱାରା ଉତ୍କଳୀୟ ଧର୍ମ ଯେ ପରିପୁଷ୍ଟ ଏଥିରେ ସନ୍ଦେହର କାରଣ ନାହିଁ । ଅନ୍ୟଭାବରେ କହିବାକୁଗଲେ ଅର୍ହତଯାନ (ହୀନଯାନ)ରୁ ଯେପରି ମହାଯାନ ଓ ମହାଯାନରୁ ଯେପରି ବଜ୍ରଯାନ ଅଭିବ୍ୟକ୍ତ ହେଲା, ସେହିପରି ବଜ୍ରଯାନ ମଧ୍ୟ କାଳକ୍ରମେ ଜଗନ୍ନାଥଯାନରେ ପରିଣତ ହୋଇଅଛି ।’’ (ପୃ ୪୦-୪୧)

 

History of Orissa Police

ଡକ୍ଟର ସାହୁ ‘ଓଡ଼ିଶା ଗେଜେଟିୟର’ର ସମ୍ପାଦନା ଦାୟିତ୍ୱରେ ଥିଲାବେଳେ ୧୯୬୧ ଖ୍ରୀଷ୍ଟାବ୍ଦର ଭାରତୀୟ ପୋଲିସର ଶତବାର୍ଷିକୀ ଉତ୍ସବ ସମାରୋହରେ ପାଳନ କରାଯିବା ନିମନ୍ତେ ଆୟୋଜନ ଚାଲିଲା । ସେହି ଅବସରରେ ଓଡ଼ିଶା ପୋଲିସର ଇତିହାସ ସଙ୍କଳନ କରିବାର ଆବଶ୍ୟକତା ଅନୁଭୂତ ହେଲା । ସେତେବେଳେ ଡକ୍ଟର ସାହୁ ଥିଲେ ଏହି କାର୍ଯ୍ୟ ପାଇଁ ଯୋଗ୍ୟତମ ବ୍ୟକ୍ତି । ତାଙ୍କ ଉପରେ ଏ କାର୍ଯ୍ୟ ନ୍ୟସ୍ତ କରାଗଲା । ଅତି କମ୍‌ ସମୟ ମଧ୍ୟରେ ସେ ୨୩୨-ପୃଷ୍ଠାବିଶିଷ୍ଟ ଏହି ଗ୍ରନ୍ଥଟି ରଚନାକରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କଲେ । ପ୍ରଜାତନ୍ତ୍ର ପ୍ରେସ୍‌ରେ ଏହା ଇଂରାଜୀରେ ମୁଦ୍ରିତ ହୋଇ ୧୯୬୧ ଖ୍ରୀଷ୍ଟାବ୍ଦରେ ଆତ୍ମପ୍ରକାଶ କଲା । ଏହାର ପ୍ରକାଶକ ଥିଲେ ଓଡ଼ିଶା ପୋଲିସ୍ ମାଗାଜିନ୍‌ର ସମ୍ପାଦକବର୍ଗ ।

 

ଏହାର ‘ଭୂମିକା’ରେ ଡକ୍ଟର ସାହୁ ସୂଚନା ଦିଅନ୍ତି ଯେ ବୈଦିକ ଯୁଗରେ ଭାରତୀୟ ରାଜନୀତିକ ପ୍ରବକ୍ତାଗଣ ଏବଂ ଧର୍ମସୂତ୍ର ଓ ଧର୍ମଶାସ୍ତ୍ରର ପ୍ରଣେତାଗଣ ଦେଶରେ ଶାନ୍ତିଶୃଙ୍ଗଳା ରକ୍ଷା ଓ ସୁଜନକୁ ଦୁର୍ଜନଠାରୁ ସୁରକ୍ଷାଦେବା ନିମିତ୍ତ ଯେଉଁ ଉପାୟମାନ ଚିନ୍ତା କରିଥିଲେ, ସେ-ସବୁ ପ୍ରାଚୀନ ଭାରତ ଓ ମଧ୍ୟଯୁଗୀୟ ଭାରତରେ ଧୀରେ ଧୀରେ ଉନ୍ନତିପ୍ରାପ୍ତ ହୋଇ ଦେଶୀୟ ପୋଲିସ ଶାସନର ଉଦ୍ଭବ ହେଲା ଏବଂ ତାହାପରେ ମୋଗଲମାନଙ୍କ ଶାସନରେ ଏହା ନିର୍ଦ୍ଦିଷ୍ଟ ରୂପରେଖ ଲାଭକଲା । ପରବର୍ତ୍ତୀକାଳରେ ମରହଟ୍ଟା ଓ ଅନ୍ୟାନ୍ୟ ଶାସକଗୋଷ୍ଠୀଙ୍କ ଅମଳରେ ସେହି ପ୍ରଚଳିତ ପୋଲିସ ବ୍ୟବସ୍ଥା ଅପରିବର୍ତ୍ତି ରହିଲା ଭାରତରେ ବ୍ରିଟିଶ ଶାସନର ଆଗମନ ପର୍ଯ୍ୟନ୍ତ । ବ୍ରିଟିଶ ଶାସକମାନେ ଏହାକୁ କ୍ରମଶଃ ଆଧୁନିକ ୟୁରୋପୀୟ ପଦ୍ଧତିଦ୍ୱାରା ସଂସ୍କାରିତ ରୂପଦେଲେ-। ଏହିପରି ଭାରତରେ ପୋଲିସ-ଶାସନର ନୂତନ ପଦ୍ଧତି ପ୍ରଚଳିତ ହେଲା ଏବଂ ଏହିକ୍ରମରେ ଓଡ଼ିଶା ବି ଏହାର ସୁଫଳ ଲାଭକଲା ।

 

‘ଭୂମିକା’ର ଉପସଂହାର ବାଢ଼ିବା ଅବସରରେ ଡକ୍ଟର ସାହୁ ଆଲୋଚ୍ୟ ପୁସ୍ତକ ସମ୍ପର୍କରେ କହନ୍ତି-‘‘An attempt has been made in the work to present a historical discusssion of this noble institution in Orissa in the light of the development of the indigenous police operation in India in the past .’’

 

ଭୂମିକାପରେ ସତରଟି ଅଧ୍ୟାୟରେ ଓଡ଼ିଶା ପୋଲିସର ଉଦ୍ଭବ ଓ ବିକାଶ ବିବୃତ ହୋଇଛି ଏହି କ୍ରମରେ-ପ୍ରାଚୀନ କଳିଙ୍ଗ ଓ ପୋଲିସ ଶାସନ ପଦ୍ଧତି, ଅଶୋକକାଳୀନ କଳିଙ୍ଗର ପୋଲିସ ଅନୁଷ୍ଠାନ, ଖାରବେଳଙ୍କ ଅଧୀନରେ କଳିଙ୍ଗର ପୋଲିସ, ଖ୍ରୀଷ୍ଟୀୟ ୧ମ ଶତାବ୍ଦୀଠାରୁ ୫ମ ଶତାବ୍ଦୀ ମଧ୍ୟରେ କଳିଙ୍ଗର ପୋଲିସ, ୧୮୦୩ ରୁ ୧୮୬୦ ମଧ୍ୟରେ ଅପରାଧିକ ବିବରଣୀ, ପ୍ରଗତିର ଗୋଟିଏ ଶତାବ୍ଦୀ, ଗ୍ରାମ୍ୟ ପୋଲିସ ବ୍ୟବସ୍ଥା, ମିଲିଟାରୀ ପୋଲିସ, ରେଳବାଇ ପୋଲିସ, ଅପରାଧ ଅନୁସନ୍ଧାନ ବିଭାଗ, ଅନ୍ୟାନ୍ୟ ଶାଖା, ପୋଲିସ ଶିକ୍ଷା ଏବଂ ରାଜନୀତି ପରିପ୍ରେକ୍ଷୀରେ ପୋଲିସ ।

 

ଗଭୀର ଅଧ୍ୟୟନ ଓ ଅଧ୍ୟବସାୟଦ୍ୱାରା ଡକ୍ଟର ସାହୁ ଓଡ଼ିଶା ପୋଲିସ୍‌ର ଇତିହାସକୁ ଭାରତୀୟ ପ୍ରେକ୍ଷାପଟରେ ପର୍ଯ୍ୟାୟକ୍ରମେ ଆଲୋଚନା କରି ଓଡ଼ିଶା ପୋଲିସ୍‌ ସଂସ୍ଥା ଓ ଓଡ଼ିଶାବାସୀଙ୍କୁ ଭେଟି ଦେଇଛନ୍ତି ଏକ ଅମୂଲ୍ୟ ସମ୍ପଦ । ଏ ଦୃଷ୍ଟିରୁ ଆମେ ତାଙ୍କଠାରେ ଚିରକୃତଜ୍ଞ-

 

Utkal University History of Orissa

ବ୍ୟାପକ ରୂପରେଖ ଦେଇ ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ ଇତିହାସ ପ୍ରକାଶନର ଆବଶ୍ୟକତା ଅନୁଭବ ହେବାରୁ ଏକାର୍ଯ୍ୟଟିର ସୁଚାରୁ ସମାପନ ନିମିତ୍ତ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ଦିଆଯାଇଥିଲା ୧୯୪୪ ଖ୍ରୀଷ୍ଟାବ୍ଦରେ । ଉତ୍କଳ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟପାଇଁ କେତେଜଣ ବିଶାରଦଙ୍କୁ ନେଇ ‘ଇତିହାସ ପ୍ରକାଶନ କମିଟି’ ନାମରେ ଏକ କମିଟି ଗଠନ କରିଥିଲା; କିନ୍ତୁ ସେ କମିଟି ଏ କାର୍ଯ୍ୟରେ ବିଶେଷ ଅଗ୍ରଗତି କରିନପାରିବାରୁ କମିଟିଟି ୧୯୫୯ ଖ୍ରୀଷ୍ଟାବ୍ଦରେ ପୁନର୍ଗଠିତ ହେଲା । ଏହାର ଅଧ୍ୟକ୍ଷ ରହିଲେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଐତିହାସିକ ଡକ୍ଟର ହରେକୃଷ୍ଣ ମହାତାବ ଏବଂ ଉପାଧ୍ୟକ୍ଷ ରହିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ତତ୍‌କାଳୀନ କୁଳପତି ଡକ୍ଟରର ପ୍ରାଣକୃଷ୍ଣ ପରିଜା । କମିଟିର ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟ ଓଡ଼ିଶାର ଚାରିଜଣ ବିଶିଷ୍ଟ ଐତିହାସିକଙ୍କ ଉପରେ ନ୍ୟସ୍ତ କରାଗଲା । ସେତେବେଳେ ଡକ୍ଟର ସାହୁ ଜଣେ ଐତିହାସିକ ଭାବରେ ଖୁବ୍‌ ସୁନାମ ଅର୍ଜନ କରିଥିଲେ । ତେଣୁ ସାତଭାଗରେ ପ୍ରକାଶିତ ହେବାକୁ ଥିବା ଓଡ଼ିଶା ଇତିହାସର ପ୍ରଥମ ଚାରିଟି ଭାଗରେ ସଙ୍କଳନ ଦାୟିତ୍ୱ ତାଙ୍କୁ ଦିଆଗଲା । ପ୍ରଥମ ଭାଗରେ ଆଦ୍ୟରୁ ୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, ଦ୍ୱିତୀୟ ଭାଗରେ ୫୦୦ ଖ୍ରୀଷ୍ଟାବ୍ଦରୁ ୧୧୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ, ତୃତୀୟ ଭାଗରେ ୧୧୦୦ ଖ୍ରୀଷ୍ଟାବ୍ଦରୁ ୧୪୩୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓ ଚତୁର୍ଥ ଭାଗରେ ୧୪୩୫ ଖ୍ରୀଷ୍ଟାବ୍ଦରୁ ୧୫୬୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାର ଇତିହାସ ସ୍ଥାନ ପାଇବାର ଯୋଜନା ଥିଲା । ଡକ୍ଟର ଭବାନୀଚରଣ ରାୟଙ୍କୁ ଦିଆଗଲା ୧୫୬୮ ଖ୍ରୀଷ୍ଟାବ୍ଦରୁ ୧୮୦୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାର ଇତିହାସ ସଙ୍କଳନ କରିବାକୁ ପଞ୍ଚମ ଭାଗରେ । ୧୮୦୩ ଖ୍ରୀଷ୍ଟାବ୍ଦରୁ ୧୯୦୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ବ୍ୟାପ୍ତ ଷଷ୍ଠ ଭାଗର ସଙ୍କଳନ କାର୍ଯ୍ୟ ଶ୍ରୀ ପ୍ରଭାତ ମୁଖାର୍ଜୀଙ୍କୁ ଦିଆଗଲା । ଡକ୍ଟର ମନ୍ମଥନାଥ ଦାସଙ୍କୁ ଦାୟିତ୍ୱ ଦିଆଗଲା ଓଡ଼ିଶା ଇତିହାସର ସପ୍ତମ ଭାଗ ରଚନା କରିବାକୁ, ଯାହାର ବ୍ୟାପ୍ତିଥିଲା ୧୯୦୧ ଖ୍ରୀଷ୍ଟାବ୍ଦରୁ ୧୯୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ।

 

ଏହି ଗଠନମୂଳକ ଯୋଜନାକୁ ଡକ୍ଟର ସାହୁ ସ୍ୱାଗତ କରିଛନ୍ତି ଏବଂ ସ୍ୱରଚିତ ‘ଓଡ଼ିଆ ଜାତିର ଇତିହାସ’ରେ ଲେଖିଛନ୍ତି- ‘‘ପ୍ରତ୍ନତାତ୍ତ୍ୱିକ ବିଭବରେ ପରିପୂର୍ଣ୍ଣ ଏହି ରାଜ୍ୟର ଗୌରବମୟ ଅତୀତ ତିମିରାଚ୍ଛନ୍ନ ହୋଇ ପଡ଼ିରହିଲେ ଭାରତବର୍ଷର ଇତିହାସ ଯେ ବିକଳାଙ୍ଗ ହୋଇଯିବ, ତାହା ସୁନିଶ୍ଚିତ । ଆଞ୍ଚଳିକ ଇତିହାସର ଗବେଷଣା ଓ ନିର୍ମାଣ ଭାରତୀୟ ଇତିହାସର ପରିପୁଷ୍ଟି ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ । ସେହିଦୃଷ୍ଟିରୁ ଓଡ଼ିଶା ଇତିହାସର ସୁସଙ୍କଳନ ନିତାନ୍ତ ଆବଶ୍ୟକ ।’’ (ଭୂମିକା, ପୃ ୧)

 

ପ୍ରସ୍ତାବିତ ଇତିହାସ ସଙ୍କଳନର ପ୍ରଥମ ଭାଗଟି ଡକ୍ଟର ସାହୁ ସମ୍ପୂର୍ଣ୍ଣ କରି ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କଲେ । ବିପୁଳ କଳେବର ଧାରଣକରି ତାହା ପ୍ରକାଶିତ ହେଲା ୧୯୬୪ ଖ୍ରୀଷ୍ଟାବ୍ଦରେ Utkal University History Of Orissa, VIl.I ନାମରେ । ଏହାର ଅଧ୍ୟାୟ ସଂଖ୍ୟା ଆଠ । Prehistory (ପ୍ରାକ୍‌-ଇତିହାସ) ଏହାର ପ୍ରଥମ ଅଧ୍ୟାୟ, ଯାହା ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ ଓ ସଂସ୍କୃତି ବିଭାଗର ପ୍ରଫେସର ଜିସି ମହାପାତ୍ରଙ୍କଦ୍ୱାରା ରଚିତ । ଏହି ଅଧ୍ୟାୟରେ ସନ୍ନିବେଶିତ ପ୍ରାକ୍‌-ଐତିହାସିକ ସ୍ଥାନଗୁଡ଼ିକର ନକ୍‌ସା, ଫଟୋଚିତ୍ର, ରେଖାଚିତ୍ର ଇତ୍ୟାଦି ମଧ୍ୟ ଡକ୍ଟର ମହାପାତ୍ରଙ୍କ ସୌଜନ୍ୟରୁ ପ୍ରାପ୍ତ । ଦ୍ୱିତୀୟ ଅଧ୍ୟାୟଠାରୁ ଅଷ୍ଟମ ଅଧ୍ୟାୟ ପର୍ଯ୍ୟନ୍ତ ସ୍ଥାନପ୍ରାପ୍ତ ପ୍ରାଚୀନ କଳିଙ୍ଗର ଇତିହାସ ଯେପରି ତଥ୍ୟବହୁଳ, ପରିଶିଷ୍ଟ, ନକ୍‌ସା, ରେଖାଚିତ୍ର, ଅତିରିକ୍ତ ତଥ୍ୟ, ସହାୟକ ଗ୍ରନ୍ଥର ତାଲିକା ଇତ୍ୟାଦିରେ ସଜ୍ଜିତ ହୋଇ ସେହିପରି ଉପାଦେୟ ।

 

ଏହାର ଦ୍ୱିତୀୟ ଅଧ୍ୟାୟରେ ଉତ୍କଳ, କଳିଙ୍ଗ, ଓଡ୍ର ଓ କୋଶଳର ଜନ୍ମ-ଇତିହାସ ସେ ଖୋଜିଛନ୍ତି । ଓଡ଼ିଶା ବିଷୟରେ ସେ ବିଶଦ ବିବରଣୀ ଦେଇ ଉପସଂହାରରେ କହନ୍ତି ଯେ ଉଡ୍‌ଡିଶା ବା ଉଡିଶା ପଞ୍ଚଦଶ ଶତାବ୍ଦୀବେଳକୁ ଏକ ଉନ୍ନତ ରାଜ୍ୟ ଥିଲା । କବି ସାରଳାଦାସ ଓଡ଼ିଶାକୁ ଉଡ଼ରାଷ୍ଟ୍ର ଭାବରେ ନିଜ ଗ୍ରନ୍ଥରେ ଉଲ୍ଲେଖ କରିଥିଲେ । କପିଳେନ୍ଦ୍ରଦେବଙ୍କ ରାଜତ୍ୱକାଳରେ ସେ ଲେଖନୀ ଚାଳନା କରିଥିଲେ । ‘ଓଡ୍ରରାଷ୍ଟ୍ର-ଓଡ଼ିଶା’ ଓଡ଼ିଶା ରାଜ୍ୟକୁ ବୁଝାଏ । ତେଣୁ ଗଜପତି କପିଳେନ୍ଦ୍ରଦେବଙ୍କ ଘୋଷଣାପତ୍ରମାନଙ୍କରେ ଓଡ଼ିଶା ରାଜ୍ୟର ଉଲ୍ଲେଖ ରହିଛି । କପିଳେନ୍ଦ୍ରଦେବଙ୍କ ସମୟରୁ ଓଡ଼ିଆ ଲୋକଙ୍କର ସମଗ୍ର ରାଜ୍ୟର ନାମ ‘ଓଡ଼ିଶା’ ବୋଲି ଗୃହୀତ ହୋଇଆସୁଛି । ଅନ୍ୟ ଭାବରେ, କପିଳେନ୍ଦ୍ରଦେବଙ୍କ ସମୟରୁହିଁ ଆମ ରାଜ୍ୟ ସର୍ବପ୍ରଥମେ ଓଡ଼ିଶା ନାମରେ ନାମିତ ହୋଇଛି । ଡକ୍ଟର ସାହୁଙ୍କ ଭାଷାରେ - ‘‘It is, thus, evident that the word Uddisa or Udisa is already developed by the 15th century AD, and the poet Saraladasa naturally makes ‘udisa or Odisa’ synonymous with Odrarastra. The ‘Odrarastra-Odisa of Saraladasa is represented as Odisa-rajya, also as Odisa-rajya in the Proclamations of Gajapati Kapilendradeva (1435-1447 AD) during whose reign the poet flourished. Form this time onwards the word ‘odisa’ denoting the entire land of the Oriya people, came to be of common use.’’ (1p. 154)

 

ପରବର୍ତ୍ତୀ ଅଧ୍ୟାୟମାନଙ୍କରେ ସେ ମହାଭାରତ ଯୁଦ୍ଧ ପୂର୍ବର କଳିଙ୍ଗ ସମ୍ବନ୍ଧରେ ଆଲୋକପାତ କରିଛନ୍ତି, ମହାଭାରତ ଯୁଦ୍ଧପରଠାରୁ ମହାପଦ୍ମନନ୍ଦଙ୍କ ପର୍ଯ୍ୟନ୍ତ ଓଡ଼ିଶାର ସ୍ଥିତି, ଓଡ଼ିଆ ସମାଜର ରୂପରେଖ, କଳିଙ୍ଗଯୁଦ୍ଧର କାରଣ ଓ ପରିଣତି, ତତ୍‌କାଳୀନ କଳିଙ୍ଗ ଶାସନର ଚିତ୍ର, କଳିଙ୍ଗରେ ଆଶୋକଙ୍କ ସଫଳତା ଓ ବିଫଳତା, ଆର୍ଯ୍ୟ ମହାମେଘବାହନମାନଙ୍କ ଶାସନକ୍ରମରେ ଖାରବେଳ, ଖାରବେଳଙ୍କ ପୂର୍ବପୁରୁଷଙ୍କ ସାମାନ୍ୟ ସୂଚନା, ଖାରବେଳଙ୍କର ରାଜ୍ୟଶାସନ, ଖାରବେଳ-କାଳୀନ ଭାସ୍କର୍ଯ୍ୟ, ଖାରବେଳଙ୍କ ରାଜଧାନୀ, ଖାରବେଳଙ୍କ ଉତ୍ତରପୁରୁଷ, ଗୁମ୍ଫା ଭାସ୍କର୍ଯ୍ୟ, ହାତୀଗୁମ୍ଫା ଅଭିଲେଖ ବିଷୟକ ବର୍ଣ୍ଣନା, ପ୍ରଥମ ଶତାବ୍ଦୀରୁ ୩୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କଳିଙ୍ଗର ଇତିହାସ, କଳିଙ୍ଗରେ ମାଠର ଶାସନ ଇତ୍ୟାଦିର ଐତିହାସିକ ବିବରଣୀମାନ ରହିଛି । ଏହି ଗ୍ରନ୍ଥ ସଙ୍କଳନରେ ସେ ଅଭିଲେଖ, ପ୍ରାଚୀନ ଗ୍ରନ୍ଥ ଇତ୍ୟାଦି ବିଭିନ୍ନ ସୂତ୍ରରୁ ଐତିହାସିକ ଉପାଦାନମାନ ସଂଗ୍ରହକରି ତାହାର ସଫଳ ବିନିଯୋଗ କରିଛନ୍ତି; ଫଳରେ ଜଣେ ସୁଯୋଗ୍ୟ ଐତିହାସିକ ଭାବରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏବଂ ପରବର୍ତ୍ତୀ ପିଢ଼ିପାଇଁ ଏକ ଅଭିନବ ଦିଗନ୍ତର ଉନ୍ମୋଚନ କରିଛନ୍ତି ।

 

ତାଙ୍କର ଏହି ଗ୍ରନ୍ଥ ବହୁ ଐତିହାସିକ ଓ ବୁଦ୍ଧିଜୀବୀଙ୍କ ଆଖି ଖୋଲିଦେଲା । ଉପାଦାନ ସଂଗ୍ରହରେ ସଫଳତା, ବିଷୟ ସଜ୍ଜୀକରଣରେ ବିଜ୍ଞତା ଓ ପ୍ରସଙ୍ଗୋଚିତ ପ୍ରୟୋଗରେ ପାରଙ୍ଗତା ଦୃଷ୍ଟିରୁ ଏଇଟି ଚମକ ସୃଷ୍ଟି କରିଥିଲା ଏବଂ ଐତିହାସିକ ଭାବରେ ଥିବା ତାଙ୍କ ପୂର୍ବପ୍ରସିଦ୍ଧିକୁ ବହୁଗୁଣିତ କରିଥିଲା । ଏହିପରି ଅନୁପମ ସୃଷ୍ଟି ଯେ ସମ୍ଭବ, ସେହି କଥା ଯେଉଁମାନେ କଳ୍ପନାରେ ବି ଚିନ୍ତା କରିପାରିନଥିଲେ, ସେମାନଙ୍କ ମଧ୍ୟରୁ କେହି କେହି ଈର୍ଷାନ୍ୱିତ ହୋଇ ଏହା ବିରୋଧରେ କଟୁ ମନ୍ତବ୍ୟ ଦେଲେ। ଏ ବିଷୟରେ ଐତିହାସିକ ଡକ୍ଟର ଯଜ୍ଞକୁମାର ସାହୁଙ୍କ ମତ ଏଠାରେ ଉଦ୍ଧାରଯୋଗ୍ୟ । ତାହା ହେଉଛି -‘‘ଡକ୍ଟର ସାହୁଙ୍କର ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶା ଇତିହାସର ପ୍ରଥମ ଖଣ୍ଡ ଯେଉଁମାନେ ପଢ଼ିଛନ୍ତି ବା ପଢ଼ିବେ, ସେମାନେହିଁ ଏହି ସମାଲୋଚନାର ଯଥାର୍ଥତା ବିଚାର କରିବେ । ମୋ ଜାଣିବାରେ ଏହି ଗ୍ରନ୍ଥ ଓଡ଼ିଶା ବାହାରେ ପ୍ରାଚୀନ ଓଡ଼ିଶାର ମୌଳିକ ଇତିହାସରୂପେ ସବୁଠାରୁ ବେଶୀ ଆଦର ଲାଭକରିଛି । ଏପର୍ଯ୍ୟନ୍ତ ଏହା ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଅଛି ।’’ (ଐତିହାସିକ ନବୀନକୁମାର, ପୃ ୧୬)

 

ଆଲୋଚ୍ୟ ଗ୍ରନ୍ଥର ପ୍ରଥମ ଭାଗର ସଙ୍କଳନ କାର୍ଯ୍ୟ ସମାପ୍ତ ହେବାପରେ ଏହାର ଦ୍ୱିତୀୟ ଭାଗର କାମରେ ସେ ଲାଗିପଡ଼ିଥିଲେ ଏବଂ ଯଥା ସମୟରେ ଶେଷକରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦାଖଲ କରିଥିଲେ । ଏହା ପ୍ରଜାତନ୍ତ୍ର ପ୍ରେସକୁ ମୁଦ୍ରଣ ନିମନ୍ତେ ପଠାଯାଇଥିଲା ଏବଂ ଏହାର ମୁଦ୍ରଣ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଥିଲା । କିନ୍ତୁ ଅଜଣା କାରଣରୁ ଏହାର ପ୍ରକାଶନକୁ ସ୍ଥଗିତ ରଖାଗଲା । ବହୁଦିନ ପର୍ଯ୍ୟନ୍ତ ଛପା ଫର୍ମାଗୁଡ଼ିକ ପ୍ରେସ୍‌ରେ ପଡ଼ିରହିଲା । ଏଥିରେ ୫୦୦ ଖ୍ରୀଷ୍ଟାବ୍ଦରୁ ୧୧୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ତତ୍‌କାଳୀନ ଓଡ଼ିଶାର ଇତିହାସ ଓ ସଂସ୍କୃତି ଆଲୋକିତ ହୋଇଥିଲା । ଏହାର ଉପାଦେୟତା ଦୃଷ୍ଟିରୁ କେତେକ ଗବେଷକ ପ୍ରେସ୍‌ରେ ଛପାହୋଇ ଗଦା ହୋଇଥିବା ଫର୍ମାମାନ ସଂଗ୍ରହ କରି ସେମାନଙ୍କ ଗବେଷଣାରେ ଉପଯୋଗ କଲେ; କିନ୍ତୁ ପୁସ୍ତକଟି ଦିନର ଆଲୋକ ଦେଖିପାରିଲା ନାହିଁ । ବହୁପରେ ଡକ୍ଟର ସାହୁଙ୍କ ଭୁବନେଶ୍ୱର ଅବସ୍ଥାନ କାଳରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପଦରେ ଥିବା ଡକ୍ଟର ଶ୍ରୀନିବାସ ସାହୁ ଏହି ପୁସ୍ତକକୁ ପ୍ରକାଶ କରିବାକୁ ଇଚ୍ଛାକଲେ । ପ୍ରେସ୍‌ରେ ଦୀର୍ଘଦିନ ପଡ଼ିରହିବା ଫଳରେ ପୁସ୍ତକର ଶେଷ କେଇପୃଷ୍ଠା ନଷ୍ଟ ହୋଇଯାଇଥିଲା । କୁଳପତିଙ୍କ ଅନୁରୋଧ କ୍ରମେ ଡକ୍ଟର ସାହୁ ସମ୍ପୃକ୍ତ ପାଠର ପୁନର୍ଲିଖନ କରି ଯୋଗାଇଦେଇଥିଲେ । * କୁଳପତିଙ୍କ ତତ୍ପରତା ତାଙ୍କ ମନରେ ଆଶା ସଞ୍ଚାର କଲା । କିନ୍ତୁ ଆଶା ଆଶାରେ ରହିଗଲା; ନା ତାଙ୍କ ଜୀବଦ୍ଦଶାରେ ଏହା ପ୍ରକାଶିତ ହୋଇପାରିଲା, ନା ତାଙ୍କ ଜୀବନାବସାନ ପରେ ।

 

* ସେହି ସମୟରେ ଡକ୍ଟର ସାହୁଙ୍କଠାରୁ ଯାହା ଶୁଣିବାକୁ ମିଳିଥିଲା ।

 

ଦ୍ୱିତୀୟ ଭାଗପରେ ତୃତୀୟ ଓ ଚତୁର୍ଥ ଭାଗର ସଙ୍କଳନ କାର୍ଯ୍ୟରେ ସେ ଆଉ ଆଗେଇନାହାନ୍ତି । ବୋଧହୁଏ, ଦ୍ୱିତୀୟଭାଗ ମୁଦ୍ରିତ ହୋଇମଧ୍ୟ ପ୍ରକାଶିତ ହୋଇନପାରିବାର ଦୁଃଖଦ ପରିଣତି ଏହାର କାରଣ ।

 

ଓଡ଼ିଶା ଇତିହାସର ପୂର୍ଣ୍ଣାଙ୍ଗ ପ୍ରକାଶନ ନିମନ୍ତେ ଉତ୍କଳ ବିଶ୍ୱବିଦ୍ୟାଳୟର ଯୋଜନା ସଫଳ ହୋଇନଥିଲା । ଅନ୍ୟ ତିନିଜଣ ଐତିହାସିକଙ୍କ ମଧ୍ୟରୁ କେବଳ ପ୍ରଫେସର ପ୍ରଭାତ ମୁଖାର୍ଜୀ ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ଷଷ୍ଠଭାଗଟି ସଙ୍କଳନକରି ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦେଇଥିଲେ ଏବଂ ତାହା ପ୍ରକାଶ ପାଇଥିଲା ୧୯୬୪ ଖ୍ରୀଷ୍ଟାବ୍ଦରେ ।

 

ଓଡ଼ିଆ ଜାତିର ଇତିହାସ

Buddhism in Orissa ଇଂରାଜୀ ପୁସ୍ତକ ଭଳି ‘ଓଡ଼ିଆ ଜାତିର ଇତିହାସ’ ଡକ୍ଟର ସାହୁଙ୍କର ଏକ ଅନବଦ୍ୟ କୃତି । ଏପରି ଏକ ପୁସ୍ତକର ଆବଶ୍ୟକତା ସମ୍ପର୍କରେ ଓ ଏଥିରେ ଯାହା ପ୍ରତିପାଦିତ ସେ ବିଷୟରେ ଡକ୍ଟର ସାହୁ ବ୍ୟକ୍ତ କରନ୍ତି - ‘‘ଜାତୀୟ କ୍ରିୟାକଳାପ ଓ ସାଂସ୍କୃତିକ ପରମ୍ପରାର ଏକମାତ୍ର ବିଶ୍ୱାସ୍ୟ ଆଧାର ହେଉଛି ଜାତିର ଇତିହାସ । ତାହା ଯଦି ବିକୃତ ବା ବିକଳାଙ୍ଗ ହୋଇ ରହେ, ସମଗ୍ର ଜାତି ଅଚେତନ ଓ ପଶ୍ଚାତ୍‌ପଦ ଅବସ୍ଥାରେ ପଡ଼ିରହିବା ଆଶଙ୍କା ହୁଏ । ଆଜିପର୍ଯ୍ୟନ୍ତ ବହୁ କାହାଣୀ, କିମ୍ୱଦନ୍ତୀ ଓ ଜନଶ୍ରୁତିକୁ ଆଶ୍ରୟ କରି ଓଡ଼ିଆ ଜାତିର ଗୌରବମୟ ଅତୀତର ପରିଚୟ ପ୍ରଦାନ କରାଯାଉଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ବିଗତ ଅଳ୍ପ କେତେକ ବର୍ଷ ମଧ୍ୟରେ ଓଡ଼ିଶାର ଇତିହାସ ଓ ସଂସ୍କୃତି ସମ୍ପର୍କରେ ଯେଉଁ ଅମୂଲ୍ୟ ଉପାଦାନମାନ ଉଦ୍ଧାର କରାଯାଇଅଛି, ତାହା ସାହାଯ୍ୟରେ ଇତିହାସର ଅନେକ ଅଜ୍ଞାତ ତଥ୍ୟ ଆଲୋକିତ ହୋଇପାରିଛି ଏବଂ ବହୁକାଳରୁ ପୁଞ୍ଜୀଭୂତ ସନ୍ଦେହ ଦୂର ହୋଇଛି । ଆଜି ଓଡ଼ିଶାର ଇତିହାସ ବିବାଦୀୟ ବିଷୟବସ୍ତୁଗୁଡ଼ିକର ସମାହାର ନୁହେଁ । ତାହା ଘଟଣାବହୁଳ ଅତୀତର ଅବିସମ୍ବାଦିତ ଧାରାବାହିକ ବିବରଣ । ଏହାହିଁ ଏହି ଗ୍ରନ୍ଥର ପ୍ରତିପାଦ୍ୟ ।’’ (ଭୂମିକା, ପୃ ୧-୨)

 

ପ୍ରାଚୀନ କଳିଙ୍ଗବାସୀଙ୍କ ଜାତୀୟ ଇତିହାସକୁ ଡକ୍ଟର ସାହୁ ଏଗାରଟି ଅଧ୍ୟାୟରେ ବିଭକ୍ତ କରିଛନ୍ତି । ପ୍ରଥମ ଅଧ୍ୟାୟରେ କଳିଙ୍ଗର ପରିଚୟ ଓ ବିଭିନ୍ନ ଯୁଗରେ ଏହାର ବିସ୍ତୃତି ସମ୍ପର୍କରେ ସୂଚନା ପ୍ରଦତ୍ତ । ଏହାପରେ ବିଭିନ୍ନ ସମୟରେ ଦନ୍ତପୁର, ପିହୁଣ୍ଡ, ତୋଷାଳୀ ଆଦି ସ୍ଥାନ ପ୍ରାଚୀନ କଳିଙ୍ଗର ରାଜଧାନୀ ବୋଲି ନିର୍ଣ୍ଣିତ ହୋଇଛି ବୌଦ୍ଧଗ୍ରନ୍ଥ, ଜୈନଗ୍ରନ୍ଥ, ପୁରାଣ ଓ ପ୍ରାଚୀନ ଐତିହାସିକ ବିବରଣୀର ଆଧାରରେ ।

 

ଦ୍ୱିତୀୟ ଅଧ୍ୟାୟରେ ଆଦିମାନବଜାତିର ଇତିହାସ ଦେବାକୁ ଯିବାପୂର୍ବରୁ ବନ୍ଧନୀ ମଧ୍ୟରେ ପ୍ରଦତ୍ତ ଡକ୍ଟର ସାହୁଙ୍କ ସୂଚନା ଏକାନ୍ତ ପ୍ରଣିଧାନ୍ୟଯୋଗ୍ୟ, ଯାହା ଅବିକଳ ଏହିପରି-‘‘ଏହି ଅଧ୍ୟାୟରେ ବର୍ଣ୍ଣିତ ବିଷୟବସ୍ତୁ ସମ୍ପୂର୍ଣ୍ଣ ପ୍ରାଗୈତିହାସିକ । ସେକାଳରେ ପୃଥିବୀର ଭୌଗୋଳିକ ସ୍ଥିତି ବହୁ ପରିମାଣରେ ଭିନ୍ନ ଥିଲା ଏବଂ ରାଜନୈତିକ ସୀମାରେଖାର ପରିକଳ୍ପନା ନଥିଲା । ସମଗ୍ର ପୃଥିବୀ ଥିଲା ଆଦିମ ମାନବ ଜାତିର ଏକମାତ୍ର ଦେଶ ଏବଂ ମାନବ ସଂସ୍କୃତିର ଆଭିମୁଖ୍ୟ ଥିଲା ସର୍ବତ୍ର ସମାନ୍ତରାଳ ବିକାଶ । ଏହି ବିସ୍ତୃତି ପରିପ୍ରେକ୍ଷୀରେ ଆଦିମ ଜାତିଙ୍କ କାର୍ଯ୍ୟକଳାପର ସଂକେତ ଦେବା ସଙ୍ଗେ ସଙ୍ଗେ ଭାରତ ତଥା ଓଡ଼ିଶା ଅଞ୍ଚଳର ପ୍ରାଗୈତିହାସିକ ଜୀବନଧାରାର ପରିଚୟ ପ୍ରଦାନ କରିବା ଉପସ୍ଥିତ ଆଲୋଚନାର ଲକ୍ଷ୍ୟ । (ପୃ ୧୯) ଆଦି ପ୍ରସ୍ତରଯୁଗ, ପ୍ରସ୍ତର ସଂସ୍କୃତିର ମଧ୍ୟଯୁଗ, ପ୍ରସ୍ତର ଯୁଗର ଶେଷ ପର୍ଯ୍ୟନ୍ତ, ତାମ୍ରଯୁଗ ଇତ୍ୟାଦି କ୍ରମରେ ଏହି ଅଧ୍ୟାୟଟି ସଜ୍ଜିତ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ମିଳିଥିବା ଏହିସବୁ ଯୁଗରେ ବ୍ୟବହୃତ ପ୍ରସ୍ତର ଓ ତାମ୍ର ନିର୍ମିତ ଅସ୍ତ୍ରଶସ୍ତ୍ରର ବିବରଣୀ ମଧ୍ୟ ଏଥିରେ ପତ୍ରସ୍ଥ ।

 

ତୃତୀୟ ଅଧ୍ୟାୟରେ ପ୍ରାଚୀନ ଐତିହ୍ୟ ଆଲୋଚନାକାଳରେ ପ୍ରାଚୀନ କଳିଙ୍ଗର ଧର୍ମ ଓ ସମାଜବିଷୟକ ବିବରଣୀ ପ୍ରଦତ୍ତ । ପରବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ଯଥାକ୍ରମେ ନନ୍ଦରାଜତ୍ୱ, ମୌର୍ଯ୍ୟ ଶାସନାଧୀନ କଳିଙ୍ଗ, ମହାମେଘବାହନ ଖାରବେଳ, ଖାରବେଳଙ୍କ ପରବର୍ତ୍ତୀକାଳ, ପ୍ରାଚୀନ ମଧ୍ୟଯୁଗର ସନ୍ଧିକାଳରେ କଳିଙ୍ଗର ରାଜନୀତିକ ଓ ସାଂସ୍କୃତିକ ଚିତ୍ର, ଦ୍ୱୀପାନ୍ତର, କଳିଙ୍ଗ ଓ କଳିଙ୍ଗର ଭାଷା ସମ୍ବନ୍ଧରେ ଆଲୋକପାତ କରାଯାଇଛି । ‘ଦ୍ୱୀପାନ୍ତର କଳିଙ୍ଗ’ ଅଧ୍ୟାୟରେ କଳିଙ୍ଗ ସହିତ ଦରିଆପାରି ବ୍ରହ୍ମଦେଶ, ସିଂହଳ, ଶ୍ୟାମଦେଶ (ଥାଇଲାଣ୍ଡ), କାମ୍ବୋଡ଼ିଆ, ଚମ୍ପା (ଭିଏତନାମ), ପୂର୍ବଭାରତୀୟ ଦୀପପୁଞ୍ଚ (ଇଣ୍ଡୋନେସିଆର ଜାଭା, ବାଲି, ସୁମାତ୍ରା ଆଦି), ରୋମ୍‌ ପ୍ରଭୃତି ଦେଶମାନଙ୍କର ସାଂସ୍କୃତିକ ସମ୍ପର୍କର ଆଲୋଚନା ସ୍ଥାନିତ । ସେହିପରି ‘କଳିଙ୍ଗର ଭାଷା’ ଅଧ୍ୟାୟରେ ପାଲି ଭାଷାକୁ କଳିଙ୍ଗର ଭାଷା ଭାବରେ ପ୍ରତିପାଦନ କରାଯାଇଛି । ଏଥିପାଇଁ ପାଲି ଭାଷାର ଉତ୍ପତ୍ତି ଓ ବିକାଶ ସମ୍ବନ୍ଧରେ ଯେଉଁ ମତମାନ ପ୍ରକାଶିତ ହୋଇଛି, ସେ-ସବୁକୁ ବିଚାରକୁ ନିଆଯାଇଛି; ତତ୍‌କାଳୀନ ଧର୍ମପ୍ରଚାରର ଭାଷା ଓ ଅଭିଲେଖର ଭାଷାର ବିଶ୍ଳେଷଣ କରାଯାଇଛି । ଏହିପରି ବିଭିନ୍ନ ଦୃଷ୍ଟିରୁ ଆଲୋଚନା କରି ଓ ନିଜସ୍ୱ ପାଣ୍ଡିତ୍ୟପୂର୍ଣ୍ଣ ମତ ପ୍ରଦାନ କରି ପାଲି ଯେ ତତ୍‌କାଳୀନ କଳିଙ୍ଗର ଭାଷା ଥିଲା, ତାହା ଡକ୍ଟର ସାହୁ ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି ।

 

ଏଇ ଗ୍ରନ୍ଥର ଅନ୍ୟତମ ବିଶେଷତ୍ୱ ହେଉଛି- ପଞ୍ଚମ ଅଧ୍ୟାୟର ପରିଶିଷ୍ଟରେ ପ୍ରଦତ୍ତ ଅଶୋକଙ୍କ ତ୍ରୟୋଦଶ ଅନୁଶାସନ, ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ-୧ ଓ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ-୨ର ପାଠୋଦ୍ଧାର ଏବଂ ସେ-ସବୁର ଓଡ଼ିଆ ରୂପାନ୍ତର । ସେହିପରି ଷଷ୍ଠ ଅଧ୍ୟାୟର ପରିଶିଷ୍ଟରେ ଚେଦି-ରାଜତ୍ୱରେ ଗୁମ୍ଫା-ସ୍ଥାପତ୍ୟର ବିବରଣୀ ଏବଂ ଏହି କ୍ରମରେ ଉଦୟଗିରି ଓ ଖଣ୍ଡଗିରିସ୍ଥ ଗୁମ୍ଫାଗୁଡ଼ିକ ଉପରେ ସୂଚନା ସ୍ଥାନପ୍ରାପ୍ତ । ସମ୍ରାଟ ଖାରବେଳଙ୍କ କୃତି ଓ କୀର୍ତ୍ତିର ମୂଲ୍ୟାୟନ କରିବାରେ ନିର୍ଭରଯୋଗ୍ୟ ମୂଳଉପାଦାନ ହେଉଛି ଉଦୟଗିରି ହାତୀଗୁମ୍ଫାର ଶୀର୍ଷଦେଶରେ ଉତ୍କୀର୍ଣ୍ଣ ଅଭିଲେଖ । ଡକ୍ଟର ସାହୁ ଏହି ଅଭିଲେଖର ପାଠୋଦ୍ଧାର କରିଛନ୍ତି ଏବଂ ଏହାର ଓଡ଼ିଆ ଭାଷାନ୍ତର ମଧ୍ୟ କରିଛନ୍ତି ଉପରୋକ୍ତ ପରିଶିଷ୍ଟରେ ।

 

ଭୁବନେଶ୍ୱରର ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାଦ୍ୱାରା ୧୯୭୪ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ଏହି ପୁସ୍ତକଟି ଡକ୍ଟର ସାହୁଙ୍କର ଏକ ଅନୁପମ ସୃଷ୍ଟି ଏବଂ ପ୍ରାଚୀନ କଳିଙ୍ଗକାଳୀନ ଓଡ଼ିଆଜାତିର ଏକ ନିର୍ଭୁଲ ଐତିହାସିକ ଓ ସାଂସ୍କୃତିକ ଦସ୍ତାବିଜ ।

 

ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାଦ୍ୱାରା ଓଡ଼ିଆ ଜାତିର ଏକ ପୂର୍ଣ୍ଣାଙ୍ଗ ଇତିହାସ ରଚନାର ଦାୟିତ୍ୱ ଡକ୍ଟର ସାହୁଙ୍କ ଦିଆଯାଇଥିଲା । ନିଷ୍ପତ୍ତି ନିଆଯାଇଥିଲା ଯେ ଏହାର ପ୍ରଥମ ଭାଗ ‘ପ୍ରାଚୀନ କଳିଙ୍ଗ’, ଦ୍ୱିତୀୟ ଭାଗ ‘ମଧ୍ୟଯୁଗୀୟ ଉତ୍କଳ’ର ଓ ତୃତୀୟ ଭାଗ ‘ଆଧୁନିକ ଓଡ଼ିଶା’ର ଇତିହାସ ବହନ କରି ତିନିଭାଗରେ ପ୍ରକାଶ ପାଇବ । ପ୍ରାଚୀନ କଳିଙ୍ଗବାସୀଙ୍କ ଇତିହାସ ଓ ସଂସ୍କୃତିବିଷୟକ ଆଲୋଚନାରେ ସମୃଦ୍ଧ ପ୍ରଥମ ଭାଗଟି ପ୍ରକାଶିତ । ଦ୍ୱିତୀୟ ଓ ତୃତୀୟ ଭାଗ ସମୟକ୍ରମେ ପ୍ରକାଶ ପାଇବାର ଆଶାପୋଷଣ କରିଥିଲେ ଡକ୍ଟର ସାହୁ । (ଭୂମିକା, ପୃ୨) କିନ୍ତୁ କେଉଁ କାରଣରୁ ଏହି ଦୁଇଖଣ୍ଡ ପ୍ରକାଶ ପାଇପାରିଲା ନାହିଁ, ତାହା ବର୍ତ୍ତମାନ ପରିସ୍ଥିତିରେ କହିବା ସମ୍ଭବ ନୁହେଁ । ସେ ଯାହାହେଉ, ସୌଭାଗ୍ୟବଶତଃ ଆମେ ପ୍ରଥମ ଭାଗଟି ପାଇପାରିଛୁଁ । ଦ୍ୱିତୀୟ ଓ ତୃତୀୟ ଭାଗ ପ୍ରକାଶିତ ହୋଇପାରିଥିଲେ ସୁ-ସମୃଦ୍ଧ ଓ ଐତିହ୍ୟସମ୍ପନ୍ନ ମଧ୍ୟଯୁଗୀୟ ଓ ଆଧୁନିକ ଓଡ଼ିଆ ଜାତିର ଏକ ପୂର୍ଣ୍ଣାଙ୍ଗ ଇତିହାସ ଆମର ହସ୍ତଗତ ହୋଇଥା‘ନ୍ତା; କିନ୍ତୁ ଆମର ଦୁର୍ଭାଗ୍ୟ, ଆମେ ସେଥିରୁ ବଞ୍ଚିତ ହେଲୁ ।

 

Kharavela

ଡକ୍ଟର ସାହୁ ଓଡ଼ିଶା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ଉପଦେଷ୍ଟା ଥିଲାବେଳେ ତାଙ୍କୁ ଏଇ ଗ୍ରନ୍ଥଟି ରଚନା କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକୀବଲ୍ଲଭ ପଟ୍ଟନାୟକ ଅନୁରୋଧ କରିଥିଲେ-। ଖାରବେଳ ଥିଲେ ପ୍ରାଚୀନ କଳିଙ୍ଗର ତୃତୀୟ ଚେଦିବଂଶୀ ସମ୍ରାଟ । ସେ ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀରେ ରାଜତ୍ୱ କରୁଥିଲେ ଓ କଳିଙ୍ଗର ଗୌରବ ଫେରାଇ ଆଣିଥିଲେ । ସେ ଓଡ଼ିଆ ଜାତିର ଗର୍ବ ଓ ଗୌରବ ।

 

ଇଂରାଜୀରେ ରଚିତ ଡକ୍ଟର ସାହୁଙ୍କ ‘ଖାରବେଳ’ ପୁସ୍ତକ ବାରଟି ଅଧ୍ୟାୟରେ ସମାପ୍ତ । ଏହା ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ରଜତ ଜୟନ୍ତୀ ପାଳନ ଅବସରରେ ୧୯୮୪ ଅକ୍ଟୋବର ୧୯ ତାରିଖରେ ଲୋକାର୍ପିତ ହୋଇଥିଲା ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା । ଏହାପୂର୍ବରୁ ପ୍ରକାଶିତ ଡକ୍ଟର ସାହୁଙ୍କ Utkal University History of Orissa, Vol I ଓ ‘ଓଡ଼ିଆ ଜାତିର ଇତିହାସ’ ପୁସ୍ତକରେ ଖାରବେଳଙ୍କ ସମ୍ୱନ୍ଧରେ ଆଲୋକପାତ କରାଯାଇଥିଲା । ପ୍ରଥମୋକ୍ତ ପୁସ୍ତକର ଶତାଧିକ ପୃଷ୍ଠାସମ୍ୱଳିତ ଷଷ୍ଠ ଅଧ୍ୟାୟଟି ଓ ଦ୍ୱିତୀୟୋକ୍ତ ପୁସ୍ତକର ୭୦ ପୃଷ୍ଠାବ୍ୟାପ୍ତ ଷଷ୍ଠ ଅଧ୍ୟାୟଟି ମଧ୍ୟ ଖାରବେଳଙ୍କ ସମ୍ୱନ୍ଧରେ ବ୍ୟୟିତ । ଆଲୋଚ୍ୟ ଗ୍ରନ୍ଥଟି ପୂର୍ବସଂଗୃହୀତ ତଥ୍ୟାବଳୀର ଏକ ବିସ୍ତୃତ ରୂପ । ଏଥିରେ ପ୍ରାରମ୍ଭିକ ସୂଚନା ସମେତ ଖାରବେଳଙ୍କ ବଂଶପରିଚୟ, ଖାରବେଳଙ୍କ ସମୟ, ଖାରବେଳଙ୍କ ରାଜତ୍ୱକାଳରେ କଳିଙ୍ଗର ସ୍ଥିତି ଓ ସ୍ୱରୂପ, ତତ୍କାଳୀନ କଳା ଓ ଭାସ୍କର୍ଯ୍ୟ, ହାତୀଗୁମ୍ଫାର ଭାଷା ଓ ଲିପି, ସାହିତ୍ୟରେ ଖାରବେଳ, ଉପସଂହାର ଇତ୍ୟାଦି ଅଧ୍ୟାୟମାନ ରହିଛି ।

 

ପୂର୍ବରୁ ଖାରବେଳଙ୍କ ଆର୍ବିଭାବ ଓ ତାଙ୍କ ରାଜତ୍ୱକାଳ ସମ୍ୱନ୍ଧରେ ଥିବା ମତାନୈକ୍ୟକୁ ଡକ୍ଟର ସାହୁ ଆଭିଲେଖିକ ପ୍ରମାଣବଳରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ଭାବରେ ନିର୍ଣ୍ଣୟ କରିଛନ୍ତି । ତାଙ୍କ ମତରେ-‘‘... The dates arrived at from the above analysis are tentatively correct and in the light of that the activities of Kharavela may be ascribed to the third quarter of the 1st century BC.” (p.52) ଆଉ କିଛି ଅଧିକ ପ୍ରମାଣ ଆଧାରରେ ସେ ୨ୟ ଅଧ୍ୟାୟର ଉପସଂହାର କରନ୍ତି ଏହିପରି-‘‘All these supporting evidences confirm dating of Kharvela in the 1st century BC.” (p.53) ତାଙ୍କର ଏହି ସମୟ-ନିରୂପଣ ଦୃଢ଼ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ-ପ୍ରମାଣଆଧାରିତ ଓ ସତ୍ୟର ଅଧିକ ନିକଟବର୍ତ୍ତୀ ।

 

ଏହି ଗ୍ରନ୍ଥରେ ସେ ହାତୀଗୁମ୍ଫା ଶିଳାଲେଖର ପୁନଃ ପାଠୋଦ୍ଧାର କରିଛନ୍ତି ଏବଂ ପୂର୍ବରୁ କାଶୀପ୍ରସାଦ ଜୟସ୍ୱାଲ, ବେଣୀମାଧବ ବଡ଼ୁଆ ଓ ଦୀନେଶଚନ୍ଦ୍ର ସରକାରଙ୍କ ଭଳି ବିଦ୍ୱାନ୍ ଓ ପ୍ରତ୍ନତତ୍ତ୍ୱବିଦ୍‍ମାନଙ୍କଦ୍ୱାରା କରାଯାଇଥିବା ପାଠୋଦ୍ଧାର ସହିତ କେତେକ ସ୍ଥଳରେ ଏକମତ ନହୋଇ ସକାରଣ ନିଜସ୍ୱ ମତ ବାଢ଼ିଛନ୍ତି । ହାତୀଗୁମ୍ଫା ଅଭିଲେଖର ପାଠୋଦ୍ଧାର କରି ସେ ତାହାର ସଂସ୍କୃତ ଅନୁବାଦ ମଧ୍ୟ ପ୍ରଦାନ କରିଛନ୍ତି ଓ ଅନ୍ୟ କେତୋଟି ଗୌଣ ଅଭିଲେଖର ଶୁଦ୍ଧ ପାଠୋଦ୍ଧାର ସହିତ ସେସବୁର ଇଂରାଜୀ ଅନୁବାଦ କରି ପରବର୍ତ୍ତୀ ଗବେଷକ ଓ ଅନୁସନ୍ଧିତ୍ସୁ ପାଠକଙ୍କ ପାଇଁ ସ୍ମରଣୀୟ ହୋଇରହିଛନ୍ତି ।

 

ଏହି ଗ୍ରନ୍ଥର ଶେଷରେ ଚାରିଗୋଟି ମାନଚିତ୍ର ଏବଂ ଉଦୟଗିରି ଓ ଖଣ୍ଡଗିରିର ଷୋଳଟି ଗୁମ୍ଫାର ରଙ୍ଗୀନ ଫଟୋଚିତ୍ର ସଂଯୋଜିତ । ଏହି ଚାରିଗୋଟି ମାନଚିତ୍ର ହେଉଛି- (୧) ଧଉଳି, ଶିଶୁପାଳଗଡ଼, ଉଦୟଗିରି ଓ ଖଣ୍ଡଗିରିର ଅବସ୍ଥିତି ଦର୍ଶାଇ ଭୁବନେଶ୍ୱରର ମାନଚିତ୍ର, (୨) ଖାରବେଳଙ୍କ ଶାସନାଧୀନ କଳିଙ୍ଗର ମାନଚିତ୍ର, (୩) ଖାରବେଳଙ୍କ ଦିଗ୍‌ବିଜୟର ପଥସୂଚକ ମାନଚିତ୍ର ଏବଂ (୪) ଉଦୟଗିରି ଓ ଖଣ୍ଡଗିରିର ବାହ୍ୟରେଖା-ଚିତ୍ରସମ୍ୱଳିତ ମାନଚିତ୍ର । ପ୍ରାଚୀନ କଳିଙ୍ଗର ଅଧ୍ୟୟନ ନିମନ୍ତେ ଏହି ମାନଚିତ୍ରଗୁଡ଼ିକର ସ୍ୱତନ୍ତ୍ର ମୂଲ୍ୟ ରହିଛି ।

 

୧୯୮୪ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଦ୍ୱାରା ପ୍ରକାଶିତ ଏହି ଗ୍ରନ୍ଥଟି ଡକ୍ଟର ସାହୁଙ୍କ ଇତିହାସବିଷୟକ ଜ୍ଞାନର ଏକ ମନୋଜ୍ଞ ପ୍ରତିଲେଖ ଏବଂ ଏହା ଇଂରାଜୀରେ ରଚିତ ହେତୁ କଳିଙ୍ଗ ସମ୍ରାଟ ଖାରବେଳଙ୍କୁ ଓ ପ୍ରାଚୀନ କଳିଙ୍ଗର ଇତିହାସକୁ ଦେଶବିଦେଶରେ ପରିଚିତ କରାଇବାପାଇଁ ଏକ ସଫଳ ପଦକ୍ଷେପ ।

 

Veer Surendra Sai

ଏହି ଗ୍ରନ୍ଥଟି ଓଡ଼ିଶାର ସଂସ୍କୃତି ବିଭାଗଦ୍ୱାରା ୧୯୮୫ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ । ଏଥିରେ ଜାତିପ୍ରେମୀ ତଥା ଦେଶପ୍ରେମୀ ଜାତୀୟବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ଓ ତତ୍କାଳୀନ ବିଶ୍ୱରେ ସବୁଠାରୁ ପରାକ୍ରମୀ ବ୍ରିଟିଶ ଶାସକଙ୍କ ବିରୋଧରେ ତାଙ୍କ ସଶସ୍ତ୍ର ବିଦ୍ରୋହର ଏକ ନିର୍ଭୁଲ ଚିତ୍ର ଫୁଟିଉଠିଛି । ୧୯୮୪ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ସରକାର ଏକ କମିଟି ଗଠନ କରିଥିଲେ । ତାହାର କାମ ଥିଲା ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ସୁଚିନ୍ତିତ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା । କମିଟିର ପ୍ରସ୍ତାବ ଅନୁସାରେ ଡକ୍ଟର ସାହୁଙ୍କୁ ଓଡ଼ିଶା ସରକାର ଅନୁରୋଧ କଲେ ବୀର ସୁରେନ୍ଦ୍ର ସାଏଙ୍କ ଉପରେ ଇଂରାଜୀ ଗ୍ରନ୍ଥଟିଏ ରଚନା ନିମନ୍ତେ । ଡକ୍ଟର ସାହୁ ଆନନ୍ଦର ସହିତ କାର୍ଯ୍ୟଟି ହାତକୁ ନେଲେ । ଏଥିସକାଶେ ତାଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ପରିଭ୍ରମଣରେ ଯାଇ ଆନୁଷଙ୍ଗିକ ଐତିହାସିକ ତଥ୍ୟମାନ ସଂଗ୍ରହ କରିବାକୁ ହେଲା । ଏହିପରି ସଂଗୃହୀତ ତଥ୍ୟ ଓ ନିଜର ଅସାଧାରଣ ଇତିହାସଗତ ବ୍ୟୁତ୍ପତ୍ତିର ସମବାୟରେ ଜନ୍ମ ନେଲା ବହୁ ଅଧ୍ୟବସାୟ ଓ ଗବେଷଣାର ଫଳଶ୍ରୁତି ଆଲୋଚ୍ୟ ଗ୍ରନ୍ଥଟି ।

 

୧୯୮୫ ଅଗଷ୍ଟ ୩୦ ତାରିଖରେ ସମ୍ୱଲପୁରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ପାଳନ ଅବସରରେ ତତ୍କାଳୀନ ରାଜ୍ୟପାଳ ଡକ୍ଟର ବିଶ୍ୱମ୍ଭରନାଥ ପାଣ୍ଡେଙ୍କଦ୍ୱାରା ଆଲୋଚ୍ୟ ଗ୍ରନ୍ଥଟି ପାଠକାର୍ପିତ ହେଲା । ଡକ୍ଟର ପାଣ୍ଡେ ଜଣେ ଖ୍ୟାତନାମା ଐତିହାସିକ । ଏହି ଗ୍ରନ୍ଥର ଐତିହାସିକ ତଥ୍ୟ ପରିବେଷଣ ରୀତି ଓ ଚଚନାଶୈଳୀ ତାଙ୍କୁ ଏତେଦୂର ଅଭିଭୂତ କଲା ଯେ ସେ ସେହିଠାରେହିଁ ଡକ୍ଟର ସାହୁଙ୍କ ପାଇଁ ତିନି ହଜାର ଟଙ୍କାର ଏକ ପୁରସ୍କାର ଘୋଷଣା କଲେ । କିନ୍ତୁ ଦୁର୍ଯୋଗ, ପୁରସ୍କାର ରାଶି ପାଇବାପୂର୍ବରୁ ଡକ୍ଟର ସାହୁ ମାତ୍ର ତିନିଦିନପରେ ଏକ ଅଭାବିତ ପରିବେଶରେ ଇହଳୀଳା ସମ୍ୱରଣ କଲେ ୧୯୮୫ ସେପ୍ଟେମ୍ୱର ୨ ତାରିଖରେ । ଏ ଦୃଷ୍ଟିରୁ ଆଲୋଚ୍ୟ ଗ୍ରନ୍ଥଟି ତାଙ୍କର ସର୍ବଶେଷ କୃତି; କେତେକ ସମାଲୋଚକଙ୍କ ଦୃଷ୍ଟିରେ ସର୍ବଶ୍ରେଷ୍ଠ ଐତିହାସିକ ସୃଷ୍ଟି ମଧ୍ୟ ।

 

ଦଶଟି ପରିଚ୍ଛେଦରେ ଗଠିତ ଏହି ଗ୍ରନ୍ଥଟିର ବିଷୟ-ସଜଡ଼ା ଏହିପରି- ଓଡ଼ିଶାରେ ଚୌହାଣବଂଶ, ବ୍ରିଟିଶଦ୍ୱାରା ସମ୍ୱଲପୁର ଅଧିକାର, ସୁରେନ୍ଦ୍ର ସାଏ ଓ ତାଙ୍କ ପରିବାର, ବିଦ୍ରୋହର ଆଦ୍ୟପର୍ବ, ୧୮୫୭ର ପ୍ରଥମ ସ୍ୱାଧୀନତା ବିପ୍ଳବ, ବିପ୍ଳବରେ ସୁରେନ୍ଦ୍ର ସାଏଙ୍କ ଭୂମିକା, ବିପ୍ଳବର ସ୍ମରଣୀୟ ଅଧ୍ୟାୟ, ବିପ୍ଳବର ଅନ୍ତଃସ୍ରୋତ ଓ ବ୍ରିଟିଶ ତରଫରୁ ଷଡ଼ଯନ୍ତ୍ର, ଆସୀରଗଡ଼ ଦୁର୍ଗ ଏବଂ ଇତିହାସରେ ସୁରେନ୍ଦ୍ର ସାଏଙ୍କ ସ୍ଥାନ । ଏଥିରେ ତତ୍କାଳୀନ ଇତିହାସର ବହୁ ଅନାଲୋଚିତ ଅଧ୍ୟାୟ ଉନ୍ମୋଚିତ । ଶେଷରେ ସଂଯୋଜିତ ବିଷୟସମର୍ଥକ ପରିଶିଷ୍ଟ ଓ ମାନଚିତ୍ର ଗ୍ରନ୍ଥର ଐତିହାସିକ ମୂଲ୍ୟ ବୃଦ୍ଧିରେ ବେଶ୍ ସହାୟକ।

 

ଏହି ଅନୁପମ ଇତିହାସ-କୃତି ସମ୍ୱନ୍ଧରେ ଐତିହାସିକ ଡକ୍ଟର ଯଜ୍ଞକୁମାର ସାହୁଙ୍କ ସୂକ୍ଷ୍ମ ଅନୁଧ୍ୟାନଜନିତ ଅଭିମତ ଏକାନ୍ତ ପ୍ରଣଧାନଯୋଗ୍ୟ । ସେ କହନ୍ତି- ‘‘ଡକ୍ଟର ସାହୁ ସୁରେନ୍ଦ୍ର ସାଏଙ୍କୁ ରାଣାପ୍ରତାପ ଓ ଶିବାଜୀଙ୍କ ସହିତ ତୁଳନାକରି ତାଙ୍କୁ ଜଣେ ଜାତୀୟବୀରରୂପେ ବିଶ୍ୱଦରବାରରେ ଠିଆକରାଇଥିଲେ । ସେ ମତଦେଲେ ଯେ ନେପୋଲିଅନ ବୋନାପାର୍ଟ ଯେପରି ୧୭୮୯ ମସିହା ଫରାସୀ ରାଷ୍ଟ୍ରବିପ୍ଲବର ସନ୍ତାନ ଥିଲେ, ସୁରେନ୍ଦ୍ର ମଧ୍ୟ ତଦନୁରୂପ ଥିଲେ ୧୮୫୭ ମସିହା ମହାନ୍ ଭାରତୀୟ ବିପ୍ଳବର ସନ୍ତାନ । ଯେଉଁ ସୁରେନ୍ଦ୍ର ସାଏ ଦିନେ ସିଂହାସନ-ଲୋଭୀ ଓ ବିଦ୍ରୋହୀରୂପେ ବର୍ଣ୍ଣିତ ଥିଲେ, ଡକ୍ଟର ସାହୁଙ୍କ ଲେଖନୀରେ ସେ ଏ ଜାତିର ଗର୍ବ ଓ ଗୌରବରୂପେ ପ୍ରତିପାଦିତ ହେଲେ ।’’ (ଐତିହାସିକ ନବୀନକୁମାର, ପୃ୪୮)

 

ବୀର ସୁରେନ୍ଦ୍ର ସାଏଙ୍କ ବିଷୟରେ ପୂର୍ବପ୍ରକାଶିତ ସମସ୍ତ ପୁସ୍ତକଠାରୁ ଏଇଟି ଅଧିକ ବୁଦ୍ଧିଦୀପ୍ତ ଓ ଅଧିକ ଐତିହାସିକ ତଥ୍ୟସମ୍ୱଳିତ ଏକ ଗବେଷଣାତ୍ମକ କୃତି ଏବଂ ଜଣେ ନିଷ୍ଠାବାନ୍, ବିଜ୍ଞ ଓ ଉଚ୍ଚକୋଟୀର ଐତିହାସିକଙ୍କ ଗବେଷକୀୟ ଖ୍ୟାତିର ଏକ ପ୍ରଶଂସନୀୟ କୀର୍ତ୍ତି ।

 

ପାଠ୍ୟପୁସ୍ତକ ପ୍ରଣୟନ

ଐତିହାସିକ ଡକ୍ଟର ସାହୁଙ୍କର ଇତିହାସ-ଆଧାରିତ କେତୋଟି ପାଠ୍ୟପୁସ୍ତକ ମଧ୍ୟ ପ୍ରକାଶିତ । ସେଥିମଧ୍ୟରୁ କେତୋଟି ସେ ଏକାକୀ ଓ ଆଉ କେତୋଟି ମିଳିତଭାବେ ରଚନା କରିଥିଲେ । ସେ-ସବୁ ତାଙ୍କୁ ଜଣେ ଐତିହାସିକ ଓ ଶିକ୍ଷାବିତ୍‌ର ମର୍ଯ୍ୟାଦା ଦିଏ । ପୂର୍ବ ଅଧ୍ୟାୟରେ ଏ ବିଷୟରେ ଉଲ୍ଲେଖ ରହିଛି ।

 

ଐତିହାସିକ ପ୍ରବନ୍ଧକୃତି

ଐତିହାସିକ ଭାବରେ ତାଙ୍କର ପରିଚୟକୁ ଅଧିକ ସ୍ପଷ୍ଟକରେ ତାଙ୍କଦ୍ୱାରା ଇଂରାଜୀ ଓ ଓଡ଼ିଆରେ ରଚିତ ଅଗଣିତ ଐତିହାସିକ ତଥ୍ୟଭିତ୍ତିକ ପ୍ରବନ୍ଧ । ସେସବୁ ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ଇତିହାସର ଅନେକ ନୂତନ ଫର୍ଦ୍ଦର ଉନ୍ମୋଚକ ଏବଂ ଜଣେ ବିଶିଷ୍ଟ ଐତିହାସିକ ଭାବରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟର ସୂଚକ । ଇଂରାଜୀରେ ଲିଖିତ ତାଙ୍କ ଐତିହାସିକ ପ୍ରବନ୍ଧଗୁଡ଼ିକ Proceedings of Indian History Congress, Bihar and Orissa Research Journal, Orissa Historical Research Journal, Proceeding of the All India Oriental Conference, Marg, Orissa Past and Present, District Gazetteers of Orissa, Orissa State Gazetteers, Proceedings of Orissa History Congress, New Aspects of History of Orissa, Sambalpur University Research Journal, Proceedings and Souvenir of International Studies on Buddhism and Jainism, Souvenir Third Purva Bharat Samskrutik Sammelan, New Directions of Tourism in Orissa, Sidelights on History and Culture of Orissa, Souvenir on Orissa Sahitya Akademy Silver Jubilee ଇତ୍ୟାଦି ବହୁ ପତ୍ରିକାରେ ପ୍ରକାଶିତ । ତାଙ୍କ ଓଡ଼ିଆ ଐତିହାସିକ ପ୍ରବନ୍ଧଗୁଡ଼ିକ ସ୍ଥାନ ପାଇଛି ସହକାର, ନବଭାରତ, ନବଜୀବନ, ଝଙ୍କାର, କୋଣାର୍କ, ଉତ୍କଳ ଗୌରବ ମଧୁସୂଦନ ସ୍ମାରକୀ (ଓଡ଼ିଆ ଓ ଇଂରାଜୀ ଉଭୟ), ସପ୍ତର୍ଷି, ସମାଜ, ଚନ୍ଦ୍ରିକା, ପଞ୍ଚଜନ୍ୟ, ଉତ୍କଳ ପ୍ରସଙ୍ଗ ଇତ୍ୟାଦି ପତ୍ରିକାମାନଙ୍କରେ । ଏହିସବୁ ପତ୍ରପତ୍ରିକାରେ ପ୍ରକାଶିତ ତାଙ୍କ ପ୍ରବନ୍ଧଗୁଡ଼ିକ ସ୍ୱତନ୍ତ୍ରଭାବେ ଇଂରାଜୀ ଓ ଓଡ଼ିଆ ଦୁଇଭାଗରେ ସଙ୍କଳିତ ହୋଇପାରିଲେ ଏକ ଜାତୀୟ କାର୍ଯ୍ୟ ସମାହିତ ହୋଇପାରନ୍ତା ଏବଂ ହୁଅନ୍ତା ଦିବଂଗତ ସେହି ପବିତ୍ର ଆତ୍ମାପ୍ରତି ଶ୍ରେଷ୍ଠ ସମ୍ମାନ ।*

 

*ତାଙ୍କ ପ୍ରକାଶିତ ଓ ଅପ୍ରକାଶିତ ରଚନାବଳୀ ଓ ପ୍ରକାଶିତ ପ୍ରବନ୍ଧାବଳୀର ଏକ ତାଲିକା ପରିଶିଷ୍ଟ- ୫ ରେ ପ୍ରଦତ୍ତ

 

ଅପ୍ରକାଶିତ ଐତିହାସିକ ରଚନା

ପ୍ରକାଶ ପାଇଥିବା ପୂର୍ବାଲୋଚିତ ଐତିହାସିକ ରଚନାଗୁଡ଼ିକ ବ୍ୟତୀତ ଡକ୍ଟର ସାହୁଙ୍କର ଆଉ କେତେକ ଅନୁରୂପ ରଚନା ରହିଛି, ଯେଉଁଗୁଡ଼ିକ ବିଭିନ୍ନ କାରଣରୁ ପ୍ରକାଶିତ ରୂପ ଦେଖିପାରିନାହିଁ ।

 

ଅପ୍ରକାଶିତ ରଚନା ମଧ୍ୟରେ ରହିଛି ତାଙ୍କ Utkal University History of Orissa, Vol. II । ତାହାର ମୁଦ୍ରଣ କାର୍ଯ୍ୟ ସରିଯାଇଥିଲେ ମଧ୍ୟ ଅଜଣା କାରଣରୁ ସେଇଟି ପ୍ରକାଶିତ ହୋଇପାରିଲା ନାହିଁ । ଏ ସମ୍ପର୍କୀୟ ସୂଚନା ପୂର୍ବରୁ ପ୍ରଦତ୍ତ ।

 

History and Culture of Western Orissa ତାଙ୍କର ଆଉ ଏକ ଅପ୍ରକାଶିତ ରଚନା । ପଶ୍ଚିମ ଓଡ଼ିଶାର ସଂସ୍କୃତି, ଇତିହାସ ଓ ପ୍ରତ୍ନତତ୍ତ୍ୱ ସମ୍ୱନ୍ଧରେ ତାଙ୍କର ଗବେଷଣାଲବ୍‌ଧ ବିଶେଷ ଜ୍ଞାନ ଥିଲା । ତେଣୁ ପଶ୍ଚିମ ଓଡ଼ିଶାର ଇତିହାସ ଓ ସଂସ୍କୃତିବିଷୟକ ରଚନାରେ ସେ ମନ ବଳାଇଲେ । ଏହା ପ୍ରକାଶନ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ କମିଟି ଅନୁମୋଦନ ମିଳିଥିଲା । ଏହାର ରଚନାକାର୍ଯ୍ୟ ଆରମ୍ଭ ହେଲା ଓ ଠିକ୍‍ ସମୟରେ ଶେଷ ହେଲା ଦୁଇଟି ଭାଗରେ । ପ୍ରଥମ ଭାଗ ପଶ୍ଚିମ ଓଡ଼ିଶାର ଇତିହାସ ଓ ଦ୍ୱିତୀୟ ଭାଗ ପଶ୍ଚିମ ଓଡ଼ିଶାର ସଂସ୍କୃତିବିଷୟକ ଆଲୋଚନାରେ ସମୃଦ୍ଧ ଥିଲା । ଏହାର ରଚନାରେ ସେ ନିଜ ଅନୁଜ ଡକ୍ଟର ଯଜ୍ଞକୁମାର ସାହୁଙ୍କୁ ଅନ୍ୟତମ ଲେଖକ ଭାବରେ ସାମିଲ କରିଥିଲେ । ପ୍ରକାଶନ ନିମନ୍ତେ ଏହାର ପ୍ରଥମ ଭାଗ ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ ଦାଖଲ କରାଯାଇଥିଲା । ସେତେବେଳେ ସେ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ ଏବଂ ଏହାର ପ୍ରକାଶନ ପାଇଁ ଉଦ୍ୟମ କରୁଥିଲେ; କିନ୍ତୁ ବିଶ୍ୱବିଦ୍ୟାଳୟରୁ ତାଙ୍କ ଅପ୍ରତ୍ୟାଶିତ ବିଦାୟ ହେତୁ ପ୍ରକାଶନ କାର୍ଯ୍ୟ ହୋଇପାରିଲା ନାହିଁ । ଆର୍ଥିକ ଅନଟନ ଆଳ ଦେଖାଇ ଏହି ଜାତୀୟ କାର୍ଯ୍ୟଟିକୁ ସବୁଦିନ ପାଇଁ ବନ୍ଦ କରିଦିଆଗଲା । ପରବର୍ତ୍ତୀ କାଳରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟରୁ ପାଣ୍ଡୁଲିପିଟିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଇଥିଲା; କିନ୍ତୁ ଏଇଟିର ପତ୍ତା ମିଳିନଥିଲା ।

 

‘ଉତ୍କଳ ପରିଚୟ’ ନାମରେ ତାଙ୍କର ଅନ୍ୟ ଏକ ଅପ୍ରକାଶିତ ରଚନା ଥିଲା, ଯାହାର ପାଣ୍ଡୁଲିପି ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଅଭିଲେଖାଗାରରେ ଗଚ୍ଛିତ ରହିଥିବା ଜଣାଯାଏ ।

 

‘ତୋଷଳର ଭୌମ ରାଜବଂଶ’ ନାମକ ତାଙ୍କର ଅନ୍ୟ ଏକ ଅପ୍ରକାଶିତ ରଚନାର ପାଣ୍ଡୁଲିପି ତାଙ୍କ ନିଜ ପାଖରେ ଥିଲା । ସେଇଟି ନାଗପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଅଜୟମିତ୍ର ଶାସ୍ତ୍ରୀଙ୍କ ସହଯୋଗରେ ପ୍ରସ୍ତୁତ ଭୌମକର ରାଜବଂଶକାଳୀନ ତାମ୍ରଲେଖଗୁଡ଼ିକର ପୁନଃ ସମ୍ପାଦିତ ରୂପ ବା ଭୌମ ରାଜବଂଶର ଇତିହାସର ପୁନର୍ଲିଖିତ ରୂପ । ତାଙ୍କ ମୃତ୍ୟୁପରେ ସେଇଟିର ବର୍ତ୍ତମାନ ସ୍ଥିତି ଜାଣିବା ସମ୍ଭବ ନୁହେଁ ।

 

କୁଳପତି ପଦରୁ ଅବ୍ୟାହତି ନେବାପରେ ୧୯୮୧ ଖ୍ରୀଷ୍ଟାବ୍ଦରେ ସେ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ଭାବରେ ଯୋଗଦେଲେ । ଓଡ଼ିଶାର ତତ୍କାଳୀନ ସଂସ୍କୃତିପ୍ରେମୀ ତଥା ବିଦ୍ୱାନ୍ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷାକରି ସେ ‘ଖାରବେଳ’ ଓ ‘ବୀର ସୁରେନ୍ଦ୍ର ସାଏ’ ନାମରେ ଦୁଇଟି ପୁସ୍ତକ ରଚନା କରିଥିଲେ । ଇଂରାଜୀରେ ଲିଖିତ ଏ ପୁସ୍ତକଦ୍ୱୟ ଓଡ଼ିଶା ସରକାର ପ୍ରକାଶ କରିଥିଲେ । ଏ ବିଷୟରେ ସୂଚନା ପୂର୍ବରୁ ଦିଆଯାଇଛି । ତା’ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ନ୍ୟସ୍ତ କଲେ ଦକ୍ଷିଣପୂର୍ବ ଏସିଆ ସହିତ ଓଡ଼ିଶାର ସାଂସ୍କୃତିକ ବନ୍ଧନ (Cultural Relation of Orissa With South-East Asia) ଦର୍ଶାଇ ଏକ ଇତିହାସ-ସମର୍ଥିତ ଗ୍ରନ୍ଥ ରଚନା କରିବାପାଇଁ । ଅବଶ୍ୟ ପୂର୍ବରୁ ଏ ସମ୍ପର୍କରେ ସେ କିଛି କାମ କରିଥିଲେ ‘ଓଡ଼ିଆ ଜାତିର ଇତିହାସ’ ପୁସ୍ତକର ‘ଦ୍ୱୀପାନ୍ତର କଳିଙ୍ଗ’ ଅଧ୍ୟାୟରେ । ସେଥିରେ ସେ କଳିଙ୍ଗ ସହିତ ବ୍ରହ୍ମଦେଶ, ସିଂହଳ, ଶ୍ୟାମ, କାମ୍ୱୋଡ଼ିଆ, ଚମ୍ପା, ଜାଭା, ସୁମାତ୍ରା ପ୍ରଭୃତି ଦରିଆପାରି ଦ୍ୱୀପପୁଞ୍ଜର ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ଦର୍ଶାଇବା ଦିଗରେ ପ୍ରୟାସ କରିଥିଲେ । ସେ ଏ କାର୍ଯ୍ୟରେ କିଛିବାଟ ଆଗେଇଯାଇଥିଲେ । ଦଶଟି ଅଧ୍ୟାୟରେ ସମାପ୍ତ ହେବାକୁ ଥିବା ଏହାର ପାଞ୍ଚଟି ଅଧ୍ୟାୟ ସମାପ୍ତ ହୋଇ ଟାଇପ୍‌ କାର୍ଯ୍ୟ ସରିଥିଲା । ଜାତିର ଦୁର୍ଭାଗ୍ୟ, ଅବଶିଷ୍ଟ କାର୍ଯ୍ୟ ସରିବାପୂର୍ବରୁ ସେ ଦୁନିଆରୁ ବିଦାୟ ନେଲେ । ଏହି ଜାତୀୟ କାର୍ଯ୍ୟଟି ଅପୂର୍ଣ୍ଣ ରହିଗଲା ।

 

ହଁ, Role of Orissa in the History and Culture of India ଶୀର୍ଷକ ତାଙ୍କର ଆଉ ଏକ ମୂଲ୍ୟବାନ କୃତିକୁ ଭୁଲିଗଲେ ହେବ ନାହିଁ । ଏହା ଥିଲା ଡିଲିଟ୍ ଡିଗ୍ରୀପାଇଁ ତାଙ୍କ ମହାନିବନ୍ଧ (thesis) । Utkal University History of Orissa, Vol.I ପାଇଁ ସଂଗୃହୀତ ଉପାଦାନସବୁକୁ ଭିନ୍ନଭାବରେ ସଜାଇ ଅଳ୍ପଦିନ ମଧ୍ୟରେ ସେ ନିଜର ଏକ ଗବେଷଣାତ୍ମକ ମହାନିବନ୍ଧର କାର୍ଯ୍ୟ ସମାପ୍ତ କରିଥିଲେ ଏବଂ ଏଥିପାଇଁ ଡିଲିଟ୍‌ ଡିଗ୍ରୀ ଲାଭ କରିଥିଲେ । ଏହି ଗବେଷଣାତ୍ମକ ମହାନିବନ୍ଧର ପ୍ରକାଶନ ପାଇଁ ସେ ଆଗ୍ରହ ପ୍ରକାଶ କରିନଥିଲେ କିମ୍ୱା ତା’ର ପ୍ରତିଲିପି ମଧ୍ୟ ନିଜ ପାଖରେ ସାଇତି ରଖିନଥିଲେ । (ଐତିହାସିକ ନବୀନକୁମାର, ପୃ୧୮)

 

ଐତିହାସିକ ରଚନାର ସମ୍ପାଦନା

ଉପରୋକ୍ତ ପ୍ରକାଶିତ ଓ ଅପ୍ରକାଶିତ ଐତିହାସିକ ରଚନା ବ୍ୟତୀତ କେତେକ ଐତିହାସିକ ଗ୍ରନ୍ଥର ମଧ୍ୟ ସେ ସମ୍ପାଦନା କରିଥିଲେ । ସମ୍ପାଦିତ କୃତିଗୁଡ଼ିକରେ ସଂଯୋଜିତ ତାଙ୍କ ପାଣ୍ଡିତ୍ୟପୂର୍ଣ୍ଣ ମୁଖବନ୍ଧମାନ ସମ୍ପୃକ୍ତ ଗ୍ରନ୍ଥରେ ଥିବା ପ୍ରବନ୍ଧସମୂହର ସମ୍ୟକ୍ଆକଳନରେ ସମୃଦ୍ଧ । ତାଙ୍କଦ୍ୱାରା ସମ୍ପାଦିତ କେତୋଟି ଗ୍ରନ୍ଥର ସଂକ୍ଷିପ୍ତ ଆଲୋଚନା ନିମ୍ନରେ ପ୍ରଦତ୍ତ ।

 

A History of Orissa (Vol. I & II)

ଓଡ଼ିଶାର ଇତିହାସସମ୍ପର୍କୀୟ ତଥ୍ୟମାନ ବିଭିନ୍ନ ସୂତ୍ରରୁ ସଂଗ୍ରହକରି ଓଡ଼ିଶା ଇତିହାସର ପୁର୍ଲିଖନ କରିବାକୁ ଯେଉଁ ୟୁରୋପୀୟ ବିଦ୍ୱାନ୍‌ଗଣ ପ୍ରୟାସ କରିଥିଲେ, ସେମାନଙ୍କ ମଧ୍ୟରେ ଷ୍ଟାର୍ଲିଂ (Andrew Stiriling), ହଣ୍ଟର (William Wilson Hunter) ଓ ବୀମ୍‌ସ (John Beames)ଙ୍କ ନାମ ଉଲ୍ଲେଖନୀୟ । ବିଭିନ୍ନ ସମୟରେ ସେମାନଙ୍କଦ୍ୱାରା ଲିଖିତ ଏ-ସମ୍ପର୍କୀୟ ପ୍ରବନ୍ଧଗୁଡ଼ିକୁ ଏକତ୍ରକରି ନିଜ ସମ୍ପାଦନାରେ ଦୁଇଖଣ୍ଡରେ ପ୍ରକାଶ କଲେ ଡକ୍ଟର ସାହୁ A History of Orissa ନାମରେ । ଏହି ଦୁଇଖଣ୍ଡ ୧୯୫୬ ଖ୍ରୀଷ୍ଟାବ୍ଦରେ କଲିକତାରୁ ପ୍ରକାଶ ପାଇଲା । ଏହାର ପ୍ରକାଶକ ଥିଲେ ସୁଶୀଲ ଗୁପ୍ତା (ଇଣ୍ଡିଆ) ଲିମିଟେଡ଼ । ଏହାର ୧ମ ଖଣ୍ଡରେ ତିନୋଟି ମୂଲ୍ୟବାନ ପରିଶିଷ୍ଟ ଥାଇ ହଣ୍ଟରଙ୍କର ପାଞ୍ଚଟି ପ୍ରବନ୍ଧ ସମ୍ପାଦିତ । ଦ୍ୱିତୀୟ ଖଣ୍ଡରେ ଓଡ଼ିଶା ଇତିହାସ ସମ୍ପର୍କିତ ଷ୍ଟାର୍ଲିଂଙ୍କର ଦୁଇଟି, ବିମ୍‌ସଙ୍କର ଗୋଟିଏ ଓ ଡକ୍ଟର ସାହୁଙ୍କର ଗୋଟିଏ, ଏହିପରି ଚାରିଟି ପ୍ରବନ୍ଧ ସଙ୍କଳିତ । ଦୁଇଭାଗରେ ଏହିପରି ନଅଟି ପ୍ରବନ୍ଧ ସ୍ଥାନ ପାଇଛି । ନବମ ଓ ଶେଷ ପ୍ରବନ୍ଧଟି ଡକ୍ଟର ସାହୁଙ୍କର ଏବଂ ଏଥିରେ ଆଦ୍ୟକାଳରୁ ସାଂପ୍ରତିକ କାଳପର୍ଯ୍ୟନ୍ତ ଓଡ଼ିଶାର ସ୍ଥିତି, ବିସ୍ତୃତି ଓ ପ୍ରଗତି ବିଷୟକୁ ଐତିହାସିକ ତଥ୍ୟମାନ ରହିଛି ଏବଂ ରହିଛି ମଧ୍ୟ ସାହେବମାନଙ୍କର ଓଡ଼ିଶାକୁ ଚିହ୍ନି ଚିହ୍ନାଇବା ଦିଗରେ ଥିବା ତ୍ରୁଟି-ବିଚ୍ୟୁତିଗୁଡ଼ିକର ସମାଲୋଚନା । ଡକ୍ଟର ସାହୁଙ୍କର ଏଇ ପ୍ରବନ୍ଧଟି ଯେପରି ଗୁରୁତ୍ୱପୂର୍ଣ୍ଣ, ଇତିହାସ ସମ୍ପାଦନା କ୍ଷେତ୍ରରେ ସେହିପରି ଉଲ୍ଲେଖନୀୟ । ଐତିହାସିକ ଜୀବନର ଆଦ୍ୟପାଦରେ ଏପରି ଏକ ଅଭିନବ ଗ୍ରନ୍ଥର ପରିକଳ୍ପନା, ସମ୍ପାଦନା, ଆଲୋଚନାକାଳରେ ସ୍ୱତନ୍ତ୍ର ଭାବରେ ନିଜ ମତ ଉପସ୍ଥାପନା ଇତ୍ୟାଦି ଗ୍ରନ୍ଥଟିର ମହତ୍ତ୍ୱ ବୃଦ୍ଧିକରେ ଏବଂ ଡକ୍ଟର ସାହୁ ଜଣେ ବିଶିଷ୍ଟ ଐତିହାସିକ ହେବାର ଭବିଷ୍ୟବାଣୀ ଶୁଣାଏ ।

 

ଦୁଇଭାଗରେ ବିଭକ୍ତ ଏହି ସଙ୍କଳନଟି ୧୯୮୦ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ଭାରତୀୟ ପବ୍ଲିଶିଂ ହାଉସ୍‌ଦ୍ୱାରା ପୁନଃ ପ୍ରକାଶିତ ।

 

Who’s Who of Freedom Workers in Orissa?

ଓଡ଼ିଶାର ସ୍ୱାଧୀନତା କର୍ମୀମାନଙ୍କର ସଂକ୍ଷିପ୍ତ ପରିଚୟାତ୍ମକ ବିବରଣୀ ସଙ୍କଳନ କରିବା ଉଦ୍ଦେଶ୍ୟରେ State Committee for Compilation of Who’s Who of Freedom Workers in Orissa ନାମରେ ଏକ କମିଟି ଗଠନ କରାଗଲା ଏବଂ ଏହାର ସଙ୍କଳନ ଦାୟିତ୍ୱ ଡକ୍ଟର ସାହୁଙ୍କୁ ଦିଆଗଲା । ଏହାର ଗୋଟିଏ ଖଣ୍ଡରେ ଢେଙ୍କାନାଳ ଜିଲ୍ଲାର ଏବଂ ଅନ୍ୟ ଏକ ଖଣ୍ଡରେ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ସ୍ୱାଧୀନତା କର୍ମୀମାନଙ୍କର ପରିଚୟ ସଂକ୍ଷେପରେ ବିବୃତ ଓ ୧୯୬୭ ଖ୍ରୀଷ୍ଟାବ୍ଦରେ ଉକ୍ତ କମିଟିଦ୍ୱାରା ପ୍ରକାଶିତ । ସଂକ୍ଷିପ୍ତ ହେଲେହେଁ ସଙ୍କଳନସ୍ଥ ମୂଲ୍ୟବାନ୍ ଭୂମିକା ଏହି ଦୁଇଖଣ୍ଡର ମହତ୍ତ୍ୱ ବୃଦ୍ଧି କରୁଛି । ଏହାର ଅନ୍ୟତମ ସହଯୋଗୀ ସଙ୍କଳକ ଥିଲେ ସୁଶୀଲଚନ୍ଦ୍ର ଦେ । ଅନ୍ୟ ଜିଲ୍ଲାଗୁଡ଼ିକର ଏପ୍ରକାର ବିବରଣୀ ସଙ୍କଳିତ ହୋଇଛି କି ନାହିଁ, ତାହା ବହୁଚେଷ୍ଟାସତ୍ତ୍ୱେ ବି ଜାଣିହେଲା ନାହିଁ ।

 

Orissa Historical Research Journal :

ଇଂରାଜୀରେ ପ୍ରକାଶିତ ଏହି ତ୍ରୈମାସିକ ଗବେଷଣା ପତ୍ରିକା ଆତ୍ମପ୍ରକାଶ କଲା ୧୯୫୨ ଖ୍ରୀଷ୍ଟାବ୍ଦରେ ରାଜ୍ୟ ସଂଗ୍ରହାଳୟ ଆନୁକୂଲ୍ୟରେ । ଏହି ପତ୍ରିକାର ପ୍ରକାଶନ ନିମନ୍ତେ ଐତିହାସିକ ପରମାନନ୍ଦ ଆଚାର୍ଯ୍ୟ ପ୍ରଶଂସନୀୟ ଉଦ୍ୟମ କରିଥିଲେ । ୧୯୫୪ ଖ୍ରୀଷ୍ଟାବ୍ଦରେ ଏହି ପତ୍ରିକାର ତୃତୀୟ ସଂଖ୍ୟାରେ ଡକ୍ଟର ସାହୁଙ୍କର ଦକ୍ଷିଣ କୋଶଳର ଇତିହାସ-ସମ୍ପର୍କୀୟ ଏକ ଉପାଦେୟ ପ୍ରବନ୍ଧ History of South Kosala and Somavamsis of Utkal ପ୍ରକାଶ ପାଇଥିଲା । ତାପରେ ସେ Religious Movement in Utkal and Kalinga in the 6th Century BC ନାମରେ ଏକ ପ୍ରବନ୍ଧ ଏହି ପତ୍ରିକାରେ ପ୍ରକାଶନ ପାଇଁ ପଠାଇଲେ-। ପ୍ରବନ୍ଧଟି ଏହାର ଚତୁର୍ଥ ଭାଗର ତୃତୀୟ ଓ ଚତୁର୍ଥ ସଂଖ୍ୟା (୧୯୫୫-୫୬) ରେ ପ୍ରକାଶିତ ହେଲା । ଏହି ପ୍ରବନ୍ଧଟି ଏତେ ଉଚ୍ଚକୋଟୀର ଥିଲା ଯେ ଜଣେ ବିଶିଷ୍ଟ ଗବେଷକ ଓ ଐତିହାସିକ ଭାବରେ ଡକ୍ଟର ସାହୁଙ୍କର ଖ୍ୟାତି ବଢ଼ିଗଲା ଏବଂ ତାଙ୍କୁ ଏହି ପତ୍ରିକାର ଅନ୍ୟତମ ସମ୍ପାଦକ ଭାବରେ ଗ୍ରହଣ କରାଗଲା । ସେ କିଛିକାଳ ମଧ୍ୟ ଏହି ଗବେଷଣାଧର୍ମୀ ପତ୍ରିକାର ମୁଖ୍ୟ ସମ୍ପାଦକ ଥିଲେ । ୧୯୫୪ରୁ ୧୯୬୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ତାଙ୍କର ଅନ୍ୟୂନ ଦଶଟି ଉପାଦେୟ ପ୍ରବନ୍ଧ ଏହି ପତ୍ରିକାରେ ପ୍ରକାଶ ପାଇଥିଲା ।

 

District Gazetteers

ରେଭେନ୍ସା କଲେଜରେ ଅଧ୍ୟାପନା କରୁଥିବା ସମୟରେ ଓଡ଼ିଶା ସରକାରଙ୍କଦ୍ୱାରା ଡକ୍ଟର ସାହୁ ଓଡ଼ିଶାର ଜିଲା ଗେଜେଟିୟର ସଂସ୍ଥାର ରାଜ୍ୟ ସମ୍ପାଦକ ଭାବରେ ଭୁବନେଶ୍ୱରରେ ଅବସ୍ଥାପିତ ହେଲେ । ୧୯୬୦ ଖ୍ରୀଷ୍ଟାବ୍ଦରେ ସେ ଏ କାର୍ଯ୍ୟ ଗ୍ରହଣ କଲେ । ଏହି କାର୍ଯ୍ୟରେ ସେ ୧୯୬୭ ଖ୍ରୀଷ୍ଟାବ୍ଦର ଶେଷପର୍ଯ୍ୟନ୍ତ ବ୍ୟସ୍ତ ରହିଲେ । ଏହି ସମୟ ମଧ୍ୟରେ ସେ କୋରାପୁଟ, ମୟୁରଭଞ୍ଜ, ବଲାଙ୍ଗୀର ଆଦି ଜିଲାର ଗେଜେଟିୟରମାନ ସମ୍ପାଦନା କରିଥିଲେ । ଏ ତିନିଟି ପ୍ରକାଶ ପାଇଥିଲା ଯଥାକ୍ରମେ ୧୯୬୬, ୧୯୬୭ ଓ ୧୯୬୮ ଖ୍ରୀଷ୍ଟାବ୍ଦରେ । କେବଳ ସମ୍ପାଦନା ନୁହେଁ, ଏ ତିନିଟି ଜିଲାର ଇତିହାସ ଅଧ୍ୟାୟମାନ ସେ ଲେଖିଥିଲେ ଓ ବଲାଙ୍ଗୀର ଜିଲାର ଇତିହାସ ଅଧ୍ୟାୟ ସହିତ ଏହାର ପ୍ରଧାନ ଦର୍ଶନୀୟ ସ୍ଥାନ ଅଧ୍ୟାୟଟି ମଧ୍ୟ ସେ ଲେଖିଥିଲେ । ଏତଦ୍‌ବ୍ୟତୀତ ଆଉ କେତୋଟି ଜିଲାର ଗେଜେଟିୟର ପାଇଁ ସେ ଆବଶ୍ୟକ ଉପାଦାନମାନ ସଂଗ୍ରହ କରିଥିଲେ । ସେ ୧୯୬୭ ଖ୍ରୀଷ୍ଟାବ୍ଦର ଶେଷଭାଗରେ ଗେଜେଟିୟର ସଂସ୍ଥା ଛାଡ଼ିବାପରେ ୧୯୭୧ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ସମ୍ୱଲପୁର ଗେଜେଟିୟରର ‘ଇତିହାସ’ ଅଧ୍ୟାୟଟି ମଧ୍ୟ ଥିଲା ତାଙ୍କରି କୃତି । ଏହି ଗେଜେଟିୟର କେତୋଟିର ସମ୍ପାଦନାରେ ଓ ସେଥିରେ ଥିବା ‘ଇତିହାସ’ ଅଧ୍ୟାୟଗୁଡ଼ିକର ରଚନାରେ ସେ ବିଶେଷ ଦକ୍ଷତା ଦେଖାଇପାରିଥିଲେ ଓ ଜଣେ ବିଶିଷ୍ଟ ଐତିହାସିକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

 

Souvenir on Jayadeva

ଶ୍ରୀଜୟଦେବ ଓ ତାଙ୍କ ଅମର କୃତି ‘ଗୀତଗୋବିନ୍ଦ’ ଉପରେ ଓଡ଼ିଶା ଜୟଦେବ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ସେମିନାରରେ ପଠିତ ପ୍ରବନ୍ଧଗୁଡ଼ିକର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ ଡକ୍ଟର ସାହୁ । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ଆର୍ଥିକ ସହାୟତାରେ ସେହି ପ୍ରବନ୍ଧଗୁଡ଼ିକ ପ୍ରକାଶ ପାଇଥିଲା ସ୍ମରଣିକା ଆକାରରେ ୧୯୬୮ରେ । ଏହାର ନାମ ରଖାଗଲା Souvenir on Jayadeva । ଉକ୍ତ ସେମିନାରର ଉଦ୍ଦେଶ୍ୟ ଥିଲା ଜୟଦେବଙ୍କୁ ଓଡ଼ିଶାର କବି ଭାବରେ ପ୍ରମାଣିତ କରିବା । କାରଣ ପୂର୍ବରୁ ଓଡ଼ିଆ ଜୟଦେବଙ୍କୁ ବଙ୍ଗାଳୀ ଜୟଦେବ ଭାବରେ ଚିତ୍ରଣ କରି ବହୁ ବଙ୍ଗାଳୀ ଗବେଷକ ଓ ସେମାନଙ୍କୁ ଅନୁସରଣ କରି ଦେଶବିଦେଶର କିଛି ଗବେଷକ ଅଳୀକ ଓ ଅଜବ ଯୁକ୍ତିମାନ ଉପସ୍ଥାପନ କରିଥିଲେ । ଫଳରେ ସାରା ବିଶ୍ୱରେ ଜୟଦେବ ଓଡ଼ିଆ ନୁହଁନ୍ତି, ବଙ୍ଗାଳୀ ବୋଲି ପରିଚିତିଟିଏ ସୃଷ୍ଟି ହୋଇଥିଲା । ଏହାକୁ ଖଣ୍ଡନକରି ଜୟଦେବଙ୍କ ଓଡ଼ିଆତ୍ୱ ଓ ତାଙ୍କ ଶ୍ରେଷ୍ଠକୃତି ‘ଗୀତଗୋବିନ୍ଦ’ର ଉତ୍କର୍ଷ ପ୍ରତିପାଦନ କରିବା ଥିଲା ଏହି ସ୍ମରଣିକା ପ୍ରକାଶନର ଉଦ୍ଦେଶ୍ୟ ।

 

ଏହି ସ୍ମରଣିକାରେ ସ୍ଥାନ ପାଇଥିଲା ଶ୍ରୀ ସତ୍ୟନାରାୟଣ ରାଜଗୁରୁ, ଡକ୍ଟର ନବୀନକୁମାର ସାହୁ, ଶ୍ରୀ କେଦାରନାଥ ମହାପାତ୍ର, ଶ୍ରୀ ସୁରେନ୍ଦ୍ର ମହାନ୍ତି, ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ଡକ୍ଟର ମିନତୀ ମିଶ୍ର, ନୀଳମଣି ମିଶ୍ର, ଶ୍ରୀ ଦେବରାଜ ପାଠୀ ଓ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧମାନ । ଡକ୍ଟର ସାହୁ ନିଜ ପ୍ରବନ୍ଧ Jayadeva the Poet of the Gitagovinda- His Date and Placeର ଉପସଂହାରରେ ଜୟଦେବଙ୍କ ଜନ୍ମସ୍ଥାନ ବଙ୍ଗଳାର ବୀରଭୂମ୍‌ ଜିଲ୍ଲାର କେନ୍ଦୁଲି ନୁହେଁ, ଏହା ଓଡ଼ିଶାର କେନ୍ଦୁଲି ବୋଲି ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି । ଯଥା - ‘‘Kenduli on the bank of the river Ajaya in the Birbhum district of West Bengal was never a Sasana, whereas Kenduli on the Prachi river in the Puri district was actually a Sasana. Judging from all these facts it is reasonable to conclude that this village can be satisfactorily identified with Kendu-vilva of the Gitagovinda.’’(p.22)

 

ଏତେ ଉଚ୍ଚକୋଟୀର ପ୍ରବନ୍ଧସବୁ ଏହି ସ୍ମରଣିକାର ଅଙ୍ଗୀଭୂତ ହୋଇଥିଲା ଯେ ଏବଂ ସମ୍ପାଦକଙ୍କର ପ୍ରସାରିତ ଦୃଷ୍ଟି ଓ ପାଣ୍ଡିତ୍ୟ ଏତେ ଆକର୍ଷଣୀୟ ଥିଲା ଯେ ଏହି ଲୋକପ୍ରିୟ ସ୍ମରଣିକାଟି ପ୍ରକାଶନର ଅଳ୍ପଦିନପରେ ଶେଷ ହୋଇଯାଇଥିଲା । ବର୍ତ୍ତମାନ ଏହା ଦୁଷ୍ପ୍ରାପ୍ୟ ।

 

ସମ୍ୱଲପୁର ବିଶ୍ୱବିଦ୍ୟାଳୟର ମୁଖପତ୍ର

ପ୍ରଥମେ କୁଳସଚିବ ଓ ପରେ ଇତିହାସ ବିଭାଗର ପ୍ରଫେସର ଭାବରେ ଯୋଗଦେବା ପରେ ଡକ୍ଟର ସାହୁ ଓଡ଼ିଶା ଇତିହାସର ଅନାଲୋଚିତ ଦିଗମାନ ଉନ୍ମୋଚନ କରିବା ଉଦ୍ଦେଶ୍ୟରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଇଂରାଜୀରେ ପତ୍ରିକାଟିଏ ପ୍ରକାଶ କରିବା ନିମନ୍ତେ ଆଗେଇଆସିଲେ । ଫଳରେ ୧୯୬୮ ଖ୍ରୀଷ୍ଟାବ୍ଦରେ ତାଙ୍କ କୁଳସଚିବ ପର୍ଯ୍ୟାୟରେ ସେ Sambalpur University Journal ପ୍ରକାଶନ ଆରମ୍ଭ କଲେ । ବହୁ ଉପାଦେୟ ଆଲୋଚନାପୁଷ୍ଟ ଏହାର ପ୍ରଥମ ସଂଖ୍ୟା ଆତ୍ମପ୍ରକାଶ କଲା ଏକ ଖଣ୍ଡରେ ଏବଂ ଦ୍ୱିତୀୟ ସଂଖ୍ୟା କଳା ଓ ବିଜ୍ଞାନ ଭାବରେ ଦୁଇଖଣ୍ଡରେ ପ୍ରକାଶ ପାଇଲା । ସାତବର୍ଷଧରି ପ୍ରକାଶିତ ହୋଇଥିବା ଏହି ପତ୍ରିକାଟି ୧୯୭୪ ଖ୍ରୀଷ୍ଟାବ୍ଦରେ ସପ୍ତମ ସଂଖ୍ୟାଠାରୁ ବନ୍ଦ ହୋଇଗଲା । କାରଣ ୧୯୭୨ ଖ୍ରୀଷ୍ଟାବ୍ଦରୁ ‘ସପ୍ତର୍ଷି’ନାମରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ପ୍ରକାଶ ପାଇବାପରେ ଏହି ଜର୍ଣ୍ଣାଲ ପ୍ରତି ଯଥେଷ୍ଟ ଦୃଷ୍ଟି ଦେଇହେଲା ନାହିଁ । ଏହି ଦୁଇ ପତ୍ରିକାର ସମ୍ପାଦନା ସହିତ ଡକ୍ଟର ସାହୁ ସମ୍ପୃକ୍ତ ଥିଲେ ଓ କେତେକ ସଂଖ୍ୟାର ସମ୍ପାଦକୀୟ ମଧ୍ୟ ଲେଖିଥିଲେ ।

 

ବିଭାଗୀୟ ଗବେଷଣା - ପତ୍ରିକା

ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ପ୍ରଫେସର ଭାବରେ ଯୋଗଦେବାପରେ ସେ ବିଭାଗୀୟ ଗବେଷଣା-ପତ୍ରିକା New Aspects of History of Orissaର ପ୍ରକାଶନ ଆରମ୍ଭ କଲେ । ଉଦ୍ଦେଶ୍ୟ - ଏହା ମାଧ୍ୟମରେ ଓଡ଼ିଶା ଇତିହାସର କେତେକ ଅନାଲୋଚିତ ନୂତନ ଦିଗର ଉନ୍ମୋଚନ । ଏହାର ପ୍ରଥମ ଭାଗ ଦକ୍ଷିଣ କୋଶଳ ବିଶେଷାଙ୍କ ଭାବରେ ଆତ୍ମପ୍ରକାଶ କଲା ୧୯୭୯ ଖ୍ରୀଷ୍ଟାବ୍ଦରେ । ଏହାର ମୁଖ୍ୟ ପ୍ରବନ୍ଧଟି ଥିଲା ଡକ୍ଟର ସାହୁଙ୍କର, ଯାହାର ଶୀର୍ଷକ ଥିଲା ‘A Survey of History of South Kosal’ ଏହାର ଉପାଦେୟତା ଦର୍ଶାଇ ପ୍ରଫେସର ସାଧୁଚରଣ ପଣ୍ଡା କହନ୍ତି - ‘‘ଏହି ପତ୍ରିକାର ମୁଖ୍ୟ ପ୍ରବନ୍ଧରେ ଡକ୍ଟର ସାହୁ ବହୁ ଶିଳାଲେଖ, ତାମ୍ରଫଳକ, ପୁରାତନ ମୁଦ୍ରା ତଥା ବିଶିଷ୍ଟ ଐତିହାସିକଙ୍କ ମତ ଉଦ୍ଧାର କରି ଦକ୍ଷିଣ କୋଶଳର ସ୍ଥିତି, କ୍ରମାନୁଯାୟୀ ରାଜ୍ୟ ଶାସନରେ ଥିବା ବିଭିନ୍ନ ଶାସକମାନଙ୍କର ବଂଶାବଳୀ, ବିଶିଷ୍ଟ ଘଟଣା ତଥା ସର୍ବଭାରତୀୟ ସ୍ତରରେ ଏହାର ମୂଲ୍ୟାଙ୍କନର ଏକ ଯୁକ୍ତିସଙ୍ଗତ ବିବରଣୀ ପ୍ରଦାନକରି ନୂତନ ପିଢ଼ିର ଗବେଷକମାନଙ୍କୁ ଦିଗ୍‌ଦର୍ଶନ ଦେଇଛନ୍ତି । ଚେଦିବଂଶର ଅଭ୍ୟୁତ୍‌ଥାନ, ମାଠରବଂଶର ରାଜସ୍ୱ, ନଳ ରାଜାମାନଙ୍କର ସକ୍ରିୟ ଭୂମିକା, ପର୍ବତଦ୍ୱାରକ ତଥା ରାଜର୍ଷିତୁଲ୍ୟକୁଳର ଆସ୍ଥାନ ତଥା ପ୍ରତିପତ୍ତି, ଶରଭପୁରୀୟ ଏବଂ ପାଣ୍ଡୁବଂଶୀୟ ରାଜ୍ୟବର୍ଦ୍ଧନ ଓ ଶାସନ ଇତ୍ୟାଦିର ଉପସ୍ଥାପନ; ବିଶ୍ଳେଷଣାତ୍ମକ ତଥା ଗଭୀର ଅଧ୍ୟୟନ ପାଇଁ ପ୍ରେରଣାଦାୟକ ।’’ (ଐତିହାସିକ ନବୀନକୁମାର, ପୃ୧୦୬)

 

ଏହାର ଦ୍ୱିତୀୟ ଭାଗ ୧୯୭୮ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଲା ବିଶ୍ୱବିଦ୍ୟାଳୟ ସଂଗ୍ରହାଳୟ ବିଶେଷାଙ୍କ ଭାବରେ । ଏଥିରେ ଡକ୍ଟର ସାହୁଙ୍କର ପ୍ରବନ୍ଧ ‘University Museum-Its Bearing on the History of Orissa ସ୍ଥାନପାଇଥିଲା । ଏହି ସଂଖ୍ୟାର ପ୍ରତି ପ୍ରବନ୍ଧ କେବଳ ଉଦ୍ଦିଷ୍ଟ ବିଷୟଭିତ୍ତିକ ଥିଲା । ଏ ଦୁଇଭାଗ ପ୍ରକାଶ ପାଇଥିଲା ତାଙ୍କ ବଳିଷ୍ଠ ସମ୍ପାଦନାରେ । ଜଣେ ବିଶିଷ୍ଟ ଐତିହାସିକ ଭାବରେ ଓଡ଼ିଶା ଇତିହାସର ନୂତନ ଅଧ୍ୟାୟମାନ ଲୋକଲୋଚନକୁ ଆସିବା ଦିଗରେ ତାଙ୍କର ଏହି ପଦକ୍ଷେପ ପ୍ରଶଂସାଯୋଗ୍ୟ ।

 

Madhusudan Das, the Legislator

ଡକ୍ଟର ସାହୁଙ୍କ ଉଲ୍ଲେଖନୀୟ ସମ୍ପାଦନାରେ ୧୯୮୦ ଅପ୍ରେଲ ୧ ତାରିଖରେ ପ୍ରକାଶ ପାଇଲା ରାଉରକେଲାର ପ୍ରଗତି ଉତ୍କଳ ସଂଘଦ୍ୱାରା ଏହି ଗ୍ରନ୍ଥଟି । ଏଥିରେ କଲିକତା, ଦିଲ୍ଲୀ, ପାଟନା ଆଦି ସ୍ଥାନରୁ ସଂଗୃହୀତ ମଧୁବାବୁଙ୍କ ସମ୍ପର୍କରେ ତଥ୍ୟମାନ ଐତିହାସିକ ଦୃଷ୍ଟିକୋଣରୁ ପ୍ରକାଶିତ । ଏ କାର୍ଯ୍ୟରେ ତାଙ୍କର ସହଯୋଗୀ ସମ୍ପାଦକ ଥିଲେ ଡକ୍ଟର ପ୍ରବୋଧକୁମାର ମିଶ୍ର । ଏହାର prefaceରେ ସମ୍ପାଦକଦ୍ୱୟ ଉତ୍କଳଗୌରବ ମଧୁସୂଧନ ଦାସଙ୍କ ଜୀବନୀ ଓ କୀର୍ତ୍ତିର ସୂଚନା ଦେଇଛନ୍ତି । ତାପରେ ପୁସ୍ତକଟିରେ ସଙ୍କଳିତ ହୋଇଛି ଜଣେ ବ୍ୟବସ୍ଥାପକ ଭାବରେ ୧୮୯୬ ରୁ ୧୯୨୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସେ ଦେଇଥିବା ଭାଷଣଗୁଡ଼ିକ । ଉକ୍ତ ଭାଷଣଗୁଡ଼ିକର କାଳାନୁକ୍ରମିକ ସଜ୍ଜୀକରଣ କରାଯାଇଛି ଚାରିଟି ବିଭାଗରେ । ଏହାର ଏକମାତ୍ର ପରିଶିଷ୍ଟଟି ସେ ରାଜ୍ୟପାଳ ମହୋଦୟଙ୍କୁ ଦେଇଥିବା ପତ୍ରାବଳୀର ଏକ ସୁ-ସମାବେଶ । ସେ କେଉଁ ପରିସ୍ଥିତିରେ ଇସ୍ତଫା ଦେବାକୁ ବାଧ୍ୟ ହେଲେ ତାହାର ସୂଚନା ରହିଛି ଉକ୍ତ ପତ୍ରମାଳାରେ । ୫୨୩-ପୃଷ୍ଠାବିଶିଷ୍ଟ ଏହି ଗ୍ରନ୍ଥଟି ୧୯୮୦ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ଓ ତତ୍କାଳୀନ ଓଡ଼ିଶାର ବହୁ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଓ ରାଜନୀତିକ ତଥ୍ୟରେ ସମୃଦ୍ଧ ।

 

ଏହି ଗ୍ରନ୍ଥର ପ୍ରକାଶକ ଉତ୍କଳ ସଂଘ ରାଉରକେଲାର ଏକ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ, ଯାହା ସ୍ଥାପିତ ହୋଇଥିଲା ୧୯୫୮ ଖ୍ରୀଷ୍ଟାବ୍ଦରେ । ଏହାର ଉଦ୍ୟୋକ୍ତାମାନଙ୍କ ଅନୁରୋଧ ରକ୍ଷାକରି ଡକ୍ଟର ସାହୁ ଏହି ସଂସ୍ଥା ସହିତ ଜଡ଼ିତ ହୋଇପଡ଼ିଲେ ୧୯୬୮ ଖ୍ରୀଷ୍ଟାବ୍ଦରୁ । ତାଙ୍କ ଅନୁପ୍ରେରଣା ଓ ସମ୍ପାଦକତ୍ୱରେ ପ୍ରକାଶିତ ହେଲା ‘ଉତ୍କଳ ଦିବସ ଓ ଉତ୍କଳଗୌରବ ମଧୁସୂଧନ ସ୍ମାରକୀ’ ବାର୍ଷିକ ପତ୍ରିକା ପ୍ରତିବର୍ଷ ଅପ୍ରେଲ ୧ ତାରିଖ ଉତ୍କଳ ଦିବସରେ । ପ୍ରତ୍ୟେକ ସଙ୍କଳନରେ ଥିଲା ଦୁଇଟି ବିଭାଗ- ଓଡ଼ିଆ ବିଭାଗ ଓ ଇଂରାଜୀ ବିଭାଗ । ସେ ପ୍ରତିସଂଖ୍ୟାରେ ଓଡ଼ିଆରେ ସମ୍ପାଦକୀୟ ଲେଖୁଥିଲେ ଏବଂ ନିଜର ଓଡ଼ିଆ, ଇଂରାଜୀ ପ୍ରବନ୍ଧ ମଧ୍ୟ ଏଥିରେ ସ୍ଥାନିତ କରୁଥିଲେ-। ତାଙ୍କ ସମ୍ପାଦକୀୟମାନ ଓ ପ୍ରବନ୍ଧମାନ ବହୁବିଷୟକ ହେଲେ ମଧ୍ୟ ସେଥିମଧ୍ୟରୁ ଅନେକ ଐତିହାସିକ ତଥ୍ୟରେ ପୂର୍ଣ୍ଣ ଓ ଓଡ଼ିଶା ଇତିହାସର ବହୁ ନୂତନ ଦିଗର ଉନ୍ମୋଚକ । ପ୍ରତ୍ୟେକ ସଂଖ୍ୟାର ପ୍ରଚ୍ଛଦପଟ କିଛି ନା କିଛି ଐତିହାସିକ କୀର୍ତ୍ତିରେ ଶୋଭିତ ଏବଂ ଡକ୍ଟର ସାହୁଙ୍କଦ୍ୱାରା ଇଂରାଜୀ ଓ ଓଡ଼ିଆରେ ଉଭୟ ଭାଷାରେ ସେହି ଐତିହାସିକ କୀର୍ତ୍ତିର ପରିଚୟ ପ୍ରଦତ୍ତ । ଏହି ପତ୍ରିକାର ଏହା ଏକ ଅନନ୍ୟ ବିଶେଷତ୍ୱ ଓ ଡକ୍ଟର ସାହୁଙ୍କ ଇତିହାସପ୍ରୀତିର ଏକ ନିର୍ଭୁଲ ପରିଚୟ-। ତାଙ୍କ ବିୟୋଗ ପରେ ଏହାର ପ୍ରକାଶନ ଏବେବି ଅନାହତ ଏବଂ ପ୍ରତିବର୍ଷ ଅପ୍ରେଲ ପହିଲାରେ ‘ଉତ୍କଳ ଗୌରବ’ନାମରେ ପ୍ରକାଶିତ ।

 

ପ୍ରତ୍ନତାତ୍ତ୍ୱିକ ସଫଳତା

ପ୍ରାଚୀନ ଇତିହାସ ଓ ପ୍ରତ୍ନତତ୍ତ୍ୱ ପରସ୍ପରର ପରିପୂରକ । ପ୍ରତ୍ନତାତ୍ତ୍ୱିକ ବିଭବରେ ଓଡ଼ିଶା ପରିପୂର୍ଣ୍ଣ । ସେ-ସବୁର ସୁବିନିଯୋଗରେ ପ୍ରାଚୀନ ଓଡ଼ିଶାର ଗୌରବାବହ ଇତିହାସର ସଙ୍କଳନ ଏକାନ୍ତ ଅପରିହାର୍ଯ୍ୟ । ଏ ସମ୍ୱନ୍ଧରେ ଡକ୍ଟର ସାହୁ ‘ଓଡ଼ିଆ ଜାତିର ଇତିହାସ’ର ‘ଭୂମିକା’ରେ କହନ୍ତି -‘‘ପ୍ରତ୍ନତାତ୍ତ୍ୱିକ ବିଭବରେ ପରିପୂର୍ଣ୍ଣ ଏହି ରାଜ୍ୟର ଗୌରବମୟ ଅତୀତ ତିମିରାଚ୍ଛନ୍ନ ହୋଇ ପଡ଼ିରହିଲେ ଭାରତବର୍ଷର ଇତିହାସ ଯେ ବିକଳାଙ୍ଗ ହୋଇଯିବ ତାହା ସୁନିଶ୍ଚିତ । ଆଞ୍ଚଳିକ ଇତିହାସର ଗବେଷଣା ଓ ନିର୍ମାଣ ଭାରତୀୟ ଇତିହାସର ପରିପୁଷ୍ଟି ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ । ସେହି ଦୃଷ୍ଟିରୁ ଓଡ଼ିଶା ଇତିହାସର ସୁ-ସଙ୍କଳନ ନିତାନ୍ତ ଆବଶ୍ୟକ ।’’(ପୃ୧)

 

ଡକ୍ଟର ସାହୁ ଛାତ୍ରଜୀବନରୁ ପ୍ରାଚୀନ ଇତିହାସପ୍ରତି ବେଶ୍‌ ଉତ୍ସୁକ ଥିଲେ । ପ୍ରାଚୀନ ଇତିହାସର ଅଧ୍ୟୟନ ଓ ଅଧିକ ତଥ୍ୟ ଆହରଣ ନିମନ୍ତେ ସେ ପ୍ରତ୍ନତତ୍ତ୍ୱବିଷୟକ କିଛି ଜ୍ଞାନ ଲାଭ ଦିଗରେ ଯତ୍ନ କରିଥିଲେ ଏବଂ ନିଜସ୍ୱ ଚେଷ୍ଟାବଳରେ କିଛି ଅଭିଜ୍ଞତା ମଧ୍ୟ ହାସଲ କରିଥିଲେ; ଯଦିଓ ପ୍ରତ୍ନତତ୍ତ୍ୱୀୟ କୌଣସି ଡିଗ୍ରୀ ବା ଡିପ୍ଲୋମା ତାଙ୍କର ନଥିଲା ବା ସେ କୌଣସି ବିଧିବଦ୍ଧ ତାଲିମପ୍ରାପ୍ତ ନଥିଲେ, ତଥାପି ଛାତ୍ରାବସ୍ଥାରୁ ବିଭିନ୍ନ ପ୍ରାଚୀନ ଧ୍ୱଂସାବଶେଷର ଖନନ କାର୍ଯ୍ୟ ସହିତ ନିଜକୁ ସାମିଲ୍‌ କରିବାର ସୁଯୋଗ ପାଇଥିଲେ । ଏ ସମ୍ୱନ୍ଧରେ ଡକ୍ଟର ଯଜ୍ଞକୁମାର ସାହୁଙ୍କୁ ଏଠାରେ ଉଦ୍ଧାର କରାଯାଇପାରେ । ତାଙ୍କ ଭାଷାରେ -‘‘ଛାତ୍ରବସ୍ଥାରେ ମଧ୍ୟ ୧୯୪୭-୪୮ରେ ଉତ୍ତରପ୍ରଦେଶର କୌଶମ୍ୱୀ ଭୂଖୋଦନ ସମୟରେ ଏବଂ ୧୯୪୮ରେ ଭୁବନେଶ୍ୱର ଶିଶୁପାଳଗଡ଼ ଭୂଖୋଦନ ସମୟରେ ସେ ସେହି ସ୍ଥାନମାନ ପରିଦର୍ଶନ କରି ପ୍ରତ୍ନତତ୍ତ୍ୱ ସମ୍ପର୍କରେ ଅନେକ କଥା ଶିଖିଥିଲେ । ରେଭେନ୍‌ସା କଲେଜରେ ଅଧ୍ୟାପକ ଥିବା ସମୟରେ ୧୯୫୬ରେ ଭୁଆଷୁଣୀ ପାହାଡ଼ ଓ ୧୯୫୭ରେ ଜଉଗଡ଼ ଖୋଦନରେ ଅଂଶଗ୍ରହଣ କରି ଏ ସମ୍ପର୍କୀୟ ପ୍ରତ୍ନତାତ୍ତ୍ୱିକ ଅଭିଜ୍ଞତା ମଧ୍ୟ ଅର୍ଜନ କରିଥିଲେ ।’’(ଐତିହାସିକ ନବୀନକୁମାର, ପୃ୩୧)

 

ଏହିସବୁ ଅଭିଜ୍ଞତାକୁ ପାଥେୟ କରି ସେ ପଶ୍ଚିମ ଓଡ଼ିଶାର ଭୂମିତଳେ ଲୁଚିରହିଥିବା କେତେକ ଐତିହାସିକ ସମ୍ପଦକୁ ଲୋକଲୋଚନକୁ ଆଣିଥିଲେ । ୧୯୭୪ ଖ୍ରୀଷ୍ଟାବ୍ଦରେ ସେ କଳାହାଣ୍ତି ଜିଲ୍ଲାର ଅସୁରଗଡ଼ଠାରେ ଭୂଖନନ କରି ସେହି ଅଞ୍ଚଳର ଐତିହାସିକ ସ୍ଥିତି ବହୁପ୍ରାଚୀନ ବୋଲି ପ୍ରମାଣ କରିପାରିଲେ । ଏ ସମ୍ୱନ୍ଧରେ ଆଲୋଚନାକରି ପ୍ରଫେସର ସାଧୁଚରଣ ପଣ୍ତା କହନ୍ତି -‘‘ଓଡ଼ିଶାରେ ଥିବା ପୂର୍ବତନ ଦକ୍ଷିଣ କୋଶଳ ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ଭୂଖୋଦନର ବିଧିବଦ୍ଧ ଅୟମାରମ୍ଭ ଡକ୍ଟର ସାହୁହିଁ କରିଥିଲେ । କାରଣ ତାଙ୍କ ପୂର୍ବରୁ କଳାହାଣ୍ତି ଓ ବଲାଙ୍ଗୀର ଦରବାରଦ୍ୱାରା କେବଳ ଭୂପତିତ ଐତିହାସିକ ବସ୍ତୁରାଜିର ସଂଗ୍ରହ ସହିତ କେତେକ ସ୍ଥାନରେ ଅନିୟମିତ ଭୂଖୋଦନ ହୋଇଥିଲା । ଯାହାବି ହୋଇଥିଲା ସେଗୁଡ଼ିକର ସଠିକ ବିବରଣୀ ପ୍ରସ୍ତୁତ ହୋଇନଥିବାର ଜଣାଯାଏ । ପ୍ରତ୍ନତାତ୍ତ୍ୱିକ ଭୂଖନନ ମାଧ୍ୟମରେ ଡକ୍ଟର ସାହୁ ୧୯୭୪ ମସିହାରେ କଳାହାଣ୍ତି ଜିଲ୍ଲାର ନର୍ଲାସ୍ଥିତ ଅସୁରଗଡ଼ଠାରେ ଭୂଖୋଦନ କରିଥିଲେ । ଏହି ଭୂଖୋଦନରୁ ପ୍ରାପ୍ତ ତଥ୍ୟ ଯୋଗୁଁ ଏ ଅଞ୍ଚଳର ସ୍ଥିତି ଅଶୋକ ମୌର୍ଯ୍ୟଙ୍କ ସମୟରୁ ବିଦ୍ୟମାନ ଥିବାର ଜଣାପଡ଼ିଲା । ପୁନଶ୍ଚ ଏ ଅଞ୍ଚଳର ଧର୍ମଧାରାରେ ମୂର୍ତ୍ତିପୂଜାର ନିର୍ଦ୍ଦିଷ୍ଟ ପ୍ରମାଣ ସହିତ ଦେବାୟତନର ରୂପରେଖ ମଧ୍ୟ ଆବିଷ୍କୃତ ହୋଇଥିଲା । ପୁରାତନ ଧାତୁଟଙ୍କା, ବିଦେଶୀ ମାଟିପାତ୍ର ତଥା ଅନ୍ୟାନ୍ୟ ସହାୟକ ବସ୍ତୁବିଶେଷ ଯୋଗୁଁ ବାଣିଜ୍ୟ ବ୍ୟବସାୟ ପ୍ରସାର ଏ ଅଞ୍ଚଳରେ ମଧ୍ୟ ହୋଇଥିବାର ଜଣାପଡ଼ିଲା ।’’ (ଐତିହାସିକ ନବୀନକୁମାର . ପୃ ; ୧୦୭)

 

ଓଡ଼ିଶାରେ ବୌଦ୍ଧଧର୍ମର ଇତିହାସ ଅଧ୍ୟୟନରେ ସହାୟକ ତାଙ୍କର ଏକ ଗୁରୁତ୍ୱପୂର୍ଣ ପ୍ରତ୍ନତାତ୍ତ୍ୱିକ ଖନନ ଓ ସେଥିରୁ ଲୋକଲୋଚନକୁ ଆସିଥିବା ଏକ ବୌଦ୍ଧକୀର୍ତ୍ତି ହେଉଛି ଗଣିଆପାଲି ବିହାର । ଏହି ବିହାରଟି ୧୯୭୮ ଖ୍ରୀଷ୍ଟାବ୍ଦରେ ଡକ୍ଟର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖୋଦିତ ହୋଇଥିଲା । ବରଗଡ଼ ଜିଲ୍ଲାର ପଦ୍ମପୁର ସବ୍‌ଡିଭିଜନସ୍ଥ ଏକ କ୍ଷୁଦ୍ରଗ୍ରାମ ଗଣିଆପାଲିରେ ଏହି ବୌଦ୍ଧବିହାରଟି ଅବସ୍ଥିତ । ଏହା ଖ୍ରୀଷ୍ଟୀୟ ୫ମ ଶତାବ୍ଦୀରେ ପ୍ରତିଷ୍ଠିତ ବୋଲି ଡକ୍ଟର ସାହୁ ମତ ପ୍ରକାଶ କରନ୍ତି । ଏହିମତକୁ ଗ୍ରହଣ କଲେଏହି ବିହାରଟି ଓଡ଼ିଶାର ପ୍ରଥମ ମହାଯାନୀ ବିହାରଭାବେ ସ୍ୱତଃ ପ୍ରମାଣିତ ହୁଏ । ଏହି ବିହାରର ମୁଖ୍ୟ ଚୈତଗୃହର ଧ୍ୱଂସସ୍ତୂପ ଉପରେ ପରବର୍ତ୍ତୀକାଳରେ ନିର୍ମିତ ଏବଂ ସଂପ୍ରତି ଜରାଜୀର୍ଣ୍ଣ ଅବସ୍ଥାପ୍ରାପ୍ତ ଏକ ମନ୍ଦିରରେ ଦୁଇଟି ମନୁଷ୍ୟାକାର (life-size) ବୁଦ୍ଧମୂର୍ତ୍ତିକୁ ସ୍ଥାନୀୟ ଲୋକେ ‘ଯୁଗୀ-ଯୁଗେନ୍‌’ଭାବରେ ପୂଜା କରୁଛନ୍ତି-। ଏ ଦୁଇଟିକୁ ମୁଚଲିନ୍ଦ ବୁଦ୍ଧ ବୋଲି ଡକ୍ଟର ସାହୁ ଚିହ୍ନିତ କରିଛନ୍ତି । ଏହି ପ୍ରତିମାଦ୍ୱୟ ଓଡ଼ିଶାର ସର୍ବପ୍ରାଚୀନ ମୁଚଲିନ୍ଦ ବୁଦ୍ଧ ପ୍ରତିମାଭାବରେ ସ୍ୱୀକୃତ । ଏହି ବୌଦ୍ଧବିହାରର ଗଠନଶୈଳୀ ଏବଂ ଏଥିରେ ବୌଦ୍ଧ-ଭିକ୍ଷୁକମାନଙ୍କ ପାଇଁ ନିର୍ମିତ କୋଠରୀମାନଙ୍କରୁ ଏହା ପ୍ରାଚୀନ ଅତୀତରେ ଏକ ବିଶାଳ ତଥା ସୁବିଦିତ ବୌଦ୍ଧବିହାର ହୋଇଥିବାର ସୂଚନା ମିଳେ ।

 

ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୯୭୫ ଖ୍ରୀଷ୍ଟାବ୍ଦରେ ସେ ରୁଷିଆ ପରିଭ୍ରମଣର ସୁଯୋଗ ପାଇଥିଲେ । ସେଠାରେ ସେ ଅନେକ ଐତିହାସିକ ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଲେନିନ୍‌ଗ୍ରାଡ୍‌, ସମରକନ୍ଦ, ଦୁଷାନ୍‌ବେ ଓ ହିସାର ପାହାଡ଼ରେ ଭୂଖୋଦନର ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନପାଇଁ ସୁଯୋଗ ପାଇଥିଲେ । ଏହା ତାଙ୍କର ପ୍ରତ୍ନତତ୍ତ୍ୱବିଷୟକ ଜ୍ଞାନର ଅଭିବୃଦ୍ଧିରେ ସହାୟକ ହୋଇଥିଲା ।

 

ଆଧୁନିକ ସିଂହଳ ବା ଶ୍ରୀଲଙ୍କା ଯେ ରାମାୟଣବର୍ଣ୍ଣିତ ସୁବର୍ଣ୍ଣପୁରୀ ଲଙ୍କା ନୁହେଁ, ସେଥିରେ ଐତିହାସିକମାନେ ଦ୍ୱିମତ ନ ହେଲେହେଁ ସୁବର୍ଣ୍ଣପୁରୀ ଲଙ୍କାର ସନ୍ଧାନରେ କୌଣସି ଐତିହାସିକ ଆଗେଇଆସିନଥିଲେ । କିନ୍ତୁ ଡକ୍ଟର ସାହୁ ପାରିପାର୍ଶ୍ୱିକ ପ୍ରମାଣବଳରେ ଓଡ଼ିଶାର ସୋନପୁର (ସୁବର୍ଣ୍ଣପୁର)କୁ ଲଙ୍କା ବୋଲି ଯୁକ୍ତି ବାଢ଼ିଥିଲେ । ତାଙ୍କ ଯୁକ୍ତିର ଭିତ୍ତି ଥିଲା ସୋନପୁର ଅଞ୍ଚଳର ସୋମବଂଶୀ ରାଜା କୁମାର ସୋମେଶ୍ୱରଦେବଙ୍କ ଏକ ରାଜକୀୟ ତାମ୍ରଲେଖ, ଯହିଁରେ ସେ ନିଜକୁ ପଶ୍ଚିମ ଲଙ୍କାର ଅଧିପତି ବୋଲି ଅଭିହିତ କରିଥିଲେ । ସୋମେଶ୍ୱରଦେବ ଥିଲେ ପଶ୍ଚିମ ଲଙ୍କାର ଶେଷ ସୋମବଂଶୀ ଶାସକ । ସେ ସୋନପୁରଠାରେ ମହାନଦୀର ଲଙ୍କାବର୍ତ୍ତକ ନିକଟରେ ଯେଉଁ ତାମ୍ରଶାସନ ପ୍ରଦାନ କରିଥିଲେ, ତାହାର ଆବିଷ୍କାର ହୋଇଥିଲା ସୋନପୁର ରାଜ୍ୟର ମହଦା ଗ୍ରାମରୁ । ମହଦା ତାମ୍ରଶାସନର ‘ଲଙ୍କାବର୍ତ୍ତକ’ ବର୍ତ୍ତମାନ ଲଙ୍କେଶ୍ୱରୀ ଦରହ ନାମରେ ସୁପରିଚିତ । ଲଙ୍କେଶ୍ୱରୀ ସୋନପୁର ଲଙ୍କାର ଅଧିଷ୍ଠାତ୍ରୀଦେବୀ ଭାବରେ ପ୍ରାଚୀନକାଳରୁ ଉପାସିତ ହୋଇଆସୁଛନ୍ତି । ଅଧିକନ୍ତୁ ମହାନଦୀ ଓ ତେଲନନ୍ଦୀର ମିଳନସ୍ଥଳୀ ଓ ଆଧୁନିକ ସୋନପୁର ସହରର ଅପରପାର୍ଶ୍ୱସ୍ଥ ମନମୁଣ୍ଡା ଗ୍ରାମ ନିକଟରେ ଲଙ୍କାଦୁର୍ଗର ଧ୍ୱଂସାବଶେଷ ଡକ୍ଟର ସାହୁଙ୍କଦ୍ୱାରା ଆବିଷ୍କୃତ ହୋଇଥିଲା । ଏବେ ବି ଲଙ୍କାଦୁର୍ଗର ଏକ ବିରାଟ ପ୍ରାଚୀରର ଧ୍ୱଂସାବଶେଷ ସେଠାରେ ବିଦ୍ୟମାନ । ଏହି ପରିପ୍ରେକ୍ଷୀରେ ସୋନପୁର ନିକଟବର୍ତ୍ତୀ ଅସୁରଗଡ଼ଠାରେ ଏକ ପ୍ରାଚୀନ ସଭ୍ୟତାର ସନ୍ଧାନ ସେ ପାଇଥିଲେ ।

 

ସମ୍ୱଲପୁର ବିଶ୍ୱବିଦ୍ୟାଳୟର କୁଳପତି ଥିବାସମୟରେ ଏହିସବୁ ଯୁକ୍ତିବଳରେ ସେ ଇତିହାସପ୍ରେମୀ ଓ ସଂସ୍କୃତିପ୍ରେମୀ ବିଦ୍ୱାନ୍‌ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଅସୁରଗଡ଼ଠାରେ ଏକ ପ୍ରତ୍ନତାତ୍ତ୍ୱିକ ଭୂଖୋଦନରେ ଆଗେଇଗଲେ । ଏ କାର୍ଯ୍ୟରେ ତାଙ୍କ ସହ ଯୋଗଦେଲେ ଭାରତବିଖ୍ୟାତ ପ୍ରତ୍ନତତ୍ତ୍ୱବିତ୍‌ ତଥା ପୁନା ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ସଂକାଳିଆ । ସେଠାରେ ରାମାୟଣକାଳୀନ ସଭ୍ୟତାର ବିଶେଷ ସଂକେତ ମିଳିବାର ଆଶା କ୍ଷୀଣ ଦେଖି ଡକ୍ଟର ସଂକାଳିଆ ଏ କାର୍ଯ୍ୟରୁ ଓହରିଗଲେ । ଡକ୍ଟର ସାହୁ ମଧ୍ୟ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଓ ସମାଲୋଚନାର ଶରବ୍ୟ ହୋଇ ଏ କାର୍ଯ୍ୟରୁ ମୁହଁ ଫେରାଇବାକୁ ବାଧ୍ୟ ହେଲେ, ତାଙ୍କ ଲଙ୍କାନ୍ୱେଷଣ ଏହିପରି ସେ ସମୟପାଇଁ ସାର୍ଥକତା ହରାଇଲା । ସମୟ ହୁଏତ ଆସିବ, ଯେତେବେଳେ ଆଉ କେହି ସମଧର୍ମା ଗବେଷକ ଏ କାର୍ଯ୍ୟରେ ହାତଦେଇ ଏକ ଦୃଢ଼ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବେ ।

 

ଅଭିଲେଖ, ଭୂଖନନ ଓ ପ୍ରାଚୀନ କୀର୍ତ୍ତିରାଜିରୁ ପ୍ରାପ୍ତ କେତେକ ଐତିହାସିକ ତଥ୍ୟ ଉପରେ ସେ ଯେଉଁ ସୁଚିନ୍ତିତ ମତଦାନ କରିଛନ୍ତି, ତାହା ପ୍ରାଚୀନ ଓଡ଼ିଶା ଇତିହାସର କେତେକ ନୂତନ ଦିଗର ସନ୍ଧାନ ଦିଏ । ପ୍ରାଚୀନ ଶିଳାଲିପି ପଠନରେ ସେ ପାରଦର୍ଶିତା ଲାଭ କରିଥିଲେ ଏବଂ ବହୁ ଶିଳାଲେଖର ପାଠୋଦ୍ଧାର କରି ଓଡ଼ିଶାର ପ୍ରାଚୀନ ଇତିହାସକୁ ସର୍ବସମକ୍ଷରେ ଉପସ୍ଥାପନ କରିବାରେ ଅପୂର୍ବ ଦକ୍ଷତା ପ୍ରଦର୍ଶନ କରିଥିଲେ । ସେ-ସବୁ ମଧ୍ୟରେ କେନ୍ଦୁଝର ଜିଲ୍ଲାର ଅସନପାଟଠାରେ ଆବିଷ୍କୃତ ପ୍ରାଚୀନ ନଟରାଜ ମୂର୍ତ୍ତି ସହିତ ସଂଯୁକ୍ତ ଶିଲାଲେଖର ପାଠୋଦ୍ଧାର ଅନ୍ୟତମ । ଖାରବେଳଙ୍କ କୀର୍ତ୍ତି ଉଦୟଗିରିର ହାତୀଗୁମ୍ପା ଶିଳାଲେଖର ସେ ପାଠୋଦ୍ଧାର କରିଛନ୍ତି ଏବଂ ପୂର୍ବରୁ କରାଯାଇଥିବା ଲିପିତତ୍ତ୍ୱବିଦ୍‌ମାନଙ୍କ ପାଠୋଦ୍ଧାରକୁ ମଧ୍ୟ କେତେକ ସ୍ଥଳରେ ସଯୁକ୍ତି ଅଗ୍ରାହ୍ୟ କରିଛନ୍ତି । ‘ଓଡ଼ିଆ ଜାତିର ଇତିହାସ’ରେ ସେ ଅଶୋକଙ୍କ ଧଉଳିସ୍ଥ ତ୍ରୟୋଦଶ ଅନୁଶାସନ ଏବଂ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନ - ୧ ଓ ୨ର ପାଠୋଦ୍ଧାର କରି ତାହାର ଓଡ଼ିଆ ଅନୁବାଦ ପ୍ରଦାନ କରିଛନ୍ତି ।
 

ସମ୍ୱଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତବେଳେ ସେ ପଶ୍ଚିମ ଓଡ଼ିଶାର ପ୍ରାଚୀନ କୀର୍ତ୍ତି ଓ ଐତିହାସିକ ଉପାଦାନର ସଂରକ୍ଷଣ ପାଇଁ ସେଠାରେ ଏକ ସଂଗ୍ରହାଳୟ ସ୍ଥାପନ କରିଥିଲେ । ସେହି ସଂଗ୍ରହାଳୟରେ ତାଙ୍କ ବ୍ୟକ୍ତିଗତ ଉଦ୍ୟମରେ ସଂଗୃହୀତ ଅଭିଲେଖ, ପ୍ରାଚୀନ ମୁଦ୍ରା, ଭାସ୍କର୍ଯ୍ୟ, ପ୍ରାଚୀନ ଅସ୍ତ୍ରଶସ୍ତ୍ର, କଳା ଓ ହସ୍ତଶିଳ୍ପ, ତୈଳଚିତ୍ର, ପ୍ରାଚୀନ ତାଳପତ୍ରପୋଥି ଆଦି ବିଭାଗରେ ବିଭିନ୍ନ ସାମଗ୍ରୀ ଶୋଭା ପାଉଛି । ଅଭିଲେଖ ବିଭାଗରେ ଅନେକ ଶିଳାଲିପି ଓ ତାମ୍ରଶାସନ ମଧ୍ୟ ସଂରକ୍ଷିତ । ପ୍ରତିଟି ଅଭିଲେଖ ସହିତ ତାଙ୍କର ବିଶେଷ ପରିଚିତି ଥିଲା ଓ ସେ ସେ-ସବୁକୁ ପାଠକରି ପ୍ରାଞ୍ଜଳ ବ୍ୟାଖ୍ୟା କରିପାରୁଥିଲେ । ତାଙ୍କ ପ୍ରଚେଷ୍ଟାରେ ସଂଗୃହୀତ ବହୁ ଐତିହାସିକ ଦଲିଲ୍ ଅଭିଲେଖାଗାରର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ସେହି ସଂଗ୍ରହାଳୟ ତାଙ୍କ ଇତିହାସପ୍ରୀତି ଓ ପ୍ରତ୍ନତାତ୍ତ୍ୱିକ ରୁଚିର ସମ୍ୟକ୍‌ ପରିଚୟ ବହନକରି ଆଜି ଗବେଷକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

 

ଓଡ଼ିଶା ଗେଜେଟିୟର ସଂସ୍ଥାରେ ଡକ୍ଟର ସାହୁଙ୍କ ଯୋଗଦାନ ଓଡ଼ିଶା ଇତିହାସକୁ, ବିଶେଷତଃ ପଶ୍ଚିମ-ଓଡ଼ିଶାର ଇତିହାସକୁ ପୁନର୍ଲିଖନ କରିବାର ଏକ ଅପୂର୍ବ ସୁଯୋଗ ସୃଷ୍ଟିକଲା । ଦକ୍ଷିଣ କୋଶଳକୁ ଚିହ୍ନି ଚିହ୍ନାଇବା ଦିଗରେ ତାଙ୍କ ପ୍ରଚେଷ୍ଟା ଅତି ପ୍ରଶଂସନୀୟ । ଏ ସମ୍ୱନ୍ଧରେ ତାଙ୍କର ଗୁଣମୁଗ୍‌ଧ ଓ ତାଙ୍କର ଜଣେ ସହଯୋଗୀ ପ୍ରଫେସର ଡକ୍ଟର ସାଧୁଚରଣ ପଣ୍ଡା ମତ ଦିଅନ୍ତି - ‘‘ଦକ୍ଷିଣ କୋଶଳର ଐତିହ୍ୟ ଓ ସଂସ୍କୃତିକୁ ଆଧାରକରି, ତାଙ୍କରି ପ୍ରଚେଷ୍ଟା ତଥା ସମ୍ପାଦନାରେ ପ୍ରଥମକରି ଏକ ଉଚ୍ଚକୋଟୀର ଗବେଷଣା ପତ୍ରିକା New Aspects of History of Orissa ନାମରେ ୧୯୭୧ ମସିହାରେ ପ୍ରକାଶିତ ହୋଇଥିଲା । ଯଦିଓ ଦକ୍ଷିଣ କୋଶଳ ଇତିହାସର ପୁନରୁଦ୍ଧାର ପାଇଁ ରାମଚନ୍ଦ୍ର ମଲ୍ଲିକ, ଶିବପ୍ରସାଦ ଦାଶ, ପୂର୍ଣ୍ଣଚନ୍ଦ୍ର ରଥ ତଥା ଅନ୍ୟ କେତେକ ଐତିହାସିକ ନିଷ୍ଠାପର ଉଦ୍ୟମ କରିଥିଲେ, ତଥାପି ସେମାନଙ୍କ ଇତିହାସ ସଠିକ୍‌ ଓ ନିର୍ଭୁଲ ତଥ୍ୟ ଉପରେ ପର୍ଯ୍ୟବସିତ ହୋଇପାରିନଥିଲା । ଡକ୍ଟର ନବୀନକୁମାର ସାହୁ ପ୍ରଥମେ ଓଡ଼ିଶା ଜିଲ୍ଲା ଗେଜେଟିୟରଗୁଡ଼ିକର ସମ୍ପାଦକରୂପେ ଓ ପରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଉପାଧ୍ୟୁତ୍ତର ଇତିହାସ ବିଭାଗର ମୁଖ୍ୟ ପ୍ରଫେସରରୂପେ ପର୍ଯ୍ୟାପ୍ତ ଓ ବିଧିବଦ୍ଧ କ୍ଷେତ୍ର ଅଧ୍ୟୟନ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଐତିହାସିକ ପୀଠ ତଥା ତତ୍‌ସମ୍ପର୍କୀୟ ସମସ୍ତ ବିଷୟର ପ୍ରତ୍ୟକ୍ଷ ଦର୍ଶନ ଓ ଅନୁଶୀଳନ କରିଥିଲେ । ସ୍ଥଳବିଶେଷରେ ଲୁପ୍ତ ସଭ୍ୟତାର ପ୍ରକୃତ ରୂପରେଖ ଜାଣିବାପାଇଁ ପ୍ରତ୍ନତାତ୍ତ୍ୱିକ ଭୂଖନନ ମଧ୍ୟ କରିଥିଲେ । ଜଣେ ପ୍ରସିଦ୍ଧ ଐତିହାସିକଙ୍କ ବୈଷୟିକ ଜ୍ଞାନ ତଥା ସୁଚିନ୍ତିତ ଅନୁଶୀଳନ ମାଧ୍ୟମରେ ଡକ୍ଟର ସାହୁ ଦକ୍ଷିଣ-କୋଶଳର ପରମ୍ପରାଗତ ଇତିହାସକୁ ସତ୍ୟନିଷ୍ଠ ଓ ଯୁକ୍ତିସଙ୍ଗତ କରେଇପାରିଛନ୍ତି । ଏହି ପ୍ରଚେଷ୍ଟାର ସ୍ୱାକ୍ଷର ବହନକରି ଆତ୍ମପ୍ରକାଶ କରିଥିଲା New Aspects of History of Orissaର ପ୍ରଥମ ଭାଗ ।’’ (ଐତିହାସିକ ନବୀନକୁମାର, ପୃ୧୦୬) ଦକ୍ଷିଣ କୋଶଳ ବିଶେଷାଙ୍କରୂପେ ପ୍ରକାଶିତ ଏହି ପତ୍ରିକାର ବିଶେଷତ୍ୱ ପୂର୍ବରୁ ଆଲୋଚିତ ।

 

New Aspects of Histoty of Orissa ର ଦ୍ୱିତୀୟ ଭାଗଟି ତାଙ୍କ ନିଷ୍ଠାପର ଉଦ୍ୟମରେ ଅଙ୍କୁରିତ ଓ ବିକଶିତ ବିଶ୍ୱବିଦ୍ୟାଳୟର ସଂଗ୍ରହାଳୟ ବିଶେଷାଙ୍କରୂପେ ପ୍ରକାଶିତ ହୋଇଥିଲା । ତାଙ୍କଦ୍ୱାରା ରଚିତ ଓ ଏଥିରେ ସ୍ଥାନିତ ମୁଖ୍ୟ ପ୍ରବନ୍ଧଟି ଥିଲା - ‘University Museum-Its Bearing on the History of Orissa’. ବିଶ୍ୱବିଦ୍ୟାଳୟର ସଂଗ୍ରହାଳୟରେ ଗଚ୍ଛିତ ମହାର୍ଘ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ବିଭବବଳରେ ଓଡ଼ିଶା ଇତିହାସର ବିକାଶଧାରା ପ୍ରଦର୍ଶନ କରିବା ନିମନ୍ତେ ଏହା ଥିଲା ଏକ ଅଭିନବ ପ୍ରୟାସ ।

 

ପ୍ରତ୍ନତତ୍ତ୍ୱରେ ବିଧିବଦ୍ଧ ତାଲିମପ୍ରାପ୍ତ ନଥିଲେହେଁ ଡକ୍ଟର ସାହୁ ନିଜର ନିଷ୍ଠା ଓ ବ୍ୟକ୍ତିଗତ ପ୍ରଚେଷ୍ଟାବଳରେ ଏପରି ଏକ ବୈଷୟିକ ବିଦ୍ୟାକୁ ଆୟତ୍ତ କରିପାରିଥିଲେ । ପୂର୍ବୋକ୍ତ ଗଣିଆପାଲି ବୌଦ୍ଧବିହାର, କଳାହାଣ୍ଡିର ଅସୁରଗଡ଼, ସୋନପୁର ନିକଟସ୍ଥ ଅସୁରଗଡ଼ ଇତ୍ୟାଦି ସ୍ଥାନରେ ପ୍ରତ୍ନତାତ୍ତ୍ୱିକ ଭୂଖନନ କରି ଇତିହାସର ଗୁରୁତାବହ ଅଧ୍ୟାୟମାନ ଉନ୍ମୋଚନ କରିଥିଲେ । ତେଣୁ ଜଣେ ପ୍ରତ୍ନତତ୍ତ୍ୱବିତ୍‌ ଭାବରେ ତାଙ୍କର ବେଶ୍‌ ପ୍ରସିଦ୍ଧି ଥିଲା । ଏହି କାରଣରୁହିଁ ସମ୍ୱଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦରୁ ବିଦାୟ ନେବାପରେ ତାଙ୍କୁ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ୱ-ଉପଦେଷ୍ଟାରୂପେ ନିଯୁକ୍ତି ମିଳିଥିଲା । ସେହି ପଦରେ ସେ ଯୋଗଦେବାପରେ ନୂଆପଡ଼ାସ୍ଥିତ ମାରାଗୁଡ଼ା ଉପତ୍ୟକାର ସବିଶେଷ ପର୍ଯ୍ୟବେକ୍ଷଣ ଓ ଭୂଖନନ କାର୍ଯ୍ୟ ହାତକୁ ନେଇଥିଲେ । ପୂର୍ବରୁ ସେ ଏ ଅଞ୍ଚଳ ସହିତ ପରିଚିତ ଥିଲେ ଏବଂ ଗେଜେଟିୟର ସମ୍ପାଦନାକାଳରେ ଏ ଅଞ୍ଚଳର ଇତିହାସକୁ ତନ୍ନତନ୍ନ ଅନୁଶୀଳନ କରିଥିଲେ । ଏହି କାର୍ଯ୍ୟରେ ଖଡ଼ିଆଳ ଯୁବରାଜ ଐତିହାସିକ ଜିତାମିତ୍ର ସିଂହଦେବ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ଭୂଖନନ ଫଳରେ ଏଠାରୁ ନଳଯୁଗୀୟ ଏକ ପ୍ରାଚୀନ ଶାକ୍ତପୀଠର ସନ୍ଧାନ ମିଳିଥିଲା, ଯାହାର ନିମ୍ନଦେଶରେ ଗୁପ୍ତକାଳୀନ ବ୍ରହ୍ମୀଲିପିରେ ‘ମାହେଶ୍ୱରୀ ଭବଦା’ ବୋଲି ଉଲ୍ଲେଖଥିବା ଏକ ଶିଳାଲେଖ ଥିଲା । ଉକ୍ତ ପୀଠରୁ କେତେକ ପ୍ରାଚୀନ ମୁଦ୍ରା, ଲେଖନୀ, ମୂର୍ତ୍ତି, ମାଟିପାତ୍ର ଇତ୍ୟାଦି ଉପଲବ୍‌ଧ ହୋଇଛି । ସେ-ସବୁ ଏହି ପୀଠର କାଳନିର୍ଣ୍ଣୟରେ ସହାୟକ । ଏହା ସମ୍ଭବତଃ ନଳରାଜା ଭବଦତ୍ତ ବର୍ମନଙ୍କ ସମୟର କୀର୍ତ୍ତି ଏବଂ ଏହା ଭାକାଟକ ବଂଶର ଆକ୍ରମଣଯୋଗୁଁ ଧ୍ୱଂସପ୍ରାପ୍ତ ହୋଇଥିଲା । (ଐତିହାସିକ ନବୀନକୁମାର, ପୃ୩୨-୩୩ ଓ ୧୦୮) ଏହି ପ୍ରତ୍ନତାତ୍ତ୍ୱିକ ଖୋଦନ କାର୍ଯ୍ୟରେ ସେ କିଛିଦୂର ଆଗେଇ ଯାଇଥିଲେହେଁ ଶେଷ କରିପାରିନଥିଲେ ଇହଲୀଳା ସମ୍ୱରଣ କାରଣରୁ । ପରବର୍ତ୍ତୀକାଳରେ ସେହି କାର୍ଯ୍ୟ ଆଉ କିଛିବାଟ ଆଗେଇପାରିଥିଲା ଅନ୍ୟମାନଙ୍କଦ୍ୱାରା । ଡକ୍ଟର ସାହୁ ଯେଉଁ ପର୍ଯ୍ୟନ୍ତ ଖୋଦନକାର୍ଯ୍ୟ ଚଳାଇଥିଲେ, ସେ ସମ୍ପର୍କରେ ଏକ ମଧ୍ୟବର୍ତ୍ତୀ ବିବରଣୀ (interim report) ପ୍ରସ୍ତୁତ କରିଥିଲେ । ତା’ପୂର୍ବରୁ ଅସୁରଗଡ଼ ଓ ଗଣିଆାପାଲିରେ କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ଖନନର ମଧ୍ୟବର୍ତ୍ତୀ ବିବରଣୀ ମଧ୍ୟ ସେ ପ୍ରକାଶ କରିଥିଲେ ।

 

ଡକ୍ଟର ସାହୁଙ୍କ ଇତିହାସ-ଦୃଷ୍ଟି ଥିଲା ସମ୍ପୂର୍ଣ୍ଣ ନିଆରା । କିମ୍ୱଦନ୍ତୀ, ଲୋକକଥା ଗାଲୁଗଳ୍ପ ଆଦି ଆଧାରିତ ତଥାକଥିତ ଭ୍ରମାତ୍ମକ ଇତିହାସକୁ ଦୂରେଇଦେଇ ସେ ଓଡ଼ିଶାର ଇତିହାସକୁ ଏକ ପ୍ରାମାଣିକ ଓ ବିଜ୍ଞାନଭିତ୍ତିକ ରୂପଦେବାକୁ ଆଗେଇଆସିଥିଲେ ଓ ସେଥିରେ ସଫଳ ବି ହୋଇଥିଲେ । ଶିଳାଲେଖ, ତାମ୍ରଶାସନ ଇତ୍ୟାଦି ପ୍ରାଚୀନ କୀର୍ତ୍ତିମାନ ଥିଲା ତାଙ୍କ ଇତିହାସ-ରଚନାର ମୂଳପିଣ୍ତ । ଏହିସବୁ କୀର୍ତ୍ତିର ଅନ୍ୱେଷଣକରି ଓ ଅବଶେଷ ଉଦ୍ଧାରକରି ସେ ଗଭୀର ଅନୁଶୀଳନ, ସୂକ୍ଷ୍ମ ନିରୀକ୍ଷଣ ଓ ଅକାଟ୍ୟ ଯୁକ୍ତିବଳରେ ଓଡ଼ିଶା ଇତିହାସର ପୁନର୍ଲିଖନ କରିଛନ୍ତି, ବହୁ ପୁସ୍ତକ ଓ ପ୍ରବନ୍ଧ ମାଧ୍ୟମରେ ଓଡ଼ିଆଜାତିର ଇତିହାସ ଓ ସଂସ୍କୃତିର ବିଭିନ୍ନ ବିଭାବକୁ ସ୍ପର୍ଶ କରିଛନ୍ତି । ଏ ସମ୍ୱନ୍ଧରେ ଜଣେ ବିଦ୍ୱାନ୍ ଐତିହାସିକ ପ୍ରଫେସର ପ୍ରବୋଧକୁମାର ମିଶ୍ରଙ୍କ ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ଏକାନ୍ତ ଉଦ୍ଧାରଯୋଗ୍ୟ । ତାଙ୍କ ଆକଳନ ଅନୁସାରେ- ‘‘ସୋମ ଓ ଗଙ୍ଗବଂଶର ଇତିହାସ ସଙ୍କଳନ ତଥା ସମ୍ରାଟ ଖାରବେଳ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ରଚନାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ସଦା ସ୍ୱୀକୃତ । ଓଡ଼ିଶାର ଧର୍ମ, ସାହିତ୍ୟ ଓ ଦେବାଳୟମାନଙ୍କ ଉପରେ ତାଙ୍କର ଅଗାଧ ପାଣ୍ତିତ୍ୟ ଓ ତଥ୍ୟସମ୍ୱଳିତ ଦୃଷ୍ଟିକୋଣ ବିଦ୍ୟାର୍ଥୀ ଓ ଶ୍ରୋତାମାନଙ୍କୁ ମୁଗ୍‌ଧ କରୁଥିଲା । ପ୍ରାଚୀନ, ମଧ୍ୟଯୁଗୀୟ ଓ ଆଧୁନିକ ଇତିହାସ ଉପରେ ତାଙ୍କ ସଦୃଶ ଗବେଷକ ଓ ବିଦ୍ୱାନ୍ ଓଡ଼ିଶାରେ ବିରଳ ।’’ (ଐତିହାସିକ ନବୀନକୁମାର, ପୃ୫୮) ଏହିପରି ଐତିହାସିକ ଓଡ଼ିଶାର ପୁନର୍ଗଠନ ଦିଗରେ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ ଏକାନ୍ତ ଅଭିନନ୍ଦନୀୟ ଏବଂ ପରବର୍ତ୍ତୀ ଐତିହାସିକ ଓ ଗବେଷକମାନଙ୍କ ପାଇଁ ପ୍ରେରଣାର ଅଫୁରନ୍ତ ଉତ୍ସ ।

 

***

 

Unknown

ସାହିତ୍ୟିକ ନବୀନକୁମାର

 

ଜାତୀୟ ଓ ଅନ୍ତର୍ଜାତୀୟ ସୁଖ୍ୟାତିର ଅଧିକାରୀ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିତ୍‌ ଡକ୍ଟର ନବୀନକୁମାର ସାହୁ ଜଣେ ସୁସାହିତ୍ୟିକ ମଧ୍ୟ । ଇଂରାଜୀ ଓ ଓଡ଼ିଆରେ ସେ ଯେପରି ଲେଖିପାରନ୍ତି ସେହିପରି କହିପାରନ୍ତି । ତେଣୁ ତାଙ୍କୁ ପଢ଼ିବାରେ ଓ ଶୁଣିବାରେ ଏକ ସ୍ୱତନ୍ତ୍ର ଆନନ୍ଦ ରହିଛି । ତାଙ୍କର ଧର୍ମ, ସଂସ୍କୃତି, ଇତିହାସ, ପ୍ରତ୍ନତତ୍ତ୍ୱବିଷୟକ ବହୁ ପ୍ରବନ୍ଧ ରହିଛି । ସେଗୁଡ଼ିକ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ରଚିତ ଓ ବହୁ ନୂତନ ତଥ୍ୟରେ ପୂର୍ଣ୍ଣ । ତାଙ୍କ ଭାଷା ସଂଭ୍ରାନ୍ତ ଓ ବର୍ଣ୍ଣନାଶୈଳୀ ସ୍ୱତନ୍ତ୍ର ଆବେଦନଯୁକ୍ତ । ତେଣୁ ତାଙ୍କ ପ୍ରବନ୍ଧରୁ ବହୁବିଧ ନୂତନ ତଥ୍ୟ ଓ ସାହିତ୍ୟିକ ସ୍ପର୍ଶ ମିଳିଥାଏ । ଏକଦା ସେ ‘ଚନ୍ଦ୍ରିକା’ ପତ୍ରିକାରେ ଐତିହାସିକ ଗଳ୍ପ ଲେଖୁଥିଲେ । ଗଳ୍ପ ଛଳରେ ଇତିହାସରୁ ପରିବେଷଣ କରିବାର ଅପୂର୍ବ କୌଶଳ ତାଙ୍କୁ ଜଣାଥିଲା ଏବଂ ସେଥିରେ ବେଳେବେଳେ ଗଳ୍ପବସ୍ତୁର ଅତିରଞ୍ଜନ ଓ କଳ୍ପନାର ସଂଯୋଜନା ତାଙ୍କ ସାହିତ୍ୟପ୍ରବଣତାର ଏକ ନିଆରାତ୍ୱ ପ୍ରତିପାଦନ କରୁଥିଲା ।

 

ନବୀନକୁମାରଙ୍କ ପ୍ରବନ୍ଧଜଗତ

ଡକ୍ଟର ସାହୁଙ୍କଦ୍ୱାରା ରଚିତ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ସଂଖ୍ୟାରେ ବିପୁଳ ଓ ସେ-ସବୁ ବିକ୍ଷିପ୍ତ ଆକାରରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହେତୁ ସେ-ସବୁକୁ ସଂଗ୍ରହ କରିବା ସମ୍ଭବ ହେଉନାହିଁ । ଏଣୁ ସେଗୁଡ଼ିକର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବା ମଧ୍ୟ ସହଜସାଧ୍ୟ ନୁହେଁ । ଯେଉଁଗୁଡ଼ିକର ସନ୍ଧାନ ଏପର୍ଯ୍ୟନ୍ତ ମିଳିଛି ସେଥିମଧ୍ୟରୁ କେତୋଟିର ଆଲୋଚନା ଏହି ଅଧ୍ୟାୟରେ ପତ୍ରସ୍ଥ ।

 

ତାଙ୍କ ପ୍ରବନ୍ଧଗୁଡ଼ିକ ବିଭିନ୍ନ ବିଷୟକ । ବିଭିନ୍ନତା ଦୃଷ୍ଟିରୁ ସେଗୁଡ଼ିକର ବିଭାଗୀକରଣ ଏହିପରି କରାଯାଇପାରେ-(କ) ଐତିହାସିକ ପ୍ରବନ୍ଧ, (ଖ) ପ୍ରତ୍ନତତ୍ତ୍ୱମୂଳକ ପ୍ରବନ୍ଧ, (ଗ) ରାଜନୀତିମୂଳକ ପ୍ରବନ୍ଧ, (ଘ) ଧର୍ମ ଓ ସଂସ୍କୃତିମୂଳକ ପ୍ରବନ୍ଧ, (ଙ) ମୌଖିକ ପ୍ରବନ୍ଧ ଓ (ଚ) ବିବିଧ ପ୍ରବନ୍ଧ ।

 

ଆକାର ବିଚାରରେ ତାଙ୍କ ସମ୍ପାଦକୀୟଗୁଡ଼ିକ ଗୋଟିଏ ଗୋଟିଏ ଛୋଟ ବା ବଡ଼ ପ୍ରବନ୍ଧ-। ବିବିଧବିଷୟକ ହେତୁ ସମ୍ପାଦକୀୟ ପ୍ରବନ୍ଧଗୁଡ଼ିକ ପାଇଁ ଏକ ସ୍ୱତନ୍ତ୍ର ବିଭାଗୀକରଣ କରାନଯାଇ ଆଲୋଚନାର ସୁକରତା ନିମିତ୍ତ ବିଷୟବସ୍ତୁ ଅନୁସାରେ ସେସେବୁକୁ ସମ୍ପୃକ୍ତ ବିଭାଗର ଅନ୍ତର୍ଭୁକ୍ତ କରାଯାଇଛି ।

 

ଐତିହାସିକ ପ୍ରବନ୍ଧ

ଓଡ଼ିଆ ଓ ଇଂରାଜୀରେ ଲିଖିତ ଡକ୍ଟର ସାହୁଙ୍କ ପ୍ରବନ୍ଧାବଳୀ ମଧ୍ୟରେ ଐତିହାସିକ ପ୍ରବନ୍ଧର ସଂଖ୍ୟା ଅଧିକ । ଏଗୁଡ଼ିକ ତାଙ୍କ ଐତିହାସିକ ପରିଚୟକୁ ସୁଦୃଢ଼ କରେ । ସେ ଓଡ଼ିଶାକୁ ପ୍ରାଣଭରି ଭଲପାଉଥିଲେ । ରେଭେନ୍‌ସା କଲେଜରେ ଅଧ୍ୟାପନା ବେଳେ ସେ ଅନୁଭବ କଲେ ଯେ ଓଡ଼ିଶାର ଇତିହାସ ବିଦ୍ୟାର୍ଥୀମାନେ ପଢ଼ିବା ଉଚିତ । ତେଣୁ ସେ ଚେଷ୍ଟାକରି ଓଡ଼ିଶା ଇତିହାସକୁ ପାଠ୍ୟକ୍ରମରେ ସାମିଲ କରାଇଥିଲେ । ପ୍ରାଚୀନ ଇତିହାସ ସମ୍ବନ୍ଧରେ ତାଙ୍କର ଗଭୀର ଜ୍ଞାନ ଥିଲା । ପ୍ରାଚୀନ ଓଡ଼ିଶା ଉପରେ ସେ ଆଖିଦୃଶିଆ କାର୍ଯ୍ୟ କରିଥିଲେ । ଆଞ୍ଚଳିକ (ଓଡ଼ିଶା) ଇତିହାସ ରଚନାର ଆବଶ୍ୟକତା ସେ ଅନୁଭବ କରିଥିଲେ । କାରଣ ଜାତୀୟ ଇତିହାସର ପୂର୍ଣ୍ଣାଙ୍ଗ ସଙ୍କଳନ ପାଇଁ ଆଞ୍ଚଳିକ ଇତିହାସର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ଏ ଦିଗରୁ ତାଙ୍କର ଅଧିକାଂଶ ଇତିହାସ ଗ୍ରନ୍ଥ ଓ ପ୍ରବନ୍ଧ ଓଡ଼ିଶାକୈନ୍ଦ୍ରିକ ।

 

ଓଡ଼ିଶାର ଐତିହାସିକ ଭୂଗୋଳ ସମ୍ୱନ୍ଧୀୟ ତାଙ୍କର କେତେକ ପ୍ରବନ୍ଧ ପ୍ରକାଶ ପାଇଛି ଇଂରାଜୀ ଓ ଓଡ଼ିଆ ଉଭୟ ଭାଷାରେ । ସେ-ସବୁରୁ ଉପଲବ୍‌ଧ ତଥ୍ୟ ପ୍ରକାଶ କରେ ଯେ ଓଡ଼ିଶା ଏକ ପ୍ରାଚୀନ ଭୂଖଣ୍ଡ । ଏହି ଭୂଖଣ୍ଡର ନାମ ଆରମ୍ଭରୁ ଓଡ଼ିଶା ନ ଥିଲା । ପ୍ରାଚୀନ କାଳରେ ଓଡ଼ିଶା ମୁଖ୍ୟତଃ ଚାରୋଟି ରାଜ୍ୟର ସମଷ୍ଟି ଥିଲା । ଯଥା-କଳିଙ୍ଗ, ତୋଷଳ, ଓଡ୍ର ଓ ଉତ୍କଳ । ଏସବୁ ରାଜ୍ୟର ଅବସ୍ଥିତି ଓ ପରିସୀମା ସମୟକ୍ରମେ ପରିବର୍ତ୍ତିତ ହୋଇ ବର୍ତ୍ତମାନର ଓଡ଼ିଶାରେ ପରିଣତ ହୋଇଛି । ପ୍ରାଚୀନ ଓଡ଼ିଶାରେ କଳିଙ୍ଗର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ପ୍ରାଚୀନ ଓଡ଼ିଶାର ଇତିହାସହିଁ ବସ୍ତୁତଃ କଳିଙ୍ଗ ଜନପଦର ଇତିହାସ । କଳିଙ୍ଗର ବିସ୍ତୃତି ଥିଲା ବଙ୍ଗୋପସାଗରର ତଟଦେଶସ୍ଥିତ ଋଷିକୁଲ୍ୟା ନଦୀଠାରୁ ଗୋଦାବରୀ ନଦୀ ମଧ୍ୟରେ; ଅର୍ଥାତ୍‌ ଏହା ଆଧୁନିକ ଓଡ଼ିଶାର ଦକ୍ଷିଣାଞ୍ଚଳ ଓ ଆନ୍ଧ୍ରପ୍ରଦେଶର ଉତ୍ତରାଞ୍ଚଳକୁ ନେଇ କାୟାବିସ୍ତାର କରିଥିଲା । ଏହି ରାଜ୍ୟ ଆୟତନରେ କ୍ଷୁଦ୍ର ଥିଲେ ହେଁ ଖ୍ରୀଷ୍ଟପୂର୍ବ କାଳରେ ଏହାର ଶକ୍ତି ଥିଲା ଅପରିମିତ ଏବଂ ଏହାରି ନେତୃତ୍ୱରେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଏକ ବିରାଟ ସାମ୍ରାଜ୍ୟ ସମ୍ଭବ ହୋଇପାରିଥିଲା । ଗ୍ରୀକ୍‌ ଐତିହାସିକ ପ୍ଳିନୀ (Pliny) ଗଙ୍ଗାରିଡାଇ କଳିଙ୍ଗ, ମକ୍‌କୋ କଳିଙ୍ଗ ଓ କଳିଙ୍ଗ ନାମରେ କଳିଙ୍ଗ ତିନିଭାଗରେ ବିଭକ୍ତ ଥିବା ଦର୍ଶାଇଛନ୍ତି । ତାଙ୍କ ଅନୁସାରେ କଳିଙ୍ଗର ଦକ୍ଷିଣସୀମା ଗୋଦାବରୀ-ମୁହାଣରେ ଅବସ୍ଥିତ କଳିଙ୍ଗ ଅନ୍ତରୀପ ବା କେପ୍‌କଳିଙ୍ଗ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏହାର ପୂର୍ବରେ ଥିଲା ମହୋଦଧି; ଏହାର ପଶ୍ଚିମ ସୀମା ବେଳବେଳେ ପରିବର୍ତ୍ତିତ ହେଉଥିଲା । ଖାରବେଳଙ୍କ ପରେ କଳିଙ୍ଗ ରାଜ୍ୟ କ୍ରମଶଃ ସଂକୁଚିତ ହେଲା ।

 

କଳିଙ୍ଗର ଇତିହାସହିଁ ପ୍ରାଚୀନ ଓଡ଼ିଶାର ଇତିହାସ ବୋଲି ଗୃହୀତ ହେଲେ ମଧ୍ୟ ସେହି ସମୟରେ ଉତ୍କଳ, ଓଡ୍ର ଓ ତୋଷଳର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା । ବସ୍ତୁତଃ ଏହି ଅଞ୍ଚଳ ଥିଲା ଓଡ଼ିଶାର ହୃଦୟସ୍ଥଳୀ । ବିଭିନ୍ନ ପୁରାଣର ବର୍ଣ୍ଣନାନୁଯାୟୀ ଉତ୍କଳ, କୋଶଳ, ମାଳବ ପ୍ରଭୃତି ରାଜ୍ୟ ବିନ୍ଧ୍ୟ ପର୍ବତ ନିକଟରେ ଅବସ୍ଥିତ ଥିଲା । ଏହି ସୂତ୍ରକୁ ନେଇ ପାର୍ଜିଟର ସାହେବ ମତବ୍ୟକ୍ତ କରନ୍ତି ଯେ ଏହା ଥିଲା ଛୋଟନାଗପୁର ଦକ୍ଷିଣାଞ୍ଚଳ ଏବଂ ଓଡ଼ିଶାର ଉତ୍ତରାଞ୍ଚଳର କେତେକ ଗଡ଼ଜାତ ରାଜ୍ୟର ସମଷ୍ଟି । ପୂର୍ବ-ଓଡ଼ିଶାର ଉପକୂଳ ଅଞ୍ଚଳ ତୋଷଳ ବା ତୋଷଳୀ ନାମରେ ପରିଚିତ ଥିଲା-। ଉତ୍କଳ, ଓଡ୍ର ଓ ତୋଷଳ ଭିନ୍ନ ଭିନ୍ନ ଅଞ୍ଚଳ ହେଲେହେଁ ପ୍ରଶାସନ ଦୃଷ୍ଟିରୁ ଏଗୁଡ଼ିକ ବିଭିନ୍ନ ସମୟରେ ଗୋଟିଏ ରାଜ୍ୟରୂପେ ପରିଗଣିତ ହେଉଥିଲେ । ସମ୍ଭବତଃ ଏହା ଅଶୋକଙ୍କ ସମୟରେ ତୋଷଳ, ଗୁପ୍ତରାଜତ୍ୱ କାଳରେ ଉତ୍କଳ ଓ ହର୍ଷବର୍ଦ୍ଧନଙ୍କ ସମୟରେ ଓଡ୍ରଦେଶ ନାମରେ ଗୃହୀତ ହୋଇଥିଲା । ଭୌମ ରାଜତ୍ୱକାଳରେ ଏହା ପୁନର୍ବାର ତୋଷଳ ନାମରେ ଖ୍ୟାତି ଅର୍ଜନ କଲା । ସୋମବଂଶୀ ରାଜତ୍ୱକାଳରେ ଉତ୍ତର-ତୋଷଳର ନାମ ହେଲା ଉତ୍କଳ ।

 

ବୁଦ୍ଧଦେବଙ୍କ ସମୟରେ ଉତ୍ତର-କୋଶଳ ଓ ଦକ୍ଷିଣ-କୋଶଳ ନାମରେ ଦୁଇଟି ରାଜ୍ୟର ଅବସ୍ଥିତି ସମ୍ପର୍କରେ ସୂଚନା ବୌଦ୍ଧଗ୍ରନ୍ଥ ‘ଅବଦାନଶତକ’ରୁ ମିଳିଥାଏ । ‘ରାମାୟଣ’ ଅନୁସାରେ କୋଶଳ ଥିଲା ରାମଚନ୍ଦ୍ରଙ୍କ ଶାସନାଧୀନ ରାଜ୍ୟ ଏବଂ ତାଙ୍କପରେ ଏହି ବିଶାଳ ରାଜ୍ୟ ତାଙ୍କ ଦୁଇପୁତ୍ର ଲବ ଓ କୁଶଙ୍କ ମଧ୍ୟରେ ବିଭକ୍ତ ହେଲା । ଲବ ଉତ୍ତର-କୋଶଳ ଲାଭକଲେ ଓ ଶ୍ରାବସ୍ତୀ ନଗରରୁ ଶାସନ କଲେ । କୁଶଙ୍କ ଭାଗରେ ପଡ଼ିଲା ଦକ୍ଷିଣ-କୋଶଳ । ସେ ଏହି ରାଜ୍ୟକୁ ସଙ୍ଗଠିତ କରି ବିନ୍ଧ୍ୟପର୍ବତ ନିକଟରେ ଗୁଣାବତୀ ବା କୁଶସ୍ଥଳୀପୁରଠାରେ ନୂତନ ରାଜଧାନୀ ସ୍ଥାପନ କଲେ-। ଉତ୍ତର-କୋଶଳ ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ମଗଧସମ୍ରାଟ ଅଜାତଶତ୍ରୁଙ୍କଦ୍ୱାରା ବିଜିତ ହେଲା । ସେ ସମୟରେ କୋଶଳ କହିଲେ କେବଳ ଦକ୍ଷିଣ-କୋଶଳକୁ ବୁଝାଉଥିଲା । ଏହାପରେ ଖ୍ରୀଷ୍ଟୀୟ ୪ର୍ଥ ଶତାବ୍ଦୀର ମଧ୍ୟଭାଗରେ ସମୁଦ୍ରଗୁପ୍ତ ଦକ୍ଷିଣ-କୋଶଳକୁ ମଗଧର ଅନ୍ତର୍ଭୁକ୍ତ କଲେ । ପରବର୍ତ୍ତୀ ବିଭିନ୍ନ ରାଜବଂଶର ଉତ୍ଥାନ-ପତନ ପରେ ଗଙ୍ଗମାନଙ୍କ ଶାସନକାଳରେ କୋଶଳ ସମେତ ସମଗ୍ର ଓଡ଼ିଶା ପୁନର୍ବାର ଏକ-ଶାସନାଧୀନ ରହିଲା । ବର୍ତ୍ତମାନ ଓଡ଼ିଶାର ପଶ୍ଚିମାଞ୍ଚଳହିଁ ପୂର୍ବର ଦକ୍ଷିଣ କୋଶଳର ଅଂଶବିଶେଷ । ଏହାହିଁ ଡକ୍ଟର ସାହୁଙ୍କ ଐତିହାସିକ-ଭୂଗୋଳ ଆଲୋଚନାର ସଂକ୍ଷିପ୍ତ ସାରସଂଗ୍ରହ ।

 

ଡକ୍ଟର ସାହୁ ଐତିହାସିକ-ଭୂଗୋଳସମ୍ବନ୍ଧୀୟ ଏକାଧିକ ଆଲୋଚନା କରିଛନ୍ତି ବିଭିନ୍ନ ପ୍ରବନ୍ଧ ମାଧ୍ୟମରେ । ଓଡ଼ିଶା ରାଜ୍ୟର ସର୍ବପ୍ରଥମ ନାମୋଲ୍ଲେଖ ମିଳେ ସୂର୍ଯ୍ୟବଂଶ ସ୍ଥାପୟିତା ସମ୍ରାଟ କପିଳେନ୍ଦ୍ରଦେବଙ୍କ ରାଜତ୍ୱକାଳରେ ବୋଲି ସେ ମତପୋଷଣ କରନ୍ତି । ତାଙ୍କ ଭାଷାରେ-‘‘୧୪୩୫ ଖ୍ରୀଷ୍ଟାବ୍ଦରେ କପିଳେନ୍ଦ୍ରଦେବ ସିଂହାସନ ଅଧିକାର କରିବା ସମୟରୁ ଉତ୍କଳ ନାମ ପରିବର୍ତ୍ତେ ରାଜ୍ୟକୁ ଓଡ଼ିଶା ନାମରେ ସ୍ପଷ୍ଟରୂପେ ଅଭିହିତ କରାଯାଇଥିଲା । ସେହିକାଳରୁ ଆଜିଯାଏ ଉତ୍କଳ ଏକ ଭୌଗୋଳିକ ନାମ ନହୋଇ ଐତିହାସିକ ନାମରୂପେ ପରିଚିତ ହୋଇଛି ।

 

‘‘ଏ ପ୍ରସଙ୍ଗ ବିଶ୍ଳେଷଣ କରିବାର ତାତ୍ପର୍ଯ୍ୟ ଏହି ଯେ ବର୍ତ୍ତମାନ କେତେକ ରାଜନୀତିଜ୍ଞ ଓ ଲେଖକ ପ୍ରକାଶ କରୁଛନ୍ତି ଯେ ‘ଓଡ଼ିଶା’ ନାମ ବ୍ରିଟିଶ ସରକାରଙ୍କଦ୍ୱାରା ପ୍ରଦତ୍ତ ଏବଂ ସେହି କାରଣରୁ ତାହାର ବିଲୋପ କରି ରାଜ୍ୟର ନାମ ଉତ୍କଳରୂପେ ଅଭିହିତ କରାଯାଉ । ମାତ୍ର ସେମାନେ ବୁଝିବା ଉଚିତ ଯେ ଗଜପତି କପିଳେନ୍ଦ୍ରଦେବ ଓ କବି ସାରଳାଦାସଙ୍କ ସମୟରୁ ଏହି ରାଜ୍ୟ ଓଡ଼ିଶା ନାମରେ ନାମିତ, ଇଂରେଜଙ୍କ ଅମଳରୁ ନୁହେଁ । ଓଡ଼ିଶାର ପଶ୍ଚିମାଞ୍ଚଳ ଅତୀତରେ କେବେହେଲେ ଉତ୍କଳ ନାମରେ ଅଭିହିତ ହୋଇନଥିଲା କିମ୍ବା ଉତ୍କଳ ନାମଧେୟ ରାଜ୍ୟର ଅନ୍ତର୍ଭୁକ୍ତ ନଥିଲା । ଓଡ଼ିଶା ନାମ ଐତିହାସିକ କାରଣରୁ କୋଶଳ, କଳିଙ୍ଗ ଓ ଉତ୍କଳ ଏହି ସମଗ୍ର ଅଞ୍ଚଳ ପ୍ରତି ଅବିସମ୍ବାଦିତରୂପେ ପ୍ରଯୁଜ୍ୟ-ଅନ୍ୟ କୌଣସି ନାମ ସେହି ଭାବରେ ପ୍ରଯୁଜ୍ୟ ହୋଇନପାରେ ।’’ (ସପ୍ତର୍ଷି, ପଶ୍ଚିମ ଓଡ଼ିଶା ବିଶେଷାଙ୍କ, ୧୯୭୮ର ସମ୍ପାଦକୀୟ, ପୃ:ଗ)

 

ଏହି ସମ୍ପାଦକୀୟ ପ୍ରବନ୍ଧରେ ଓଡ଼ିଶାର ସର୍ବପ୍ରଥମ ନାମକରଣ କେବେଠାରୁ ହେଲା ସେହି ବିଷୟକ ସୂଚନା କେବଳ ନାହିଁ, ଓଡ଼ିଶାରେ ଉପରୋକ୍ତ ଐତିହାସିକ ଭୂଗୋଳର ସଂକ୍ଷିପ୍ତ ବର୍ଣ୍ଣନା ମଧ୍ୟ ରହିଛି ଏହିପରି-‘‘ଓଡ଼ିଶାର ପଶ୍ଚିମାଞ୍ଚଳ ଦକ୍ଷିଣ କୋଶଳ ରାଜ୍ୟରୂପେ ବହୁ ପ୍ରାଚୀନକାଳରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏ ଖ୍ୟାତିଲାଭ କରିଥିଲା । ପୂର୍ବାଞ୍ଚଳରେ ଗଙ୍ଗାଠାରୁ ଗୋଦାବରୀବ୍ୟାପୀ ଉପକୂଳ କଳିଙ୍ଗ ରାଜ୍ୟ ନାମରେ ପ୍ରଖ୍ୟାତ ଥିବା ଜଣାଯାଏ । ଅଶୋକ ଏବଂ ଖାରବେଳଙ୍କ ରାଜତ୍ୱକାଳରେ ଯେଉଁ କଳିଙ୍ଗ ରାଜ୍ୟ ଇତିହାସରେ ଗୌରବମୟ ଭୂମିକା ଗ୍ରହଣ କରିଥିଲା, ତାହା ଥିଲା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିଶାଳ ଭୂଖଣ୍ଡ । ପରେ ଐତିହାସିକ କାରଣରୁ ସେହି ରାଜ୍ୟ ସଂକୁଚିତ ହୋଇ ଗଙ୍ଗରାଜତ୍ୱ କାଳରେ ଋଷିକୂଲ୍ୟା-ନାଗାବଳୀ ମଧ୍ୟସ୍ଥ ଏକ କ୍ଷୁଦ୍ର ଅଞ୍ଚଳରେ ସୀମାବଦ୍ଧ ହୋଇ ରହିଥିଲା । କଳିଙ୍ଗ ରାଜ୍ୟର ସୀମାରେଖାରେ ଯେପରି ବହୁ ସଂକୋଚନ ଓ ପ୍ରସାରଣ ବିଭିନ୍ନ କାଳରେ ପରିଲକ୍ଷିତ ହୁଏ, ଦକ୍ଷିଣ କୋଶଳର ବିସ୍ତୃତିରେ ସେହିପ୍ରକାର ବିଶେଷ ପରିବର୍ତ୍ତନ ଅତୀତରେ ଘଟିଥିବା ଜଣାଯାଏ ନାହିଁ । ଉତ୍କଳ ଥିଲା ଏକ ମଧ୍ୟଯୁଗୀୟ ରାଜ୍ୟ ଏବଂ ସେ-କାଳରେ ତାହା କପିସା ନଦୀଠାରୁ ମହେନ୍ଦ୍ର ପର୍ବତଯାଏ ଉପକୂଳ ଅଞ୍ଚଳରେ ସଙ୍ଗଠିତ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଏହି ସୁପ୍ରାଚୀନ କାଳରୁ ଖ୍ରୀଷ୍ଟୀୟ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଉତ୍କଳ ନାମଧେୟ ଏକ ରାଜ୍ୟର ସ୍ଥିତି ନିଶ୍ଚିନ୍ତରୂପେ ନିର୍ଣ୍ଣୟ କରାଯାଇପାରିନାହିଁ । କାଳିଦାସଙ୍କ ‘ରଘୁବଂଶ’ କାବ୍ୟରେ ଉତ୍କଳୀୟମାନଙ୍କର ଉଲ୍ଲେଖ ତାତ୍ପର୍ଯ୍ୟପୂର୍ଣ୍ଣ ହେଲେହେଁ ମହାକବିଙ୍କର ସମସାମୟିକ ରାଜନୈତିକ କ୍ଷେତ୍ରରେ ଉତ୍କଳର ଭୂମିକା ସମ୍ପୂର୍ଣ୍ଣ ଅଜ୍ଞାତ । ସପ୍ତମ ଶତାବ୍ଦୀର ପ୍ରାରମ୍ଭରେ କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କ ଦଣ୍ଡଭୁକ୍ତି ସହିତ ଉତ୍କଳ ନାମକ ଦେଶର ଅଧୀଶ୍ୱର ଥିବା ଉଲ୍ଲେଖ ମିଳେ । ମାତ୍ର ଶଶାଙ୍କଙ୍କପରେ ଉତ୍କଳର ଅସ୍ତିତ୍ୱ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅଭିଲେଖଗୁଡ଼ିକରେ ଆଉ ମିଳେ ନାହିଁ । ଭୌମବଂଶୀ ନରପତିମାନେ ଉତ୍ତରରେ ଦଣ୍ଡଭୁକ୍ତି (ମେଦିନୀପୁର)ଠାରୁ ଦକ୍ଷିଣରେ କୋଙ୍ଗୋଦ (ଗଞ୍ଜାମ) ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଅଞ୍ଚଳ ଦୀର୍ଘ ଦୁଇ ଶତାବ୍ଦୀଯାଏ (୭୩୬ ଖ୍ରୀ.ଅ.ରୁ ୯୫୦ ଖ୍ରୀ.ଅ. ପର୍ଯ୍ୟନ୍ତ) ଶାସନ କରିଥିଲେ ମଧ୍ୟ ସେହି ପ୍ରଖ୍ୟାତ ବଂଶର ଜଣେ ସୁଦ୍ଧା ଶାସକ ନିଜ ରାଜ୍ୟକୁ ଉତ୍କଳ ନାମରେ ଅଭିହିତ କରିନଥିଲେ । ସେହି ବଂଶର ମାତ୍ର ଜଣେ ରାଜା-ଦ୍ୱିତୀୟ ଶିବକର ଉତ୍କଳ ନାମ ଉଲ୍ଲେଖ କରିଅଛନ୍ତି ଏବଂ ତାହା ସେ କରିଛନ୍ତି ନିଜ ବଂଶକୁ ଲକ୍ଷ୍ୟକରି (ଉତ୍କଳକୁଳ), ରାଜ୍ୟର ନାମ ଉଦ୍ଦେଶ୍ୟରେ ନୁହେଁ । ୧୦୦୦ ଖ୍ରୀ.ଅ. ପରେ କୋଶଳର ସୋମବଂଶୀ ରାଜାମାନେ ଭୌମଶାସିତ ତୋଷଳୀ ରାଜ୍ୟ ଅଧିକାର କରି ଉକ୍ତ ଅଞ୍ଚଳକୁ ଉତ୍କଳ ଆଖ୍ୟା ପ୍ରଦାନ କରିଥିଲେ । ସେହି କାଳରୁ ଗଙ୍ଗଶାସନର ସମାପ୍ତିଯାଏ (ପ୍ରାୟ ୧୦୦୦ ଖ୍ରୀ.ଅ.ରୁ ୧୪୩୫ ଖ୍ରୀ.ଅ ପର୍ଯ୍ୟନ୍ତ) ସେହି ଅଞ୍ଚଳ ଉତ୍କଳ ପରିବର୍ତ୍ତେ ଓଡ୍ର କିମ୍ବା ଓଡ୍‌ଡିୟ କରିବାପାଇଁ ଜନମତ ପ୍ରକାଶ ପାଇଥିଲା । ବିଶେଷତଃ ଗଙ୍ଗସାମ୍ରାଜ୍ୟର ଦକ୍ଷିଣାଞ୍ଚଳରେ ୧୩୩୬ ଖ୍ରୀ. ଅ.ଠାରୁ ବୋଡ୍‌ଡିୟ ରାଜ୍ୟ ବା ଓଡ୍‌ଡିୟ ନାମରେ ରାଜ୍ୟକୁ ନାମିତ କରି ଅଭିଲେଖମାନ ପ୍ରଦତ୍ତ ହୋଇଥିବା ଦେଖିବାକୁ ମିଳେ । ସେତେବେଳେ ‘ତ୍ରିକାଣ୍ଡକୋଷ’ ନାମକ କୋଷଗ୍ରନ୍ଥର ପ୍ରଣେତା ପୁରୁଷୋତ୍ତମ ଓଡ୍ର ଏବଂ ଉତ୍କଳ ଏକ ରାଜ୍ୟର ଦୁଇଟି ନାମ ବୋଲି ପ୍ରକାଶ କରି ସମନ୍ୱୟ ଉଦ୍ୟମ କରିଥିବା ଜଣାପଡ଼େ ।’’ (ତତ୍ରୈବ, ପୃଖ)

 

ଦଣ୍ଡକାରଣ୍ୟର ଅବସ୍ଥିତି ଦର୍ଶାଇବାକୁ ଡକ୍ଟର ସାହୁ ବହୁ ପୁରାଣ ଓ ଅଭିଲେଖ ଉପରେ ନିର୍ଭର କରିଛନ୍ତି ଓ କେତେକ ଐତିହାସିକ ଓ ପ୍ରତ୍ନତତ୍ୱବିତ୍‌ଙ୍କ ମତ ଉଦ୍ଧାର କରିଛନ୍ତି । ଏହି ବିଷୟକ ତାଙ୍କର ଏକ ଦୀର୍ଘ ପ୍ରବନ୍ଧ ‘ପାଞ୍ଚଜନ୍ୟ’ ପତ୍ରିକାରେ ପାଞ୍ଚଟି ସଂଖ୍ୟାରେ ଧାରାବାହିକ ଭାବରେ ପ୍ରକାଶ ପାଇଥିଲା । ଦଣ୍ଡକାରଣ୍ୟ, ପଞ୍ଚବଟୀ ଓ ରାମାୟଣପ୍ରସିଦ୍ଧ କେତେକ ସ୍ଥାନର ତତ୍‌କାଳୀନ ସ୍ଥିତି ସେ ନିର୍ଣ୍ଣୟ କରିଛନ୍ତି । ତାଙ୍କ ଭାଷାରେ-‘‘ସେହି ଦୃଷ୍ଟିରୁ ବିଚାରକଲେ ଆଧୁନିକ କଳାହାଣ୍ଡି, କୋରାପୁଟ ଓ ବସ୍ତର ଜିଲ୍ଲା ଅଞ୍ଚଳରେ ଦଣ୍ଡକାରଣ୍ୟର ବିସ୍ତୃତି ସମ୍ଭବପର ମନେହୁଏ । ତେଣୁ ନାସୀକ ଅଞ୍ଚଳର ଗୋଦାବରୀ କୂଳରେ ନୁହେଁ, ବସ୍ତରର ଦକ୍ଷିଣ ସୀମା ସ୍ପର୍ଶ କରୁଥିବା ଭଦ୍ରାଚଳମ୍‌ ନିକଟବର୍ତ୍ତୀ ଗୋଦାବରୀ କୂଳରେ ପଞ୍ଚବଟୀ ଅବସ୍ଥିତ ଥିବା ଅଧିକତର ଯୁକ୍ତିସଙ୍ଗତ ।’’ (ପାଞ୍ଚଜନ୍ୟ, ୩।୪ ଓ ୪।୧, ୧୯୮୩, ପୃ ୫)

 

ପୁନଶ୍ଚ ସେ କହନ୍ତି-‘‘ଦଣ୍ଡକାରଣ୍ୟର ପଶ୍ଚିମରେ ବିଦର୍ଭ ଜନପଦ (ବିଦର୍ଭାଃ ଦଣ୍ଡକୈଃ ସହ-ମାର୍କଣ୍ଡେୟ ପୁରାଣ) ଏବଂ ପୂର୍ବରେ କଳିଙ୍ଗ ରାଜ୍ୟର ସ୍ଥିତି ନିର୍ଣ୍ଣୟ କରାଯାଇପାରେ । ଏହା ହେଲା ଦଣ୍ଡକାରଣ୍ୟର ପାରମ୍ପରିକ ସୀମାରେଖା । ସାଧାରଣତଃ ଓଡ଼ିଶାର ଆଧୁନିକ କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ତଥା ମଧ୍ୟପ୍ରଦେଶର ବସ୍ତର ଜିଲ୍ଲାକୁ ଦଣ୍ଡକାରଣ୍ୟର ଅନ୍ତର୍ଗତ ବୋଲି ଯାହା କୁହାଯାଏ, ତାହା ଐତିହାସିକ ତଥା ଭୌଗୋଳିକ ବିଚାରରେ ଯଥାର୍ଥରୂପେ ଗ୍ରହଣୀୟ ।’’ (ତତ୍ରୈବ, ପୃ୭)

 

ସେହିପରି ଦଣ୍ଡକାରଣ୍ୟସ୍ଥ ଚିତ୍ରକୂଟ ରାମାୟଣବର୍ଣ୍ଣିତ ଚିତ୍ରକୂଟ ଯେ ପରେ ରାମଗିରି ନାମରେ ବିଖ୍ୟାତ ହୋଇଥିଲା ତାହା ଡକ୍ଟର ସାହୁ ପ୍ରମାଣ କରିଛନ୍ତି ଅନେକ ଇତିହାସସମ୍ମତ ଭୌଗୋଳିକ ଚିତ୍ରର ଅବତାରଣାକରି । କାଳିଦାସଙ୍କ ‘ମେଘଦୂତ’ କାବ୍ୟର ରାମଗିରି ଯେ ଏହି ଦଣ୍ଡକାରଣ୍ୟ ଅନ୍ତର୍ଗତ ରାମଗିରି, ତାହା ମଧ୍ୟ ତାଙ୍କ ପ୍ରବନ୍ଧରେ ସେ ପ୍ରତିପାଦନ କରିଛନ୍ତି ‘ମେଘଦୂତ’ କାବ୍ୟର ବହୁ ଟୀକାକାରଙ୍କ ଉକ୍ତି ଉଦ୍ଧାର କରି । ଦଣ୍ଡକାରଣ୍ୟସ୍ଥିତ ରାମଗିରି ଭିନ୍ନ ଅନ୍ୟ ରାମଗିରି ସପକ୍ଷରେ ପ୍ରକାଶ ପାଇଥିବା ସମସ୍ତ ମତକୁ ସେ ଖଣ୍ଡନ କରିଛନ୍ତି । (ତତ୍ରୈବ, ୪ର୍ଥ ବର୍ଷ, ୨ୟ ସଂଖ୍ୟା, ୧୯୮୩, ପୃ୧୧-୧୫)। ତାଙ୍କର ମତ ସପକ୍ଷରେ ତାଙ୍କର ଅନୁରୂପ ଦୁଇଟି ପ୍ରବନ୍ଧ ରାଉରକେଲା ପ୍ରଗତି ଉତ୍କଳ ସଂଘର ମୁଖପତ୍ର ‘ଉତ୍କଳ ଦିବସ ଓ ଉତ୍କଳଗୌରବ ମଧୁସୂଦନ ସ୍ମାରକୀ’ରେ ପ୍ରକାଶିତ-ଗୋଟିଏ ଓଡ଼ିଆରେ (କାଳିଦାସଙ୍କ କାବ୍ୟରେ ଓଡ଼ିଶା, ୧୯୭୫) ଏବଂ ଅନ୍ୟଟି ଇଂରାଜୀରେ (Identification of Ramagiri of Kalidas’s Meghadoota, 1973)।

 

ବିଭିନ୍ନ ରାଜବଂଶର ଶାସନାଧୀନ ଓଡ଼ିଶାର ପ୍ରାଚୀନରୂପ କଳିଙ୍ଗ, ଉତ୍କଳ, କୋଶଳ, ଓଡ଼ିଶା ଇତ୍ୟାଦି ରାଜ୍ୟର ଭୌଗୋଳିକ ପରିସୀମାର ସଂକୋଚନ ଓ ପ୍ରସାରଣର ଇତିହାସ ପ୍ରଦାନ କରିବା ଉଦ୍ଦେଶ୍ୟରେ ଡକ୍ଟର ସାହୁ ଓଡ଼ିଶାର କେତେକ ଅଭିଲେଖ ଓ ସାହିତ୍ୟକୃତିକୁ ବିଚାରକୁ ନେଇଛନ୍ତି । ଫଳରେ ଓଡ଼ିଶାର ନିର୍ଭରଯୋଗ୍ୟ ଇତିହାସ-ପ୍ରଣୟନରେ ଏହା ସହାୟକ ହୋଇଛି ଓ ଓଡ଼ିଶାର ଐତିହାସିକ ଭୂଗୋଳର ଅଧ୍ୟୟନ ସୁଗମ ହୋଇଛି ।

 

ଆଞ୍ଚଳିକ ଇତିହାସକୁ ବାଦ୍‌ଦେଇ କୌଣସି ରାଜ୍ୟର ପୂର୍ଣ୍ଣାଙ୍ଗ ଇତିହାସ ରଚିତ ହୋଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ଇତିହାସ ଓ ସଂସ୍କୃତିର ଗରିମାମୟ ପରିଚୟ ଦେବାକୁ ଯାଇ ଏ-ବିଷୟକ ଉପକ୍ରମରେ ସେ ଆଞ୍ଚଳିକ ଇତିହାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଛନ୍ତି ଏହିପରି-‘‘ପଶ୍ଚିମ ଓଡ଼ିଶାର ଇତିହାସ ଓ ସଂସ୍କୃତିର ଅନୁସନ୍ଧାନ ଓଡ଼ିଶାର ଐତିହ୍ୟ ପର୍ଯ୍ୟାଲୋଚନାଠାରୁ ପୃଥକ ହୋଇନପାରେ । ଓଡ଼ିଶାର ସାହିତ୍ୟ ଓ ସୃଜନୀଶୀଳତା ପରି ତାହାର ଇତିହାସର ସାଫଲ୍ୟ ଆଞ୍ଚଳିକ ବ୍ୟାପକତା ଉପରେ ବହୁ ପରିମାଣରେ ନିର୍ଭର କରେ । ସେଥିରେ ବୈଦେଶିକତା ବା ଆଞ୍ଚଳିକତାର ସଙ୍କେତ ଥିବା ଅନୁଚିନ୍ତା ସଂକୁଚିତ ଦୃଷ୍ଟିକୋଣର ପରିଚାୟକ । ଖଡ଼ିଆଳର କବି ଚୈତନ୍ୟ ଦାସ, ସୋନପୁରର ଚନ୍ଦ୍ରମଣି ଦାସ, ରେଢ଼ାଖୋଲର ଭୀମା ଧୀବର ଓ ଭୀମା ଭୋଇ ଏବଂ ସମ୍ବଲପୁରର ଗୋପାଳ ତେଲେଙ୍ଗା ଓଡ଼ିଆ ସାହିତ୍ୟର ତଥା ସମଗ୍ର ଓଡ଼ିଶାର ଗୌରବ । ସେମାନଙ୍କୁ ଆଞ୍ଚଳିକ କବି କହି ଅବଜ୍ଞା କରିବା ଯେପରି ଅବାଂଛନୀୟ ସେହିପରି ଐତିହାସିକ କାବ୍ୟ ‘କୋଶଳାନନ୍ଦ’ର ରଚୟିତା ଗଙ୍ଗାଧର ମିଶ୍ର, ‘ଜୟଚନ୍ଦ୍ରିକା’ର ଲେଖକ ପ୍ରହଲ୍ଲାଦ ଦୁବେ ଅଥବା ‘କୋଶଳ ଇତିହାସ’ ପ୍ରଣେତା ଶ୍ରୀ ରାମଚନ୍ଦ୍ର ମଲ୍ଲିକ ଆଦିଙ୍କୁ ଆଞ୍ଚଳିକ ଐତିହାସିକରୂପେ ପ୍ରତିପାଦନ କରିବା ଭ୍ରାନ୍ତ ଓ ଅସଙ୍ଗତ । ଭାରତର ସାହିତ୍ୟ, ଇତିହାସ ବା ସଂସ୍କୃତି ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ବା ଗୁଜୁରାଟକୁ ବାଦ୍‌ ଦେଇ ପୂର୍ଣ୍ଣାଙ୍ଗତା ଲାଭ କରିପାରିବ ନାହିଁ । ସେହିପରି ପଶ୍ଚିମାଞ୍ଚଳର ସାହିତ୍ୟ, ଇତିହାସ ଓ ସଂସ୍କୃତି ଉପରେ ଆଞ୍ଚଳିକତା ଆରୋପ କରି ଅବଜ୍ଞା କରିବାଦ୍ୱାରା ସମଗ୍ର ଓଡ଼ିଆଜାତି ବିକଳାଙ୍ଗ ଅବସ୍ଥାରେ ପଡ଼ିରହିବ ।’’ (ସପ୍ତର୍ଷି, ପଶ୍ଚିମ ଓଡ଼ିଶା ବିଶେଷାଙ୍କ, ୧୯୭୮ର ସମ୍ପାଦକୀୟ, ପୃ:କ)

 

ପଶ୍ଚିମ ଓଡ଼ିଶାର ଇତିହାସ ଓ ସଂସ୍କୃତିର ରୂପରେଖ ବହନ କରି ତାଙ୍କ ସମ୍ପାଦକତ୍ୱରେ ପ୍ରକାଶ ପାଇଥିଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ମୁଖପତ୍ର New Aspects of History of Orissa ପ୍ରଥମ ଭାଗ । ସେତେବେଳେ ଡକ୍ଟର ସାହୁ ଇତିହାସ ବିଭାଗର ପ୍ରଫେସର ଓ ମୁଖ୍ୟ ଥିଲେ । ଏଥିରେ ସମ୍ପୃକ୍ତ ବିଷୟକ କେତେକ ମୂଲ୍ୟବାନ୍ ପ୍ରବନ୍ଧ ପ୍ରକାଶ ପାଇଥିଲା । ଡକ୍ଟର ସାହୁ ନିଜେ ଲେଖିଥିଲେ ‘A Survey of the History of the South Kosal’ ନାମକ ଏକ ପ୍ରବନ୍ଧ । ପୂର୍ବେ ଦକ୍ଷିଣ କୋଶଳ ଅଧୁନାତନ ମଧ୍ୟପ୍ରଦେଶର ପୂର୍ବାଞ୍ଚଳ ଓ ଓଡ଼ିଶାର ପଶ୍ଚିମାଞ୍ଚଳକୁ ନେଇ ଗଠିତ ହୋଇଥିଲା । ଦକ୍ଷିଣ-କୋଶଳର ଇତିହାସ ଓ ସଂସ୍କୃତିର ଆଲୋଚନାକାଳରେ ମଧ୍ୟପ୍ରଦେଶର ଐତିହାସିକମାନେ ସେମାନଙ୍କ ଅଞ୍ଚଳକୁ କେବଳ ଗୁରୁତ୍ୱ ଦେଇ ପଶ୍ଚିମ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ବିଭାବ ପ୍ରତି ଆଖି ବୁଜିଦେଇଥିଲେ । ଡକ୍ଟର ସାହୁଙ୍କ ପ୍ରଚେଷ୍ଟାରେ ଏହି ପତ୍ରିକାର ପ୍ରକାଶନ ଫଳରେ ମଧ୍ୟପ୍ରଦେଶର ସେହି ଏକଦେଶଦର୍ଶୀ ଐତିହାସିକମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଲା ।

 

କେବଳ ଏହି କେତୋଟି ପ୍ରବନ୍ଧ ମାଧ୍ୟମରେ ନୁହେଁ, ପଶ୍ଚିମ ଓଡ଼ିଶାର ବହୁ ଐତିହାସିକ ଓ ସାଂସ୍କୃତିକ ବିଭାବ ଉପରେ ସେ ନୂତନ ଭାବରେ ଆଲୋକପାତ କରିଛନ୍ତି ପୁସ୍ତକମାନ ରଚନାକରି-। ଏହିପରି ପଶ୍ଚିମ ଓଡ଼ିଶା ଇତିହାସର ପୁନର୍ଲିଖନରେ ତାଙ୍କର ଏକ ଗୁରୁତାବହ ଭୂମିକା ରହିଛି । ଏହାହିଁ ଆଞ୍ଚଳିକ ଇତିହାସ ରଚନା କରି ରାଜ୍ୟର ଇତିହାସକୁ ପୂର୍ଣ୍ଣାଙ୍ଗ ରୂପ ଦେବାଦିଗରେ ତାଙ୍କର ଏକ ଉଲ୍ଲେଖନୀୟ ପ୍ରଚେଷ୍ଟା ।

 

ଓଡ଼ିଆ ଭାଷାର ଉତ୍ପତ୍ତି ଓ ତା’ର ଐତିହାସିକ ବିବର୍ତ୍ତନଧାରା ଦର୍ଶାଇ ସେ ରଚନା କରିଥିଲେ ଏକ ବଡ଼ ଇଂରାଜୀ ପ୍ରବନ୍ଧ । ତାହାର ଶୀର୍ଷକ ଥିଲା ‘Historical Background of the Evolution of oriya Language’. ସେଇଟି ଅଭିଭାଷଣ ଆକାରରେ ୧୯୬୫ ମାର୍ଚ୍ଚ ୧୫ ତାରିଖରେ ଶାନ୍ତିନିକେତନର ବିଦ୍ୟାଭବନଠାରେ ପ୍ରଦତ୍ତ ହୋଇଥିଲା । ସେହି ଅନୂଦିତ ପ୍ରବନ୍ଧଟି ୧୯୭୨ରେ ରାଉରକେଲାରୁ ପ୍ରକାଶିତ ‘ମଧୁସୂଦନ ସ୍ମାରକୀ’ (୧୯୭୨)ରେ ସ୍ଥାନ ପାଇଥିଲା । ଏଥିରେ ଓଡ଼ିଶାର ଉତ୍ପତ୍ତି ସମ୍ପର୍କରେ ବର୍ଣ୍ଣନା ଦିଆଯାଇ ଏହାର ଐତିହାସିକ ବିକାଶକ୍ରମ ଦର୍ଶାଯାଇଛି । ତାଙ୍କ ମତରେ ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀର ଅଶୋକଙ୍କ ଧଉଳି ଓ ଜଉଗଡ଼ ଅନୁଶାସନର ଭାଷାହିଁ ଓଡ଼ିଶାର ସର୍ବପ୍ରାଚୀନ ଲିପିବଦ୍ଧ ଭାଷା । ଏହି ଅନୁଶାସନଗୁଡ଼ିକ ଉଦ୍ଦିଷ୍ଟ ଥିଲା କଳିଙ୍ଗବାସୀଙ୍କ ପାଇଁ । ସେତେବେଳେ କଳିଙ୍ଗର ବ୍ୟାପ୍ତି ଥିଲା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ବଙ୍ଗୋପସାଗରଠାରୁ ପଶ୍ଚିମରେ ଅମରକଣ୍ଟକ ଗିରିଶ୍ରେଣୀ ପର୍ଯ୍ୟନ୍ତ । ଏହି ଅନୁଶାସନଗୁଡ଼ିକର ଭାଷାର ଉତ୍ସ ମାଗଧୀ ପ୍ରାକୃତ । ମୌର୍ଯ୍ୟ ସାମ୍ରାଜ୍ୟବାଦର ପତନ ପରେ କେବଳ କଳିଙ୍ଗରେ ଏକ ସୁ-ସମୃଦ୍ଧ ପ୍ରାକୃତ ଭାଷାର ଉଦ୍ଭବ ହେଲା ସମ୍ରାଟ ଖାରବେଳଙ୍କ ସମୟରେ, ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀରେ, ଯାହାର ନିଦର୍ଶନ ମିଳେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ଉତ୍‌କୀର୍ଣ୍ଣ ଶିଳାଲେଖରୁ । ହାତୀଗୁମ୍ଫାର ଭାଷା କଳିଙ୍ଗବାସୀଙ୍କ ଭାଷା ବ୍ୟତୀତ ଅନ୍ୟ କିଛି ନୁହେଁ ଏବଂ ସେହି ଭାଷାହିଁ ପାଲିଭାଷା । ଏଣୁ ପାଲିଭାଷାର ଉତ୍ପତ୍ତିସ୍ଥଳ ଯେ ତତ୍‌କାଳୀନ କଳିଙ୍ଗ, ଏଥିରେ ସନ୍ଦେହ ନାହିଁ ।

 

ତା’ପରେ ସେ ଭାଷାର କ୍ରମୋନ୍ନତି ଦର୍ଶାଇ ଚର୍ଯ୍ୟାଗୀତି ପୂର୍ବରୁ ଓଡ଼ିଆ ଭାଷାର ସ୍ଥିତି ଥିବାର ସୂଚନା ଦେଇଛନ୍ତି । ବହୁ ଶିଳାଲେଖ ଓ ଶାସ୍ତ୍ରର ଅନୁସରଣରେ ସେ ପ୍ରକାଶ କରିଛନ୍ତି ଯେ ଓଡ଼ିଆ ଭାଷା ସଂସ୍କୃତ ଭାଷା ସହ ସମତାଳରେ ଗତି କରିଥିଲା, ସମମର୍ଯ୍ୟାଦା ମଧ୍ୟ ଲାଭ କରିଥିଲା । ଏପରିକି ସାଧାରଣ ଜନତା ଓ ସୁଧୀମଣ୍ଡଳୀ ଉଭୟଙ୍କ ପାଇଁ ଏହା ଥିଲା ଭାବ-ବିନିମୟର ଭାଷା । ତା’ପରେ ସେ ସାରଳାଯୁଗ, ପଞ୍ଚସଖାଯୁଗ ଓ ରୀତିଯୁଗର କବିମାନଙ୍କ ନାମୋଲ୍ଲେଖ କରି ସେମାନଙ୍କ ରଚନାବଳୀ ସମ୍ପର୍କୀୟ ସୂଚନା ଦେଇଛନ୍ତି ।

 

ଉପସଂହାରରେ ସେ ପ୍ରକାଶ କରନ୍ତି ଯେ ଭାଷା ଓ ସାହିତ୍ୟର ଏତେ ଉନ୍ନତି ସତ୍ତ୍ୱେ ରାଜନୀତିକ ସ୍ୱାଧୀନତା ଥିଲା ଅତୀତର କାହାଣୀ ଭଳି । ସାମାଜିକ ଜୀବନ ଥିଲା ବିପର୍ଯ୍ୟସ୍ତ ଓ ସମଗ୍ର ରାଜ୍ୟ ଥିଲା ଦାରିଦ୍ର୍ୟକବଳିତ । ଏପରି ରାଜନୀତିକ ଇତିହାସର ବିପର୍ଯ୍ୟୟ କାଳରେ ମଧ୍ୟ ଓଡ଼ିଆ ଭାଷାର ଅକଳନୀୟ ସମୃଦ୍ଧି, ତା’ର ପରମ୍ପରା ଓ ପ୍ରାଣଶକ୍ତି ଅକ୍ଷୁର୍ଣ୍ଣ ଥିଲା । କହିବା ନିଷ୍ପ୍ରୟୋଜନ, ରାଜନୀତିକ ଇତିହାସର ଏପରି ଏକ ଅନ୍ଧକାରାଚ୍ଛନ୍ନ କାଳରେ ଓଡ଼ିଶାର ପାର୍ଥିବ ଓ ଆାଧ୍ୟାତ୍ମିକ ଶକ୍ତି ସହ ଅନ୍ୟାନ୍ୟ ଶକ୍ତି ନିଷ୍ପ୍ରଭ ହୋଇଯାଇଥିଲେହେଁ ଓଡ଼ିଆ ଭାଷା ଓ ସାହିତ୍ୟ ଥିଲା ଏକମାତ୍ର ଶକ୍ତି, ଯାହା ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ଜୀବନକୁ ସୁରକ୍ଷା ଯୋଗାଇ ଆସୁଥିଲା । ତାଙ୍କ ଭାଷାରେ-‘‘These and many other great works were the products of a period when political independence was a thing of the past, social life was highly chaotic and Orissa was already a land of poverty. The robust growth of Oriya language in this period of political decay indicates its great heritage and inherent vitality. Needless to say that it could save the cultural and social life of Orissa from disintegration when all other forces both temporal and spiritual failed during the darkest days of her history.’’

 

ଐତିହାସିକ ବ୍ୟକ୍ତିଙ୍କୁ ନେଇ ସେ ଅନେକ ପ୍ରବନ୍ଧ ରଚନା କରିଥିଲେ । ସେଥିମଧ୍ୟରେ କଳିଙ୍ଗ ଚକ୍ରବର୍ତ୍ତୀ ଖାରବେଳ, କୀର୍ତ୍ତିଶାଳିନୀ ନାରୀ, ବୀର ସୁରେନ୍ଦ୍ର ସାଏ, ଶହୀଦ ମଧୁସିଂହ, ଆଶାକୁମାରୀ, ରତ୍ନକୁମାରୀ, ମୋହନକୁମାରୀ, ବୈଜଲ ଦେବ ପ୍ରଭୃତି ପ୍ରବନ୍ଧ ଅନ୍ତର୍ଭୁକ୍ତ । ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର କଳିଙ୍ଗ ସମ୍ରାଟ ଖାରବେଳଙ୍କ କୀର୍ତ୍ତି ଓ କୃତିତ୍ୱ ବର୍ଣ୍ଣିତ କେତୋଟି ପ୍ରବନ୍ଧର ସେ ସୁଯୋଗ୍ୟ ସ୍ରଷ୍ଟା । ‘ଖାରବେଳ’ ନାମରେ ଗବେଷଣାମୂଳକ ଏକ ସ୍ୱତନ୍ତ୍ର ଇଂରାଜୀ ପୁସ୍ତକ ସେ ରଚନା କରିଛନ୍ତି । ‘ଉତ୍କଳ ପ୍ରସଙ୍ଗ’ର ୧୯୮୨ ଜୁଲାଇ ଓ ଅଗଷ୍ଟ ମିଳିତ ସଂଖ୍ୟାରେ ପ୍ରକାଶିତ ତାଙ୍କ ‘କଳିଙ୍ଗ ଚକ୍ରବର୍ତ୍ତୀ ଖାରବେଳ’ ପ୍ରବନ୍ଧରେ ସେ ଏହି ଐତିହାସିକ ବ୍ୟକ୍ତିତ୍ୱଙ୍କ ବୀରତ୍ୱ, ସୁଶାସନ, କୀର୍ତ୍ତିରାଜି ବିଷୟରେ ଆଲୋକପାତ କରି ତାଙ୍କ ମହନୀୟତାର ଜୟଗାନ କରିଛନ୍ତି ।

 

ଜାତୀୟବୀର ସୁରେନ୍ଦ୍ର ସାଏଙ୍କ ଉପରେ ଇଂରାଜୀରେ ସେ ଏକ ପ୍ରାମାଣିକ ଗ୍ରନ୍ଥ ରଚନା କରିଛନ୍ତି । ତା’ଛଡ଼ା ଏ ସମ୍ପର୍କୀୟ ଏକାଧିକ ପ୍ରବନ୍ଧ ତାଙ୍କର ପ୍ରକାଶିତ ହୋଇଛି ବିଭିନ୍ନ ପତ୍ରପତ୍ରିକାରେ । ୧୯୪୮ ଅପ୍ରେଲ ସଂଖ୍ୟା ‘ଉତ୍କଳ ପ୍ରସଙ୍ଗ’ରେ ପ୍ରକାଶିତ ‘ଜାତୀୟବୀର ସୁରେନ୍ଦ୍ର ସାଏ’ ପ୍ରବନ୍ଧରେ ସେ ଚୌହାଣ ବଂଶର ସଂକ୍ଷିପ୍ତ ପରିଚୟ ଦେବା ସହିତ ଇଂରେଜ ସରକାରଙ୍କଦ୍ୱାରା ତାଙ୍କ ପ୍ରତି କରାଯାଇଥିବା ବିଶ୍ୱାସଘାତକତା ଫଳରେ ତାଙ୍କର ବିଦ୍ରୋହ ଡାକରା, ସଂଗ୍ରାମୀର ଭୂମିକା ଓ ଶେଷ ଅବସ୍ଥାରେ ବନ୍ଦୀ ଭାବରେ ଆସିରଗଡ଼ ଗିରିଦୁର୍ଗରେ ୧୮୮୪ ଫେବୃଆରୀ ୧୮ ତାରିଖରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ ଇତ୍ୟାଦି ଘଟନାବଳୀ ବିବୃତ । ରାଉରକେଲାରୁ ପ୍ରକାଶିତ ‘ଉତ୍କଳଗୌରବ ସ୍ମାରକୀ’ରେ ୧୯୮୪ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ତାଙ୍କ ‘ସୁରେନ୍ଦ୍ର ସାଏ’ ପ୍ରବନ୍ଧ ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରକାଶିତ । ଏହି ଦୀର୍ଘ ପ୍ରବନ୍ଧରେ ମଧ୍ୟ ସେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହର ପୃଷ୍ଠଭୂମି ବର୍ଣ୍ଣନା କରି ଜନ୍ମଭୂମି ପାଇଁ ପ୍ରାଣବଳି ଦେଇଥିବା ଜଣେ ଜାତୀୟବୀର ଭାବରେ ଅଭିହିତ କରିଛନ୍ତି ।

 

‘ଶହୀଦ ମଧୁସିଂହ’ ଡକ୍ଟର ସାହୁଙ୍କର ଅନ୍ୟ ଏକ ଐତିହାସିକ ଚରିତ୍ରସମ୍ବଳିତ ପ୍ରବନ୍ଧ । ଏହା ‘ଉତ୍କଳ ପ୍ରସଙ୍ଗ’ରେ ଜାନୁଆରୀ ୧୯୮୩ ସଂଖ୍ୟାରେ ପ୍ରକାଶ ପାଇଥିଲା । ସମ୍ବଲପୁର ରାଜ୍ୟ ଘେଁଷ ଓ ବିଂଝାଲ ଜମିଦାର ମଧୁସିଂହଙ୍କର ଦେଶପ୍ରେମ ଅତୁଳନୀୟ । ଇଂରେଜ ସରକାର ବିରୋଧରେ ଦିଆଯାଇଥିବା ଯୁଦ୍ଧ ଡାକରାରେ ସେ ଥିଲେ ଅନ୍ୟତମ ସାରଥି । ୧୮୫୭ ଖ୍ରୀଷ୍ଟାବ୍ଦରେ ଶୀତକାଳୀନ ଯୁଦ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସମ୍ବଲପୁରକୁ ନାଗପୁର ସହିତ ସଂଯୋଗ କରୁଥିବା ରାସ୍ତା ସମ୍ବଲପୁରରେ ପ୍ରବେଶ କରିବାପାଇଁ ପ୍ରଧାନ ସହାୟକ ଥିଲା । ମଧୁସିଂହ ନିଜର ପୁତ୍ରମାନଙ୍କ ସହିତ ସେହି ରାସ୍ତା ପାର୍ଶ୍ୱରେ ଲୁଚିରହି ଇଂରେଜମାନଙ୍କର ସମ୍ବଲପୁର ଆଗମନକୁ ପ୍ରତିହତ କରିଥିଲେ । ଫଳରେ ବହୁ ଇଂରେଜ ସୈନିକ ନିହତ ହୋଇଥିଲେ । ଶେଷରେ କୌଶଳକ୍ରମେ ଇଂରେଜ ଫଉଜ ସମ୍ବଲପୁରରେ ପ୍ରବେଶ କରିଥିଲେ । ଘେଁଷ ଅଧିକାର କରିବା ଲକ୍ଷ୍ୟରେ ସେମାନେ ମଧ୍ୟରାତ୍ରରେ ଅତର୍କିତ ଭାବରେ ଆକ୍ରମଣ କଲେ ମଧୁସିଂହଙ୍କ ପ୍ରାସାଦ ଉପରେ । କିଛି ସମୟ ଧରି ଗୋଳା ବିନିମୟ ହେଲା । ପୁତ୍ରମାନଙ୍କ ସହିତ ବୃଦ୍ଧ ମଧୁସିଂହ ଆକ୍ରମଣରେ ଜବାବ ଦେଲେ । ପ୍ରାଣମୂର୍ଚ୍ଛା ସଂଗ୍ରାମ କରି ଶେଷରେ ସେ ଆହତ ହେଲେ ଏବଂ ଇଂରେଜମାନଙ୍କଦ୍ୱାରା ବନ୍ଦୀ ହେଲେ । ଏହିପରି ଘେଁଷ ଇଂରେଜମାନଙ୍କର ଅଧିକାରଭୁକ୍ତ ହେଲା । ପରେ ପରେ ସେମାନେ ମଧୁସିଂହଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଦେଲେ । ଏହିପରି ଜଣେ ମହାନ୍‌ ଦେଶପ୍ରେମୀ ଲଢ଼ୁଆ ବୀରଙ୍କର ଜୀବନାସନ ଘଟିଲା ।

 

‘କୀର୍ତ୍ତିଶାଳିନୀ ନାରୀ’ ମଧ୍ୟ ଡକ୍ଟର ସାହୁଙ୍କର ଏକ ଐତିହାସିକ-ଚରିତ ଆଧାରିତ ପ୍ରବନ୍ଧ (ଉତ୍କଳ ପ୍ରସଙ୍ଗ, ଜାନୁଆରୀ-୧୯୮୨) । ବିଭିନ୍ନ ସମୟରେ ଓଡ଼ିଶାରେ ଶାସନ କରୁଥିବା ବା ଶାସନ ସହିତ ସମ୍ପୃକ୍ତ ଥିବା କେତେଜଣ ମହୀୟସୀ ନାରୀଙ୍କ କୀର୍ତ୍ତି ଓ କୃତିର ଆକଳନ କରାଯାଇଛି ଏହି ପ୍ରବନ୍ଧରେ । ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର କଳିଙ୍ଗ ସମ୍ରାଟ ଖାରବେଳଙ୍କର ଦୁଇଜଣ ରାଣୀ ଥିବାର ଉଲ୍ଲେଖ ଉଦୟଗିରି ରାଣୀଗୁମ୍ଫାର ଶିଳାଲେଖରେ ରହିଛି । ବଜିରଘର ରାଣୀ ତାଙ୍କର ପାଟରାଣୀ ଓ ସିଂହପଥ ରାଣୀ ତାଙ୍କର ଦ୍ୱିତୀୟ ରାଣୀ । ପାଟରାଣୀ ଜୈନଧର୍ମପ୍ରତି ପ୍ରବଳ ଆଗ୍ରହୀ ଥିଲେ ଓ ନିଜ ବ୍ୟୟରେ ଜୈନ ଶ୍ରମଣମାନଙ୍କ ପାଇଁ ବର୍ଷାବାସ ନିମନ୍ତେ ମଞ୍ଚପୁରୀ ଗୁମ୍ଫାର ଉପର ମହଲାରେ ପ୍ରକୋଷ୍ଠମାନ ଖୋଦନ କରିଥିଲେ । ଦ୍ୱିତୀୟା ପତ୍ନୀ ସିଂହପଥ ରାଣୀ ମଧ୍ୟ ଜୈନଧର୍ମାବଲମ୍ବୀ ଥିଲେହେଁ ଅନ୍ୟ ଧର୍ମପ୍ରତି ଉଦାର ଥିଲେ । ତାଙ୍କ ଇଚ୍ଛା ପୂରଣ କରିବାକୁ ଖାରବେଳ କୁମାରୀ ପର୍ବତ (ଉଦୟଗିରି) ନିକଟରେ ଜୈନଯତି, ବ୍ରାହ୍ମଣ ତପସ୍ୱୀ ଓ ବୌଦ୍ଧ ସଂଘାୟନ ଆଦିଙ୍କ ଆଶ୍ରୟ ଓ ବିଶ୍ରାମ ନିମନ୍ତେ ପ୍ରାସାଦ ନିର୍ମାଣ କରିଥିଲେ । ଖାରବେଳଙ୍କ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ବରୀୟା ଓ କର୍ମସଚିବଙ୍କର ପତ୍ନୀ ଖିଣା ଦୁହେଁ ନିଜ ନିଜ ପତିଙ୍କ ସହଯୋଗରେ ଜୈନଶ୍ରମଣମାନଙ୍କ ନିମନ୍ତେ ଉଦୟଗିରିରେ ଯଥାକ୍ରମେ ଜମ୍ବୁଳ ଗୁମ୍ଫା ଓ ସର୍ପଗୁମ୍ଫା ଖନନ କରାଇଥିବା ଅଭିଲେଖରୁ ଜଣାଯାଏ।

 

ଶୈଳୋଦ୍ଭବ ରାଜା ଦ୍ୱିତୀୟ ଧର୍ମରାଜ ବ୍ରାହ୍ମଣ୍ୟଧର୍ମର ପୃଷ୍ଠପୋଷଣ କରୁଥିଲେହେଁ ତାଙ୍କ ରାଣୀ କଲ୍ୟାଣୀ ଦେବୀ ଜୈନଧର୍ମପ୍ରତି ଆକୃଷ୍ଟ ହୋଇଥିଲେ । ସେ ଜୈନଧର୍ମର ଅଭିବୃଦ୍ଧି ନିମନ୍ତେ ଚେଷ୍ଟିତା ଥିଲେ । ଭୌମବଂଶର ପ୍ରଥମ ନରପତି କ୍ଷେମକର ଦେବଙ୍କ ରାଣୀ ବତ୍ସାଦେବୀ ଯାଜପୁରଠାରେ ଚାମଣ୍ଡା ମନ୍ଦିର ପ୍ରତିଷ୍ଠା କରିଥିଲେ, ଯାହା ବର୍ତ୍ତମାନ ନିଶ୍ଚିହ୍ନ । ଭୌମରାଜା ପ୍ରଥମ ଶୁଭକର ଦେବ ବୌଦ୍ଧ ଥିଲେ ମଧ୍ୟ ତାଙ୍କ ରାଣୀ ମାଧବୀ ଦେବୀ ଶିବଭକ୍ତ ଥିଲେ ଓ ଯାଜପୁରଠାରେ ମନ୍ଦିର, ଜଳାଶୟ ପ୍ରଭୃତି ଜନହିତକର କୀର୍ତ୍ତିମାନ ସ୍ଥାପନ କରିଥିଲେ । ସେହିପରି ମୋହିନୀଦେବୀ, ତ୍ରିଭୁବନଦେବୀ, ହାରାମହାଦେବୀ, ଗୌରୀ ମହାଦେବୀ, ସୋମବଂଶୀ ରାଣୀ କୋଳାବତୀ ଦେବୀ, ଗଙ୍ଗବଂଶୀ ରାଣୀ ସୁରମାଦେବୀ, ଅନଙ୍ଗଭୀମଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀ ପ୍ରଭୃତି ବହୁ ମହୀୟସୀ ମହିଳା ସେମାନଙ୍କ କୀର୍ତ୍ତିୀରାଜି ପାଇଁଆଜି ପ୍ରାତଃ ସ୍ମରଣୀୟ ହୋଇଛନ୍ତି ।

 

ଏହି ପ୍ରବନ୍ଧଟି ଆଭିଲେଖିକ ପ୍ରମାଣ-ଆଧାରିତ ଏବଂ ଡକ୍ଟର ସାହୁଙ୍କ ଗବେଷଣାପ୍ରୀତିର ପରିଚାୟକ ।

 

ଡକ୍ଟର ସାହୁଙ୍କ ‘ଭୀମଭୋଇ’ ପ୍ରବନ୍ଧରେ ଭୀମଭୋଇଙ୍କର ଜୀବନୀ ସହିତ ରହିଛି ତାଙ୍କ ସାହିତ୍ୟ ଓ ଦାର୍ଶନିକ କୃତିର ସଂକ୍ଷିପ୍ତ ଆକଳନ । ଇଂରାଜୀରେ ରଚିତ ଏହି ପ୍ରବନ୍ଧଟି ପ୍ରକାଶ ପାଇଥିଲା ଅଧ୍ୟାପକ ଦୈତାରୀ ପଣ୍ଡାଙ୍କଦ୍ୱାରା ସମ୍ପାଦିତ Mahima Dharma-Darshan (1972) ଗ୍ରନ୍ଥରେ ।

 

‘ସପ୍ତର୍ଷି’ ପତ୍ରିକାର ପ୍ରଥମବର୍ଷ ପ୍ରଥମ ସଂଖ୍ୟାରେ ଡକ୍ଟର ସାହୁଙ୍କର ‘ଆଶାକୁମାରୀ’ ପ୍ରବନ୍ଧଟି ପ୍ରକାଶିତ । ଆଶାକୁମାରୀ ଥିଲେ ସମ୍ବଲପୁର ଚୌହାଣ ରାଜା ନାରାୟଣ ସିଂହ ଓ ତାଙ୍କ ଦ୍ୱିତୀୟା ରାଣୀ ଜନକପ୍ରିୟା କୁମାରୀଙ୍କ ଦୁହିତା । ନାରାୟଣ ସିଂହ ଅପୁତ୍ରିକ ଥିବାରୁ ତାଙ୍କର ମୃତ୍ୟୁ ଅନ୍ତେ ରାଜ୍ୟସ୍ୱତ୍ୱଲୋପ ନୀତିବଳରେ ସମ୍ୱଲପୁର ରାଜ୍ୟକୁ ବ୍ରିଟିଶ୍ ଶାସନାଧୀନ କରାଗଲା । ସେତେବେଳେ ରାଜଜେମା ଆଶାକୁମାରୀଙ୍କର ଶୈଶବ । ବ୍ରିଟିଶ୍‌ ଏଜେଣ୍ଟ କେଡ଼େନହେଡ଼୍‌ ସମ୍ୱଲପୁର ରାଜ୍ୟର ମୁଖ୍ୟରୂପେ ଶାସନଭାର ଗ୍ରହଣ କଲେ । ତାଙ୍କ ଉପରେ ଆଶାକୁମାରୀଙ୍କର ଶିକ୍ଷା ଓ ବିବାହର ଦାୟିତ୍ୱ ସରକାରଙ୍କ ତରଫରୁ ନ୍ୟସ୍ତ କରାଗଲା । ତାଙ୍କ ସୁଶିକ୍ଷା ନିମନ୍ତେ କେଡ଼େନ୍‌ହେଡ଼୍ ବ୍ୟବସ୍ଥା କରିଥିଲେହେଁ ଅଳ୍ପବୟସରେ କଳାହାଣ୍ଡିର ଯୁବରାଜ ଉଦିତପ୍ରତାପଙ୍କ ସହିତ ତାଙ୍କୁ ବିବାହ ବନ୍ଧନରେ ଛନ୍ଦିଦେଲେ । ଉଦିତପ୍ରତାପ ମାତ୍ର ୧୮ ବର୍ଷ ବୟସରେ କଳାହାଣ୍ଡିର ରାଜା ହେଲେ ଏବଂ ଆଶାକୁମାରୀ ୯ ବର୍ଷ ବୟସରେ ହେଲେ କଳାହାଣ୍ଡୀର ରାଣୀ । ଆଶାକୁମାରୀଙ୍କର ଥିଲେ ଦୁଇଟି ଝିଅ । ପୁଅ ନଥିବାରୁ ତାଙ୍କର ମାନସିକଚିନ୍ତା ବଢ଼ିଯାଇଥିଲା । ଶେଷରେ ସେ ଜୁନାଗଡ଼ର ରଘୁକେଶରୀଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କଲେ ।

 

ଉଦିତପ୍ରତାପଙ୍କର ମୃତ୍ୟୁବେଳକୁ ରଘୁକେଶରୀ ନାବାଳକ ଥିବାରୁ ଆଶାକୁମାରୀ କଳାହାଣ୍ଡିର ଶାସନଭାର ଗ୍ରହଣ କଲେ ଓ ନିଜ ସ୍ୱାମୀ ଯେଉଁସବୁ କାର୍ଯ୍ୟ କରିପାରିନଥିଲେ ସେସବୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟାକଲେ । ସେ ଭୂବନ୍ଦୋବସ୍ତ ଯୋଜନାକୁ ତ୍ୱରାନ୍ୱିତ କରିଥିଲେ । କଳାହାଣ୍ଡିର ଅଧୀଶ୍ୱରୀରୂପେ ସେ ବହୁ ଭୂମିଦାନ କରିଥିଲେ । କଳାହାଣ୍ଡିରେ କୃଷିର ଉନ୍ନତି ନିମନ୍ତେ ସେ ସୁଚିନ୍ତିତ ଯୋଜନା କରିଥିଲେ । ଏ ଉଦ୍ଦେଶ୍ୟରେ ସେ ସମ୍ୱଲପୁରରୁ କିଛି କୁଲ୍‌ତା ଚାଷୀଙ୍କୁ ଆଣି ନିଜ ରାଜ୍ୟରେ ଥଇଥାନ କରିଥିଲେ । ରାଣୀଙ୍କର ପୃଷ୍ଠପୋଷକତା ପାଇଥିବା କୁଲ୍‌ତାମାନେ ନିରୀହ କନ୍ଧମାନଙ୍କ ଉର୍ବର ଚାଷଜମି ଓ ଗାଈଗୋରୁ ଆଦି ଅପହରଣ କଲେ । ସେମାନଙ୍କ ଅତ୍ୟାଚାର ଫଳରେ କନ୍ଧମାନେ ବିଦ୍ରୋହ କଲେ । ବିଦ୍ରୋହ ବିରାଟ ଆକାର ଧାରଣ କଲା । ଏହାକୁ ଆୟତ୍ତ କରିବାକୁ ରାଣୀ ଇଂରେଜ ସରକାରଙ୍କ ସାହାଯ୍ୟ ନେଲେ । ବହୁ କନ୍ଧ ମୃତାହତ ହେଲେ । ବିଦ୍ରୋହ ଶାନ୍ତହେବାପରେ ରାଣୀ ଆଶାକୁମାରୀ କନ୍ଧମାନଙ୍କର ସମସ୍ତ ଅଭିଯୋଗ ସହାନୁଭୂତିର ସହିତ ବିଚାର କରି ସେମାନଙ୍କ ଅଭାବ- ଅସୁବିଧା ଦୂର କରିଥିଲେ ।

 

କନ୍ଧମେଳିର ବିଭୀଷିକା ଆଶାକୁମାରୀଙ୍କ ମନରେ ଗଭୀର ରେଖାପାତ କରିଥିଲା । ସେ ରାଜନୀତି କ୍ଷେତ୍ରରୁ ଦୂରେଇଯାଇ ଶେଷଜୀବନ ଧର୍ମଶାସ୍ତ୍ର ଆଲୋଚନାରେ କଟାଇଲେ । ପୁତ୍ର ରଘୁକେଶରୀ ନାବାଳକ ଥିବାରୁ ଇଂରେଜ ସରକାରଙ୍କୁ ସେ ଶାସନଭାର ଟେକିଦେଲେ । ଦୀର୍ଘ ୧୨ ବର୍ଷ କଳାହାଣ୍ଡିରେ ଚାଲିଲା କୋର୍ଟ ଅଫ୍‌ ଓ୍ୱାର୍ଡସ । ରଘୁକେଶରୀ ସାବାଳକ ହେବାପରେ ୧୮୯୪ ଖ୍ରୀଷ୍ଟାବ୍ଦରେ ରାଜା ହେଲେ । ତାଙ୍କର ପୁତ୍ର ସନ୍ତାନଟିଏ ଜାତ ହେଲା । ରଘୁକେଶରୀଙ୍କୁ ତାଙ୍କ ଶୟନ କକ୍ଷରେ ନିର୍ମମ ଭାବରେ ହତ୍ୟା କରାଗଲା । ଆଶାକୁମାରୀଙ୍କ ବଡ଼ଜ୍ୱାଇଁ ସୋନପୁର ମହାରାଜା ପ୍ରତାପରୁଦ୍ରଙ୍କର ମୃତ୍ୟୁ ହେଲା । ସେହିସବୁ ଘଟନାବଳୀ ଆଶାକୁମାରୀଙ୍କୁ ବିଚଳିତ କରିନଥିଲା । ସେ ଧର୍ମଶାସ୍ତ୍ର ଚର୍ଚ୍ଚାରେ ସମୟ କଟାଇଦେଉଥିଲେ । ଶେଷରେ ୧୯୦୫ ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ହେଲା । ସେ ଶିବଙ୍କର ଉପାସିକା ଥିଲେ ଓ ଶିବଙ୍କ ଉଦ୍ଦେଶ୍ୟରେ କେତୋଟି ଭଜନ-ଜଣାଣ ରଚନା କରିଥିଲେ । ସେଥିମଧ୍ୟରୁ ଅଳ୍ପ କେତୋଟି ମାତ୍ର ସଂଗୃହୀତ ହୋଇପାରିଛି ।

 

ଏହି ପ୍ରବନ୍ଧରେ ଇତିହାସରେ କିଛି ଲୁକ୍‌କାୟିତ ତଥ୍ୟ ଲୋକଲୋଚନକୁ ଆସିଛି । ଏହିଭଳି ଇତିହାସର ଅନେକ ଲୁକ୍‌କାୟିତ ତଥ୍ୟ ଓ ସ୍ୱଳ୍ପଜ୍ଞାତ ଚରିତ୍ରକୁ ନେଇ ପ୍ରାବନ୍ଧିକ ଡକ୍ଟର ସାହୁଙ୍କଦ୍ୱାରା ଲିଖିତ ଆଉ କେତୋଟି ପ୍ରବନ୍ଧ ହେଉଛି-‘ରତ୍ନକୁମାରୀ’, ‘ଶୋଭନକୁମାରୀ’, ‘ବୈଜଲଦେବ’ ଇତ୍ୟାଦି । ସେଗୁଡ଼ିକ ମଧ୍ୟ ‘ସପ୍ତର୍ଷି’ ପତ୍ରିକାର ପରବର୍ତ୍ତୀ ସଂଖ୍ୟାଗୁଡ଼ିକରେ ପ୍ରକାଶିତ ହୋଇଥିଲା । ଏହିପ୍ରକାର ପ୍ରବନ୍ଧଗୁଡ଼ିକରେ ଆଲୋଚିତ ଐତିହାସିକ ଚରିତ୍ର ଓ ତଥ୍ୟମାନ ଅଜ୍ଞାତ ରହିଯାଇଥାନ୍ତା ଯଦି ପ୍ରାବନ୍ଧିକ ଜଣେ ଗବେଷକର ଅନୁସନ୍ଧିତ୍ସା ନେଇ ଗଭୀର ନିଷ୍ଠା ଓ ଅଧ୍ୟବସାୟବଳରେ ଏଗୁଡ଼ିକୁ ଖୋଜି ବାହାର କରିନଥାନ୍ତେ।

 

ପ୍ରତ୍ନତତ୍ତ୍ୱମୂଳ ପ୍ରବନ୍ଧ

ଡକ୍ଟର ନବୀନକୁମାର ସାହୁ ଥିଲେ ଜଣେ ଜଣାଶୁଣା ପ୍ରତ୍ନତତ୍ତ୍ୱବେତ୍ତା । ତେଣୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦରୁ ସେବାନିବୃତ୍ତ ହେବାପରେ ତାଙ୍କୁ ଅବିଳମ୍ବେ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ୱ-ଉପଦେଷ୍ଟା ଭାବରେ ନିଯୁକ୍ତି ମିଳିଲା ଏବଂ ସେ ଏ ଦାୟିତ୍ୱ ଆନନ୍ଦର ସହିତ ଗ୍ରହଣ କରିନେଲେ । ପ୍ରତ୍ନତାତ୍ତ୍ୱିକ ଖନନ ଫଳରେ ସେ ଓଡ଼ିଶାର, ମୁଖ୍ୟତଃ ପଶ୍ଚିମ ଓଡ଼ିଶାର କେତେକ ଅଜ୍ଞାତ ତଥ୍ୟ ଆବିଷ୍କାର କରିଥିଲେ । ଇଂରାଜୀରେ ସେ ସମ୍ପୃକ୍ତ ଖନନଗୁଡ଼ିକର ବିବରଣୀ (Excavation Report) ପ୍ରକାଶ କରିଥିଲେ । ସେହି ବିବରଣୀଗୁଡ଼ିକୁ ମଧ୍ୟ ଗୋଟିଏ ଗୋଟିଏ ମୂଲ୍ୟବାନ୍ ପ୍ରବନ୍ଧ ଭାବରେ ଗ୍ରହଣ କରାଯାଇପାରେ ।

 

ଡକ୍ଟର ସାହୁ ନିଜ ଅଧ୍ୟାପକ ଜୀବନର ଆରମ୍ଭରେ, ଅର୍ଥାତ୍‌ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଯୋଗଦେବା ବର୍ଷ (୧୯୫୦) ‘ନବଭାରତ’ ପତ୍ରିକାରେ ଏକ ଦୀର୍ଘ ପ୍ରବନ୍ଧ ଲେଖିଥିଲେ, ଯାହାର ଶୀର୍ଷକ ଥିଲା ‘କଳିଙ୍ଗ ସମ୍ରାଟ ଖାରବେଳଙ୍କ ସମୟ ନିରୂପଣ’ । ଏହା ଉକ୍ତ ପ୍ରତିକାର ତିନୋଟି ସଂଖ୍ୟାରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧର ପ୍ରଥମ ଭାଗରେ ଓଡ଼ିଶା ଇତିହାସରେ କାଳଗଣନା କିପରି ତ୍ରୁଟିଯୁକ୍ତ ତାହା ଦର୍ଶାଇ ଖାରବେଳଙ୍କ କାଳନିର୍ଣ୍ଣୟ-ସମ୍ପର୍କୀୟ ବିଭିନ୍ନ ମତର ବିଶ୍ଳେଷଣ କରାଯାଇଛି । ଏହା ପ୍ରତ୍ନତତ୍ତ୍ୱବିତ୍‌ ଡକ୍ଟର ଜୟସ୍ୱାଲଙ୍କ ପ୍ରଦତ୍ତ ମତ ପର୍ଯ୍ୟନ୍ତ ପ୍ରଲମ୍ବିତ । ଜୟସ୍ୱାଲଙ୍କ ମତରେ ଖାରବେଳ ମଗଧରାଜ ପୁଷ୍ୟମିତ୍ରଙ୍କ ସମସାମୟିକ । ପୁଷ୍ୟମିତ୍ରଙ୍କ ସମୟ ହେଉଛି ଖ୍ରୀଷ୍ଟପୂର୍ବ ୧୮୪ରୁ ଖ୍ରୀଷ୍ଟପୂର୍ବ ୧୪୮-। ଏଣୁ ଖାରବେଳ ମଧ୍ୟ ଏହି ସମୟର । ପ୍ରାବନ୍ଧିକଙ୍କ ଭାଷାରେ-‘‘ଡାଃ ଜୟସ୍ୱାଲଙ୍କ ଏହିସବୁ ଯୁକ୍ତି ସେତେବେଳେ ଭାରତର ଇତିହାସ ଗବେଷଣାରେ ଯୁଗାନ୍ତର ସୃଷ୍ଟି କରିଥିଲା । ସ୍ମିଥ୍‌ (V.Smith), ଷ୍ଟେନ କନୋ (Sten Konwn), ଦୁବ୍ରିଲ୍‌ (Dubreuil), ଲୁଦର (Luders), ବାର୍ଣ୍ଣେଟ୍‌ (Barnett) ଆଦି ଇଉରୋପର ସୁବିଖ୍ୟାତ ଗବେଷକଗଣ ଏଇସବୁ ଯୁକ୍ତିରେ ଖାରବେଳଙ୍କୁ ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀରେ ରାଜତ୍ୱ କରୁଥିବା ମଗଧରାଜ ପୁଷ୍ୟମିତ୍ର ସୁଙ୍ଗଙ୍କ ସମକାଳୀନ ସମ୍ରାଟରୂପେ ଆଖିବୁଜି ଗ୍ରହଣ କରିନେଇଗଲେ । ସେହି ଅନୁକ୍ରମେ ଶ୍ରୀଯୁକ୍ତ ମହତାବ ନିଜ ‘ଓଡ଼ିଶା ଇତିହାସ’ରେ ଓ ଅଧ୍ୟାପକ ମନ୍ମଥନାଥ ଦାସ Glimpses of Kalinga Historyରେ ଜୟସ୍ୱାଲଙ୍କ ମତକୁ ପୂରାପୂରି ମାନିନେଇଛନ୍ତି ।’’ (ପୃ ୩୭୪)

 

ପ୍ରବନ୍ଧର ଦ୍ୱିତୀୟ ଭାଗରେ ଜୟସ୍ୱାଲଙ୍କ ମତକୁ ସମୀକ୍ଷା କରିଛନ୍ତି ପ୍ରାବନ୍ଧିକ । ହାତୀଗୁମ୍ଫା ଶିଳାଲିପି ପାଠକରି ସେ ପୂର୍ବ ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ ମନ୍ତବ୍ୟରେ ଥିବା ତ୍ରୁଟିମାନ ଦର୍ଶାଇଛନ୍ତି ଏବଂ ସ୍ୱତନ୍ତ୍ର ଯୁକ୍ତି ଓ ସିଦ୍ଧାନ୍ତବଳରେ ଖାରବେଳଙ୍କ କାଳ ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଭାବରେ ନିରୂପଣ କରିଛନ୍ତି । ଦୃଢ଼ ପ୍ରତ୍ନତାତ୍ତ୍ୱିକ ଯୁକ୍ତିବଳରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଖାରବେଳଙ୍କ ଜନ୍ମ-ଖ୍ରୀଷ୍ଟପୂର୍ବ ୭୦-୬୯ ଏବଂ ଶାସନକାଳ-୪୫-୩୧ । ଖାରବେଳ ଯେ ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀର, ଡକ୍ଟର ସାହୁଙ୍କର ଏହି ତ୍ରୁଟିଶୂନ୍ୟ ସିଦ୍ଧାନ୍ତକୁ ଐତିହାସିକମାନେ ଏପର୍ଯ୍ୟନ୍ତ ଗ୍ରହଣ କରିଆସୁଛନ୍ତି । ଏହି କାରଣରୁ ଡକ୍ଟର ସାହୁ ଜଣେ ସର୍ବମାନ୍ୟ ଐତିହାସିକ ଓ ଅଗ୍ରଗଣ୍ୟ ପ୍ରତ୍ନତତ୍ତ୍ୱବିତ୍‌ ଭାବରେ ଚିସ୍ମରଣୀୟ ।

 

‘ଖଣ୍ଡଗିରି’ ପ୍ରବନ୍ଧରେ ଡକ୍ଟର ସାହୁ କହନ୍ତି ଯେ ଖଣ୍ଡଗିରି ପାହାଡ଼ ଖଣ୍ଡଗିରି ଓ ଉଦୟଗିରି ନାମରେ ଅଭିହିତ ଯୁଗ୍ମପାହାଡ଼ ହେଲେହେଁ ଜନସାଧାରଣଙ୍କ ମଧ୍ୟରେ କେବଳ ଖଣ୍ଡଗିରି ନାମରେ ସୁପରିଚିତ । ପାହାଡ଼ଦ୍ୱୟରେ ଉତ୍କୀର୍ଣ୍ଣ ଅଭିଲେଖରୁ ଜଣାଯାଏ ଯେ ପ୍ରାଚୀନକାଳରେ ଏଇ ଦୁଇଟିର ନାମ ଥିଲା କୁମାର ପର୍ବତ ଓ କୁମାରୀ ପର୍ବତ । ପରବର୍ତ୍ତୀ କାଳରେ ‘କୁମାର’ ଶବ୍ଦ ସ୍କନ୍ଦ ବା କାର୍ତ୍ତିକେୟଙ୍କର ଅପର ନାମ ଭାବରେ ଗୃହୀତ ହୋଇ କୁମାର ପର୍ବତକୁ ‘ସ୍କନ୍ଦଗିରି’ କୁହାଗଲା ଏବଂ ଏହା କ୍ରମେ ପ୍ରାକୃତ ଭାଷାରେ ‘ଖଣ୍ଡଗିରି’ ନାମରେ ବିଦିତ ହେଲା । ଏହି ପର୍ବତଦ୍ୱୟର ଗୁମ୍ଫାମାନ ଜୈନ ଅର୍ହତମାନଙ୍କ ବର୍ଷାକାଳୀନ ବିଶ୍ରାମ ନିମନ୍ତେ ଖୋଦିତ ହୋଇଥିଲା । ‘‘ଗୁମ୍ଫାଗୁଡ଼ିକର ପ୍ରବେଶଦ୍ୱାର ଏବଂ ତୋରଣରେ ଯେଉଁ ଚିତ୍ରମାନ ଖୋଦିତ ହୋଇଥିଲା, ତାହାର ଉନ୍ନତ କଳାଶୈଳୀ ତତ୍‌କାଳୀନ ଭାରତରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିଲା ।’’ (ଉତ୍କଳ ପ୍ରସଙ୍ଗ, ଡିସେମ୍ବର ୧୯୮୩ ସଂଖ୍ୟା, ପୃ୭)

 

ତା’ପରେ ପ୍ରାବନ୍ଧିକ ଉଦୟଗିରି ଓ ଖଣ୍ଡଗିରି ଉଭୟରେ ବର୍ତ୍ତମାନ ବିଦ୍ୟମାନ ଗୁମ୍ଫାଗୁଡ଼ିକର ନାମୋଲ୍ଲେଖ କରିଛନ୍ତି ଏବଂ ସେ-ସବୁର କାଳାନୁକ୍ରମିକ ବିବର୍ତ୍ତନର ଆଭାସ ଦେଇଛନ୍ତି । ଓଡ଼ିଆ ସନ୍ଥସାହିତ୍ୟରେ ଖଣ୍ଡଗିରିର ଉଲ୍ଲେଖ ରହିଥିବାର ସୂଚନା ମଧ୍ୟ ଏଥିରେ ପ୍ରଦତ୍ତ । ଶେଷରେ ଖଣ୍ଡଗିରିରେ ଜୈନମନ୍ଦିର ନିର୍ମାଣ, ହାତୀଗୁମ୍ଫା ଶିଳାଲେଖ ସମେତ ଅନ୍ୟ ଗୁମ୍ଫାଗୁଡ଼ିକର ଆବିଷ୍କାର ଓ ସେ-ସବୁର ପାଠୋଦ୍ଧାରବିଷୟକ ସଂକ୍ଷିପ୍ତ ସୂଚନା ଏଥିରେ ଉପଲବ୍‌ଧ-। ଏହି ପ୍ରବନ୍ଧର ସାହିତ୍ୟିକ ମୂଲ୍ୟ ରହିଛି ଓ ପ୍ରାବନ୍ଧିକଙ୍କୁ ଜଣେ ସାହିତ୍ୟିକ ଓ ପ୍ରତ୍ନତତ୍ତ୍ୱବେତ୍ତାର ପରିଚିତି ଦେବାରେ ମଧ୍ୟ ଭୂମିକା ରହିଛି ।

 

ଡକ୍ଟର ସାହୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ଥାପନ କରିଥିବା ସଂଗ୍ରହାଗାରର ଅଭିଲେଖ ବିଭାଗରେ ପାଞ୍ଚଟି ତାମ୍ରଶାସନ ସଂରକ୍ଷିତ । ଏସବୁ ଡକ୍ଟର ସାହୁଙ୍କଦ୍ୱାରା ସଂଗୃହୀତ ଓ ସମ୍ପାଦିତ । ଏହି ପାଞ୍ଚଟି ମଧ୍ୟରେ ଅନ୍ତର୍ଭୁକ୍ତ ଶତ୍ରୁଭଞ୍ଜଙ୍କର ଗଞ୍ଜାମ ତାମ୍ରଶାସନ ଉପରେ ସେ ‘ସପ୍ତର୍ଷି’ ପତ୍ରିକାର ୧୯୭୪ ସେପ୍ଟେମ୍ବର ସଂଖ୍ୟାରେ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା କରିଥିଲେ ଏବଂ ଅନ୍ୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଐତିହାସିକ ତଥ୍ୟମାନ ସେ ପରବର୍ତ୍ତୀ ସଂଖ୍ୟାରେ ପ୍ରକାଶ କରିବାର ଅଭିଳାଷ ପୋଷଣ କରିଥିଲେ । ଏହାର ଆଲୋଚନାକାଳରେ ସେ ଶତ୍ରୁଭଞ୍ଜଙ୍କ ଦଶପଲ୍ଲା ତାମ୍ରଶାସନର ଉଲ୍ଲେଖ ମଧ୍ୟ କରିଥିଲେ । ଶତ୍ରୁଭଞ୍ଜଙ୍କର ସେହି ଦୁଇ ତାମ୍ରଶାସନ ୧୯୮ ସମ୍ବତ୍‌ରେ ପ୍ରଦତ୍ତ ହୋଇଥିଲା । ଐତିହାସିକମାନେ ସେହି ସମ୍ବତ୍‌କୁ ଭୌମସମ୍ବତ୍‌ ବୋଲି ଗ୍ରହଣକରି ଶତ୍ରୁଭଞ୍ଜ ଭୌମରାଜବଂଶର ଅଧସ୍ତନ ଶାସକ ଥିଲେ ବୋଲି ଗ୍ରହଣକରି ନେଇଥିଲେ । ଦଶପଲ୍ଲା ତାମ୍ରଶାସନରେ ସୌରମାସ ଗଣନା ସହିତ ଚାନ୍ଦ୍ରମାସର ଗଣନା ମଧ୍ୟ ସ୍ଥାନପାଇଛି । ଏହି କାଳଗଣନା ଭିତ୍ତିରେ ଭୌମାବ୍ଦ ନିରୂପଣ କରାଯାଇଛି । ଏହାର ଆଧାରରେ ଡକ୍ଟର ସାହୁ ସୋମବଂଶର ଜନ୍ମେଜୟଙ୍କଠାରୁ ପ୍ରଥମ ପାଞ୍ଚଜଣ ରାଜାଙ୍କ ସମୟ ନିର୍ଣ୍ଣୟ କରିଛନ୍ତି ଏବଂ ଶତ୍ରୁଭଞ୍ଜଙ୍କର ଉକ୍ତ ତାମ୍ରଶାସନ ତତ୍କାଳୀନ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିର ଆଲୋଚନା କରିବାର ପଥ ସୁଗମ କରେ ବୋଲି ମନ୍ତବ୍ୟ ଦେଇଛନ୍ତି । ତାଙ୍କ ଭାଷାରେ-‘‘ଶତ୍ରୁଭଞ୍ଜଙ୍କର ଗଞ୍ଜାମ ତାମ୍ରଶାସନର ଐତିହାସିକ ଓ ଧାର୍ମିକ ମହତ୍ତ୍ୱର ବିଶ୍ଳେଷଣ ସୂଚାଇଦିଏ ଯେ ଉକ୍ତ ତାମ୍ରଶାସନ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ଆଲୋଚନା ନିମନ୍ତେ ଅତି ଗୁରୁତ୍ୱପୂର୍ଣ୍ଣ । ଏହି ତାମ୍ରଶାସନକୁ ଭିତ୍ତିକରି ଉତ୍କଳରେ ପ୍ରଚଳିତ ଭୌମ ସମ୍ବତ୍‌ର କାଳ ନିର୍ଣ୍ଣୟ ନିଶ୍ଚିତରୂପେ କରାଯାଇପାରେ ଏବଂ ଏହା ମଧ୍ୟଯୁଗୀୟ ଭଞ୍ଜ ରାଜବଂଶର ସାଂସ୍କୃତିକ ପୃଷ୍ଠପୋଷକତାର ପରିଚୟ ସ୍ପଷ୍ଟରୂପେ ପ୍ରଦାନ କରିଥାଏ । ଏହି ତାମ୍ରଶାସନ ଆବିଷ୍କୃତ ହୋଇନଥିଲେ ଓଡ଼ିଶାର ଇତିହାସ ଓ ସଂସ୍କୃତି ଅଧ୍ୟୟନରେ ଗୁରୁତର ଅଭାବ ରହିଯାଇଥାନ୍ତା ।’’ (ପୃ୮) ଏହି ପ୍ରବନ୍ଧଟି ତାଙ୍କ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ଓ ଅନୁଶୀଳନର ଦକ୍ଷତା ପ୍ରଦର୍ଶନ କରେ ଏବଂ ପ୍ରବନ୍ଧ ଆକାରରେ ତା’ର ଉପସ୍ଥାପନରୀତିର ପରିଚୟ ପ୍ରଦାନ କରେ ।

 

ଜଣେ କୁଶଳୀ ପ୍ରତ୍ନତତ୍ତ୍ୱବିତ୍‌ ଭାବରେ ସେ ଗଣିଆପାଲି, ମାରାଗୁଡ଼ା, ଅସୁରଗଡ଼ ଇତ୍ୟାଦି ସ୍ଥାନର ଭୂଖୋଦନ କରିଥିଲେ, ସେ-ସବୁ ସ୍ଥାନରେ ଲୁକ୍‌କାୟିତ ପ୍ରାଚୀନ ଐତିହାସିକ ତଥ୍ୟମାନ ଲୋକଲୋଚନକୁ ଆଣିଥିଲେ ଏବଂ ସେ-ସବୁ ଖନନର ବିବରଣୀ ମଧ୍ୟ ଦେଇଥିଲେ । ଅବିଭକ୍ତ ସମ୍ବଲପୁର (ଆଧୁନିକ ବରଗଡ଼) ଜିଲା ମେଲଛାମୁଣ୍ଡାର ୧୦ କିଲୋମିଟର ଦୂରରେ ଅଙ୍ଗ ଉପତ୍ୟକାରେ ଅବସ୍ଥିତ ଗଣିଆପାଲିଠାରେ ଉପାସିତ ଦୁଇଟି ମୁଚଲିନ୍ଦ ବୁଦ୍ଧମୂର୍ତ୍ତିକୁ ଡକ୍ଟର ସାହୁ ମୂର୍ତ୍ତିବିଜ୍ଞାନ ଦୃଷ୍ଟିରୁ ଗଭୀର ଅନୁଧ୍ୟାନ କରିବାପରେ ସେ ଦୁଇଟି ମୂର୍ତ୍ତିର ସମୟ ନିରୂପଣ କରିଥିଲେ ଖ୍ରୀଷ୍ଟୀୟ ୫ମ ଶତାବ୍ଦୀ ଏବଂ ଏ ଦୁଇଟି ଓଡ଼ିଶାର ସର୍ବପ୍ରଥମ ବୁଦ୍ଧମୂର୍ତ୍ତି ବୋଲି ପ୍ରକାଶ କରିଥିଲେ । ତାଙ୍କ ଭାଷାର- ‘‘ମୂର୍ତ୍ତିଦ୍ୱୟ ଧ୍ୟାନମଗ୍ନ ଅବସ୍ଥାରେ ଆସୀନ ଓ ସେମାନଙ୍କ ମସ୍ତକ ଉପରେ ପଞ୍ଚଫଣାବିଶିଷ୍ଟ ନାଗ ଛତ୍ରାକାରରେ ଫଣା ବିସ୍ତାର କରିଥିବା କୌତୂହଳୋଦ୍ଦୀପକ । ମୂର୍ତ୍ତି ଦୁଇଟିର ଶୈଳୀରେ ଉନ୍ନତ ଧରଣର କଳା ଫୁଟିଉଠିଛି ଏବଂ ସେ ଦୁଇଟି ଯେ ଖ୍ରୀଷ୍ଟୀୟ ୪ର୍ଥ-୫ମ ଶତକର ପରବର୍ତ୍ତୀ ନୁହନ୍ତି, ତାହା ମୂର୍ତ୍ତିବିଜ୍ଞାନ ଦୃଷ୍ଟିରୁ କୁହାଯାଇପାରେ ।

 

‘‘ଓଡ଼ିଶାରେ ଅନ୍ୟତ୍ର ପଞ୍ଚମ ଶତକର ବୁଦ୍ଧବିଗ୍ରହ ଏପର୍ଯ୍ୟନ୍ତ ପରିଦୃଷ୍ଟ ହୋଇନାହିଁ । ରତ୍ନଗିରି-ଲଳିତଗିରିଠାରେ ମିଳିଥିବା ବୁଦ୍ଧ ପ୍ରତିମାମାନ କେଉଁଟିହେଲେ ଅଷ୍ଟମ ଶତକର ପୂର୍ବବର୍ତ୍ତୀ ନୁହେଁ ଏବଂ ବୌଦ ଓ ରାଣୀପୁର ଝରିଆଲର ବିଶାଳକାୟ ବୁଦ୍ଧମୂର୍ତ୍ତି ଏତାଦୃଶ ଶତକରେ ନିର୍ଣ୍ଣିତ । ଗଣିଆପାଲିର ବୁଦ୍ଧବିଗ୍ରହ ଯେ ଏପର୍ଯ୍ୟନ୍ତ ମିଳିଥିବା ଓଡ଼ିଶାର ବୁଦ୍ଧ ପ୍ରତିମାମାନଙ୍କ ମଧ୍ୟରେ ପ୍ରାଚୀନତମ, ତାହା ସୁନିଶ୍ଚିତ । ଭାରତରେ କେବଳ ମାତ୍ର ସମ୍ବଲପୁର ଜିଲାର ଗଣିଆପାଲିଠାରେ ସ୍ୱତନ୍ତ୍ରରୂପେ ନିର୍ମିତ ମୁଚଲିନ୍ଦ ପ୍ରତିମୂର୍ତ୍ତି ମିଳିପାରିଛି ଏବଂ ତାହା ହେଉଛି ଓଡ଼ିଶାର ପ୍ରାଚୀନତମ ବୁଦ୍ଧ ପ୍ରତିମା । ସେହି ଦୃଷ୍ଟିରୁ ଗଣିଆପାଲି ଏକ ଗୌରବମୟ ବୌଦ୍ଧପୀଠ ।’’ (ସ୍ମରଣିକା ସମ୍ବଲପୁର ଜିଲା ଲେଖକ ସମ୍ମିଳନୀ, ୧୯୭୬, ପୃ୩-୪ରେ ପ୍ରକାଶିତ ‘ଓଡ଼ିଶାର ପ୍ରାଚୀନତମ ବୁଦ୍ଧପ୍ରତିମା’ ପ୍ରବନ୍ଧ)

 

ଏହି ବିଷୟକ ଆଲୋଚନାର ଦୁଇବର୍ଷପରେ ଅର୍ଥାତ୍‌ ୧୯୭୮ ଖ୍ରୀଷ୍ଟାବ୍ଦରେ ଡକ୍ଟର ସାହୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗଣିଆପାଲିଠାରେ ପ୍ରତ୍ନତାତ୍ତ୍ୱିକ ଖନନ କାର୍ଯ୍ୟ ଚଳାଇ ଏକ ମୁଚଲିନ୍ଦ ବୌଦ୍ଧବିହାରର ଧ୍ୱଂସାବଶେଷ ଉଦ୍ଧାର କରିଥିଲେ ।

 

କଳାହାଣ୍ଡି ଜିଲାର ନର୍ଲା ନିକଟସ୍ଥ ଅସୁରଗଡ଼ଠାରେ ସେ ଭୂଖନନ କରି ଯେଉଁ ପ୍ରତ୍ନତାତ୍ତ୍ୱିକ ତଥ୍ୟର ସନ୍ଧାନ ପାଇଥିଲେ ତାହା ପ୍ରକାଶ କରିଥିଲେ Archaeological Finds in Asurgarh ପ୍ରବନ୍ଧରେ । ତାଙ୍କ କହିବା ଅନୁସାରେ ପଶ୍ଚିମ ଓଡ଼ିଶାରେ ଏକାଧିକ ଅସୁରଗଡ଼ର ସ୍ଥିତି ରହିଛି ଏବଂ ଆଲୋଚିତ ଅସୁରଗଡ଼ଟି କଳାହାଣ୍ଡି ଜିଲାର ତେଲ ନଦୀ ଓ ମହାନଦୀ ସଙ୍ଗମ ସ୍ଥଳରେ ଅବସ୍ଥିତ । ଫେବୃଆରୀ ଓ ମାର୍ଚ୍ଚ ୧୯୭୩ରେ ଏଠାରେ ହୋଇଥିବା ଭୂମିଖୋଦନ କାର୍ଯ୍ୟରେ ତାଙ୍କ ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଇତିହାସ ବିଭାଗର କୋଡ଼ିଏ ଜଣ ଛାତ୍ର ଭାଗ ନେଇଥିଲେ । ସେ ଏହି ସ୍ଥାନର ପୂର୍ବପାର୍ଶ୍ୱରେ ଗୋଟିଏ ଓ ପଶ୍ଚିମପାର୍ଶ୍ୱରେ ଆଉ ଗୋଟିଏ ଗର୍ତ୍ତ ଖୋଦନ କରାଯାଇଥିଲା ଏବଂ ଖ୍ରୀଷ୍ଟୀୟ ୪ର୍ଥ-୫ମ ଶତାବ୍ଦୀର ଐତିହାସିକ କୀର୍ତ୍ତିରାଜିର ଧ୍ୱଂସାବଶେଷ ମଧ୍ୟରୁ ମିଳିଥିବା ମହାର୍ଘ ଐତିହାସିକ ସମ୍ପଦମାନ ଲୋକଲୋଚନକୁ ଆସିଥିଲା, ଯାହାର ବିସ୍ତୃତ ବିବରଣୀ ସେ ଏ ପ୍ରବନ୍ଧରେ ଚମତ୍କାର ଭାବରେ ଉପସ୍ଥାପନ କରିଛନ୍ତି । (Souvenir, Third Purba Bharat Sanskrutik Sammelan, 1976, pp. 131-135)

 

ରାଉରକେଲାର ପ୍ରଗତି ଉତ୍କଳ ସଂଘ ସହିତ ଡକ୍ଟର ସାହୁ ୧୯୬୮ ରୁ ୧୯୮୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସମ୍ପୃକ୍ତ ଥିଲେ ଏବଂ ସେହି ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଉତ୍କଳ ଦିବସ ଓ ଉତ୍କଳଗୌରବ ମଧୁସୂଦନ ସ୍ମାରକୀ’ର ସେ ଥିଲେ ସୁଯୋଗ୍ୟ ପ୍ରତିଷ୍ଠାତା ସମ୍ପାଦକ । ପ୍ରତିସଂଖ୍ୟାର ସମ୍ପାଦକୀୟ ଲେଖିବା ସହିତ ଏହାର ପ୍ରଚ୍ଛଦପଟରେ ପ୍ରଦତ୍ତ ଓଡ଼ିଶାର ଇତିହାସ ଓ ପ୍ରତ୍ନତତ୍ତ୍ୱମୂଳକ ଫଟୋଚିତ୍ରର ପରିଚୟ ସେ ଇଂରାଜୀ ଓ ଓଡ଼ିଆ ଭାଷାରେ ସଂକ୍ଷେପରେ ଲେଖୁଥିଲେ । ସେହି ପତ୍ରିକାର ୧୬ଶ ଅର୍ଘ୍ୟ (୧୯୮୩)ର ପ୍ରଚ୍ଛଦପଟ ଥିଲା ଭୁବନେଶ୍ୱର ରାଜରାଣୀ ମନ୍ଦିରର ଫଟୋଚିତ୍ର । ସେହି ମନ୍ଦିରର ବିବରଣୀ ପ୍ରଦାନ କରିବାକୁ ଯାଇ ସେ ଲେଖିଥିଲେ-‘‘ମନ୍ଦିରଟି ଉଭୟ କଳା ଓ ଭାସ୍କର୍ଯ୍ୟରେ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତରେ ଅତୁଳନୀୟ । ଏହା ଏକ ସୁନ୍ଦର ପିଷ୍ଠ ଉପରେ ଦଣ୍ଡାୟମାନ ଏବଂ ପା-ଭାଗ, ତଳଜାଙ୍ଘ, ଉପରଜାଙ୍ଘ, ଗଣ୍ଡି ଓ ଆମଳକ ସହିତ ଅତି ନିପୁଣ ଭାବରେ ନିର୍ମିତ । ଗଣ୍ଡି ଦେହରେ ଅଙ୍ଗଶିଖରମାନ ସଜ୍ଜିତ ହୋଇ ମନ୍ଦିରର ଶୋଭା ବର୍ଦ୍ଧନ କରୁଅଛି । ଏହି ଅଙ୍ଗଶିଖରଗୁଡ଼ିକରେ ଏବଂ ତଳଜାଙ୍ଘ ଓ ଉପରଜାଙ୍ଘରେ ଖୋଦିତ ଅନବଦ୍ୟ ଚିତ୍ରାବଳୀରେ ଖଜୁରାହୋ କଳାର ପ୍ରଭାବ ପଡ଼ିଥିବା କେତେକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି । ମାତ୍ର ରାଜରାଣୀ ଏକ ଅନୁକୃତି ନୁହେଁ, ଏହା ଏକ ମୌଳିକ କୃତି ।

 

‘‘ମନମୋହନ ଗାଙ୍ଗୁଲିଙ୍କ ମତରେ ଏହି ମନ୍ଦିର ରାଜାରାଣିଆ ନାମକ ପଥରରେ ନିର୍ମିତ ହୋଇଥିବା ଯୋଗୁ ଏହା ରାଜରାଣୀ ମନ୍ଦିର ନାମରେ ଆଖ୍ୟାତ । ଏହି ମନ୍ଦିରର ପ୍ରକୃତ ନାମ ହେଉଛି ଇନ୍ଦ୍ରଲିଙ୍ଗେଶ୍ୱର । ଏହା ସୋମବଂଶୀ ରାଜା ଇନ୍ଦ୍ରରଥଙ୍କଦ୍ୱାରା ଏକାଦଶ ଶତାବ୍ଦୀର ପ୍ରାରମ୍ଭରେ ନିର୍ମିତ । ଇନ୍ଦ୍ରରଥ ୧୦୨୨ ଖ୍ରୀଷ୍ଟାବ୍ଦରେ ରାଜେନ୍ଦ୍ର ଚୋଳଙ୍କଦ୍ୱାରା ଯଯାତି ନଗର ଯୁଦ୍ଧକ୍ଷେତ୍ରରେ ପରାସ୍ତ ଓ ନିହତ ହୋଇଥିଲେ । ତାହାପରେ ଏହି ମନ୍ଦିରରେ ଆଉ ଠାକୁରଙ୍କର ପ୍ରତିଷ୍ଠା ହୋଇପାରିନଥିଲା ।

 

‘‘ଏହି ମନ୍ଦିର ହେଉଛି କଳାଭୂମି ଉତ୍କଳର ଶ୍ରେଷ୍ଠ ଗୌରବ ।’’

 

ଏହି କ୍ଷୁଦ୍ର ପରିଚୟରେ ସ୍ଥାନପାଇଛି ଇତିହାସ ଓ କଳାଭାସ୍କର୍ଯ୍ୟର ଏକ ସୁନ୍ଦର ଆଲେଖ୍ୟ-। ଆକାର ଦୃଷ୍ଟିରୁ କ୍ଷୁଦ୍ର ହେଲେହେଁ ଏହାକୁ ନୂତନ ଐତିହାସିକ ସମ୍ବଳିତ ଏକ କ୍ଷୁଦ୍ର ପ୍ରବନ୍ଧୋପମ ସୃଷ୍ଟିଭାବରେ ଗ୍ରହଣ କରାଯାଇପାରେ ।

 

ତାଙ୍କର ପ୍ରତ୍ନତତ୍ତ୍ୱମୂଳକ ଅନେକ ପ୍ରବନ୍ଧ ଇଂରାଜୀରେ ରଚିତ ହୋଇ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ଯଥା-ପୂର୍ବରୁ ଆଲୋଚିତ Archaeological Finds in Asurgarh । ଏହିପରି ଆଉ ଏକ ଉଲ୍ଲେଖନୀୟ ପ୍ରବନ୍ଧ ହେଉଛି Prehistoric Cultures of Orissa, ଯେଉଁଥିରେ ତାଙ୍କ ପ୍ରତ୍ନତାତ୍ତ୍ୱିକ ଅଭିରୁଚିର ସନ୍ଧାନ ମିଳେ । ଏଇଟି ପ୍ରଫେସର ମନ୍ମଥନାଥ ଦାସଙ୍କ ସମ୍ପାଦିତ Sidelights on History and Culture of Orissa (pp. 44-55)ରେ ପ୍ରକାଶିତ ।

 

ରାଜନୀତିମୂଳ ପ୍ରବନ୍ଧ

ଡକ୍ଟର ସାହୁଙ୍କର ଅଧିକାଂଶ ପ୍ରବନ୍ଧ ରାଜନୀତିକ ଇତିହାସ-ସମ୍ବଳିତ । ଇତିହାସ, ଧର୍ମ, ସଂସ୍କୃତି-ସମ୍ପର୍କୀୟ ପ୍ରବନ୍ଧରେ ରାଜନୀତିକ ଆଲୋଚନା ବେଳେବେଳେ ପ୍ରସଙ୍ଗ ଅନୁରୋଧରେ ଆସିବହିଁ ଆସିବ । ଉଦାହରଣସ୍ୱରୂପ ସୁରେନ୍ଦ୍ର ମହାନ୍ତିଙ୍କ ସହିତ ମିଳିତ ଭାବରେ ରଚିତ ତାଙ୍କ ପ୍ରବନ୍ଧ ‘ସିନ୍ଧୁସଭ୍ୟତା ଓ ଜୈନଧର୍ମ’କୁ ଗ୍ରହଣ କରାଯାଇପାରେ । ଏଥିରେ ତାମ୍ରପ୍ରସ୍ତର ଯୁଗର ସଭ୍ୟତାର ଆଲୋଚନାକାଳରେ ସମକାଳୀନ ତିନିଗୋଟି ବିରାଟ ସଭ୍ୟତାର ସ୍ଥିତିସମ୍ପର୍କୀୟ ସୂଚନା ରହିଛି । ସେ-ସବୁ ହେଲା-ଇଜିପ୍ଟ, ସୁମେର ଓ ମହେଞ୍ଜୋଦାରୋ-ହରପ୍ପା ସଭ୍ୟତା । ‘‘ଏ ତିନି ସଭ୍ୟତା ମୂଳତଃ ଏକ ଥିଲା । ତାମ୍ର-ପ୍ରସ୍ତର ଯୁଗରେ ମନୁଷ୍ୟ ନୂତନ ଯୁଗର ସ୍ୱୟଂସମ୍ପୂର୍ଣ୍ଣ ଗ୍ରାମ୍ୟ ଅର୍ଥନୀତି ଛାଡ଼ି ସହରରେ ବସବାସ କରିବା ଆରମ୍ଭ କରିଥାଏ । x x x ଗୋଟିଏ କଥାରେ କହିଲେ ତାମ୍ର-ପ୍ରସ୍ତର ଯୁଗର ସଭ୍ୟତାସହର ସଭ୍ୟତା । ଏହିକାଳରେ ପୁଣି ମନୁଷ୍ୟର ରାଜନୈତିକ ଜୀବନର ପ୍ରଥମ ସୂତ୍ରପାତ ହୋଇଥିଲା । କାରଣ ଏହି କାଳରେ ମନୁଷ୍ୟର ଇତିହାସରେ ରାଷ୍ଟ୍ରର ଆରମ୍ଭ । ପୁଣି ରାଷ୍ଟ୍ରକୁ ଭିତ୍ତିକରି ରାଜତନ୍ତ୍ର ଏହି କାଳରେ ପ୍ରକାଶ ପାଇଥିଲା-। (ନବଭାରତ, ଜୁଲାଇ-୧୯୫୦, ପୃ ୨୯୬)

 

ତାଙ୍କ ‘ପ୍ରାଚୀନ ଭାରତରେ ଗଣତନ୍ତ୍ର ଶାସନ’ ପ୍ରବନ୍ଧଟି ରାଜନୀତିମୂଳକ ଓ ଏଇଟା ‘ସହକାର’ ପତ୍ରିକାର ୧୯୪୮ ଅକ୍ଟୋବର ସଂଖ୍ୟାରେ ପ୍ରକାଶ ପାଇଥିଲା । ସେ ୧୯୪୭ ଖ୍ରୀଷ୍ଟାବ୍ଦରେ ରେଭେନ୍ସା କଲେଜରୁ ବିଏ ପାସ୍ କରି ଏଲାହାବାଦ ବିଶ୍ୱବିଦ୍ୟାଳୟରେ ଏମ୍‌ଏ ଶ୍ରେଣୀରେ ଅଧ୍ୟୟନ ଆରମ୍ଭ କରିଥିଲେ ଓ ୧୯୪୯ ଖ୍ରୀଷ୍ଟାବ୍ଦରେ ଡିଗ୍ରୀ ଲାଭକରି ଓଡ଼ିଶା ଫେରିଥିଲେ । ଏ ଦୃଷ୍ଟିରୁ ଆଲୋଚ୍ୟ ପ୍ରବନ୍ଧଟି ସେ ଛାତ୍ର ଥିବାବେଳେ ରଚିତ । ପୂର୍ବରୁ ତାଙ୍କର କିଛି ପ୍ରବନ୍ଧ ବା ଅନ୍ୟକିଛି ରଚନା ଥିଲା କି ନାହିଁ ଜଣାଯାଏ ନାହିଁ; କିନ୍ତୁ ଏଇଟା ତାଙ୍କର ପ୍ରଥମ ଗବେଷଣାତ୍ମକ ପ୍ରକାଶିତ ପ୍ରବନ୍ଧ ବୋଲି ଏ ଲେଖକ ତାଙ୍କଠାରୁ ଶୁଣିଥିଲା । ଛାତ୍ରଜୀବନରେ ତାଙ୍କ ଅଧ୍ୟୟନ, ଅନୁଶୀଳନ, ପାଣ୍ଡିତ୍ୟ, ଗବେଷଣାପ୍ରୀତି ଓ ପରିବେଷଣପ୍ରୀତିର ସମ୍ୟକ୍‌ ପରିଚୟ ପାଇଁ ତାଙ୍କର ଏହି ପ୍ରଥମ ପ୍ରବନ୍ଧଟିକୁ ପରିଶିଷ୍ଟ ୩ରେ ସ୍ଥାନିତ କରାଯାଇଛି ।

 

ଏହି ପ୍ରବନ୍ଧରେ ପ୍ରାବନ୍ଧିକ ଗଣତନ୍ତ୍ରର ଉଦ୍ଭବ ଓ ବିକାଶ ସମ୍ବନ୍ଧରେ ଆଲୋକପାତ କରି କହିଛନ୍ତି-‘‘ଆଜି ଭାରତ ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତହୋଇ ଗଣତନ୍ତ୍ରମୂଳକ ଶାସନ ଅବଲମ୍ବନ କରୁଥିବାବେଳେ ପ୍ରାଚୀନ ଭାରତରେ ପ୍ରଚଳିତ ଗଣତନ୍ତ୍ର ଶାସନର ଐତିହାସିକ ଆଲୋଚନା ଅତି ଆବଶ୍ୟକ ବିବେଚିତ ହୁଏ । ଆଧୁନିକ ଗଣତନ୍ତ୍ର ବୈଦେଶିକ ଭୂମିରୁ ଉତ୍ପନ୍ନ ହୋଇ ବିଚିତ୍ରତାମୟ ସମାଜନୀତି ଓ ଅର୍ଥନୀତି ମଧ୍ୟରେ ପୁଷ୍ଟିପ୍ରାପ୍ତ ହୋଇ ପରିଶେଷରେ ଯେ ଭାରତ ଭୂମିରେ ପ୍ରବେଶ ଲାଭ କରିଅଛି, ଏହା ସୁନିଶ୍ଚିତ । ୧୭୮୯ ଖ୍ରୀଷ୍ଟାବ୍ଦରେ ଇତିହାସ-ପ୍ରସିଦ୍ଧ ଫରାସି ରାଷ୍ଟ୍ରବିପ୍ଳବରୁ ଏହି ଗଣତନ୍ତ୍ର ଜନ୍ମଲାଭ କରି ୧୮୦୩ ଖ୍ରୀଷ୍ଟାବ୍ଦର ଜୁଲାଇ ବିପ୍ଳବ ଓ ୧୮୪୮ର ମଧ୍ୟାବ୍ଦ ବିପ୍ଳବ ହେତୁ ଏହା ସମଗ୍ର ଇଉରୋପରେ ପରିବ୍ୟାପ୍ତ ହୋଇପାରିଥିଲା । ତତ୍‌ପରେ ଏହା ଧୀରେ ଧୀରେ ଅନ୍ୟାନ୍ୟ ଦେଶରେ ଆରୋପିତ ହୋଇ ଆଜି ସମଗ୍ର ସଭ୍ୟ ଜଗତର ଏକମାତ୍ର ପ୍ରଶଂସନୀୟ ଶାସନତନ୍ତ୍ରରୂପେ ପରିଗଣିତ ହୋଇଅଛି । ଗଣତନ୍ତ୍ର ଶାସନ ଆଧୁନିକ ସଭ୍ୟତାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିଲେ ମଧ୍ୟ ପ୍ରାଚୀନ ସଭ୍ୟତାର ଇତିହାସରେ ଏ-ପ୍ରକାର ଶାସନତନ୍ତ୍ରର ଗୌରବମୟ ଅସ୍ତିତ୍ୱ ଅସ୍ୱୀକାର କରାଯାଇନପାରେ । ପ୍ରାଚୀନ ଗଣତନ୍ତ୍ରର ଉଲ୍ଲେଖ କରିବାକୁ ଯାଇ ଐତିହାସିକମାନେ ସାଧାରଣତଃ ଗ୍ରୀସ୍‌ ଓ ରୋମ ରାଜ୍ୟପ୍ରତି ଦୃଷ୍ଟିପାତ କରିଥାନ୍ତି ଏବଂ ପ୍ରାଚୀନ ଭାରତ ସମସ୍ତଙ୍କଦ୍ୱାରା ସର୍ବଦା ଅବହେଳିତ ହୋଇଥାଏ । ଦୁଃଖର ବିଷୟ, ପ୍ରାଚୀନ ଭାରତରେ ଥିବା ସମୃଦ୍ଧିଶାଳୀ ଗଣରାଜ୍ୟମାନଙ୍କ ବିଷୟରେ ଯଥୋପଯୁକ୍ତ ଗବେଷଣା ଏପର୍ଯ୍ୟନ୍ତ ହୋଇପାରିନାହିଁ ଏବଂ ଭାରତର ବହୁସଂଖ୍ୟକ ଐତିହାସିକ ଏ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ଅଜ୍ଞ ଅଟନ୍ତି-।’’ (ପୃ ୧୧୫)

 

ପ୍ରଫେସର ରିସ୍‌ ଡେଭିଡ୍‌ସ (Rhys Davids) ବୌଦ୍ଧ-ଭାରତ ବିଷୟରେ ଗବେଷଣା କରିବା ସମୟରେ ପାଲି ସାହିତ୍ୟରେ ଗଣରାଜ୍ୟଗୁଡ଼ିକର ବର୍ଣ୍ଣନା ଦେଖି ପ୍ରାଚୀନ ଭାରତରେ ଗଣତନ୍ତ୍ରର ସ୍ଥିତିର ସନ୍ଧାନ ପାଇଥିଲେ । ତା’ପରେ ପ୍ରାଚ୍ୟ ଓ ପାଶ୍ଚାତ୍ୟର କିଛି ଗବେଷକ ଏ-ସମ୍ୱନ୍ଧୀୟ ଗବେଷଣା ଚାଲୁରଖି ଶେଷରେ ପ୍ରାଚୀନ ଭାରତରେ ଗଣତନ୍ତ୍ର ଶାସନର ସ୍ଥିତି ସ୍ୱୀକାର କରିଥିଲେ । ପ୍ରାବନ୍ଧିକ ଗଭୀର ଗବେଷଣାବଳରେ ପ୍ରାଚୀନ ଭାରତର ଗଣତନ୍ତ୍ର ଓ ଆଧୁନିକ ଗଣତନ୍ତ୍ରରେ ଥିବା ସାମ୍ୟମାନ ଏଥିରେ ଦର୍ଶାଇଛନ୍ତି । ପ୍ରାଚୀନ ଭାରତର ଗଣଅଧିବେଶନ ନିମନ୍ତେ ‘ବିଧିସଂଖ୍ୟା’ ବା କୋରମ୍‌ (Quorum)ର ନିତାନ୍ତ ଆବଶ୍ୟକତା ଥିଲା । ଗଣପୁରକ ବା ହୁଇପ୍‌ (Whip) ଗଣଅଧିବେଶନ ପରିଚାଳନା କରୁଥିଲେ । ‘ଗଣ’ର ସଭ୍ୟମାନେ ପ୍ରତ୍ୟେକ ଗୁପ୍ତଭୋଟ (Ballot Voting) ଦ୍ୱାରା ନିଜର ମତ ପ୍ରଦାନ କରୁଥିଲେ । ଏହି ଭୋଟ୍‌କୁ ତତ୍‌କାଳୀନ ରାଜନୀତିକ ଭାଷାରେ ‘ଛନ୍ଦ’ କୁହାଯାଉଥିଲା । ଗଣର ଇଂରେଜୀ ପରିଭାଷା ହେଉଛି Assembly ବା Parliament। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନକାଳରେ ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟର ଅଭିବୃଦ୍ଧି ନିମନ୍ତେ ଗଣରାଜ୍ୟର ଧ୍ୱଂସସାଧନ କରିବାରେ ସହାୟକ ହୋଇଥିଲେ । ତଥାପି ନିଜ ନିଜ ଶକ୍ତିବଳରେ କେତେକ ରାଜ୍ୟ ଗଣତନ୍ତ୍ର ଶାସନକୁ ବଜାୟ ରଖିପାରିଥିଲେ । ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଖାରବେଳଙ୍କ ସହିତ ରଥିକ ଓ ଭୋଜକ ନାମକ ଦୁଇ ଗଣରାଜ୍ୟ ଏକତ୍ର ଯୁଦ୍ଧ କରିଥିବା ବର୍ଣ୍ଣିତ ହୋଇଛି । ଗୁପ୍ତରାଜତ୍ୱ କାଳରେ ଗଣରାଜ୍ୟମାନଙ୍କର ମୂଳୋତ୍ପାଟନ କରାଯାଇଥିଲା । ୫୫୦ ଖ୍ରୀଷ୍ଟାବ୍ଦ ପରେ ଭାରତ ଇତିହାସରେ ଗଣରାଜ୍ୟମାନଙ୍କର ଅସ୍ତିତ୍ୱ ଲୋପ ପାଇଥିଲା । ଉପସଂହାରରେ ପ୍ରାବନ୍ଧିକ କହନ୍ତି- ‘‘ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀ ପରେ ଭାରତର ଇତିହାସ ପତନୋନ୍ମୁଖୀ ହୋଇ ଗତିକରିଆସିଛି । ଏପରିକି ପରବର୍ତ୍ତୀ ପୁରାଣରେ ଓ ଧର୍ମଶାସ୍ତ୍ରକାରଗଣ ପ୍ରାଚୀନ ଗଣତନ୍ତ୍ର ଶାସନ ବିଷୟ ସମ୍ପୂର୍ଣ୍ଣରୂପେ ବିସ୍ମୃତ ହୋଇ ରାଜତନ୍ତ୍ରହିଁ ଭାରତର ଏକମାତ୍ର ଶାସନତନ୍ତ୍ର ବୋଲି ପ୍ରକାଶ କରିଆସିଛନ୍ତି । ଆଧୁନିକ ବହୁ ଐତିହାସିକ ମଧ୍ୟ ଏ ସମ୍ବନ୍ଧରେ ସନ୍ଦିହାନ ତଥା ପ୍ରମାଦଗ୍ରସ୍ତ ଥିବା ଅତି ଦୁଃଖର କଥା ।’’ (ପୃ ୧୨୧)

 

‘ଓଡ଼ିଶା ସହିତ ସମ୍ବଲପୁର ମିଶ୍ରଣ’ ପ୍ରବନ୍ଧଟି ରାଜନୀତିମୂଳକ ଓ ଏହା ପ୍ରଥମେ ‘ଉତ୍କଳ ପ୍ରସଙ୍ଗ’ରେ, ପରେ ‘ଉତ୍କଳଗୌରବ ମଧୁସୂଦନ ସ୍ମାରକୀ’ (୧୯୮୩)ରେ ସ୍ଥାନ ପାଇଥିଲା । ଏହି ପ୍ରବନ୍ଧରେ ପ୍ରବନ୍ଧିକ କହନ୍ତି ଯେ ସମ୍ବଲପୁର ରାଜ୍ୟ ରାଜ୍ୟସ୍ୱତ୍ୱ ଲୋପନୀତିବଳରେ ଇଂରେଜ କମ୍ପାନୀ ସରକାରଙ୍କ ଶାସନାଧୀନ ହେଲା ସମ୍ବଲପୁରର ଅପୁତ୍ରିକ ଶେଷ ଚୌହାଣ ରାଜା ନାରାୟଣ ସିଂହଙ୍କ ମୃତ୍ୟୁପରେ । ସମ୍ବଲପୁରକୁ ସାମିଲ କରାଗଲା ଉତ୍ତର-ପୂର୍ବ ସୀମାନ୍ତ ଏଜେନ୍ସି ସହିତ, ଯାହାର ଶାସନକେନ୍ଦ୍ର ଥିଲା ରାଞ୍ଚି । ୧୮୬୧ ଖ୍ରୀଷ୍ଟାବ୍ଦରେ ମଧ୍ୟପ୍ରଦେଶ ଗଠିତ ହେବାପରେ ୧୮୬୨ ଖ୍ରୀଷ୍ଟାବ୍ଦରେ ସମ୍ବଲପୁରକୁ ନବଗଠିତ ମଧ୍ୟପ୍ରଦେଶରେ ମିଶାଇ ଦିଆଗଲା । ସେତେବେଳେ ସମ୍ବଲପୁରର ସରକାରୀ ଭାଷା ଥିଲା ଓଡ଼ିଆ । କିନ୍ତୁ ସମ୍ବଲପୁର ମଧ୍ୟପ୍ରଦେଶର ଅନ୍ତର୍ଭୁକ୍ତ ହେବାପରେ ସେଠାରେ ଶାସନ ପରିଚାଳନାରେ ଭାଷାଗତ ସମସ୍ୟା ସୃଷ୍ଟି ହେଲା । ତେଣୁ ୧୮୯୫ ଖ୍ରୀଷ୍ଟାବ୍ଦରେ ସମ୍ବଲପୁରର ସରକାରୀ ଭାଷା ହିନ୍ଦୀ ହେବବୋଲି ଘୋଷଣା କରାଗଲା । ଓଡ଼ିଆ ଲୋକଙ୍କ ଉପରେ ହିନ୍ଦୀଭାଷା ଚାପିଦିଆଗଲା । ଜନ-ଅସନ୍ତୋଷ ବ୍ୟାପିଲା । ସ୍ୱଭାବକବି ଗଙ୍ଗାଧର ମେହେର ଲେଖନୀମୁନରେ ପ୍ରତିବାଦ ଜଣାଇ ଲେଖିଲେ ‘ଉତ୍କଳମାତାର ରୋଦନ’ କବିତା । ଭାଷା ଆନ୍ଦୋଳନ ତୀବ୍ରତର ହେଲା । ଏଥିରେ ସକ୍ରିୟ ଭୂମିକା ଗ୍ରହଣ କଲେ ଧରଣୀଧର ମିଶ୍ର, ବ୍ରଜମୋହନ ପଟ୍ଟନାୟକ, ମଦନମୋହନ ମିଶ୍ର, ମହନ୍ତ ବିହାରୀ ଦାସ, ଶ୍ରୀପତି ମିଶ୍ର, ବଳଭଦ୍ର ସୂପକାର, ଜନାର୍ଦ୍ଦନ ପଣ୍ଡା ପ୍ରଭୃତି ପ୍ରାତଃସ୍ମରଣୀୟ ଚିନ୍ତାନାୟକଗଣ । ‘ସମ୍ବଲପୁର ହିତୈଷିଣୀ’ ପତ୍ରିକା ମଧ୍ୟପ୍ରଦେଶ ସରକାରଙ୍କ ଓଡ଼ିଆଭାଷା-ବିରୋଧୀ ନୀତିକୁ ସମାଲୋଚନା କଲା-। ପରେ ପରେ ତାହା ସହିତ ଯୋଗଦେଲେ କଟକର ‘ଉତ୍କଳ ଦୀପିକା’ ଓ ବାଲେଶ୍ୱରର ‘ସମ୍ବାଦ ବାହିକା’ । ସମ୍ବଲପୁରର ଓଡ଼ିଆମାନଙ୍କ ଭାଷା ସମସ୍ୟା ଉକ୍ତ ନେତୃବୃନ୍ଦଙ୍କଦ୍ୱାରା ବାରମ୍ବାର ଇଂରେଜ ସରକାରଙ୍କ ପ୍ରତିନିଧିଙ୍କୁ ଜଣାଇଦିଆଗଲା । ଏହିପରି ବିଭିନ୍ନଆଡ଼ୁ ଚେଷ୍ଟା ଫଳରେ ୧୯୦୩ ଜାନୁଆରୀ ପହିଲାରେ ସମ୍ବଲପୁରରେ ଓଡ଼ିଆ ଭାଷାର ପୁନଃପ୍ରଚଳନ କରାଯାଇଥିଲା । ଶେଷରେ ଓଡ଼ିଆ ଭାଷା ଆନ୍ଦୋଳନ ସଫଳ ହୋଇଥିଲା ।

 

ସମ୍ବଲପୁରବାସୀ ଓଡ଼ିଆ ଭାଷା ଫେରିପାଇଲେ; କିନ୍ତୁ ଓଡ଼ିଆ ଡିଭିଜନ ସହିତ ମିଶିପାରିଲେ ନାହିଁ । ଏଥିପାଇଁ ଚାଲିଥିବା ନିରବଚ୍ଛିନ୍ନ ଉଦ୍ୟମ ଶେଷରେ ଫଳବତୀ ହୋଇଥିଲା; ୧୯୦୫ ଅକ୍ଟୋବର ୧୬ ତାରିଖରେ ସମ୍ବଲପୁର ସହିତ ଆଉ ପାଞ୍ଚଟି ଦେଶୀୟ ରାଜ୍ୟକୁ ଓଡ଼ିଶା ଡିଭିଜନରେ ଅନ୍ତର୍ଭୁକ୍ତ କରାଗଲା । ‘‘ସମ୍ବଲପୁର ଭାଷା ଆନ୍ଦୋଳନର ବିଜୟର ଏହା ଥିଲା ଶେଷ ପର୍ଯ୍ୟାୟ । ଏହା ଯେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାରେ ପ୍ରଥମ କୃତିତ୍ୱପୂର୍ଣ୍ଣ ପଦକ୍ଷେପ, ତାହା ନିଶ୍ଚିତରୂପେ କୁହାଯାଇପାରେ ।’’ (ପୃ ୨୭)

 

ଏହି ପ୍ରବନ୍ଧରୁ ତତ୍‌କାଳୀନ ରାଜନୀତିକ ଓଡ଼ିଶାର ଏକ ସ୍ପଷ୍ଟଚିତ୍ର ଉପଲବ୍‌ଧ ହୁଏ ।

 

ଏତଦ୍‌ବ୍ୟତୀତ ତାଙ୍କର ଅନେକ ପ୍ରବନ୍ଧରେ ଐତିହାସିକ ଚିତ୍ର ପ୍ରଦାନ କାଳରେ ପ୍ରସଙ୍ଗକ୍ରମେ ସମକାଳୀନ ରାଜନୀତିକ ଚିତ୍ରର ସଂକେତ ମଧ୍ୟ ସ୍ୱତଃ ଫୁଟିଉଠେ । ତେଣୁ ତାଙ୍କର ଅଧିକାଂଶ ଐତିହାସିକ ପ୍ରବନ୍ଧରେ ରାଜନୀତିକ ସ୍ପର୍ଶ ଥାଏ । ମୁଖ୍ୟସ୍ୱର ବା ମୁଖ୍ୟ ପ୍ରସଙ୍ଗ ଅନୁଯାୟୀ ସେ-ସବୁ ବିଭିନ୍ନ ବିଭାଗରେ ଆଲୋଚିତ । ଏଣୁ ସେ-ସବୁରେ ଉଙ୍କିମାରୁଥିବା ରାଜନୀତିକ ସୂଚନାର ପୃଥକ୍‌ ବିଶ୍ଳେଷଣ ଅନାବଶ୍ୟକ ମନେହୁଏ ।

 

ଧର୍ମ ଓ ସଂସ୍କୃତିମୂଳକ ପ୍ରବନ୍ଧ

ଧର୍ମ ଓ ସଂସ୍କୃତି ଅଙ୍ଗାଙ୍ଗୀଭାବେ ଜଡ଼ିତ । ସଂସ୍କୃତି ଏକ ବ୍ୟାପକ ଅର୍ଥବୋଧକ ଶବ୍ଦ, ଯହିଁରେ ଧର୍ମ ମଧ୍ୟ ଅନ୍ତର୍ଭୁକ୍ତ । ଏଣୁ ଏଠାରେ ଧର୍ମ ଓ ସଂସ୍କୃତିବିଷୟକ ପ୍ରବନ୍ଧସବୁକୁ ପୃଥକ୍‌ ଭାବରେ ଆଲୋଚନା କରାଯାଉନାହିଁ ।

 

‘ସିନ୍ଧୁ ସଭ୍ୟତା ଓ ଜୈନଧର୍ମ’ ପ୍ରବନ୍ଧଟି ‘ନବଭାରତ’ ପତ୍ରିକାର ଦ୍ୱିତୀୟ ବର୍ଷ, ୯ମ ସଂଖ୍ୟା (ଜୁଲାଇ, ୧୯୫୦)ରେ ପ୍ରକାଶ ପାଇଥିଲା । ଡକ୍ଟର ସାହୁଙ୍କର ଏହି ପ୍ରବନ୍ଧର ଅନ୍ୟତମ ସହଯୋଗୀ ଲେଖକ ଥିଲେ ସୁରେନ୍ଦ୍ର ମହାନ୍ତି । ଏଥିରେ ସିନ୍ଧୁ-ସଭ୍ୟତାର ଧର୍ମ ଆଲୋଚନାରେ କୁହାଯାଇଛି- ‘‘ଏଣୁ ମନେହୁଏ, ସିନ୍ଧୁରାଷ୍ଟ୍ରରେ କୌଣସି ରାଷ୍ଟ୍ରଦେବତା ନଥିଲେ ବା ରାଷ୍ଟ୍ରର କୌଣସି ଧର୍ମକେନ୍ଦ୍ର ନଥିଲା । ପ୍ରତ୍ୟେକ ବ୍ୟକ୍ତି ବା ପରିବାର ନିଜ ନିଜ ସ୍ୱତନ୍ତ୍ର ଧର୍ମ ଓ ପୂଜା ଅନୁଷ୍ଠିତ କରୁଥିଲେ ।’’ (ପୃ ୨୯୯) ଏଥିରେ ଜୈନଧର୍ମକୁ ଭାରତର ପ୍ରାଚୀନତମ ଧର୍ମ ଓ ଏହାର ପ୍ରଥମ ବିକାଶ ସିନ୍ଧୁଭୂମି ଓ ସୁମେରରେ ହୋଇଥିଲା ବୋଲି ପ୍ରମାଣ କରାଯାଇଛି । ସିନ୍ଧୁଭୂମିରୁ ଆବିଷ୍କୃତ ଦୁଇଟି ଉଲ୍ଲେଖଯୋଗ୍ୟ ସିଲ୍‌ ମୋହରର କେନ୍ଦ୍ରରେ ଥିବା ବଜ୍ରାସନାରୂଢ଼, ଉଲଙ୍ଗ ଓ ଧ୍ୟାନମଗ୍ନ ମୂର୍ତ୍ତିକୁ ଏକ ଜୈନମୂର୍ତ୍ତି ଭାବରେ ଗ୍ରହଣ କରାଯାଇଛି । ଏଠାରୁ ଆବିଷ୍କୃତ ଅନେକ ସିଲ୍‌ ମୋହରରେ ସ୍ୱସ୍ତିକ ଚିହ୍ନ ରହିଛି । ଏହି ସ୍ୱସ୍ତିକଗୁଡ଼ିକ ସିନ୍ଧୁ ଉପତ୍ୟକାରେ ଜୈନଧର୍ମର ଅସ୍ତିତ୍ୱ ଜାହିର କରେ । ‘‘ଜୈନଧର୍ମର ଉତ୍ପତ୍ତି ସିନ୍ଧୁଭୂମିରେ ହୋଇଥିଲା କି ନାହିଁ ତାହା ନିଶ୍ଚିତରୂପେ କୁହାଯାଇନପାରେ । ହୁଏତ ଏହାର ଉତ୍ପତ୍ତି ସୁମେର ଭୂମିରେ ଅନୁସନ୍ଧାନ କରାଯାଇପାରେ । x x x ଜୈନଧର୍ମର ଉତ୍ପତ୍ତି ଯେଉଁଠାରେ ହୋଇଥାଉ ନା କାହିଁକି, ସିନ୍ଧୁଭୂମିରେହିଁ ଏହାର ଭୂୟୋବିକାଶ ହୋଇଥିଲା’’ (ପୃ୩୦୩) ବୋଲି ପ୍ରକାଶ କରାଯାଇ ପ୍ରବନ୍ଧଟିକୁ ସମାପ୍ତ କରାଯାଇଛି ।

 

ଏପ୍ରିଲ, ୧୯୫୦ରେ ‘ନବଭାରତ’ରେ ପ୍ରକାଶିତ ତାଙ୍କର ଅନ୍ୟ ଏକ ପ୍ରବନ୍ଧ ହେଉଛି ‘ଆଦିନାଥ ଋଷଭ କି ଜଗନ୍ନାଥ ?’ ଏହାର ଉପକ୍ରମ ଏହିପରି- ‘‘ଜଗନ୍ନାଥ ଓ ଜଗନ୍ନାଥଧର୍ମର ଆରମ୍ଭ ଏବଂ ବିକାଶ ଘେନି ବର୍ତ୍ତମାନ ଆମ ଦେଶର ଐତିହାସିକମାନଙ୍କ ମଧ୍ୟରେ ନାନାମତ ଦେଖାଦେଇଛି । ଏହି ଧର୍ମର ବିକାଶ ମୂଳରେ କେହି ବ୍ରାହ୍ମଣ୍ୟଧର୍ମର, କେହି ବୌଦ୍ଧଧର୍ମର ଏବଂ କେହି ବା ଜୈନଧର୍ମର ପ୍ରଭାବ ଥିବା ଅଭିମତ ପ୍ରକାଶ କରନ୍ତି । ଜୈନଧର୍ମ ସହିତ ପ୍ରାଚୀନ କଳିଙ୍ଗ ସଭ୍ୟତାର ଯେଉଁ ନିବିଡ଼ ସମ୍ପର୍କ ରହିଥିଲା, ତାହାର ଆଲୋଚନା କଲେ ଶେଷୋକ୍ତ ମତବାଦ ଅଧିକ ସୁସଙ୍ଗତ ଥିବା ଜଣାପଡ଼େ ।’’ (ପୃ ୨୪୩)

 

ଏହି ମତବାଦକୁ ପ୍ରମାଣ କରିବାକୁ ଯାଇ ପ୍ରାବନ୍ଧିକ ବିଭିନ୍ନ ପୁରାଣ, ହାତୀଗୁମ୍ଫା ଶିଳାଲେଖ ଇତ୍ୟାଦିର ନିର୍ଭରରେ ଜୈନଧର୍ମର ପ୍ରବର୍ତ୍ତକ ଆଦିନାଥ ୠଷଭଙ୍କ ପରିଚୟ ଖୋଜିଛନ୍ତି ଓ ଆଦିନାଥ ଋଷଭଙ୍କ ସହିତ ଜଗନ୍ନାଥଙ୍କ ସମ୍ପର୍କର ମଧ୍ୟ ଅନୁସନ୍ଧାନ କରିଛନ୍ତି । ଗ୍ରୀକ୍‌ ଭୌଗୋଳିକ ଟୋଲେମିଙ୍କ ମତକୁ ବିଶ୍ଳେଷଣ କରି ସେ କହନ୍ତି-‘‘ତେବେ ମହାନଦୀ ଓ ଋଷିକୁଲ୍ୟା ନଦୀ ମୁହାଣର ମଧ୍ୟବର୍ତ୍ତୀ ସ୍ଥାନକୁ ଆଧୁନିକ ପୁରୀ ବୋଲି ନିଶ୍ଚିତରୂପେ ଗ୍ରହଣ କରାଯାଇପାରେ । ସୁତରାଂ ପୁରୀକ୍ଷେତ୍ରରେ ଅତି ପ୍ରାଚୀନକାଳରୁ ଋଷଭ ଦେବଙ୍କ ପୂଜା ପ୍ରତିଷ୍ଠିତ ଥିଲା ଏବଂ ଏହି ଅଗ୍ରଜିନକଳିଙ୍ଗ ରାଜ୍ୟର ଜାତୀୟ ଦେବତାରୂପେ ଗୃହୀତ ହୋଇଥିଲେ ।’’ (ପୃ ୨୪୫) ସେ ଅନ୍ୟତ୍ର ପ୍ରକାଶ କରନ୍ତି ଯେ ସିନ୍ଧୁଉପତ୍ୟକାର ମହେଞ୍ଜୋଦାରୋରୁ ପ୍ରାପ୍ତ ସିଲ୍‌ ଉପରେ ୠଷଭଙ୍କ ପ୍ରତିକୃତି ସହିତ ‘ଜିନେଶ୍ୱର’ ଶବ୍ଦ ଅଙ୍କିତ ହୋଇଥିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ‘ଅଭିଧାନ ରାଜେନ୍ଦ୍ର’ ଅନୁସାରେ ଜଗନ୍ନାଥ ଜିନେଶ୍ୱରଙ୍କ ନାମାନ୍ତର ମାତ୍ର ।(ପୃ ୨୪୭)

 

ତାଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଦିବସ ୠଷଭଦେବଙ୍କ ଜନ୍ମଦିବସରୂପେ ପାଳିତ ହୁଏ । ଜଗନ୍ନାଥଧାମର କଳ୍ପବଟ ଜୈନଧର୍ମର କଳ୍ପବୃକ୍ଷ ବୋଲି ମନେହୁଏ । ଏ ପ୍ରବନ୍ଧରେ ତାଙ୍କ ଶେଷ ମତ ହେଉଛି- ‘‘ଏହିସବୁ କାରଣରୁ ଜଗନ୍ନାଥ ଓ ଜଗନ୍ନାଥଧର୍ମର ବିକାଶ ମୂଳରେ ଜୈନଧର୍ମର ପ୍ରତ୍ୟକ୍ଷ ପ୍ରଭାବ ଲକ୍ଷ୍ୟ କରାଯାଇପାରେ । ଅତଏବ ଜଗନ୍ନାଥଙ୍କ ତତ୍ତ୍ୱ ନିରୂପଣ କରିବା ନିମନ୍ତେ ଆମ୍ଭମାନଙ୍କୁ ବର୍ତ୍ତମାନ ଏହି ସୁଦୂର ଅତୀତକୁ ଗତି କରିବାକୁ ହେବ ।’’ (ପୃ ୨୪୭)

 

ଉପରେ ଆଲୋଚିତ ପ୍ରବନ୍ଧର ଉପସଂହାରୀୟ ମତରେ ସେ ଯେଉଁ ଖିଅଟି ଧରାଇଦେଇଗଲେ, ତାହାର ବିଶ୍ଳେଷଣ କଲେ ‘ନବଭାରତ’ରେ ପ୍ରକାଶିତ ତାଙ୍କ ପରବର୍ତ୍ତୀ ପ୍ରବନ୍ଧ ‘ଜଗନ୍ନାଥଙ୍କ ଐତିହାସିକ ଭୂମିକା’ରେ । ଏହି ଦୀର୍ଘ ପ୍ରବନ୍ଧଟି ଦୁଇଭାଗରେ ବିଭକ୍ତ ଏବଂ ଦୁଇ’ଟି (ଜାନୁଆରୀ, ୧୯୫୧ ଓ ମାର୍ଚ୍ଚ, ୧୯୫୧) ସଂଖ୍ୟାରେ ପ୍ରକାଶିତ । ପ୍ରଥମ ଭାଗରେ ‘ଜଗନ୍ନାଥ କ’ଣ ନୁହନ୍ତି ?’ ଓ ଦ୍ୱିତୀୟ ଭାଗରେ ‘ଜଗନ୍ନାଥ କ’ଣ ?’ ବୋଲି ସେ ପ୍ରମାଣ କରିଛନ୍ତି । ଜଗନ୍ନାଥ ଯେ କଳିଙ୍ଗ ସଂସ୍କୃତିର ପ୍ରାଣକେନ୍ଦ୍ର, ଯୁଗେ ଯୁଗେ ଏ ସଂସ୍କୃତି ଜ୍ଞାତ ଓ ଅଜ୍ଞାତରେ ଜଗନ୍ନାଥଙ୍କଠୁଁ ସମ୍ୱେଦନା ଲାଭକରି ବଞ୍ଚିଆସିଅଛି ଏବଂ ଜଗନ୍ନାଥ ଏ ଜାତିର ଅନ୍ତଃସ୍ଥଳରେ ସଦା ବର୍ତ୍ତମାନ-ଏହାହିଁ ସେ ଏ ପ୍ରବନ୍ଧ ଉପକ୍ରମରେ ପ୍ରକାଶ କରିଅଛନ୍ତି । ଯେଉଁମାନେ ଜଗନ୍ନାଥଙ୍କୁ ବୌଦ୍ଧ ତ୍ରିରତ୍ନ ଭାବରେ ପ୍ରକାଶ କରନ୍ତି ସେମାନଙ୍କ ମତକୁ ସେ ସଯୁକ୍ତି ଖଣ୍ଡନ କରିଛନ୍ତି ଏବଂ ଜଗନ୍ନାଥ ଯେ ବୌଦ୍ଧ ନୁହନ୍ତି, ତାହା ସ୍ପଷ୍ଟ ଶବ୍ଦରେ ପ୍ରକାଶ କରିଛନ୍ତି । ଜଗନ୍ନାଥ ଯେ ବୈଦିକ ଦେବତା, ଏ ମତ ମଧ୍ୟ ଅନେକ ଆଲୋଚନା ଗ୍ରହଣ କରନ୍ତି; କିନ୍ତୁ ଦୃଢ଼ ଯୁକ୍ତିବଳରେ ସେ ଜଗନ୍ନାଥଙ୍କୁ ଅବୈଦିକ ବୋଲି ପ୍ରମାଣ କରନ୍ତି ଏବଂ ଏ-ସମ୍ପର୍କୀୟ ନିଜ ସିଦ୍ଧାନ୍ତ ଶୁଣାନ୍ତି-‘‘....ବେଦକୁ ଅପୌରୁଷେୟ କହି ତାହା ସକଳ ସଂସ୍କୃତିର ମୂଳଭୂମି ବୋଲି ଯୁକ୍ତି ବାଢ଼ିବା କେବେ ସମୀଚୀନ ନୁହେଁ । ପ୍ରାକୃତିକ ଦେବଶକ୍ତିର ତୃପ୍ତିପାଇଁ ଅନୁଷ୍ଠିତ ଯାଗଯଜ୍ଞାଦିର ବେଦଧର୍ମ ପର୍ଯ୍ୟବସିତ । ଏ ବୈଦିକ କର୍ମକାଣ୍ଡ ଭିତରୁ ଜଗନ୍ନାଥଙ୍କ ଉତ୍ପତ୍ତି କେବଳ ଅସମ୍ଭବ ନୁହେଁ, ଅସ୍ୱାଭାବିକ ମଧ୍ୟ । ଜଗନ୍ନାଥ ସ୍ପଷ୍ଟତଃ ଅବୈଦିକ । ଭାରତର ପ୍ରାଚୀନତମ ପୁଷ୍କଳ ପ୍ରାଗ୍‌ବୈଦିକ ସଂସ୍କୃତିହିଁ ଏ ଜଗନ୍ନାଥଙ୍କ ପ୍ରସୂତି । ବୈଦିକ ବ୍ରାହ୍ମଣକାର ଜଗନ୍ନାଥଙ୍କୁ ମହତୀ ଦେବତା ବୋଲି ସ୍ୱୀକାର କରିବାରେ ତାଙ୍କ ମହିମାମୟ ପୂର୍ବପ୍ରତିଷ୍ଠାର ସଂକେତମାତ୍ର ପ୍ରଦାନ କରିଛନ୍ତି ।’’ (ପୃ୪)

 

ତା’ପରେ ସେ ଜଗନ୍ନାଥଙ୍କୁ କେନ୍ଦ୍ରକରି ବୈଷ୍ଣବ ଓ ବୌଦ୍ଧଙ୍କ ପ୍ରଚାର ବିଷୟରେ ଆଲୋଚନା କରନ୍ତି । ବୌଦ୍ଧମାନେ ଜଗନ୍ନାଥଙ୍କୁ ନିଜର କହିବାବେଳେ ବୈଷ୍ଣବମାନେ ତାଙ୍କୁ ନିଜର କରିବାକୁ ଶାସ୍ତ୍ରମାନ ରଚନାକରି ଚେଷ୍ଟା ଚଳାଇଛନ୍ତି । କିନ୍ତୁ ସେମାନଙ୍କ ଚେଷ୍ଟାରେ ଦୂରଦୃଷ୍ଟି ଓ ସାହସିକତା ଯଥେଷ୍ଟ ଥିଲେ ମଧ୍ୟ ଅନ୍ତର୍ଦୃଷ୍ଟି ଓ ଦୃଢ଼ତା ନଥିବାରୁ ବୁଦ୍ଧ କିମ୍ବା ଜଗନ୍ନାଥ ତଦ୍ଦ୍ୱାରା ଟଳିଯାଇନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

 

ତାପରେ ‘ମହାଭାରତ’ରେ ନାରାୟଣୀୟ ଧର୍ମର ଆଲୋଚନା କରି ସେ ପ୍ରକାଶ କରନ୍ତି ଯେ ଖ୍ରୀଷ୍ଟୀୟ ୩ୟ ଶତାବ୍ଦୀ ପ୍ରାରମ୍ଭରେ ଶାନ୍ତିପର୍ବର ନାରାୟଣୀୟ ଅଧ୍ୟାୟମାନ ଲିଖିତ । ଏଣୁ ଜଗନ୍ନାଥ ମୂଳରୁ ନାରାୟଣ ବା ବୈଷ୍ଣବ ଦେବତା ନଥିଲେ । ପରେ ପରେ ସେ ‘ଭଗବତ୍‌ ଗୀତା ଓ ଦାରୁବ୍ରହ୍ମ’ ବିଷୟକ ଆଲୋଚନାରେ କହନ୍ତି ଯେ ଦାରୁବ୍ରହ୍ମ ଧାରଣା ବା ଅବବୋଧ ବୈଦିକମାନଙ୍କଦ୍ୱାରା ପ୍ରାଗ୍‌ବୈଦିକ ସଂସ୍କୃତିରୁ ଗୃହୀତ । ବେଦଧର୍ମରେ ଦେବତାର ପୂଜା ନାହିଁ; ଦେବତାଙ୍କ ତୁଷ୍ଟିବିଧାନ ନିମନ୍ତେ ଅଛି କେବଳ ହୋମ । ତେଣୁ ସେ ସଂସ୍କୃତିରେ ଦାରୁବିଗ୍ରହର ସୃଷ୍ଟି କଳ୍ପନାତୀତ । ଆଜି ଯେଉଁ ମନ୍ଦିର ଓ ସେଥିରେ ପୂଜିତ ଦେବଦେବୀଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ପ୍ରଦାନ ପ୍ରଚଳିତ, ତାହା ସବୁ ଅବୈଦିକ । ଦାରୁନିର୍ମିତ ଦେବବିଗ୍ରହ ବି ଅବୈଦିକ ବୋଲି ସେ ଦୃଢ଼ ଯୁକ୍ତିର ସହିତ ପ୍ରମାଣ କରିଛନ୍ତି ।

 

ଏହି ପ୍ରବନ୍ଧର ଦ୍ୱିତୀୟ ଭାଗରେ ଜଗନ୍ନାଥ ମୂଳତଃ ଜୈନ ଓ ପ୍ରାଗ୍‌ବୈଦିକ ଜୈନସଭ୍ୟତାର ପ୍ରଭାବରେ ତାଙ୍କର ଆତ୍ମପ୍ରକାଶ ବୋଲି ପ୍ରାବନ୍ଧିକ ମତ ଦିଅନ୍ତି । ଜୈନଧର୍ମ ହେଉଛି ପ୍ରାଗ୍‌ବୈଦିକ ଓ ଜୈନଧର୍ମର ଆଦିନାଥ ହେଉଛନ୍ତି ୠଷଭଦେବ । ତାଙ୍କ ମତରେଋଷଭଦେବଙ୍କ ଲାଳନଭୂମି ହେଉଛି ଦକ୍ଷିଣ କୋଶଳ । ସୋନପୁରର ବିନ୍‌କା ପୂର୍ବେ ବିନୀତପୁରରୂପେ ବିଖ୍ୟାତ ଥିବା ମହାଶିବଗୁପ୍ତ ଯଯାତିଙ୍କର ତିନୋଟି ତାମ୍ରଶାସନରୁ ସ୍ପଷ୍ଟ ହୁଏ । ଏ ଅଞ୍ଚଳର ପ୍ରାଚୀନତା ମହାଭାରତର ନଳ-ଉପାଖ୍ୟାନର କେତେକ ପଦରୁ ପ୍ରମାଣିତ ହୁଏ । ଏଥିରେ ‘ଋଷଭ ତୀର୍ଥ’ର ପରିଚୟ ମଧ୍ୟ ରହିଛି । ଏ-ସମ୍ପର୍କୀୟ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମଧ୍ୟ ରହିଛି । କଳିଙ୍ଗର ପ୍ରାଚୀନ ସଂସ୍କୃତି ସହିତ ଋଷଭଙ୍କର ସ୍ମୃତି ଅତି ନିବିଡ଼ । ତାଙ୍କ ଜନ୍ମସ୍ଥାନ ଦକ୍ଷିଣ କୋଶଳର ବିନୀତପୁର ହେଲେହେଁ ସେ କଳିଙ୍ଗର ସନ୍ତାନ ଥିଲେ । କାରଣ ପ୍ରାଚୀନ କୋଶଳ ପ୍ରାଚୀନ କଳିଙ୍ଗର ଅନ୍ତର୍ଭୁକ୍ତ ଥିଲା । ସେ କଳିଙ୍ଗର ହୁଅନ୍ତୁ ବା ନ ହୁଅନ୍ତୁ, ସେ ଯେ ପ୍ରାଚୀନ କଳିଙ୍ଗର ଆରାଧ୍ୟ ଦେବତା ଥିଲେ, ଏଥିରେ ସନ୍ଦେହ ନାହିଁ । ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ କଳିଙ୍ଗ ଜୟକରି ମଗଧର ନନ୍ଦରାଜ ମହାପଦ୍ମନନ୍ଦ କଳିଙ୍ଗରୁ ଯେଉଁ ଅଗ୍ରଜିନ ବା କାଳିଙ୍ଗଜିନ ନିଜ ଦେଶକୁ ଘେନି ଯାଇଥିଲେ, ତାହାହିଁ ଥିଲା ଋଷଭଙ୍କ ପ୍ରତିମୂର୍ତ୍ତି । ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀରେ କଳିଙ୍ଗସମ୍ରାଟ ଖାରବେଳ ମଗଧ ଜୟକରି ସେହି ଅଗ୍ରଜିନ ପ୍ରତିମୂର୍ତ୍ତି କଳିଙ୍ଗକୁ ଫେରାଇଆଣିଥିଲେ ।

 

ଖାରବେଳଙ୍କ ଶିଳାଲେଖବର୍ଣ୍ଣିତ ପିଥୁଣ୍ଡ ନଗରକୁ ସେ ପୁରୀକ୍ଷେତ୍ର ସହିତ ଚିହ୍ନିତ କରିଛନ୍ତି ଏବଂ ପୁରୀକ୍ଷେତ୍ର ଋଷଭଙ୍କ ଆଦିପୀଠ ବୋଲି ପ୍ରତିଷ୍ଠା କରିଛନ୍ତି । ଯଦି ଖାରବେଳଙ୍କ ପର୍ଯ୍ୟନ୍ତ ଅର୍ଥାତ୍‌ ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀ ପର୍ଯ୍ୟନ୍ତ ପୁରୀକ୍ଷେତ୍ର ଥିଲା ଋଷଭଦେବଙ୍କ ପୂଜାପୀଠ, ତେବେ ସେଠାରେ ପୁରୁଷୋତ୍ତମ ଜଗନ୍ନାଥଙ୍କ ପୂଜାର ସୂତ୍ରପାତ କେବେଠାରୁ ହେଲା ? ଶାସ୍ତ୍ରୀୟ ପ୍ରମାଣ ଆଧାରରେ ସେ ଜଗନ୍ନାଥ ଶବ୍ଦ ମୂଳତଃ ଜୈନଶବ୍ଦ ବୋଲି ପ୍ରକାଶ କରିଛନ୍ତି । ସେହି ସାଂସ୍କୃତିକ ବିପ୍ଳବର ପୃଷ୍ଠଭୂମିରେ ଖ୍ରୀଷ୍ଟପୂର୍ବ ୧ମ ବା ଖ୍ରୀଷ୍ଟପର ୧ମ ଶତାବ୍ଦୀରେ ରଚିତ ‘ଭଗବଦ୍‌ଗୀତା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ‘‘ସେ ଯାହାହେଉ, ଭାରତର ସାଂସ୍କୃତିକ ବିପ୍ଳବର ସନ୍ଧିକ୍ଷଣରେ ଗୀତାକାର ଋଷଭ-ଜଗନ୍ନାଥଙ୍କୁ ବେଦରେ କୀର୍ତ୍ତିତ ଓ ଲୋକରେ ପୂଜିତ ପୁରୁଷୋତ୍ତମ ବୋଲି ଘୋଷଣାକରି ତାଙ୍କ ରୂପାନ୍ତରୀକରଣର ଯେ ସର୍ବପ୍ରଥମ ଓ ସର୍ବପ୍ରଧାନ କାରଣ ହୋଇଛନ୍ତି, ଏହା ନିଃସନ୍ଦେହ ।’’ (ପୃ ୧୧୯)

 

‘ଭାଗବତ’ ରଚନାକାଳକୁ ଜୈନ ଆଦିନାଥ ଋଷଭ ଭାଗବତଧର୍ମରେ ସମ୍ପୂର୍ଣ୍ଣତଃ ଅବତାର ହୋଇଗଲେଣି । ତଥାପି ଭାଗବତରେ ଋଷଭଙ୍କ ପ୍ରସଙ୍ଗ ରହିଛି । ସେଥିରେ ଜୈନଦର୍ଶନର ବିଶ୍ଳେଷଣ କରାଯାଇଛି । ଏଥିରୁ ସୂଚନା ମିଳେ ଯେ ଜୈନ ଆଦିନାଥ ଏବଂ ଭାଗବତ ବା ବୈଷ୍ଣବ ଆଦିନାଥ ଋଷଭ ଏକ ଓ ଅଭିନ୍ନ । ଏହା ପ୍ରମାଣ କରିବା ଦିଗରେ ଆଗେଇଯାଇ ସେ କହନ୍ତି-‘‘ଜଗନ୍ନାଥ ଯେ ମୂଳତଃ ଜୈନଶବ୍ଦ, ପୁଣି ତାହା ଯେ ଜିନେଶ୍ୱର ଋଷଭଦେବଙ୍କ ନାମାନ୍ତର ମାତ୍ର, ଏହା ପୂର୍ବେ କୁହାଯାଇଛି । ମହେଞ୍ଜୋଦାରୋର ସିଲ୍‌ ମୋହର ଉପରେ ଋଷଭଙ୍କ ପ୍ରତିକୃତି ସହିତ ‘ଜିନେଶ୍ୱର’ ଶବ୍ଦ ଅଙ୍କିତ ହୋଇଥିବା ଗୁରୁତ୍ୱ ପ୍ରତି ଆମ୍ଭେ ଏଠାରେ ଆଉଥରେ ନିର୍ଦ୍ଦେଶ କରିଦେବାକୁ ଚାହୁଁ । ପୁଣି ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ, ଯେଉଁଦିନ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ ଅନୁଷ୍ଠିତ ହୁଏ, ତାହା ଋଷଭଦେବଙ୍କ ଜନ୍ମଦିବସ ରୂପେ ସମଗ୍ର ଜୈନ-ଜଗତରେ ପାଳିତ ହୋଇଥାଏ । ଜଗନ୍ନାଥଙ୍କ ରଥାଯାତ୍ରା କୃଷ୍ଣଙ୍କ ଘୋଷଯାତ୍ରା ନୁହେଁ କିମ୍ବା ଜଗନ୍ନାଥ କୃଷ୍ଣ ନୁହନ୍ତି । ସେ ହେଉଛନ୍ତି ସ୍ପଷ୍ଟତଃ ଋଷଭଦେବଙ୍କ ରୂପାନ୍ତର ଓ ତାଙ୍କ ରଥଯାତ୍ରା ଏଇ ଆଦିନାଥଙ୍କ ରଥ ଉତ୍ସବର ପରିଣତି । ପ୍ରତି ଜୈନ ତୀର୍ଥଙ୍କରଙ୍କ ସଂକେତସ୍ୱରୂପ ଗୋଟିଏଲେଖାଏଁ କେବଳବୃକ୍ଷ ଜୈନ ପରମ୍ପରାରେ ନିରୂପିତ ହୋଇଛି ଓ ଆଦି ତୀର୍ଥଙ୍କର ଋଷଭଙ୍କ କେବଳବୃକ୍ଷ ହେଉଛି କଳ୍ପବଟ-। କହିବା ବାହୁଲ୍ୟ ଯେ, ଜଗନ୍ନାଥ ଧର୍ମର କଳ୍ପବଟ ୠଷଭଦେବଙ୍କ ଏଇ କେବଳବୃକ୍ଷ ଭିନ୍ନ ଆଉ କିଛି ନୁହେଁ । ଜଗନ୍ନାଥ ପୂଜାରେ ଓ ନୈବେଦ୍ୟ ସେବାରେ କୈବଲ୍ୟ ପ୍ରାପ୍ତି ହୁଏ ବୋଲି ଲୋକଙ୍କ ଦୃଢ଼ ବିଶ୍ୱାସ । ଏପରିକି ତାଙ୍କ ମହାପ୍ରସାଦ କୈବଲ୍ୟ ନାମରେ ସମଗ୍ର ଭାରତରେ ସୁପରିଚିତ । ଏହି କୈବଲ୍ୟ ଯେ ସ୍ପଷ୍ଟତଃ ଜୈନଶବ୍ଦ ଓ କୈବଲ୍ୟପ୍ରାପ୍ତି ଯେ ଜୈନ ଅର୍ହତଙ୍କ ଶେଷ ଲକ୍ଷ୍ୟ, ଏହା କାହାରିକୁ ଅବିଦିତ ନୁହେଁ । ଜୈନ ଶାସ୍ତ୍ରମତେ ଋଷଭଦେବଙ୍କ ସାଙ୍କେତିକ ଚିହ୍ନ ହେଉଛି ଚକ୍ର ଓ ବୃଷଭ । ଜଗନ୍ନାଥଧାମର ନୀଳଚକ୍ର ଯେ ଋଷଭଙ୍କ ଲାଞ୍ଛନ, ଏହା ନିଃସନ୍ଦେହରେ କୁହାଯାଇପାରେ-। ଆହୁରି ମଧ୍ୟ ଋଷଭଙ୍କ ପୂଜାପୀଠ ହେବାଯୋଗୁଁ ପୁରୀକ୍ଷେତ୍ର ଚକ୍ରତୀର୍ଥ ରୂପେ ଭାରତରେ ସୁବିଖ୍ୟାତ । କେବଳ ପୁରୀ ନୁହେଁ, ଆବୁ ପାହାଡ଼ଠୁଁ ଆରମ୍ଭ କରି କେନ୍ଦୁଝର ଜଙ୍ଗଲ ପର୍ଯ୍ୟନ୍ତ ଯେଉଁଠି ଋଷଭଙ୍କ ପୂଜା ପ୍ରତିଷ୍ଠିତ ଅଛି, ସେସବୁ ଚକ୍ରତୀର୍ଥରୂପେ କଥିତ ।

 

‘‘ଅତଏବ ଜୈନଧର୍ମର ଆଦିତୀର୍ଥଙ୍କର ୠଷଭନାଥ ଯେ ଜଗନ୍ନାଥ ଏଥିରେ ସନ୍ଦେହର ଅବକାଶ ଥାଇନପାରେ ।’’ (ପୃ ୧୨୨)

 

ପୂର୍ବାଲୋଚିତ ପ୍ରବନ୍ଧରେ ସେ ଜଗନ୍ନାଥଙ୍କର ମୂଳ ଉତ୍ସ ଖୋଜିବାପାଇଁ ପାଠକଙ୍କ ମନରେ ଯେଉଁ ଉତ୍ସୁକତା ଭରିଦେଇଥିଲେ, ଆଲୋଚ୍ୟ ପ୍ରବନ୍ଧରେ ଜଗନ୍ନାଥଙ୍କ ମୂଳ ଜୈନଧର୍ମରେ ନିହିତ ବୋଲି ପ୍ରମାଣ କରି ସେହି ଉତ୍ସୁକତାର ଅବସାନ ଘଟାଇଛନ୍ତି ।

 

ଡକ୍ଟର ସାହୁ ଜଣେ ବୌଦ୍ଧଶାସ୍ତ୍ରବିତ୍‌ । ବୌଦ୍ଧଧର୍ମ ତାଙ୍କ ଗବେଷଣାର କ୍ଷେତ୍ର । ଏହି ସୂତ୍ରରେ ସେ ବହୁ ବୌଦ୍ଧଶାସ୍ତ୍ର ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି ଏବଂ ଅଧୀତ ଜ୍ଞାନକୁ ବିନିଯୋଗ କରିଛନ୍ତି ନିଜର କୃତିରାଜିରେ । ଏହିପରି ତାଙ୍କର ଏକ ଦୀର୍ଘ ପ୍ରବନ୍ଧ ହେଉଛି ‘ବୁଦ୍ଧଙ୍କ ପୃଷ୍ଠଭୂମିରେ ନାରୀ’, ଯେଉଁଥିରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ଅନ୍ୟୂନ ଚାଳିଶ ଜଣ ନାରୀଙ୍କ ପରିଚୟ, ସେମାନଙ୍କ ଜୀବନର ହର୍ଷବିଷାଦର ବର୍ଣ୍ଣନା ଓ ଶେଷରେ ଭଗବାନ ବୁଦ୍ଧଙ୍କ ଶରଣାପନ୍ନ ହୋଇ ଭିକ୍ଷୁଣୀ ସଂଘରେ ସାମିଲ ହେବାର କାହାଣୀ ସ୍ଥାନିତ । ସେମାନଙ୍କ ମଧ୍ୟରେ ବୁଦ୍ଧଙ୍କ ବିମାତା ମହାପ୍ରଜାପତି ଗୌତମୀ, ସମ୍ପର୍କୀୟା କୃଷ୍ଣାଗୌତମୀ, ରାହୁଳମାତା ଯଶୋଧାରା, ଶାକ୍ୟବଂଶୀୟା ଅଭିରୂପା ନନ୍ଦାଙ୍କ ସହିତ ସୁଜାତା, ସୁମେଧା, କ୍ଷେମା, ଉତ୍କଳବର୍ଣ୍ଣା, ଶୁଭା, ଶ୍ୟାମା, ଅମ୍ବାପଲି ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ଏହି ପ୍ରବନ୍ଧରେ ବୌଦ୍ଧଦର୍ଶନ ରହିଛି, ରହିଛି ପୁଣି ନାରୀମାନଙ୍କର ସଂଘ-ପ୍ରବେଶର ପୃଷ୍ଠଭୂମି । ସୂକ୍ଷ୍ମତତ୍ତ୍ୱସ୍ପର୍ଶିତ ପ୍ରବନ୍ଧର ଉପସଂହାରଟି ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ, ଏଣୁ ଉଦ୍ଧାରଯୋଗ୍ୟ-

 

‘‘ଖ୍ରୀଷ୍ଟପୂର୍ବ ୪୮୭ରେ କୁଶୀନଗର ଉପକଣ୍ଠରେ ଥିବା ଶାଳବଣରେ ବୁଦ୍ଧଙ୍କର ପରିନିର୍ବାଣ ହୋଇଥିଲା । ମହାପ୍ରୟାଣ ସମୟରେ ସେ ବିଶିଷ୍ଟ ଶିଷ୍ୟଙ୍କଦ୍ୱାରା ପରିବେଷ୍ଟିତ ହୋଇଥିଲେହେଁ ସେତେବେଳେ ସେଠାରେ କୌଣସି ନାରୀ ଉପସ୍ଥିତ ନଥିଲେ । ମାତ୍ର ମହାପ୍ରଜାପତି ଓ ରାହୁଳମାତାଙ୍କର ସ୍ମୃତି ସେ ଭୁଲିପାରିନଥିଲେ । ରାହୁଳମାତାଙ୍କର ଶେଷ ଉକ୍ତି–ମୁଁ ନିଜେ ନିଜଠାରେ ଆଶ୍ରୟ ନେଇଛି–ବୁଦ୍ଧଙ୍କ ପକ୍ଷରେ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଥିଲା । ପ୍ରିୟଶିଷ୍ୟ ଆନନ୍ଦ ବୁଦ୍ଧଙ୍କର ଶେଷ ଉପଦେଶ ବାଣୀ ଶୁଣିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ରାହୁଳମାତାଙ୍କର ଉକ୍ତି ମନେପକାଇ ବୁଦ୍ଧ ତାଙ୍କୁ କହିଥିଲେ–ନିଜେ ନିଜର ଆଲୁଅ ହୁଅ ।’’

 

ପ୍ରାବନ୍ଧିକଙ୍କ ବହୁପାଠିତାର ପରିଚୟ ପ୍ରବନ୍ଧର ଛତ୍ରେ ଛତ୍ରେ ପ୍ରତିଫଳିତ ।

 

ଡକ୍ଟର ନବୀନକୁମାର ସାହୁ ଓଡ଼ିଶାରେ ବୌଦ୍ଧଧର୍ମ ଓ ସଂସ୍କୃତି ଉପରେ ଗବେଷଣାକରି ତତ୍‌ସମ୍ପର୍କୀୟ ନୂତନ ତଥ୍ୟମାନ ଲୋକଲୋଚନକୁ ଆଣିବାରେ ପ୍ରଥମ ଗବେଷକ । ଓଡ଼ିଶା ମହାଯାନ ବୌଦ୍ଧଶାଖାର ଉତ୍ପତ୍ତିସ୍ଥଳ, ଏବଂ ମହାଯାନ ବିଜ୍ଞାନବାଦ ଦର୍ଶନ କ୍ରମେ ତନ୍ତ୍ରଯାନ ଦର୍ଶନରେ ପରିଣତ ହୋଇ ତନ୍ତ୍ରଯାନର ଉଦ୍ଭବ ମଧ୍ୟ ସମ୍ଭବ କରିଥିଲା ଏଇ ଓଡ଼ିଶା ମାଟିରେ ବୋଲି ସେ ପ୍ରମାଣ କରିଛନ୍ତି । ଏ ବିଷୟକ ତାଙ୍କ ଗବେଷଣା ଗ୍ରନ୍ଥ Buddhism in Orissa ୧୯୫୮ ଖ୍ରୀଷ୍ଟାବ୍ଦରେ ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ । ଏହି ବିଷୟରେ ଅନେକ ପ୍ରବନ୍ଧ ମଧ୍ୟ ତାଙ୍କର ରହିଛି । ସେଥିମଧ୍ୟରୁ ଅନ୍ୟତମ ହେଉଛି ‘ଓଡ଼ିଶାରେ ବୌଦ୍ଧସଂସ୍କୃତି’ ପ୍ରବନ୍ଧ, ଯାହା ତାଙ୍କଦ୍ୱାରା ୧୯୫୭ ନଭେମ୍ବର ୪ ତାରିଖରେ ରେଭେନ୍ସା କଲେଜ ପୂର୍ବ ଛାତ୍ରାବାସରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ଆସରରେ ପ୍ରଦତ୍ତ ଅଭିଭାଷଣର ସାରାଂଶ-। ପରବର୍ତ୍ତୀ ସମୟରେ ତାହା ଓଡ଼ିଶା ସାହିତ୍ୟ ଏକେଡେମୀର ମୁଖପତ୍ର ‘କୋଣାର୍କ’ର ପ୍ରଥମ ସଂଖ୍ୟାରେ ପ୍ରକାଶିତ ଓ ପରେ ସେହି ପତ୍ରିକାର ୧୪୭-୪୮ ମିଳିତ ସଂଖ୍ୟାରେ ପୁନଃ ପ୍ରକାଶିତ ।

 

ଏହି ପ୍ରବନ୍ଧରେ ସେ ପ୍ରକାଶ କରନ୍ତି ଯେ ଖ୍ରୀଷ୍ଟଜନ୍ମର ଛଅସହ ବର୍ଷ ପୂର୍ବେ ଭଗବାନ ବୁଦ୍ଧଙ୍କର ବୋଧିସତ୍ତ୍ୱଲାଭ ଫଳରେ ମାନବସଭ୍ୟତାର ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରପାତ ହେଲା ଏବଂ ଭାରତୀୟ ଧର୍ମଜୀବନରେ ଏକ ଅଭିନବ ସ୍ପନ୍ଦନ ଜାତ କଲା । ଏହି ସ୍ପନ୍ଦନ ଉତ୍କଳ ଓ କଳିଙ୍ଗରେ ପହଞ୍ଚିଲା ଉତ୍କଳର ଦୁଇ ବଣିକଭ୍ରାତା ତପ୍‌ପସୁ ଓ ଭଲ୍ଲିକଙ୍କ ମାଧ୍ୟମରେ । ଏ ଦୁଇଜଣ ବୁଦ୍ଧଙ୍କର ବାଣୀ ଶ୍ରବଣକରି ପ୍ରଥମ ବୌଦ୍ଧ ହେବାର ସୌଭାଗ୍ୟ ଲାଭ କରିଥିଲେ । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ମଗଧରାଜ ଅଶୋକ କଳିଙ୍ଗ ବିଜୟ କଲେ ଓ ଯୁଦ୍ଧର ବିଭୀଷିକା ତାଙ୍କ ମନରେ ପରିବର୍ତ୍ତନ ଆଣିଥିଲା । ଫଳରେ ସେ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ ହୋଇଥିଲେ । ସେ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାରରେ ମନପ୍ରାଣ ଢାଳିଦେଇଥିଲେ । ତାଙ୍କ ପ୍ରଚେଷ୍ଟା ଫଳରେ ବୌଦ୍ଧଧର୍ମ ଦେଶବିଦେଶରେ ପ୍ରଚାରିତ ହୋଇଥିଲା ।

 

ପରବର୍ତ୍ତୀକାଳରେ ବୌଦ୍ଧଧର୍ମରେ କନ୍ଦଳ ଦେଖାଦେଲା ଏବଂ ମହାଯାନ ବୌଦ୍ଧଧର୍ମର ଉତ୍ପତ୍ତି ହେଲା । ମହାଯାନର ଉତ୍ପତ୍ତିସ୍ଥଳ ଓଡ଼ିଶା ବୋଲି ପ୍ରାବନ୍ଧିକ ସଯୁକ୍ତି ପ୍ରକାଶ କରିଛନ୍ତି । ଓଡ଼ିଶାରେ ମହାଯାନ ଦର୍ଶନର ବିକାଶଧାରା ଦର୍ଶାଇବାକୁ ଯାଇ ସେ ବିଭିନ୍ନ ବୌଦ୍ଧଦାର୍ଶନିକଙ୍କର କୀର୍ତ୍ତି ଓ ମହାଯାନୀ ବିହାରଗୁଡ଼ିକର ସଂକ୍ଷିପ୍ତ ପରିଚୟ ଦେଇଛନ୍ତି । ଏଇ ଓଡ଼ିଶାରେ ମହାଯାନରୁ କ୍ରମେ ବଜ୍ରଯାନ ଓ ବଜ୍ରଯାନରୁ ସହଜଯାନର ଉଦ୍ଭବ ହୋଇଥିବା ମଧ୍ୟ ସେ ଦର୍ଶାଇଛନ୍ତି । ବଜ୍ରଯାନର ପ୍ରବର୍ତ୍ତକ ଥିଲେ ସମ୍ବଳପୁର ରାଜା ଇନ୍ଦ୍ରଭୂତି ଓ ସହଜଯାନର ପ୍ରବର୍ତ୍ତିକା ଥିଲେ ତାଙ୍କ ଭଗିନୀ ଲକ୍ଷ୍ମୀଙ୍କରା । ସମ୍ବଲପୁର ହେଉଛି ତତ୍‌କାଳୀନ ଓଡ଼ିଶାର ସମ୍ବଳ ।

 

ଭାରତରେ ବିଭିନ୍ନ ଧର୍ମ, ଦର୍ଶନ ଓ ସଂସ୍କୃତିର ସଂଘର୍ଷରେ ଆସି ବୌଦ୍ଧଧର୍ମ ଭିନ୍ନ ଭିନ୍ନ ରୂପ ଗ୍ରହଣ କରିଛି । ଅର୍ହତଯାନ ବା ହୀନଯାନରୁ ମହାଯାନ, ମହାଯାନରୁ ବଜ୍ରଯାନ ଓ ବଜ୍ରଯାନରୁ ସହଜଯାନରେ ପରିଣତ ହୋଇ ବୌଦ୍ଧଧର୍ମର ବିଭିନ୍ନ ପର୍ଯ୍ୟାୟ ବିବର୍ତ୍ତନ ପ୍ରକ୍ରିୟାରେ ଗତି କରିଛି । ଖ୍ରୀଷ୍ଟୀୟ ୧ମ ଶତାବ୍ଦୀରେ ଚୀନକୁ ଏବଂ ୬ଷ୍ଠ ଶତାବ୍ଦୀରେ କୋରିଆ ଓ ଜାପାନକୁ ମହାଯାନ ବୌଦ୍ଧଧର୍ମ ଯାତ୍ରା କରିଛି । ଆଜିପର୍ଯ୍ୟନ୍ତ ସେହିସବୁ ଦେଶରେ ବୌଦ୍ଧଧର୍ମ ନିଜର ପ୍ରବେଶକାଳୀନ ସ୍ୱରୂପ ବଜାୟ ରଖିଛି । ଖ୍ରୀଷ୍ଟୀୟ ୮ମ ଶତାବ୍ଦୀରେ ବୌଦ୍ଧଧର୍ମର ରୂପାନ୍ତର ଘଟିଲା ବଜ୍ରଯାନ ଓ ସହଜଯାନ ଭାବରେ । ‘‘ସହଜଯାନ ପୂର୍ବଭାରତରେ ପରିଣତି ହେଲା ସହଜିଆ ବୈଷ୍ଣବଧର୍ମରେ ଓ ବଜ୍ରଯାନର ପରିଣତି ଘଟିଲା ଓଡ଼ିଶାରେ ଜଗନ୍ନାଥ ଧର୍ମରୂପେ ।’’

 

ଏହାହିଁ ବୌଦ୍ଧଗବେଷକ ଡକ୍ଟର ସାହୁଙ୍କ ଓଡ଼ିଶାରେ ବୌଦ୍ଧଧର୍ମ ଶାଖାର ଉଦ୍ଭବ, ବିକାଶ ଓ ପରିଣତି ଏବଂ ଓଡ଼ିଶାରୁ ବୌଦ୍ଧଧର୍ମର ଦେଶବିଦେଶ ଯାତ୍ରା ବିଷୟକ ପ୍ରବନ୍ଧର ସଂକ୍ଷିପ୍ତ ବିବରଣୀ ।

 

ତାଙ୍କର ‘ଓଡ଼ିଶାରେ ବୌଦ୍ଧସଂସ୍କୃତି’ ଶୀର୍ଷକ ଅନ୍ୟ ଏକ ପ୍ରବନ୍ଧ ‘ଉତ୍କଳ ପ୍ରସଙ୍ଗ’ରେ ଡିସେମ୍ବର ୧୯୮୨ ସଂଖ୍ୟାରେ ପ୍ରକାଶ ପାଇଥିଲା । ଉତ୍କଳର ଦୁଇଜଣ ସ୍ୱାର୍ଥବାହ ତପ୍‌ପସୁ ଓ ଭଲ୍ଲିକ ବୌଦ୍ଧଧର୍ମର ଇତିହାସର ପ୍ରସିଦ୍ଧି ଲାଭ କରିଛନ୍ତି ପ୍ରଥମ ବୌଦ୍ଧରୂପେ । ସେମାନେ ମଧ୍ୟପ୍ରଦେଶକୁ ବାଣିଜ୍ୟ କରିବାକୁ ଯାଉଥିବାବେଳେ ଆଠସପ୍ତାହ ଉପବାସ ରହି ବୋଧିଲାଭ କରିଥିବା ବୁଦ୍ଧଦେବଙ୍କୁ ମଧୁ ଓ ପଷ୍ଟିକ ଭୋଜନ କରିବାକୁ ଦେଇ ତାଙ୍କର ଜୀବନ ରକ୍ଷା କରିଥିଲେ ଏବଂ ପ୍ରଥମେ ତାଙ୍କଠାରୁ ଧର୍ମନୀତି ଗ୍ରହଣ କରିଥିଲେ । ବୁଦ୍ଧଙ୍କର ପରିନିର୍ବାଣରେ କୁସୀନାରାଠାରେ ତାଙ୍କର ମରଶରୀରକୁ ଦଗ୍‌ଧ କରାଯାଇଥିଲା ଏବଂ ସେହି ଚିତା ମଧ୍ୟରୁ କ୍ଷେମ ନାମକ ଜଣେ ବୌଦ୍ଧଭିକ୍ଷୁ ବୁଦ୍ଧଙ୍କର ଏକ କଳଦାନ୍ତ ଉଦ୍ଧାରକରି ରାଜା ବ୍ରହ୍ମଦତ୍ତଙ୍କୁ ଦେଇଥିଲେ । ବ୍ରହ୍ମଦତ୍ତ ନିଜ ରାଜଧାନୀରେ ସୁନ୍ଦର ଚୈତ୍ୟଟିଏ ନିର୍ମାଣକରି ଦନ୍ତର ସ୍ଥାପନା କଲେ । ସେହିଦିନଠାରୁ ତାଙ୍କ ରାଜଧାନୀର ନାମ ହେଲା ଦନ୍ତପୁର । ଦନ୍ତପୁରରେ ସେହି ପବିତ୍ର ଦନ୍ତ ବହୁକାଳପର୍ଯ୍ୟନ୍ତ ପୂଜିତ ହେଉଥିଲା । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ କଳିଙ୍ଗର ରାଜା ଗୁହଶିବ ଶତ୍ରୁ ଆକ୍ରମଣରୁ ପବିତ୍ର ଦନ୍ତକୁ ରକ୍ଷାକରିବା ଉଦ୍ଦେଶ୍ୟରେ ଏହାକୁ ସିଂହଳର ରାଜା ମହାସେନଙ୍କ ନିକଟକୁ ପ୍ରେରଣ କଲେ । ଅନେକଙ୍କ ମତରେ ସେହି ପବିତ୍ର ଦନ୍ତ ଏବେ ବି ସିଂହଳରେ ପୂଜାପାଉଅଛି । ଏହି ଦୁଇଟି ଘଟଣା କଳିଙ୍ଗରେ ବୌଦ୍ଧଧର୍ମର ପ୍ରାଧାନ୍ୟ ଦୀର୍ଘସ୍ଥାୟୀ ଥିବା ସୂଚାଉ ଅଛି ।

 

କଳିଙ୍ଗ ଯୁଦ୍ଧପରେ ଅଶୋକ ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ ଓ ବୌଦ୍ଧଧର୍ମକୁ ଦେଶବିଦେଶରେ ପ୍ରଚାରିତ ହେବାରେ ସହାୟକ ହେଲେ । ସେ କଳିଙ୍ଗର ଧଉଳି (ତତ୍‌କାଳୀନ ସୁରଭଗିରି) ଓ ଜଉଗଡ଼ (ତତ୍‌କାଳୀନ ଖପିଙ୍ଗଲ ପର୍ବତ)ଠାରେ ଅନୁଶାସନମାନ ଲିପିବଦ୍ଧ କରିଥିଲେ । ଏଥିରେ କଳିଙ୍ଗର ପ୍ରଶାସନ ନୀତି ସହ ଧର୍ମବିଜୟ ନୀତିର ବିବରଣୀ ସ୍ଥାନପ୍ରାପ୍ତ । ଧଉଳିଠାରେ ଖୋଦିତ ହସ୍ତୀ ପ୍ରତିମା କଳିଙ୍ଗର ପ୍ରାଚୀନତମ ଖୋଦନଶିଳ୍ପର ନିଦର୍ଶନ । ଖ୍ରୀଷ୍ଟୀୟ ୧ମ ଶତାବ୍ଦୀର ଓଡ଼ିଶା ମହାଯାନ ବୌଦ୍ଧଧର୍ମର ଉତ୍ପତ୍ତିସ୍ଥଳ ଓ ଲାଳନଭୂମି । ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀରେ ପରିମଳଗିରି ବିହାରରେ ବୋଧିସତ୍ତ୍ୱ ନାଗାର୍ଜୁନ ମହାଯାନର ମୂଳଗ୍ରନ୍ଥ ପ୍ରଜ୍ଞାପାରମିତାର ଟୀକା ରଚନା କରିଥିଲେ । ଖ୍ରୀଷ୍ଟୀୟ ୭ମ ଶତାବ୍ଦୀରେ ଚୀନ ପରିବ୍ରାଜକ ହୁଏନ୍‌ସାଂ ପରିମଳଗିରିର ପରମ୍ପରା ଓ ବିଭବ ଦେଖି ମୁଗ୍‌ଧ ହୋଇଯାଇଥିଲେ । ଡକ୍ଟର ସାହୁ ବରଗଡ଼ ଜିଲାର ଗଣିଆପାଲିଠାରେ ଭୂଖୋଦନ କରି ଖ୍ରୀଷ୍ଟୀୟ ୫ମ ଶତାବ୍ଦୀର ଗୋଟିଏ ବୌଦ୍ଧବିହାର ଓ ଦୁଇଟି ମୁଚଲିନ୍ଦବୁଦ୍ଧ ମୂର୍ତ୍ତି ଆବିଷ୍କାର କରିଥିଲେ । ଖ୍ରୀଷ୍ଟୀୟ ୪ର୍ଥ ଶତାବ୍ଦୀରେ ପୁରୀଜିଲାର ଭୋରଶୈଳ ବିହାରରେ ବୌଦ୍ଧଦାର୍ଶନିକ ଦିଙ୍‌ନାଗ ବାସ କରୁଥିଲେ । ଖ୍ରୀଷ୍ଟୀୟ ୭ମ ଶତାବ୍ଦୀରେ ଆଚାର୍ଯ୍ୟ ଧର୍ମକୀର୍ତ୍ତି କୋରାପୁଟ ଜିଲାର ଜଗମଣ୍ଡା ପାହାଡ଼ରେ ମହାଯାନ ବୌଦ୍ଧଦର୍ଶନ ସମ୍ପର୍କୀୟ ଶାସ୍ତ୍ର ‘ନ୍ୟାୟବିନ୍ଦୁ’ ରଚନା କରିଥିଲେ । ୮ମ ଶତାବ୍ଦୀରେ ମହାଯାନ ବୌଦ୍ଧଧର୍ମର ଅସ୍ତରାଗ ତଥା ବଜ୍ରଯାନର ଅଭ୍ୟୁଦୟ ହୁଏ ରତ୍ନଗିରି ମହାବିହାରରେ । ସେହି ବଜ୍ରଯାନର ପ୍ରବର୍ତ୍ତକ ଇନ୍ଦ୍ରଭୂତି ଥିଲେ ସମ୍ବଳ (ସମ୍ବଲପୁର)ର ରାଜା ଓ ତାଙ୍କ ଭଉଣୀ ଲକ୍ଷ୍ମୀଙ୍କରା ଥିଲେ ସହଜଯାନ ନାମକ ଏକ ନୂତନ ବୌଦ୍ଧଯାନର ପ୍ରବର୍ତ୍ତିକା । ଇନ୍ଦ୍ରଭୂତିଙ୍କ ପୁତ୍ର ପଦ୍ମସମ୍ଭବ ନିଜ ଶାଳକ ଶାନ୍ତରକ୍ଷିତଙ୍କ ସହଯୋଗରେ ତିବ୍‌ବତରେ ବଜ୍ରଯାନ ଓ ସ୍ଥାନୀୟ ବନ୍‌ପା ଧର୍ମର ସମ୍ମିଶ୍ରଣରେ ଲାମାଧର୍ମ ପ୍ରତିଷ୍ଠା କରିଥିଲେ ।

 

ଖ୍ରୀଷ୍ଟୀୟ ୮ମ-୯ମ ଶତାବ୍ଦୀରେ ରତ୍ନଗିରି ମହାବିହାରରେ ଆଚାର୍ଯ୍ୟ ପିତୋପାଦ ଚକ୍ରସମ୍ବର ତନ୍ତ୍ରଶାସ୍ତ୍ର ରଚନାକରି କାଳଚକ୍ରଯାନ ପ୍ରବର୍ତ୍ତନ କରିଥିଲେ । ରତ୍ନଗିରି ମହାବିହାରର ଶିଷ୍ୟ ପ୍ରାଜ୍ଞଙ୍କୁ ଭୌମକର ରାଜା ଶୁଭାକରଦେବ (୭୮୦-୮୦୦ ଖ୍ରୀଷ୍ଟାବ୍ଦ) ଉତ୍କଳର ସାଂସ୍କୃତିକ ଦୂତରୂପେ ଚୀନ୍‌ ସମ୍ରାଟ ଟି-ସଂଙ୍କ ଦରବାରକୁ ପଠାଇଥିଲେ । ଏହିପରି ଓଡ଼ିଶାରେ ବୌଦ୍ଧସଂସ୍କୃତିର ବିକାଶ ଓ ବିଶ୍ୱ ବୌଦ୍ଧସଂସ୍କୃତିକୁ ଓଡ଼ିଶାର ଦାନ ବିଷୟକ ଆଲୋଚନା ଏହି ପ୍ରବନ୍ଧର ପୃଷ୍ଠା ମଣ୍ଡନ କରେ ।

 

‘ଓଡ଼ିଶାରେ ସାଂସ୍କୃତିକ ପରମ୍ପରାର କ୍ରମବିକାଶ’ ଡକ୍ଟର ସାହୁଙ୍କର ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧ । ଏହା ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପୁରୀଠାରେ ଆୟୋଜିତ ‘ଓଡ଼ିଆ ସଂସ୍କୃତିର ସଂଜ୍ଞା ଓ ସ୍ୱରୂପ’ ଶୀର୍ଷକ ଆଲୋଚନାଚକ୍ରରେ ୧୯୮୬ ଜୁନ୍‌ ୧ ତାରିଖରେ ପଠିତ (ସେତେବେଳକୁ ପ୍ରାବନ୍ଧିକ ସ୍ୱର୍ଗଗତ) ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର ‘କୋଣାର୍କ’ର ୬୨ତମ ସଂଖ୍ୟା-୧୯୮୬ରେ ପ୍ରକାଶିତ । ଏହି ପ୍ରବନ୍ଧର ଉପକ୍ରମରେ ସଂସ୍କୃତି ଉପରେ ଆଲୋକପାତ କରି ସେ କହନ୍ତି-‘‘ସଂସ୍କୃତି ସାଧାରଣତଃ ମନୁଷ୍ୟର କ୍ରିୟାକଳାପରେ ତଥା ଭାବଧାରା ମାଧ୍ୟମରେ ପ୍ରକାଶ ପାଇଥାଏ । ପ୍ରାଗୈତିହାସିକ କାଳରୁ ଜୀବନଧାରଣ ନିମନ୍ତେ ମନୁଷ୍ୟ ଯେଉଁସବୁ ଉପାୟ ଓ କୌଶଳ ଅବଲମ୍ବନ କରିଆସିଅଛି ଏବଂ ଚିନ୍ତାଧାରାର ଉନ୍ମେଷଦ୍ୱାରା ଯେଉଁ ନୂତନ ପନ୍ଥା ଓ ଜୀବନଦର୍ଶନ ପ୍ରଦର୍ଶନ କରିଅଛି, ତହିଁରେ ସାଂସ୍କୃତିକ ପରମ୍ପରା ରୂପାୟିତ ହୋଇଅଛି । ଆଦିମ ମନୁଷ୍ୟର ପ୍ରସ୍ତର ଶିଳ୍ପରେ ମୌଳିକ ଶୈଳୀର ବିକାଶକ୍ରମରେ ତାହାର ସାଂସ୍କୃତିକ ବିକାଶଧାରା ଲକ୍ଷ୍ୟ କରାଯାଏ ।’’ (ପୃ ୧) ତାପରେ ସେ କହନ୍ତି ଯେ ମନୁଷ୍ୟ ଅଗ୍ନିର ବ୍ୟବହାର ଜାଣିବାପରେ ପଶୁପାଳନ ଓ କୃଷିକର୍ମରେ ଅଭିଜ୍ଞ ହୋଇଛି ଏବଂ ମାଟିପାତ୍ର ନିର୍ମାଣ କୌଶଳ ମଧ୍ୟ ଆୟତ୍ତ କରିଛି । ଫଳରେ ସେ କ୍ରମେ ବର୍ବରତାଠାରୁ ଦୂରେଇଯାଇ ସଭ୍ୟତା ଆଡ଼କୁ ମୁହାଁଇଛି । ଏହିପରି ତା’ର ସାଂସ୍କୃତିକ ପରମ୍ପରାର ଦ୍ରୁତ ରୂପାନ୍ତର ସମ୍ଭବ ହୋଇଛି । ଓଡ଼ିଶାର ଯୋଗୀମଠ, ବିକ୍ରମଖୋଲ, ଗୁଡ଼ହାଣ୍ଡି ଇତ୍ୟାଦି ସ୍ଥାନରୁ ଯେଉଁସବୁ ଚିତ୍ରଲିପିଯୁକ୍ତ ଅଭିଲେଖମାନ ମିଳିଛି ତାହା ଆଦିମ ମାନବର କଳାତ୍ମକ ଚେତନା ଓ ସାହିତ୍ୟିକ ଅଭିରୁଚିର ପରିଚୟ ପ୍ରଦାନ କରେ । ତାହା ମାଧ୍ୟମରେ ଓଡ଼ିଶାର ପ୍ରାଗୈତିହାସିକ ସଂସ୍କୃତି ଯେପରି ମୌଳିକ ଓ ବଳିଷ୍ଠଭାବରେ ଆତ୍ମପ୍ରକାଶ କରିଛି ସେଭଳି ଦୃଷ୍ଟାନ୍ତ ଭାରତର ଅନ୍ୟ କୌଣସିଠାରେ ପରିଲକ୍ଷିତ ହୁଏ ନାହିଁ । ସେହି ପ୍ରାଗୈତିହାସିକ ସଂସ୍କୃତିହିଁ ପରବର୍ତ୍ତୀ ବିକାଶୋନ୍ମୁଖୀ ସଂସ୍କୃତିର ଭିତ୍ତିଭୂମି ।

 

ସଂସ୍କୃତିର ନିରବଚ୍ଛିନ୍ନ କ୍ରମବିକାଶର ସଂକେତ ନିର୍ଣ୍ଣୟ କରିବା ସହଜ ନୁହେଁ । ପ୍ରାଚୀନତମ ଧାର୍ମିକ ପରମ୍ପରାରେ ବୃକ୍ଷପୂଜା, ଯକ୍ଷ, ଗନ୍ଧର୍ବ ଓ ନାଗଦେବତା ପୂଜା ବିଶେଷରୂପେ ପ୍ରଚଳିତ ଥିବା ଲକ୍ଷ୍ୟ କରାଯାଏ । ଖ୍ରୀଷ୍ଟପୂର୍ବ ୮ମ ଶତାବ୍ଦୀରେ ପାର୍ଶ୍ୱନାଥ କଳିଙ୍ଗକୁ ଆସି ଜୈନଧର୍ମ ପ୍ରଚାର କରିଥିଲେ । ତତ୍‌କାଳୀନ କଳିଙ୍ଗରାଜ କରକଣ୍ଡୁ ଜୈନଧର୍ମ ଗ୍ରହଣ କରିବାଦ୍ୱାରା କଳିଙ୍ଗର ସାଂସ୍କୃତିକ ଇତିହାସରେ ଏକ ନୂତନ ପର୍ବର ସୂତ୍ରପାତ ହୋଇଥିଲା । ଓଡ଼ିଶାର ଦୁଇ ବଣିକ ତପ୍‌ପସୁ ଓ ଭଲ୍ଲିକ ଥିଲେ ବୁଦ୍ଧଦେବଙ୍କର ପ୍ରଥମ ଦୁଇଶିଷ୍ୟ ଓ ସେମାନେ କଳିଙ୍ଗରେ ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାରରେ ମନୋନିବେଶ କରିଥିଲେ । ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀରେ ଅଶୋକଙ୍କ କଳିଙ୍ଗ ଯୁଦ୍ଧପରେ ଓଡ଼ିଶାରୁ ବୌଦ୍ଧଧର୍ମ ସର୍ବବ୍ୟାପୀ ହୋଇଥିଲା । ଓଡ଼ିଶାରେ ବୌଦ୍ଧଧର୍ମ ଓ ସଂସ୍କୃତିର ସ୍ଥିତି କ୍ରମଶଃ ଦୃଢ଼ ହେବାକୁ ଲାଗିଲା ।

 

ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳଙ୍କ ପୃଷ୍ଠପୋଷକତାରେ ଜୈନଧର୍ମର ପୁନରୁତ୍‌ଥାନ ଘଟିଲା ଓ ତାହା କଳିଙ୍ଗରେ ରାଷ୍ଟ୍ରଧର୍ମର ମର୍ଯ୍ୟାଦା ପାଇଲା । ସେକାଳରେ ଖଣ୍ଡଗିରି ଓ ଉଦୟଗିରିରେ ଜୈନ ଓ ବୌଦ୍ଧ ସନ୍ନ୍ୟାସୀମାନଙ୍କ ନିମନ୍ତେ ବିଶ୍ରାମସ୍ଥଳୀ ରୂପେ ଗୁମ୍ଫାମାନ ନିର୍ମାଣ କରାଯାଇଥିଲା । ସେହିସବୁ ଗୁମ୍ଫାରେ ଖୋଦିତ କଳାକୀର୍ତ୍ତିମାନହିଁ କଳିଙ୍ଗର କଳାପରମ୍ପରାର ନିଦର୍ଶନ ଅଟେ । ଏହା ସମକାଳୀନ ଅନ୍ୟ ରାଜ୍ୟର କଳାକୃତି ଅପେକ୍ଷା ଅଧିକ ମାର୍ଜିତ । ଖ୍ରୀଷ୍ଟୀୟ ୧ମ ଶତାବ୍ଦୀରେ ଓଡ଼ିଶା ଭୂଇଁରେ ମହାଯାନ ବୌଦ୍ଧଧର୍ମର ଅଭ୍ୟୁଦୟ ଭାରତୀୟ ସଂସ୍କୃତିକୁ ଓ ପରେ ପରେ ବିଦେଶର ସଂସ୍କୃତିକୁ ପ୍ରଭାବିତ କରିଥିଲା । ତାପରେ ଓଡ଼ିଶାରେହିଁ ବୌଦ୍ଧଧର୍ମର ବଜ୍ରଯାନ, ସହଜଯାନ ଓ କାଳଚକ୍ରଯାନର ଉଦ୍ଭବ ହୋଇଥିଲା । ବଜ୍ରଯାନର ବୁଦ୍ଧଙ୍କୁ ଇନ୍ଦ୍ରଭୂତି ଆଦିବୁଦ୍ଧ, ବଜ୍ରସତ୍ତ୍ୱ ଓ ଜଗନ୍ନାଥରୂପେ ବ୍ୟକ୍ତ କରିଛନ୍ତି । ଖ୍ରୀଷ୍ଟୀୟ ୯ମ-୧୦ମ ଶତାବ୍ଦୀବେଳକୁ ଜଗନ୍ନାଥ ଓ ପୁରୁଷୋତ୍ତମ ଉଭୟେ ଉପକୂଳ ଅଞ୍ଚଳରେ ପୂଜିତ ବୌଦ୍ଧ ଓ ବ୍ରାହ୍ମଣ୍ୟଧର୍ମର ସାହିତ୍ୟରୁ ଉପଲବ୍‌ଧ ହୁଏ ।

 

ବୈଦିକ ବ୍ରାହ୍ମଣ୍ୟଧର୍ମର ପ୍ରଭାବ କଳିଙ୍ଗରେ କେବେ ପ୍ରବେଶ କଲା ତାହା ଠିକ୍‌ ଭାବରେ କହିହେବ ନାହିଁ । ଅଶୋକଙ୍କ ପୂର୍ବବର୍ତ୍ତୀକାଳରେ କଳିଙ୍ଗର ସାମାଜିକ ତଥା ଧାର୍ମିକ ଜୀବନରେ ବ୍ରାହ୍ମଣମାନଙ୍କର ଆଧିପତ୍ୟ ଥିଲା । ଆସନପାଟ ଶିଳାଲେଖରୁ ଜଣାଯାଏ ଯେ ଶୈବଧର୍ମ ଉତ୍ତର ଓଡ଼ିଶାରେ ଲୋକପ୍ରିୟ ଥିଲା । ମାଠରବଂଶର ଶାସନକାଳରେ ଭାଗବତଧର୍ମର ପ୍ରଚାର-ପ୍ରସାର ଥିଲା ମାଠରଙ୍କ ପରବର୍ତ୍ତୀକାଳରେ ଓଡ଼ିଶାରେ ଲକ୍ଷ୍ମୀନାରାୟଣ ପୂଜାର ପ୍ରଚଳନ ଥିଲା । ଖ୍ରୀଷ୍ଟୀୟ ୬ଷ୍ଠ ଓ ୭ମ ଶତାବ୍ଦୀରେ ବିଷ୍ଣୁପୂଜା ସହିତ ସୂର୍ଯ୍ୟପୂଜାର ଆଦର ଥିଲା । ଜୈନଧର୍ମ ସହିତ ଶାକ୍ତଧର୍ମ ଖ୍ରୀଷ୍ଟୀୟ ୫ମ ଶତାବ୍ଦୀରୁ ଓଡ଼ିଶାରେ ଲୋକପ୍ରିୟତା ଅର୍ଜନ କରିଥିଲା । ତାପରେ ଭାଗବତବୈଷ୍ଣବଧର୍ମର ପ୍ରାବଲ୍ୟ ପରିଲକ୍ଷିତ ହେଲା । ୮ମରୁ ୧୨ଶ ଶତାବ୍ଦୀ ମଧ୍ୟରେ ଶୈବ, ଶାକ୍ତ ଓ ବୈଷ୍ଣବଧର୍ମର ଅଗ୍ରଗତି କଳା, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ ମାଧ୍ୟମରେ ପ୍ରକାଶ ପାଇଥିଲା । ୧୨ଶ ଶତାବ୍ଦୀରେ ରାଧାକୃଷ୍ଣ ଉପାସନା, ୧୩ଶ ଶତାବ୍ଦୀରେ ଗୋପାଳକୃଷ୍ଣ ଉପାସନା ଇତ୍ୟାଦି ବହୁବିଧ ଧର୍ମମତବାଦର ଉଦ୍‌ବର୍ତ୍ତନ ହୋଇଥିଲା । ଗଙ୍ଗବଂଶ ଓ ପରେ ସୂର୍ଯ୍ୟବଂଶର ଶାସନକାଳରେ ଓଡ଼ିଶାରେ ବହୁବିଧ ସାଂସ୍କୃତିକ ଉନ୍ନତି ପରିଲକ୍ଷିତ ହେଲା । ସୂର୍ଯ୍ୟବଂଶ ପ୍ରତିଷ୍ଠାତା ରାଜା କପିଳେନ୍ଦ୍ରଦେବଙ୍କ ଶାସନ ଆରମ୍ଭକାଳରୁ ଉତ୍କଳର ନାମ ଓଡ଼ିଶା ହେଲା ଓ ସଂସ୍କୃତ ବଦଳରେ ଓଡ଼ିଆ ରାଷ୍ଟ୍ରଭାଷାରୂପେ ସ୍ୱୀକୃତ ହେଲା । ପଞ୍ଚସଖାଙ୍କ ସାହିତ୍ୟ, ରୀତିସାହିତ୍ୟ, ଲୋକସଙ୍ଗୀତ ସହିତ ଉନ୍ନତ ଗୁଣସମ୍ପନ୍ନ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ସଂଯୋଜନା ଓଡ଼ିଆ ସଂସ୍କୃତିକୁ ପ୍ରାଣବନ୍ତ କଲା ।

 

ଇଂରେଜ ଶାସନକାଳରେ ଇଂରାଜୀ ଶିକ୍ଷାର ପ୍ରଚଳନ ସଙ୍ଗେ ସଙ୍ଗେ ଖ୍ରୀଷ୍ଟଧର୍ମର ପ୍ରଚାର, ବ୍ରାହ୍ମଧର୍ମ, ଆର୍ଯ୍ୟସମାଜ ଓ ରାମକୃଷ୍ଣ ମିଶନର ସଂସ୍କାରମୂଳକ ଧର୍ମନୀତି ଭାରତୀୟ ସଂସ୍କୃତିରେ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟିକଲା । ଓଡ଼ିଶୀ ସଂସ୍କୃତି ମଧ୍ୟ ସେହି ପ୍ରଭାବରୁ ମୁକ୍ତ ରହିପାରି ନଥିଲା । ଊନବିଂଶ ଶତାବ୍ଦୀରେ ମହିମାଧର୍ମର ଉଦ୍ଭବ ଓ ବିକାଶ ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାରକୁ ବିଶେଷ ଭାବରେ ବ୍ୟାହତ କରିଥିଲା । ଏହାହିଁ ତାଙ୍କ ପ୍ରବନ୍ଧର ସାରମର୍ମ । ତାଙ୍କ ପ୍ରବନ୍ଧର ଶେଷ ଦୁଇଧାଡ଼ିକୁ ଉଦ୍ଧାର କରି ଏ ଆଲୋଚନା ସମାପ୍ତ କରାଯାଇପାରେ-‘‘ଏହିରୂପେ ବହୁ ବୈପ୍ଳବିକ ପର୍ଯ୍ୟାୟରେ ଓଡ଼ିଶାର ସାଂସ୍କୃତିକ ପରମ୍ପରା ଯୁଗଯୁଗଧରି ପ୍ରବାହିତ ହୋଇ ଜାତୀୟ ଜୀବନକୁ ମହତ୍ତ୍ୱପୂର୍ଣ୍ଣ ଚେତନାରେ ଉଦ୍‌ବୁଦ୍ଧ କରିଆସିଛି ।’’ (ପୃ ୧୨)

 

ମୌଖିକ ପ୍ରବନ୍ଧ

ଡକ୍ଟର ସାହୁ ଥିଲେ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର । ସେ ନିଜପ୍ରତି ଉଦାସୀନ ଥିଲେ ଓ ନିଜକୁ ବିଜ୍ଞାପିତ କରିବାରେ ଆଦୌ ଆଗ୍ରହୀ ନ ଥିଲେ । ସେ କେତେକ ବେତାର ଅଭିଭାଷଣ ଦେଇଥିଲେ ଓ କେତେକ ବେତାର ଆଲୋଚନାରେ ଯୋଗ ଦେଇଥିଲେ । କିନ୍ତୁ ସେସବୁର ଲିଖିତ ରୂପକୁ ବା ପ୍ରସାରିତ ରୂପକୁ ରେକର୍ଡିଂ କରି ସାଇତି ରଖି ନଥିଲେ ବା ଏ ଦିଗରେ ଉଦ୍ୟମ ମଧ୍ୟ କରି ନଥିଲେ । ତେଣୁ ସେସବୁ ବିଷୟରେ ତାଙ୍କ ମୃତ୍ୟୁପରେ ଜାଣିବା ସମ୍ଭବ ନୁହେଁ । ଅଭିଭାଷଣ ହେଲେହେଁ ସେଗୁଡ଼ିକୁ ମୌଖିକ ପ୍ରବନ୍ଧ ଭାବରେ ଗ୍ରହଣ କରାଯାଇ ଏଠାରେ ଆଲୋଚିତ ହୋଇଥାନ୍ତା ଯଦି ସେଗୁଡ଼ିକ ସଂଗୃହୀତ ହୋଇପାରିଥାନ୍ତା ।

 

ବିବିଧ ପ୍ରବନ୍ଧ

ଉପରୋକ୍ତ ବିଭିନ୍ନ ବିଭାଗରେ ଆଲୋଚିତ ହେବାରୁ ବାଦ୍‌ ପଡ଼ିଯାଇଥିବା ଡକ୍ଟର ସାହୁଙ୍କର ଏପରି କେତେକ ପ୍ରବନ୍ଧ ରହିଛି, ଯାହାକୁ ଏଠାରେ ଆଲୋଚନାର ପରିସରକୁ ଅଣାଯାଇପାରେ । ତାଙ୍କ ‘କଳିଙ୍ଗ ହୀରକ’ ପ୍ରବନ୍ଧଟି ‘ଝଙ୍କାର’ ୯ମ ବର୍ଷ ୧୧ଶ ସଂଖ୍ୟା (୧୯୫୮)ରେ ପ୍ରକାଶିତ ହୋଇଥିଲା । ଏଥିରେ ସେ ବିଭିନ୍ନ ଶାସ୍ତ୍ର, ପୁରାଣ, ଇତିହାସ ଓ ତିବ୍‌ବତୀୟ ସୂତ୍ରରୁ ତଥ୍ୟମାନ ଗ୍ରହଣକରି କଳିଙ୍ଗ ଓ କୋଶଳରେ ପ୍ରଚୁର ପରିମାଣରେ ହୀରା ମିଳୁଥିବାର ବର୍ଣ୍ଣନା କରିଛନ୍ତି । ଏଥିରୁ ଉଦ୍ଧାରଯୋଗ୍ୟ କୋତୋଟି ପ୍ରାସଙ୍ଗିକ ବିଶେଷ ପଙ୍‌କ୍ତି-‘‘...ଖ୍ରୀଷ୍ଟୀୟ ୬ଷ୍ଠ ଶତାବ୍ଦୀବେଳେ କୋଶଳ ଅଞ୍ଚଳରେ ଶିରୀଷ କୁସୁମପରି ନୀଳବର୍ଣ୍ଣର ଓ କଳିଙ୍ଗରେ ପୀତବର୍ଣ୍ଣର ହୀରକ ମିଳୁଥିଲା ଏବଂ ସେଥିପାଇଁ ଏ ଉଭୟ ଦେଶ ଖ୍ୟାତି ଅର୍ଜନ କରିଥିଲା । (ପୃ ୧୦୫୧) ସମ୍ବଲପୁର ହୀରା ନିମନ୍ତେ ପ୍ରଖ୍ୟାତି ଲାଭ କରିଥିବାହେତୁ ତାହା ଅତୀତରେ ‘ହୀରାଖଣ୍ଡ ରାଜ୍ୟ’ ରୂପେ ପରିଚିତ ହେଉଥିଲା ଏବଂ ତାହାର ଚୌହାଣ ରାଜାମାନେ ନିଜକୁ ‘ହୀରାଖଣ୍ଡ ଛତ୍ରପତି’ ରୂପେ ସଗର୍ବରେ ଘୋଷଣା କରୁଥିଲେ ।’’ (ପୃ ୧୦୫୩) ବହୁ ନୂତନ ତଥ୍ୟରେ ପୂର୍ଣ୍ଣ ଏ ପ୍ରବନ୍ଧଟି ତାଙ୍କ ଅଧ୍ୟୟନ, ଅନୁଶୀଳନ ଓ ପାଣ୍ଡିତ୍ୟର ସମୁଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ତାଙ୍କ ‘ପଶ୍ଚିମ ଓଡ଼ିଶାର ରମଣୀୟ ସ୍ଥାନ’ ପ୍ରବନ୍ଧଟି ପ୍ରକାଶିତ ହୋଇଥିଲା ରାଉରକେଲାସ୍ଥ ପ୍ରଗତି ଉତ୍କଳ ସଂଘର ମୁଖପତ୍ରରେ ୧୯୭୮ ଖ୍ରୀଷ୍ଟାବ୍ଦରେ । ଏହି ପ୍ରବନ୍ଧରେ ସେ ପଶ୍ଚିମ ଓଡ଼ିଶାର ଐତିହାସିକ କୀର୍ତ୍ତିରାଜି ଓ ପ୍ରାକୃତିକ ସୁଷମାମଣ୍ଡିତ ପ୍ରଧାନ ପ୍ରଧାନ ପର୍ଯ୍ୟଟନସ୍ଥଳୀର ସଂକ୍ଷିପ୍ତ ପରିଚୟ ଦେଇଛନ୍ତି । ଏହି ସ୍ଥାନମାନଙ୍କ ମଧ୍ୟରେ ରହିଛି ବୌଦର ରାଜପ୍ରାସାଦ, ଯାହା ଏକ ବୌଦ୍ଧବିହାର ଉପରେ ନିର୍ମିତ । ରାଜପ୍ରାସାଦ ସମ୍ମୁଖରେ ଏବେ ବି ଏକ ବୌଦ୍ଧବିହାରର କେତେକ ଅଂଶ ଦୃଷ୍ଟିକୁ ଆସେ । ଏହାର ନିକଟବର୍ତ୍ତୀ ରାମେଶ୍ୱର ମନ୍ଦିର, ଐତିହାସିକ ଗନ୍ଧରାଡ଼ିର ହରିଶଙ୍କର ଯୁଗ୍ମ ମନ୍ଦିର ଆଦି ଦର୍ଶନୀୟ । ସୋନପୁର ଓ ନିକଟବର୍ତ୍ତୀ ସ୍ଥାନରେ ଅବସ୍ଥିତ ଦର୍ଶନୀୟ ସ୍ଥାନମାନ, ଭବାନୀପାଟଣା ଓ ଏହାର ଆଖପାଖ ଅଞ୍ଚଳ, ଖଡ଼ିଆଳର ସନ୍ଥକବି ଚୈତନ୍ୟ ଦାସଙ୍କ ସାଧନାପୀଠ, ଗନ୍ଧମାର୍ଦନର ନୃସିଂହନାଥ ମନ୍ଦିର, ତାହାର ଅପରପାର୍ଶ୍ୱରେ ମନୋରମ ଶୃଙ୍ଗ ହରିଶଙ୍କର, ସେଠାରୁ ଅଳ୍ପ ଦୂରବର୍ତ୍ତୀ ପଦ୍ମପୁର ଗ୍ରାମ ନିକଟସ୍ଥ ଗଣିଆପାଲି ବୌଦ୍ଧବିହାର, ସମ୍ବଲପୁରରେ ସମଲେଶ୍ୱରୀ, ପାଟଣେଶ୍ୱରୀ, ଅନନ୍ତଶଯ୍ୟା ମନ୍ଦିର, ବୁଢ଼ାରଜା ପାହାଡ଼ ଉପରେ ବୁଢ଼ାରଜା ମନ୍ଦିର ଦର୍ଶକଙ୍କୁ ଆକୃଷ୍ଟ କରେ । ସମ୍ବଲପୁରକୁ ମହାନଦୀ ବାମ ତୀରରେ ବକ୍ରାକାରରେ ବେଢ଼ିଛି । ମହାନଦୀର ଦୃଶାବଳୀ ମଧ୍ୟରେ ରହିଛି ଅଯୋଧ୍ୟା ସରୋବର, ସୁଶୀଳା ଉଦ୍ୟାନ, ଭିକ୍ଟୋରିଆ ଘାଟ, ବିଟିନ୍‌ବିସ୍‌ ଘାଟ ଆଦି ଦର୍ଶନୀୟ । ନିକଟବର୍ତ୍ତୀ ହୀରାକୁଦ ମଧ୍ୟ ଏ ଅଞ୍ଚଳର ଅନ୍ୟତମ ଆକର୍ଷଣ ।

 

ସମ୍ବଲପୁରଠାରୁ ୧୪ ମାଇଲ ଦକ୍ଷିଣରେ ହୁମା ଗ୍ରାମ ମହାନଦୀ କୂଳରେ ଅବସ୍ଥିତ । ସେଠାରେ ବିମଳେଶ୍ୱରଦେବଙ୍କ ବକ୍ରମନ୍ଦିର ଦଣ୍ଡାୟମାନ । ସମ୍ବଲପୁରଠାରୁ ୨୬ ମାଇଲ ଉତ୍ତର-ପୂର୍ବରେ ଅବସ୍ଥିତ ବଡ଼ରମା ଗ୍ରାମ ଓ ତାହାର ସନ୍ନିକଟସ୍ଥ ୮୦ ବର୍ଗମାଇଲ ବ୍ୟାପ୍ତ ଅରଣ୍ୟସଂକୁଳ ଉଷାକୋଠୀ ନାମକ ଜାତୀୟ ଉଦ୍ୟାନ, ସେଥିମଧ୍ୟରେ ବନ୍ୟଜନ୍ତୁଙ୍କର ସ୍ୱଚ୍ଛନ୍ଦ ବିଚରଣ ଅତ୍ୟନ୍ତ ଉପଭୋଗ୍ୟ । ସେଠାରୁ ପ୍ରାୟ ୨୪ ମାଇଲ ଦୂରରେ ଦେବଗଡ଼ ଅବସ୍ଥିତ । ସେଠାରେ ପ୍ରଧାନପାଟ ଜଳପ୍ରପାତର ଦୃଶ୍ୟ ଅତି ମନୋମୁଗ୍‌ଧକର । ଶେଷରେ ରାଜଗାଙ୍ଗପୁର ଓ ରାଉରକେଲାର ଶିଳ୍ପନଗରୀ ବିଷୟରେ ସେ ସୂଚନା ଦେଇଛନ୍ତି । ରାଉରକେଲାର ପଶ୍ଚିମରେ ସୁପ୍ରସିଦ୍ଧ ବେଦବ୍ୟାସ ତୀର୍ଥ ଅବସ୍ଥିତ । ସେଠାରେ ଶଙ୍ଖ ଓ କୋଏଲ ନଦୀର ସଙ୍ଗମ ସ୍ଥଳରେ ବ୍ରାହ୍ମଣୀ ନଦୀର ଅଭ୍ୟୁଦୟ ଘଟିଛି । ସେହି ସ୍ଥାନ ବ୍ୟାସଦେବଙ୍କ ଜନ୍ମସ୍ଥଳୀ ଭାବରେ ଖ୍ୟାତ ଏବଂ ଏକ ତୀର୍ଥସ୍ଥାନର ମାନ୍ୟତାପ୍ରାପ୍ତ ।

 

ଉପରୋକ୍ତ ରମଣୀୟ ସ୍ଥାନଗୁଡ଼ିକର ଉଲ୍ଲେଖ କେବଳ ଏ ପ୍ରବନ୍ଧରେ କରାଯାଇ ନାହିଁ; ଏଥିରେ ସେହି ସ୍ଥାନମାନଙ୍କର ଐତିହାସିକ, କୈଂବଦନ୍ତିକ, ପ୍ରାକୃତିକ, ଭୌଗୋଳିକ ଗୁରୁତ୍ୱ ମଧ୍ୟ ବର୍ଣ୍ଣିତ । ଏହି ପ୍ରବନ୍ଧଟି ପର୍ଯ୍ୟଟକମାନଙ୍କ ନିମନ୍ତେ ଅତି ଉପାଦେୟ । ସରଳ ଭାଷାରେ ରଚିତ ପଶ୍ଚିମ ଓଡ଼ିଶାର ରମଣୀୟ ସ୍ଥାନଗୁଡ଼ିକର ଏହା ଏକ ସଂକ୍ଷିପ୍ତ ଓ ରୋଚକ ପରିଚୟ ।

 

୧୯୭୪ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ରାଉରକେଲାର ପ୍ରଗତି ଉତ୍କଳ ସଂଘର ମୁଖପତ୍ର ‘ଉତ୍କଳଗୌରବ ମଧୁସୂଦନ ସ୍ମାରକୀ’ର ସମ୍ପାଦକୀୟରେ ସେ ସମକାଳୀନ ବିଶ୍ୱରେ ସୃଷ୍ଟିହୋଇଥିବା ରାଜନୀତିକ ସଙ୍କଟ, ମୂଲ୍ୟବୃଦ୍ଧି, ଅଶାନ୍ତି, ଅରାଜକତା ଇତ୍ୟାଦିରେ ଭାରତ ମଧ୍ୟ ଜର୍ଜରିତ ବୋଲି ମତ ପ୍ରକାଶ କରିଛନ୍ତି ଏବଂ ଜଣେ ସଚେତନ ଚିନ୍ତାନାୟକ ଭାବରେ ଏ ପରିସ୍ଥିତିର ମୁକାବିଲା କରିବାକୁ ଯୁବସମାଜକୁ ଆହ୍ୱାନ କରିଛନ୍ତି । ତାଙ୍କ ଭାଷାରେ-‘‘ଭାରତର ଜ୍ୱାଳାମୟୀ ଅଶାନ୍ତ ବାତାବରଣରୁ ଓଡ଼ିଶା ମୁକ୍ତ ନୁହେଁ । ବରଂ ଅଧିକ ପରିମାଣରେ ଉତ୍ତପ୍ତ । ଏହାର ନିରାକରଣ ନିମନ୍ତେ ଆମେ ଯୁବସମାଜପ୍ରତି ଆଶାୟିତ ଦୃଷ୍ଟିପାତ କରିଅଛୁଁ । ସେମାନେ ସାମୟିକ ଅଶାନ୍ତ ପରିସ୍ଥିତିରେ ଦିଗ୍‌ଭ୍ରାନ୍ତ ନ ହୋଇ ଉତ୍କଳଗୌରବଙ୍କ ଜାତୀୟ ପ୍ରେରଣାରେ ଉଦ୍‌ବୁଦ୍ଧ ହୁଅନ୍ତୁ ଏବଂ ଜାତୀୟ ମୂଲ୍ୟବୋଧର ଚେତନା ଜାଗ୍ରତ କରନ୍ତୁ । ସେମାନଙ୍କ ମଧ୍ୟରୁହିଁ ଜାତିର ପୁନର୍ଗଠନ ନିମନ୍ତେ ନେତୃତ୍ୱର ସୂର୍ଯୋଦୟ ହେବ । ଆଜିର ଜାତୀୟ ଅଶାନ୍ତି ସତେ ଯେପରି ସେହି ନୂତନ ଯୁଗର ଆଗମନୀର ସଂକେତ ।’’

 

ସେହିପରି ଉକ୍ତ ପତ୍ରିକାର ବିଭିନ୍ନ ସଂଖ୍ୟାର ସମ୍ପାଦକୀୟରେ ସେ ଅତୀତ ଓଡ଼ିଶାର ଗୌରବ ବଖାଣି ଓଡ଼ିଆମାନଙ୍କୁ ଐତିହ୍ୟ ସଚେତନ କରାଇଛନ୍ତି । ଦୃଢ଼ ଆତ୍ମପ୍ରତ୍ୟୟ ବଳରେ ଦେଶକୁ ଆଗେଇ ନେବାର ମନ୍ତ୍ରଣା ମଧ୍ୟ ଦେଶବାସୀଙ୍କ କାନରେ ଫୁଙ୍କିଛନ୍ତି ।

 

ଡକ୍ଟର ସାହୁ ଜଣେ ପୋଖତ ଐତିହାସିକ, ପ୍ରତ୍ନତତ୍ତ୍ୱବେତ୍ତା, ସଙ୍ଗଠକ ଥିଲେହେଁ ଓଡ଼ିଆ ଭାଷା ଓ ସାହିତ୍ୟରେ ତାଙ୍କର କମ୍‌ ଓ ଦଖଲ ନଥିଲା । ଓଡ଼ିଆ ଭାଷାର ଉତ୍ପତ୍ତି ଓ ବିସ୍ତୃତିକୁ ସେ ଐତିହାସିକ ଓ ସାଂସ୍କୃତିକ ପ୍ରେକ୍ଷାପଟରେ ଏକ ବୁଦ୍ଧିଦୀପ୍ତ ଦୀର୍ଘ ଆଲୋଚନା କରିଥିଲେ ଓ ସେଇଟି ଏକ ଅଭିଭାଷଣରୂପେ ସେ ପ୍ରଦାନ କରିଥିଲେ ୧୯୬୫ ମାର୍ଚ୍ଚ ୧୫ ତାରିଖରେ ଶାନ୍ତିନିକେତନର ବିଦ୍ୟାଭବନଠାରେ । ତାହାର ଶୀର୍ଷକ ଥିଲା Historical Background of the Evolution of Oriya Language । ଏଇଟି ତାଙ୍କ ଗବେଷକୀୟ ଅନୁଶୀଳନ ଏବଂ ଓଡ଼ିଆଭାଷା ଓ ସାହିତ୍ୟପ୍ରୀତିର ସୁମହତ ପରିଚୟ । ଏ ବିଷୟକ ଆଲୋଚନା ପୂର୍ବରୁ କରାଯାଇଛି-

 

ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳପତି ଥିବା ସମୟରେ ‘ସପ୍ତର୍ଷି’ର ୯ମ ବର୍ଷର ଅଗଷ୍ଟ ୧୯୮୦ ସଂଖ୍ୟାଟି ଗଙ୍ଗାଧର ମେହେର ଜୟନ୍ତୀରୂପେ ପ୍ରକାଶ ପାଇଥିଲା । ତାଙ୍କ ସମ୍ପାଦକୀୟଟି ଥିଲା ଏକ ସ୍ୱୟଂସମ୍ପୂର୍ଣ୍ଣ ପ୍ରବନ୍ଧ । ସେଥିରେ ସମ୍ବଲପୁରରେ ସରକାରୀ ଭାଷା ଭାବେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀଭାଷାର ପ୍ରଚଳନ ଓ ଏହା ବିରୋଧରେ ତୀବ୍ରତର ହୋଇଥିବା ଭାଷା-ଆନ୍ଦୋଳନ ବିଷୟକ ଐତିହାସିକ ଓ ରାଜନୀତିକ ବିକାଶଧାରା ସ୍ଥାନ ପାଇଛି । ଭାଷା ଆନ୍ଦୋଳନରେ ଅନ୍ୟମାନଙ୍କ ସହିତ ଯୋଗଦାନ ନିମନ୍ତେ ଗଙ୍ଗାଧରଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି । ଏଥିରେ ଗଙ୍ଗାଧରଙ୍କ ସାହିତ୍ୟପ୍ରତିଭାର କେତୋଟି ବିଶେଷ ଦିଗ ଉନ୍ମୋଚନ କରି ସେ ଲେଖିଛନ୍ତି-‘‘ଗଙ୍ଗାଧରଙ୍କ କବିପ୍ରତିଭା ନୂତନ ଆଭିମୁଖ୍ୟ ନେଇ ଆତ୍ମପ୍ରକାଶ କରିଥିଲେ ମଧ୍ୟ ତାହା ରାଧାନାଥୀୟ କାବ୍ୟଶୈଳୀ ବା କାବ୍ୟାଦର୍ଶର ଅନ୍ଧାନୁସରଣ ନୁହେଁ । ଚୋଖି, ରସକୁଲ୍ୟା, ବଙ୍ଗଳାଶ୍ରୀ ଆଦି ପ୍ରାଚୀନ ବୃତ୍ତ ଅବଲମ୍ବନକରି, ନାୟକ-ନାୟିକାଙ୍କ ମଧ୍ୟରେ ପ୍ରାଚୀନ ଭାରତର ଚାରିତ୍ରିକ ଆଦର୍ଶ ସ୍ଥାପନକରି ଏବଂ ପ୍ରକୃତିର ଶାଶ୍ୱତ ଭାବମୂର୍ତ୍ତି ଚିତ୍ରଣକରି ସେ ଯେଉଁ ମହତ୍ତମ କାବ୍ୟାଦର୍ଶର ପ୍ରତିଷ୍ଠା କରିଛନ୍ତି ତାହା କେବଳ ମୌଳିକ ନୁହେଁ, ଅନନ୍ୟ ସାଧାରଣ ମଧ୍ୟ ।

 

‘‘ଉପେନ୍ଦ୍ରଭଞ୍ଜୀୟ କାବ୍ୟକବିତା ସଂଗୀତମୁଖର ହୋଇଥିବାବେଳେ ରାଧାନାଥୀୟ କୃତିରେ ସଙ୍ଗୀତ ଅପେକ୍ଷା ସାହିତ୍ୟର ରୂପ ଅଧିକତର ପ୍ରକାଶ ପାଏ । ମାତ୍ର ଗଙ୍ଗାଧରଙ୍କ ରଚନାରେ ଉଭୟ ସଙ୍ଗୀତ ଓ ସାହିତ୍ୟର ସଫଳ ସମନ୍ୱୟ ଯେଉଁ ଶୈଳ୍ପିକ ସୌନ୍ଦର୍ଯ୍ୟ ସୃଷ୍ଟି କରିଅଛି ତାହା କବିଙ୍କର ନିଜସ୍ୱ ଏବଂ ସେହି ଦିଗରେ ସେ ଉତ୍କଳରେ ଅପ୍ରତିଦ୍ୱନ୍ଦ୍ୱୀ ।’’ (ପୃଖ)

 

ଡକ୍ଟର ସାହୁ ଥିଲେ କବିଭୂମି ବରପାଲିର ସନ୍ତାନ । ସ୍ୱଭାବକବିଙ୍କୁ ସେ କେତେ ପଢ଼ିଥିଲେ, କେତେ ବୁଝିଥିଲେ ଏବଂ ତାଙ୍କ ବାଣୀଜୀବନ ଓ ଜୀବନବାଣୀକୁ କେତେ ନିରେଖି ଥିଲେ, ତାହାର ଆକଳନ କରିହୁଏ ଏହି ସମ୍ପାଦକୀୟ ପ୍ରବନ୍ଧରୁ । ଏଇ ଆଲୋଚନାଟି ତାଙ୍କ ସାହିତ୍ୟମନସ୍କତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ।

 

ଡକ୍ଟର ସାହୁ ଯେପରି ଭଲ କହିପାରୁଥିଲେ, ସେପରି ଭଲ ଲେଖୁପାରୁଥିଲେ । ତାଙ୍କର ଅନେକ ପ୍ରବନ୍ଧ ପ୍ରାଚୀନ ଓ ମଧ୍ୟଯୁଗୀୟ ଇତିହାସକୁ ନେଇ ରଚିତ । ପ୍ରାଚୀନ ଓ ମଧ୍ୟଯୁଗୀୟ ଇତିହାସର ଅଧ୍ୟୟନ ଓ ଅନୁଶୀଳନ ପାଇଁ ସଂସ୍କୃତ ଭାଷାରେ କିଛି ପ୍ରବେଶ ଥିବା ନିହାତି ଦରକାର-। ଡକ୍ଟର ସାହୁ ଏ କ୍ଷେତ୍ରରେ ପଛରେ ନଥିଲେ । ତାଙ୍କର ଭଲ ସଂସ୍କୃତ ଜ୍ଞାନ ଥିଲା ଏବଂ ଏହାର ପ୍ରତିଫଳନ ତାଙ୍କର ପ୍ରତ୍ୟେକ ପ୍ରବନ୍ଧରେ ପରିଦୃଷ୍ଟ । ତାଙ୍କ ପ୍ରବନ୍ଧର ଭାଷା ଶୁଦ୍ଧ, ଉନ୍ନତ, ସ୍ୱତଃସ୍ଫୂର୍ତ୍ତ ଓ କୃତ୍ରିମତାଶୂନ୍ୟ । ତାଙ୍କ ରଚନାଶୈଳୀ ସ୍ୱକୀୟ ଓ ଆକର୍ଷଣୀୟ । ଯାହା ସେ କରିବାକୁ ଚାହାନ୍ତି ତାହା ସେ ଅବଲୀଳାକ୍ରମେ ଲେଖନୀରେ ବୁଝାଇପାରନ୍ତି । ଏ ସମସ୍ତ ଗୁଣରେ ମଣ୍ଡିତ ତାଙ୍କ ସାହିତ୍ୟରୁଚିର ପରିଚୟ ପ୍ରଦର୍ଶନ ପାଇଁ ମାତ୍ର ଗୋଟିଏ ଉଦାହରଣ-

 

‘‘ଜଗନ୍ନାଥ କଳିଙ୍ଗ ସଂସ୍କୃତିର ପ୍ରାଣକେନ୍ଦ୍ର । ଜ୍ଞାତ ବା ଅଜ୍ଞାତରେ ଏ ସଂସ୍କୃତି ଯୁଗେ ଯୁଗେ ଜଗନ୍ନାଥଙ୍କଠୁଁ ସଂବେଦନା ଲାଭକରି ବଞ୍ଚିଆସିଛି । ପ୍ରାଚୀନ କୋଶଳ, ମଗଧ, ଅଙ୍ଗ, ବଙ୍ଗ, କାମରୂପ ଆଦିର ସଂସ୍କୃତି ଆଜି ସମ୍ପୂର୍ଣ୍ଣରୂପେ ବଦଳି ଯାଇଚି । ମୁସଲମାନ ସତ୍ୟତାର ରୁକ୍ଷ ଆଘାତରେ ଏସବୁ ରାଜ୍ୟର ପ୍ରାଚୀନ ସଂସ୍କୃତି କ୍ଷତବିକ୍ଷତ ହୋଇପଡ଼ିଚି । ଏ ସଂସ୍କୃତି ଆଜି ଖୋଜିବାକୁ ହେଉଚି ସାରନାଥ, କୌଶାମ୍ବି, କୁମାରାହାର, ନାଳନ୍ଦାର ମାଟିତଳେ । ସବୁଠାରେ ମାଟିତଳର ସଭ୍ୟତା ମାଟି ଉପରକୁ ବିଦ୍ରୂପକରି ପଚାରୁଚି-ତୋର ନିଜସ୍ୱ କେଉଁଠି ? ମାତ୍ର କଳିଙ୍ଗର ନିଜସ୍ୱ ଶିଶୁପାଳଗଡ଼ ବା ଧଉଳିର ମାଟିତଳେ ନାହିଁ, ଅଛି ଏ ଜାତିର ଅନ୍ତଃସ୍ଥଳରେ-ଯେଉଁଠାରେ ଜଗନ୍ନାଥଙ୍କ ଆତ୍ମପ୍ରକାଶ ସୁସ୍ପଷ୍ଟ ।’’ (ନବଭାରତ, ଜାନୁଆରୀ- ୧୯୫୧, ପୃ ୧-୨)

 

ପ୍ରାବନ୍ଧିକଙ୍କର ଦୃଷ୍ଟି ସୁଦୂରପ୍ରସାରୀ ଓ ତାଙ୍କ ପ୍ରବନ୍ଧଗୁଡ଼ିକ ବହୁ ପ୍ରାମାଣିକ ତଥ୍ୟରେ ପୂର୍ଣ୍ଣ; ଏଣୁ ସତ୍ୟାଶ୍ରୟୀ । ତାଙ୍କ ଯୁକ୍ତି ଶାଣିତ ଓ ମନନଶୀଳ । ପ୍ରବନ୍ଧ ମାନସିକତା ତାଙ୍କ ଲେଖନୀକୁ ଶକ୍ତି ଯୋଗାଏ, ଚଳଚଞ୍ଚଳ କରେ । କୌଣସି ଏକ ବଦ୍ଧମୂଳ ଧାରଣାର ଅସାରତା ପ୍ରତିପାଦନ କରିବାକାଳରେ ମଧ୍ୟ ତାଙ୍କ ପ୍ରବନ୍ଧରେ ଆକ୍ଷେପୋକ୍ତିର ତୀବ୍ରତା ପରିବର୍ତ୍ତେ କୋମଳତାର ସ୍ପର୍ଶ ଅନୁଭୂତ ହୁଏ । ଏହାହିଁ ତାଙ୍କ ଉପସ୍ଥାପନ ଶୈଳୀର ଏକ ବିଶେଷତ୍ୱ ।

 

ତାଙ୍କର ପ୍ରବନ୍ଧ କୃତିମାନ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରତ୍ନତତ୍ତ୍ୱ, ଇତିହାସ ଓ ସଂସ୍କୃତିପିଣ୍ଡିତ ହେଲେହେଁ ଉନ୍ନତ ଭାଷାଶୈଳୀ, ବର୍ଣ୍ଣନାବିଳାସ ଓ ଉପସ୍ଥାପନାଗତ ଚମତ୍କାରିତା ଦୃଷ୍ଟିରୁ ବିଶେଷ ସାହିତ୍ୟିକ ସୁଷମାରେ ମଣ୍ଡିତ । ଏଣୁ ସେସବୁରେ ସାହିତ୍ୟିକ ମୂଲ୍ୟ ବିଶ୍ୱସ୍ତଭାବେ ସଂରକ୍ଷିତ ଏବଂ ପ୍ରାବନ୍ଧିକଙ୍କ ସାହିତ୍ୟିକ ପରିଚିତି ବିଶେଷଭାବେ ପ୍ରତିଫଳିତ ।

 

ନବୀନକୁମାରଙ୍କ ଗଳ୍ପଜଗତ

ଡକ୍ଟର ନବୀନକୁମାର ସାହୁ ମୂଳତଃ ଜଣେ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍‌ ଏବଂ ଧର୍ମ ଓ ସଂସ୍କୃତି ବିଶାରଦ । ଏସବୁ ପରିଚୟ ସହିତ ପରୋକ୍ଷରେ ସେ ନିଜପାଇଁ ସାହିତ୍ୟିକ ପରିଚୟଟିଏ ମଧ୍ୟ ସୃଷ୍ଟି କରିପାରିଥିଲେ, ଯାହା ପୂର୍ବାଲୋଚିତ ତାଙ୍କ ପ୍ରବନ୍ଧଜଗତରେ ଆଭାସିତ । ଏହି ପରିଚୟକୁ ଅଧିକ ସ୍ପଷ୍ଟକରେ ତାଙ୍କ ଗଳ୍ପଜଗତ । ସେ କେତୋଟି ଐତିହାସିକ ଗଳ୍ପର ସ୍ରଷ୍ଟା । ଅଧ୍ୟାପକ ଜୀବନର ପ୍ରାରମ୍ଭରେ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଅବସ୍ଥାପିତ ଥିବାବେଳେ ତାଙ୍କର ପାଞ୍ଚଟି ଐତିହାସିକ ଗଳ୍ପ ‘ଚନ୍ଦ୍ରିକା’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ପ୍ରକାଶ ପାଇଥିଲା । ସେହି ପତ୍ରିକା ୧୩୫୯ ସାଲ (୧୯୫୧-୫୨ ଖ୍ରୀଷ୍ଟାବ୍ଦ)ରେ ବାରିପଦାରୁ ପ୍ରକାଶିତ ହେବାପରେ ଅର୍ଥାତ୍‌ ମାତ୍ର ଗୋଟିଏ ବର୍ଷ ପ୍ରକାଶ ପାଇବାପରେ ତାହାର ପ୍ରକାଶନରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ତାଙ୍କ ଗଳ୍ପଗୁଡ଼ିକ ହେଉଛି-ହୀରାଖଣ୍ଡ (୧ମ ସଂଖ୍ୟା), ନୟାବସାଣ (୨ୟ ସଂଖ୍ୟା), ଜଗନ୍ନାଥଙ୍କ ଐତିହ୍ୟ (୫ମ ସଂଖ୍ୟା), ପଦ୍ମସମ୍ଭବ (୮ମ ସଂଖ୍ୟା) ଓ ପ୍ରଥମ ବୌଦ୍ଧ (୧୨ଶ ସଂଖ୍ୟା) ।

 

‘ହୀରାଖଣ୍ଡ’ ତାଙ୍କର ପ୍ରଥମ ଗଳ୍ପ । ଗଳ୍ପଟିର ଆରମ୍ଭ ହୋଇଛି ୧୭୬୭ ଖ୍ରୀଷ୍ଟାବ୍ଦରେ ଫୋର୍ଟ ଉଇଲିୟମର ଏକ ବିରାଟ କକ୍ଷରେ ଇଂରେଜ ଶାସନ ନିର୍ମାତା ବଙ୍ଗ ଶାସକ ଲର୍ଡ କ୍ଲାଇବ ଓ ସର୍ଜେଣ୍ଟ ମିଷ୍ଟର ମୋଟିଙ୍କ କଥୋପକଥନରୁ । ଅସତ୍‌ ଉପାୟରେ ଅର୍ଜିଥିବା ବିପୁଳ ଅର୍ଥକୁ କ୍ଳାଇବ୍‌ ଗୁପ୍ତରେ ନିଜ ଦେଶକୁ ନେଇଯିବା ବିଷୟକ ଯୋଜନା ଏହି ଆଲୋଚନାର ବିଷୟବସ୍ତୁ । ଏହି ସମୟରେ ସମ୍ବଲପୁର ରାଜଦୂତ ସର୍ଦ୍ଦାର ଖାଁ ପ୍ରବେଶ କରିଛି ଓ ଏକ ମୂଲ୍ୟବାନ ହୀରାଖଣ୍ଡ ଦେଖାଇ ସମ୍ବଲପୁର ରାଜା ନିଜ ପାଖରେ ଗଚ୍ଛିତ ରଖିଥିବା ବହୁ ପରିମାଣର ହୀରାକୁ ଲର୍ଡ କ୍ଲାଇବଙ୍କୁ ବିକ୍ରୟ କରିବାକୁ ଚାହୁଛନ୍ତି ବୋଲି ଜଣାଇଛି । ଲର୍ଡ କ୍ଲାଇବ୍‌ ବିପୁଳ ପରିମାଣର ହୀରା କ୍ରୟକରି ନିଜ ଦେଶକୁ ନେଇଯିବାପାଇଁ ଏହାକୁ ଏକ ଅପୂର୍ବ ସୁଯୋଗ ମନେକରିଛନ୍ତି । ଏ ବିଷୟରେ ସମ୍ବଲପୁର ରାଜାଙ୍କ ସହିତ ଆଲୋଚନା କରିବାକୁ ମିଷ୍ଟର ମୋଟିଙ୍କୁ ସମ୍ବଲପୁର ପଠାଇଛନ୍ତି । ମିଷ୍ଟର ମୋଟି ବାଟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନିଜର କିଛି ସାଥୀଙ୍କୁ ହରାଇଛନ୍ତି । ସେହିଦିନ ସମ୍ବଲପୁରର ରାଜା ଅଜିତ ସିଂହଙ୍କର ଦେହାନ୍ତ ହୋଇଯାଇଛି । ଏ ପରିସ୍ଥିତିରେ ସମ୍ବଲପୁର ନଯାଇ କଲିକତା ଫେରିଆସିବାକୁ ମିଷ୍ଟର ମୋଟି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ସମ୍ବଲପୁରର ନୂତନ ରାଜା ଅଭୟ ସିଂହଙ୍କ ଦୂତ ଆସି ତାଙ୍କୁ ଜଣାଇଛି ଯେ ରାଜାଙ୍କ ମୃତ୍ୟୁପରେ ସମ୍ବଲପୁରରେ ରାଷ୍ଟ୍ରବିପ୍ଳବ ସୃଷ୍ଟି ହୋଇଛି ଏବଂ ସେହି ବିପ୍ଳବକୁ ଦମନ କରିବାକୁ ନୂତନ ରାଜା ଇଂରେଜଙ୍କ ସହିତ ମିତ୍ରତା ସ୍ୱୀକାର କରି ସେମାନଙ୍କ ସାହାଯ୍ୟ ଭିକ୍ଷା କରିଛନ୍ତି । ମିଷ୍ଟର ମୋଟିଙ୍କ ପାଖରେ ଲୋକବଳ ନଥିବାରୁ ସେ ନିଜର ଅକ୍ଷମତା ଜଣାଇଛନ୍ତି । ନୂତନରାଜା ବିଦ୍ରୋହୀ ସେନାପତି ଆକବର ଖାଁଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଘୋଷଣା କରିବାରୁ ବିଦ୍ରୋହ ଥମିଯାଇଛି । ନୂତନ ପ୍ରଧାନମନ୍ତ୍ରୀଙ୍କ ସହିତ ମିଷ୍ଟର ମୋଟିଙ୍କର ହୀରାକ୍ରୟ ସମ୍ବନ୍ଧରେ ମୂଲଚାଲ ହୋଇଛି । ହୀରା କ୍ରୟପାଇଁ ଅଧିକ ଅର୍ଥ ଘେନି ଆସିଲେ ହୀରା ମୂଲ୍ୟ ସ୍ଥିର ହେବବୋଲି ଆକବର ଖାଁ କହିଛନ୍ତି । ଇତ୍ୟବସରରେ ମୋଟି ନିଜର ନିକଟତମ ସାଥୀ ମିଷ୍ଟର ରାବିଙ୍କୁ ମଧ୍ୟ ହରାଇଛନ୍ତି ସେହିଠାରେ । ତେଣୁ ସେ ନୈରାଶ୍ୟଜର୍ଜରିତ ହୃଦୟ ଘେନି ଫେରିଆସିଛନ୍ତି ।

 

ଏହି ସାମାନ୍ୟ କଥାଭୂମିକୁ ଗାଳ୍ପିକ ଡକ୍ଟର ସାହୁ ଏକ ପୂର୍ଣ୍ଣାଙ୍ଗ ଗଳ୍ପରେ ରୂପ ଦେଇଛନ୍ତି ସ୍ୱରୀତିରେ, ସ୍ୱକଥାଚାତୁରୀରେ । ଗଳ୍ପର କେତେକ ଚରିତ୍ର ଇତିହାସସମର୍ଥିତ ହେଲେହେଁ ଗଳ୍ପଟି ଅନେକାଂଶରେ କାଳ୍ପନିକ ମନେହୁଏ ।

 

‘ନୟାବସାଣ’ ଗଳ୍ପର କଥାବସ୍ତୁ ୧୭୮୨ ଏପ୍ରିଲର ଘଟଣାରୁ ଆରମ୍ଭ । ସେତେବେଳେ ମୟୂରଭଞ୍ଜର ହରିପୁର ଦୁର୍ଗ ମରହଟ୍ଟାଙ୍କଦ୍ୱାରା ଅବରୁଦ୍ଧ । ରାଜା ଦାମୋଦର ଭଞ୍ଜ ହତୋତ୍ସାହ ହୋଇପଡ଼ିଛନ୍ତି । ଦେଶଦ୍ରୋହୀ ଦାସରଥି ଭଞ୍ଜ ମୟୂରଭଞ୍ଜ ସିଂହାସନ ଲୋଭରେ ମରହଟ୍ଟାମାନଙ୍କ ସହିତ ହାତ ମିଳାଇଛନ୍ତି । ସର୍ବୋଚ୍ଚ ସେନାପତି ଜେହାନ ମହମୁଦ ମଧ୍ୟ ଯୋଗ ଦେଇଛନ୍ତି ଶତ୍ରୁଛାଉଣୀରେ । କୋଡ଼ିଏ ବର୍ଷରୁ ଅଧିକକାଳ ମିତ୍ରତା ସ୍ଥାପନ କରିଥିବା ଇଂରେଜ ଶାସକ ମଧ୍ୟ ସାହାଯ୍ୟ ଦେବାର ଚୁକ୍ତି ଭଙ୍ଗକରି ଚରମ ବିଶ୍ୱାସଘାତକତାର ପରିଚୟ ଦେଇଛନ୍ତି । ଅନ୍ୟ ଉପାୟ ନ ଦେଖି ମନ୍ତ୍ରୀଙ୍କ ସହିତ ରାଜା ପରାମର୍ଶକରି ମେଦିନିପୁରରେ ଥିବା ତାଙ୍କ ନୟାବସାଣ ଜମିଦାରୀକୁ ମରହଟ୍ଟାଙ୍କୁ ଦେଇ ଶାନ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ମରହଟ୍ଟାଙ୍କ ପାଖକୁ ପ୍ରସ୍ତାବ ଯିବାପୂର୍ବରୁ ବିଦ୍ରୋହୀ ଦାଶରଥି ଭଞ୍ଜଙ୍କ କନ୍ୟା ଇନ୍ଦୁଲେଖା ଦୁର୍ଗ ଭିତରେ ପ୍ରବେଶକରି ରାଜାରାଣୀ ସେହି ରାତିରେ ବନ୍ଦୀ ହେବାକୁ ଯାଉଥିବା ସମ୍ବାଦ ଦେଇଛି । ଏ ପରିସ୍ଥିତିରେ ରାଜା ଓ ରାଣୀ ଦୁହେଁ ଦୁର୍ଗ ତ୍ୟାଗକରି ସେହି ରାତ୍ରିରେ ବାମନଘାଟି ଅଞ୍ଚଳକୁ ଚାଲିଯିବାପାଇଁ ପରାମର୍ଶ ମଧ୍ୟ ଦେଇଛି । ଏ କାର୍ଯ୍ୟରେ ସେ ସାହାଯ୍ୟ କରିଛି ତା’ର ମରହଟ୍ଟା ପ୍ରେମିକ ତଥା ସୁବାଦାର ରାଜାରାମ ପଣ୍ଡିତଙ୍କ ପୁତ୍ର ଦେବରାଜ ମାଧ୍ୟମରେ । ଚାରିଜଣଯାକ ଚାରିଟି ଅଶ୍ୱପୃଷ୍ଠରେ ନିଶାର୍ଦ୍ଧରେ ବାମନଘାଟି ଅଭିମୁଖେ ଯାତ୍ରା କରିଛନ୍ତି । ମରହଟ୍ଟା ଯୁବକ ସେମାନଙ୍କୁ ବାମନଘାଟିରେ ଛାଡ଼ିଦେଇ ଆସିଛି । ବାଟବଳେଇ ଦେବାକୁ ଆସିଛି ଇନ୍ଦୁଲେଖା । ନିରୋଳାରେ ସେମାନଙ୍କର ମିଳନ ଘଟିଛି । ବିଦାୟ ବେଳାରେ ଇନ୍ଦୁଲେଖା ପ୍ରେମିକାକୁ ଉପହାର ଦେଇଛି ନିଜ ମାତୃଦତ୍ତ ମଣିଯୁକ୍ତ ମଥାମଣିଟିକୁ । ଇନ୍ଦୁଲେଖା ଦଶସହସ୍ର ମୁଦ୍ରା ସଂଗ୍ରହକରି ମରହଟ୍ଟାମାନଙ୍କୁ ଦେଇଛି ଓ ଦେଶରେ ଶାନ୍ତି ସ୍ଥାପନ କରିଛି । ରାଜା ଅପୁତ୍ରକ ଥିବାରୁ ତାଙ୍କ ମୃତ୍ୟୁପରେ କଂପାନୀ ସରକାର ମୟୂରଭଞ୍ଜ ରାଜ୍ୟ ଅଧିକାର କରିନେଇଛି । ରାଣୀ ସୁମିତ୍ରାଦେବୀ ସନ୍ନ୍ୟାସିନୀ ହୋଇ ରହିଛନ୍ତି ଗୋପୀବଲ୍ଲଭପୁର ମଠରେ । ଇନ୍ଦୁଲେଖା ନିରୁଦ୍ଦିଷ୍ଟ ହୋଇଯାଇଛି ।

 

ମହରଟ୍ଟାଙ୍କ ଆକ୍ରମଣର ସମ୍ବାଦ ପାଇ ୱେଲେସେଲି ସର୍ଜେଣ୍ଟ ଉଦୟ ଭଞ୍ଜଙ୍କୁ ଡକାଇ ତାଙ୍କ ପରାମର୍ଶ ଲୋଡ଼ିଛନ୍ତି । ଅତୀତରେ ମୟୂରଭଞ୍ଜ ପ୍ରତି ଇଂରେକମାନଙ୍କର ଅନ୍ୟାୟ ଆଚରଣ ମନେପକାଇ ମୟୂରଭଞ୍ଜର ରାଣୀ ସୁମିତ୍ରାଦେବୀଙ୍କୁ ସିଂହାସନାରୂଢ଼ା କରାଇବାକୁ ଉଦୟ ସିଂହ ପରାମର୍ଶ ଦେଇଛନ୍ତି । ତାଙ୍କ ପ୍ରସ୍ତାବ ଗୃହୀତ ହୋଇଛି । ରାଣୀ କିନ୍ତୁ ମରହଟ୍ଟା କମାଣରେ ଧ୍ୱସ୍ତବିଧ୍ୱସ୍ତ ହରିପୁର ଦୁର୍ଗରେ ଅଭିଷିକ୍ତ ନ ହୋଇ ବାରିପଦାକୁ ରାଜଧାନୀ ଘୁଞ୍ଚାଇ ନେଇ ସେଠାରେ ଅଭିଷିକ୍ତା ହୋଇଛନ୍ତି ।

ତାପରେ ଇଂରେଜମାନଙ୍କ ସହିତ ମରହଟ୍ଟା ଫଉଜର ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଛି-। କଟକ ଧାଇଁଛନ୍ତି କମ୍ପାନୀ ଫଉଜ । ସର୍ଜେଣ୍ଟ ଉଦୟ ଭଞ୍ଜ ସମ୍ଭାଳିଛନ୍ତି ଉତ୍ତର ବାଲେଶ୍ୱର ଓ ମେଦିନିପୁର ଅଞ୍ଚଳ । ନୟାବସାଣର ବିସ୍ତୀର୍ଣ୍ଣ ପ୍ରାନ୍ତରରେ ସୈନ୍ୟ ସମାବେଶ କରି ଉଦୟ ଭଞ୍ଜ ଜଗିରହିଛନ୍ତି ଶତ୍ରୁସେନାର ପ୍ରବେଶ ପଥକୁ । ମରହଟ୍ଟା ସେନାପତି ଅଶ୍ୱପୃଷ୍ଠରେ ମାଡ଼ିଆସୁଛନ୍ତି ବୀରଦର୍ପରେ । ଉଦୟ ଭଞ୍ଜ ବିଳମ୍ବ ନକରି ବନ୍ଧୁକ ମୁହାଁଇଛନ୍ତି ତାଙ୍କ ଆଡ଼କୁ । ଆଖିପିଛୁଳାକେ ମରହଟ୍ଟା ସେନାପତି ଟଳିପଡ଼ିଛନ୍ତି ଅଶ୍ୱପୃଷ୍ଠରୁ । ତାଙ୍କ ଶିରସ୍ତ୍ରାଣ ଫିଟିପଡ଼ିଛି କିଛି ଦୂରରେ । ତା’ ଭିତରୁ ଝଲସି ଉଠିଛି ଏକ ଦେଦୀପ୍ୟମାନ ମଣି, ଯାହା ଦିନେ ନିଜର ପ୍ରେମର ନିଦର୍ଶନ ସ୍ୱରୂପ ଇନ୍ଦୁଲେଖା ଦେଇଥିଲା ନିଜର ପ୍ରେମିକ ମରହଟ୍ଟା ଯୁବକକୁ । ଉଦୟ ଭଞ୍ଜ ଚିହ୍ନିପାରିଛନ୍ତି ଯେ ମରହଟ୍ଟା ସେନାପତି ଜଣକ ତାଙ୍କ ପ୍ରେମିକ ଦେବରାଜ ବ୍ୟତୀତ ଆଉ କେହି ନୁହେଁ । ଦାରୁଣ ଦୁଃଖରେ ସେ ଭାଙ୍ଗିପଡ଼ିଛନ୍ତି । ଗାଳ୍ପିକ ନାଟକୀୟ ଭାବେ ଗଳ୍ପଟିକୁ ସମାପ୍ତ କରିଛନ୍ତି ଏହିପରି-

 

ମରହଟ୍ଟା ସେନାପତି କ୍ଷୀଣ କଣ୍ଠରେ ପଚାରିଲେ- ‘‘ତୁମେ କିଏ ?’’

 

‘‘ତୁମର କଳଙ୍କିନୀ ଇନ୍ଦୁଲେଖା ।’’

 

’’ଇନ୍ଦୁଲେଖା ।’’ ସେନାପତିଙ୍କ ଫିକା ଓଠରେ ହସରେଖା ଫୁଟିଲା, ନୃତ୍ୟକ୍ଳାନ୍ତ ନଟରାଜଙ୍କ ଶିରରେ ଦ୍ୱିତୀୟା ଇନ୍ଦୁଲେଖା ପରି । ତାପରେ ଶେଷ ।

 

ଇନ୍ଦୁଲେଖା ବି ଆଉ ଉଠିଲେ ନାହିଁ । ଛାତିରେ ସଂଗିନ ଥୋଇ ଜୀବନ ଲହୁ ଢାଳିଦେଲେ ପ୍ରେମର ପୂଜାବେଦୀରେ ।

 

ଦୁଇଟି ହିଆର ଅନନ୍ତ ରାଗିଣୀରେ ଝଂକୃତ ହୋଇଉଠିଲା ନୟାବସାଣର ରକ୍ତସ୍ନାତ ଧାନକ୍ଷେତ ।’’ (ପୃ ୬୬)

 

‘ଜଗନ୍ନାଥ-ଐତିହ୍ୟ’ ଗଳ୍ପରେ ଗାଳ୍ପିକ ଜଗନ୍ନାଥଙ୍କ ମୂଳ ଖୋଜିଛନ୍ତି ଜୈନଧର୍ମରେ । ଜୈନଧର୍ମର ଆଦିନାଥ ଋଷଭଙ୍କ ପୂଜାପୀଠ କଳିଙ୍ଗର ସିନ୍ଧୁତୀରସ୍ଥ ପିହୁଣ୍ଡ (ପୁରୀ)ରେ ଥିଲା ବୋଲି ଏଥିରେ ପ୍ରକାଶିତ ଏବଂ ଆର୍ଯ୍ୟଋଷି ସମ୍ଭବତଃ ତାଙ୍କୁ ଲକ୍ଷ୍ୟକରି ବୈଦିକ ସାହିତ୍ୟରେ ଗାଇଥିଲେ ‘ସୃଷ୍ଟିର ଆଦିକାଳରୁ ସିନ୍ଧୁତୀରରେ ପ୍ଳବମାନ ଦାରୁବିଗ୍ରହହିଁ ସମସ୍ତଙ୍କ ପରମପଦ ପ୍ରଦାୟକ’ ବୋଲି । ତାଙ୍କପରେ ଖ୍ରୀଷ୍ଟଙ୍କ ଜନ୍ମର ଆଠଶହ ବର୍ଷ ପୂର୍ବେ ଆସିଲେ ପରମ୍ପରାକ୍ରମେ ବାଇଶିଜଣ ତୀର୍ଥଙ୍କର । ତ୍ରୟୋବିଂଶ ତୀର୍ଥଙ୍କର ପାର୍ଶ୍ୱନାଥଙ୍କର ପ୍ରଚାରର କେନ୍ଦ୍ରଭୂମି ମଧ୍ୟ ଥିଲା କଳିଙ୍ଗ । ଏହାର ପ୍ରାୟ ଦୁଇ ଶତାବ୍ଦୀପରେ ଆବିର୍ଭାବ ହେଲା ଚତୁର୍ବିଂଶୀ ତୀର୍ଥଙ୍କର ମହାବୀର ଓ ଭଗବାନ ବୁଦ୍ଧଙ୍କର । ଜୈନସଂସ୍କୃତିରେ ଆଦିନାଥ ଋଷଭଙ୍କ ପୂଜା ଚାଲିଲା ପିହୁଣ୍ଡ (ପୁରୀ)ରେ ପୁରୁଷାନୁକ୍ରମେ । ତେଣୁ ପିହୁଣ୍ଡ ଥିଲା ସମଗ୍ର ଜୈନଜଗତର ତୀର୍ଥକେନ୍ଦ୍ର । ପୁଣି ଦୁଇଟି ଶତାବ୍ଦୀପରେ ମଗଧର ଜୈନସମ୍ରାଟ ମହାପଦ୍ମନନ୍ଦଙ୍କ କଳିଙ୍ଗ ବିଜୟ ଓ ଅଗ୍ରଜିନ ଋଷଭଙ୍କ ପ୍ରତିମାକୁ ବିଜୟ ସ୍ମାରକୀରୂପେ କଳିଙ୍ଗର ପିହୁଣ୍ଡରୁ ନେଇଗଲେ ନିଜ ଦେଶକୁ । ଏହାର ଶହେ ବର୍ଷପରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ । କଳିଙ୍ଗ ଯୁଦ୍ଧର ବିଭୀଷିକା ଦର୍ଶନରେ ତାଙ୍କ ହୃଦୟ ପରିବର୍ତ୍ତିତ ହୋଇଥିଲା ଓ ସେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ତାଙ୍କ ପ୍ରଚେଷ୍ଟାରେ ବୌଦ୍ଧଧର୍ମ ଦେଶବିଦେଶରେ ପରିବ୍ୟାପ୍ତ ହୋଇଥିଲା । ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳ ମଗଧ ଆକ୍ରମଣ କରି କାଳିଙ୍ଗଜିନ ପ୍ରତିମାକୁ କଳିଙ୍ଗକୁ ଫେରାଇ ଆଣିଲେ । ଜିନପ୍ରତିମାନଙ୍କର ସମାରୋହରେ ହେଲା ପିହୁଣ୍ଡ ବିଜୟ । ତାପରେ ପୁରୁଷୋତ୍ତମ ଋଷଭ ହେଲେ ପୁରୁଷୋତ୍ତମ ଜଗନ୍ନାଥ ।

 

ବିଧର୍ମୀଙ୍କ ଆକ୍ରମଣକାଳରେ ଜଗନ୍ନାଥଙ୍କୁ କିଛିକାଳ ପାତାଳୀ ହେବାକୁ ପଡ଼ିଲା । ସୋନପୁରରେ ସେ ଆତ୍ମଗୋପନ କଲେ ଦୀର୍ଘ ତିନିଶହ ବର୍ଷ । ୧ମ ଶତାବ୍ଦୀରେଯଶସ୍ୱୀ ଚୋଳଗଙ୍ଗ ଜଗନ୍ନାଥଙ୍କ ପାଇଁ ମନ୍ଦିର ନିର୍ମାଣ କଲେ । କ୍ରମେ ଗଙ୍ଗରାଜବଂଶ ଦୁର୍ବଳ ହେଲା । ୧୩୫୮ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀଶ୍ୱର ଫିରୋଜ ଶାହ ଓଡ଼ିଶାର ବହୁମନ୍ଦିର ଓ ବିଗ୍ରହ ଧ୍ୱଂସ କଲେ ଓ ଜଗନ୍ନାଥଙ୍କୁ ଦିଲ୍ଲୀ ସହରକୁ ନେଇଗଲେ ଧର୍ମାନ୍ଧ ମୁସଲମାନଙ୍କ ପଦାଘାତରେ ପ୍ରତିଦିନ ଅସମ୍ମାନ କରିବାପାଇଁ । ସେଇଠୁଁ ଆରମ୍ଭ ହେଲା ଜଗନ୍ନାଥଙ୍କ ନବକଳେବର ପ୍ରତିଷ୍ଠା, ଯାହାର ଚଳଣି ଆଜିପର୍ଯ୍ୟନ୍ତ ଗଡ଼ିଆସିଛି ।

 

ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶ ପ୍ରତିଷ୍ଠାତା ରାଜା କପିଳେନ୍ଦ୍ରଦେବଙ୍କ ରାଜତ୍ୱ ଆରମ୍ଭରୁ ଦେଶର ରାଜନୀତିରେ ଲାଗିଲା ଜଗନ୍ନାଥଙ୍କ ଅଙ୍ଗୁଳିସ୍ପର୍ଶ । ‘‘ପ୍ରଗାଢ଼ ଜଗନ୍ନାଥ ପ୍ରେମ ସହିତ ଦେଶପ୍ରୀତିର ଅପୂର୍ବ ସମାବେଶ ହୋଇ ଉତ୍କଳୀୟ ପ୍ରାଣରେ ଅସୀମ ଉନ୍ମାଦନା ଭରିଗଲା ।’’ ତାପରେ ଗାଳ୍ପିକ କଳାପାହାଡ଼ ପ୍ରସଙ୍ଗ ଉତ୍‌ଥାପନକରି ଏହାର ଐତିହାସିକ ଅସାରତା ପ୍ରମାଣ କରିଛନ୍ତି-‘‘ଓଡ଼ିଶାର ଚତୁର୍ଦ୍ଦିଗରେ ଓତପ୍ରୋତରୂପେ ବ୍ୟାପ୍ତ ଥିବା ଜଗନ୍ନାଥ ଚେତନାକୁ ଓଜସ୍ୱିନୀ କରିବା ନିମନ୍ତେ ଯେ ଏ କଳାପାହାଡ଼ ପରିକଳ୍ପନା ଏହା ସୁସ୍ପଷ୍ଟ ।’’ (ପୃ ୧୬୪)

 

ଉପସଂହାରରେ ସେ ଜଗନ୍ନାଥଙ୍କ ପରିଚୟ ଦେବାକୁ ଯାଇ କହନ୍ତି-‘‘ଜଗନ୍ନାଥ ! ତୁମେ କି ଥିଲ ଆଦିନାଥ ଋଷଭ ? କିନ୍ତୁ ବହୁକାଳରୁ ତାଙ୍କ ସମ୍ପର୍କ ତ୍ୟାଗକରିସାରିଛ; ଇନ୍ଦ୍ରଭୂତିଙ୍କଠୁଁ ସାରଳା, ଅଚ୍ୟୁତଯାଏ ବହୁ ପଣ୍ଡିତଙ୍କଦ୍ୱାରା ତୁମେ ପୁଣି ହୋଇଛ ବୁଦ୍ଧ, କିନ୍ତୁ ତୁମେ ସେ କପିଳାବସ୍ତୁର ଶାକ୍ୟସିଂହ ବୁଦ୍ଧ ହୋଇନପାର; ଅନେକେ କହନ୍ତି ତୁମେ ସ୍ୱୟଂ କୃଷ୍ଣଚନ୍ଦ୍ର, ଯଦିଚ ଗୋପ-ମଥୁରାର କୃଷ୍ଣଙ୍କଠୁଁ ତୁମେ ସମ୍ପୂର୍ଣ୍ଣ ପୃଥକ୍‌; ଶାକ୍ତଗଣଙ୍କ ମତରେ ତୁମେ ପୁଣି ଭୈରବ, କିନ୍ତୁ ତୁମ ପକ୍ଷରେ ତାହା ହେବା ଅତି ଅସମ୍ଭବ; ମହାତ୍ମା ଶଙ୍କର ତୁମକୁ କହିଲେ ‘ବ୍ରହ୍ମ’; ଶିଖଗୁରୁ ନାନକ ତୁମ ଦ୍ୱାରକୁ ଆସି ଡାକିଲେ ‘ସତ୍‌ନାମ’; ଭୀମଭୋଇ ଚିତ୍କାର କଲେ ତୁମେ ‘ଅଲେଖ’; ସାଧୁସୁନ୍ଦର କହିଲେ ତୁମେ ‘ଯୀଶୁ’ । ତୁମେ ସବୁ ଅଟ କିନ୍ତୁ କିଛି ନୁହଁ । ଏହାହିଁ ତୁମ ମହିମାମୟ ବିରାଟତାର ଅଭିବ୍ୟକ୍ତି-। ତୁମେ ଜଗତର ନାଥ ନୁହ, ଜଗତହିଁ ତୁମରି ଦ୍ୱାରା ହୋଇଛି ନାଥଯୁକ୍ତ; ଜାଗତିକ ପ୍ରକୃତିର ରୂପାୟନ ଘଟିଛି ତୁମ ଦିବ୍ୟ ସତ୍ତାର ସାନ୍ନିଧ୍ୟରେ ଏବଂ ସୃଷ୍ଟି ହୋଇଛି ଏକ ଦେବରାଜ୍ୟ ଏହି ନୀଳାଚଳରେ, ଯେଉଁଠି ତୁମେ ବିଜେ କରିଛ ସକଳ ତୀର୍ଥଘେନି ।

 

‘‘ତୁମେ ଯାହା ହୁଅ; ତୁମେହିଁ ଏ ଉତ୍କଳର ଚୈତପୁରୁଷ, ଉତ୍କଳ ଜାତୀୟତାର ଜୀବନକେନ୍ଦ୍ର । ଏ ସୁପ୍ତ ଜାତିର ଜାଗରଣ ସମ୍ଭବ ହେବ କେବଳ ଜଗନ୍ନାଥ ଚେତନାରେ-ଯେବେ ଏ ଦେଶର ମାନବ ପୃଥିବୀର ଯେକୌଣସି ସ୍ଥାନରେ ଥାଇ ସୁଦ୍ଧା ପ୍ରତ୍ୟୟ କରିବ ଯେ ସେ ନୀଳଚକ୍ର ତଳେ ଠିଆ ହୋଇଛି ।’’ (ପୃ ୧୬୪)

 

‘ପଦ୍ମସମ୍ଭବ’ ଗଳ୍ପରେ ସମ୍ବଳରାଜା ଇନ୍ଦ୍ରଭୂତିଙ୍କ ପୁତ୍ରରୂପେ ପଦ୍ମସମ୍ଭବଙ୍କ ଅଲୌକିକ ଜନ୍ମକାହାଣୀ ବର୍ଣ୍ଣିତ । ତାଙ୍କ ସାଧନା ଓ ସିଦ୍ଧି ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି ଯେ ସେ ବିରଜାକ୍ଷେତ୍ରରେ ସାଧନାକରି ସିଦ୍ଧିପ୍ରାପ୍ତ ହୋଇଥିଲେ । ସେ ତିବ୍‌ବତକୁ ଯାଇ ନିଜର ଶାଳକ ଶାନ୍ତରକ୍ଷିତଙ୍କ ସମବାୟରେ ସେଠାରେ ଲାମାଧର୍ମର ପ୍ରତିଷ୍ଠା କରିଥିଲେ । ଶେଷରେ ଓଡ଼ିଶାକୁ ଫେରିଆସି ବିରଜା-କ୍ଷେତ୍ରରେ ସେ ଶେଷ ଜୀବନ କଟାଇଥିଲେ ବୋଲି ଗାଳ୍ପିକ ଅନୁମାନ କରନ୍ତି । ତାଙ୍କ ଭାଷାରେ-‘‘ପଦ୍ମସମ୍ଭବ କିନ୍ତୁ ତାଙ୍କ ପ୍ରିୟ ଓଡ଼ିଶାକୁ ଭୁଲିପାରି ନଥିଲେ । ତାଙ୍କ ଶେଷ ଜୀବନ ବିରଜା କ୍ଷେତ୍ରରେ ଅତିହାହିତ ହୋଇଥିବା ଅନୁମାନ କରାଯାଏ । ଯାଜପୁର ନିକଟସ୍ଥ ଉଦୟଗିରିରେ ଥିବା ଏକ ବୋଧିସତ୍ତ୍ୱ ମୂର୍ତ୍ତି ପଛପଟରେ ପଦ୍ମସମ୍ଭବଙ୍କୁ ସ୍ତୁତି କରାଯାଇ ଲେଖାଅଛି ଯେ ଏଇଠି ବୁଦ୍ଧଙ୍କ ଧାତୁଧାରଣ କରିଥିବା ଓ ତଥାଗତଙ୍କଦ୍ୱାରା ଅଧ୍ୟୁଷିତ ହୋଇଥିବା ସ୍ତୂପ ଅଛି । ଏ ସ୍ତୂପଟିର ଭଗ୍ନାଂଶ ଏବେସୁଦ୍ଧା ଦେଖିବାକୁ ମିଳେ ଏବଂ ଏହା ଯେ ଗୁରୁ ପଦ୍ମସମ୍ଭବଙ୍କ ଶରୀରଧାତୁ ସଂରକ୍ଷଣକାରୀ ସ୍ତୂପ ଏଥିରେ ସନ୍ଦେହର ଅବକାଶ ଥାଇ ନପାରେ ।’’ (ପୃ ୨୮୮)

 

ଏ ରଚନାଟି ଗଳ୍ପ-ଆଙ୍ଗିକରେ ଉନ୍ନତ ହୋଇପାରି ନାହିଁ, ତାଙ୍କର ଅନ୍ୟ କେତୋଟି ଗଳ୍ପପରି । ଏହାର ଶୈଳୀ ଗଳ୍ପ ଅପେକ୍ଷା ପ୍ରବନ୍ଧର ଅଧିକ ନିକଟବର୍ତ୍ତୀ ।

 

‘ଚନ୍ଦ୍ରିକା’ରେ ପ୍ରକାଶିତ ତାଙ୍କର ପଞ୍ଚମ ଓ ଶେଷ ଗଳ୍ପଟି ହେଉଛି ‘ପ୍ରଥମ ବୌଦ୍ଧ’ । ପାଞ୍ଚଶହ ଶକଟ ପଣ୍ୟଦ୍ରବ୍ୟ ଧରି ଉତ୍କଳରୁ ଚାଲିଥାଏ ମଧ୍ୟପ୍ରଦେଶ ଅଭିମୁଖେ । ପଥରେ ଉରୁବିଲ୍ୱର ପ୍ରଶାନ୍ତ ବନଭୂମି । ଗତି ହଠାତ୍‌ ବନ୍ଦ ହୋଇଆସେ । ଦୁଇ ବଣିକଭ୍ରାତା ତପ୍‌ପସୁ ଓ ଭଲ୍ଲିକ ଏକ ସୁସଜ୍ଜିତ ଶକଟରୁ ଓହ୍ଲାଇ ଚାଲନ୍ତି ସେଠାରେ ଆସୀନ ଏକ ଦିବ୍ୟପୁରୁଷଙ୍କ ନିକଟକୁ । ତାଙ୍କ ଗୌର ମୁଖମଣ୍ଡଳରେ ପ୍ରକାଶିତ ହେଉଥାଏ ଅନନ୍ତ ଆନନ୍ଦର ଜ୍ୟୋତି ଏବଂ ତହିଁରେ ଭରିଥାଏ ଏକ ରହସ୍ୟମୟ ଆକର୍ଷଣ । ତାଙ୍କ ଅର୍ଚ୍ଚନା ନିମନ୍ତେ ଦୁଇ ଭାଇ ସୁବର୍ଣ୍ଣ ପାତ୍ରରେ ଆରିଷା, ଦୁଗ୍‌ଧ ଓ ମଧୁନେଇ ଅପୂର୍ବ ଆନନ୍ଦରେ ତାଙ୍କ ପାଦତଳେ ଦଣ୍ଡାୟମାନ ହୁଅନ୍ତି । ସେହି ଦିବ୍ୟପୁରୁଷଙ୍କ ପରିଚୟ-ଭଗବାନ ବୁଦ୍ଧ । ଆଠସପ୍ତାହ ପୂର୍ବେ ସେ ସେଠାରେ ବୋଧିପ୍ରାପ୍ତ ହୋଇଥାଆନ୍ତି । ବଣିକଦ୍ୱୟଙ୍କ ହସ୍ତରୁ ଖାଦ୍ୟ ଗ୍ରହଣ କରି ସେ ପରମ ଆନନ୍ଦ ଲାଭକରନ୍ତି ଏବଂ ତାଙ୍କଦ୍ୱାରା ଆବିଷ୍କୃତ ଆର୍ଯ୍ୟସତ୍ୟକୁ ସେ ଦୁହିଁଙ୍କୁ ପ୍ରଦାନ କରନ୍ତି । ସେମାନେହିଁ ପୃଥିବୀର ପ୍ରଥମ ବୌଦ୍ଧ ହେବାର ଗୌରବ ଲାଭ କରନ୍ତି । ବୁଦ୍ଧ ମହା ଆନନ୍ଦରେ ମସ୍ତକର କୁଞ୍ଚିତ କେଶ କର୍ତ୍ତନକରି ସେହି ଦୁଇଜଣଙ୍କ ଅଞ୍ଜଳି ଭରିଦିଅନ୍ତି; ଆଉ କହନ୍ତି-‘‘ଏ ଜମ୍ବୁଦ୍ୱୀପରେ ମୋର ଆର୍ଯ୍ୟସତ୍ୟ ପ୍ରଚାରିତ ହୋଇ ମହାସଂଘ ଗଠିତ ହେବ । କୋଟି କୋଟି ନରନାରୀ ବୁଦ୍ଧ, ଧର୍ମ ଓ ସଂଘର ଶରଣ ନେଇ ସ୍ରୋତାପନ୍ନ ହେବେ ଏବଂ ଧର୍ମପଦପ୍ରାପ୍ତ ହୋଇ ଅର୍ହତ ହେବେ ।’’

 

ତାଙ୍କ ଗଳ୍ପ ମଧ୍ୟରେ ଏହି ଗଳ୍ପଟି କ୍ଷୁଦ୍ରତମ । ତାଙ୍କ ଗଳ୍ପକାରିତାର ପରିଚୟ ଦେବା ଉଦ୍ଦେଶ୍ୟରେ ଏଇଟି ପରିଶିଷ୍ଟ-୪ରେ ସ୍ଥାନପ୍ରାପ୍ତ ।

 

ଐତିହାସିକ ଗଳ୍ପରଚନାର ଉପଯୋଗୀ ଭାଷା ପ୍ରୟୋଗରେ ଗାଳ୍ପିକଙ୍କର ରହିଛି ଅପୂର୍ବ ଦକ୍ଷତା । ତାଙ୍କ ଭାଷା ଉନ୍ନତ ଓ ଅଭିଜାତ । ତାଙ୍କର ଭାଷା ଓ ଶୈଳୀ ସମକାଳୀନ ଗଳ୍ପରଚନାର ଅନୁସାରୀ । ତେଣୁ ସେ ପାଠକଙ୍କ ରୁଚିକୁ ଦୃଷ୍ଟିରେ ରଖି ଗଳ୍ପ ରଚନା କରିଛନ୍ତି ସଂଭ୍ରାନ୍ତ ଭାଷା ଓ ସ୍ୱକୀୟ ଶୈଳୀରେ । ତାଙ୍କ ଭାଷା ଓ ବର୍ଣ୍ଣନାର ଏକ କାବ୍ୟିକ ଚାତୁରୀ ରହିଛି । ଗୋଟିଏ ଉଦାହରଣ- ‘‘ଅନନ୍ତକାଳ ବକ୍ଷରେ ଅକ୍ଷୟ ଜୀବନସତ୍ତା ଘେନି ପୃଥିବୀ ଦିନେ ରୂପାୟିତ ହେଲା, ଏବଂ ହଠାତ୍‌ ଆଉଦିନେ ନିୟତିର କୁହୁକ ଆହ୍ୱାନରେ ଜୀବନର ଫୁଟନ୍ତ ପୁଲକ ଖେଳିଗଲା ଏ ନବାଗତ ଭୂଲୋକରେ । ବିବର୍ତ୍ତନର ଚପଳ ବିନ୍ୟାସରେ ଉଦ୍ଭିଦ ଓ ପ୍ରାଣୀ ସଂସାରର ପହିଲି ଉନ୍ମେଷ ହେଲା ସେଦିନ । ପୁଣି ଆଉ ଏକ ଦିନର ପୀୟୂଷ ବେଳାରେ ବିଶ୍ୱସୃଷ୍ଟିର ସାର୍ଥକତା ଜଣାଇ ରୂପବାନ୍‌ ମାନବ ପୃଥିବୀରେ ପାଦଦେଲା ସସମ୍ମାନ । ଛାୟା ଓ ଆଲୋକ, ବେଦନା ଓ ସମ୍ଭୋଗର ପରମ୍ପରା ଗଢ଼ି ବର୍ଣ୍ଣମାନ ଇତିହାସ ଗାଇଉଠିଲା ସତ୍ୟ-ସୁନ୍ଦରର ମହିମା ।’’ (ଜଗନ୍ନାଥ-ଐତିହ୍ୟ, ପୃ ୧୬୧)

 

ନୀରସ ଐତିହାସିକ ଘଟଣାକୁ ସେ ରସସିକ୍ତ କରିପାରନ୍ତି ଯାଦୁକରୀ ଭାଷାରେ ଓ ନିଜସ୍ୱ ଗଳ୍ପକଳାର ସ୍ପର୍ଶରେ । ଦୃଷ୍ଟାନ୍ତ ସ୍ୱରୂପ ଏଠାରେ କୁହାଯାଇପାରେ ଯେ, ଜୈନ ପରମ୍ପରାରେ ଆଦିନାଥ ଋଷଭଙ୍କ ଆବିର୍ଭାବପରେ କ୍ରମାନ୍ୱୟରେ ତ୍ରୟୋବିଂଶ ତୀର୍ଥଙ୍କର ପାର୍ଶ୍ୱନାଥଙ୍କର ଆବିର୍ଭାବ ଓ ଖ୍ରୀଷ୍ଟପୂର୍ବ ୮ମ ଶତାବ୍ଦୀରେ କଳିଙ୍ଗର ରାଜା କରକଣ୍ଡୁଙ୍କର ଜୈନଧର୍ମ ଗ୍ରହଣ ଇତ୍ୟାଦି ଗୋଟିଏ ଗୋଟିଏ ଐତିହାସିକ ସତ୍ୟ । ଏହି ଐତିହାସିକ ଘଟଣାକୁ ଗାଳ୍ପିକ କଳ୍ପନାର ରଙ୍ଗରେ, ଭାଷାର ଚାତୁରୀରେ ଓ ଗଳ୍ପର ଆଙ୍ଗିକରେ ହୃଦ୍ୟ ଓ ସ୍ୱାଦ୍ୟ କରିପାରିଛନ୍ତି ଏହିପରି-‘‘ଆଦିନାଥ ଋଷଭଙ୍କ ପରେ ବ୍ୟଥିତ ଅତୀତର ପଙ୍କିଳତା ପୋଛି ପରମ୍ପରାକ୍ରମେ ଆସିଲେ ୨୨ ଜଣ ତୀର୍ଥଙ୍କର-ତାପରେ ତ୍ରୟୋବିଂଶ ତୀର୍ଥଙ୍କର ପାର୍ଶ୍ୱନାଥ ଆବିର୍ଭୂତ ହେଲେ ଖ୍ରୀଷ୍ଟଙ୍କ ଆଠଶହ ବର୍ଷପୂର୍ବେ କାଶୀଧାମରେ ଏବଂ କଳିଙ୍ଗ ହେଲା ତାଙ୍କ ପରିପ୍ରଚାରର କେନ୍ଦ୍ରଭୂମି । ତତ୍‌କାଳୀନ କଳିଙ୍ଗରାଜ କରକନ୍ଦୁ ଦିନେ ହଠାତ୍‌ ଗୋଷ୍ଠାଙ୍ଗଣରେ ଶ୍ୱେତ, ସୁଜାତ, ସୁବିଭକ୍ତ-ଶୃଙ୍ଗବିଶିଷ୍ଟ ତାଙ୍କ ପ୍ରିୟ ବୃଷଭଟି ଜରାଗ୍ରସ୍ତ ଓ ଭୂଲୁଣ୍ଠିତ ଦେଖି ମନେକଲେ ସଂସାରର ସମସ୍ତ ଋଦ୍ଧି ଓ ବୃଦ୍ଧି ଅତି କ୍ଷଣସ୍ଥାୟୀ ଓ ଏହି ମର୍ମାନ୍ତିକ ଚିନ୍ତାର ପ୍ରତିକ୍ରିୟାରେ ନିର୍ଲିପ୍ତ ଜୈନଯୋଗୀ ହୋଇ ସେ ହେଲେ ଏକ ‘ପ୍ରତ୍ୟେକ ବୁଦ୍ଧ’ ।’’ (ଜଗନ୍ନାଥ-ଐତିହ୍ୟ, ପୃ ୧୬୧)

 

ତାଙ୍କ ଗଳ୍ପଭୂମି ଐତିହାସିକ, ଏଣୁ ବାସ୍ତବ; କିନ୍ତୁ ଐତିହାସିକ ଘଟଣାକୁ ସୁଖପାଠ୍ୟ ଗଳ୍ପରେ ରୂପାନ୍ତର କରିବା ସମୟରେ ଅନେକତ୍ର କଳ୍ପନାର ପୁଟରେ ରସାଣିତ କରାଯାଇଛି । ଉଦାହରଣ ନିଆଯାଇପାରେ ‘ନୟାବସାଣ’ ଗଳ୍ପର ଇନ୍ଦୁଲେଖା ଚରିତ୍ରଟିକୁ। ଏହା ଏକ କାଳ୍ପନିକ ଚରିତ୍ର । ମରହଟ୍ଟା ସୁବାଦାର ରାଜାରାମ ପଣ୍ଡିତଙ୍କ ପୁଅ ଦେବରାଜ ତା’ର ପ୍ରେମିକ । ଦେବରାଜ ନିଜ ପ୍ରେମକୁ ବଳିଦେଇପାରି ନାହିଁ ନିଜ ପିତାର ଓ ଜାତିର ସ୍ୱାର୍ଥ ପାଇଁ । ସେ ପ୍ରେମିକା ଇନ୍ଦୁଲେଖାର ଅନୁରୋଧ ରକ୍ଷାକରି ମୟୂରଭଞ୍ଜ ରାଜା ଓ ରାଣୀଙ୍କୁ ନିଶାର୍ଦ୍ଧରେ ନିରାପଦ ସ୍ଥାନରେ ପହଞ୍ଚାଇବାରେ ଏକ ପ୍ରମୁଖ ଭୂମିକା ନେଇଛି । ତାପରେ ସେମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । କିନ୍ତୁ କେହି ପ୍ରଥମ ପ୍ରେମକୁ ଭୁଲିପାରି ନାହାନ୍ତି । ଇନ୍ଦୁଲେଖା ଦେବରାଜକୁ ଖୋଜିଛି ଜୀବନସାରା । ଦେବରାଜ ପଣ୍ଡିତ ବି ମୃତ୍ୟୁର ଶେଷ ପର୍ଯ୍ୟନ୍ତ ସାଇତି ରଖିଛି ତା’ର ଶିରସ୍ତ୍ରାଣ ତଳେ ଇନ୍ଦୁଲେଖାପ୍ରଦତ୍ତ ମଥାମଣିକୁ, ପ୍ରେମର ନିଦର୍ଶନ ସ୍ୱରୂପ । ଶେଷରେ ସେମାନଙ୍କ ମଧ୍ୟରେ ସାକ୍ଷାତ ହୋଇଛି ଯୁଦ୍ଧକ୍ଷେତ୍ରରେ ଏବଂ ପରେ ସେମାନେ ବରିନେଇଛନ୍ତି ସହମରଣ । ଜଣଙ୍କର ଶବ ଉପରେ ଆଉ ଜଣଙ୍କର ଶବ ଲୋଟିପଡ଼ିଛି । ଏହିପରି କଳ୍ପନା ବଳରେ ଏକ ରୋଚକ ପ୍ରେମଘଟଣା ଖଞ୍ଜିଦେଇ ଗାଳ୍ପିକ ଐତିହାସିକ ଗଳ୍ପଟିକୁ ରସାଳ କରିପାରିଛନ୍ତି ।

 

ଆଲୋଚ୍ୟ ଗପଟି ବିୟୋଗାନ୍ତକ । ପ୍ରେମୀଯୁଗଳଙ୍କ ଅନ୍ତିମ ଯାତ୍ରରେ ଏହାର ନାଟକୀୟ ସମାପ୍ତି । ଏଥିରେ ନାଟକୀୟ ଉତ୍କଣ୍ଠା ମଧ୍ୟ ଭରିରହିଛି । ହଠାତ୍‌ ଇନ୍ଦୁଲେଖା ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି । ପୂର୍ବରୁ ଉଦୟ ଭଞ୍ଜଙ୍କ ବିଷୟରେ କିଛି ସୂଚନା ନଥାଇ ସେ ଇଂରେଜ ବାହିନୀର ସର୍ଜେଣ୍ଟରୂପେ ଉପସ୍ଥିତ ହୋଇଛନ୍ତି । ଉଦୟ ଭଞ୍ଜଙ୍କର ହଠାତ୍ ଆବିର୍ଭାବ ଓ ପୂର୍ବରୁ ଇନ୍ଦୁଲେଖାଙ୍କର ଅଜ୍ଞାତ ସ୍ଥାନକୁ ଗମନର ସୂଚନା ପାଠକଙ୍କ ମନରେ ଉତ୍କଣ୍ଠା ଭରିଦେଇଛି । ନୟାବସାଣର ଯୁଦ୍ଧ କ୍ଷେତ୍ରରେ ସେନାଗହଣରେ ଥାଇ ଉଦୟ ଭଞ୍ଜ ମନେପକାଇଛନ୍ତି ନିଜର ପ୍ରଥମ ପ୍ରେମକୁ; ପ୍ରଥମ ପ୍ରେମିକକୁ । ଗାଳ୍ପିକଙ୍କ ଭାଷାରେ- ‘‘ତାଙ୍କ ଅପ୍ରାକୃତିକ ଆବରଣ ତଳେ ସେ ଆବିଷ୍କାର କରିସାରିଛନ୍ତି କୋମଳ ନାରୀତ୍ୱ; ଯାହାର ଦୁର୍ବଳତା ଘୋଡ଼ାଇବା ତାଙ୍କ ପକ୍ଷେ ଅସମ୍ଭବ ହୋଇଉଠୁଛି । ଆଖି ଆଗରେ ନାଚିଯାଉଛି ହରିପୁର ଗଡ଼-ଘେରାଉ କରିଥିବା ମରହଟ୍ଟା ଶିବିର, ବାମନଘାଟିର ପାହାଡ଼ି ଜଙ୍ଗଲ ଆଉ ପ୍ରିୟତମଙ୍କ ଉଷ୍ଣ ଚୁମ୍ବନ । ଏବେ ବି ମନେପଡ଼ୁଛି ସେ କେତେପଦ କଥା-‘‘ମୋ ଦେଶ ଓ ଜାତିର ସ୍ୱାର୍ଥ ତୁମ ପ୍ରେମଠାରୁ କେବେ ବଡ଼ ନୁହେଁ ।’’ (ପୃ ୬୬) ଏଇଠାରେ ପାଠକର ସମସ୍ତ ଉତ୍କଣ୍ଠାର କଳାବାଦଲ ଅପସରିଯିବାକୁ ଆରମ୍ଭ କରେ । ଉଦୟ ଭଞ୍ଜ କିଏ, ସେକଥା ପାଠକକୁ ଅଛପା ରହେନାହିଁ । ଉତ୍କଣ୍ଠାର ସମ୍ପୂର୍ଣ୍ଣ ଅବସାନ ଘଟା ଯେତେବେଳେ ମରହଟ୍ଟା ସେନାପତିଙ୍କ ‘‘କିଏ ତୁମେ ?’’ର ଉତ୍ତରରେ ଉଦୟ ଭଞ୍ଜଙ୍କ କଣ୍ଠରୁ ଶୁଣିବାକୁ ମିଳେ-‘‘ତୁମର କଳଙ୍କିନୀ ଇନ୍ଦୁଲେଖା’’ ।

 

ଏ ଗଳ୍ପର ଅନ୍ୟ ଏକ ବିଶେଷତ୍ୱ ହେଉଛି ରୋମାଣ୍ଟିକ ଭାବାବେଗର ଚିତ୍ର, ଯାହା ଗଳ୍ପକୁ ରସମୟ କରେ । ଶୁଷ୍କ ଇତିହାସଭୂମିକୁ କଳ୍ପନାରଞ୍ଜିତ କରି ରସାଳ ଗଳ୍ପଭୂମିରେ ପରିଣତ କରିବା ଏବଂ ପାଠକତୃପ୍ତି ନିମନ୍ତେ ସେଥିରେ ରୋମାଣ୍ଟିକ୍‌ ଦୃଶ୍ୟ ଖଞ୍ଜିଦେବା ଗାଳ୍ପିକଙ୍କ ଗଳ୍ପକଳାର ଅନ୍ୟ ଏକ ଲକ୍ଷଣୀୟ ଦିଗ । ଇନ୍ଦୁଲେଖା ଓ ଦେବରାଜ ମଧ୍ୟରେ ପ୍ରେମସମ୍ପର୍କ ଯୋଡ଼ିଦେଇ ମିଳନ ଦୃଶ୍ୟ ଆଙ୍କିଦେବାରେ ଗାଳ୍ପିକଙ୍କ ସିଦ୍ଧିର ପରିଚୟ ଏଇ କେତୋଟି ଧାଡ଼ିରେ-‘‘ଦୁହିଁଙ୍କ ହୃଦୟ ନାଚିଉଠୁଥିଲା ଅପୂର୍ବ ପୁଲକରେ । ମନ ଭିତରେ ତାଙ୍କ ଖେଳିଯାଉଥିଲା ଅସୀମ ଗୀତିର ଛନ୍ଦ । ଏକ ପ୍ରାଚୀନ ଅଶ୍ୱତ୍‌ଥ ଗଛତଳେ ଦୁହେଁ ଠିଆହେଲେ । ଭାଷା ଫୁଟୁ ନଥିଲା କାହାରି ମୁହଁରୁ । ଫୁଲ୍ଲ ଯୌବନର ଅନୁଭୂତି ଦୁହିଙ୍କ ପ୍ରାଣରେ ଢାଳି ଦେଉଥାଏ ଏକ ଗୋପନ ସଙ୍ଗୀତ-ଆକୁଳ ରାଗିଣୀ । ସମୁଜ୍ଜ୍ୱଳ ମଣିର ପ୍ରତିଦାନରୂପେ ଦେବରାଜ ଇନ୍ଦୁଲେଖାଙ୍କ ଢଳଢଳ ଓଠରେ ଆଙ୍କିଦେଲେ ଏକ ଅଖଣ୍ଡ ଚୁମ୍ବନ । ଦୁଇଟି ହୃଦୟର ଆକୁଳ ମିଳନ ଦେଖିବାପାଇଁ ପାହାନ୍ତି କାବ୍ୟତାରା ଦୂର ଶାଳଗଛ ଉପରୁ ଉଙ୍କିମାରି ଉଠିଲେ । ମାନମୟୀ କୋଇଲି ଲୁଚିଲୁଚି ଶୁଣାଇଦେଲା କୁହୁକୁହୁ ।’’ (ପୃ ୬୩-୬୪)

 

ଜୀବନ୍ତ ପରିବେଶ ବର୍ଣ୍ଣନାରେ ମଧ୍ୟ ଗାଳ୍ପିକଙ୍କ ଲେଖନୀ ସାର୍ଥକ । ‘ନୟାବସାଣ’ ଗଳ୍ପରେ ରାଜା ଓ ରାଣୀ ଚାଲିଛନ୍ତି ଇନ୍ଦୁଲେଖା ଓ ମରହଟ୍ଟା ଯୁବକ ଦେବରାଜ ସହିତ ଅଶ୍ୱପୃଷ୍ଠରେ ନିର୍ଜନ ରାତ୍ରିରେ, ଘୋର ଜଙ୍ଗଲ ମଧ୍ୟରେ । ଏହି ରାତ୍ରିକାଳୀନ ପରିବେଶକୁ ଗାଳ୍ପିକ ଜୀବନ୍ତ ରୁପ ଦେଇଛନ୍ତି ଏହିପରି-‘‘ପଥ ମଧ୍ୟରେ କାହିଁ କାହିଁ ଶତ୍ରୁର ଜଗୁଆଳି ସେନା ଶୋଇଥାନ୍ତି ମଶାଣିର ଶବ ପରି । ବନଭୂମିର ବାସନ୍ତୀ ସମ୍ଭାର ଅନ୍ଧକାର ଆବରଣରେ ଅସ୍ପଷ୍ଟ ଦେଖାଯାଉଥାଏ, ସତେ ଯେପରି ଭଞ୍ଜଭୂମିର ଏ ବିପଦରେ ପ୍ରକୃତି ପ୍ରକାଶ କରୁଥାଏ ତା’ର ଅନ୍ତରର ଗ୍ଳାନି । ରାଜାରାଣୀଙ୍କୁ ପଥପାର୍ଶ୍ୱରେ ନୀରବ ଅଭିନନ୍ଦନ ଜଣାଇ ନମ୍ର ଆମ୍ରବୃକ୍ଷମାନ ଢାଳିଦେଉଥାନ୍ତି ଝରାବଉଳ ଲୁହ । ଗାୟିକା କୋଇଲି ନିସ୍ତବ୍‌ଧରେ ରହିଥାଏ କାଉଁ ଅଜଣା ଡାଳପତ୍ର ଗହଳିରେ । ଲଣ୍ଡା ଶିମିଳି ଗଛରେ ପେଚା ବସି ଶୁଣାଉଥାଏ କାଳରାତ୍ରୀର ବିକଟ ଡାକ । ପବନ ବେଳେବେଳେ ମାଡ଼ିଆସେ ସାଇଁ ସାଇଁ ଗର୍ଜନରେ । ଉଚ୍ଚ ଉଚ୍ଚ ଶାଳତରୁର ଶୀର୍ଷରେ କୋଟି କୋଟି ତାରା ଚାହିଁ ରହିଥାନ୍ତି ଅଭିଶପ୍ତ ପୃଥିବୀକୁ ନିର୍ବେଦ ଓ ମୌନରେ । ରାଜାରାଣୀ ଚାଲିଥାନ୍ତି ଏକ ନିଃଶ୍ୱାସରେ ।’’ (ପୃ ୬୩) ଏହି ଉଦ୍ଧୃତିରେ ଗାଳ୍ପିକଙ୍କ ଶବ୍ଦବସାଣ ରୀତି, ବିଶେଷଣ ପ୍ରୟୋଗରେ ଦକ୍ଷତା, ପୁନଃପୁନଃ ଉଚ୍ଚାରିତ ଶବ୍ଦପୁଞ୍ଜର ପ୍ରୟୋଗ ଇତ୍ୟାଦି ତାଙ୍କ ଗଦ୍ୟଶୈଳୀକୁ କବିତାର ନିକଟବର୍ତ୍ତୀ କରାଏ । ଏହା ତାଙ୍କ ସାହିତ୍ୟପ୍ରବଣତାର ଓ କାବ୍ୟିକ ମାନସିକତାର ସୁମହତ ପରିଚୟ ।

 

ଡକ୍ଟର ସାହୁଙ୍କ ଶିଳ୍ପଦୃଷ୍ଟି କେତେକ ସ୍ଥାନରେ ଚିତ୍ରଧର୍ମୀ; ଏହାର ହେତୁ-କେତେକ ମନୋଜ୍ଞ ଚିତ୍ରକଳ୍ପର ଉପସ୍ଥିତି । ଯେପରି- ‘‘ଏହାର ପ୍ରାୟ ଶଏବର୍ଷ ପରେ କଳିଙ୍ଗ ମଗଧ ମଧ୍ୟରେ ପୁଣି ଏକ ଭୀଷଣ ରକ୍ତାକ୍ତ ଯୁଦ୍ଧର ଅଭିନୟ ହେଲା ଯହିଁରେ କୁରୁରାଜ ଦୁର୍ଯ୍ୟୋଧନ ପରି ରକ୍ତନଦୀ ସନ୍ତରଣ କରି ଜଣେ ଚଣ୍ଡାଶୋକ ହୋଇଥିଲେ ଧର୍ମାଶୋକ ।’’ (ପୃ ୧୬୨) ପଥ ମଧ୍ୟରେ କାହିଁ କାହିଁ ଶତ୍ରୁର ଜଗୁଆଳି ସେନା ଶୋଇଥାନ୍ତି ମଶାଣିର ଶବପରି ।’’ (ପୃ ୬୩) ‘‘ଆକବର ମଧ୍ୟ ଅନାଇ ରହିଥାନ୍ତି ତାଙ୍କୁ ଭୋକିଲା ହେଟାବାଘପରି ।’’ (ପୃ ୬୫) ସେନାପତିଙ୍କ ଫିକା ଓଠରେ ହସରେଖା ଫୁଟିଲା ନୃତ୍ୟକ୍ଳାନ୍ତ ନଟରାଜଙ୍କ ଶିରରେ ଦ୍ୱିତୀୟା ଇନ୍ଦୁରେଖା ପରି ।’’ (ପୃ ୬୬)

 

ଗାଳ୍ପିକ ନିଜ ଗଳ୍ପରେ କେତେଗୁଡ଼ିଏ ସୁନିର୍ବାଚିତ ବିଶେଷଣ ବ୍ୟବହାର କରିଛନ୍ତି, ଯାହା ତାଙ୍କ ବାକ୍ୟଗଠନକୁ କାବ୍ୟିକ କରେ ଓ ତାଙ୍କ ସୃଷ୍ଟିକ୍ଷମତାର ପରିଚୟ ଦିଏ । ଯଥା-ଅକ୍ଷୟ ଜୀବନସତ୍ତା, କୁହୁକ ଆହ୍ୱାନ, ଫୁଟନ୍ତ ପୁଲକ, ଚପଳ ବିନ୍ୟାସ, ପହିଲି ଉନ୍ମେଷ, ପହିଲି ଉଷା, ଭୌତିକ ବିପ୍ଳବ, ଝରା ବଉଳ, ଲଣ୍ଡା ଶିମିଳିଗଛ, ଆକୁଳ ରାଗିଣୀ, ଧୂସର ଅତୀତ, କୁହୁଡ଼ିଘେରା ଶ୍ୟାମଳିତ ସୃଷ୍ଟି, କୋମଳ ନାରୀତ୍ୱ, ସୁଧାମୟ ସୃଷ୍ଟି, ସାଇଁ ସାଇଁ ପବନ, ଉଚ୍ଚ ଉଚ୍ଚ ଶାଳତରୁ, କୋଟି କୋଟି ତାରା ଇତ୍ୟାଦି ।

 

ତାଙ୍କ ବାକ୍ୟଗଠନରେ ପ୍ରାୟତଃ କ୍ରିୟାପଦଟି ଶେଷରେ ନରହି ମଝିରେ ରହିଥାଏ, ଯାହା ତାଙ୍କ ଐତିହାସିକ ଗଳ୍ପକୁ କାବ୍ୟିକ କରେ, ଶ୍ରୁତିମଧୁର କରେ । ଯଥା-‘‘ତେଣୁ ଦକ୍ଷିଣାପଥର ନାନା ପଣ୍ୟସମ୍ଭାର ବିଭିନ୍ନ ମାର୍ଗଦେଇ ଚାଲିଥାଏ ଏ ମହାନଗରୀ ଅଭିମୁଖରେ’’, ‘‘ତଥାପି ଶକଟବୀଥୀ ତୀବ୍ର ଘୋଷରେ ଚାଲିଥାନ୍ତି ବନଭୂମି ପ୍ରତିଧ୍ୱନିତ କରି’’, ସେଠାରେ ଏକ ଦିବ୍ୟ ପୁରୁଷ ଆସୀନ ହୋଇ ନିର୍ବେଦ ଭାବରେ ଉପଭୋଗ କରୁଥାନ୍ତି ବାସନ୍ତୀ ବନାନୀର ବିଜନତା । ତାଙ୍କ ଗୌର ମୁଖମଣ୍ଡଳରେ ପ୍ରକାଶିତ ହେଉଥାଏ ଅନନ୍ତ ଆନନ୍ଦର ଜ୍ୟୋତି ଏବଂ ତହିଁରେ ଭରିଥାଏ ଏକ ରହସ୍ୟମୟ ଆକର୍ଷଣ’’, ‘‘ସହସ୍ର ଆଦିମଶିଳ୍ପୀ ଏଠାରେ ଦେଇଗଲେ କଳା ଓ ବିଜ୍ଞାନର ଶୁଭ, ଯାହାର ପ୍ରଗତିଶୀଳ ବିକାଶ ଦିନେ ସୃଷ୍ଟି କରିଥିଲା ନୂତନ ପ୍ରସ୍ତରଯୁଗର ଅପୂର୍ବ ଚାରୁକଳା । ସଭ୍ୟତାର ପହିଲି ଉଷାରେ ଏହି ଭୂଖଣ୍ଡରେ ସେତେବେଳେ ରହସ୍ୟମୟ ଐଶୀପ୍ରତିଭା ଘେନି ଜନ୍ମିଥିଲେ ଋଷଭଦେବ ମରୁଦେବୀଙ୍କ ଗର୍ଭରୁ’’ ଇତ୍ୟାଦି ।

 

କଥୋପକଥନ ଶୈଳୀ ତାଙ୍କ କଥାଶିଳ୍ପର ଅନ୍ୟ ଏକ ବିଭବ । ‘ନୟାବସାଣ’, ‘ହୀରାଖଣ୍ଡଓ ‘ପ୍ରଥମ ବୌଦ୍ଧ’ ଗଳ୍ପରେ ଗାଳ୍ପିକ କଥୋପକଥନ ରୀତିର ସୁସମାବେଶ କରି ଗଳ୍ପକୁ ଅଧିକ ପାଠକପ୍ରିୟ କରିପାରିଛନ୍ତି । ନାଟକୀୟ ଉପସ୍ଥାପନ ରୀତି ମଧ୍ୟ ତାଙ୍କ ଗଳ୍ପରେ ପରିଦୃଷ୍ଟ । ‘ହୀରାଖଣ୍ଡ’, ‘ନୟାବସାଣ’, ‘ଜଗନ୍ନାଥ-ଐତିହ୍ୟ’ ଓ ‘ପ୍ରଥମ ବୌଦ୍ଧ’ ଗଳ୍ପରେ ନାଟକୀୟ କଥା-ଆରମ୍ଭ ଓ ନାଟକୀୟ କଥା-ସମାପ୍ତି ଗଳ୍ପର ଗତିଶୀଳକତାକୁ ଧରିରଖେ ଏବଂ ପାଠକକୁ ମାନସମନ୍ଥନର ସୁଯୋଗ ଦିଏ ।

 

ଡକ୍ଟର ସାହୁ ମୂଳତଃ ଜଣେ ଐତିହାସିକ ହେଲେହେଁ ନିଜର ପ୍ରବନ୍ଧ ଓ ଗଳ୍ପ ମାଧ୍ୟମରେ ଜଣେ ସଫଳ ଓ ସମର୍ଥ ସାହିତ୍ୟିକ ଭାବରେ ନିଜପାଇଁ ସ୍ୱତନ୍ତ୍ର ପରିଚିତିଟିଏ ସୃଷ୍ଟି କରିପାରିଛନ୍ତି । ଏକ ନିରାସକ୍ତ ଆକଳନଗର୍ଭିତ ଏହି ଆଲୋଚନାଟି ତାଙ୍କୁ ସାହିତ୍ୟିକ ଭାବରେ ଚହ୍ନି ଚିହ୍ନାଇବା ଦିଗରେ କିଛି ମାତ୍ରାରେ ସହାୟତା କରେ କେବଳ ।

 

***

 

Unknown

ସଙ୍ଗଠକ ନବୀନକୁମାର

 

ଡକ୍ଟର ନବୀନକୁମାର ସାହୁ କେବଳ ଜଣେ ସ୍ୱନାମଧନ୍ୟ ଐତିହାସିକ, ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍‌, ସର୍ବମାନ୍ୟ ଶିକ୍ଷାବିତ୍‌ ନଥିଲେ, ସେ ବି ଥିଲେ ଜଣେ ସଫଳ ସଙ୍ଗଠକ । ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ଦେଇଛି, ତାଙ୍କ ସାଧନାକୁ ସିଦ୍ଧିପ୍ରାପ୍ତ କରାଇଛି । ସାଙ୍ଗଠିକ କ୍ଷେତ୍ରରେ ମଧ୍ୟ ସେ କିଛି କମ୍‌ ସଫଳତାର ଅଧିକାରୀ ନୁହଁନ୍ତି । ତାଙ୍କର ଥିଲା ଅପୂର୍ବ ସାଙ୍ଗଠନିକ ଶକ୍ତି । ଫଳରେ ସଙ୍ଗଠନ ଗଢ଼ିବାରେ ସେ ଯେପରି ଦକ୍ଷତା ପ୍ରଦର୍ଶନ କରିପାରୁଥିଲେ, ସଙ୍ଗଠନକୁ ସକ୍ରିୟ ରଖି ତା’ର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସେହିପରି ବିଶେଷ ଭୂମିକା ଗ୍ରହଣ କରୁଥିଲେ । ଜଣେ ଦକ୍ଷ ସଙ୍ଗଠକ ଭାବରେ ତାଙ୍କ କୀର୍ତ୍ତି ଓ କୃତିତ୍ୱର ଆକଳନ ପ୍ରସ୍ତୁତ ଅଧ୍ୟାୟର ଉପଜୀବ୍ୟ ।

 

ଶିକ୍ଷାନୁଷ୍ଠାନ ସ୍ଥାପନରେ ଭୂମିକା..

ପୂର୍ବରୁ କୁହାଯାଇଛି, ଶିକ୍ଷକତାପ୍ରତି ତାଙ୍କର ଥିଲା ବିଶେଷ ଦୁର୍ବଳତା । ତେଣୁ ସେ ମାଟ୍ରିକ୍‌ ପାଶ୍‌ କରିବାପରେ କହାକୁ କିଛି ନ କହି କଟକ ଚାଲିଲେ ସିଟି ଟ୍ରେନିଂ ପାଇଁ ଏବଂ ନିଜ ବୃତ୍ତି ଟଙ୍କାରେ କଟକରେ ରହି ଦୁଇବର୍ଷପରେ ତାଲିମପ୍ରାପ୍ତ ହୋଇ ଫେରିଲେ ଗ୍ରାମକୁ । କିନ୍ତୁ ନିଜ ଗ୍ରାମରେ ହାଇସ୍କୁଲ ନ ଥିବାରୁ ସେ ବରଗଡ଼ ଜର୍ଜ ହାଇସ୍କୁଲରେ ତାଲିମପ୍ରାପ୍ତ ସହକାରୀ ଶିକ୍ଷକ ଭାବରେ ଯୋଗଦେଲେ; ହେଲେ ତାଙ୍କ ମନରେ ଥାଏ ନିଜ ଗ୍ରାମରେ ଏକ ହାଇସ୍କୁଲ ପ୍ରତିଷ୍ଠା କରିବାର ପ୍ରବଳ ମୋହ । କାରଣ ଗ୍ରାମର ଅନେକ ମେଧାବୀ ଛାତ୍ର ଅର୍ଥାଭାବହେତୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିଲେ ।

 

ତାଙ୍କର ଥିଲା ବଳିଷ୍ଠ ସାଙ୍ଗଠନିକ ଦକ୍ଷତା । ଗ୍ରାମର ମୁଖିଆ ଓ ପାଠୁଆ ଲୋକମାନଙ୍କୁ ଏକାଠି କରି ସେ ଗ୍ରାମରେ ହାଇସ୍କୁଲଟିଏ ପ୍ରତିଷ୍ଠା କରିବାର ଉପାଦେୟତା ବିଷୟରେ ବୁଝାଇଲେ ଏବଂ ଏ ଦିଗରେ ସେମାନଙ୍କ ମନରେ ଆବେଗ ଓ ଆଗ୍ରହ ସୃଷ୍ଟି କରିଥିଲେ । ଗ୍ରାମର ଲୋକେ ଉତ୍ସାହିତ ହୋଇ ତାଙ୍କ ନେତୃତ୍ୱରେ ଏ କାର୍ଯ୍ୟରେ ଲାଗିପଡ଼ିଲେ; ଏହିପରି ତାଙ୍କ ଉଦ୍ୟମରେ ଖୁବ୍‌ କମ୍‌ ଦିନରେ ପ୍ରତିଷ୍ଠିତ ହେଲା ବରପାଲୀ ପ୍ରସ୍ତାବିତ ହାଇସ୍କୁଲ । ସେ ବରଗଡ଼ରୁ ଶିକ୍ଷକତା ଛାଡ଼ି ଏହି ସ୍କୁଲରେ ଶିକ୍ଷକ ଭାବରେ ଯୋଗଦେଲେ । ନିଜ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହାଇସ୍କୁଲରେ ଶିକ୍ଷକତା କରିବାରେ ଥିଲା ତାଙ୍କ ପାଇଁ ସ୍ୱତନ୍ତ୍ର ଆତ୍ମସନ୍ତୋଷ ।

 

ବରପାଲୀରେ କଲେଜ ପ୍ରତିଷ୍ଠା କରିବାରେ ମଧ୍ୟ ତାଙ୍କର ଥିଲା ସକ୍ରିୟ ଭୂମିକା । ବରପାଲିରେ ସେ ନିଜ ସ୍ତ୍ରୀଙ୍କ ନାମରେ ନିର୍ମାଣ କରିଥିବା ଅଟ୍ଟାଳିକା ‘ସରସ୍ୱତୀ ଭବନ’କୁ କଲେଜ ପାଇଁ ଛାଡ଼ିଦେଇଥିଲେ । ଏହି କଲେଜ ପ୍ରତିଷ୍ଠାକାଳରୁ ଅର୍ଥାତ୍ ୧୯୭୩ ଖ୍ରୀଷ୍ଟାବ୍ଦରୁ ଏଥିରେ କାର୍ଯ୍ୟ କରୁଥିଲା ୧୯୮୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ । ଏଥିପାଇଁ ସେ କିଛି ଭଡ଼ା ନେଉ ନଥିଲେ । ବରପାଲୀରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ତାଙ୍କ ଉଦ୍ୟମ ଓ ତ୍ୟାଗ ବାସ୍ତବରେ ଅତୁଳନୀୟ ।

 

ବିଶ୍ୱବିଦ୍ୟାଳୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂତନ ଭାବେ ପ୍ରତିଷ୍ଠିତ ହେବାକୁ ଯାଉଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଡକ୍ଟର ସାହୁ ଯୋଗଦେଲେ ପ୍ରଥମ କୁଳସଚିବ ରୂପେ ୧୯୬୭ ଜାନୁଆରୀ ୧ ତାରିଖରେ । ମାତ୍ର ତିନିଦିନ ପରେ ଅର୍ଥାତ୍ ଜାନୁଆରୀ ୪ ତାରିଖରେ ଭାରତର ତତ୍‌କାଳୀନ ରାଷ୍ଟ୍ରପତି ଡକ୍ଟର ଜାକୀର ହୁସେନ୍ ବିଶ୍ୱାବିଦ୍ୟାଳୟର ଶିଳାନ୍ୟାସ କଲେ । ତାପରେ ଡକ୍ଟର ସାହୁ ଲାଗିପଡ଼ିଲେ ବିଶ୍ୱବିଦ୍ୟାଳୟକୁ ସ୍ୱୟଂସମ୍ପୂର୍ଣ୍ଣ କରିବାଦିଗରେ । ନିଜର ବଳିଷ୍ଠ ସାଙ୍ଗଠନିକ ଶକ୍ତିଦ୍ୱାରା ବିଶ୍ୱବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ, ପ୍ରଶାସନିକ ଗୃହ ନିର୍ମାଣ, ଉପାଧ୍ୟୁତ୍ତର ଶ୍ରେଣୀଗୃହ ନିର୍ମାଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟ, କଳା ଓ ବିଜ୍ଞାନ ଉଭୟରେ ସ୍ନାତକୋତ୍ତର ବିଭାଗଗୁଡ଼ିକର ଉଦ୍‌ଘାଟନ ଇତ୍ୟାଦି କାର୍ଯ୍ୟରେ ମନୋନିବେଶ କଲେ ଏବଂ ଅଚିରେ ଏହି ସଦ୍ୟଜାତ ଅନୁଷ୍ଠାନଟିକୁ ନିଜ ଗୋଡ଼ରେ ଛିଡ଼ାକରାଇପାରିଲେ । ପ୍ରଥମେ ଏହି ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ଥିଲା ୨୨ଟି କଲେଜ । ତନ୍ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ଦୁଇଟି ଇଂଜିନିୟରିଂ କଲେଜ, ଗୋଟିଏ ମେଡ଼ିକାଲ କଲେଜ, ଗୋଟିଏ ଶିକ୍ଷକ ଟ୍ରେନିଂ କଲେଜ ଓ ଗୋଟିଏ ଆଇନ କଲେଜ । ଡକ୍ଟର ସାହୁଙ୍କ ଉଦ୍ୟମରେ ଅନୁବନ୍ଧିତ ସାଧାରଣ କଲେଜର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇଲା । ଅନୁବନ୍ଧିତ କଲେଜଗୁଡ଼ିକ ସହିତ ତାଙ୍କର ସୁସମ୍ପର୍କ ଥିଲା ଏବଂ ସେସବୁରେ ଅନର୍ସ ପାଠ୍ୟକ୍ରମର ପ୍ରବର୍ତ୍ତନ କରାଇ ସେ ପଶ୍ଚିମ ଓଡ଼ିଶାରେ ମହାବିଦ୍ୟାଳୟ ସ୍ତରୀୟ ଶିକ୍ଷାର ବିକାଶ ଦିଗରେ ଅପୂର୍ବ ସଫଳତା ହାସଲ କରିଥିଲେ ।

 

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଆରମ୍ଭରୁ ସେ କୁଳସଚିବ ଭାବରେ କାର୍ଯ୍ୟକରି ଉପରୋକ୍ତ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ, ସଫଳ ବି ହୋଇଥଲେ । ଏହାକୁ ଅନ୍ୟ ବିଶ୍ୱବିଦ୍ୟାଳୟର ସମକକ୍ଷ କରାଇବା ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟର ତରଫରୁ Sambalpur University Journal ନାମକ ଏକ ଗବେଷଣାତ୍ମକ ପତ୍ରିକାର ପ୍ରକାଶନ ଆରମ୍ଭ କଲେ ନିଜ ସମ୍ପାଦକତ୍ୱରେ । ପ୍ରଥମ ସଂଖ୍ୟାପରେ ଏହା କଳା ଓ ବିଜ୍ଞାନ ବିଷୟର ଦୁଇଭାଗରେ ପ୍ରକାଶ ପାଇଲା । ଦୀର୍ଘ ସାତବର୍ଷ ସେ ଏହାକୁ ଚଳାଇ ରଖିଥିଲେ । ତାପରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ‘ସପ୍ତର୍ଷି’ ଆତ୍ମପ୍ରକାଶ କଲା ୧୯୭୨ ଖ୍ରୀଷ୍ଟାବ୍ଦରେ । ଏହାର ପ୍ରକାଶନ ସହିତ ଆରମ୍ଭରୁ ସମ୍ପୃକ୍ତ ଥିଲେ । ତାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରବନ୍ଧ ଏଥିରେ ପ୍ରକାଶିତ ହେଉଥିଲା । ୧୯୭୮ ରୁ ପର୍ଯ୍ୟନ୍ତ ସେ ଏହାର ସମ୍ପାଦକ ଥିଲେ ଓ ସମ୍ପାଦକୀୟ ଲେଖୁଥିଲେ । କେବଳ ଏଇ ଦୁଇଟି ପତ୍ରିକା ନୁହେଁ, ପ୍ରକାଶନ କ୍ଷେତ୍ରରେ ତାଙ୍କ ସାଙ୍ଗଠନିକ ଶକ୍ତିର ପରିଚୟ ଦିଏ ଇତିହାସ ବିଭାଗ ତରଫରୁ ପ୍ରକାଶିତ ଗବେଷଣାଧର୍ମ ପତ୍ରିକା New Aspects of History of Orissa ।

 

ତାଙ୍କ ଗଠନମୂଳକ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ସଂସ୍କୃତି’ ନାମରେ ଏକନୂତନ ବିଭାଗ ସୃଷ୍ଟିର ସୁଚିନ୍ତିତ ଯୋଜନା । ଅଭିଲେଖ, ପ୍ରାଚୀନ ମୁଦ୍ରା, କଳା, ସ୍ଥାପତ୍ୟ, ଧର୍ମଦର୍ଶନ ଇତ୍ୟାଦି ସଂସ୍କୃତି ସମ୍ପର୍କିତ ବିଷୟମାନ ଏହି ବିଭାଗର ଶିକ୍ଷାର୍ଥମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଏଥିପାଇଁ ତାଙ୍କ ଉଦ୍ୟମରେ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନଙ୍କ ଅନୁମୋଦନ ମଧ୍ୟ ମିଳିସାରିଥିଲା । ଇତିହାସ ବିଭାଗ ସହିତ ଏକତ୍ର ଥାଇ ମଧ୍ୟ ଏହି ବିଷୟରେ ଛାତ୍ରଛାତ୍ରୀ ଏମ୍‌ଏ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲା । ଏହି ବିଷୟ ପ୍ରଚଳନ କରିବା ଦିଗରେ ଡକ୍ଟର ସାହୁଙ୍କୁ ରୀତିମତ ସଂଘର୍ଷ କରିବାକୁ ପଡ଼ିଥିଲା । କିନ୍ତୁ ସମୟକ୍ରମେ ଏହି ଶିଶୁ ଅନୁଷ୍ଠାନଟି ବିକାଶପଥରେ ଆଗେଇ ନପାରି ବିନାଶ ଲଭିଥିଲା ।

 

Numismatic Society of India (ଭାରତୀୟ ମୁଦ୍ରା ଅଧ୍ୟୟନ ସମାଜ)ର ବାର୍ଷିକ ଅଧିବେଶନ ଜ୍ୟୋତି ବିହାରଠାରେ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ କରାଇବା ନିମନ୍ତେ ଡକ୍ଟର ସାହୁ ଉଦ୍ୟମ କରିଥିଲେ ଏବଂ ତାହା ୧୯୮୧ ଅକ୍ଟୋବରରେ ହେବାପାଇଁ ସ୍ଥିର କରାଯାଇଥିଲା । ଯୋଜନା ଅନୁଯାୟୀ ପ୍ରସ୍ତାବିତ ବାର୍ଷିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଏହାର ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ସେହିବର୍ଷ ମେ ମାସରେ ତାଙ୍କୁ କୁଳପତି ପଦରୁ ଅବ୍ୟାହତି ନେବାକୁ ପଡ଼ିଲା । ଏହି ସେ ଅଧିବେଶନକୁ ତାଙ୍କୁ ନିୟନ୍ତ୍ରଣ କରାଯାଇଥିଲା ଓ ସେ ଯୋଗ ବି ଦେଇଥିଲେ । ଏଥିରେ ସେ ପ୍ରସଙ୍ଗ ଅନୁରୋଧରେ ଯେଉଁ ଅଭିଭାଷଣ ପ୍ରଦାନ କରିଥିଲେ ତାହା ଉପସ୍ଥିତ ବିଦ୍ୱାନମାନଙ୍କୁ ଚମକାଇ ଦେଇଥିଲା ।

 

ଏହାପୂର୍ବରୁ ୧୯୭୮ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଇତିହାସ କଂଗ୍ରେସ (Orissa History Congress)ର ୯ମ ଅଧିବେଶନ ତାଙ୍କ ଉଦ୍ୟମ ଫଳରେ ଜ୍ୟୋତିବିହାର ପରିସରରେ ଅନୁଷ୍ଠିତ ହୋଇଥିଲା । ସେ ଏଥିରେ ସଭାପତିତ୍ୱ କରିଥିଲେ । ସଭାପତି ଅଭିଭାଷଣରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନିଜେ ପ୍ରତିଷ୍ଠା କରିଥିବା ସଂଗ୍ରହାଳୟ ଦିନେ ରାଜ୍ୟ ସଂଗ୍ରହାଳୟ ସଦୃଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ପୋଷଣ କରିଥିଲେ ।

 

ବିଶ୍ୱବିଦ୍ୟାଳୟରେ ସଂଗ୍ରହାଳୟ ସ୍ଥାପନ

ଜଣେ ଦକ୍ଷ ସଙ୍ଗଠକ ଭାବରେ ତାଙ୍କର ଅନ୍ୟ ଏକ ଉଲ୍ଲେଖନୀୟ ପରିଚୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ସଂଗ୍ରହାଳୟ (Museum) ର ଶୁଭାରମ୍ଭ ଓ ତା’ର ଶ୍ରୀବୃଦ୍ଧି ସାଧନାରେ ତାଙ୍କ ଏକନିଷ୍ଠ ଉଦ୍ୟମ । ପ୍ରାକୃତିକ ବିପର୍ଯ୍ୟୟଭଳି କେତେକ ପ୍ରତିକୂଳ ପରିସ୍ଥିତିରେ ପ୍ରାଚୀନ କୀର୍ତ୍ତିରାଜି କାଳଗର୍ଭରେ ନିଶ୍ଚିହ୍ନ ହୋଇଯାଉଥିବାରୁ ସେସବୁ ସଂରକ୍ଷଣ ନିମନ୍ତେ ବିଭିନ୍ନ ରାଜ୍ୟର ଓ ଅନୁଷ୍ଠାନର ଆନୁକୁଲ୍ୟରେ ସଂଗ୍ରହାଳୟମାନ ପ୍ରତିଷ୍ଠା କରାଯାଇଥାଏ । ସେହି ଦୃଷ୍ଟିରୁ ଓଡ଼ିଶାର ବିଶେଷତଃ ପଶ୍ଚିମଓଡ଼ିଶାର ପ୍ରାଚୀନ କୀର୍ତ୍ତିବିଭବକୁ ସଂରକ୍ଷିତ ଓ ସୁରକ୍ଷିତ କରି ରଖିବାର ଆବଶ୍ୟକତା ସେ ଅନୁଭବ କରିଥିଲେ । ତେଣୁ ବିଭିନ୍ନ ସ୍ଥାନରୁ ସଂଗ୍ରାହଳୟ ଉପଯୋଗୀ ସାମଗ୍ରୀମାନ ସଂଗ୍ରହ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏକ ସଂଗ୍ରହାଳୟ ସ୍ଥାପନ କରିବାକୁ ସେ ଆଗ୍ରହୀ ଥିଲେ । ସଂଗ୍ରହାଳୟ ପ୍ରତିଷ୍ଠାବିଷୟକ ଜ୍ଞାନ ତାଙ୍କର ପୂର୍ବରୁ ଥିଲା, ଯେତେବେଳେ ସେ ନିଜ ଅଧ୍ୟାପକ ଜୀବନର ଆଦ୍ୟ ଭାଗରେ ରେଭେନ୍‌ସା କଲେଜରେ ଅଧ୍ୟାପନା କରୁଥିଲେ । ପ୍ରଫେସର ଘନଶ୍ୟାମ ଦାଶ ରେଭେନ୍‌ସା କଲେଜରେ ଏକ ସଂଗ୍ରହାଳୟ ସ୍ଥାପନ କରିବାର ପ୍ରାରମ୍ଭିକ ପ୍ରଚେଷ୍ଟା ଆରମ୍ଭ କରିଦେଇଥିଲେ । ଏ କାର୍ଯ୍ୟରେ ସେ ଡକ୍ଟର ସାହୁଙ୍କର ସହାୟତା ନେଇଥିଲେ । ସେହି ସଂଗ୍ରହାଳୟର ଅନ୍ତୁଡ଼ିଶାଳ ଥିଲା ରେଭେନ୍‌ସା କଲେଜର ପୂର୍ବତନ ମୁସଲିମ୍ ଛାତ୍ରବାସ । (ଡକ୍ଟର ନବୀନକୁମାର ସାହୁ ସ୍ମରଣିକା, ପୃ୫) ପରବର୍ତ୍ତୀକାଳରେ ଏହାର କାୟା ବୃଦ୍ଧିପ୍ରାପ୍ତ ହେଲା । ମୂର୍ତ୍ତି, ମୁଦ୍ରା, ତାମ୍ରଫଳକ, ପ୍ରାଚୀନ ତାଳପତ୍ରପୋଥି, ଅପ୍ରକାଶିତ ପାଣ୍ଡୁଲିପି, ବିଭିନ୍ନ ଐତିହାସିକ ଦଲିଲ ପ୍ରଭୃତି ସଂଗୃହୀତ ହୋଇ ଏଠାରେ ରଖାଗଲା । ଭୁବନେଶ୍ୱରରେ ରାଜ୍ୟ ସଂଗ୍ରହାଳୟ ପ୍ରତିଷ୍ଠା ହେବାପରେ ରେଭେନ୍‌ସା କଲେଜର ସଂଗ୍ରହାଳୟଟି ସେଠାକୁ ସ୍ଥାନାନ୍ତରିତ ହେଲା ।
 

ଅନୁରୂପ ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଂଗ୍ରହାଳୟର ଅନ୍ତୁଡ଼ିଶାଳ ଥିଲା ଗଙ୍ଗାଧର ମେହେର କଲେଜ । ୧୯୭୦ ଖ୍ରୀଷ୍ଟାବ୍ଦରେ ଏହି କଲେଜର ଇତିହାସ ବିଭାଗ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହଭାଗିତାରେ ଓଡ଼ିଶା ଇତିହାସ କଂଗ୍ରେସର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡକ୍ଟର ସାହୁ ଅଧିବେଶନର ନିମନ୍ତ୍ରିତ ଅତିଥି ଡକ୍ଟର ମହତାବଙ୍କଦ୍ୱାରା ଏକ ସଂଗ୍ରହାଳୟର ଉଦ୍‌ଘାଟନ କରାଇନେଲେ । ଏହାର ଆଠବର୍ଷପରେ ଅର୍ଥାତ୍ ୧୯୭୮ ଖ୍ରୀଷ୍ଟାବ୍ଦରେ ତାଙ୍କ ସଭାପତିତ୍ୱରେ ଇତିହାସ କଂଗେସର ନବମ ଅଧିବେଶନ ବିଶ୍ୱବିଦ୍ୟାଳୟ ପରିସରସ୍ଥ ଜ୍ୟୋତିବିହାରଠାରେ ଅନୁଷ୍ଠିତ ହେଲା । ସେଥିରେ ଯୋଗଦେଇଥିବା ତତ୍‌କାଳୀନ ଅର୍ଥମନ୍ତ୍ରୀ ଡାକ୍ତର ରାମପ୍ରସାଦ ମିଶ୍ରଙ୍କଦ୍ୱାରା ବିଶ୍ୱବିଦ୍ୟାଳୟ ସଂଗ୍ରହାଳୟର ଶିଳାନ୍ୟାସ କରାଗଲା ଡକ୍ଟର ସାହୁଙ୍କ ଉଦ୍ୟମ ଫଳରେ । କିନ୍ତୁ ପରିତାପର ବିଷୟ ଏହି ସଂଗ୍ରହାଳୟ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମିତ ହୋଇପାରିଲା ନାହିଁ । ପରେ ଏହା ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରିତ ହେଲାପରେ ଇତିହାସ ବିଭାଗର ଏକ ପ୍ରକୋଷ୍ଠରେ ସୀମିତ ରହିଲା ।

 

ନିଜର ପୂର୍ବାନୁଭୂତିର ନିୟୋଜନରେ ଡକ୍ଟର ସାହୁ ଏହି ସଂଗ୍ରହାଳୟକୁ ସମୃଦ୍ଧି ପଥରେ ଆଗେଇନେଲେ । ଏହାର ପ୍ରତ୍ୟେକ ସାମଗ୍ରୀ ତାଙ୍କ ବ୍ୟକ୍ତିଗତ ଚେଷ୍ଟାରେ ସଂଗୃହୀତ ଓ ସଂରକ୍ଷିତ-। ଏଥିପାଇଁ ତାଙ୍କୁ ବହୁ କଷ୍ଟ ସହିବାକୁ ପଡ଼ିଛି, ବହୁ ଦୁଃସାହସିକ କାର୍ଯ୍ୟ ତୁଳାଇବାକୁ ପଡ଼ିଛି । ରେଭେନ୍‌ସା କଲେଜରେ ଅଧ୍ୟାପନା କାଳରେ ପ୍ରଫେସର ଘନଶ୍ୟାମ ଦାଶଙ୍କ ସହିତ ସେ ପ୍ରାଚୀନଦୀର ଉପତ୍ୟକାର ସର୍ବେକ୍ଷଣ କରିଥିଲେ । ପ୍ରାଚୀ ଉପତ୍ୟକା ବହୁ ଐତିହାସିକ ଓ ପ୍ରତ୍ନତାତ୍ତ୍ୱିକ ବିଭବରେ ପରିପୂର୍ଣ୍ଣ । ସେହି ଅଞ୍ଚଳରେ ପୂଜିତ ଲୋକେଶ୍ୱର ବିଗ୍ରହର ପୃଷ୍ଠଦେଶରେ ଏକ ଅଭିଳେଖ ଥିବାର ସନ୍ଧାନ ସେ ପାଇଥିଲେ । ତେଣୁ ସେ କୌଶଳକ୍ରମେ ନିଜେ ଜଣେ ସ୍ୱପ୍ନାଦିଷ୍ଟ ଭକ୍ତ ବୋଲି ଗ୍ରାମବାସୀଙ୍କୁ ପରିଚୟ ଦେଇ ସେହି ବିଗ୍ରହର ଫଟୋ ସହିତ ଅଭିଲେଖର ଫଟୋ ମଧ୍ୟ ଉଠାଇ ଆଣିଲେ । ଆଉଥରେ ସେହି ଅଞ୍ଚଳରୁ ପୂଜା ପାଉନଥିବା ଓ ଲୋକମୁଖରେ ଆତଙ୍କ ସୃଷ୍ଟି କରୁଥିବା ଦେବୀ ଭାବରେ ପରିଗଣିତା ହେଉଥିବା ଏକ ଦେବୀବିଗ୍ରହକୁ ମଧ୍ୟ ସେ ଗ୍ରାମବାସୀଙ୍କ ଜ୍ଞାତସାରରେ ନେଇଆସିଥିବା ଶୁଣିବାକୁ ମିଳେ ।

 

ସବୁଠାରୁ ବଡ଼ ଦୁଃସାହସିକ ପଦକ୍ଷେପ ତାଙ୍କର ଥିଲା ସୋନପୁର ଖମ୍ବେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଚାରିଫୁଟର ଏକ ଶିଳାଲେଖର ସଂଗ୍ରହ । ଗଙ୍ଗସମ୍ରାଟ ଭାନୁଦେବଙ୍କ ସମୟ (୧୨୬୪-୧୨୭୮) ର ଏହି ଶିଳାଲେଖକୁ ସିନ୍ଦୂରରେ ଆବୃତ କରାଯାଇ ଓ ମନ୍ଦାରମାଳରେ ମଣ୍ଡିତ କରାଯାଇ ଦେବୀ ଭାବରେ ପୂଜା କରାଯାଉଥିଲା, ପଶୁବଳି ଦିଆଯାଉଥିଲା । ଡକ୍ଟର ସାହୁ ଶିଳାଲେଖଟିର ଐତିହାସିକ ବିଶେଷତ୍ୱ ବିଷୟରେ ସ୍ଥାନୀୟ ଲୋକଙ୍କୁ ବୁଝେଇଲେ ଓ ସେଇଟିକୁ ବିଶ୍ୱବିଦ୍ୟାଳୟ ସଂଗ୍ରହାଳୟକୁ ସ୍ଥାନାନ୍ତରିତ କରିବାର ଇଚ୍ଛା ପ୍ରକାଶ କଲେ । କିନ୍ତୁ ଲୋକେ ତାଙ୍କ ପ୍ରସ୍ତାବକୁ ବିରୋଧ କଲେ । ଏପରିକି ଉଚ୍ଚଶିକ୍ଷିତ କେତେଜଣ ଦେବୀଙ୍କୁ ଅସନ୍ତୁଷ୍ଟ କଲେ ମହାବିପତ୍ତି ମାଡ଼ିଆସିବ ବୋଲି ମତ ଦେଇ ଏ ପ୍ରସ୍ତାବରେ ଅମଙ୍ଗ ହେଲେ । ପଶ୍ଚମ ଓଡ଼ିଶାର ଏହି ଐତିହାସିକ ସମ୍ପଦକୁ ଖରା ଓ ବର୍ଷା ଦାଉରେ ସମୟକ୍ରମେ ଲୁପ୍ତ ହେବାକୁ ନ ଦେଇ ତାହାର ଉଦ୍ଧାର ପାଇଁ ସେ ଉପାୟ ଚିନ୍ତାକଲେ । ଶିଳାଲେଖାଟି ଓଡ଼ିଆ ଭାଷାର ଅନ୍ୟତମ ପ୍ରାଚୀନ ସ୍ମାରକୀ । ଦିନେ ବିଳମ୍ବିତ ରାତ୍ରିରେ ସେ ଜିପ୍‌ରେ କୋଡ଼ି, କୋଦାଳ ଆଦି ସରଞ୍ଜାମ ସହିତ କେତେଜଣଙ୍କୁ ଧରି ସୋନପୁରର ଖମ୍ବେଶ୍ୱରର ମନ୍ଦିରରେ ପହଞ୍ଚିଲେ । ସକାଳେ ଦେଖାଗଲା ଦେବୀ ଉଭାନ । ଏହା ଯେ ଡକ୍ଟର ସାହୁଙ୍କ କାଣ୍ଡ, ଏକଥା କାହାକୁ ଅଛପା ରହିଲା ନାହିଁ । ଏବେ ସେହି ଶିଳାଲେଖ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ସଂଗ୍ରହାଳୟରେ ଶୋଭା ପାଉଅଛି ଐତିହାସିକ ଦଲିଲ ବହନକାରୀ ଏକ ପ୍ରାଚୀନ କୀର୍ତ୍ତିଭାବରେ ।*

 

*- ‘‘ଏଥିରେ ଶଙ୍କର ନାମଧେୟ ପଶ୍ଚିମ ଓଡ଼ିଶାର ଜଣେ ସାମନ୍ତ ବିଷୟପତି ସୁନପୁର କଟକ (ଆଧୁନିକ ସୋନପୁର)ରୁ ବୈଦ୍ୟନାଥ ଶିବଙ୍କର ପୂଜାପାଇଁ ଭାନୁଦେବଙ୍କର ସପ୍ତମ ଅଙ୍କରେ ଏକ ବିଶେଷ ଦାନର ଉଲ୍ଲେଖ କରିଅଛନ୍ତି ! ଉକ୍ତ ଶିଳାଲେଖ ସୋନପୁରରୁ ୧୦ ମାଇଲ ଦୂରରେ ତେଲନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ବୈଦ୍ୟନାଥ ମନ୍ଦିରରେ ଥିଲା । ସୋନପୁରର ଜନୈକ ରାଜା ତାହା ନେଇଆସି ସେହି ସହରର ଖମ୍ବେଶ୍ୱରୀ ମନ୍ଦିରରେ ରଖିଲେ । ଶେଷରେ ତାହା ଅଧ୍ୟାପକ ନବୀନକୁମାର ସାହୁଙ୍କ ଉଦ୍ୟମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତରିତ ହେଲାଏହି ଅଭିଲେଖରୁ ଜଣାଯାଏ ଯେ ପ୍ରଥମ ଭାନୁଦେବଙ୍କ ସମୟରେ ପଶ୍ଚିମ ଓଡ଼ିଶାରେ ଗଙ୍ଗମାନଙ୍କର ଶାସନ ଦୃଢ଼ୀଭୂତ ଥିଲା ।’’ (ଓଡ଼ିଆ ଇତିହାସ, ୧ମ ଭାଗ, ଡକ୍ଟର ଯଜ୍ଞକୁମାର ସାହୁ, ୧୯୮୭, ପୃ୨୦୩)

 

ଏହି ଦୁଃସାହସିକ ପଦକ୍ଷେପର ଅବ୍ୟବହିତ ପରେ ଡକ୍ଟର ସାହୁ ଭେଟିଥିଲେ ନିଜର ଅନ୍ୟତମ ସୁହୃଦ୍ ଡକ୍ଟର ପବିତ୍ରମୋହନ ନାୟକଙ୍କୁ । ତାଙ୍କ ସହିତ ହୋଇଥବା ବାର୍ତ୍ତାଳାପକୁ ମନେପକାଇ ସ୍ୱଭାବସୁଲଭ ଢଙ୍ଗରେ ଡକ୍ଟର ନାୟକ ତାହାର ନାଟକୀୟ ବର୍ଣ୍ଣନା ଦିଅନ୍ତି ଓ ପରବର୍ତ୍ତୀ ଜନପ୍ରତିକ୍ରିୟାର ସମ୍ବାଦ ଶୁଣନ୍ତି ଏହିପରି-

 

‘‘ହଁ, ଆଉ ଦିନକର କଥା । ଗାତ ଖୋଳିବା କଥା । ମାଟିରେ ପୋତିହୋଇ ପଡ଼ୁଥିବା ଖରାଖାଇ ରକ୍ତମାଖି ବର୍ଷାରେ ଘୋରିହୋଇ ନିଶ୍ଚିହ୍ନ ହୋଇଯାଉଥିବା ପୁରାତନ ପଥର କଥା ।

 

‘‘କାହାର କରାଘାତରେ ମୋ ନିଦ ହଠାତ୍ ଭାଙ୍ଗିଗଲା । ସୁଲୁସୁଲୁ ପବନ ବହୁଛି । ମହାନଦୀର ଶିକର ଶୀତଳ ପବନ । ପାହାନ୍ତି ପହରର ନିଦ ମାଡ଼ିମାଡ଼ି ପଡ଼ୁଛି । ପିଅନ କହିଲା ଡକ୍ଟର ସାହୁ । ଅପ୍ରସ୍ତୁତ ହେଲି । ଏଡ଼େ ଭୋରରୁ ଡକ୍ଟର ସାହୁ ! ଡ୍ରଇଂରୁମ୍ ଖୋଲିଲି । ଥକାମାରି କହିଲେ, ‘‘ଆଜି ମୋ ଜୀବନର ଏକ ବିରାଟ ସ୍ୱପ୍ନ ସାର୍ଥକ ହେଲା ।’’ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ପ୍ରଫେସରଙ୍କ ଜୀବନର ସ୍ୱପ୍ନ ସାର୍ଥକ ହେଲା । କଥାଟି ଠଉରାଇ ପାରିଲି ନାହିଁ । କହିଲେ, ‘‘କାଲି ରାତିଠୁ ଆସିଲିଣି । କୋଡ଼ି କୋଦାଳ ଠିକ୍ କରୁଥିଲି । ମୂଳିଆ ସଂଗ୍ରହରେ ବ୍ୟସ୍ତ ଥିଲି ।’’ ଭାବିଲେ, ଡକ୍ଟର ସାହୁ ବୋଧେ ହୁଏ ସୋନପୁରରେ ଘର କରିବେ । ରହିବେ, ଅବସର ନେବେ ଏଇଠି ଯେଉଁ ମହାନଦୀକୂଳରେ ତାଙ୍କ ବିବାହରେ ବାଦ୍ୟ ନହବତ ବାଜିଉଠିଥିଲା, ତାଙ୍କ ଜୀବନ ଯୌବନର ଆଦ୍ୟସଂଗୀତରେ ଯେଉଁ ସୋନପୁର ସହରର ଦିଲ୍‌ବାହିଲ୍‌ପୁର ଜଙ୍ଗଲ ଗୁଞ୍ଜରିତ ହୋଇଉଠିଥିଲା । ଏଇଠି ବୋଧହୁଏ ତାଙ୍କ ଶେଷଜୀବନ ବିତାଇବେ । ଖୁସିହେଲି । ଭାବିଲି, ସୋନପୁର ଧନ୍ୟହେବେ ।

 

‘‘ସନ୍ଦେହକୁ ଆହୁରି ବଢ଼ାଇ ଡକ୍ଟର ସାହୁ କହିଲେ, ‘‘ଜିପ୍‌ ଅପେକ୍ଷା କରିଛି ।’’ କୋଡ଼ି କୋଦାଳ ପୁଣି ଜିପ୍‌ ଗାଡ଼ି ! ମୁଣ୍ଡ ଗୋଳମାଳ ହୋଇଗଲା । କହିଲେ, ଜ୍ୟୋତିବିହାର ମ୍ୟୁଜିୟମ୍‌ ଗଲେ ଦେଖିବ । ହଁ, ଲେଡ଼ି ପାର୍ବତୀଙ୍କ ପୋଟ୍ରେଟ୍‌ଟି କାହିଁ ? ରେଭେନ୍‌ସା କଲେଜର ଇଂରାଜୀ ବିଭାଗରେ ସ୍ଥାପୟିତା ସୋନପୁର ମହାରାଣୀ ପାର୍ବତୀ ଦେବୀ । ମୁକ୍ତକେଶୀ, ନୀଳପଟ୍ଟପରିହିତା, ଉଦ୍ଭିନ୍ନଯୌବନା ପାର୍ବତୀ ଦେବୀଙ୍କ ଏକ ଅନ୍ତରଂଗ ପ୍ରାଇଭେଟ୍‌ ପୋଟ୍ରେଟ୍ ।

 

‘‘ସେଦିନ ସୋନପୁର ଏସଡିଓ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ଏକ ବୈଠକର ଆହ୍ନାନ କରିଥିଲେ । ସଭିଙ୍କ ମୁହଁରେ ଗୋଟିଏ କଥା ଖମ୍ୱେଶ୍ୱରୀ ମନ୍ଦିର ସାମ୍ନା ଚାରିଫୁଟର ପଥର ଦେବତାକୁ କେହି ଦୁର୍ବୃତ୍ତ ଉଠାଇନେଇଛି । ଆଉ ଏହି ନାଟକ ଗୋବର୍ଦ୍ଧନ ହେଉଛନ୍ତି ଜ୍ୟୋତିବିହାରର ପ୍ରଫେସର, ସୋନପୁରର ଜାମାତା ଡକ୍ଟର ସାହୁ । ସୋନପୁର କଲେଜ ଇତିହାସ ବିଭାଗର ଅଧ୍ୟାପକ ଓ ଛାତ୍ର ଏ କାମରେ ଡକ୍ଟର ସାହୁଙ୍କୁ ସହାୟତା କରିଛନ୍ତି । ଏବେ ଯାଇ ବୁଝିଲି ମୂଲିଆ କେଉଁମାନେ ଓ କୋଦାଳ କାହାପାଇଁ !

 

‘‘ଲୋକେ କୁହାକୁହି ହେଲେ ଜିପ୍‌ ଚକା ଫାଟିଯିବା । ଗାଡ଼ି ଅଚଳ ହୋଇଯିବ । ଦୁର୍ଘଟନାରେ ଡକ୍ଟର ସାହୁ ନିଶ୍ଚିନ୍ନ ହୋଇଯିବେ । ପଥର ଦେବତା ଉଦ୍ଭାନ ହୋଇଯିବ । ଏବର୍ଷ ସୋନପୁରରେ ଆଉ ବଳି ଭରିବ ନାହିଁ । ଏପରି ଅନେକ ଗୁଜବ, ଗୁଲିଗପ । ଜିପ୍‌ କିନ୍ତୁ ଠିକ୍ ତା ବାଟରେ ଗଲା । ପଥର ଦେବତା ଶିଳାଲେଖ ସାଜି ମ୍ୟୁଜିୟମ୍‌ରେ ନ୍ୟାଯ୍ୟ ସ୍ଥାନ ପାଇଲା । ଯେଉଁ ଶିଳାଲେଖ ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀଙ୍କ ଭାଷାରେ ଓଡ଼ିଆ ଭାଷାର ଆଦ୍ୟ ସ୍ୱାକ୍ଷର ବହନ କରିଛି । ତାକୁ ପୁଣି ଦେବତା ଭାବି ଖମ୍ୱେଶ୍ୱରୀ ମନ୍ଦିର ସାମ୍ନାରେ ପୂଜା କରାଯାଉଥିଲା । ଆଶ୍ୱିନ ମାସରେ ଦହିମାଖି ପଶୁରକ୍ତରେ ରଞ୍ଜିତ ହୋଇ, ଦହନା ମନ୍ଦାରମାଳ ଧରି ଯେଉଁ ପଥରଦେବତା ଠିଆ ହୋଇଥିଲା, ସେ ଆସି ଜ୍ୟୋତିବିହାରର ଇତିହାସ ବିଭାଗରେ ନିଜ ସ୍ଥାନ ଜାହିର କଲା ବକ୍ଷରେ ଓଡ଼ିଆ ଭାଷାର ପ୍ରଥମ ଅକ୍ଷର ବହନ କରି ।’’ (ଐତିହାସିକ ନବୀନକୁମାର ସାହୁ ସ୍ମରଣିକା, ପୃ ୪୦)

 

ସଙ୍ଗଠନଟିଏ ଗଢ଼ିବାର ପ୍ରଗାଢ଼ ନିଶା ଓ ତାହାକୁ ନିଜ ଗୋଡ଼ରେ ଠିଆ କରିବାର ପ୍ରବଳ ଲିପ୍‌ସା ଥିଲା ଦୁଃସାହାସ ଡକ୍ଟର ସାହୁଙ୍କର । ଯେତେ ଝଡ଼ଝଞ୍ଜା ଆସୁପଛେ ଏ ଦିଗରେ ସେ ଆଗେଇ ଯାଉଥିଲେ ନିଜ ଜୀବନକୁ ବାଜି ରଖି । ଉପରବର୍ଣ୍ଣିତ ଘଟଣା ତାଙ୍କୁ ଜଣେ ନିଷ୍ଠାପର ଓ ନିର୍ଭୀକ ସଙ୍ଗଠନକର ପରିଚିତଟିଏ ଦେବାପାଇଁ ଯଥେଷ୍ଟ ।

 

ଡକ୍ଟର ପବିତ୍ରମୋହନ ନାୟକ ସ୍ମୃତିଚାରଣ କରନ୍ତି ଆଉ ଏକ ଘଟଣାର । ସେତେବେଳେ ସେ ସୋନପୁର କଲେଜରେ ଅଧ୍ୟକ୍ଷ । ଥରେ ସେ ସିଣ୍ଡିକେଟ୍‌ରେ ପ୍ରସ୍ତାବ ରଖିଲେ ଯେ ସୋନପୁର କଲେଜରେ ସିଣ୍ଡିକେଟ୍‌ର ଏକ ସେସନ୍‌ ବସୁ, କେନ୍ଦ୍ର ପେରିଫେରିଙ୍କୁ ଯାଉ, ପ୍ରଶାସନ ବିକେନ୍ଦ୍ରିତ ହେଉ । ଏହା ଏକ ଅଭୂତପୂର୍ବ ପ୍ରସ୍ତାବ । କୁଳପତି ଡକ୍ଟର ସାହୁ ରାଜି ହୋଇଗଲେ । ଫାଇଲ୍‌ପତ୍ରସବୁ ଗଲା । ବୈଠକପରେ ସିଣ୍ଡିକେଟ୍‌ ସଭ୍ୟମାନେ ମନୋରଞ୍ଜ ପାଇଁ ନୌଯାତ୍ରାର ପ୍ରସ୍ତାବ ରଖିଲେ । ଦୁଇଟି ବଡ଼ ବଡ଼ ନାଆ ଏକାଠି ବନ୍ଧାହୋଇ ଚାପ କରାଗଲା । ସେଥିରେ ବସି ସିଣ୍ଡିକେଟ୍‌ ବାହାରିଲା ନୌବିହାରରେ । ବର୍ଷା ଦିନ । ଉତ୍‌ଫଣ ମହାନଦୀ ବକ୍ଷରେ ନାଆ ଚାଲିଲା-। ତେନ୍ତୁଳିଘାଟରେ ଓହ୍ଲାଉ ଓହ୍ଳାଉ ଦେଖିବାକୁ ମିଳିଲା ଜଣେ କେହି ଠିଆହୋଇଛି, ହାତରେ ତା’ର ପିତ୍ତଳ ନିର୍ମିତ ପାଲଟଣା ଜାହାଜର ପୃଷ୍ଠଭୂମିରେ ରାଣୀ ଭିକ୍ଟୋରିଆଙ୍କର ଆବକ୍ଷ ପ୍ରତିମୂର୍ତ୍ତି । କିନ୍ତୁ ଟଙ୍କା କାହିଁ ? ଜିଏମ୍‌ କଲେଜ ଅଧ୍ୟକ୍ଷ ମେଜର ମହାନ୍ତିଙ୍କଠାରୁ ୧୦୦ ଟଙ୍କା ଆଣି କୁଳପତି ସେଇଟିକୁ ଆଣିଲେ । ସେହି ବିରଳ ପିତ୍ତଳ ପ୍ରତିମୂର୍ତ୍ତିଟି ଏବେ ବି ଜ୍ୟୋତିବିହାର ମ୍ୟୁଜିଅମ୍‌ର ଶୋଭା ବଢ଼ାଉଛି । ଦେଖିଲେ ଜଣା ଯାଉଛି, ସତେ ଯେପରି ସେ ପାଲଟଣା ଜାହାଜ ଏବେ ବି ଭାସିଚାଲିଛି ରାଣୀ ଭିକ୍ଟୋରିଆଙ୍କୁ ଧରି । କେବଳ ସେତିକି ନୁହେଁ, ଏକ ଦୁର୍ଲଭ କଳଚୂରୀ ସ୍ୱର୍ଣ୍ଣମୁଦ୍ରା ମଧ୍ୟ ସେ ମ୍ୟୁଜିଅମ୍‌କୁ ଦାନ କରିଥିଲେ । ରାଜା ମୁକୁନ୍ଦ ଦେବଙ୍କ ରାମ ତାମ୍ରଫଳକଟିଏ ସୋନପୁର ଗୋପାଳଜୀ ମନ୍ଦିରରୁ ପାଇ ମ୍ୟୁଜିଅମ୍‌ରେ ସ୍ଥାନ ଦେଇଥିଲେ । ଏହିପଣି ଭାବରେ ମ୍ୟୁଜିଅମ୍‌ଟି ଗଢ଼ିଉଠିଲା କେବଳ ଜଣେ ଲୋକର ନିଷ୍ଠା, ଅଧ୍ୟବସାୟ, ପରିଶ୍ରମବଳରେ ।

 

ପଶ୍ଚିମ ଓଡ଼ିଶା ଐତିହ୍ୟର କୀର୍ତ୍ତିଗାନକରି ଏହି ସଂଗ୍ରହାଳୟଟି ଆଜି ମୁଣ୍ଡଟେକି ଛିଡ଼ାହୋଇଛି ବିଶ୍ୱବିଦ୍ୟାଳୟର ଉଦ୍ଦିଷ୍ଟ କୋଠରୀରେ । ଡକ୍ଟର ସାହୁଙ୍କ ବଳିଷ୍ଠ ସାଙ୍ଗଠନିକ ଦକ୍ଷତା ବଳରେ ସଂଗୃହୀତ ପ୍ରାଚୀନ ସାମଗ୍ରୀଗୁଡ଼ିକୁ ସଂରକ୍ଷଣ କରାଯାଇଛି ଏହି ସଂଗ୍ରାହାଳୟରେ ସେଗୁଡ଼ିକ ପାଇଁ ନିଦ୍ଦିଷ୍ଟ କରାଯାଇଥିବା ଭିନ୍ନ ଭିନ୍ନ ବିଭାଗରେ । ଏହି ବିଭାଗଗୁଡ଼ିକ ହେଉଛି-(୧) ପ୍ରତ୍ନତତ୍ତ୍ୱ, (୨) ଅଭିଲେଖ, (୩) ପ୍ରାଚୀନ ମୁଦ୍ରା, (୪) ଭାସ୍କର୍ଯ୍ୟ, (୫) ପ୍ରାଚୀନ ଅସ୍ତ୍ରଶସ୍ତ୍ର, (୬) କଳା ଓ ହସ୍ତଶିଳ୍ପ, (୭) ତୈଳଚିତ୍ର, (୮) ଶିକ୍ଷା ସହାୟତାକାରୀ କଳାସାମଗ୍ରୀ, (୯) ପ୍ରାଚୀନ ତାଳପତ୍ର ପୋଥି ଓ (୧୦) ଐତିହାସିକ ଦଲିଲ୍ । (ଐତିହାସିକ ନବୀନକୁମାର, ପୃ ୧୦୧)

 

ବାସ୍ତବରେ ଆଶ୍ଚର୍ଯ୍ୟ ଲାଗେ, ଜଣେ ବ୍ୟକ୍ତି ଏକାକୀ ଏପରି ଏକ ବିଶାଳ ଯୋଜନା ହାତକୁ ନେଇ ଅପୂର୍ବ ସଙ୍ଗଠନ- ଶକ୍ତିର ବିନିଯୋଗରେ ତା’ର ସଫଳ ରୂପାୟଣରେ ସମର୍ଥ ହୋଇପାରିଛନ୍ତି । ସୁଖର କଥା, ତାଙ୍କ ଏହି ଅବିସ୍ମରଣୀୟ କୀର୍ତ୍ତିକୁ ସମର୍ଥନ ଜଣାଇ ତାଙ୍କ ସ୍ମୃତିରକ୍ଷାର୍ଥେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସଂଗ୍ରହାଳୟରେ ନାମ ରଖିଛନ୍ତି- ‘ଡକ୍ଟର ନବୀନକୁମାର ସାହୁ ମ୍ୟୁଜିୟମ’ ।

 

ପ୍ରଗତି ଉତ୍କଳ ସଂଘ ସହିତ ସମ୍ପୃକ୍ତି

‘ପ୍ରଗତି ଉତ୍କଳ ସଂଘ’ ରାଉତକେଲାର ଏକ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ । ଏହାର ଜନ୍ମ ୧୯୫୮ ଖ୍ରୀଷ୍ଟାବ୍ଦରେ । ଏହାର କର୍ମକର୍ତ୍ତାମାନଙ୍କ ଅନୁରୋଧ ରକ୍ଷାକରି ଡକ୍ଟର ସାହୁ ଏହା ସହିତ ସମ୍ପୃକ୍ତ ହୋଇପଡ଼ିଲେ ୧୯୬୮ ଖ୍ରୀଷ୍ଟାବ୍ଦରୁ । ସେ ଏହି ଅନୁଷ୍ଠାନକୁ ନୂତନ ରୂପେ ଗଢ଼ିବାକୁ ଅଣ୍ଟା ଭିଡ଼ିଲେ । ଫଳରେ ଏ ଅନୁଷ୍ଠାନର ମୁଖପତ୍ର ‘ଉତ୍କଳ ଦିବସ’ ଓ ଉତ୍କଳଗୌରବ ମଧୁସୂଦନ ସ୍ମାରକୀ’ର ପ୍ରକାଶନ ଆରମ୍ଭ ହେଲା ତାଙ୍କ ବଳିଷ୍ଠ ସମ୍ପାଦନରେ ୧୯୬୮ ଅପ୍ରେଲ ପହିଲାଠାରୁ । ଏହା ଉକ୍ତ ଅନୁଷ୍ଠାନର ପ୍ରଥମ ପ୍ରକାଶନ ଓ ନିରବଚ୍ଛିନ୍ନଭାବେ ୧୯୮୫ ଖ୍ରୀଷ୍ଟାବ୍ଦ (ଡକ୍ଟର ସାହୁଙ୍କ ମୃତ୍ୟୁ) ପର୍ଯ୍ୟନ୍ତ ପ୍ରକାଶ ପାଇଲା ପ୍ରତିବର୍ଷ ଅପ୍ରେଲ ୧ ତାରିଖରେ । ଏହାର ପ୍ରଥମ ସଂଖ୍ୟାର ସମ୍ପାଦକୀୟରେ ପ୍ରଗତି ଉତ୍କଳ ସଂଘର ସାଂସ୍କୃତିକ ଭୂମିକାକୁ ପ୍ରଶଂସା କରି ଡକ୍ଟର ସାହୁ ଲେଖିଥିଲେ- ‘‘ପ୍ରଗତି ଉତ୍କଳ ସଂଘ ଏହି ଇସ୍ପାତ ନଗରୀର ଏକ ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ । ଏହି ସଂଘ ଆଜକୁ ଦଶବର୍ଷପୂର୍ବେ ସ୍ଥାପିତ ହୋଇ ରାଉତକେଲାର ସାଂସ୍କୃତିକ ଜୀବନକୁ ବହୁଭାବରେ ପ୍ରଭାବିତ କରିଆସିଅଛି । କେବଳ ରାଉତକେଲା ନୁହେଁ, ସମଗ୍ର ଓଡ଼ିଶାର ସାଂସ୍କୃତିକ ପଟ୍ଟଭୂମିରେ ଏହି ସଙ୍ଘର ଭୂମିକା ଅନସ୍ୱୀକାର୍ଯ୍ୟ ।’’

 

‘ଉତ୍କଳଦିବସ ଓ ଉତ୍କଳଗୌରବ ମଧୁସୂଦନ ସ୍ମାରକୀ’ର ପ୍ରଥମ ଭାଗରେ ଡକ୍ଟର ସାହୁଙ୍କଦ୍ୱାରା କେତେଜଣ ବିଦ୍ୱାନଙ୍କଠାରୁ ଉପାଦେୟ ପ୍ରବନ୍ଧମାନ ସଂଗ୍ରହ କରାଯାଇ ସ୍ଥାନିତ ହେଲା । ତାଙ୍କ ବଳିଷ୍ଠ ସମ୍ପାଦନରେ ଏହା ଏକ ଉଚ୍ଚକୋଟୀର ପତ୍ରିକା ହୋଇପାରିଲା ଓ ଏତେବେଶୀ ଆଦୃତ ହେଲା ଯେ ପରବର୍ତ୍ତୀ ସଂଖ୍ୟାଗୁଡ଼ିକ ପାଇଁ ଲେଖାର ଅଭାବ ହେଲା ନାହିଁ । କେବଳ ସମ୍ପାଦକୀୟରେ ନୁହେଁ ବେଳେବେଳେ ତାଙ୍କ ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧରେ ମଧ୍ୟ ଏହି ପତ୍ରିକାଟି ସମୃଦ୍ଧ ହେଉଥିଲା । ଏହି ସଙ୍ଘଦ୍ୱାରା ପାଞ୍ଚଶହ ପୃଷ୍ଠାରୁ ଉର୍ଦ୍ଧ୍ୱ ପୃଷ୍ଠାବିଶିଷ୍ଟ ବିରାଟ ଇଂରାଜୀ ପୁସ୍ତକ Madhusudan Das The Legislator ପ୍ରଫେସର ପ୍ରବୋଧକୁମାର ମିଶ୍ର ଓ ତାଙ୍କ ମିଳିତ ସମ୍ପାଦକତ୍ୱରେ ପ୍ରକାଶ ପାଇଥିଲା ୧୯୮୦ ଖ୍ରୀଷ୍ଟବ୍ଦରେ । ଏଥିରେ ପ୍ରାୟ ୮୫ ହଜାର ଟଙ୍କା ବିନିଯୋଗ କରିଥିଲା ଏହି ଅନୁଷ୍ଠାନ । ଡକ୍ଟର ସାହୁଙ୍କ ଭଳି ଜଣେ ବିଶିଷ୍ଟ ସଙ୍ଗଠନକଙ୍କୁ ଅଭିଭାବକ ଭାବରେ ପାଇ ଏହି ଅନୁଷ୍ଠାନଟି ପ୍ରଗତି ପଥରେ ଆଗେଇ ଚାଲିଲା ଏବଂ ଉକ୍ତ ବ୍ୟୟବହୁଳ ପୁସ୍ତକଟିକୁ ପ୍ରକାଶ କରିପାରିଲା ।

 

ଡକ୍ଟର ସାହୁଙ୍କ ବିୟୋଗପରେ ଏହି ଅନୁଷ୍ଠାନର କର୍ମକର୍ତ୍ତାମାନେ ଆଜିପର୍ଯ୍ୟନ୍ତ ସେମାନଙ୍କର ଏହି ବାର୍ଷିକ ପତ୍ରିକା ପ୍ରକାଶନ କରିଆସୁଛନ୍ତି ‘ଉତ୍କଳ ଗୌରବ’ ନାମରେ । ବିଶିଷ୍ଟ ସଙ୍ଗଠନ ଓ ତାଙ୍କ ସଂସ୍ଥାର ଅଭିଭାବକ ଡକ୍ଟର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେମାନଙ୍କର ‘ଉତ୍କଳ ଗୌରବ’ -୧୯୯୫ ସଂଖ୍ୟାଟି ଉତ୍ସର୍ଗୀକୃତ । ତା’ପର ବର୍ଷ ଅର୍ଥାତ୍‌ ୧୯୯୬ରେ ତାଙ୍କୁ ମନେପକାଇ ସେମାନେ ପ୍ରକାଶ କଲେ ‘ଐତିହାସିକ ନବୀନକୁମାର’ ସ୍ମାରକୀ ଗ୍ରନ୍ଥ । ସେଇଟି ଡକ୍ଟର ଯଜ୍ଞକୁମାର ସାହୁ ଓ ଡକ୍ଟର ଦେବାନନ୍ଦ ଚୋପାଦରଙ୍କ ମିଳିତ ସମ୍ପାଦନାରେ ପ୍ରସ୍ତୁତ । ଏହି ସ୍ମାରକୀ ଗ୍ରନ୍ଥରେ ‘ପ୍ରକାଶକଙ୍କ ନିବେଦନ’ରେ ଡକ୍ଟର ସାହୁଙ୍କ ସାଙ୍ଗଠନିକ ଶକ୍ତି ପ୍ରଶଂସା କରାଯାଇ ଏବଂ ତାଙ୍କପ୍ରତି କୃତଜ୍ଞତା ଜ୍ଞାପନ କରାଯାଇ କୁହାଯାଇଛି- ‘‘ପ୍ରଥମେ ଅଳ୍ପ କେତେଜଣ ଉତ୍ସାହୀ ସତୀର୍ଥଙ୍କର ଉଦ୍ୟମ ଓ ସହଯୋଗରେ ପ୍ରବାସରେ ୧୯୮୫୮ରେ ଗଢ଼ିଉଠିଥିବା ‘ପ୍ରଗତି ଉତ୍କଳ ସଂଘ’ ଏବେ ରାଉରକେଲାର ଏକ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ । କେବଳ ରାଉରକେଲା ନୁହେଁ ‘ପ୍ରଗତି ଉତ୍କଳ ସଂଘ’କୁ ସମଗ୍ର ଓଡ଼ିଶାର ଏକ ବିଶିଷ୍ଟ ଓଡ଼ିଆ ସାଂସ୍କୃତିକ ଅନୁଷ୍ଠାନରେ ପରିଣତ କରିବାରେ ଡକ୍ଟର ସାହୁଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଥିଲେ ଏହାର ଅନ୍ୟତମ ଦିଗ୍‌ନିର୍ଦ୍ଦେଶକ । ତାଙ୍କ ମୃତ୍ୟୁର ଗୋଟିଏ ଦଶନ୍ଧି ଅତିକ୍ରମ କଲାପରେ ଆଜି ‘ପ୍ରଗତି ଉତ୍କଳ ସଂଘ’ ‘ଐତିହାସିକ ନବୀନକୁମାର’ ପୁସ୍ତକ ମାଧ୍ୟମରେ ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ଆପଣାକୁ ଗୌରବାନ୍ୱିତ ମନେକରୁଛି।’’ (ପୃ ଗ)

 

ଡକ୍ଟର ସାହୁ ଜଣେ ସାଧାରଣ ମଣିଷ ନ ଥିଲେ ଏକ ବିରାଟ ସଙ୍ଗଠନ । ଉଚ୍ଚ ବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏବଂ ସାହିତ୍ୟାନୁଷ୍ଠାନିରୁ ଆରମ୍ଭକରି ସାମାଜିକ ଅନୁଷ୍ଠାନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ସହିତ ସଂଶ୍ଳିଷ୍ଟ ରହି ସେ ସମ୍ପୃକ୍ତ ଅନୁଷ୍ଠାନସବୁକୁ ଅଭିବୃଦ୍ଧି ପଥରେ ଆଗେଇ ନେଇଥିଲେ । ସେ ଯେଉଁ କାର୍ଯ୍ୟରେ ହାତ ଦେଉଥିଲେ ଆନ୍ତରିକ ନିଷ୍ଠା ଓ ଅପୂର୍ବ ସାଙ୍ଗଠନିକ ଶକ୍ତି ବଳରେ ସେ ତାହାକୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରୁଥିଲେ । ଜଣେ ନିଷ୍ଠାପର ସଙ୍ଗଠନ ଭାବରେ ତାଙ୍କ ଅପୂର୍ବ କର୍ମକୁଶଳତା ବାସ୍ତବିକ୍ ପଟାନ୍ତରବିହୀନ ।

 

***

 

ପରିଶିଷ୍ଟ-୧

ନବୀନକୁମାରଙ୍କ ସଂକ୍ଷିପ୍ତ ଜୀବନାଲେଖ୍ୟ

 

୧୯୨୨

ଆବିର୍ଭାବ

 

ଆବିର୍ଭାବ କାଳ- ୧୯୨୨ ଜୁଲାଇ ୨୮ ତାରିଖ

ଆବିର୍ଭାବ ସ୍ଥାନ-ସମ୍ବଲପୁର (ଅଧୁନା ବରଗଡ଼) ଜିଲାର ବରପାଲୀ ଗ୍ରାମ

ପିତାଙ୍କ ନାମ-ସୁରୁ ସାହୁ

ମାତାଙ୍କ ନାମ-ସେବତୀ ଦେଈ

ପାଳକ ପିତା-ଘାସିରାମ ସାହୁ (ଜ୍ୟୋଷ୍ଠ ପିତାମାତା)

ପାଳିକା ମାତା ସତ୍ୟଭାମା ଦେଈ

ପତ୍ନୀ- ସରସ୍ୱତୀ ଦେବୀ

 

 

୧୯୩୦

ଚାଟଶାଳୀ ଶିକ୍ଷାପରେ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ।

୧୯୩୪

ପ୍ରାଥମିକ ଶିକ୍ଷା ସମାପ୍ତ ଓ ବରପାଲୀ ମଧ୍ୟଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ ।

୧୯୩୬

ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ।

୧୯୩୭

ମାମୁଙ୍କ ସହାୟତା ଲାଭକରି ବଲାଙ୍ଗୀର ପାଟଣାର ପୃଥ୍ୱୀରାଜ ହାଇସ୍କୁଲରେ ଅଧ୍ୟୟନ ।

୧୯୩୯

ଦଶମ ଶ୍ରେଣୀରେ ଅଧ୍ୟୟନକାଳରେ ପୂର୍ବରୁ ବାଲ୍ୟବିବାହ କରିଥିବା ସରସ୍ୱତୀ ଦେବୀଙ୍କ ସହିତ ବିବାହ-ବନ୍ଦାପନା (ସେତେବେଳେ ଏହାହିଁ ପ୍ରକୃତ ବିବାହ) ଅନୁଷ୍ଠିତ ।

୧୯୪୦

କୃତିତ୍ୱର ସହିତ ମାଟ୍ରିକୁଲେସନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଏବଂ ବଲାଙ୍ଗୀର ପାଟଣା ପୃଥ୍ୱୀରାଜ ହାଇସ୍କୁଲର ପଚିଶ ବର୍ଷର ରେକର୍ଡ଼ ଭଙ୍ଗକରି ପାଟଣା ମହାରାଜପ୍ରଦତ୍ତ ସ୍ୱର୍ଣ୍ଣପଦକ ଲାଭ ।

୧୯୪୧

କଟକ ସିଟି ଟ୍ରେନିଂ ସ୍କୁଲରେ ଅଧ୍ୟୟନ ।

୧୯୪୩

ତାଲିମପ୍ରାପ୍ତ ଶିକ୍ଷକ ଭାବେ ବରଗଡ଼ର ଜର୍ଜ ହାଇସ୍କୁଲରେ ଯୋଗଦାନ ।

୧୯୪୪

ବରଗଡ଼ରୁ ଶିକ୍ଷକପଦ ତ୍ୟାଗକରି ନିଜ ଉଦ୍ୟମରେ ନୂତନଭାବେ ପ୍ରତିଷ୍ଠିତ ନିଜ ଗ୍ରାମ ବରପାଲୀ ହାଇସ୍କୁଲରେ ଶିକ୍ଷକତା ଘୋରେଇ ଭାବରେ ଆଇଏ ପାଶ୍‌ ।

୧୯୪୫

ରେଭେନ୍‌ସା କଲେଜରେ ବିଏ ଶ୍ରେଣୀରେ ନାମଲେଖା ।

୧୯୪୭

ଇତିହାସ ଅନର୍ସରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଡିଷ୍ଟିଂସନ ସହିତ ବିଏ ପାଶ୍‌ । ଆର୍ଥିକ ଦୁଃସ୍ଥିତି ସତ୍ତ୍ୱେ ଏଲାହବାଦ ବିଶ୍ୱବିଦ୍ୟାଳୟରେ ଏମ୍‌ଏ ପଢ଼ିବା ପାଇଁ ନିଷ୍ପତ୍ତି ।

୧୯୪୯

ଏଲାହବାଦ ବିଶ୍ୱବିଦ୍ୟାଳୟରୁ ଏମ୍‌ଏ ଡିଗ୍ରୀ ଲାଭ । କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରେ ଇତିହାସ ଅଧ୍ୟାପକ ଭାବରେ ଯୋଗଦାନ ।

୧୯୫୦

ବାରିପଦା ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଅଧ୍ୟାପକ ଭାବରେ ନିଯୁକ୍ତ ଓ ଯୋଗଦାନ । ଓଡ଼ିଶାରେ ବୌଦ୍ଧଦର୍ମ ସମ୍ବନ୍ଧୀୟ ଗବେଷଣା ଆରମ୍ଭ ।

୧୯୫୪

କଟକ ରେଭେନ୍‌ସା କଲେଜକୁ ବଦଳି ।

୧୯୫୫

Buddhism in Orissa ସନ୍ଦର୍ଭ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ଲାଭ ।

୧୯୫୮

Orissa Historical Research Journalର ଅନ୍ୟତମ ସମ୍ପାଦକ ଭାବରେ ମନୋନୀତ । ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା Buddhism in Orissa ଗ୍ରନ୍ଥର ପ୍ରକାଶନ ।

୧୯୬୦

ଭୁବନେଶ୍ୱରରେ State Gazetteerର ସମ୍ପାଦକ ଦାୟିତ୍ୱ ଗ୍ରହଣ ।

୧୯୬୧

History of Orissa Police ଗ୍ରନ୍ଥ ପ୍ରକାଶନ ।

୧୯୬୪

ଉତ୍କଳ ବିଶ୍ୱବିଦ୍ୟାଳୟରୁଡ଼ିଲିଟ୍‌ ଡ଼ିଗ୍ରୀ ଲାଭ । Utkal University History of Orissa. Vol.I ର ପ୍ରକାଶନ ।

୧୯୬୮

ଜାନୁଆରୀ ୧ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ କୁଳସଚିବ (Registrar) ପଦରେ ଯୋଗଦାନ

୧୯୬୯

ନଭେମ୍ବର ୧୧ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନୂତନ ଭାବରେ ପ୍ରତିଷ୍ଠିତ ସ୍ନାତକୋତ୍ତର ଇତିହାସ ବିଭାଗରେ ପ୍ରଥମ ପ୍ରଫେସର ପଦ ମଣ୍ଡନ । ସେଠାରେ ପ୍ରଫେସର ଭାବରେ ୧୯୪୭ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଅବସ୍ଥାନ ।

୧୯୭୪

‘ଓଡ଼ିଆ ଜାତିର ଇତିହାସ’ (ପ୍ରାଚୀନ କଳିଙ୍ଗ) ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାଦ୍ୱାରା ପ୍ରକାଶିତ ।

୧୯୭୫

ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୁଷିଆ ପରିଭ୍ରମଣ ।

୧୯୭୯

ନଭେମ୍ବର ୧୯ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପଦରେ ଅଧିଷ୍ଠିତ ।

୧୯୮୧

ମେ ୧୨ ତାରିଖ‌ରେ କୁଳପତି ପଦବୀରୁ ଅବ୍ୟାହତି । ସେପ୍ଟମ୍ବର ୨ ତାରିଖରେ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ୱ- ଉପଦେଷ୍ଟା ଭାବରେ କାର୍ଯ୍ୟାରମ୍ଭ ।

୧୯୮୪

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ରଜତ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଉତ୍ସବରେ ଅକ୍ଟୋବର୨୯ ତାରିଖ‌ରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦୀରା ଗାନ୍ଧୀଙ୍କ କରକମଳରେ ପ୍ରାମାଣିକ ଇଂରାଜୀ ଗ୍ରନ୍ଥ Kharavela ଉନ୍ମୋଚିତ ।

୧୯୮୫

ଅଗଷ୍ଟ ୩୦ ତାରିଖରେ ସମ୍ବଲପୁରରେ ଜାତୀୟବୀର ସୁରେନ୍ଦ୍ର ସାଏଙ୍କ ମୃତ୍ୟୁ ଶତବାର୍ଷିକୀ ପାଳନ ଅବସରରେ ଓଡ଼ିଶାରେ ତତ୍‌କାଳୀନ ରାଜ୍ୟପାଳ ଐତିହାସିକ ଡକ୍ଟର ବିଶ୍ୱମ୍ଭରନାଥ ପାଣ୍ଡେଙ୍କଦ୍ୱାରା Veer Surendra Sai ଗ୍ରନ୍ଥ ଉନ୍ମୋଚିତ ଏବଂ ଇତିହାସ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏଇ ଗ୍ରନ୍ଥଟି ପାଇଁ ପୁରଷ୍କାର ଘୋଷଣା । ସେପ୍ଟେମ୍ବର ୨ ତାରିଖରେ ମହାପ୍ରୟାଣ ।

 

ପରିଶିଷ୍ଟ-୨

ନବୀନକୁମାରଙ୍କ ହସ୍ତଲିପି

 

ମାନନୀୟ, ମହାଶୟ

ବିନୀତ ପ୍ରଣାମ

ଏଲାହାବାଦ

୨୧.୧.୧୯୪୮

 

ଭାରତର ପରମପୂଜ୍ୟ ପ୍ରିୟତମ ବାପୁଜୀଙ୍କର ଚିର ବିଦାୟ ସମ୍ବାଦ ଅବଶ୍ୟ ଶୁଣିଥିବେ । ବର୍ତ୍ତମାନ ମୁଁ ଏ ପତ୍ର ଲେଖିବାବେଳେ ତାଙ୍କର ପୂଣ୍ୟମୟ ଶରୀର ଦିଲ୍ଲୀର ଯମୁନା କୂଳରେ ଭସ୍ମୀଭୂତ ହୋଇ ବେଳାଭୂମି ଯମୁନା ବାଲିରେ ମିଶିଯାଇ ସାରିଥିବ । ଭାରତମାତାର ଆତ୍ମା ଆଜିଠୁଁ ଚାଲିଗଲା । ଏ ଦୁର୍ଦ୍ଧିନରେ ଭାରତ ଆକାଶର ଚାରିଆଡ଼ୁ କଳାମେଘ ମାଡ଼ି ଆସୁଥିବାବେଳେ ସତ୍ୟ ଓ ଅହିଂସାର ମଶାଲ ଟେକି ଆଉ ଠିଆ ହେବେ କିଏ ? ହରିଜନ ସମସ୍ୟା, ହିନ୍ଦୁମୁସଲମାନ ସମସ୍ୟା, ଭାରତ ପାକିସ୍ଥାନ ସମସ୍ୟା, ଚିରଦିନ ପାଇଁ ଅସମ୍ପୂର୍ଣ୍ଣ ହୋଇ ଅସମାହିତ ହୋଇ ପଡ଼ିରହିଲା । ଭାରତ ଭୂମିରେ ଆଦି ଯେଉଁ କଳି କନ୍ଦଳ, ଅବିଶ୍ୱାସ, ଘୃଣା, ବିଭେଦ କାର୍ଯ୍ୟ କରୁଛି ତାହାକୁ କେବଳ ମାହାତ୍ମାଜୀ ସିନା ତାଙ୍କର ଅମାନୁଷିକତା ଦ୍ୱାରା ଦମନ କରି ରଖିଥିଲେ-ଭାରତର ଭବିଷ୍ୟତ ଏବେ କଣ ହେବ ? ବଙ୍ଗାଳୀ, ଓଡ଼ିଆ, ବିହାରୀ, ଆସାମୀ ଆଦି ପ୍ରାବେଶିକ ଘୃଣା, ହିନ୍ଦୁ, ମୁସଲମାନ, ଶିଖ ଆଦିଙ୍କ ପରସ୍ପର ପ୍ରତି ଅବିଶ୍ୱାସ, ଧନୀ, ମିଲ ମାଲିକ, ଚାଷୀ, ମୂଲିଆ ମଧ୍ୟରେ ବିଭେଦ, କଂଗ୍ରେସ ସୋସିଆଲିଷ୍ଟ, କମ୍ୟୁନିଷ୍ଟ, ହିନ୍ଦୁମହାସଭା, ରାଷ୍ଟ୍ରୀୟସ୍ୱଂୟ ସେବକ, ଅକାଳୀ ମୁସଲିମ ଲିଗ ଆଦିଙ୍କ ମଧ୍ୟରେ ମରାତ୍ମକ କଳିକନ୍ଦଳ ଏହିସବୁ କୁଶକ୍ତି ଶିଙ୍କୁଳି ଛିଣ୍ଡାଇ ମୁକ୍ତ ହୋଇଗଲେ-ଭାରତ ଏଣିକି ଏଗୁଡ଼ିକର ଚରାଭୂଇଁରେ ପରିଣତ ହେବ-। ଚୀନ ଦେଶର ପିତା ସୁନିୟାତ୍ ସେନଙ୍କର ବିୟୋଗ ପରେ ଚୀନ କିପରି ପଥହରା ହୋଇ ଭ୍ରମ ପ୍ରମାଦ ମଧ୍ୟରେ ଗତି କରୁଛି ତାହାତ ଜାଣନ୍ତି ଆଜି ଭାରତର କର୍ଣ୍ଣଧାର ଚାଲିଯିବା ପରେ ଭାରତ କେଉଁଆଡ଼େ ଗତି କରିବ ତାହା ବିଶ୍ୱନିୟନ୍ତାଙ୍କର ହାତରେ ।

 

ଅତି ଦୁଃଖ ଲାଗୁଛି ଜଣେ ସୁଶିକ୍ଷିତ ହିନ୍ଦୁ ସନ୍ତାନ ଯେକି ମହାତ୍ମାଜୀଙ୍କର ଆଶ୍ରମରେ ଅନେକ ଦିନ ଅତିବାହିତ କରିଥିଲା, ତାହାର ହାତ ଏ ଦୁଃସାହାସିକ କାର୍ଯ୍ୟ କରିବାକୁ ଚଳିଲା । ଐତିହାସିକ ହିନ୍ଦୁଜାତିର ସନାତନ ହିନ୍ଦୁ ସଭ୍ୟତାର ଆଦି ମସ୍ତକ ଅବନତ ହୋଇ ପଡ଼ିଛି, ପୃଥିବୀ ଆଗରେ ମୁହଁ ଦେଖେଇବାକୁ ହିନ୍ଦୁ ମାତ୍ରକେ ଲଜ୍ଜିତ ମନେ କରିବେ । ହିନ୍ଦୁ ହାତରେ ଆଜି ହିନ୍ଦୁସ୍ଥାନ ପୋଡ଼ି ଦିଆଗଲା- ଏକେନାପି କୁରୁକ୍ଷେତ କୋଟରସ୍ଥେନ ବହ୍ନିନା ଦହ୍ୟତେ ତଦ୍‌ବନଂ ସର୍ବଂ, କୁପୁତ୍ରେଣ ଦେଶଂ ତଥା ।

 

ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ନିମନ୍ତେ ଅନେକ ଦିନ ଧରି ଷଢ଼ଯନ୍ତ୍ର ଚାଲି ଆସିଥିଲା । ଏହା ପୂର୍ବରୁ ଏମାସ ମଧ୍ୟରେ ସେ ଦୁଇ ଥର ଅତି ଆଶ୍ଚର୍ଯ୍ୟକର ଭାବନାରେ ବଞ୍ଚି ଯାଇଥିଲେ । ଏଥର ଯେପରି କୌଶଳର ସହିତ ତାକୁ ହତ୍ୟା କରାଗଲା । ତାହାର ଖବର କାଗଜ ପ୍ରଚାର କରୁଥିବ’ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ହିନ୍ଦୁ ମହାସଭା) ଭାରତର ଏକ ଫେସିଷ୍ଟ ଦଳ ଅଟେ । ଏ ନିର୍ମମ ହତ୍ୟା ଜଣେ ଅନ୍ଧ ପାଗଳର ଦ୍ୱାରା ହୋଇନାହିଁ । ଏହାରି ପଛରେ ସେହି ଫେସିଷ୍ଟ ଶକ୍ତି କାର୍ଯ୍ୟ କରୁଛି । ଆଜି ଦେଶରେ ଅନ୍ୟାନ୍ୟ ନେତାମାନଙ୍କ ଜୀବନ ଉପରେ ଯେ ବିପଦ ନ ଆସିଛି ତାହା କିଏ କହିବ । ଚର୍ଚ୍ଚିଲ ସରକାର ସୁନ୍ଧ୍ୟ ଏତେବଡ଼ ପାପ କଳ୍ପନା କରି ନଥିଲା । ଏହି ଫେସିଷ୍ଟ ଶକ୍ତି ଆଜି ଏତେ ଦୂର ଅଗ୍ରସର ହୋଇଛି ।

 

ମହାପୁରୁଷ ଯିଶୁଙ୍କୁ ଏହିପରି ଆତତାୟୀମାନେ ହତ୍ୟା କରିଥିଲେ । ଏତାଦୃଶ ଉଦାହରଣ ଇତିହାସରେ ପୁରି ରହିଛି । ଶିଖ ଜାତିର ପିତା ଗୁରୁ ଗୋବିନ୍ଦସିଂହ ଆମେରିକାର ପିତା ଆବ୍ରାହାମ୍‌ଲିଙ୍କନ୍‌, ରୁଷିଆର ମହାମାନବ ଟ୍ରଟ୍‍ସ୍କି, ବ୍ରହ୍ମଦେଶର ପିତା ଅଙ୍ଗ୍‌ସାଙ୍ଗ୍‌ଏହି ଫେସିଷ୍ଟ ଶକ୍ତି ଆଗରେ ବଳି ହୋଇଅଛନ୍ତି । ମହାତ୍ମାଗାନ୍ଧୀଙ୍କ ଉଦାହରଣ ଆଜି ନୂଆନୁହେଁ । ରୋମ ସାମ୍ରାଜ୍ୟର ଜନ୍ମଦାତା ଜୁଲିୟସ୍‌ସିଜର୍‌ଙ୍କୁ ମଧ୍ୟ ରୋମାନ୍‌ମାନେ ଏହିପରି ବିଶ୍ୱାସଘାତକତାର ସହିତ ହତ୍ୟାକରିଥିଲେ । ଏହିସବୁ ମହାମାନବମାନଙ୍କର ସ୍ୱର୍ଗ ପ୍ରଣାୟ ପରେ ସେମାନଙ୍କର ଆତ୍ମାର ପ୍ରଭାବ ଯେପରି ଦେଶ ଓ ଜାତିର ଜୀବନକୁ ପ୍ରଭାବିତ କରିଥିଲା ଓ କରୁଥିଲା, ମହାତ୍ମାଗାନ୍ଧିଙ୍କ ସ୍ୱର୍ଗତଃ ଆତ୍ମା ସେହିପରି ନା- ତତୋଧିକ ଭାବରେ ଭାରତୀୟ ଜୀବନକୁ ପ୍ରଭାବିତ କରିବ, ଯୁଗ ଯୁଗ ଧରି ଆଲୋକ ଦାନ କରିବ । ତାଙ୍କର ଅମର ଆତ୍ମା ଦେଶବାସୀଙ୍କ ମଧ୍ୟରେ କାନ୍ଧକରି ଦେଶକୁ ଉଦ୍‌ବୋଧନା ଦେବ ଓ ଗଠନ କରିବ ।

 

ଭାରତ ଏକ ଦେବଭୂମି ଭଗବାନ ଶ୍ରୀକୃଷ୍ଣ ପରି ଆର୍ଦଶ ମାନବ, ରାମଚନ୍ଦ୍ର, ଯୁଧିଷ୍ଠିରଙ୍କ ପରି ଆଦର୍ଶ ରାଜ୍ୟ, ବୁଦ୍ଧଦେବ, ଶଙ୍କର ନାନକ, ରାମକୃଷ୍ଣଙ୍କ ପରି ଆଦର୍ଶ ଗୁରୁ, ତୁଳସୀ ଦାସ, ଚୈତନ୍ୟଙ୍କ ପରି ଆଦର୍ଶ ଭକ୍ତ, ଦୟାନନ୍ଦ, ବିବେକାନନ୍ଦ, ଅରବିନ୍ଦଙ୍କ ପରି ଆଦର୍ଶ ସାଧକ, ଶିବାଜୀ, ପ୍ରତାପ, ସୁଭାଷଙ୍କପରି, ଆଦର୍ଶ ବୀର, ରବୀନ୍ଦ୍ରନାଥଙ୍କ ପରି ଆଦର୍ଶ କବି ଏବଂ ମହାତ୍ମା ଗାନ୍ଧୀଙ୍କ ପରି ଆଦର୍ଶ ଜନନାୟକ ଭାରତର ଭିନ୍ନ ଅନ୍ୟ କେଉଁ ଦେଶ ଜନ୍ମ କରିଛି ଯୁଗେ ଯୁଗେ ଏଦେଶ ପୃଥିବୀକୁ ଆଲୋକ କରିଛି ବାଟ ଦେଖାଇଛି । ବିଶାଳ ଭାରତୀୟ ସଭ୍ୟତାର ପବିତ୍ର ପ୍ରବାହ ଭାରତୀୟ ଇତିହାସର ବିଶାଳ ଶକ୍ତି ଆଜି ସ୍ୱାଧୀନତା ପରେ ଉଜ୍ଜୀବିତ ହୋଇଛି । ଏହି ପ୍ରଭାବ ଓ ଏହି ଶକ୍ତି ନିକଟରେ ନଗଣ୍ୟ ଫେସିଷ୍ଟ ଶକ୍ତି ବିସ୍ମୟ ପରାଭୂତ ହେବ ।

 

ଗଙ୍ଗା ଯମୁନାର ସଙ୍ଗମ ସ୍ଥାନାନ୍ତର ମାହାତ୍ମା ଗାନ୍ଧୀଙ୍କ ସ୍ୱର୍ଗତ ଆତ୍ମାର ତର୍ପଣ କରି ବର୍ତ୍ତମାନ ଫେରିଛି । ହୃଦୟ ମଧ୍ୟରେ ଯେଉଁ ଭାବରାଜି ଜାଗ୍ରତ ହୋଇଛି, ତାହା ଏ ପତ୍ରରେ ଲେଖିଛି ମାତ୍ର । ଇଉନିଭରସିଟିର ସମସ୍ତ ଛାତ୍ର, ଛାତ୍ରୀ ଓ ଅଧ୍ୟାପକ, ସହରର ସହସ୍ର ସହସ୍ର ବ୍ୟକ୍ତି ଓ ଶତ ଶତ ନାଗା, ସନ୍ୟାସୀ ମହନ୍ତ ଆଜି ସେହି ଆତ୍ମାର ସନ୍ଥପଣ ନିମନ୍ତେ ସଙ୍ଗମ ପରେ ଏକତ୍ରିତ ହୋଇଥିଲେ । ସେହି ଦୃଶ୍ୟ ଅତି ହୃଦୟସ୍ପର୍ଶୀ ହୋଇଥିଲା । ଯମୁନା ନଦୀ ଦିଲ୍ଲୀ ଘାଟଠାରେ ଆଜି ଏହିପରି ଅନ୍ୟଏକ ଐତିହସିକ ଦୃଶ୍ୟ ଦେଖିଥିବ । ରାସୋତ୍ସବ ସମୟରେ ଏହି ଜମୁନା କୂଳରେ ଭାରତର ଏକ ମହାପୁରୁଷଙ୍କର ମିଳନାତ୍ମକ ନାଟକ ଅଭିନୀତ ହୋଇଥିଲା, ଆଜି ତାହାରି କୂଳରେ ଅନ୍ୟ ଏକ ମହାପୁରୁଷଙ୍କର ବିରହାନ୍ତିକ ନାଟକର ଅଭିନୟ ହେଲା ,

 

ଗତକାଲି ୪ଟା ସମୟରେ ଓଡ଼ିଶା ଗଭର୍ଣ୍ଣର ଡାଃ କାଟଜୁ ଏବଂ ଏଲାହାବାଦ ବିଶ୍ୱବିଦ୍ୟାଳୟର ଭାଇସ୍‌ଚାନ୍‌ସେଲର (ଯେ ଭାରତର ଦୂତ ରୂପେ ଆଫଗାନିସ୍ଥାନ ଯାଉଛନ୍ତି) ଡାଃ ତାରାଚାନ୍ଦ ଭାରତର ରାଷ୍ଟ୍ରଭାଷା ସଂସ୍କୃତ ହେବ କି ହିନ୍ଦୀ ହେବ କି ହିନ୍ଦୁସ୍ଥାନୀ ହେବ ଏବିଷୟରେ ବହୁତ ଯୁକ୍ତି କରିଥିଲେ । ଏ ବିଷୟ ଆଲୋଚନା କରିବା ନିମନ୍ତେ ଆମ୍ଭେମାନେ ସେ ଦୁହିଁଙ୍କୁ ନିମନ୍ତ୍ରଣ କରିଥିଲୁ । ଏଠାରେ ରାଷ୍ଟ୍ରଭାଷାର ଆଲୋଚନା କରୁଥିବା ବେଳେ କୁଆଡ଼େ ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କୁ ବଳି ଦିଆଯାଉଥାଏ । ଆଲୋଚନା ସଭା ଠିକ୍‌ ଶେଷ ହେବାପରେ ଏହି ଦୁଃସମ୍ବାଦ ବେତାର ବାର୍ତ୍ତାରେ ଶୁଣିବାକୁ ମିଳିଲା । କାଲି ସନ୍ଧ୍ୟା ୮ଟା ସମୟରେ ପଣ୍ଡିତ ନେହେରୁ ଓ ସର୍ଦ୍ଦାର ପଟେଲ ଯେଉଁ ଭାଷଣ ବେତାର ଯୋଗେ ଭାରତକୁ ଓ ସମଗ୍ର ପୃଥିବୀକୁ ଶୁଣାଇଲେ ତାହା ଯେ ଶୁଣିଛି ଜୀବନରେ ଭୁଲି ପାରିବ ନାହିଁ । ଏଲାହାବାଦପରି ସୌନ୍ଦର୍ଯ୍ୟମୟ ଓ ଆନନ୍ଦମୟ ସହର ଆଜି ଯେପରି ଦୁଃଖମୟ ଓ ଶ୍ରୀହୀନ ହୋଇଛି ତାହା ବର୍ଣ୍ଣନା କରିହେବ ନାହିଁ । ଆଜି ଦିନଟା ଆମ୍ଭେମାନେ ଉପବାସ ଓ ପ୍ରାର୍ଥନାରେ କଟାଇଛୁଁ । ଆଉ ଅଧିକ ଲେଖିବାର ନାହିଁ ।

ଏତିକି ।

 

 

ଆପଣଙ୍କର

ନବୀନ କୁମାର

୬୫ ସାର୍‌ ସୁନ୍ଦରଲାଲ ହୋଷ୍ଟେଲ

 

[ସୂଚନା୧୯୪୮ ଜାନୁଆରୀ ୩୦ ତାରିଖରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଘଟଣାରେ ଗଭୀର ଭାବରେ ବ୍ୟଥିତ ଏଲାହାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ନବୀନକୁମାର ତା’ ପରଦିନ ଅର୍ଥାତ୍‌ ୧୯୪୮ ଜାନୁଆରୀ ୩୧ ତାରିଖରେ ନିଜ ଗ୍ରାମବାସୀ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସୁପୁତ୍ର ଭଗବାନ ମେହେରଙ୍କୁ ଲେଖିଥିବା ତାତ୍‌କାଳିକ ଭାବାକୁଳ ପରିବେଶସୂଚକ ମର୍ମସ୍ପର୍ଶୀ ପତ୍ରର ଚିତ୍ରଲିପି । ଏଇଟି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର୍‌ ମଣୀନ୍ଦ୍ରକୁମାର ମେହେରଙ୍କ ସୌଜନ୍ୟରୁ ପ୍ରାପ୍ତ ।]

 

 

ପରିଶିଷ୍ଟ-୩

ନବୀନକୁମାରଙ୍କ ପ୍ରଥମ ଗବେଷଣାମୂଳକ ପ୍ରବନ୍ଧ*

 

ପ୍ରାଚୀନ ଭାରତରେ ଗଣତନ୍ତ୍ର ଶାସନ

ଆଜି ଭାରତ ପୂର୍ଣ୍ଣ ସ୍ୱାଧୀନତା ପ୍ରାପ୍ତ ହୋଇ ଗଣତନ୍ତ୍ରମୂଳକ ଶାସନ ଅବଲମ୍ବନ କରୁଥିବାବେଳେ ପ୍ରାଚୀନ ଭାରତରେ ପ୍ରଚଳିତ ଗଣତନ୍ତ୍ର ଶାସନର ଐତିହାସିକ ଆଲୋଚନା ଅତି ଆବଶ୍ୟକ ବିବେଚିତ ହୁଏ । ଆଧୁନିକ ଗଣତନ୍ତ୍ର ବୈଦେଶିକ ଭୂମିରୁ ଉତ୍ପନ୍ନ ହୋଇ ବିଦେଶର ବିଚିତ୍ରତାମୟ ସମାଜନୀତି ଓ ଅର୍ଥନୀତି ମଧ୍ୟରେ ପୁଷ୍ଟିପ୍ରାପ୍ତ ହୋଇ ପରିବେଶରେ ଯେ ଭାରତ ଭୂମିରେ ପ୍ରବେଶ ଲାଭ କରିଅଛି, ଏହା ସୁନିଶ୍ଚିତ । ୧୭୮୯ ଖ୍ରୀ.ର ଇତିହାସ-ପ୍ରସିଦ୍ଧ ଫରାସୀ ରାଷ୍ଟ୍ରବିପ୍ଳବରୁ ଏହି ଗଣତନ୍ତ୍ର ଜନ୍ମଲାଭ କରି ୧୮୩୦ ଖ୍ରୀ.ର ଜୁଲାଇ ବିପ୍ଳବ ଓ ୧୮୪୮ ର ମଧ୍ୟାବ୍ଦ ବିପ୍ଳବ ହେତୁ ଏହା ସମଗ୍ର ଇଉରୋପରେ ପରିବ୍ୟାପ୍ତ ହୋଇପାରିଥିଲା । ତତ୍‌ପରେ ଏହା ଧୀରେ ଧୀରେ ଅନ୍ୟାନ୍ୟ ଦେଶରେ ଆରୋପିତ ହୋଇ ଆଜି ସମଗ୍ର ସଭ୍ୟ ଜଗତର ଏକମାତ୍ର ପ୍ରଶଂସନୀୟ ଶାସନତନ୍ତ୍ର ରୂପେ ପରିଗଣିତ ହୋଇଅଛି । ଗଣତନ୍ତ୍ର ଶାସନ ଆଧୁନିକ ସଭ୍ୟତାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିଲେ ମଧ୍ୟ ପ୍ରାଚୀନ ସଭ୍ୟତାର ଇତିହାସରେ ଏ ପ୍ରକାର ଶାସନତନ୍ତ୍ରର ଗୌରବମୟ ଅସ୍ତିତ୍ୱ ଅସ୍ୱୀକାର କରାଯାଇ ନପାରେ । ପ୍ରାଚୀନ ଗଣତନ୍ତ୍ରର ଉଲ୍ଲେଖ କରିବାକୁ ଯାଇ ଐତିହାସିକମାନେ ସାଧାରଣତଃ ଗ୍ରୀସ୍‌ ଏବଂ ରୋମ ରାଜ୍ୟପ୍ରତି ଦୃଷ୍ଟିପାତ କରିଥାନ୍ତି ଏବଂ ପ୍ରାଚୀନ ଭାରତ ସମସ୍ତଙ୍କ ଦ୍ୱାରା ସର୍ବଦା ଅବହେଳିତ ହୋଇଥାଏ । ଦୁଃଖର ବିଷୟ, ପ୍ରାଚୀନ-ଭାରତରେ ଥିବା ସମୃଦ୍ଧିଶାଳୀ ଗଣରାଜ୍ୟମାନଙ୍କ ବିଷୟରେ ଯଥୋପଯୁକ୍ତ ଗବେଷଣା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ ଏବଂ ଭାରତର ବହୁସଂଖ୍ୟକ ଐତିହାସିକ ମଧ୍ୟ ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଅଟନ୍ତି-। ବିଶ୍ୱ ସଂସ୍କୃତିର ସମ୍ୟକ୍‌ ଅବଧାରଣା ନିମନ୍ତେ ପୃଥିବୀର ଗବେଷକଗଣ ଏ ସମ୍ବନ୍ଧରେ କେବଳ ଗ୍ରୀସ୍‌ ଏବଂ ରୋମ୍‌ ଇତିହାସରେ ଆବଦ୍ଧ ନ ରହି ପ୍ରାଚୀନ ଭାରତୀୟ ଇତିହାସର ସୁବିଶାଳ କ୍ଷେତ୍ରରେ ଗବେଷଣା କରିବା ଉଚିତ ଏବଂ ବିଭିନ୍ନ ଦେଶର ପତ୍ରପତ୍ରିକାରେ ମଧ୍ୟ ଏ ବିଷୟ ବିଶେଷରୂପେ ଆଲୋଚିତ ହେବା ଏକାନ୍ତ ଆବଶ୍ୟକ ।

 

* ତାଙ୍କର ଏଇ ପ୍ରବନ୍ଧଟି ‘ସହକାର’ ପତ୍ରିକାର ୧୯୪୮ ଅକ୍ଟୋବର ସଂଖ୍ୟାରେ ସ୍ଥାନପ୍ରାପ୍ତ । ସେତେବେଳେ ସେ ଛାତ୍ର । ଛାତ୍ରାବସ୍ଥାରେ ଲିଖିତ ହେଲେ ବି ଏହା ଯେ ଏକ ବୁଦ୍ଧିଦୀପ୍ତ ଗବେଷକୀୟ କୃତି, ଏଥିରେ ସନ୍ଦେହ ନାହିଁ । ବହୁ ସମ୍ଭାବନାଭରା ପ୍ରବନ୍ଧଟିର ସମ୍ୟକ୍‌ ପାଠକୀୟ ଅବଗତିନିମିତ୍ତ ଏଇ ପରିଶିଷ୍ଟରେ ତାହାର ଉପସ୍ଥାପନ ଯଥାର୍ଥ ମନେହୁଏ ।

 

ପ୍ରଫେସର ରିସ୍‌ ଡେଭିଡସ୍‌ (Rhys Davids) ବୌଦ୍ଧ-ଭାରତ ବିଷୟ ଗବେଷଣା କରିବା ସମୟରେ ପାଲି ସାହିତ୍ୟ କ୍ଷେତ୍ରରେ ଗଣରାଜ୍ୟଗୁଡ଼ିକର ବର୍ଣ୍ଣନା ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ ଏବଂ ସର୍ବପ୍ରଥମେ ସେ ପ୍ରାଚୀନ ଭାରତରେ ଗଣତନ୍ତ୍ରର ଅସ୍ତିତ୍ୱ ଥିବା ମୁକ୍ତକଣ୍ଠରେ ସ୍ୱୀକାର କରିଥିଲେ । (Buddhist India, p.219) ରିସ୍ ଡେଭିଡ୍‌ସ୍‌ ତୁର୍‌ନର୍‌ (Tournour) ଆଦି ବୈଦେଶିକ ଗବେଷକଙ୍କ ପରେ ଡକ୍ଟର ଜୟସ୍ୱାଲ୍‌ ଏବଂ ପ୍ରଫେସର ଭଣ୍ଡାରକର୍‌ ପ୍ରଭୃତି ଭାରତର ଲବ୍‌ଧପ୍ରତିଷ୍ଠ ଐତିହାସିକଗଣ ଏ ସମ୍ବନ୍ଧରେ ଗଭୀର ଆଲୋଚନା କରି ନାନା ତଥ୍ୟସମ୍ବଳିତ ଉପାଦେୟ ବିଷୟମାନ ଆବିଷ୍କାର କରିଥିଲେ । ପ୍ରଫେସର୍‌ ଭଣ୍ଡାର୍‌କର୍‌ ତାଙ୍କର Carmichael Lectures (Vol.I) ରେ ଏବଂ ଡକ୍ଟର ଜୟସ୍ୱାଲ୍‌ Modern Review ଓ J. B. O. R. S. ରେ ପ୍ରାଚୀନ ଭାରତର ଗଣତନ୍ତ୍ର ରାଜ୍ୟମାନଙ୍କ ବିଷୟରେ ନାନା ଅକାଟ୍ୟ ପ୍ରମାଣମାନ ପ୍ରକାଶ କରିବାକୁ ଲାଗିଲେ । ୧୯୧୩ ସାଲର Modern Reviewରେ ପ୍ରକାଶିତ ଜୟସ୍ୱାଲଙ୍କ ଏ ସମ୍ବନ୍ଧୀୟ ପ୍ରବନ୍ଧମାନ ପାଠକରି ଭାରତ ଇତିହାସର ପଥପ୍ରଦର୍ଶକ ଡକ୍ଟର ଭିନ୍‌ସେଣ୍ଟ ସ୍ମିଥ୍‌ (Dr. Vincent Smith) ପ୍ରାଚୀନ ଭାରତ ବିଷୟରେ ତାଙ୍କର ଦୃଷ୍ଟିକୋଣ ପରିବର୍ତ୍ତିତ କରିଥିଲେ ଏବଂ ତାହାଙ୍କର ଉତ୍ସାହ ଓ ପ୍ରେରଣାରୁ ଜୟସ୍ୱାଲଙ୍କ ସୁପ୍ରସିଦ୍ଧ ‘Hindu Polity’ ପୁସ୍ତକ ପ୍ରକାଶିତ ହୋଇ ଭାରତ ଇତିହାସରେ ଏକ ନୂତନ ବିପ୍ଳବ ଆନୟନ କଲା । Hindu Polity ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ପୃଥିବୀର ଐତିହାସିକମାନଙ୍କ ମଧ୍ୟରେ ତାହା ଏକ ନୂତନ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏବଂ ସେହି ଦିନରୁ ଭାରତର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଓ ଭାରତ ଇତିହାସ ପାଠ କରାଯାଉଥିବା ପୃଥିବୀର ଅନ୍ୟ ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରାଚୀନ ଭାରତର ଗଣତନ୍ତ୍ର ବିଷୟ ପାଠ୍ୟ-ନିର୍ଘଣ୍ଟର ଅନ୍ତର୍ଗତ ହୋଇଆସିଅଛି ।

 

ଜୟସ୍ୱାଲ, ଭଣ୍ଡାରକର ଆଦି ଭାରତୀୟ ଐତିହାସିକଗଣ ପ୍ରାଚୀନ ଭାରତର ଗଣରାଜ୍ୟମାନଙ୍କ ବିଷୟରେ ବୈଜ୍ଞାନିକ ଗବେଷଣା ଚଳାଇଥିବାବେଳେ ଇଂଲଣ୍ଡର ଐତିହାସିକମାନଙ୍କ ମଧ୍ୟରେ ଏ ସମ୍ବନ୍ଧରେ ନାନା ବାଦପ୍ରତିବାଦ ଚାଲିଥିଲା । Monier Williams ପ୍ରକାଶ କରିଥିବା ଅଭିଧାନରେ ଗଣଶବ୍ଦକୁ ‘tribe’ ବୋଲି ଅର୍ଥ କରାଯାଇଥିବାରୁ ତାହା କେତେକ ଐତିହାସିକମାନଙ୍କୁ ଭ୍ରମମାର୍ଗରେ ପରିଚାଳିତ କରି ଏହି ବାଦାନୁବାଦର ମୂଳ କାରଣ ହୋଇଥିଲା । ଡକ୍ଟର ଫ୍ଲିଟ (Dr. Fleet) ଗୁପ୍ତ ରାଜତ୍ୱର ଅନୁଶାସନମାନ ଇଂରେଜିରେ ଅନୁବାଦ କରିବାବେଳେ ଏହି ଭ୍ରମରେ ପତିତ ହୋଇ ଭାରତୀୟ ଗଣରାଜ୍ୟମାନଙ୍କର ଅସ୍ତିତ୍ୱ ଅସ୍ୱୀକାର କରିଥିଲେ । କିନ୍ତୁ ଡକ୍ଟର ଥୋମସ୍‌ (Dr. F.W. Thomas) ସେଣ୍ଟ ପିଟର୍ସବର୍ଗ ଅଭିଧାନ ଆଦିରୁ ପ୍ରମାଣ ସଂଗ୍ରହ କରି ଫ୍ଲିଟ୍‌ଙ୍କର ଏହି ଭ୍ରମ ପ୍ରମାଦ ସଂଶୋଧନ କରିବା ଉଚିତ ବୋଲି ମତ ପ୍ରଦାନ କରିଥିଲେ । ଲଣ୍ଡନ୍‌ର Journal of Royal Asiatic Societyରେ ଏହି ଉଭୟ ପଣ୍ଡିତଙ୍କ ମଧ୍ୟରେ କିଛିକାଳ ନାନା ବାଦାନୁବାଦ ଲାଗିଥିଲା । କିନ୍ତୁ ଉଭୟଙ୍କ ଯୁକ୍ତି ଓ ପ୍ରମାଣ ଅତି ଦୁର୍ବଳ ଭିତ୍ତି ଉପରେ ପ୍ରତିଷ୍ଠିତ ଥିବାରୁ ସେମାନେ କେହି କୌଣସି ସ୍ଥିର ସିଦ୍ଧାନ୍ତରେ ପହଞ୍ଚିପାରି ନଥିଲେ । ଏହି ସମୟରେ ପୂର୍ବୋକ୍ତ ଭାରତୀୟ ଐତିହାସିକମାନଙ୍କର ଗବେଷଣା-ସିଦ୍ଧ ପ୍ରମାଣମାନ ପ୍ରକାଶିତ ହେବାରୁ ନାନା ସନ୍ଦେହ ଦୂରୀଭୂତ ହୋଇ ଏହି ବାଦାନୁବାଦ ଚିରଦିନ ସକାଶେ ସ୍ଥଗିତ ହେଲା । ପରିଶେଷରେ ୧୯୨୪ ସାଲରେ ଜୟସ୍ୱାଲଙ୍କ Hindu Polity ପ୍ରକାଶିତ ହେବାପରେ ପ୍ରାଚୀନ ଭାରତରେ ଗଣତନ୍ତ୍ର ଶାସନ ପ୍ରଚଳିତ ଥିବା ସମ୍ବନ୍ଧରେ ପୃଥିବୀର ଐତିହାସିକମାନଙ୍କ ମନରେ ଏକ ଦୃଢ଼ ଧାରଣା ସଂସ୍ଥାପିତ ହୋଇପାରିଥିଲା ଏବଂ ଭିନ୍‌ସେଣ୍ଟ ସ୍ମିଥ୍‌, ବେରିଡେଲ୍‌ କିଥ୍‌ (A. Berridale Kieth), ଓ୍ୱାସ୍‌ବର୍ଣ୍ଣ ହପ୍‌କିନସ୍‌ (E. Washburn Hopkins), ବାର୍ଣ୍ଣେଟ୍‌ (L. D. Barneth), ପାର୍ଜିଟର୍‌ (F. E. Pargiter) ଆଦି ପଣ୍ଡିତଗଣ ଏ ବିଷୟକୁ ଅବିସମ୍ବାଦିତ ସତ୍ୟରୂପେ ଗ୍ରହଣ କରିବାକୁ ଲାଗିଲେ । ଜୟସ୍ୱାଲଙ୍କ ପରେ ଡକ୍ଟର ରମେଶଚନ୍ଦ୍ର ମଜୁମଦାର, ଡକ୍ଟର ବେନିପ୍ରସାଦ, ଡକ୍ଟର ରାଧାକୁମୁଦ ମୁଖର୍ଜି, ଡକ୍ଟର ପାନିକର ଏବଂ ଶ୍ରୀ ଅରବିନ୍ଦ ଆଦି ସୁବିଖ୍ୟାତ ଐତିହାସିକ ପଣ୍ଡିତ ଏ ବିଷୟ ନାନା ଦିଗରୁ ଆଲୋଚନା କରି ବହୁ ସତ୍ୟମୂଳକ ତଥ୍ୟ ଉଦ୍‌ଘାଟିତ କରିଅଛନ୍ତି । ସୁତରାଂ ପ୍ରାଚୀନ ଗଣତନ୍ତ୍ର ଶାସନର ଇତିହାସରେ ଗ୍ରୀସ୍‌ ଏବଂ ରୋମ୍‌ସହିତ ଭାରତର ମଧ୍ୟ ଯେ ଅତି ଗୌରବମୟ ସ୍ଥାନ ରହିଛି, ଏ ବିଷୟରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ତଥାପି ପ୍ରାଚୀନ ଭାରତରେ ଯେ ବହୁ ଉନ୍ନତ ଏବଂ ସମୃଦ୍ଧିଶାଳୀ ଗଣରାଜ୍ୟ ପ୍ରତିଷ୍ଠିତ ହୋଇ ଅନେକ ଶତାବ୍ଦୀ କାଳ ସ୍ୱୀୟ ଅସ୍ତିତ୍ୱ ଓ ସମୃଦ୍ଧ ଅକ୍ଷୁର୍ଣ୍ଣ ରଖି ପାରିଥିଲେ, ତହିଁର କେତେକ ବିଶେଷ ପ୍ରମାଣ ଆଲୋଚନା କରିବା ଏହି କ୍ଷୁଦ୍ର ପ୍ରବନ୍ଧର ଉଦ୍ଦେଶ୍ୟ ।

 

ଜର୍ମାନ୍‌ ପଣ୍ଡିତ ଜିମର୍‌ (Zimmer) ବୈଦିକ ସାହିତ୍ୟରେ ଗଣତନ୍ତ୍ର ଶାସନର ସର୍ବପ୍ରଥମ ଉଲ୍ଲେଖ ଥିବା ନିର୍ଦ୍ଦେଶ କରିଯାଇଅଛନ୍ତି । ଅଥର୍ବବେଦର ନିମ୍ନଲିଖିତ ଶ୍ଳୋକରୁ ଏ ବିଷୟର ପ୍ରମାଣ ନିର୍ଣ୍ଣୟ କରାଯାଇପାରେ-

 

‘‘ଯେ ସହସ୍ରମ୍‌ ଅରାଜନ୍ମାସନ୍‌ ଦଶଶତା ଉଡତେ

ବ୍ରାହ୍ମଣସ୍ୟ ଗାଂ ଜଗ୍‌ଧା ବୈତଦ୍‌ବ୍ୟା ପରାଭବନ୍‌।’’

(ଅଥର୍ବବେଦ-୫-୧୮-୧୦)

 

ଜିମର୍‌, ସୁଇର୍, ହୁଇଟ୍‌ନି ଓ ଅନ୍ୟାନ୍ୟ ମହାପଣ୍ଡିତ ଏହି ଶ୍ଳୋକରେ ଗଣତନ୍ତ୍ର ଶାସନର (ଏକ ସହସ୍ରଙ୍କର ଏକ ସହସ୍ର ବ୍ୟକ୍ତିଙ୍କ ଉପରେ ଶାସନ) ଉଲ୍ଲେଖ ଥିବା ମୁକ୍ତକଣ୍ଠରେ ସ୍ୱୀକାର କରିଅଛନ୍ତି । ବୈଦେଶିକ ସାହିତ୍ୟରେ ଗଣତନ୍ତ୍ରମୂଳକ ଶାସନର ବର୍ଣ୍ଣନା ଥିବାର ପ୍ରମାଣ ଦେଖାଇ ଡକ୍ଟର ଜୟସ୍ୱାଲ ଐତରେୟ ବ୍ରାହ୍ମଣର ନିମ୍ନଲିଖିତ ଶ୍ଳୋକ ପ୍ରକାଶ କରିଅଛନ୍ତି- ‘‘ଯେକେଚ ପରେଣ ହିମବନ୍ତଂ ଜନପଦା ଉତ୍ତର କୁରବ ଉତ୍ତର ମଦ୍ରା ଇତି ବୈରାଜ୍ୟା ୟୈବତେଽଭିଷିଚ୍ୟନ୍ତେ ।’’ (ଐବ୍ରା ୮-୩-୧୪)

 

କାଶ୍ମୀର ଅଞ୍ଚଳରେ (ପରେଶ ହିମବନ୍ତଂ) ଥିବା ଉତ୍ତର କୁରୁ ଓ ଉତ୍ତର ମଦ୍ର ଜନପଦଦ୍ୱୟର ସମସ୍ତ ନାଗରିକ ରାଜପଦରେ ଅଭିଷିକ୍ତ ହେଉଥିଲେ ଏବଂ ଏ ପ୍ରକାର ଶାସନ ପ୍ରଣାଳୀକୁ ‘‘ବୈରାଜ୍ୟ ଶାସନ’’ କୁହାଯାଉଥିଲା । ‘‘ଆଚାରଙ୍ଗ ସୂତ୍ରରେ’’ ମଧ୍ୟ ବିଭିନ୍ନ ପ୍ରକାର ଶାସନ ପ୍ରଣାଳୀର ଉଲ୍ଲେଖ କରାଯାଇ ଲିଖିତ ଅଛି- ‘‘ଅରାୟାଣିବା ଗଣରାୟାଣିବ ଯୁବରାୟାଣିବା ଦୋରାଜ୍ଜାଣିବା ବେରଜ୍ଜଣିବା ବିରୁଦ୍ଧ ରଜ୍ଜାଣିବା’’ । (II-୩-୧-୧୦) ସୁତରାଂ ବୈରାଜ୍ୟଶାସନ ବୈଦିକ ଭାରତରେ ଏକ ଗଣତନ୍ତ୍ରମୂଳକ ଶାସନ ରୂପେ ପରିଗଣିତ ହେଉଥିବା ବିଶ୍ୱାସ କରାଯାଏ-

 

ଆମ୍ଭରାଙ୍ଗ ସୂତ୍ର ବା ଆୟାରଙ୍ଗ ସୂତ୍ତମ (ପ୍ରଫେସର ଯେକୋବିଙ୍କ ଦ୍ୱାରା ପ୍ରକାଶିତ) ଅନୁସାରେ ନିମ୍ନଲିଖିତ ବିଭିନ୍ନ ଗଣତନ୍ତ୍ର ଶାସନ ପ୍ରଣାଳୀ ପ୍ରାଚୀନ ଭାରତରେ ପ୍ରଚଳିତ ଥିଲା । ଯଥା-ଅରାୟାଣି- ରାଜବିହୀନଶାସନ; ଗଣରାୟାଣି- ଗଣଶାସନ; ଯୁବରାୟାଣି- ଯୁବରାଜା ଦ୍ୱାରା ଶାସନ; ଦୋରଜ୍ଜାଣି- ଦୁଇଜଣଙ୍କ ଦ୍ୱାରା ଶାସନ; ବେରଜ୍ଜାଣି- ବୈରାଜ୍ୟ ଶାସନ; ବିରୁଦ୍ଧରଜ୍ଜାଣି- ବିରୁଦ୍ଧଦଳ ଦ୍ୱାରା ଶାସନ (Party Government) । ଖାରବେଳ ଓ ଅଶୋକ ଆଦି ନରପତି ଯୁବରାଜା ଥିବା ଅବସ୍ଥାରେ ଦେଶରେ ଯେଉଁ ଅଭିଭାବକ-ସଭା (Council of Regency)ର ଶାସନ ଚଳୁଥିଲା, ତାହା ‘‘ଯୁବରାୟାଣି’’ ଶାସନର ଅନ୍ତର୍ଗତ ବୋଲି କୁହାଯାଇପାରେ ।‘‘ଦୋରଜ୍ଜାଣି’’ ପ୍ରଣାଳୀ ସ୍ପାର୍ଟା, ରୋମ୍‌ଆଦି ଦେଶରେ ମଧ୍ୟ ପ୍ରଚଳିତ ଥିଲା । ‘‘ବିରୁଦ୍ଧ ରଜ୍ଜାଣି’’ ଶାସନର ଉଦାହରଣ ଦେବାକୁ ଯାଇ ଡକ୍ଟର ଜୟସ୍ୱାଲ ଯେଉଁ ଆନ୍ଧକ-ବୃଷ୍ଟି ସଂଘର ଉଲ୍ଲେଖ କରିଅଛନ୍ତି, ତାହା ଅତି ଯୁକ୍ତିଯୁକ୍ତ ବୋଲି ମନେହୁଏ ।

 

ଏଠାରେ ‘‘ଗଣରାୟାଣି’’ ବା ଗଣଶାସନ ପ୍ରଣାଳୀର ସବିଶେଷ ଆଲୋଚନା ଏକାନ୍ତ ଆବଶ୍ୟକ । ‘ଗଣ’ ଅର୍ଥ ଯଦି ସଂଖ୍ୟା ହୁଏ, ତେବେ ଗଣଶାସନ ଅର୍ଥ ସଂଖ୍ୟା ବା ସଂଖ୍ୟାଗୋଷ୍ଠିଙ୍କ ଦ୍ୱାରା ଶାସନ ବୋଲି ଗ୍ରହଣ କରିବାକୁ ହେବ । ‘‘ମହାବଗ୍‌ଗ’’ ଗ୍ରନ୍ଥରେ ଭିକ୍ଷୁମାନଙ୍କ ସଂଖ୍ୟା ଅବଧାରଣ କରିବା ପାଇଁ ବୁଦ୍ଧଦେବ ‘‘ଗଣ’’ର ନିୟମ ଅନୁସାରେ ଶଳାକା ବା ଭୋଟ ଟିକଟ ଗଣନା କରିବାକୁ ଉପଦେଶ ଦେଇଥିବା ରିସ୍‌ ଡେରିଡସ୍‌, ଓଲ୍‌ଡେନ୍‌ ବର୍ଗ ଜୟାସ୍ୱାଲ ଦେଖାଇ ଯାଇଅଛନ୍ତି । ଜାତକମାନଙ୍କରେ ସଂଘବଦ୍ଧ ଉଦ୍ୟମର ତୁଳନା ବା ଉଦାହରଣ ନିମନ୍ତେ ‘‘ଗଣବନ୍ଧନ’’ ଶବ୍ଦ ବାରମ୍ୱାର ପ୍ରୟୋଗ କରାଯାଇଥିବା ଦେଖାଯାଏ । ‘ଗଣ’ର କାର୍ଯ୍ୟ ପ୍ରଣାଳୀ ଯଥୋପଯୁକ୍ତ ଭାବରେ ନିର୍ଣ୍ଣୟ କରିବା ନିମନ୍ତେ ଡକ୍ଟର ଜୟସ୍ୱାଲ ବୌଦ୍ଧ ସଂଘର ନିୟମାବଳୀ ଉପରେ ସମ୍ପୂର୍ଣ୍ଣରୂପେ ନିର୍ଭର କରିଅଛନ୍ତି । କାରଣ ତାଙ୍କର ମତରେ ‘ଗଣ’ର ଅନୁକରଣରେହିଁ ବୌଦ୍ଧଧର୍ମ ସଂଘ ସଙ୍ଗଠିତ । ଏହା ଯେବେ ସତ୍ୟରୂପେ ଗ୍ରହଣ କରାଯାଏ, ତେବେ ‘‘ଗଣ’’ର କାର୍ଯ୍ୟ ପ୍ରଣାଳୀ ନିମ୍ନଲିଖିତ ରୂପେ ଲିପିବଦ୍ଧ କରାଯାଇପାରେ ।

 

ଗଣ ଅଧିବେଶନ ନିମନ୍ତେ ‘‘ବିଧିସଂଖ୍ୟା’’ ବା କୋରମ୍‌ (Quorum) ନିତାନ୍ତ ଆବଶ୍ୟକ ବିବେଚିତ ହେଉଥିଲା । ସଭ୍ୟସଂଖ୍ୟା କୋରମ୍‌ ଅପେକ୍ଷା ଅଳ୍ପ ଥାଇ ଯଦି କୌଣସି ନିର୍ଦ୍ଧାରଣ କରାଯାଇଥାଏ, ତେବେ ତାହା ଆଇନ-ସଙ୍ଗତ ବୋଲି ଗ୍ରହଣ କରାଯାଉ ନ ଥିଲା । କୋରମ୍‌ ନିରୂପଣ କରିବା ନିମନ୍ତେ ନିଯୁକ୍ତ ଥିବା କର୍ମଚାରୀଙ୍କୁ ‘‘ଗଣପୂରକ’’ ଆଖ୍ୟା ଦିଆଯାଥିଲା-। ସୁତାରାଂ ସେ ଆଧୁନିକ ବ୍ୟବସ୍ଥାପକ ସଭାର Whipଙ୍କ କାର୍ଯ୍ୟ ପରିଚାଳନା କରୁଥିଲା । ଗଣ ଅଧିବେଶନରେ କୌଣସି ପ୍ରତିଜ୍ଞା (ନିର୍ଦ୍ଧାରଣ) ସ୍ଥିର କରିବା ସମୟରେ ପ୍ରଥମେ ଜ୍ଞାପ୍ତି (ପ୍ରସ୍ତାବ) ଆଗତ କରିବାକୁ ‘‘କର୍ମବାଚ’’ କୁହାଯାଉଥିଲା । ଜ୍ଞାପ୍ତିଟି ପ୍ରଥମ ଥର ନିମନ୍ତେ ଅଧିକସଂଖ୍ୟକ ଭୋଟ ଦ୍ୱାରା ପ୍ରତିଜ୍ଞାରେ ପରିଣତ ହେଲେ ତାକୁ ‘‘ଜ୍ଞାପ୍ତି ଦ୍ୱିତୀୟ’’ କୁହାଯାଉଥିଲା । ଉକ୍ତ ବିଷୟର ଦ୍ୱିତୀୟ ବାର ଜ୍ଞାପ୍ତି ଆଗତ କରାଯାଇ ପୁଣି ପ୍ରତିଜ୍ଞାରେ ପରିଣତ ହୋଇପାରିଲେ ତାହାକୁ ‘ଜ୍ଞାପ୍ତି ତୃତୀୟ’ କୁହାଯାଉଥିଲା । ଏହିପରି ଭାବରେ ‘‘ଜ୍ଞାପ୍ତି ଚତୁର୍ଥ’’ ଦ୍ୱାରା ନିର୍ଦ୍ଧାରିତ ନ ହେବା ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଦେଶର ଆଇନ୍ ରୂପେ ପ୍ରଚଳିତ ହୋଇପାରୁ ନଥିଲା । ଆଧୁନିକ ବ୍ୟବସ୍ଥାପକ ସଭାରେ କୌଣସି ବିଲ୍‌ ପାଶ କରିବା ପାଇଁ ଯେପରି ତିନିଥର ପ୍ରସ୍ତାବ ଆଗତ କରାଯାଇ ତୃତୀୟ ଥର ପାଇଁ ନିର୍ଦ୍ଧାରଣ କରିବା (Third reading) ଆବଶ୍ୟକ ହୁଏ, ଠିକ୍‌ ସେହିପରି ନିୟମ ପ୍ରାଚୀନ ଭାରତର ଗଣରାଜ୍ୟମାନଙ୍କରେ ପ୍ରଚଳିତ ଥିବା କମ୍‌ ଆଶ୍ଚର୍ଯ୍ୟର ବିଷୟ ନୁହେ । ‘‘ଗଣ’’ର ସଭ୍ୟମାନେ ପ୍ରତ୍ୟେକେ ଗୁପ୍ତ ଭୋଟ (Ballot voting) ଦ୍ୱାରା ସ୍ୱୀୟ ମତ ପ୍ରଦାନ କରୁଥିଲେ ଏବଂ ଭୋଟକୁ ରାଜନୈତିକ ଭାଷାରେ ‘‘ଛନ୍ଦ’’ କୁହାଯାଉଥିଲା । ବିଭିନ୍ନ ମତବାଦ ବ୍ୟକ୍ତ କରିବା ନିମନ୍ତେ ବିଭିନ୍ନ ବର୍ଣ୍ଣର ଶଳାକା (ଭୋଟ ଟିକଟ) ବ୍ୟବହୃତ ହେଉଥିଲା ଏବଂ ଶଳାକା ସଂଗ୍ରହ କରୁଥିବା କର୍ମଚାରୀଙ୍କୁ ‘‘ଶଳାକା-ଗ୍ରାହକ’’ କୁହାଯାଉଥିଲା । ସଂଖ୍ୟାଗରିଷ୍ଠ ଛନ୍ଦ (ବହୁତ୍ର ବା ଭୂୟିଷ୍ଠ) ଦ୍ୱାରା ପ୍ରତିଜ୍ଞା ନୀର୍ଣ୍ଣୟ କରାଯାଉଥିଲା ଓ ଏହି କାର୍ଯ୍ୟପ୍ରଣାଳୀକୁ ‘‘ୟେଭୁୟେସିକମ୍‌’’ ଆଖ୍ୟା ଦିଆଯାଉଥିଲା । ଭୋଟ ପ୍ରଦାନ କରିବା ପୂର୍ବରୁ ଆଗତ କରାଯାଇଥିବା ଜ୍ଞାପ୍ତିର ସପକ୍ଷରେ ଓ ବିପକ୍ଷରେ ନାନା ଯୁକ୍ତିପୂର୍ଣ୍ଣ ଆଲୋଚନା ହେଉଥିଲା ଏବଂ ‘ଗଣ’ର ସଭାପତି ସ୍ପିକର ଉକ୍ତ ଆଲୋଚନା ପରିଚାଳନା କରୁଥିଲା । ଏହିସବୁ ବିଚାର କଲେ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ଆଜିକାଲିର ରାଜନୈତିକ ଭାଷାରେ ତାହାକୁ ଗଣ କୁହାଯାଉଥିଲା, ଯାହାକୁ ଇଂରେଜି ଭାଷାରେ parliament ବା Assembly କୁହାଯାଏ । ଏହି ଯୁକ୍ତିର ସମର୍ଥନ ନିମନ୍ତେ ‘‘ଅବଦାନ ଶତକ’’ର ନିମ୍ନଲିଖିତ ପଂକ୍ତିଚୟ ଏଠାରେ ଉଦ୍ଧାର କରାଯାଇପାରେ-‘‘ଅଥ ମଧ୍ୟଦେଶାଦ୍‌ ବଣିଜୋ ଦକ୍ଷିଣ ପଥଂ ଗତାଃ । ତୌଃ ରାଜ୍ଞୋ ମହା କପ୍ତ ଫିଣସ୍ୟ ପ୍ରାଭୃତ ମୂପନୌତଂ । ରାଜ୍ଞୋ ଉକ୍ତଂ ଭୋ ବଣିଜଃ କସ୍ତତ୍ର ରାଜେତି । ବଣିଜଃ କଥୟନ୍ତି - ଦେବ, କେଚିଦ୍‌ବେଶାଗଣାଧୀନାଃ କେଚିଦ୍ରାଜାଧୀନା ଇତି ।’’ (ଅ ଶ ୧୦୩ ପୃ) ଏଥିରୁ ଗଣ ଶବ୍ଦର ବିଶେଷ ଅର୍ଥ ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଜଣାପଡ଼ୁଛି ଯେ, ବୁଦ୍ଧଦେବଙ୍କ ସମୟରେ ଉତ୍ତର ଭାରତରେ ଗଣଶାସିତ ଏବଂ ରାଜଶାସିତ ଉଭୟବିଧ ରାଜ୍ୟ ବିଦ୍ୟମାନ ଥିଲା । Asiatic Society of Bengal ଦ୍ୱାରା ପ୍ରକାଶିତ ମହାଭାରତର ଶାନ୍ତିପର୍ବର ୧୦୭ ଅଧ୍ୟାୟ ପାଠକଲେ ଗଣ ଶବ୍ଦର ଉପରିଲିଖିତ ଅର୍ଥ ସମ୍ୱନ୍ଧରେ ସନ୍ଦେହର ଅବକାଶ ରହେନାହିଁ । ତହିଁର କେତେକ ପଦ ଏଠାରେ ପ୍ରମାଣସ୍ୱରୂପ ଉଦ୍ଧାର କରାଯାଇପାରେ -

 

‘‘ଚାରମନ୍ତ ବିଧାନେଷୁ କୋଷ ସନ୍ନିଚୟେଷୁ -

ନିତ୍ୟଯୁକ୍ତା ମହାବାହୋ ବର୍ଦ୍ଧନ୍ତେ ସର୍ବତୋଗଣାଃ । ୧୯ ।

ପ୍ରାଜ୍ଞାନ୍‌ ଶୂରାନ୍‌ମହୋତ୍ସାହାନ୍‌ କର୍ମସୁସ୍ଥିର ପୌରୁଷାନ୍‌

ମାନୟନ୍ତଃ ସଦାଯୁକ୍ତାନ୍‌ ବିବର୍ଦ୍ଧନ୍ତେ ଗଣାନୃପ । ୨୦ ।

 

ଦ୍ରବ୍ୟବନ୍ତଶ୍ଚ ଶୂରାଶ୍ଟ ଶସ୍ତ୍ରଜ୍ଞାଃ ଶାସ୍ତ୍ର ପାରଗା -

କୃଚ୍ଛାସ୍ୱ ପସ୍ତୁ ସମ୍ମୂତାନ୍‌ ଗଣାଃ ସନ୍ତାରୟନ୍ତି ତେ ।୨୧ ।

କ୍ରୋଧୋ ଭେଦୋ ଭୟଂ ଦଣ୍ତଃ କର୍ଷଣଂ ନିଗ୍ରହୋବଧଃ -

ନିୟତ୍ୟରିବଶଂ ସଦ୍ୟୋ ଗଣାନ୍‌ ଭରତ ସତ୍ତମ । ୨୨ ।

 

ପାଣିନି (ଖ୍ରୀ: ପୂ: ୫୦୦) ତାଙ୍କର ଅଷ୍ଟାଧ୍ୟାୟୀ ବ୍ୟାକରଣରେ ଗଣ ଏବଂ ସଂଘ ଏକାର୍ଥବୋଧକ ଶବ୍ଦ ବୋଲି ପ୍ରକାଶ କରି ହନ୍‌ ଧାତୁର ଉତ୍ପନ୍ନ ସଂଘାତ୍‌ଠାରୁ ସଂଘ (ସଂହନରେ ବୃତ୍ତଃ) ଶବ୍ଦ ପୃଥକ ବୋଲି ନିର୍ଦ୍ଦେଶ କରି ଅଛନ୍ତି । ନାରଦ ସ୍ମୃତି, ବ୍ୟବହାର ମୟୁଖ ଆଦି ବହୁ ପରବର୍ତ୍ତୀ ହେଲେ ମଧ୍ୟ ସେଗୁଡ଼ିକରେ ଗଣ ଏବଂ ସଂଘ ଏକ ବୋଲି ପ୍ରତିପାଦନ କରାଯାଇଅଛି । ପାତଞ୍ଜଳୀଙ୍କ ‘‘ମହାଭାଷ୍ୟ’’ (ଖ୍ରୀ ପୂ ୨୦୦)ରେ ପ୍ରଦର୍ଶିତ ହୋଇଅଛି ଯେ, ଗଣ ଶବ୍ଦ ଶାସନ ବିଧାନ ପ୍ରତି ଏବଂ ସଂଘଶବ୍ଦ ଗଣଶାସିତ ରାଜ୍ୟପ୍ରତି ପ୍ରଯୁକ୍ତ ଅଟେ । ପାଣିନି ଅଷ୍ଟାଧ୍ୟାୟୀର ପଞ୍ଚମ ଅଧ୍ୟାୟରେ ବାହିକରାଜ୍ୟ (ପଞ୍ଜାବ)ର ସଂଘମାନଙ୍କ ସହିତ ତଦ୍ଧିତ ପ୍ରତ୍ୟୟ ପ୍ରୟୋଗ କରି ବର୍ଣ୍ଣଧର୍ମର ପ୍ରଭେଦ ପ୍ରଦର୍ଶନ କରିଅଛନ୍ତି । ଉଦାହରଣ ସ୍ୱରୂପ ମାଳବ ସଂଘର ଅଧିବାସୀ ମଧ୍ୟରୁ ଯେ ବ୍ରାହ୍ମଣ ବା କ୍ଷତ୍ରିୟ ନୁହନ୍ତି, ତାହାଙ୍କୁ ‘ମଳବ୍ୟଃ’ ଏବଂ ଯେ ବ୍ରାହ୍ମଣ ବା କ୍ଷତ୍ରିୟ ଅଟନ୍ତି, ତାହାଙ୍କୁ ‘‘ମାଳଦଃ’’ କୁହାଯିବ ଏବଂ ଉଭୟ ଶବ୍ଦର ବହୁବଚନ ମାଳବାଃ ହେବ । (ଏ ସମ୍ୱନ୍ଧରେ କାଶିକାଟୀକା ପୃ୪୫୫-୪୫୬ ଦ୍ରଷ୍ଟବ୍ୟ)। ଅଷ୍ଟାଧ୍ୟାୟୀର ଚତୁର୍ଥ ଅଧ୍ୟାୟରେ ଥିବା ‘‘ଅଞ୍‌ ପ୍ରତ୍ୟୟ ପ୍ରୟୋଗ ଉପରେ ଟୀକା ଲେଖି କାତ୍ୟାୟନ ଏବଂ ପାତଞ୍ଜଳୀ ନିର୍ଦ୍ଦେଶ କରିଅଛନ୍ତି ଯେ, ଏହି ନିୟମ ସଂଘରେ ବାସ କରୁଥିବା କ୍ଷତ୍ରିୟ ପକ୍ଷରେ ପ୍ରଯୁଜ୍ୟ ନହୋଇ ଏକରାଟ୍‌ ଶାସିତ ଦେଶର କ୍ଷତ୍ରିୟ ପକ୍ଷରେ ପ୍ରଯୁଜ୍ୟ ହେବ । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଗଣଶାସିତ ଏବଂ ରାଜଶାସିତ ଦେଶ ମଧ୍ୟରେ ପ୍ରଭେଦ ଥିବା ବିଷୟ ପାଣିନିଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଜଣାଥିଲା । ପାଣିନି ଗଣଶାସିତ ଦେଶମାନଙ୍କୁ ଦୁଇ ଭାଗରେ ବିଭକ୍ତ କରିଅଛନ୍ତି, ଯଥା- ଆୟୁଧଜୀବୀ ସଂଘ ଓ ରାଜଶବ୍ଦୋପଜୀବୀ ସଂଘ । କୌଟିଲ୍ୟ ମଧ୍ୟ ତାଙ୍କର ‘‘ଅର୍ଥଶାସ୍ତ୍ର’’ରେ ଗଣଶାସିତ ରାଜ୍ୟମାନଙ୍କ ବିଷୟ ବର୍ଣ୍ଣନା କରିବାକୁ ଯାଇ ସେମାନଙ୍କୁ ଉପରୋକ୍ତ ମତେ ଦୁଇଭାଗରେ ବିଭକ୍ତ କରିଅଛନ୍ତି । ଯେଉଁ ସଂଘଗୁଡ଼ିକ ସର୍ବଦା ସୈନ୍ୟ ସଜ୍ଜାକରି ବହିଃଶତ୍ରୁ ବିରୁଦ୍ଧରେ ଜାଗ୍ରତ ଥିଲେ ସେମାନଙ୍କୁ ଆୟୁଧଜୀବୀ ଏବଂ ଯେଉଁ ସଂଘର ଶାସକବୃନ୍ଦ ନିଜ ନିଜ ନାମ ସହିତ ରାଜା ଶବ୍ଦ ସଂଲଗ୍ନ କରିବାର ଅଧିକାର ପାଇଥିଲେ, ସେମାନଙ୍କୁ ରାଜଶବ୍ଦୋପଜୀବୀ ସଂଘ କୁହାଯାଉଥିଲା । ପାଣିନି ତାଙ୍କ ଅଷ୍ଟାଧ୍ୟାୟୀରେ ନିମ୍ନଲିଖିତ ଆୟୁଧଜୀବୀ ସଂଘ ବିଷୟରେ ଉଲ୍ଲେଖ କରିଅଛନ୍ତି । ଯଥା ବୃକ, ଦାମନି, ତ୍ରିଗର୍ତ୍ତଷଷ୍ଠ (ଦାମନ୍ୟାଦି ତ୍ରିଗର୍ତ୍ତଷଷ୍ଠାଚ୍ଛ) ଯୌଦ୍ଧେୟ ଓ ପାର୍ଶ୍ୱ ଆଦି । ନିମ୍ନଲିଖିତ ଛଅଗୋଟି ସଂଘ ସନ୍ଧିସୂତ୍ରରେ ଦଳବଦ୍ଧ ହୋଇ ତ୍ରିଗର୍ତ୍ତଷଷ୍ଠ ଆଖ୍ୟା ଧାରଣ କରିଥିଲେ । କୌଣ୍ତୀପ, ରଥଦଣ୍ତକ, କୌଷ୍ଟୁକୀ, ଜାଲମାନୀ, ବାହ୍ମଗୁପ୍ତ ଏବଂ ଜାନକୀ । ରାଜଶବ୍ଦୋପଜୀବୀ ସଂଘମାନଙ୍କ ମଧ୍ୟରେ ମଦ୍ର, ବୃଜି, ରାଜନ୍ୟ, ଆନ୍ଧକ ବୃଷ୍ଟି, ମହାରାଜ ଏବଂ ଭର୍ଗ ଆଦିର ବର୍ଣ୍ଣନା ମଧ୍ୟ ଅଷ୍ଟାଧ୍ୟାୟୀରେ ଦେଖିବାକୁ ମିଳେ । ପାଣିନିଙ୍କ ଦ୍ୱାରା ଲିଖିତ ସଂଘମାନଙ୍କର ବିସ୍ତୃତ ବିବରଣୀ ନିମନ୍ତେ ଜୟସ୍ୱାଲଙ୍କ Hindu Polity ଦ୍ରଷ୍ଟବ୍ୟ ।

 

ବୌଦ୍ଧ ସାହିତ୍ୟ ରୂପକ ମହାସମୁଦ୍ର ମନ୍ଥନ କରି ପ୍ରଫେସର ରିସ୍‌ ଡେଭିଡ୍‌ସ ନିମ୍ନଲିଖିତ ଗଣରାଜ୍ୟ ବା ସଂଘ ବୁଦ୍ଧଦେବଙ୍କ ସମୟରେ ଉତ୍ତର ଭାରତରେ ବିଦ୍ୟମାନ ଥିବା ପ୍ରକାଶ କରିଅଛନ୍ତି ।

 

୧.

ଶାକ୍ୟ ସଂଘ (ଆଧୁନିକ ଗୋରଖପୁର ଜିଲ୍ଲା ଅଞ୍ଚଳ) ରାଜଧାନୀ- କପିଳବସ୍ତୁ ।

୨.

କୋଲିୟ ସଂଘ (ଶାକ୍ୟସଂଘ ସଂଲଗ୍ନରେ ଅବସ୍ଥିତ) ରାଜଧାନୀ-ରାମଗ୍ରାମ

୩.

ଲିଚ୍ଛବୀ ସଂଘ (ମୁଜାଫର ପୁର ଜିଲ୍ଲା ଅଞ୍ଚଳ), ରାଜଧାନୀ-ବୈଶାଳୀ (ଆଧୁନିକ ବସାର)

୪.

ବିଦେହ ସଂଘ (ଦ୍ୱାରଭଙ୍ଗା ଜିଲ୍ଲା ଅଞ୍ଚଳ) ରାଜଧାନୀ-ମିଥିଲା ।

୫.

ମଲ୍ଲସଂଘ (ଗୋରଖପୁର ଓ ଚମ୍ପାଚରଣ ଜିଲ୍ଲା ଅଞ୍ଚଳ) ରାଜଧାନୀ-ଏହି ସଂଘ ଦୁଇଭାଗରେ ବିଭକ୍ତ ଥିଲା, ଗୋଟିକର ରାଜଧାନୀ କୁସିନାରା, ଏବଂ ଅନ୍ୟଟିର ପାଭା ।

୬.

ପିପଳୀବନର ମୋରିୟ (ମୌର୍ଯ୍ୟସଂଘ)। ଏ ସଂଘର ଅବସ୍ଥିତି ନିଶ୍ଚିତରୂପେ ନିରୂପିତ ହୋଇନାହିଁ ।

୭.

ବୁଲିସଂଘ (ମଲ୍ଲସଂଘର ସଂଲଗ୍ନରେ ଅବସ୍ଥିତ) ରାଜଧାନୀ-ଅଳକାପୁର ।

୮.

କାଲାମ ସଂଘ (ଅବସ୍ଥିତି ନିରୂପିତ ହୋଇପାରିନାହିଁ), ରାଜଧାନୀ - କେଶପୁତ୍ର ।

୯.

ଭଗ୍‌ଗ (ଭର୍ଗ) ସଂଘ (ନିର୍ଜାପୁର ଜିଲ୍ଲା ଅଞ୍ଚଳ), ରାଜଧାନୀ-ଶିଂଶୁମାର ଗିରି । ଏହି ସଂଘମାନଙ୍କ ସମ୍ୱନ୍ଧରେ ଅନେକ ବିଷୟ ପାଲି ସାହିତ୍ୟରୁ ଜଣାପଡ଼ିଅଛି ଏବଂ ଶାକ୍ୟ, ଲିଚ୍ଛବୀ, ମଲ୍‌ ଆଦି ସଂଘରେ ପ୍ରଚଳିତ ଶାସନବିଧାନ ବହୁ ପରିମାଣରେ ଆବିଷ୍କୃତ ହୋଇପାରିଛି । ଶାକ୍ୟଗଣ (ସନ୍ଥାଗାର) ରେ ପ୍ରାୟ ୫୦୦ ସଭ୍ୟ ଏବଂ ଲିଚ୍ଛବୀଗଣରେ ପ୍ରାୟ ୭୭୦୭ ସଭ୍ୟଙ୍କର ସ୍ଥାନ ଥିଲା ଏବଂ ଉଭୟ ସଂଘ ରାଜଶବ୍ଦୋପଜୀବୀ ଥିଲେ । ଏମାନଙ୍କ ସମ୍ୱନ୍ଧରେ ରିସ୍‌ ଡେଭିଡସ୍‌, ତୁରନର, ଜୟସ୍ୱାଲ ଆଦି ଗବେଷକଗଣ ବହୁ ତଥ୍ୟ ପ୍ରକାଶ କରିଅଛନ୍ତି । ସେ ସବୁ ତଥ୍ୟ ଏହି କ୍ଷୁଦ୍ର ପ୍ରବନ୍ଧରେ ଉଲ୍ଲେଖ କରିବା ସମ୍ଭବ ନୁହେଁ ।

 

ମହାବୀର ଆଲେକଜାଣ୍ଡର ଭାରତ ଆକ୍ରମଣ କରିବା ସମୟରେ (ଖ୍ରୀପୂ ୩୨୬) ଉତ୍ତର ପଶ୍ଚିମ ଭାରତର ବହୁସଂଖ୍ୟକ ଗଣରାଜ୍ୟ ତାଙ୍କୁ ପ୍ରବଳ ବାଧା ପ୍ରଦାନ କରିଥିଲେ । ଅଜେୟ ଗ୍ରୀକ୍‌ ସେନାବାହିନୀ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଥିବା ଗଣରାଜ୍ୟମାନଙ୍କ ମଧ୍ୟରେ କଠ, ସୌଭୂତି, କ୍ଷୁଦ୍ରକ, ମାଳବ, ଶିବି, ଅଗ୍ରଶ୍ରେଣୀ, ଅମ୍ୱଷ୍ଠ, କ୍ଷତ୍ରିୟ, ମୁଚୁକର୍ଣ୍ଣ, ବ୍ରାହ୍ମଣକ, ପଟଳ ଶ୍ମୌଚୂକାୟନକ ଆଦି ଉଲ୍ଲେଖଯୋଗ୍ୟ । ଗ୍ରୀକ୍‌ ଲେଖକମାନଙ୍କ ବର୍ଣ୍ଣନାରୁ ସ୍ପଷ୍ଟ ଜଣାପଡ଼େ ଯେ, ଏହି ରାଜ୍ୟଗୁଡ଼ିକ ଗଣତନ୍ତ୍ର ଶାସନାଧୀନରେ ରହି ଅତି ସମୃଦ୍ଧିଶାଳୀ ଓ ଯୁଦ୍ଧପ୍ରିୟ ଥିଲେ ଏବଂ ଏମାନେ ଆୟୁଧଜୀବୀ ଶ୍ରେଣୀର ଅନ୍ତର୍ଗତ ବୋଲି ସହଜରେ ପ୍ରତୀୟମାନ ହୁଏ । ଅମ୍ୱଷ୍ଠ ସଂଘ ବିଷୟରେ Q. Curtius ଲେଖିଅଛନ୍ତି - ‘‘They were people inferior to none in India; either for numbers or for bravery. Their form of Govemment democratic.’’ ପଟଳର ଶାସନତନ୍ତ୍ର ବିଷୟରେ Diodorus ଲେଖିଛନ୍ତି - Acity of great note with a political constitution drawn on the same line as the Spartan; for in this community the command in war vested in two hereditary kings of two different houses while a council of Elders ruled the whole state with paramount authority.’’

 

ଐତିହାସିକମାନଙ୍କ ମତରେ ଆଲେକଜାଣ୍ଡରଙ୍କ ସୈନ୍ୟମାନେ ମଗଧର ନନ୍ଦ ସମ୍ରାଟଙ୍କ ସୈନ୍ୟବଳ ଦ୍ୱାରା ଭୀତିଗ୍ରସ୍ତ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଏରିଅନ୍‌ (Arrion) ବେଆସ୍‌ ନଦୀର ଅପର ପାର୍ଶ୍ୱରେ ଥିବା ଗଣରାଜ୍ୟର ସମୃଦ୍ଧି ଏବଂ ସୈନ୍ୟବଳ ବିଷୟରେ ଯେଉଁ ଚାକ୍ଷୁଷ ପ୍ରମାଣ ଦେଇଅଛନ୍ତି, ସେଥିରୁ ଅନୁମାନ କରାଯାଏ ଯେ, ଆଲେକ୍‌ଜାଣ୍ଡାର ଏହି ଗଣରାଜ୍ୟ ସହିତ ବଳ ପରୀକ୍ଷା କରିବାରେ ପଶ୍ଚାତ୍‌ପଦ ହୋଇ ବେଆସ୍‌ କୂଳରୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଦୁଃଖର ବିଷୟ, Arrian ଏହି ପରାକ୍ରମଶାଳୀ ଗଣରାଜ୍ୟର ନାମ ଉଲ୍ଲେଖ କରି ନାହାନ୍ତି । କିନ୍ତୁ ଜୟସ୍ୱାଲ ଏହା ଯୌଦ୍ଧେୟ ଗଣରାଜ୍ୟ ବୋଲି ସବିଶେଷ ପ୍ରମାଣ ସହ ପ୍ରକାଶ କରିଅଛନ୍ତି । ସୁତରାଂ ଏହି ସମୟରେ ଉତ୍ତର ଭାରତର ଚାରିଆଡ଼େ ଅତି ଉନ୍ନତ ଗଣରାଜ୍ୟମାନ ଅବସ୍ଥିତଥିଲା ଏବଂ ଅନେକ ରାଜ୍ୟରୁ ରାଜତନ୍ତ୍ର ଲୋପ ହୋଇ ପ୍ରଜାତନ୍ତ୍ର ପ୍ରତିଷ୍ଠିତ ହେଉଥିଲା । ଗ୍ରୀକ୍‌ଦୂତ ମେଘାସ୍ଥିନିସ ତତ୍‌କାଳୀନ ଭାରତର ରାଜନୈତିକ ଅବସ୍ଥା ବର୍ଣ୍ଣନା କରି ଲେଖିଅଛନ୍ତି- “Sovereignty was dissolved and Democratic Governments set up in various places.”

 

ଭାରତର ରାଜନୈତିକ ଅବସ୍ଥା ଏପରି ଥିବାବେଳେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧ ସିଂହାସନ ଆରୋହଣ କରିଥିଲେ (ଖ୍ରୀ. ପୂ. ୩୨୪) ଏବଂ ତାଙ୍କର ପ୍ରଧାନମନ୍ତ୍ରୀ ଚାଣକ୍ୟ (କୌଟିଲ୍ୟ) ମୌର୍ଯ୍ୟ ସାମ୍ରାଜ୍ୟର ଅଭିବୃଦ୍ଧି ନିମନ୍ତେ ଗଣରାଜ୍ୟମାନଙ୍କର ଧ୍ୱଂସ ସାଧନ ପ୍ରଧାନ କର୍ତ୍ତବ୍ୟ ବୋଲି ଜ୍ଞାନ କରିଥିଲେ । ବଳପ୍ରୟୋଗ ତଥା ନାନାବିଧ ଭେଦନୀତି ଦ୍ୱାରା ବହୁସଂଖ୍ୟକ ଗଣରାଜ୍ୟ ଭାରତ ଅପସାରିତ ହେଲେ ମଧ୍ୟ ଅନେକ କୌଶଳ ଓ ପରାକ୍ରମ ବଳରେ ସ୍ୱୀୟ ଅସ୍ତିତ୍ୱ ଅକ୍ଷୁଣ ରଖିପାରିଥିଲେ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଆୟୁଧଜୀବୀ ଏବଂ ରାଜଶବ୍ଦୋପଜୀବୀ ଉଭୟବିଧ ଗଣରାଜ୍ୟର ବର୍ଣ୍ଣନା ଦେଖିବାକୁ ମିଳେ । ଯଥା- ‘‘କାମ୍ୱୋଜ- ସ୍ୱରାଷ୍ଟ୍ର କ୍ଷତ୍ରିୟ- ଶ୍ରେଣ୍ୟାଦୟୋ ବାର୍ତ୍ତା ଶସ୍ତ୍ରୋପଜୀବିନଃ ଲିଚ୍ଛବିକମ- ମଲ୍ଲକ-ମଦ୍ରକ- ନୁକୁର – କୁରୁ- ପାଞ୍ଚାଳାଦୟୋ ରାଜଶବ୍ଦୋପଜୀବିନଃ ।’’ (ଆଶା୩୭୨ ପୃ)

 

ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଭାରତୀୟ ଗଣରାଜ୍ୟମାନଙ୍କ ବିଷୟ ଆଲୋଚନା କରିବା ପାଇଁ ଶିଳାଲିପି ଏବଂ ପ୍ରାଚୀନ ମୁଦ୍ରାମାନଙ୍କ ଉପରେ ନିର୍ଭର କରିବାକୁ ହେବ ଏବଂ ଏତାଦୃଶ ପ୍ରମାଣ ଇତିହାସ ନିର୍ଣ୍ଣୟ କରିବା ନିମନ୍ତେ ଯେ ଶ୍ରେଷ୍ଠତମ ଏଥିରେ ସନ୍ଦେହ ନାହିଁ । ଯୌଦ୍ଧେୟ, ମାଳବ, ଆର୍ଜ୍ଜୁନାୟନ ଆଦି କେତେକ ସୁପ୍ରସିଦ୍ଧ ରାଜ୍ୟମାନଙ୍କରେ ପ୍ରଚଳିତ ମୁଦ୍ରାବଳୀ ଆବିଷ୍କୃତ ହୋଇ ଉକ୍ତ ରାଜ୍ୟମାନଙ୍କରେ ଥିବା ଗଣତନ୍ତ୍ର ଶାସନର ପ୍ରମାଣ ଦୃଢ଼ୀଭୂତ କରୁଅଛି । ଯୌଦ୍ଧେୟ ଗଣରାଜ୍ୟରେ ବିଭିନ୍ନ ସମୟରେ ପ୍ରଚଳିତ ତିନି ପ୍ରକାର ମୁଦ୍ରା ଆବିଷ୍କାର କରାଯାଇଅଛି-। ପ୍ରଥମ ପ୍ରକାର ମୁଦ୍ରାରେ ହସ୍ତି ଏବଂ ବୃଷଭର ଚିତ୍ର ଅଙ୍କିତ ହୋଇ ‘‘ଯୌଦ୍ଧେୟନମ୍‌’’ ବୋଲି ଲିଖିତ ଅଛି । ଦ୍ୱିତୀୟ ପ୍ରକାର ମୁଦ୍ରାରେ ବିକ୍ରମର ଦେବତା କାର୍ତ୍ତିକେୟଙ୍କ ମୂର୍ତ୍ତି ସହିତ ତାଙ୍କର ନାମ ଅଙ୍କିତ ହୋଇଅଛି ଏବଂ ତୃତୀୟ ପ୍ରକାର ମୁଦ୍ରାରେ ତ୍ରିଭଙ୍ଗୀ ଠାଣିରେ ଥିବା ଏକ ନାଗରିକ ସୈନ୍ୟର ପ୍ରତିମୂର୍ତ୍ତି ଅଙ୍କନ କରାଯାଇ ‘‘ଯୌଦ୍ଧେୟ ଗଣସ୍ୟ ଜୟ’’ ଲେଖାଯାଇଛି । ଏହପରି ‘‘ମାଳବନାମ୍‌ଜୟ’’ ‘‘ମାଳବାଜୟ’’ ‘‘ମାଳବଗଣସ୍ୟ’’ ‘‘ଅର୍ଜ୍ଜୁନାୟନାନାଂ’’ ‘‘ଅର୍ଜ୍ଜୁନାୟନାନାଂଜୟ’’ ଆଦି ଲିପି ଚିହ୍ନିତ ଥିବା ମୁଦ୍ରାମାନ ଆବିଷ୍କୃତ ହୋଇ ଉକ୍ତ ରାଜ୍ୟମାନଙ୍କରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ଥିବା ପ୍ରମାଣ ପ୍ରଦାନ କରୁଅଛି । ଏହି ସମସ୍ତ ମୁଦ୍ରା ଖ୍ରୀପୂ୨୦୦ ଠାରୁ ୧୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରଚଳିତ ହେଉଥିବା ଅନୁମାନ କରାଯାଏ ।

 

ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପିରେ (ଖ୍ରୀପୂ୨ୟ ଶତାବ୍ଦୀ) ରଥିକ ଏବଂ ଭୋଜକ ଦୁଇ ଗଣରାଜ୍ୟ ଏକତ୍ର ମିଳିତ ହୋଇ କଳିଙ୍ଗ ସମ୍ରାଟଙ୍କ ସାଙ୍ଗରେ ଯୁଦ୍ଧ କରିଥିବା ଉଲ୍ଲେଖ ଅଛି । ତହିଁର ପ୍ରାୟ ଏକଶତ ବର୍ଷ ପୂର୍ବେ ଏହି ଦୁଇ ଗଣରାଜ୍ୟ ଅଶୋକଙ୍କର ୫ ନଓ ୧୩ ନ: ଶିଳାଲିପିରେ ପୃଥକ ଭାବରେ ସ୍ଥାନ ପାଇଅଛନ୍ତି । ମହାକ୍ଷତ୍ରାପରୁଦ୍ରଦାମନ ଗିରିନଗର ଶିଳାଲିପିରେ (୧୫୦ ଖ୍ରୀ) ଯୌଦ୍ଧେୟ, ମାଳବ, ଅର୍ଜ୍ଜୁନାୟନ, ଔଦୁମ୍ଭର ଆଦି ଗଣରାଜ୍ୟକୁ ପଦାନତ କରି କୌଟିଲ୍ୟଙ୍କ ପ୍ରଦର୍ଶିତ ନୀତି ଅନୁସାରେ ସେମାନଙ୍କ ଶାସନତନ୍ତ୍ରରେ ହସ୍ତକ୍ଷେପ କରି ନଥିବା ପ୍ରକାଶ କରିଅଛନ୍ତି । ଏହା ଶିଳାଲିପିରେ ଲିଖିତ- ‘‘ସର୍ବକ୍ଷତ୍ରାବିଷ୍କୃତ ବୀରଶବ୍ଦୋଜାତୋତ୍ସେକ ବିଧେୟନାଂ ଯୌଦ୍ଧେୟାନାଂ’’ର ଯୌଦ୍ଧେୟ ରାଜ୍ୟର ପ୍ରତିପତ୍ତି ଏବଂ ବୀରତ୍ୱ ସହଜରେ ଅନୁମେୟ ।

 

ଗୁପ୍ତରାଜ୍ୟ ସମୟରେ ଭାରତୀୟ ଗଣରାଜ୍ୟଗୁଡ଼ିକର ଅସ୍ତିତ୍ୱ ସମ୍ପର୍କରୂପେ ଲୋପପ୍ରାପ୍ତ ହୋଇଥିଲା । ପ୍ରଥମ ଚନ୍ଦ୍ରଗୁପ୍ତ ଲିଚ୍ଛବୀ କନ୍ୟା କୁମାର ଦେବୀଙ୍କର ପାଣିଗ୍ରହଣ ପୂର୍ବକ ଇତିହାସପ୍ରସିଦ୍ଧ ବିଶାଳ ଲିଚ୍ଛବୀସଂଘକୁ କୌଶଳରେ ହସ୍ତଗତ କରି ଗୁପ୍ତ ସାମ୍ରାଜ୍ୟର ଭିତ୍ତି ସୁଦୃଢ଼ ରୂପେ ସ୍ଥାପନ କରିଥିଲେ (୩୨୦ଖ୍ରୀ) । ଏହି ଗୌରବମୟ ବିବାହକୁ ଚିର ସ୍ମରଣୀୟ କରିବା ନିମନ୍ତେ ସାମ୍ରାଜ୍ୟ ମଧ୍ୟରେ ଏକପ୍ରକାର ମୁଦ୍ରା ପ୍ରଚଳନ କରାଯାଇ ତାହାର ଏକପାର୍ଶ୍ୱରେ ଚନ୍ଦ୍ରଗୁପ୍ତ ଓ କୁମାର ଦେବୀଙ୍କ ଦଣ୍ଡାୟମାନ ଅବସ୍ଥାର ପ୍ରତିମୂର୍ତ୍ତି ଏବଂ ଅପର ପାର୍ଶ୍ୱରେ ଭାଗ୍ୟଦେବୀ ଲକ୍ଷ୍ମୀଙ୍କର ଚିତ୍ର ସହିତ ‘‘ଲିଚ୍ଛବାୟ’’ ବୋଲି ଲିଖିତ ହୋଇଥିଲା । ଭାରତୀୟ ନେପୋଲିୟନ୍‌ ସମୁଦ୍ରଗୁପ୍ତ ଦିଗ୍‌ବିଜୟ ଦ୍ୱାରା ବହୁ ସଂଖ୍ୟକ ଗଣରାଜ୍ୟ ଭାରତଭୂମିରୁ ଅପସାରିତ ହୋଇଥିବା ଏଲାହାବାଦ୍‌ ସ୍ତମ୍ଭଲିପିରୁ ଜଣାପଡ଼େ । ସେମାନଙ୍କ ମଧ୍ୟରେ ମାଳବ, ଅର୍ଜ୍ଜୁନାୟନ, ଯୌଦ୍ଧେୟ, ମଦ୍ରକ, ଆଭୀର, ପ୍ରାର୍ଜୃନ, ସନାନିକ, କାକ ଏବଂ ଖରପରିକ ଆଦି ସର୍ବପ୍ରଧାନ ବୋଲି ସ୍ତମ୍ଭଲିପିରେ ଉଲ୍ଲେଖ କରାଯାଇଛି । ଗୁପ୍ତ ସମ୍ରାଟମାନେ ପ୍ରାଚୀନ ଗଣରାଜ୍ୟମାନଙ୍କର ମୂଳୋତ୍ପାଟନ କରିଥିଲେ ସତ୍ୟ, ମାତ୍ର ସେମାନେ ମାଳବ ଅଞ୍ଚଳରେ ନବପ୍ରତିଷ୍ଠିତ ହୋଇଥିବା ତିନୋଟି ମିତ୍ରନାମଧେୟ ଗଣରାଜ୍ୟର ଅଭ୍ୟୁଦୟ ରୋଧ କରିପାରି ନଥିଲେ । ବ୍ରହ୍ମାଣ୍ଡ ପୁରାଣ ସେମାନଙ୍କୁ ତ୍ରିମିତ୍ରାଃ ଏବଂ ବିଷ୍ଣୁପୁରାଣ ‘‘ପୁଷ୍ପମିତ୍ର ପଧୁମିତ୍ର ପଦ୍ମମିତ୍ରାସ୍ତ୍ରୟଃ’’ ବୋଲି ଉଲ୍ଲେଖ କରିଅଛନ୍ତି । ଏମାନଙ୍କ ମଧ୍ୟରେ ପୁଷ୍ପମିତ୍ର ସଂଘ ଗୁପ୍ତସାମ୍ରାଜ୍ୟ ବାରମ୍ୱାର ଆକ୍ରମଣ କରି ତାହାର ଭିତ୍ତି ଦୁର୍ବଳ କରିଦେଇଥିବା ଭୀଟାରୀ ସ୍ତମ୍ଭଲିପିର ‘‘ସମୁଦିତବଳକୋଶାନ୍‌ ପୁଷ୍ୟମିତ୍ରାନ୍‌’’- ‘‘ବିଚଳିତ କୁଳଲକ୍ଷ୍ମୀ’’- ‘‘ବିଲୁପ୍ତାଂ ବଂଶଲକ୍ଷ୍ମୀ’’ – ପ୍ରଚଳିତବଂଶଂ ଆଦିରୁ ସ୍ପଷ୍ଟରୂପେ ଜଣାଯାଏ । କିନ୍ତୁ ଦୁଃଖର ବିଷୟ ଗୁପ୍ତ ବଂଶର ପତନ ପରେ ଏହି ଆୟୁଧଜୀବୀ ସଂଘର ଭାଗ୍ୟ କି ଆକାର ଧାରଣ କରୁଥିଲା, ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇପାରି ନାହିଁ । ଡକ୍ଟର ଜୟସ୍ୱାଲ ଲେଖିଛନ୍ତି- ‘‘The Pushyamitras having executed this historical revenge withdrew in the mystic past.”

 

୫୫୦ ଖ୍ରୀଷ୍ଟାବ୍ଦ ପରେ ଭାରତ ଇତିହାସରେ ପ୍ରସିଦ୍ଧ ଗଣରାଜ୍ୟମାନଙ୍କର ଅସ୍ତିତ୍ୱ ଆଉ ଦୃଷ୍ଟିଗୋଚର ହୁଏନାହିଁ । ଦୀର୍ଘ ଏକ ସହସ୍ର ବର୍ଷକାଳ ବହୁକାଳ ବହୁସଂଖ୍ୟକ ଗଣରାଜ୍ୟ ଭାରତର ମୁଖମଣ୍ଡନ କରି ହିନ୍ଦୁଜାତିର ରାଜନୈତିକ କୁଶଳତା ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ଗ୍ରୀକ୍‌, କୁଶାଣ, ଶକ ଆଦି ବୈଦେଶିକ ଆକ୍ରମଣକାରୀଙ୍କ ଭାରତ ଭୂମିରେ ସାମ୍ରଜ୍ୟ ବିସ୍ତାର କରିବା ଉଦ୍ୟମ ବିରୁଦ୍ଧରେ ଶେଷ ପର୍ଯ୍ୟନ୍ତ ଅସ୍ତ୍ରଧାରଣ କରିଥିଲେ । ଏହି ଗଣରାଜ୍ୟମାନଙ୍କ ଶାସନତନ୍ତ୍ର ଅନୁକରଣରେ ବୌଦ୍ଧଧର୍ମ ସଂଘ ସଙ୍ଗଠିତ ହୋଇ ପୃଥିବୀର ଚତୁର୍ଦ୍ଦିଗରେ ପ୍ରସାରିତ ହୋଇପାରିଥିଲା । ସୁତରାଂ ଭାରତ ତଥା ପୃଥିବୀର ସଂସ୍କୃତି ବର୍ଦ୍ଧନ ନିମନ୍ତେ ପ୍ରାଚୀନ ଭାରତରେ ଗଣରାଜ୍ୟଗୁଡ଼ିକର ଦାନ ଅଳ୍ପ ନୁହେଁ । ଅଜାତଶତ୍ରୁ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ସମୁଦ୍ରଗୁପ୍ତ ଆଦି ସୁପ୍ରସିଦ୍ଧ ସାମ୍ରାଜ୍ୟ ନିର୍ମାତା ଏହି ଗଣରାଜ୍ୟଗୁଡ଼ିକୁ ସେମାନଙ୍କ ଦିଗ୍‌ବିଜୟ ପଥର କଣ୍ଟକ ମନେକରି ସେଗୁଡ଼ିକର ଉଚ୍ଛେଦସାଧନ ନିମନ୍ତେ ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ । ପ୍ରାଚୀନ ଓ ଆଧୁନିକ ସବୁ ସମୟରେ ସାମ୍ରାଜ୍ୟବାଦ ହିଁ ଗଣତନ୍ତ୍ରର ପ୍ରଧାନ ଶତ୍ରୁରୂପେ କାର୍ଯ୍ୟକରି ଆସିଅଛି । ଜୁଲିଅସ ସୀଜର ଏବଂ ଅକ୍‌ଟେଭିଅସ୍‌ ଆଦିଙ୍କ ସାମ୍ରାଜ୍ୟବାଦ ରୋମରୁ ପ୍ରଜାତନ୍ତ୍ର ଶାସନର ଲୋପସାଧନ କରିଥିଲା । ଫିଲିପ୍‌ ଏବଂ ଆଲେକ୍‌ଜାଣ୍ଡାରଙ୍କ ଯେଉଁ ସାମ୍ରାଜ୍ୟବାଦ ଗ୍ରୀସ୍‌ଦେଶରୁ ଗଣତନ୍ତ୍ରର ମୂଳୋତ୍ପାଟନ କରିବାରେ ସଫଳ ହୋଇପାରିଥିଲା, ତାହା ଭାରତୀୟ ଗଣତନ୍ତ୍ର ନିକଟରେ ପରାଭୂତ ହୋଇଥିବା ଇତିହାସ ଘୋଷଣା କରୁଅଛି । କିନ୍ତୁ ଭାରତୀୟ ସାମ୍ରଜ୍ୟବାଦହିଁ ଭାରତୀୟ ଗଣରାଜ୍ୟମାନଙ୍କର ଧ୍ୱଂସ ସାଧନ କରିବାରେ ସମର୍ଥ ହୋଇପାରିଛି । ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀ ପରେ ଭାରତର ଇତିହାସ ପତନୋନ୍ମୁଖୀ ହୋଇ ଗତିକରି ଆସିଛି । ଏପରିକି ପରବର୍ତ୍ତୀ ପୁରାଣକାର ଓ ଧର୍ମଶାସ୍ତ୍ରକାରଗଣ ପ୍ରାଚୀନ ଗଣତନ୍ତ୍ର ଶାସନ ବିଷୟ ସମ୍ପୂର୍ଣ୍ଣରୂପେ ବିସ୍ତୃତ ହୋଇ ରାଜତନ୍ତ୍ରହିଁ ଭାରତର ଏକମାତ୍ର ଶାସନତନ୍ତ୍ର ବୋଲି ପ୍ରକାଶ କରିଆସିଛନ୍ତି । ଆଧୁନିକ ବହୁ ଐତିହାସିକ ମଧ୍ୟ ଏ ସମ୍ୱନ୍ଧରେ ସନ୍ଦୀହାନ୍‌ ତଥା ପ୍ରମାଦଗ୍ରସ୍ତ ଥିବା ଅତି ଦୁଃଖର କଥା ।

 

***

 

ପରିଶିଷ୍ଟ – ୪

ନବୀନକୁମାରଙ୍କ ଐତିହାସିକ ଗଳ୍ପରୁ ଗୋଟିଏ*

ପ୍ରଥମ ବୌଦ୍ଧ

 

*୧୯୫୧-୫୨ ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଉଥିବା ‘ଚନ୍ଦ୍ରିକା’ ପତ୍ରିକାର ୧୨ଶ ସଂଖ୍ୟାରେ ସ୍ଥାନିତ ଏହି ଐତିହାସିକ ଗଳ୍ପଟି ତାଙ୍କର ୫ମ ଓ ଶେଷ ଗଳ୍ପ । ଏଇଟି ମଧ୍ୟ ତାଙ୍କ ଗଳ୍ପଗୁଡ଼ିକ ମଧ୍ୟରେ ସବୁଠାରୁ କ୍ଷୁଦ୍ର ।

 

ଉରୁବିଲ୍ୱର ପ୍ରଶାନ୍ତ ବନଭୁମି । ପତ୍ର, ପୁଷ୍ପ, ଦୁର୍ବାଦଳ, ପୀକ, କୁରଙ୍ଗ ପ୍ରାଣରେ ବସନ୍ତ ନୂତନ ସଂଜୀବନୀ ବୋଳି ଦେଇଛି । ବନଶ୍ରୀର ବାସନ୍ତୀ- ସମ୍ଭାର ଘେନି ନୀରସ ମଧ୍ୟାହ୍ନ ହାସ୍ୟମୟ ହୋଇଉଠିଛି । ବକ୍ରଗାମୀ ବନପଥରେ ଆମ୍ର, ମଧୁକ, ଶାଳ, ପିପ୍‌ପଳର ଶୀତଳ ଛାଇରେ ଅସଂଖ୍ୟ ପଣ୍ୟ ଶକଟ ଚାଲିଛନ୍ତି ପଂକ୍ତି ବାନ୍ଧି- ରାଜଗୃହ ଅଭିମୁଖରେ । ଅସ୍ପଷ୍ଟ ଉଷାଲୋକରୁ ଅକ୍ଳାନ୍ତ ଭାବରେ ପଣ୍ୟଭାର ବୋହି ଥୋଡ଼ି ବଳଦ ସବୁ ମଥାଟେକି ଚାଲିଛନ୍ତି ଆନନ୍ଦରେ । ଛାୟାଘନ ବନଭୂମିର ମର୍ମର, ପକ୍ଷୀଗଣର ମଧୁର କୂଜନ ଓ ତହିଁ ସଙ୍ଗେ ସୌରଭବାହୀ ମଳୟର ମୃଦୁଆଘ୍ରାଣ ସେମାନଙ୍କ ପଥଶ୍ରମ ଦୂର କରୁଛି । ପ୍ରତ୍ୟେକଙ୍କ ଶିଂଘରେ ପିତ୍ତଳ ବା ରୌପ୍ୟର ଆବରଣ- ତହିଁ ଉପରେ ମୟୂର ପୁଚ୍ଛର ଚୂଳ । ବେକରେ ରଙ୍ଗିନ କଉଡ଼ି ଓ ପୋହଳାର ମାଳ ଗଳଘଣ୍ଟର ଠଣ ଠଣ ଶବ୍ଦ ସହିତ ତାଳ ଦେଇ ଦୋହଲୁଛି । ମଥା ଉପରେ ରୂପେଲି ଚାନ୍ଦ ମଧ୍ୟାହ୍ନ କିରଣରେ ଝଟକି ଉଠୁଛି ।

 

ରାଜଗୃହ ଆଉ ଦୁଇଦିନର ବାଟ । ବିଶାଳ ମଗଧ ସାମ୍ରଜ୍ୟର ସମୃଦ୍ଧିଶାଳୀ ରାଜଧାନୀ ରୂପେ ତାହା ସମଗ୍ର ଭାରତର ବାଣିଜ୍ୟକେନ୍ଦ୍ର । ସମ୍ରାଟ ବିମ୍ୱିସାରଙ୍କ ଶାସନଛତ୍ର ତଳେ ତାହା ପୁଣି ଶାନ୍ତିର ପୀଠସ୍ଥଳୀ । ତେଣୁ ବର୍ଷସାରା ଉତ୍ତରାପଥ, ଅବନ୍ତୀରଥ ଓ ଦକ୍ଷିଣାପଥର ନାନା ପଣ୍ୟ ସମ୍ଭାର ବିଭିନ୍ନ ମାର୍ଗ ଦେଇ ଚାଲିଥାଏ ଏ ମହାନଗରୀ ଅଭିମୁଖରେ ।

 

ମଧ୍ୟାହ୍ନ ଟଳିଯିବା ଉପରେ । ତଥାପି ଶକଟ ବୀଥୀ ତୀବ୍ର ଘୋଷରେ ଚାଲିଥାନ୍ତି ବନଭୂମି ପ୍ରତିଧ୍ୱନିତ କରି । ତହିଁ ସଙ୍ଗେ ମଧ୍ୟ ଚାଲିଥାଏ ପଣ୍ୟ ଜୀବୀର କେତେ ଭଙ୍ଗା ଗଢ଼ା ସଂସାରର ସ୍ୱପ୍ନ, କେତେ ଆଶା, ଆକାଙ୍‌କ୍ଷାର ସ୍ରୋତ । କାଲି ରାତି ପାହିଲେ ପୂର୍ବଦିଗର ଚକ୍ରବାଳ ସୀମାରେ ଗିରିବ୍ରଜର ଉନ୍ନତ ପ୍ରାସାଦ ଉପରେ ଉଡ଼ୁଥିବା ରକ୍ତ ଚିରାଳ ଦିଶିବ ।

 

ଶକଟ ଶ୍ରେଣୀର ଗତି ହଠାତ୍‌ବନ୍ଦ ହେଲା ରାଜାୟତନ ତରୁର ପାଦଦେଶରେ । ସେଠାରେ ଏକ ଦିବ୍ୟ ପୁରୁଷ ଆସୀନ ହୋଇ ନିର୍ବେଦ ଭାବରେ ଉପଭୋଗ କରୁଥାନ୍ତି ବାସନ୍ତୀ ବନାନୀର ବିଜନତା । ତାଙ୍କ ଗୌର ମୁଖମଣ୍ଡଳରେ ପ୍ରକାଶିତ ହେଉଥାଏ ଅନନ୍ତ ଆନନ୍ଦର ଜ୍ୟୋତି ଏବଂ ତହିଁରେ ଭରିଥାଏ ଏକ ରହସ୍ୟମୟ ଆକର୍ଷଣ । ମନେହୁଏ, ସେ ଦୁଃଖ ଅଶାନ୍ତି ଭରା ଅଭିଶପ୍ତ ପୃଥିବୀର କେହି ନୁହନ୍ତି- ସେ ଚିରାନନ୍ଦମୟ ରାଜ୍ୟର ଦିବ୍ୟ ମାନବ ।

 

ଏକ ସୁସଜ୍ଜିତ ଶକଟରୁ ଦୁଇଜଣ ବ୍ୟକ୍ତି ଓହ୍ଲାଇ ଆସିଲେ ତାଙ୍କୁ ଅର୍ଚ୍ଚନା କରିବା ଉଦ୍ଦେଶ୍ୟରେ । ଦୁହିଁଙ୍କର ସୁଗଠିତ ଅଙ୍ଗରେ ଘେରିଥିବା ଚଂପକକାନ୍ତିର କ୍ଷୌମବସ୍ତ୍ର, କର୍ଣ୍ଣଦ୍ୱୟ ଉଜ୍ଜଳ ମୁକ୍ତାଫଳ ପାଖରେ ଲୁଣ୍ଠିତ ହେଉଥିବା ସୁସଂଚକେଶର ବିନ୍ୟାସ ଏବଂ ଅଙ୍ଗରାଗର ମୃଦୁଗନ୍ଧ ପ୍ରକାଶ କରୁଥାଏ ସେମାନଙ୍କ ଆଭିଜାତ୍ୟ ଓ ସଂସ୍କୃତି । ଦୁହେଁ ସୁବର୍ଣ୍ଣ ପାତ୍ରରେ ଆରିଷା, ଦୁଗ୍‌ଧ ଓ ମଧୁ ନେଇ ଅପୂର୍ବ ଆନନ୍ଦରେ ତାଙ୍କ ପାଦତଳେ ଥୋଇ ଯୁଗ୍ମହସ୍ତରେ ଦଣ୍ଡାୟମାନ ହେଲେ ।

 

ଦିବ୍ୟପୁରୁଷଙ୍କ ପ୍ରଶାନ୍ତ ମୁଖରେ କ୍ଷୀଣ ହାସ୍ୟରେଖା ଖେଳିଗଲା । ସେ ଧୀର କଣ୍ଠରେ କହିଲେ- ‘‘କିଏ ତୁମେ ଅନାହୂତ ବନ୍ଧୁ ! ଏ ନିର୍ଜନ ଅରଣ୍ୟରେ ଦେବଦୂତ ରୂପେ ଆସି ମୋର ଜୀବନ ରକ୍ଷାକଲ । ସମ୍ୱୋଧି ପ୍ରାପ୍ତି ଆଠ ସପ୍ତାହ ପରେ ଆଜି ଏହା ମୋର ପ୍ରଥମ ଖାଦ୍ୟ ଗ୍ରହଣ...-।’’

 

ଆଗନ୍ତୁକ ଦ୍ୱୟଙ୍କ ଅନ୍ତର ପୁଲକର ବନ୍ୟାରେ ପ୍ଳାବିତ ହୋଇଉଠିଲା । ଜଣେ ଉତ୍ତର କଲେ, ‘‘ଆମେ ଦୁହେ ଭୌମବଂଶଜ ସାର୍ଥବାହ । ପାଞ୍ଚଶ ଶକଟରେ ପଣ୍ୟଦ୍ରବ୍ୟ ଘେନି ମଧ୍ୟଦେଶକୁ ଆସିଛୁ ବାଣିଜ୍ୟ ଉଦ୍ଦେଶ୍ୟରେ । ରାଜଗୃହ ଯିବା ପଥରେ ଏଠି ଆପଣଙ୍କ ଦର୍ଶନ ପାଇ ଧନ୍ୟ ହୋଇଛୁ ।’’

 

‘‘ତୁମର ନିବାସ ?’’

 

‘‘ଉତ୍କଳ ଦେଶର ପୋଖରାବତୀ ଗ୍ରାମ ।’’

 

‘‘କି ନାମ ତୁମ୍ଭର ?

 

‘‘ମୋର ନାମ ତପସୁ ଏବଂ ଏ ମୋର ଭାଇ ବହ୍ଲିକ’’

 

ଅଳ୍ପକ୍ଷଣ ମୌନ ରହି ଦିବ୍ୟପୁରୁଷ ସାର୍ଥବାହଦ୍ୱୟଙ୍କ ପ୍ରତି ଥରେ ସୁଧାମୟ ଦୃଷ୍ଟିରେ ଅନାଇଲେ । ବିସ୍ଫାରିତ ଚକ୍ଷୁଦ୍ୱୟରୁ ଆଶିଷ ଧାରା ଝରିଗଲା । ଦୁହିଁଙ୍କର ଭାଗ୍ୟଦୀପ ଜଳିଉଠିଲା । ବଣିକ ଜୀବନର ଯଶଃ, ପୌରୁଷ, ସମ୍ପଦ ଭିତରେ ପ୍ରାଣର ନିର୍ମମ ନିଃସ୍ୱତା ସ୍ୱତଃ ଅନୁଭୂତ ହେଲା-

 

ସେ ଅଙ୍ଗୁଳି ନିର୍ଦ୍ଦେଶକରି କହିଲେ, ‘‘ଏ ଯେଉଁ ବିଶାଳ ଅଶ୍ୱତ୍‌ଥ ତରୁ ସ୍ୱର୍ଗୀୟ ଆଲୋକରେ ଉଦ୍‌ଭାସିତ ହୋଇଉଠୁଛି, ଆଠ ସପ୍ତାହ ପୂର୍ବେ ଏହାରି ପାଦ ତଳେ ମୁଁ ବୋଧି ଲାଭ କରିଛି, ମୁଁ ବୁଝିଛି, ଅବିବେକୀ ମାନବ କାମନାର କୁହୁକ ମଧରେ ଅସାର ସୁଖ ଲୋଡ଼ି ବାରମ୍ୱାର ଦୁଃଖାଗ୍ନିରେ ଦଗ୍‌ଧ ହୁଏ । ସେ ମୋହାନ୍ଧ ହୋଇ ପ୍ରକୃଷ୍ଟ ପଥ ନିରୂପଣ କରି ପାରେନା । ତେଣୁ ଦୁଃଖ ଓ ମୋହରେ ଏ ଅମୃତମୟ ବିଶ୍ୱ ପଙ୍କିଳ ହୋଇଉଠିଛି । ଏହାର ପ୍ରତିକାର ପଥ ସନ୍ଧାନ କରିବାକୁ ଆସି ମୁଁ ଏଠି ସତ୍ୟ ଉପଲବ୍‌ଧି କରିଛି । ମୁଁ ବୁଦ୍ଧ । ମୋର ଆବିଷ୍କୃତ ଆର୍ଯ୍ୟସତ୍ୟ ଆଜି ସର୍ବପ୍ରଥମେ ତୁମ ଦୁହିଁଙ୍କୁ ପ୍ରଦାନ କରିଛି । ତୁମେହିଁ ପୃଥିବୀର ପ୍ରଥମ ବୌଦ୍ଧ । ଆଜି ତୁମ ଭିତରେ ଏ ଯେଉଁ ଦୀପଶିଖା ପ୍ରଜ୍ଜ୍ୱଳିତ ହେଲା ତାହା ସମଗ୍ର ବିଶ୍ୱକୁ ଆଲୋକିତ କରୁ । ସୃଷ୍ଟିର ନଷ୍ଟ ସୌଷ୍ଠବ ଫେରିଆସୁ ।’’

 

ସାର୍ଥବାହଦ୍ୱୟ ଅଶ୍ରୁସିକ୍ତ ଚକ୍ଷୁରେ ବୁଦ୍ଧଙ୍କ ପଦତଳେ ଲୁଣ୍ଠିତ ହୋଇ କହିଲେ, ‘‘ହେ ବରେଣ୍ୟ, ମରୀଚିକା ପଛରେ ମଧ୍ୟଦେଶକୁ ଆସି ଆଜି ଯେଉଁ ମହାସମ୍ପଦ ଲାଭ କରିଛୁ ସେଥିରେ ଜୀବନର ଦୈନ୍ୟ ଦୂର ହୋଇଛି- ଜନ୍ମ ସାର୍ଥକ ହୋଇଛି । ବୁଦ୍ଧଙ୍କ ‘ଧମ୍ମସାସନ’ ଅଚିରେ ସମଗ୍ର ଜଗତ ପାବନ କରିବ, ଏବଂ ଆଜି ଆମ ଜୀବନରେ ଜଳିଥିବା ପ୍ରଦୀପ ଉତ୍କଳର ଘରେ ଘରେ ଆଲୋକ ବିତରଣ କରିବ । ବୁଦ୍ଧ ମହା ଆନନ୍ଦରେ ମସ୍ତକର କୁଞ୍ଚିତ କେଶ କର୍ତ୍ତନ କରି ତପସୁ ଓ ବହ୍ଲିକଙ୍କ ଅଞ୍ଜଳି ଭରିଦେଲେ, ହସହସ ହୋଇ କହିଲେ, ‘‘ଉତ୍କଳ ପ୍ରତି ଏହା ମୋର ପ୍ରେମ ଉପହାର ।’’

 

ବଣିକ ଦ୍ୱୟଙ୍କ କମ୍ପିତ ଓଠରୁ ସ୍ୱତଃ ପ୍ରକାଶିତ ହେଲା-

 

‘‘ବୁଦ୍ଧ ଶରଣଂ ଗଚ୍ଛାମି

ଧମ୍ମଂ ଶରଣଂ ଗଚ୍ଛାମି ।’’

 

ବୁଦ୍ଧ କହିଲେ, ‘‘ଏ ଜମ୍ୱୁଦୀପରେ ମୋର ଆର୍ଯ୍ୟ ସତ୍ୟ ପ୍ରଚାରିତ ହୋଇ ମହାସଂଘ ଗଠିତ ହେବ । କୋଟି କୋଟି ନରନାରୀ ବୁଦ୍ଧ ଧର୍ମ ଓ ସଂଘର ଶରଣ ନେଇ ସ୍ରୋତାପନ୍ନ ହେବେ ଏବଂ ଧମ୍ମପଦ ପ୍ରାପ୍ତ ହୋଇ ଅର୍ହତ ହେବେ ।’’

 

ତପସୁ ଓ ବହ୍ଲିକ ସାଶ୍ରୁନେତ୍ରରେ ବିଦାୟ ଘେନି ଉତ୍କଳକୁ ଫେରିଲେ । ବୁଦ୍ଧ ଚାଲିଲେ ମୃଗଦାବ ବନ ଅଭିମୁଖେ, ଧର୍ମଚକ୍ର ପ୍ରବର୍ତ୍ତନ ନିମନ୍ତେ ।

 

***

 

ପରିଶିଷ୍ଟ-୫

ନବୀନକୁମାର ରଚନାବଳୀ*

 

*ଏଇ ତାଲିକାଟି ଡକ୍ଟର ଯଜ୍ଞକୁମାର ସାହୁ ଓ ଡକ୍ଟର ଦେବାନନ୍ଦ ଚୋପଦାରଙ୍କ ମିଳିତ ସମ୍ପାଦନାରେ ରାଉରକେଲାର ପ୍ରଗତି ଉତ୍କଳ ସଂଘଦ୍ୱାରା ୧୯୯୬ରେ ପ୍ରକାଶିତ ‘ଐତିହାସିକ ନବୀନକୁମାର ସାହୁ’ ପୁସ୍ତକର ପରିଶିଷ୍ଟ- ୩ର ପରିମାର୍ଜିତ ଓ ପରିବର୍ଦ୍ଧିତ ରୂପ । ତଥାପି ଏହା ତାଙ୍କ ରଚନାବଳୀର ପୂର୍ଣ୍ଣାଙ୍ଗ ତାଲିକା ନୁହେଁ ବୋଲି ମନେହୁଏ ।

 

୧। ପୁସ୍ତକାବଳୀ

(କ) ଇଂରାଜୀ

1)

Buddhism in Orissa, 1958; Utkal University, Bhubaneswar.

2)

History of Orissa Police, 1961; Cuttack.

3)

Utkal University History of Orissa Vol.I, 1964; Utkal University, Bhubaneswar

4)

A History of Orissa (with Dr J K Sahu and Dr P k Mishra), 1978, Cuttack.

5)

Kharavela, 1984; Bhubaneswar.

6)

Surendra Sai, 1985, Bhubaneswar.

 

(ଖ) ଓଡ଼ିଆ

୧)

ଯୁଗେ ଯୁଗେ ଭାରତୀୟ ନୌବାଣିଜ୍ୟ, ୧୯୫୫; ବାରିପଦା

୨)

ଓଡ଼ିଶାରେ ବୌଦ୍ଧଧର୍ମ, ୧୯୬୦; ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ।

୩)

ଓଡ଼ିଆ ଜାତିର ଇତିହାସ, ୧୯୭୪; ଓଡ଼ିଶା ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା, ଭୁବନେଶ୍ୱର ।

 

(ଗ) ସମ୍ପାଦିତ ପୁସ୍ତକାବଳୀ

1)

A History of Orissa, Vol.I, 1956; Calcutta.

2)

A History of Orissa, Vol II, 1956, Calcutta.

3)

District Gazetteer Koraput, 1966; Bhubaneswar.

4)

District Gazetteer Mayurbhanja, 1967, Bhubaneswar.

5)

Who’s who of Freedom Workers in Orissa, VoI.I & II, (with S C De), 1967, Bhubaneswar.

6)

District Gazetteer Bolangir, 1968; Bhubaneswar.

7)

Souvenir on Jayadev, 1969, Bhubaneswar.

8)

New Aspects of History of Orissa Vol I, 1971; Sambulpur, University, Jyotivihar.

9)

New Aspects of History of Orissa Vol II, 1978; Sambulpur University, Jyotivihar.

10)

Madhusudan Das The Legislator (His Speeches) (with Dr P K Mishra) 1980, Pragati Utkal Sangha, Rourkela.

 

(ଘ) ଅପ୍ରକାଶିତ ପୁସ୍ତକାବଳୀ

1)

Utkal University History of Orissa, Vol II.

2)

ଉତ୍କଳର ପରିଚୟ ।

3)

ତୋଷାଳୀର ଭୌମ ରାଜବଂଶ ।

4)

Orissa’s Cultural Contact with South East Asia (incomplete).

5)

History and Culture of Western Orissa, (with Dr J K Sahu)

 

୨। ବିକ୍ଷିପ୍ତ ପ୍ରବନ୍ଧାବଳୀ :

(କ) ଇଂରାଜୀ

1.

Proceedings of Indian History Congress

The Date of Mahasivagupta Balarjuna, (1949)

Gajapati Purushottam Deva (presented, 1949)

The Bhanja Kings of Orissa (1956)

The Earliest Ganga Kings of Kalinga (1957)

Subhakarasinha, the king of Wu Chu (Presented, 1958)

Bahamatimitta in the Hatigumpha Inscription (1959)

 

2.

Bihar and Orissa’s Research Journal

Medieval Orissa’s Seaports Balasore (1953)

 

3.

Orissa Historical Research Journal

History of South Kosala and Somavamsis of Utkal (1954)

Imperial Gangas and Gajapati Rule in Orissa (1038-1568 AD) (1955)

Cultural Relation of Kalinga with South India and Ceylon (1955)

Hinayana Buddhism in Eastern India in the 7th- Century A.D. (1955)

Religious Movements in Utkal and Kalinga in the 6th century B.C. (1955-56)

Chronology of the Early Ganga Kings of Kalinga (1958)

Talcher Copper-Plate Grant of Sri Gayada Tunga (1958)

Location of Karna-Suvarna (1962)

Location of Karna-Suvarna (1962)

Sasanka (1962)

Tha Nalas (1962)

 

4.

Proceedings of All India Oriental Conference

Relations of Kalinga with South India and Ceylon (1955)

Kalinga and Utkal in Early Buddhist Literature (1957)

Kalinga under Gupta Rule (Presented, 1957)

 

5.

Marg

A Note on Khandagiri and Udayagiri Caves (1955)

 

6.

Orissa Past and Present

Buddhist Art in Orissa (1962)

 

7.

District Gazetteers of Orissa

Koraput History (1966)

Mayurbhanja History (1967)

Bolangiri History (1968)

Bolangiri Places of Interest (1968)

Sambulpur History (1971)

Puri History (1977)

Kalahandi History (1980)

 

8.

Orissa State Gazetter, Vol (I & III)

Origin of the name of the State (1990)

History of Orissa from Early Period to 1568 (1990)

Currency and Coinage, right from the earliest times (1992)

 

9.

Souvenir on Utkal Day and Utkal Gaurava Madhusudam Das, Rourkela

An outline of History and Culture of Orissa upto 1857 (1968)

A Scheme on Madhusudan Das and Modern Orissa (1969)

Youth Movement in Orissa (1970)

History Background of the Evolution of Oriya Language (1972)

Identification of Ramagiri of Kalidas’s Meghaduta (1973)

Printed Sources on Chauhan Rule in Orissa (1974)

Veer Surendra Sai (1984)

Western Orissa The Harbinger of Culture (1985)

 

10.

Proceedings of Orissa History Congress

Sambalpur through Ages (1970)

Presidential Address (1978)

 

11.

Mahima Dharma-Darshana

Bhima-Bhoi (1972)

 

12.

New Aspects of History of Orissa

Editorials (1971, 1978)

A Survey of History of South Kosala, (1971)

University Museum- Its Bearing in History (1978)

 

13.

Sambalpur University Journal

Some Problems Relating to the History ofSailodbhavas (1973-1974)

Two Obscure Dynasties of South Kosala

 

14.

Proceedings and Souvenir of International Studies on Buddhism and Jainism

Buddhist Art in Orissa (1976)

 

15.

Souvenir Third Purva Bharat Samskrutik Sammelan

Archaeological Finds in Asurgarh (1976)

 

16.

New Directions of Tourism in Orissa

The Excavations of Asurgarh (1976)

 

17.

Interim Excavation Report

Asurgarh

Ganiapali

 

18.

Sidelights on History and Culture of Orissa

Pre-historic Cultures of Orissa (1978)

Historical Geography of Orissa (1978)

 

19.

Souvenir of Orissa Sahitya Akademy Silver Jubilee

Historical Geography of Orissa (1982)

 

(ଖ) ଓଡ଼ିଆ

୧.

ସହକାର

ପ୍ରାଚୀନ ଭାରତରେ ଗଣତନ୍ତ୍ର ଶାସନ (୧୯୪୮)

 

୨.

ନବଭାରତ

ସିନ୍ଧୁ ସଭ୍ୟତା ଓ ଜୈନଧର୍ମ (୧୯୪୯) (ସୁରେନ୍ଦ୍ର ମହାନ୍ତିଙ୍କ ସହିତ)

କଳିଙ୍ଗ ସମ୍ରାଟ ଖାରବେଳଙ୍କ ସମୟ ନିରୂପଣ (୧୯୫୦)

ଆଦିନାଥ ଋଷଭ କି ଜଗନ୍ନାଥ (୧୯୫୦)

ଜଗନ୍ନାଥଙ୍କ ଐତିହାସିକ ଭୂମିକା (୧୯୫୧)

 

 

୩.

ନବଜୀବନ

ସହଜିଆ ବୌଦ୍ଧଧର୍ମ (୧୯୫୬ ?)

 

୪.

ଝଙ୍କାର

କଳିଙ୍ଗର ହୀରକ (୧୯୫୮)

 

୫.

କୋଣାର୍କ

ଓଡ଼ିଶାରେ ବୌଦ୍ଧସଂସ୍କୃତି (୧୯୫୮)

ଓଡ଼ିଶାର ସାଂସ୍କୃତିକ ପରମ୍ପରାର କ୍ରମବିକାଶ (୧୯୮୬)

 

୬.

ଉତ୍କଳ ଗୌରବ ମଧୁସୂଦନ ସ୍ମାରକୀ, ପ୍ରଗତି ଉତ୍କଳ ସଂଘ, ରାଉରକେଲା

ସମ୍ପାଦକୀୟ (୧୯୬୮ ରୁ ୧୯୮୫)

ମଧୁସୂଦନ ଦାସ (୧୯୭୩)

କାଳିଦାସଙ୍କ କାବ୍ୟରେ ଓଡ଼ିଶା (୧୯୭୫)

ପଶ୍ଚିମ ଓଡ଼ିଶାର ରମଣୀୟ ସ୍ଥାନ (୧୯୭୮)

ଓଡ଼ିଶା ସହିତ ସମ୍ବଲପୁରର ମିଶ୍ରଣ (୧୯୮୩)

ବୀର ସୁରେନ୍ଦ୍ର ସାଏ (୧୯୮୪)

 

୭.

ଉତ୍କଳ ପ୍ରସଙ୍ଗ

ପୁରୁଷୋତ୍ତମ ଉପାସନା

ପ୍ରାଚୀନ ଓଡ଼ିଶାର ସଂସ୍କୃତି (ଅପ୍ରେଲ, ୧୯୬୬)

କୀର୍ତ୍ତିଶାଳିନୀ ନାରୀ (ଜାନୁଆରୀ, ୧୯୮୨)

କଳିଙ୍ଗ ଚକ୍ରବର୍ତ୍ତୀ ଖାରବେଳ (ଜୁଲାଇ- ଅଗଷ୍ଟ, ୧୯୮୨)

ଓଡ଼ିଶାରେ ବୌଦ୍ଧ ସଂସ୍କୃତି (ଡିସେମ୍ବର, ୧୯୮୨)

ଶହୀଦ ମଧୁସିଂହ (ଜାନୁଆରୀ, ୧୯୮୩)

ଜନନେତା ଧରଣୀଧର ମିଶ୍ର (ଅଗଷ୍ଟ, ୧୯୮୩)

ଖଣ୍ଡଗିରି (ନଭେମ୍ବର-ଡିସେମ୍ବର, ୧୯୮୩)

ଜାତୀୟବୀର ସୁରେନ୍ଦ୍ର ସାଏ (ଅପ୍ରେଲ, ୧୯୮୪)

ଜଗନ୍ନାଥ ବିଗ୍ରହ (ଜୁଲାଇ, ୧୯୮୪)

 

୮.

ସପ୍ତର୍ଷି

ଆଶାକୁମାରୀ (୧୯୭୨)

ରତ୍ନକୁମାରୀ (୧୯୭୨)

ମୋହନକୁମାରୀ

ବୈଜଲଦେବ (୧୯୭୩)

ବୁଢ଼ାରଜା ମନ୍ଦିର (୧୯୭୩)

ସମ୍ବଲପୁରରେ ସାର୍କୀ ସାହି (୧୯୭୩)

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସଂରକ୍ଷିତ ଶତ୍ରୁଭଞ୍ଜଙ୍କ ଗଞ୍ଜାମ ତାମ୍ରଶାସନ (୧୯୭୪)

ଉତ୍କଳ (୧୯୭୪)

ମହାବୀର ଓ ବୌଦ୍ଧଧର୍ମ (୧୯୭୪)

ବୁଦ୍ଧଙ୍କ ପୃଷ୍ଠଭୂମିରେ ନାରୀ (୧୯୭୫)

ସମ୍ପାଦକୀୟ (୧୯୭୮), (୧୯୭୯-୧୯୮୧)

 

୯.

ସଞ୍ଚୟନ

ଭାରତୀୟ ପରମ୍ପରା କଳା ଓ ସ୍ଥାପତ୍ୟର (୧୯୭୪)

 

୧୦.

ସ୍ମରଣିକାଜିଲ୍ଲା ଲେଖକ ସମ୍ମିଳନୀ, ସମ୍ବଲପୁର

ଓଡ଼ିଶାର ପ୍ରାଚୀନତମ ବୁଦ୍ଧପ୍ରତିମା (୧୯୭୬)

 

୧୧.

ପ୍ରାଦେଶିକ ଲେଖକ ସମ୍ମିଳନୀ ସ୍ମରଣିକା, ସୋନପୁର

ଲଙ୍କା ଅନ୍ୱେଷଣ (୧୯୮୦-୮୧)

 

୧୨.

ସମାଜ

ମାଦଳା ପାଞ୍ଜି (୧୯୫୯ ?)

 

୧୩.

ପାଞ୍ଚଜନ୍ୟ

ସୋନପୁର-ଲଙ୍କା

ଦଣ୍ଡକାରଣ୍ୟ (୧୯୮୩-୮୪)

 

୩ ।ଐତିହାସିକ ଗଳ୍ପ

 

ଚନ୍ଦ୍ରିକା

ହୀରାଖଣ୍ଡ, ୧ମ ବର୍ଷ, ୧ମ ସଂଖ୍ୟା (୧୯୫୨)

ନୟାବସାଣ, ୧ମ ବର୍ଷ, ୨ୟ ସଂଖ୍ୟା (୧୯୫୨)

ଜଗନ୍ନାଥ-ଐତିହ୍ୟ, ୧ମ ବର୍ଷ, ୫ମ ସଂଖ୍ୟା (୧୯୫୨)

ପଦ୍ମସମ୍ଭବ, ୧ମ ବର୍ଷ, ୮ମ ସଂଖ୍ୟା (୧୯୫୩)

ପ୍ରଥମ ବୌଦ୍ଧ, ୧ମ ବର୍ଷ, ୧୨ଶ ସଂଖ୍ୟା (୧୯୫୩)